Saturday, October 31, 2020

୧୯୨୦ ଦଶକର ଜଗତସିଂହପୁରରେ ପ୍ରାଥମିକ ଶିକ୍ଷା 

ଶୈଲେନ ରାଉତରାୟ


ଓଡ଼ିଶାର ଏକ ଗାଁର ଏକ ଇସ୍କୁଲର ବଗିଚା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୧୯୨୦ ଦଶକର ମଝାମଝି ବିଦ୍ୟାଧର ମିଶ୍ର ପାଠପଢ଼ା ଆରମ୍ଭ କଲେ ଜଗତସିଂହପୁର ପାଖ ନିଜ ଗାଁର ଏକ ନିମ୍ନପ୍ରାଥମିକ ଇସ୍କୁଲୁରେ । ସେଠି ତିନି ବର୍ଷ ପଢ଼ି ବି ବିଶେଷ କିଛି ଶୈକ୍ଷଣିକ ଲାଭ ନ ହେବାରୁ, ସେବେ କଟକରେ ରେଭେନ୍ସାରେ ପଢ଼ୁଥିବା ବଡ଼ ଭାଇ ତାଙ୍କ ନାଁ ଲେଖାଇଦେଲେ ପାଖର ଆଉ ଏକ ପ୍ରାଥମିକ ବିଦ୍ୟାଳୟରେ ।

ସ୍କୁଲଟିର ଅବସ୍ଥାନ ଗୋଟିଏ ଭଲ ଜେଗାରେ ଥିଲା । ବିଦ୍ୟାଳୟ ପାଖରେ ଥିଲା ଏକ ବିରାଟ ବଡ଼ ବରଗଛ । ସେଇ ଗଛଟି ଆସ୍ଥାନ ଥିଲା ନାଗା ଗୋସେଇଁ ଠାକୁରଙ୍କର । ସ୍କୁଲ ଚାରିଆଡ଼େ ଏକ ବଡ଼ ପଡ଼ିଆ ଓ ଜଣେ ଜମିଦାରଙ୍କର ଆମ୍ବ ତୋଟାଟିଏ ।  ପିଲାମାନେ ପଡ଼ିଆରେ, ତୋଟାରେ ଓ ବରଗଛ ତଳେ ଆନନ୍ଦ ମନରେ ଖେଳନ୍ତି । ତୋଟାରେ ଥିବା ଜାମୁ ଗଛରୁ ପ୍ରଚୁର ପରିମାଣରେ କୋଳି ତୋଳି ଖିଆ ଯାଏ ।

ଏଇ ସ୍କୁଲଟିରେ ହେଡ଼ ପଣ୍ଡିତ ଥିଲେ ଆନନ୍ଦଚନ୍ଦ୍ର ସାହୁ, ଭାଇଙ୍କର ସାଙ୍ଗ ଜଣେ । ସେ ସାଙ୍ଗର ସାନ ଭାଇର ବ୍ୟକ୍ତିଗତ ଯତ୍ନ ନେବାକୁ ରାଜି ହେବାରୁ ଦ୍ୱିତୀୟ ଶ୍ରେଣୀର ଛାତ୍ର ଭାବରେ ବିଦ୍ୟାଧର ସେଠି ଦାଖଲ ହେଲେ । ଆନନ୍ଦଚନ୍ଦ୍ର ଜାତିରେ ଥିଲେ ଶୁଣ୍ଢି । ତାଙ୍କର ପରିବାରଟି ବଡ଼ ଥିଲା । ହେଲେ କୁଟୁମ୍ବଟି ଚାଷବାସ ସହ ଖୁଚୁରା ଦୋକାନଟିଏର ଆୟ, ତହିଁ ସହିତ ଆନନ୍ଦ ବାବୁଙ୍କର ମାଷ୍ଟ୍ରାମୀର ଦରମା ଓ ତାଙ୍କ ମହାଜନିରୁ ପ୍ରାପ୍ତ ସୁଧକୁ ମିଶାଇ ସୁବିଧାରେ ଚଳିଯାଉଥିଲେ ।

ଆନନ୍ଦଚନ୍ଦ୍ର ଥିଲେ ମାଇନର ପଢ଼ା ସାରି ‘ଗୁରୁ ପ୍ରଶିକ୍ଷଣ’ ପ୍ରାପ୍ତ । ସାଙ୍ଗ ସହିତ ହୋଇଥିବା ବୁଝାମଣା ଅନୁଯାୟୀ ଆନନ୍ଦ ବାବୁ ବିଦ୍ୟାଧରଙ୍କୁ ଗଣିତ ଓ ମାନସାଙ୍କ ବ୍ୟକ୍ତିଗତ ଭାବରେ ବୁଝାଇ ଦେବାକୁ ଆରମ୍ଭ କଲେ । ଏହା ସହ ଭୂଗୋଳ, ସାହିତ୍ୟ ଓ ପ୍ରକୃତି ପାଠ ଆଦି ପଢ଼ାଇ ଦେଲେ । ଏହି ପରି ଗଣିତ ଓ ଭାଷା ପ୍ରଭୃତି ବିଷୟରେ ବିଦ୍ୟାଧରଙ୍କର ଗୋଟିଏ ଭଲ ମୂଳଦୁଆ ପଡ଼ିଗଲା ।

ହେଲେ ତୃତୀୟ ଶ୍ରେଣୀରେ ସେ ବୃତ୍ତି ପାଇଲେ ନାହିଁ । ଦୁଇ ଜଣଙ୍କୁ ମିଳିବାର ଥିଲା ବୃତ୍ତି । ହେଲେ ବିଦ୍ୟାଧର ବିଚରା ରହିଲେ ତୃତୀୟ ସ୍ଥାନରେ । ବିଦ୍ୟାଧରଙ୍କର ତ ମନ ଖରାପ ହେଲା ହିଁ, ହେଲେ ଆନନ୍ଦଚନ୍ଦ୍ର ବି ବହୁତ ଦୁଃଖିତ ହେଲେ, ଏତେ ପରିଶ୍ରମ କରି ପିଲାଟି ବୃତ୍ତି ନ ପାଇବାରୁ ।

ଆନନ୍ଦ ସାହୁଙ୍କ ପାଖରେ ପ୍ରାଥମିକ ଶିକ୍ଷାର ମୂଳଦୁଆ ପଡ଼ି ସାରିବା ପରେ ବିଦ୍ୟାଧର ପୁଣି ଲେଉଟିଲେ ନିଜ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ,  ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ପାଇଁ । ଏଠି ସେପରି କିଛି ନାଁ ଲେଖା ହୋଇ ନଥିଲା । ସାହି ପିଲାଙ୍କ ସହ ସେ ମନକୁମନ ପଢ଼ିବା ପାଇଁ ସ୍କୁଲଟିକୁ ଯିବାକୁ ଆରମ୍ଭ କଲେ ।

ଏଠି ହେଡ଼ ପଣ୍ଡିତ ଥିଲେ ନାରାୟଣ ମିଶ୍ର, ବିଦ୍ୟାଧରଙ୍କର ପରିବାରର ନିକଟ ସମ୍ପର୍କୀୟ । ଆନନ୍ଦଚନ୍ଦ୍ରଙ୍କ ପରି ସେ ମଧ୍ୟ ମାଇନର ପାସ୍ କରି ଗୁରୁ ଟ୍ରେନିଂ ପାଇଥିଲେ । ଥିଲେ ବହୁକୁଟୁମ୍ବୀ, ହେଲେ ପରିବାର ପ୍ରତିପାଳନ ପାଇଁ ସେହି ଭାବରେ ଜମିବାଡ଼ି ମଧ୍ୟ ଥିଲା ।

ନାରାୟଣ ବାବୁ ସମ୍ପତ୍ତି, ପଦ ଓ ନିଜ ଚରିତ୍ର ବଳରେ ଗାଁର ଜଣେ ନାଁକରା ମାମଲତକାର ଥିଲେ । ମାମଲତକାରି କରି ସେ ପରିବାରର ଜମିବାଡ଼ିର ପରିମାଣ ମଧ୍ୟ ବଢ଼ାଇ ଥିଲେ ।  ହେଲେ ନୂଆ କରି ଧରୁଥିବା ଜମି କିଣା ହେଉଥିଲା ନିଜ ଚାରି ଭାଇଙ୍କ ନାଁରେ, ଏକାନ୍ନବର୍ତ୍ତୀ ପରିବାରର ଧର୍ମ ରକ୍ଷା କରି ।

ମାମଲତକାରୀ, ଘରର ମୂରବୀ ପଣିଆ, ଚାଷବାସ, ଏ ସବୁ ଗୁରୁତ୍ୱପୂର୍ଣ୍ଣ କାମ ସାରିଲା ବେଳକୁ ମିଶ୍ର ଆଜ୍ଞାଙ୍କୁ ଆଉ ପାଠ ପଢ଼ାଇବା ପାଇଁ ବେଶି ଫୁରୁସତ ମିଳୁ ନଥିଲା । ନାରଣ ବାବୁ ବାକି ସବୁ କାମ ଟିକିଏ ଟିକିଏ ବଢ଼େଇ ଦେଇ, ହଲିହଲି ବିଦ୍ୟାଳୟକୁ ଆସନ୍ତି ଦିନ ବାରଟା ବେଳକୁ ।  ଦୁଇ ଘଣ୍ଟା ଖଣ୍ଡେ ରହି, ପୁଣି ଦିନ ଦିପହରକୁ ଅନ୍ୟ ପାଇଟିରେ ଚାଲିଯାଆନ୍ତି । ତାଙ୍କୁ ଅନୁସରଣ କରି ଅନ୍ୟ ଶିକ୍ଷକମାନେ ବି ସ୍କୁଲକୁ ଆସିବାରେ ବିଳମ୍ବ କରନ୍ତି ।  ଏଣୁ ପିଲାଙ୍କର ସବୁ ଦିନେ ରଜ ମଉଜ ।

ଦିନ ଦଶଟା ବେଳକୁ ପ୍ରାୟ ସମସ୍ତ ଚାଟ ଇସ୍କୁଲକୁ ଚାଲି ଆସନ୍ତି । ବିଦ୍ୟାଳୟ ପାଖ ବରଗଛ ମୂଳରେ ଶିକ୍ଷକମାନଙ୍କୁ ଅପେକ୍ଷା କରି ଖେଳ ଜମେ । ଏହି ପରି ଭାବେ କିଛି ପାଠ ନ ପଢ଼ି ବିଦ୍ୟାଧର ଓ ଅନ୍ୟ ଛାତ୍ରମାନଙ୍କର ସମୟ କଟୁଥାଏ । ସେବେ ବୃତ୍ତି ପରୀକ୍ଷା ଛଡ଼ା ଅନ୍ୟ କୌଣସି କେନ୍ଦ୍ରୀୟ ପରୀକ୍ଷା ହେଉ ନ ଥିଲା । କେହି ପିଲା ଫେଲ ହେଉ ନ ଥିଲେ । ସ୍କୁଲରେ ନାଁ ଲେଖାଇଥିବା ସମସ୍ତଙ୍କୁ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାର ପ୍ରମାଣପତ୍ର ଅବଲୀଳାକ୍ରମେ ମିଳିଯାଉଥିଲା ।

ଏହି ପରି ଭାବେ ଆନନ୍ଦରେ କାଳାତିପାତ କରୁଥିବା ସମୟରେ ବିନା ମେଘରେ କୁଳିଶପାତ ହେଲା । ବିଦ୍ୟାଧର ପଞ୍ଚମ ଶ୍ରେଣୀରେ ପାଠପଢ଼ା ସାରୁଥିବା ସମୟରେ, ପାଟନାରେ ଇଞ୍ଜିନିଅରିଂ ପଢ଼ୁଥିବା ତାଙ୍କର ଅତି ପ୍ରିୟ ବଡ଼ ଭାଇ ଯକ୍ଷ୍ମା ରୋଗରେ ଚାଲିଗଲେ ।

ବି.ଦ୍ର. – ଏହି ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାଟିର ଉପାଦାନ ଅର୍ଥନୈତିଜ୍ଞ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ – ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....