ବାଳ ବର୍ଗ ୭
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
| ଇଣ୍ଡୋନେସିଆ ଦେଶର ବୋରବୋଦୁର ସ୍ତୁପ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଓଡ଼ିଆ ପଦ୍ୟାନୁବାଦ
| ଇଣ୍ଡୋନେସିଆ ଦେଶର ବୋରବୋଦୁର ସ୍ତୁପ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
“ଏଇଟା ବୋଧେ ଛୁରିଆନା ।“
ସାଇକେଲ ମାର୍କା ବିଡ଼ିରୁ ଶେଷ ଦମ୍ ନେଇ, ତଳେ ଫୋପାଡ଼ି, ଦଳିଲା ବେଳେ ଶଶି ଭାଇ କହୁଚନ୍ତି ।
ରାତି ନଅଟା ? ନା ସାଢ଼େ ନଅଟା ? ଆଜି ପୁରୁଣା ବସ୍ଷ୍ଟାଣ୍ଡ୍ ଖଟିରେ ଗହଳି ନାହିଁ । ଗହଳି ନାହିଁ କଅଣ, କେହି ବି ନାହାନ୍ତି ।
କଲ୍ୟାଣ ଭାଇ, ଯିଏ ଖଟିକୁ ସନ୍ଧ୍ୟାରେ ନ ଆସିଲେ ଲାଗେ କାଲି ଭୋରରେ ସୂର୍ଯ୍ୟ ଉଇଁବ ନାହିଁ, ସେ ବି ଆସି ନାହାନ୍ତି । ହେଲେ ସୂର୍ଯ୍ୟ ତ କାଲି ସକାଳେ ପୁଣି ଉଇଁବ । ମୁଁ ଜାଣିବାରେ ତ ତାଙ୍କର କୁଆଡ଼େ ଆଉ ବାହାରକୁ ଯିବାର ନଥିଲା । ସେ ବୋଧହୁଏ ଆଗୁଆ ଆସି ଚାଲିଯାଇଥିବେ । କେଉଁଠି ବାହାଘରିଆ କି ବହି ଉନ୍ମୋଚନ ଭୋଜି ଥିବ ।
“ବନ୍ଧୁ କୁଆଡ଼େ ହଜିଗଲ ?” କହି ଶଶି ଭାଇ ମୋତେ ହଲେଇ ଦେଉଚନ୍ତି । ତାଙ୍କ ଡାହାଣ ହାତ ତର୍ଜନୀ ଆଙ୍ଗୁଠିରେ ପିନ୍ଧିଚନ୍ତି ଗୋଟେ ମୋଟା ବଳା ଭଳିଆ ମୁଦି । ତା’ ମୁଣ୍ଡରେ ଗୋଟେ ଚକଚକ କରୁଥିବା କଳା ପଥର । ତାଙ୍କ ଦେହରେ ଖାଲି ଏଇ ଗୋଟିଏ ବୋଲି ଅଳଙ୍କାର । ଆଉ କେବେ କିଛି ପିନ୍ଧିବାର ମୁଁ ଦେଖିନି ।
ମୁଁ ମୁଣ୍ଡ ଟେକି ଗଛକୁ ଅନଉଚି । ବିଶାଳ ଦୃମ । ପତ୍ର ଗହଳ । ଫୁଲରେ ନାଛି ହେଇଚି । ମଳିଆସିଆ ଧଳା ରଙ୍ଗର ଫୁଲ ।
“ଭୁବନେଶ୍ୱରରେ ଏଇ ଗଛ ଆଗରୁ ଅନେକ ଆଡ଼େ ଥିଲାନା ?”
“ହଁ ।“
“ଆଜି ଫୁଲ ଫୁଟିଚି । ଆଉ ଏତେ ସମୟ ମୁଁ ୟା ତଳେ ଠିଆ ହେଇଚି ।“
“ଆଉ ତମ ନାକ ବି ବିନା ଥଣ୍ଡାରେ ଖୋଲା ଅଛି ।“ ମୁଁ ଗଭୀର ନିଶ୍ୱାସ ଫଁଫଁ ନେବାର ଦେଖି ସେ କହୁଚନ୍ତି ।
ମୁଁ ହସି ଦଉଚି । ସତ କଥା । ଏଇ ସପ୍ତାହଟା ସାରା ମୋ’ ନାକ ଖୋଲା ଅଛି ।
ଆଉ ଖୋଲା ଅଛି ଶଶି ଭାଇଙ୍କ ପୁରା ହାତ ଚାଇନିଜ୍ କଲାର ସାର୍ଟ୍ର ଉପରଆଡ଼ୁ ପ୍ରଥମ ଚାରିଟାଯାକ ବୋତାମ । ତଳଆଡ଼ୁ ପ୍ରଥମ ଖୋଲା ବୋତାମଟାକୁ ବନ୍ଦ କରିଦେଇ ମୁଁ କହୁଚି, “ଆପଣ ସମସ୍ତଙ୍କ ନାଁରେ କବିତା ଲେଖି ସାରିଲେଣି । ମୁଁ କେବେ ଅମର ହେବି ?”
“ରୁହ । ତୁମ ଉପରେ କାବ୍ୟ ଲେଖିବି ।“
“ବଦ୍ଧ ଗାଲୁଆ ଆପଣ । ଆଠ ଧାଡ଼ିର କବିତା ଲେଖୁନାହାନ୍ତି ମୋ’ ଉପରେ । କଅଣ ନା କାବ୍ୟ ଲେଖା ହେବ ।“
“ଆରେ ସତରେ ।“
“ହଉ ।“
ବୋତାମ ବନ୍ଦ କଲାବେଳେ ମୋ ବାଁ ହାତର ବୁଢ଼ା ଆଙ୍ଗୁଠି ବାଜୁଚି ତାଙ୍କ ସବା ତଳ ପିଞ୍ଜରା ହାଡ଼ରେ ଗଢ଼ା ଇଂରାଜୀ “ଏ”ରେ । ଯେଉଁଠି ଛାତିର ଫୁଲା ଆଉ ପେଟର ସପାଟ୍ ଗାଡ଼ ଆରମ୍ଭ ।
ଶଶି ଭାଇ କବି କି ସ୍ଥପତି ହୋଇନଥିଲେ ସହଜରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ହିରୋ ହେଇପାରିଥାଆନ୍ତେ ।
ମୋ’ ବୁଢ଼ା ଆଙ୍ଗୁଠି ଯେତିକି ସମୟ ଛାତିରେ ଲାଗିବା କଥା, ତା’ଠୁଁ ଟିକେ ବେଶି, କ୍ଷଣକର ଭଗ୍ନାଂଶଟିଏ ବୋଧେ, ଲାଗି ରହୁଚି । ବାଁ ପଟରେ ଖାଲି ପ୍ରଭାତର ରୋଲ୍ ଆଉ ଚାଇନିଜ୍ ଦୋକାନ ଖୋଲା ଅଛି ।
ସେଠୁ କାଉଣ୍ଟରରେ ସଲିମ୍ ଆମକୁ ଚାହିଁଚି । ଚାହୁଁ । ସେ ଶଶି ଭାଇଙ୍କୁ ଲାଇନ୍ ମାରେ । ଏବେ ଜଳୁଥିବ । ଜଳୁ ।
ଆଜି ଖାଲି ପ୍ରଭାତ ରୋଲ୍ ଦୋକାନ ଖୋଲା, ଆଉ ମୋ’ ଡାହାଣ ପଟେ ଆଫ୍ତାବ୍ର ବ୍ୟାଗ୍ ତିଆରି ଓ ମରାମତି ଦୋକାନ । ଆଫ୍ତାବ୍ ବି ଦୋକାନ ବନ୍ଦ କରି ଏବେ ତା’ ଗାଡ଼ି ପାଖରେ । ସେ ମୋ ଆଡ଼କୁ ଅନେଇଚି ।
ମୁଁ ଅନଉଚି ଆଉ ଥରେ ଉପରକୁ । ଜହ୍ନ ଆହୁରି ଟିକିଏ ଆକାଶକୁ ଉଠିଲାଣି । ଦୁଇଟା ଡାଳର ଫାଙ୍କରେ ଏବେ ଟିକେ ସ୍ପଷ୍ଟ ଦିଶୁଚି । ମୁଁ ଆଖି ବନ୍ଦ କରୁଚି ।
“ରତି” - ଖାଲି ଶଶି ଭାଇ ହିଁ ମୋତେ ରତି ଡାକନ୍ତି, “ତମେ ଝିଅଟିଏ ହୋଇଥିଲେ ମୁଁ ତମକୁ ବାହା ହେଇଯାଇ ଥାଆନ୍ତି ।“
ଛୁରିଆନା ଖୁବ୍ ଜୋରରେ ବାସୁଚି । ନା ଏଇଟା ଜହ୍ନର ବାସ୍ନା ? ଯାହାର ହେଉ । ବାସୁ ।
ଟୀକା: ଏହି ମିନିଗପଟି ପ୍ରଥମେ ଦୈନିକ ପ୍ରମେୟ ଖବରକାଗଜର ୧ ସେପ୍ଟେମ୍ବର, ୨୦୨୪ରେ ପ୍ରକାଶିତ ରବିବାସରୀୟ ସାହିତ୍ୟ ପୃଷ୍ଠାରେ ଛପା ହୋଇଥିଲା ।
![]() |
| ମେଘେଶ୍ୱର ମନ୍ଦିର ବେଢ଼ା, ୨୦୧୯ ସାଲ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/ ଏସ୍ ଶ୍ରୀରାମ ଏମ୍ଟି |
ହେଲେ କଖାରୁ ଛେଦା ପଡ଼ି ଏଇ ଡଙ୍କଟା ରାବେଣା ପରି ଚେତେରେଇଚି । ଫୁଲ କୁଛତ୍ର । ହେଲେ ଏ ପର୍ଯ୍ୟନ୍ତ ଫଳ ନାଇଁ ।
ମୁଁ ଆସିଚି ଛାତକୁ ପୋଇ ପତ୍ର ପାଇଁ । ଛାତ ଉପର ବଗିଚାରେ ଆଉ କିଛି ହେଉ କି ନହେଉ ପୋଇ ଉଧଉଚି ବେଶ୍ । ଯେଉଁଠି ପୋତିଲେ ସେଇଠି । ମୁଁ କଅଁଳିଆ ଛୋଟ ଛୋଟ ପତ୍ର ଗୋଟିଏ ଗୋଟିଏ କରି ଚାରି ପାଞ୍ଚଟା ତୋଳି ସାରିବା ବେଳକୁ ମନେ ପଡ଼ୁଚି ଯେ ମୁଁ ଡାଲା ଆଣିନି ।
ଛାତ ଉପରେ ତାରରେ ଗାମୁଛା କି ଲୁଗା ନାଇଁ । ବାଧ୍ୟ ହୋଇ ମୁଁ ତଳକୁ ଯାଉଚି । ଚାରିଟା ପୋଇପତ୍ର ଖାଇବା ଟେବୁଲ ଉପରେ ଥୋଇ ଛୋଟ ଭୋଗେଇଟା ଧରି ମୁଁ ଛାତ ଉପରେ ପହଞ୍ଚିଲା ବେଳକୁ ଦାଶ ମଉସାଙ୍କ ବୋହୁ ଛାତ ଉପରେ । ପାଣି ଦେଉଚି ।
ଲକ୍ଡାଉନ୍ ପୂର୍ବରୁ ତାଙ୍କ ଛାତରେ କିଛି ନଥିଲା । ଆଗରୁ ମାଉସୀ ଯାହା ଲଗେଇଥିଲେ । କରୋନାରେ ସେ ଚାଲିଗଲା ପରେ ସବୁ ସୁଖି ଘାସ । ଏ ସବୁ ବୋହୁ ଆଉ ପୁଅ ହାତରେ ଉତୁରିଚି । ହେଲେ ଆଗରୁ ବି ଖାଲି ଫୁଲ ଥିଲା ଆଉ ଏବେ ବି ସେଇ ଫୁଲ ।
ମଗୁଶୀର ମାସର ସକାଳର ଖରାରେ ରଙ୍ଗଣୀ, ଜିନିଆ, ଗେଣ୍ଡୁ, ଡାଲିଆ, ରଜନୀଗନ୍ଧା ସବୁ ମିଶି ଗୋଟେ ପିକ୍ଚର୍ ପୋଷ୍ଟ୍କାର୍ଡ଼୍ ଭଳି ଦିଶୁଚି ।
ଦାଶ ଘର ବୋହୁ ନଇଁ ନଇଁ ଫୁଲ ତୋଳୁଚି । ଗେଣ୍ଡୁ ଆଉ ଟଗର । ଖାଲି ଛୋଟ ଛୋଟ ଗେଣ୍ଡୁ । ଠାକୁର ପୂଜା ପାଇଁ ବୋଧେ । ପିନ୍ଧିଚି କୁଞ୍ଚରେ ଭର୍ତ୍ତି ନୀଳ ରଙ୍ଗର ଲମ୍ବା ସ୍କର୍ଟ୍ । ଆଉ ଉପରେ ଧଳା ରଙ୍ଗର ବ୍ଲାଉଜ୍-ଫିଟିଂ ଟପ୍ । ଭଲ ମାନୁଚି । ଫୁଲମାନଙ୍କ ଭିତରେ ଆଉ ଗୋଟେ ଫୁଲ । କ୍ଲିଶେଡ଼୍, ବଟ୍ ଟ୍ରୁ ।
“ଆରେ ଗେଣ୍ଡୁ ଗୁଡ଼ା କାହିଁକି ତୋଳୁଚ ? ଆଜି ପରା ମୁଁ ପୂଜା କରିବି ।“
“ଆରେ ମୁଁ ଟିକେ ଘର ଆଗରେ ସଜେଇବି ।“
“ତା’ହେଲେ ଏତିକି କଅଣ ହେବ ?”
“ମୁରୁଜ ଭିତରେ ଗୋଟେ ଗୋଟେ ଦେବି, ତ ହେଇଯିବ । ଅଯଥା କାହିଁକି ତୋଳିବି ।“
ହଠାତ୍ ଗୋଟେ ଏଣ୍ଡୁଅ ପୋଇ କୁଣ୍ଡରୁ ବାହାରି ବାଁ ପଟକୁ ସଜନା ଆଡ଼କୁ ଚାଲିଗଲା । ମୁଁ ଛାତିରେ ଛେପ ଟିକେ ପକେଇ ପୁଣି ଉପରକୁ ଚାହିଁଲା ବେଳକୁ ଦାଶ ଟୋକା ଆସି ବୋହୁର ପଛରେ । ତା’ ହାତ ମିଲିର ଅଣ୍ଟା ଚାରିପଟେ । ମତେ ଦେଖି ନାହାନ୍ତି ବୋଧେ ? ମୁଁ ତଳେ ବସି ପୋଇ ପତର ତୋଳୁଚି । ନଇଁକି ନୁହେଁ । ଏଇ କିଛି ଦିନ ମୋତେ ନଇଁବା ମନା ।
ନା । ମୋତେ ଦେଖିଚନ୍ତି ଦୁଇ ଜଣ ଯାକ । ପ୍ରେମ ସେଇଥି ପାଇଁ ? ଦାଶ ଘର ଟୋକା ସହ ମୁଁ କଲେଜ ସାରିବା ପରଠାରୁ ଆଉ କେବେ କଥା ହେଇନି । ଦରକାର ପଡ଼ିନି । ସୁଯୋଗ ବି ଜୁଟିନି । ମୁଁ ଗଲି ବମ୍ବେ ଏମ୍ଏ ପଢ଼ିବା ପାଇଁ । ସେ ଗଲା ବୋର୍ଡ଼ିଂ ସ୍କୁଲ ।
ମୁଁ ଅଣ୍ଟା ସିଧା କଲି । ତା’ର ହାତ ଏବେ ବି ମିଲି ଅଣ୍ଟା ଚାରିପଟେ ହେଲେ ଆଖି ମୋ’ ଉପରେ । ମୁଁ ଜାଣିଲି ସେ ହସୁଚି । ଓଠରେ ନୁହେଁ । ମନରେ । ମୋ’ ଭୋଗେଇ ଭର୍ତ୍ତି । ମୁଁ ପୋଇ ଡାଳ ଖଣ୍ଡେ ଭାଙ୍ଗିଲି । ଛାତର ଏପଟରୁ ସେପଟକୁ ଗଲି ।
“ଅଶୋକ । ଏ ଡାଙ୍ଗଟା ନେ ।“
“ଭାଇ ନମସ୍କାର ।“
“ନମସ୍କାର । ଏଇଟା ପୋତ ।“
ମୁଁ ପୋଇ ଖଣ୍ଡକ ଫିଙ୍ଗିଦେଲି । ଅଶୋକ ଧରିଲା । ଠିକ୍ ଧରିଲା । ଡାହାଣ ହାତରେ ।
ବାଁ ହାତଟା ମିଲି ଅଣ୍ଟା ଉପରେ ନାହିଁ ଏବେ । ଝୁଲୁଚି । ଅଣ୍ଟା କଡ଼ରେ ।
![]() |
| ଭୁବନେଶ୍ୱରସ୍ଥ ପ୍ରକୃତି ବିଜ୍ଞାନ ସଙ୍ଗ୍ରହାଳୟରେ ରଖା ଏକ ହାତୀର କଙ୍କାଳ ଫଟୋ କ୍ରେଡ଼ିଟ୍ - ରାମଜିତ ଟୁଡୁ |
ଗୌତମ ଚାଲିଗଲା ପରେ ପ୍ରଥମ ଥର ପାଇଁ ମୁଁ ଆସିଚି ଭାଇଭାଇକୁ । ବୈଶାଖ ମାସର ଆରମ୍ଭ । ସନ୍ଧ୍ୟା ବେଳ । ଅସରାଏ ବର୍ଷା ହେଇ ଛାଡ଼ି ଯାଇଚି । ଗରମ ସେତେ ବେଶି ଆଉ ନାଇଁ । ପୁରା ବିଅର୍ ପାଗ । ମୁଁ ଆଉ ପିଉନି । ହେଲେ ହାରାମଜାଦା କାମଟା ବି ଆଜି ଶୀଘ୍ର ସରିଗଲା । ଆଉ ଗୌତମ ବି ମୋତେ ହଠାତ ବହୁତ ମନେ ପଡ଼ିଲା ।
ତ ମୁଁ ସ୍କୁଟର ଧରି କାନନ ବିହାରରୁ ସୈନିକ ସ୍କୁଲ, ଆଚାର୍ଯ୍ୟ ବିହାର, ପୁରୁଣା ବସଷ୍ଟାଣ୍ଡ ଦେଇ ଗଲି ଡେଲଟା ଛକ । ପୁରୁଣା ବସଷ୍ଟାଣ୍ଡରେ ଆଜି କେହି ନାହାନ୍ତି । ଦୋକାନ ସବୁ ଅଧାଅଧି ବନ୍ଦ । ନାରାୟଣୀ ବି ଖୋଲା ନାହିଁ । ମୁଁ ଅନ୍ୟ ପତ୍ରିକା ଦୋକାନରେ ଦୁଇ ମିନିଟରେ ମୁହଁ ମାରି କାହା ସହ ଲାଖିବା ଆଗରୁ ଡେଲଟା ଛକ ବାହାରିଗଲି ।
ଡେଲଟା ଛକ । ଡାହାଣ ପାଖେ ‘ୟୁଟୋପିଆ’। ଆଗରେ ୟୁଟର୍ଣ୍ଣ ନେଇ ଗାଡ଼ି ରଖିଲି ମୁଁ । ସବୁ ଥର ଏଣ୍ଟ୍ରାନ୍ସ୍କୁ ପିଠି କରି ବସେ । ଆଜି ମୁହଁ କରି ବସିଚି । ଗହଳି ଆରମ୍ଭ ହେଇନି । ସାତଟା ଛୋଟ ଛୋଟ ଟେବୁଲ । କାନ୍ଥକୁ ଲାଗି ଚାରିଟା । ଡାହାଣ ପଟର କିଚେନ ଆଡ଼କୁ ତିନିଟା । ମୁଁ ବସିଚି କାନ୍ଥଠୁଁ ଦୂର ଧାଡ଼ିର ମଝି ଟେବୁଲରେ । ମୋ ଆଗରେ ଆଉ ପଛରେ କେହି ନାହାନ୍ତି । କାନ୍ଥ ଆଡ଼କୁ ମୋ ବାଁ ପଟ ଟେବୁଲଟା ଯାହା ଖାଲି ।
ପିଲା ଆସିଲା । ବୟସ କୋଡ଼ିଏ ଖଣ୍ଡେ ହେବ । “କଣ ଲାଗିବ?” “କେଏଫ୍ ପ୍ରିମିଅମ୍ ।” “ଆଜ୍ଞା କେଏଫ୍ ଷ୍ଟ୍ରଙ୍ଗ୍ ହେବ ।” “ମାଇଲ୍ଡ଼୍ କଅଣ ଅଛି?” “ନା ଆଜ୍ଞା” । “ସବୁ ଖାଲି ଷ୍ଟ୍ରଙ୍ଗ୍ ।” “ହଉ । ଟ୍ୟୁବର୍ଗ ଆଣ ତା’ହେଲେ ।” “ଆଉ ତା’ ସହ?” “ମସୃମ୍ ପେପର ଫ୍ରାଏ ଗୋଟେ । ଉପରେ ରଙ୍ଗ ପକେଇବନି ।” “ଆଜ୍ଞା ।” “ମନେ ପକେଇକି ।” “ଆଜ୍ଞା ।” ଦ୍ୱିତୀୟ ଆଜ୍ଞାଟା ମୋତେ ଟିକେ ଟାହୁଲି କଲା ପରି ଲାଗିଲା । ତ ମୁଁ ତା’କୁ ଭୃଲତା ଟେକି ମୁରୁକିହସାଟାଏ ଦେଲି । ସେ ବି ଫିକ୍ କିନା ହସି ଦେଲା ଆଉ କହିଲା, “ଉପରେ ରଙ୍ଗ ନାହିଁ ।”
ମୁଁ ମୋ’ ସ୍ଲିଙ୍ଗ୍ବ୍ୟାଗ୍ରୁ ଜେଜୁରି ବାହାର କରି ପଢ଼ୁଚି । ବହିଟିର ଶେଷ କବିତାଟି ଲାଗଲାଗ ଅଷ୍ଟମ ଥର ପଢ଼ିସାରିଲା ବେଳକୁ ପିଲାଟି ମୋ’ ଆଗରେ ଛତୁ ଥାଳିଟି ଥୋଇ ଦେଇ ବୋତଲ ଖୋଲି ଗିଲାସରେ ଢାଳିବାକୁ ଯାଉଚି ।
“ଥାଉ ମୁଁ ନିଜେ ଢାଳିବି ।” ମୁଁ ଢାଳିଲି । ଗିଲାସ ଷାଠିଏ ଡିଗ୍ରି, ବାଁ ହାତରେ । ଡାହାଣ ହାତର ବୋତଲରୁ ଧିରେ ଧିରେ ଢଳା । ପୁରା ଧିରେ । ଗିଲାସ ଭରି ହେବା ସହ ଗିଲାସର କୋଣ ଷାଠିଏରୁ ବଢ଼ି ବଢ଼ି ନବେ । ପର୍ଫେକ୍ଟ୍ । ନୋ ହେଡ଼୍ ।
ପିଲାଟି ସେ ପର୍ଯ୍ୟନ୍ତ ଠିଆ ହେଇଚି । ମୁଁ ମୁହଁ ଟେକି ଅନାଇଲା ବେଳକୁ ମୋତେ କହୁଚି, “ସାର୍ ଶିଖିଗଲି ।” ଆଉ ହସୁଚି । “ନାଁ କଅଣ?” । “ଅସିତ ।” ମୁଁ କହୁଚି, “ମୋ’ ନା ରତିକାନ୍ତ ।”
ବହୁତ ଦିନ ପରେ ପିଉଚି । ଧିରେ ଧିରେ ପିଉଚି । ଗିଲାସଟି ଯାକ ବିଅର ସରିଲା ବେଳକୁ ଜେଜୁରିର ମୁଁ ମଝିରେ ଛାଡ଼ିଯାଇଥିବା କବିତାତକ ସରିଲାଣି । ବହିର ପେଟ ମାଡ଼ି ଟେବୁଲ ଉପରେ ଥୋଇଲି ପ୍ରଥମେ । ତା’ ପରେ ପାଖରେ ଗିଲାସ । ଖାଲି ।
ଏକ କରିବା ପାଇଁ ଉଠିଲା ବେଳକୁ ବାକି ସବୁ ଟେବୁଲ ଭର୍ତ୍ତି । ପ୍ରାୟତଃ ଟେବୁଲରେ ଏବେ ଓୟୁଏଟି ଛୁଆ, ନହେଲେ ଅଟୋ ଡ୍ରାଇଭର ଗୋଷ୍ଠୀ । ଅଫିସ ପରେ ପରେ ବିଅର ଗୋଟେ ଲେଖାଏଁ ମାରି ସାରି ପାନ ଖାଇ ଘରକୁ ଫେରିବା ଲୋକେ କେବେରୁ ଫିଟି ସାରିଲେଣି ।
ମୋ ଆଗ ଟେବୁଲରେ ଟୋକାଟେ ବସିଚି । ବୟସ କୋଡ଼ିଏରୁ ପଚିଶ ଭିତରେ କିଛି ବି ହେଇପାରେ । ଅଟୋବାଲା ନୁହଁ । ଓୟୁଏଟି ଟୋକା ତ ଆଦୌ ନୁହେଁ । ଅଣ୍ଟାରେ କାପ୍ରି । ଉପରେ ପୁରାହାତ ବାଲା କଲମକାରି ପ୍ରିଣ୍ଟ୍ର କୁର୍ତ୍ତି । ଦୁଇ କାନରେ କସ କରି ଲାଗିଥିବା ବଳା । ଡାହାଣ କାନରେ ଆହୁରି ତିନିଟା ଫୁଲ – ଗୋଟେ ଗୋଜିଆ ମୁନ ବାଲା ତେଣ୍ଟା, କାନ ମଝିରେ ଗୋଟେ ମଝିଆଳିଆ ବଳା । ତା’ ଉପରେ ଗୋଟେ ରୂପାରେ ବସା ଛୋଟ ମୋତି । ବାଁ ପଟେ ଭୃଲତା କାନଆଡ଼କୁ ଫୋଡ଼ା ହେଇଚି । ସେଥିରେ ଗୋଟେ ଛୋଟ ବଳା । ହାତରେ କିଛି ନାହିଁ । ମୁହଁ ଚିକ୍କଣ, ଖାଲି ଗୋଟେ କୁନି ଛେଳିଦାଢ଼ିକୁ ଛାଡ଼ି ଦେଲେ । ସେ ମୁହଁ ଓଡ଼ିଆ, ବଙ୍ଗାଳି, ତେଲୁଗୁ, କିଛି ବି ହେଇପାରେ । ଉତ୍ତର ଭାରତୀୟ ନୁହଁ କିନ୍ତୁ । ହେଲେ ସୁନ୍ଦର । ମୁଣ୍ଡ ଘୁରାଇ ଦେଲା ପରି ସୁନ୍ଦର ।
ମୋ ମୁହଁ କିନ୍ତୁ ଘୁରିଲା ନାହିଁ । ଲାଖି ରହିଲା । ସେ ଉଠି ତା’ କ୍ୟାନ୍ ଧରି ଆସିଲା ମୋ’ ଟେବୁଲ ପାଖକୁ ଆଉ କହିଲା, “ମେ ଆଇ ଜଏନ୍ ୟୁ ପ୍ଲିଜ୍ ?” “ୟେସ୍ ପ୍ଲିଜ୍ ।” “ଜେଜୁରି କଅଣ ଆଉ ଥରେ ପ୍ରିଣ୍ଟ୍ ହେଲାଣି,” ବୋଲି ସେ ପଚାରିଲା । “ହଁ, ଏନ୍ୱାଇଆର୍ବି ଛପେଇଚି । ଅମିତ ଚୌଧୁରୀ ଲାଗି ଲାଗି ।”
“ମୁଁ ହାର୍ଡ଼୍ କପି ପ୍ରଥମ ଥର ଦେଖୁଚି ।”
ମୁଁ ତା’ ହାତକୁ ବହିଟି ବଢ଼େଇ ଦେଇ ଆଉ ଗୋଟେ ଗିଲାସ ଢାଳିଲି । ତା’ ପଛ ଦେଇ, ତା’ ଟେବୁଲକୁ ଅନେଇଲି । ସେଠି କିଛି ବି ନଥିଲା । ସେ ବହି ଖେଳାଉ ଥାଏ । ମୋ’ ଗିଲାସ ତିନି ଚଉଠେରୁ ଟିକେ କମ୍ ଭର୍ତ୍ତି । ଗଏଣ୍ଠେ ଆଙ୍ଗୁଳି ହେଡ଼୍ । ବାଁ ହାତର ବିଶି ଆଙ୍ଗୁଳି ବିଅର୍ରେ ବୁଡ଼େଇ ଦେଇ ମୁଁ ବାକି ତକ ବୋତଲରୁ ଢାଳିଲି । ହେଡ଼୍ ଚାଲିଗଲା । ହେଲେ ସବୁତକ ନୁହେଁ । ପାଏ ହେଡ଼୍ ବାକି । ଠିକ୍ ଅଛି ।
ମୁଁ ଗିଲାସ ତଳେ ଥୋଇଲି । ସେ ବହି ଟେବୁଲ ଉପରେ ରଖିଲା ।
“ଭୁବନେଶ୍ୱର ଘର ନା ବୁଲି ଆସିଚନ୍ତି?”
“ଘର ଏଇଠି । ଜଗନ୍ନାଥ ବିହାର । ଏବେ କଲିକତାରେ ପିଜି କରୁଚି । ଆପଣ?”
“ଚନ୍ଦ୍ରଶେଖରପୁର ।”
“କଅଣ କରନ୍ତି?”
“ସରଳ ପ୍ରଶ୍ନ । ହେଲେ ଉତ୍ତର ଜଟିଳ । ମୂଳତଃ ଫ୍ରିଲାନ୍ସ୍ ଡିଜାଇନ୍ କନ୍ସଲଟାଣ୍ଟ୍ ଭାବରେ କାମ କରେ । ତା’ ଛଡ଼ା ଆହୁରି ଅନେକ କାମ ମଧ୍ୟ । ଲମ୍ବେଇକି କହିଲେ ଆପଣଙ୍କ ପାଇଁ ବୋରିଂ ହେଇପାରେ ।”
“ହଉ । ମୋତେ ପ୍ଲିଜ୍ ତୁମେ କୁହନ୍ତୁ । କବିତା?”
“ସେମିତି ଆଗ୍ରହ ଟିକେ ଟିକେ । ବାଏ ଦି ୱେ ତୁମେ ବହୁତ ସୁନ୍ଦର ।”
“ଥ୍ୟାଙ୍କ୍ସ୍ ।”
ଅସିତ ଆସି ପଚାରିଲା, “ସାର୍ ଆଉ କିଛି?”
“ଗୋଟେ ମସଲା ପିନଟ୍ । ଧନିଆ ପକେଇବନି । ଆଉ ବିଲାତି ପୁରା ଚୁନ୍ଚୁନ୍ କରି କାଟି ।”
ତା’କୁ ଅନେଇ ପିଲା ପଚାରିଲା, “ଆପଣଙ୍କର?”
ସେ କହିଲା, “ପରେ ।”
ମୁଁ ପଚାରିଲି, “କୋଲଟ୍କର୍ ଭଲ ଲାଗେ?”
ସେ କହିଲା, “ମୁଁ ଖାଲି କାଲାଘୋଡ଼ା ପୋଏମ୍ସ୍ ପଢ଼ିଚି । ବାକି ସବୁର ସଫ୍ଟକପି ଅଛି । ପଢ଼ିନି । ଯେତିକି କବିତା ପଢ଼ିଚି, ଭଲ ଲାଗନ୍ତି । ଏଠିକି ନିୟମିତ ଆସନ୍ତି?”
“ଆଗରୁ ଆସୁଥିଲି । ଗୋଟେ ସାଙ୍ଗ ସହିତ । ସେ ଆଉ ନାହିଁ । ତ ଆସୁନି ।”
“ମାନେ?”
“ସେ ଦୁଇ ବର୍ଷ ତଳେ ଚାଲିଗଲା, ସମୁଦ୍ରରେ ବୁଡ଼ିକି ।”
ତା’ ଡାହାଣ ପାଦ ମୋ’ ପେଣ୍ଡାରେ ବାଜୁଚି । ଅଜାଣତରେ ? ନା ।
“ଓଃ! ଆଇ ଆମ୍ ସରି” ।
ତା’ ନିଶର ମଝିରେ ଗୋଟେ ଇଞ୍ଚିକିଆ ଦାଗ । ଗ୍ରହଣ ଖଣ୍ଡିଆ ଅପରେସନ୍ର ବୋଧହୁଏ । ସେଇ ଦାଗ ତା’ ଜଳୁଥିବା ମୁହଁର ମଝିର ଶିଖା । ଇଚ୍ଛା ହେଉଚି, ଛୁଇଁବି ।
ତା’ ଗୋଡ଼ ଆଉ ଥରେ ମୋ’ ଦେହରେ ବାଜିଲା । ଏଥର ପାଦରେ ।
“ନୋ ନିଡ଼୍ ଟୁ ବି । ତୁମେ ଏଠିକି ନିୟମିତ ଆସ?”
“ନା । ଗୋଟେ ସ୍କୁଲ ସାଙ୍ଗ ସହିତ ଗତ ଖରା ଛୁଟିରେ ତିନି ଥର ଖଣ୍ଡେ ଆସିଥିବି । ଆଉ ଆଜି । ଏବେ ସେ ସାଙ୍ଗ ବାଙ୍ଗାଲୋରରେ” ।
ମତେ ଆଉ ଥରେ ପରିସ୍ରା ଲାଗିଲା । ମୁଁ ତା’କୁ ଚାପୁଚି ।
ପିଲାଟି ଆସି ମସଲା ପିନଟ୍ ଲଗଉଚି ।
“ଭୁବନେଶ୍ୱରରେ ଆଉ କେଉଁ ଜାଗାକୁ ଯାଅ?”
“ମୋର ସାଙ୍ଗ ଏଠି ଆଉ ପ୍ରାୟତଃ କେହି ନାହାନ୍ତି । କଲିକତାରୁ ଫେରିଲେ, ପ୍ରାୟତଃ ଘରେ ।”
“ଏଠି ସରିଲା ପରେ ଗୋଟେ ରାଇଡ଼୍ରେ ଯିବାକୁ ଚାହିଁବ?” ମୁଁ ଭାବୁଚି ଆଉ ଗୋଟେ ବିଅର ମଗେଇବି । ସେ ମୋତେ ସିଧା ଆଖିରେ ଆଖି ମିଶାଇ ଚାହୁଁଚି ଆଉ କହୁଚି, “ଆଇ ଚାର୍ଜ୍ ।”
ମୋତେ ଭାରି ଜୋରରେ ପରିସ୍ରା ମାଡ଼ୁଚି । ରୋକି ହେବନି । ମୁଁ କୋଲଟକର୍କୁ ବ୍ୟାଗ୍ରେ ପଶଉଚି । କାଉଣ୍ଟରରେ ପେମେଣ୍ଟ କରି, ସିଧା ଟଏଲେଟ୍ । ଗାଡ଼ି ଷ୍ଟାର୍ଟ୍ କରି ପୁରୁଣା ବସଷ୍ଟାଣ୍ଡ ଆଡ଼େ ଆଉ ଥରେ ବାହାରିଲା ବେଳକୁ ମନେ ପଡ଼ୁଚି, ଟେବୁଲ ଉପରେ ମୁଁ ଛାଡ଼ି ଆସିଚି ଅଖିଆ ପୁରା ପ୍ଲେଟ୍ ମସଲା ପିନଟ୍ ।
ଥାଉ ।
ନୋଟ୍: ଏହି ଗପଟି ପ୍ରଥମେ ଦୈନିକ ଖବରକାଗଜ "ପ୍ରମେୟ"ର ରବିବାସରୀୟ ସାହିତ୍ୟ ପୃଷ୍ଠାରେ ଛପିଥିଲା ।
![]() |
| ଭୁବନେଶ୍ୱରରେ ନିର୍ମାଣାଧିନ ବହୁତଳ କୋଠା ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଅମର୍ତ୍ତ୍ୟ ବାଗ୍ |
ମୁଁ ତୁମ ସହିତ କଥା ହଉଚି । ତୁମେ ମୋ ସହିତ କଥା ହଉନ । ଅଭିମାନ କରିଚ ? ନା ରୁଷିଚ ? ନା ଦିଇଟାଯାକ ?
ମୁଁ ତୁମକୁ କହୁଚି ଯେ “ତୁମେ ଏଇ ଜାମାରେ ଆଜି ବହୁତ ଭଲ ଦେଖାଯାଉଚ” । ତୁମେ କହୁଚ “ହୁଁ” । ତୁମେ ପିନ୍ଧିଚ ଧଳା ରଙ୍ଗର ଲେଗିନ୍ସ୍ । ଉପର କୁର୍ତ୍ତାର ରଙ୍ଗ ହାଲୁକା ନୀଳ – ଦଶରା ଆକାଶକୁ ଟିକେ ପାଣିଆ ଦୁଧରେ ଫେଣ୍ଟିଦେଲେ ଯେଉଁ ବରନ ହେବ, ସେଇ କାଟର । ତମେ ଜଳୁଚ । ଉପର ଖରା ଜଳିବା ଏଇ ଏଇ ବନ୍ଦ ହେଇଚି । କାର୍ତ୍ତିକ ମାସ ଆରମ୍ଭରେ ଏମିତି ଖରା !
ଦିଲୁ ଭାଇଙ୍କ ଘରେ ଆଜି ଭୋଜି । ମୋ’ ସାଙ୍ଗମହଲରୁ ଆମ ପାଇଁ ପ୍ରଥମ ଡାକରା । ତମର ଆସିବାର ଇଚ୍ଛା ନଥିଲା । ମୋ ସହିତ ବାହାରିଚ ବାଧ୍ୟବାଧକତାରେ । ହେଲେ ଦିଲୁ ଭାଇଙ୍କ ଘରେ ପହଞ୍ଚିଲା ପରେ ତୁମ ମୁଡ଼୍ ଭିନ୍ନ । ମୁଁ ତୁମକୁ ଏତେ ଖୁସି ଆଜି ପର୍ଯ୍ୟନ୍ତ କେବେ ଦେଖିନଥିଲି ।
ଅନେକ ଲୋକଙ୍କୁ ଆଜି ଆମେ ଭେଟିଲେ ଚତୁର୍ଥୀ ଭୋଜି ପରେ ପ୍ରଥମ ଥର ପାଇଁ । ତୁମେ ପ୍ରାୟତଃ କାହାକୁ ମନେ ରଖି ନଥିଲ । ତମର ଆଉ ଦିଲୁ ଭାଇଙ୍କର ଏପରି ଜମିବ ବୋଲି ମୁଁ ଜାଣିନଥିଲି । ତମ ଖାଇବାରୁ ଜାଣିଲି ତୁମକୁ ମାଉସୀଙ୍କର ହାତରନ୍ଧା ଭଲ ଲାଗିଲା ବୋଲି ।
ତମେ ମାଉସୀଙ୍କ ଠାରୁ ଛେନା ଭରତାର ରେସିପିଟା ନେଲ । ମାଉସୀ ବି ତମ ଫ୍ୟାନ୍ ବନିଲେ । ସବୁ ବିଗିଡ଼ିଗଲା ତୁମେ ମାଉସୀ ଓ ଦିଲୁ ଭାଇଙ୍କ ସହ ସେଲ୍ଫି ନେଇସାରିଲା ପରେ । ମାଉସୀ ଫ୍ରିଜିରୁ ଖିରି କାଢ଼ିବା ପାଇଁ ଉଠି ଚାଲିଗଲେ । ତୁମେ ମୋତେ କହିଲ, “ଆସ ତୁମ ଆଉ ଦିଲୁ ଭାଇଙ୍କ ସହ ଗୋଟେ ଫଟୋ” ।
ମୁଁ “ଟଏଲେଟରୁ ଆସୁଚି” ବୋଲି କହି ଚାଲିଗଲି ଯେ ଆଉ ତୁମ ପାଖ ମାଡ଼ିଲିନି । ସିପୁ ତା’ର ଗୋଟେ ସ୍କ୍ରିପ୍ଟ୍ ଦେଖିବା ପାଇଁ ମୋତେ ଡାକିଲା । ସେଇଠୁ ତା’ ନୂଆ ବଏଫ୍ରେଣ୍ଡ୍ ବିଷୟରେ କଥା ଉଠିଲା । ସେ ମୋତେ ଛାଡ଼ିଲାନି । କି ମୁଁ ବି ଆଉ ଉଠିଲିନି ।
ମୋ’ ଗାଲୁଆମିକୁ ତୁମେ ଧରିଚ, ମୁଁ ଜାଣିଲି ଆମେ ମେଘେଶ୍ୱର ପାଖରେ ପାର୍କ କରିଥିବା ଗାଡ଼ିକୁ ନେଇ ରାଜାରାଣୀ ପାର ହେବା ସମୟରେ । ମନ୍ଦିରକୁ ବାଁ ପାଖରେ ରଖି ପାର ହୋଇ ଫର୍ଲଙ୍ଗେ ଖଣ୍ଡେ ଗଲା ପରେ ଯାଇ ମୋ’ର ମନେ ପଡ଼ିଲା ଯେ ଆମର ରାଜରାଣୀ ବୁଲି ଯିବାର ଥିଲା ବୋଲି ।
ମୁଁ ଜାଣିଲି, ତୁମେ ରୁଷିଚ ।
ମୁଁ ସେ ପର୍ଯ୍ୟନ୍ତ ଟିକେ ରାଗିକି ଥିଲି । ସିପୁ ଉପରେ । ଶଳା ଚୋର ମୋ’ର ଗୋଟେ ଲମ୍ବା କବିତାକୁ ଧରି, ତା’ ଉପରେ ଗୋଟେ ୱେବ୍ ସିରିଜ୍ର ପ୍ରଥମ ଅଧ୍ୟାୟ କରିଚି । ମାଡ଼ିମକଚି ପୁଣି ମୋତେ ଭୋଜିର ଗହଳି ଭିତରେ ପଢ଼ି ଶୁଣେଇ ପଚାରୁଚି, “ଭାଇ କେମିତି ଲାଗିଲା?”
ରାଗଟା ସେଥି ପାଇଁ ନା ମୋର ଏକ୍ସ୍ ଏବେ ତା’ର ବୟଫ୍ରେଣ୍ଡ ସେଥି ଲାଗି, ନା ମୋର ଏକ୍ସ୍ ଯେ ତାକୁ ଆମ ବିଷୟରେ କିଛି କହିନି, ତାର୍ କାଜି, ମୋ’ର ଜାଣିବାର କିଛି ଉପାୟ ନାଇଁ ।
ଆମେ ଏବେ ମ୍ୟୁଜିଅମ୍ ପାଖରେ । ରବି ଟକିଜ୍ ଛକ ପରେପରେ ବିଜେବି କଲେଜ ଆଗରେ ।
ମୁଁ ଡାହାଣ ପଟ ଦର୍ପଣରେ ତୁମକୁ ଅନଉଚି । ତୁମ ଗାଲ ଲାଲ । ଖରାରେ ନା ରାଗରେ ? ନା ଦିଇଟାଯାକରୁ ? କାହାର ଅନୁପାତ କେତେ ? ଜାଣିବାର କିଛି ଉପାୟ ନାହିଁ । ତମେ ମୁହଁ ବୁଲେଇ ଦଉଚ ।
ସ୍କୁଟର ମ୍ୟୁଜିଅମ୍ ଛକ ଟପୁଚି । ଆଜି ଗହଳି ମୋଟେ ନାହିଁ ମ୍ୟୁଜିଅମ୍ ଆଗରେ । ହେଲେ କଳ୍ପନା ଛକରେ ଟିକେ ଭିଡ଼ । ବାଁ ପଟକୁ ବୁଲି ସାରିଲା ପରେ ସିସ୍ମୋ ଠାରୁ ବାପୁଜୀ ନଗର ପ୍ରଥମ ଗଳି ପର୍ଯ୍ୟନ୍ତ ଚାରିଟା ଖଣ୍ଡେ ଡିଜେ ଗାଡ଼ି ଠିଆ ହେଇଚି । କେମିତି ? ଏଇ ରାସ୍ତାରେ ତ ପାର୍କିଂ ମନା । ବାହାଘର ୠତୁ କଅଣ ଆରମ୍ଭ ହେଇଗଲାଣି ?
ମୁଁ ଆଉ ଥରେ ପଛକୁ ଅନଉଚି । ବାଁ ପଟ ଦର୍ପଣ । ତୁମେ ବି ଡିଜେ ଗାଡ଼ିଗୁଡ଼ାକୁ ଅନେଇଚ । ତୁମ ଓଠ ଏ ପର୍ଯ୍ୟନ୍ତ ଚାପି ହେଇ ଅଛି । ଲିପଷ୍ଟିକ ନ ନାଇକି , ଲଗେଇଥିଲା ପରି ଦିଶୁଚି । ଆଖିରେ କ୍ରୋଧର ସେଇ ପତଳା ପରଦା ଆଉ ନାଇଁ ।
ମୁଁ ମୁହଁ ବୁଲଉଚି । ହଠାତ୍ ଛୁରିଆନା ଫୁଲର ବାସ୍ନା । ଏଇ ୠତୁରେ ? ଫୁଟେକି ? କେଜାଣି । ମୁଁ ଆଖି ବନ୍ଦ କରୁଚି । ବାସ୍ନାରେ ମୋ ଅଣ୍ଟା ମନକୁ ମନ ସିଧା ଆଉ ମୁଁ ମୁଣ୍ଡ ଟିକି ପଛକୁ ହେଇଯାଉଚି । ମୋ ପିଠି ଉପରେ ଏବେ ତୁମ ଛାତିର ହାଲୁକା ଚାପ ।
ତୁମେ ଆଉ ରାଗିନ । ଆମ ଆଗକୁ ଷ୍ଟେସନ ଛକର କଳିଙ୍ଗ ଯୋଦ୍ଧା । ସେ କିନ୍ତୁ ରାଗିଚି । କାହିଁକି?
![]() |
| Bindusagar Tank, Bhubaneswar Photo Credit - commons.wikimedia.org/Government of Odisha |
While returning from college, our vehicles—my Spectra and his Scooty—automatically turned into the Venus Inn lane in Bapuji Nagar. We were supposed to go to the Old Bus Stand to buy magazines. How we’d reached Bapuji Nagar, I had no idea.
Both of us stopped in front of the A.K. Mishra Bookshop. To mark our attendance, we went in and did a quick round. The Legouis and Cazamian he had ordered had not arrived. Neither had the Raise High the Roof Beam, Carpenters I’d ordered.
As we turned towards Venus Inn, he said, ‘I can’t eat paneer dosa!’
‘I’m not in the mood for Khatta Mitha’s chole bhature!’ I replied.
It was a December evening. The sun was on the horizon. Like our vehicles had involuntarily turned into Bapuji Nagar, our feet too turned towards Jagannatha Tiffin Shop. In those days, Jagannatha had not yet started dishing out snacks without onion and garlic. Just as we reached, Ranjan had probably taken out the singidas and put in the first batch of baras* into the hot oil. Seeing us, Ranjan, without uttering a word, served us four one-rupee singidas in a leaf bowl. No sooner had we demolished the piping hot singidas, Ranjan put two one-rupee baras in the same leaf bowl for me, and a couple for him in a fresh bowl.
After eating and making the payment, as we started our vehicles, he asked our customary question, ‘What did you like today—the bara or the singida?’
Refolding my shirt sleeves, I replied, ‘You’.
‘There’s no one as shameless as you.’ Saying this, he quickly started his Scooty and flew away into the horizon, like a dragonfly in Bhubaneshwar’s unseasonal storms.
The two ends of his scarf were the dragonfly’s wings.
Note: This English version of the story (originally written in Odia) was first published in the blog Chiragh Dilli as a part of the piece titled "The city, in love" on September 4, 2022. It is part of a larger series of stories set in Bhubaneswar. In her editorial note to the piece published in Chiragh Dilli, the translator Samprati Pani describes the series in the following words - "The stories are around the theme of ephemeral and routine encounters of love, or its possibility, located in places that serve as public and private landmarks of everyday life in the city."
![]() |
| ସଚିବାଳୟ ମାର୍ଗ, ଭୁବନେଶ୍ୱର (୨୦୧୯ ମସିହା) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଆଇଏମ୍୩୮୪୭ |
କେଶରୀ ପାଖ ଚାହା ଦୋକାନ । ଓଡ଼ିଆ ମାଲିକର ନୁହେଁ । ତେଲୁଗୁ ଷ୍ଟଲଟା । ବୈଶାଖ ମାସ । ମୁଣ୍ଡଫଟା ଖରା ।
ମୋର ଚାହା ଦରକାର ନଥିଲା । ଡେରିରେ ଲଞ୍ଚ୍ କରି ବାହାରିଚି ଘରୁ । ଖାଇଲି, ଉଠିଲି ।
ତରବରରେ ଘରେ ପିନ୍ଧିଥିବା ଇଟା ରଙ୍ଗର ହାରେମ୍ ପ୍ୟାଣ୍ଟ୍ଟା ପିନ୍ଧି ଆସିଚି । ଉପରେ ପୁରା ହାତବାଲା ହେନ୍ଲି ଟିସାର୍ଟ୍ ଗୋଟେ, ଶିଉଳି ରଙ୍ଗର । ଯୋଉଟା ସଞ୍ଜନାକୁ ଭଲ ଲାଗେନା ।
ତା’କୁ ଏଇଟା ଲାଗେ ମଳିଛିଆ । ହେଲେ ମୋ’ର ଏଇ ରଙ୍ଗଟା ବହୁତ ପ୍ରିୟ । ତମକୁ କାହିଁକି ମଳିଛିଆ ଶାଗୁଆ ରଙ୍ଗ ଭଲ ଲାଗେନା ସଞ୍ଜନା?
ମୁଁ କାହିଁକି ବୋଲି ଭାବିଲା ବେଳକୁ ଦେଖୁଚି ଯେ ପାପୁନ, ଚାହା ଦୋକାନର ପିଲାଟା ମୋତେ “ଆଜ୍ଞା କଅଣ ଦେବି” ବୋଲି ପଚାରୁଚି । ତା’ ମୁହଁରୁ ସ୍ପଷ୍ଟ ଯେ, ସେ ମୋତେ ଅତି କମ୍ରେ ଥରେ ଏୟା ପଚାରି ସାରିଚି ।
“ନାଲି ଗୋଟେ ଦିଅ । ମହୁ ସହ । ଲେମ୍ବୁ ବେଶି । ଆଉ ତୁମ ମସଲା ଉପରୁ ଛିଞ୍ଚିବନି ମୋଟେ ।” ସେ ମୁରୁକୁହସା ଦେଇ କହୁଚି, “ଜାଣିଚି।”
ମୁଁ ଚାହା ନେଇ କେଶରୀ ପାର୍କିଂର ମୁହାଣିଟାକୁ ଛାଡ଼ି ସେପଟକୁ ଯାଇ ଗଛ ଛାଇରେ ଠିଆ ହେଉଚି । ସେଲୁନ ଆଗରେ । ସେଲୁନ ବନ୍ଦ । ଅନ୍ୟ ସବୁ ଦୋକାନ ବନ୍ଦ । ଝାଞ୍ଜି ନାଇଁ । କାଉ କୋଇଲି କେହି କେଉଁଠି ନାଇଁ ।
ଚାହା ସବୁ ଦିନ ପରି ଠିକ୍ ଅଛି । ରଙ୍ଗ, ତାତି, ମିଠା, ଖଟା, ବାସ୍ନା, ସବୁ ଠିକ୍ । ଦୁଇ ସୁଡ଼ୁକାଏ ନେଲା ପରେ ମୋତେ ହଠାତ୍ ସିଗାରେଟେ ଟାଣିବାକୁ ଇଚ୍ଛା ହେଉଚି ।
ନିଆଁ ଲଗାଇବା ପାଇଁ ଦିଆସିଲି ଉଠାଇଲା ବେଳକୁ କଇଁଛ ଛାପ । ବହୁତ ଦିନ ହେଲାଣି ଦେଖିନି ଆଉ । ମୁଁ ଗୋଟେ ଦିଆସିଲି ପ୍ୟାକେଟ୍ ବି ଧରୁଚି । ଗୋଟେ କଇଁଛ । ମାତ୍ର ଟଙ୍କାଟିଏ ।
ସିଗାରେଟ ଲଗେଇ ଚାହା ଗିଲାସ ଉଠେଇଲା ବେଳକୁ କ୍ୟାବିନର କଳା ଧାର ଉପରେ ମାଟିଆ ରଙ୍ଗର ଗୋଲଗୋଲ ଦାଗ । ଚାହା ଗିଲାସ ପଛର । ଦିଶୁଚି ଶାଢ଼ିର ଧଡ଼ି ପରି । ଶାଢ଼ିଟା କେଉଁ ରଙ୍ଗର ? ଆଉ କାନି ?
ମୁଁ ଆସି ଗଛ ତଳେ ଠିଆ ହେଲା ବେଳକୁ କୋଉଠି ଗୋଟେ କୁମ୍ଭାଟୁଆ ଗମ୍ଭୀର କଣ୍ଠରେ ହୁଁ ହୁଁ ବୋବଉଚି ପାଖରେ । ମୁଁ ଉପରକୁ ଚାହିଁଲା ବେଳକୁ କେହି କୁଆଡ଼େ ନାହିଁ ।
କଦମ୍ବ ଗଛର ମୂଳ ଗଣ୍ଡିଟା ନାଇଁ । ଯେଉଁଠି ଭାଙ୍ଗିଚି, ତା’ର ଠିକ୍ ତଳ ଆଡ଼ୁ କଡ଼ରୁ ଦୁଇଟା କେନା ବାହାରିଚି । ସିଧା କେନାଟା ମୋଟା ହେଲେ ବି ବେଶି ଲମ୍ବ ନୁହଁ । ଚେତେରେଇନି ।
ଅନ୍ୟ କେନାଟି, ଯେଉଁଟା ରାସ୍ତା ଆଡ଼କୁ ମାଡ଼ିଚି, ସେଇଟା ଲମ୍ବା । ସେଠୁ ଅନେକ ଶାଖା, ପ୍ରଶାଖା ବାହାରିଚି । ସେଇ କେନାଟା ଯୋଗୁଁ ହିଁ ଛାଇ । ହେଲେ କୁମ୍ଭାଟୁଆର ନାଁଗନ୍ଧ ନାହିଁ ।
ମୁଁ ଉପରୁ ମୁଣ୍ଡ ତଳକୁ କଲା ବେଳକୁ ଗୋଟେ ନୂଆ ମଡେଲ ଭେସ୍ପା ଆସି ଠିଆ ହେଉଚି ରାସ୍ତା ସେପଟେ । ସ୍କୁଟରରୁ ଓହ୍ଲଉଥିବା ପିଲାଟା ପିନ୍ଧିଚି ନୀଳ ରଙ୍ଗର ଜିନ୍ସ୍ ପ୍ୟାଣ୍ଟ୍ ଆଉ କଳା ରଙ୍ଗର ପୋଲୋ ଟିସାର୍ଟ୍ । କଳା ! ଏଇ ବଇଶାଖରେ ? ଲମ୍ବା ଚୁଟି । ଅଣ୍ଟା ଯାଏଁ ପଡ଼ିଚି ।
ସେ ଚାଲିଚାଲି ରାସ୍ତାର ଏ ପାଖକୁ ଆସିଲା ବେଳକୁ ତା’ ମୁହଁରେ ଦିଶୁଚି ଗୋଟେ ଲମ୍ବା ସ୍ମିତହାସ ।
ମୋତେ ନ ଜଣେଇ ଆସିଚି । ହେଲେ ମୁଁ ପଚାରୁନି । ଭୁବନେଶ୍ୱର ତ ଆଉ ମୋ’ର ନୁହେଁ । ସୁସ୍ମିତ ମୋ’ର ନୁହେଁ । ମୁଁ ନିଜେ ବି ମୋ’ର ନୁହେଁ । ଏଥର ଆଉ କଅଣ ଯୋଜନା, ସେକଥା ବି ମୁଁ ପଚାରୁନି ।
ସେ ମୋତେ କାଣି ଆଙ୍ଗୁଠି ଦେଖେଇ ଆର୍ବିଆଇ କାନ୍ଥ ଆଡ଼କୁ ଯାଉଚି । ମୁଁ ଓମ୍ଫେଡ଼୍କୁ ଯାଇ କପ୍ ଥୋଇ, ଟଙ୍କା ଦେଇ, ବ୍ୟାଙ୍କ୍ ଆଗରେ ଠିଆ ହୋଇ ଗ୍ରାଇଣ୍ଡର ଖୋଲୁଚି । ମୋର ସବୁଠୁ ପାଖ ପ୍ରୋଫାଇଲ ହେଲା ‘ବ୍ଲାକ୍,’ ଶହେ ମିଟର ଭିତରେ । ବାୟୋଲାଇନ୍ ହେଲା, ‘ହେଲୋ ! ଡୁ ୟୁ ୱାଣ୍ଟ୍ ଟୁ ଗୋ ଫ୍ରମ୍ ବ୍ଲାକ୍ ଟୁ ଲାଟେ ? ୱିଲ୍ ଇଟ୍ ବି ୱିଥ୍ କ୍ରିମ୍ ? ଅର୍ ଜଷ୍ଟ୍ ବ୍ଲାକ୍ ବଟ୍ ଏକ୍ସ୍ଟ୍ରା ଷ୍ଟ୍ରଙ୍ଗ୍?’
ପ୍ରୋଫାଇଲ ଫଟୋଟା ପଛର ଭିୟୁ । ବିନା ଲୁଗାରେ । ଚୁଟି ଲମ୍ବିଚି ଅଣ୍ଟା ଯାଏଁ । ମୁଁ ଧଡ଼୍ କିନା ମୋ’ ପ୍ରୋଫାଇଲ୍ ଡିସ୍ଏବଲ୍ କରି ଫୋନ୍ ବନ୍ଦ କରୁଚି ।
ସୁସ୍ମିତ ଯାଉଚି ଚାହା ଦୋକାନ ଆଡ଼େ ।
ହାରାମି କୁମ୍ଭାଟୁଆଟା ପୁଣି ଡାକ ଛାଡ଼ୁଚି । ହୁଁ । ହୁଁ । ହୁଁ ।
![]() |
| Rabindra Mandap, Bhubaneswar Photo credit: commons.wikimedia.org/Soumendra Kumar Sahoo |
I’m returning from the Old Bus Stand on my Luna. My speed is 25 km per hour or so. I take the route from PMG Square and turn left from Rabindra Mandap. As soon as I cross the side gate of the Mandap, I overtake him. He’s on a Hercules cycle.
My Luna slows down. His cycle too. He turns to look at me. I too. He’s slender, fair and frail. Has a chiseled face—what you’d call ‘high-cheeked bones’ in English. His hair is of medium length, falling till the shoulders. Not curly like mine. Not straight either. Wavy. I probably wouldn’t say he has a beautiful face, but it’s beckoning, ‘Look at me!’ I look. Then look away. And leave.
A few seconds later, I’ve hardly crossed the State Guest House, when I turn back. He’s waiting just before the intersection. I drive towards him and stop by his side. He smiles. Letting go of my shyness, I ask, ‘Where are you going?’ He says, ‘The Mother’s Centre … Will you come?’ I say, ‘Let’s go.’
He starts cycling furiously, leading me on. I follow in my Luna, slowly. Him in front, me behind, we take a right turn before Kesari Talkies, and in a short while, we reach the Centre. I really like it. It’s clean and beautiful, decorated with care, and quiet. The smell of incense wafts in from all sides. He sits down to pray. I sit next to him with my eyes closed. Neither the Mother nor Aurobindo appear before my closed eyes. All I can see is his chiseled face.
We leave in some time.
As he’s unlocking his cycle parked near the gate, he says, ‘My name is Sandeep.’
‘I’m Raja’, I say.
‘What do you do?’
‘I dropped +2 last year and am appearing for the exams this year’, I say, though I’m yet to start my preparation for the exams.
‘Oh, we are the same batch then’, he says. ‘I haven’t taken admission anywhere and am preparing for the engineering entrance. Didn’t get a rank for a government engineering college the last time I appeared.’
I meet him four times after that. The second time at the Centre. But those are other stories.
This one is different.
Note: This English version of the story (originally written in Odia) was first published in the blog Chiragh Dilli as a part of the piece titled "The city, in love" on September 4, 2022. It is part of a larger series of stories set in Bhubaneswar. In her editorial note to the piece published in Chiragh Dilli, the translator Samprati Pani describes the series in the following words - "The stories are around the theme of ephemeral and routine encounters of love, or its possibility, located in places that serve as public and private landmarks of everyday life in the city."
![]() |
| ପର୍ଶୁରାମେଶ୍ୱର ମନ୍ଦିର, ପୁରୁଣା ଭୁବନେଶ୍ୱର ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/କୃଷ୍ଣ ଜେନାମଣି |
କେଦାରଗୌରୀ ଆଡ଼କୁ ଗଲା ବେଳେ ମନ୍ଦିର ଆଗରୁ ଡାହାଣ ପଟେ ଗୋଟେ ଜଳଖିଆ ଦୋକାନ । ପର୍ଶୁରାମେଶ୍ୱର ଆଗରୁ, ନା ପରେ ପରେ ?
ତୁମେ ଆଉ ମୁଁ ସେଠି ଠିଆ ହେଇଚେ । ମୁଁ ଯାଇଚି ସେଠିକି ଅନେକ ଦିନ ପରେ । ନା । ଅନେକ ମାସ ପରେ । ଭାଙ୍ଗ ଛାଡ଼ିବା ପରେ ଓଲ୍ଡ଼୍ ଟାଉନକୁ ଯିବା ମୋ’ର କମି ଯାଇଛି ।
“ମାଲପୁଆ ଡାଲମା ଅଛି?”
ପୁରୁଣା ମାଲିକର ନାତି ହେବ ବୋଧେ, ଧେଡ଼ିଆ ହେଇକି ପିଲାଟା ଏବେ ଦୋକାନ ସମ୍ଭାଳୁଚି । ମୁଁ ଆଗରୁ ଭାବୁଥିଲି ଯେ, ସେ ଗୋଟେ ବୋଲକରା ପିଲା ବୋଲି । ହେଲେ ତା’ ଜେଜେ ବାଧିକିରେ ପଡ଼ି ଦୋକାନକୁ ଆସିବା ବନ୍ଦ କଲାରୁ ସେ ହିଁ କାଉଣ୍ଟରରେ ବସୁଚି । ମୁଁ ଦିନେ ପଚାରିଲାରୁ କହିଲା, “ଜେଜେବାପାଙ୍କୁ ପାରାଲିସି ।” ତା’ ଜେଜେବାପା ଯେତିକି କୁହାଳିଆ, ଏ ପିଲା ପୁରା ତା’ର ଓଲଟା । ତିନି ପଦ ପଚାରିଲେ ପଦେ ଉତ୍ତର ।
“ହଉ,” କହି ମୁଁ ମୋ’ ସ୍କୁଟର ଆଡ଼କୁ ଚାଲୁଚି । ତୁମେ ମୋ’ ପଛେ ପଛେ । ଠିକ୍ ଗୋଟେ ପାଦ ପଛକୁ । ଆଳୁଦମ ହେଲେ ବି ଚଳିଥାଆନ୍ତା । ଡାଲମା ନ ହେଲେ ନାହିଁ । ହେଲେ ଘୁଗୁନି ସହିତ ମାଲପୁଆ ମଣିଷ କେମିତି ଖାଇବ?
ଚଇତି ପୁନେଇ ଆଜି । ଅନେକ ବର୍ଷ ପରେ ଭୁବନେଶ୍ୱରରେ ଚଇତି ପୁନେଇରେ ଚଇତି ବାଆ । ପବନ ଥଣ୍ଡା ତ ନୁହେଁ । କି ଉଷୁମ ବି ନୁହେଁ । ହେଲେ ଉତ୍ତୀର୍ଣ୍ଣ ମାର୍ଚ୍ଚରେ ବି ଦିହରେ ବାଜିଲେ ଆରାମ ଲାଗୁଚି । ନିଜ ଭାଇ କି ଭଉଣୀ ସଲସଲ କଲା ପରି ।
ଆମେ ମୁକ୍ତେଶ୍ୱର ମନ୍ଦିର ଚଟି ରଖିବା ଜାଗାରେ ଚପଲ ଥୋଇ ବାଁକୁ ନଯାଇ ଯାଉଚୁ ଡାହାଣକୁ । ଦିଅଁଙ୍କୁ ତୁମେ ଦେଉଳ ବାହାରୁ ଆଣ୍ଠେଇ, ନଇଁ, ମୁଣ୍ଡିଆ ମାରୁଚ । ମୁଁ ଠିଆ ଠିଆ । ଆଖି ଖାଲି ବନ୍ଦ କରି, ମନରେ ।
ଆମେ କେହି ଭିତରକୁ ପଶୁନୁ । ବସୁଚୁ ମନ୍ଦିର ବାଁ ପଟେ । କୁଣ୍ଡବନ୍ଧର ପାହାଚରେ, ପାଣି ଭିତରେ ଗୋଡ଼ ବୁଡ଼େଇ ।
ପବନ ଯୋଗୁଁ କୁଣ୍ଡରେ ପାଣିର ଢେଉ । କୁନି କୁନି । କିଏ ହାତରେ ଧରି ଗଢ଼ିଥିବା ପରି । ନହେଲେ ଚାଇନିଜ୍ ରାଇସ୍ ପେଣ୍ଟିଂରେ ଆକାଶ ଆଉ ବାଦଲ ପରି । ସେ ଢେଉର ଛଇ ଅଛି । ଛଟକ ନାହିଁ । ଠିକ୍ ତୁମ ପରି ।
ମୋ’ ପାଦକୁ ଆସି ମାଛ ଯୋଡ଼େ ଖୁମ୍ପୁଚନ୍ତି । ତୁମ ପାଦକୁ ଆହୁରି ବେଶି, ହେଲେ ମିନିମିନି । ତୁମେ ମୋ’ ଡାହାଣ ପାପୁଲିର ଉପରକୁ ତୁମ ବାଁ ତର୍ଜନୀ ଆଉ ମଝି ଆଙ୍ଗୁଠିରେ ସଲସଲ କରୁଚ ।
ତୁମେ ଠିଆ ହେଉଚ । ମୁଁ ବି ।
ଆମେ ଦୁଇ ଜଣ ମୁକ୍ତେଶ୍ୱର ଆଉ ପର୍ଶୁରାମେଶ୍ୱର ମଝିରେ ଥିବା ପାର୍କରେ ଚାଲୁଚୁ । ଆଜି ଚାଲିବା ଲୋକଙ୍କର ଗହଳି କମ୍ । ମଝିରେ ମଝିରେ ଏଠି ସେଠି ଟୋକାଟୋକିଙ୍କ ଯୋଡ଼ି । ପ୍ରାୟତଃ ଚୁପଚାପ ବସିଚନ୍ତି । ମୋବାଇଲିରେ ମୁହଁ ଗେଞ୍ଜା ହେଇଚି ।
ତିନି ଘେରା ମାରିସାରିଲା ପରେ ତୁମେ କହୁଚ, “ପାଦ କାଟିଲାଣି ।”
“ହଉ ଚାଲ ଯିବା ।”
ଫେରିଲା ବେଳକୁ ଆକ୍ସେସ୍ର ତିନି ଆଡ଼େ ତିନିଟା ମଟରସାଇକଲ । ବାଁ ପଟେ ଗୋଟେ ରିମଡେଲ୍ଡ଼୍ ସ୍ପ୍ଲେଣ୍ଡର । ଡାହାଣ ପଟେ ଗୋଟେ ଧତରା କଳା କାଲିବର । ଆଉ ପଛକୁ ସତୁରି ଡିଗ୍ରି କରି ଗୋଟେ ଅରଖ ନୂଆ ତିନିଶହ ପଚାଶ ସିସି ବୁଲେଟେ, ପାଉଁଶିଆ ରଙ୍ଗର ।
ଆମେ ଦୁଇ ମିନିଟ ଅପେକ୍ଷା କଲା ପରେ ଗୁଆଝର ଭିତରୁ ଗୋଟେ ଛଅଫୁଟିଆ, ମାଲ ଭଳିଆ ଦିଶୁଥିବା ଟୋକାଟେ ବାହାରୁଚି । ଆଗେ ତମକୁ ଅନଉଚି । ତା’ ପରେ ମତେ । ସେ ବୁଲେଟ କାଢ଼ିଲା ବେଳକୁ ତା’ ବାଁ ବାହୁ ଉପରେ ପଛ ପଟୁ ଦିଶୁଚି ଗୋଟେ ଚାରି ଆଙ୍ଗୁଳ ଲମ୍ବା ତ୍ରିଶୁଳର ଚିତା ।
ସେ ଗାଡ଼ି ଷ୍ଟାର୍ଟ୍ କଲା ପରେ ତା’ ସାଇଲେନ୍ସରରୁ ବାହାରୁଚି ପୁରୁଣା ଧତଡ଼ା ବୁଲେଟର ଆୱାଜ । ଠିକ୍ ସେତିକି ବେଳେ ପର୍ଶୁରାମେଶ୍ୱର ଆଗ ବରଗଛରୁ ପୁଳେ ପକ୍ଷୀ ଉଡ଼ିଯାଉଚନ୍ତି କେଚେରେମେଚେରେ ହେଇ, ଡରକୁରା ପୁନେଇ ଜହ୍ନକୁ ଚମକେଇ ଦେଇ ।
ମୁଁ ମୁଣ୍ଡ ଟେକି ଅନଉଚି । ମୋ’ ହାତରୁ ଗଳି ପଡ଼ିଥିବା ଚାବି ତୁମେ ଉଠେଇ ମୋ’ ବାଁ ହାତରେ ଦେଇ କହୁଚ, “ଚାଲ ଯିବା । ଭୋକ କଲାଣି । ନିକୋ ପାର୍କ ପାଖବାଲା ଚାଟ୍ ବହୁତ ଦିନ ହେଲା ଖାଇନେ ।”
ମୁଁ ଗାଡ଼ି ଷ୍ଟାର୍ଟ୍ କରୁଚି ।
ରାସ୍ତା ଫାଙ୍କା । ଦେହ ଉପରେ ଚଇତି ବାଆର ଛୁଆଁ ମୁକ୍ତେଶ୍ୱର କୁଣ୍ଡର ମାଛଙ୍କ ଖୁମ୍ପା ପରି, ହେଇ ଅଛି, ହେଇ ନାଇଁ । କିନ୍ତୁ ଆଖି ବୁଜିଦେଲେ, ଖାଲି ସେଇ ବାଆ ହିଁ ।
![]() |
| ବିନ୍ଦୁସାଗର (୧୮୫୦-୧୮୮୬) ଭାରତୀୟ ସ୍ଥାପତ୍ୟ ଉପରେ ଜେମ୍ସ୍ ଫର୍ଗୁସନ୍ ଆଲୋକଚିତ୍ର ସଙ୍ଗ୍ରହ |
ବିନ୍ଦୁସାଗର ମଝିରେ ଥିବା ମନ୍ଦିର ଚାରିପଟେ ଗୋଲାପି ରଙ୍ଗର ଆଲୁଅର ବେହରଣ ।
ଗୋଲାପି ତୁମର ପ୍ରିୟ ।
ହେଲେ ମୁଁ ସେଇ ଆଲୁଅକୁ ଚାହୁଁନି ।
ମୋ’ ନଜର ସିଧା ଲିଙ୍ଗରାଜ ଆଡ଼କୁ ।
ନହେଲେ ଏପଟ କୂଳରେ ଟୁପରୁଟୁପୁରୁ ହେଉଥିବା
ଚରେଇଗୁଡ଼ାକ ଉପରେ ।
ଆଜି ଆମେ ବସିଥିବା ଉତ୍ତରେଶ୍ୱର ଘାଟରେ ଗହଳି
ସେତେ ବେଶି ନାହିଁ ।
ଗଞ୍ଜେଇ ଓ ସିଗାରେଟ ଫୁଙ୍କୁଥିବା ପିଲାଏ
ବସିଚନ୍ତି ଆମର ଡାହାଣକୁ, ପୋଖରୀର ଉତ୍ତର-ପଶ୍ଚିମ କୋଣରେ ।
ପବନ ଖାଇବାକୁ ଆସିଥିବା ଲୋକେ କାଇଁ କେଉଁ
ଦୂରରେ, ରାସ୍ତା କଡ଼ର ପଥର କାନ୍ଥି ଉପରେ ।
ଶ୍ରାଦ୍ଧ ପିଣ୍ଡି ଉପରେ କିଛି ଇସ୍କୁଲିଆ
ପିଲା ବସିଚନ୍ତି । ଆଉ ଆମେ । ତୁମେ ଆଉ ମୁଁ ।
ପ୍ରଥମ ଥର ତୁମେ ମୋ’ ସହିତ ଭାଙ୍ଗ
ପିଇଚ ଆଜି । ବାହାଘର ପରେ ଲାଗିଲାଗି ତିନି ବର୍ଷ ପରେ ।
ତମର ଆଠଣା, ମୋ’ର ପାଞ୍ଚ ଟଙ୍କା । ମୋ’ର କୋଡ଼ିଏ ବର୍ଷ ତଳେ ଯେତିକି ଥିଲା ଭାଙ୍ଗ ଖୋରାକି, ଆଜି ବି ଠିକ୍ ସେତିକି । ମୋ’ ପାଞ୍ଚ ଟଙ୍କାଟା କେସର ପିସ୍ତା ସେକ୍ ସହ,
ତୁମର ଆଠଣାଟା ଚକଲେଟ୍ରେ ।
ତୁମ ଜୀବନର ପ୍ରଥମ ଭାଙ୍ଗଖିଆ । ତ ତା’ ପରେ ବିନ୍ଦୁସାଗର
କୂଳକୁ ନ ଆସି ଆଉ କୁଆଡ଼େ ଯାଇଥାଆନ୍ତେ ?
ମୋ’ର ଗୋଟେ ଖୋଇ ଅଛି - ସବୁ କଥାକୁ ଗୋଟେ
ପ୍ୟାକେଜ୍ ଭାବରେ ଦେଖିବା । ଯେମିତି ଏଇ ଭାଙ୍ଗ ଖିଆ ଆଉ ତା’ ପରେ ବିନ୍ଦୁସାଗର କୂଳରେ ପବନ ପିଆ ।
ତୁମେ ବାହାରେ ପ୍ରାୟତଃ ଚୁପଚାପ ରୁହ । ଏଣୁ
ବର୍ତ୍ତମାନର ନୀରବତା ନର୍ମାଲ ନା ଭାଙ୍ଗ ଯୋଗୁଁ - ଜାଣି ହଉନି ।
ଆମେ ପାଖାପାଖି ବସିଚେ । ହେଲେ ଲଗାଲଗି ହେଇ
ନୁହେଁ । ମୁଁ ଡାହାଣ ହାତର ତର୍ଜନୀରେ ତୁମର ବାଁ ହାତ କାଣି ଆଙ୍ଗୁଠିକୁ, ଯେଉଁଟା ମୋ’ ସବା ପାଖକୁ ଅଛି, ତା’କୁ ଛୁଉଁଚି ।
ପ୍ରଥମ କିଛି ମୁହୂର୍ତ୍ତ ତୁମର କିଛି
ପ୍ରତିକ୍ରିୟା ନାହିଁ । ସବା ତଳ ପାହାଚରେ ପାଣିରେ ଗୋଡ଼ ବୁଡ଼େଇ ବସିଥିବା ନହନହକିଆ ପିଲାଟି ହଲି ଦୋହଲି
ଉପରକୁ ଆସୁଚି । ମୋ’ର ବାଁ ପଟକୁ ମୁଁ ତିନି ଗଣିଲା ପର୍ଯ୍ୟନ୍ତ -
ଏକ, ଦୁଇ, ତିନି - ଆସି.
ରହି. ମୁଁ ଚାରି ଗଣିବା ଆରମ୍ଭ କରିବା ଆଗରୁ ଚାଲି ଯାଉଚି, ମାନେ ଆମର ପଛକୁ ।
ସେ ଆମେ ବସିଥିବା ସବା ଉପର ପାହାଚ ଟପିଲା
ବେଳକୁ ମୋତେ ଆଡ଼ ଆଖିରେ କଣେଇ ଚାହୁଁଚି । ମୁଁ କେମିତି ଜାଣିଲି ? ମୁଁ ଜାଣିଚି । ପଚାରନା କେମିତି ।
ସେ ପର୍ଯ୍ୟନ୍ତ ମୋ’ ଡାହାଣ ତର୍ଜନୀ
ତୁମ ବାଁ କାଣି ଉପରେ ଅଛି । ହେଲେ ଏବେ ଚାପ ଜମାରୁ ନାହିଁ । ତୁମେ ମୋ’ ପଟକୁ ମୁହଁ ଟିକେ
ବୁଲଉଚ । ଦଶ କି ପନ୍ଦର ଡିଗ୍ରି ।
କିଛି ଲାଗୁଚି ? ମୁଁ ପଚାରୁଚି ।
ନାଁ ।
ହେଲେ ମତେ ତ
ଲାଗିଲାଣି ।
କଅଣ ?
ଏଇ ଟିକେ ବଜ଼୍
।
ମାନେ ?
ନିଶା ଟିକେ
ଟିକେ ଧରିଲାଣି ।
ତୁମେ ତୁମ ବାଁ
ହାତ ଖସେଇ ନେଇ ନିଜ ଜଙ୍ଘ ଉପରେ ଥୋଇ ପଚାରୁଚ, କେମିତି ଜାଣୁଚ ?
ଲାଗୁଚି ।
କଅଣ ?
ଏମିତି । ସବୁ
କିଛି ଧିମେଇ ଗଲା ପରି । ଆଉ ସବୁ ସ୍ପଷ୍ଟ ଦିଶୁଚି ।
ହଉ ।
ତୁମକୁ ?
ନା । ସେମିତି
କିଛି ଲାଗୁନି ଯେ । ହେଲେ...
ହେଲେ ?
ଟିକେ ହାଲୁକା
ଲାଗୁଚି । ଆଉ ଜିଭ ତଳେ ଟିକେ ଝିମ୍ଝିମ୍ ।
ସେତିକି ବେଳେ
ବିନ୍ଦୁସାଗରର ପଶ୍ଚିମ କୂଳରୁ ପୂର୍ବ ଆଡ଼କୁ, ଓଷଦ ବଗିଚାରୁ ଆମ ବାଁକୁ ଅନନ୍ତ ବାସୁଦେବଙ୍କ ପଟକୁ, ଦୁଇଟି ବଗ
ଉଡ଼ିଯାଉଚନ୍ତି । ଡେରି ସନ୍ଧ୍ୟାରେ ? କାହିଁକି ? ଲିଙ୍ଗରାଜର
ସିଲୁଏଟ୍ ଟପିଲା ବେଳକୁ ଜକଜକ ଦିଶୁଚନ୍ତି, ହଠାତ୍ ଭିତରୁ ଜଳି ଉଠିଲା ପରି ।
ମୁଁ କହୁଚି, ହେଲାଣି ।
କଅଣ ?
ନିଶା ।
![]() |
| ଆକାଶରୁ ଭୁବନେଶ୍ୱରର ଦୃଶ୍ୟ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଓଡ଼ିଶା ସରକାର |
ଖରାବେଳେ ବୁଦ୍ଧ ଜୟନ୍ତୀ ପାର୍କ ଆଗର ସେଇ କାଫେର ନିର୍ଜନତା ଅଛି । ପାର୍କ ଭିତରେ ଲୋକଙ୍କ ଗହଳି ଆଉ ବାହାରେ ଗାଡ଼ିମଟରର ହଇଚଇ ଅଛି । ପବନରେ ଶୀତର ଫୁସଫୁସିଆ ଛୁଆଁ ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।
ଅପରାହ୍ଣର କାନନ ବିହାର ରାସ୍ତାକଡ଼ର କଦମ୍ବର ଛାଇର ପରଶ ଅଛି । ସେଠାର ଗଳିମୋଡ଼ର ବିଭ୍ରାନ୍ତି ଅଛି । ବୁଲା କୁକୁର ଛୁଆ ମାନଙ୍କର ଆକ୍ତି ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।
ସନ୍ଧ୍ୟାର ନନ୍ଦନକାନନ ରାସ୍ତାର ଗହଳଚହଳ ଅଛି । ଚିକ୍ମିକ୍ ତାରା ଭଳି ଗାଡ଼ିମାନଙ୍କର ଆଲୁଅର ଚିକ୍କଣ ଝାଲର ଅଛି । ରୋଡ଼୍ ଦୁଇ ପାଖର ଦୋକାନଗୁଡ଼ିକର ନିରନ୍ତର ହାତଠରା ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।
ତୁମେ ନାହଁ । ହେଲେ ମୁଁ ଅଛି । ଏ ସହର ଅଛି । ଏ ସହରର ସ୍ମୃତି ଅଛି । ସହରରେ ତୁମର ଛୁଆଁ ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।
![]() |
| ଜାତୀୟ ହସ୍ତଶିଳ୍ପ ମେଳା ୨୦୧୧ରେ ସାଜସଜ୍ଜା ପାଇଁ ବ୍ୟବହୃତ ଗରମପବନ ବେଲୁନ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ କମଳାକାନ୍ତ୭୭୭ |
ତା’ ମୁହଁଟା ଟିକେ ଅଜବ ଦିଶୁଥାଏ । ଠାକରା ଗାଲ ରାଗରେ ଜାଣିଶୁଣି ଫୁଲେଇ
ଥିଲେ ଯେମିତି ବିଚିତ୍ର ଦିଶିବା କଥା, ସେମିତି ।
ମୁଁ ପଚାରିଲି, “କେତେବେଳଠୁଁ ଆସିଲଣି ?”
“କୋଡ଼ିଏ ମିନିଟ ହେଲାଣି ।”
“କୋଡ଼ିଏ ମିନିଟ? ଏବେ ତ ପାଞ୍ଚଟା ଏଗାର
ବାଜିଚି ।”
ସେ ତା’ ଘଣ୍ଟାକୁ ଅନେଇ କହିଲା,
ଡେରି ନ ହେବା ପାଇଁ ହାତରେ ଟିକେ ସମୟ ରଖି ପହଞ୍ଚିବି ବୋଲି ଭାବିଲି । ତ ନଅ ମିନିଟି ଶୀଘ୍ର
ପହଞ୍ଚିଗଲି ।”
“ହଉ । ମୋ’ର ଏଗାର ମିନିଟ ଡେରି । ନଅ
ଯୁକ୍ତ ଏଗାର ସମାନ କୋଡ଼ିଏ । ବଢ଼ିଆ ହିସାବ ।”
“ଯା’ ହେଉ । ଆଉ କିଛି ମେଳ ଖାଉ,
ନ ଖାଉ, ତୁମର ଆଉ ମୋ’ର ଘଣ୍ଟାର ସମୟ ବେତାଳିଆ ନୁହେଁ ।”
“ତୁମକୁ ଦେଖା କରିବାକୁ ଖାଲି ଆସିଚି ଶାସ୍ତ୍ରୀ ନଗରରୁ । ବ୍ୟାଗ୍ କାହିଁକି ଆଣିବି?”
ମୁଁ ମୋ ବ୍ୟାଗ୍ରୁ ବାବା ଡହରାନନ୍ଦଙ୍କ ପ୍ରବଚନମାଳା ଖଣ୍ଡିଏ
ବାହାର କରି ତା’ ହାତକୁ ବଢ଼େଇ ଦେଲି । ସେ ଭୃଲତା ନଚେଇ ଆଖିରେ ପଚାରିଲା, “କଅଣ/କାହିଁକି” ବୋଲି ।
ମୁଁ କହିଲି, “ପ୍ରୀତି ଉପହାର ।”
ସେ କିଛି ନ କହି ପ୍ରଥମେ ମୁରୁକିହସା ଦେଲା । କିଛି ସେକେଣ୍ଡ ପରେ
କହିଲା, “ଧନ୍ୟବାଦ ।” “ଥ୍ୟାଙ୍କ ୟୁ” ନୁହେଁ, “ଧନ୍ୟବାଦ” ।
ଠିକ୍ ସେତିକି ବେଳେ କାଉଟିଏ ଆସି ଗଛର ବେଢ଼ା ଚାରିପଚେ ବୁଲିଥିବା
ପାଚେରି ଉପରେ ବସି ତିନି ଚାରି ଥର କା’ କା’ ହେଲା ଆଉ ତା’ ପରେ ଉଡ଼ି ବୋଧି ମନ୍ଦିର
ଉପରକୁ ଚାଲିଗଲା ।
ସନ୍ଦୀପ କିଛି ସମୟ ପରେ ପଚାରିଲା, “ଏମିତି ଏଠି କାହିଁକି
ଭେଟିବାକୁ ଡାକିଲ?”
“ଭଲ ଲାଗୁନି କି?”
“ନା । ବଢ଼ିଆ ଜାଗା ଯେ । ମୁଁ ଆଗରୁ ଦେଖି ନଥିଲି ।”
“ଏଇଟା ବୋଧି ବୃକ୍ଷ ।”
“ମାନେ?”
“ମାନେ ବୌଦ୍ଧ ଗୟାରେ ଯେଉଁ ଓସ୍ତ ଗଛ ତଳେ ବୁଦ୍ଧ ମହାନିର୍ବାଣ
ପ୍ରାପ୍ତ ହେଇଥିଲେ, ତା’ର ଗୋଟେ ପୁଅ ଅଛି ଶ୍ରୀଲଙ୍କାର କାଣ୍ଡିରେ । ଏଇଟା ହେଲା ତାହାର
ଛୁଆ । ମାନେ ମୂଳ ବୋଧି ଗଛର ନାତି ।”
“ଓଃ” କହି ସେ ଉଠିଗଲା ।
ଆଉ ଗଛକୁ ଛୁଇଁ ଠିଆ ଠିଆ ମୁଣ୍ଡିଆ ମାରି ମୋ’ ପାଖରେ ଫେରି ଆସି ବସିଲା । ତା’ ପରେ କଅଣ କଥା ହେଲୁ ମୋ’ର ଏବେ ଆଉ ମନେ ନାଇଁ । ବାହାରିଲା ବେଳକୁ ସେ କହିଲା, “ମତେ ଗୋଟେ ବଢ଼ିଆ ନୂଆ ଜାଗା ଦେଖେଇ ଥିବାରୁ ଧନ୍ୟବାଦ ।”
“ମୋତେ କଅଣ ମିଳିବ?”
ସେ କିଛି ନ କହି ମୋ’ ଦୁଇ ଗାଲରେ ପାଞ୍ଚଟି
ଲେଖାଏଁ ବୋକ ଦେଇ ଶେଷକୁ ଓଠରେ ଗେଲ କଲା ଥରେ ।
ତା’ ପରେ ବହି ଧରି ଉଠି ଯାଇ ମୋ’ ପଟକୁ ନ ଅନେଇ ଗେଟ୍ ଆଡ଼େ ଚାଲିବାକୁ ଲାଗିଲା । ମୁଁ କହିଲି, “ରୁହ ।” ସେ ଫେରି, ବୁଲି ମୋ’ ଆଡ଼କୁ ଚାହିଁ ଭୃଲତା ଉଠେଇଲା ।
“ଆଉ ଗୋଟେ ଗେଲ,” ମୁଁ ମାଗିଲି ।
ସେ କହିଲା, “ନା । ଯେତିକିଟା ମିଳିବା
କଥା ତା’ ମିଳି ସାରିଚି ।”
“ବୋଇଲେ ।”
“ଏଗାର ମିନିଟ ଡେରି ପାଇଁ ଏଗାରଟା ଗେଲ ।”
ମୁଁ କହିଲି, “ହଉ । ୟା ପର ଥରକ ତା’ହେଲେ ଅଧ ଘଣ୍ଟାଏ ଡେରି କରିବି, ରୁହ । ନା ଘଣ୍ଟାଏ?”
ସେ, “ଛତରା କେଉଁଠିକାର” କହି ବୁଲି ଗେଟ୍ ଆଡ଼କୁ
ଚାଲିଗଲା ।
ଏଥରକ ମୁଁ “ରୁହ” ବୋଲି ଆଉ ଥରେ କହିଲେ ବି ସେ ପଛକୁ ଫେରି ଅନେଇଲାନି । ଫାଟକ ଉପରେ କାଉଟିଏ ବସିଥାଏ । ସେ ଗଳାଫାଟକ ଫାନ୍ଦ ଫିଟେଇ, ସେପଟକୁ ଯିବା ଯାଏଁ ।
ବାଳ ବର୍ଗ ୧୫ ପାଲି ଧର୍ମପଦର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଶ୍ରୀଲଙ୍କାର ଅନୁରାଧାପୁର ସ୍ଥିତ ଅଭୟଗିରି ବିହାର ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍...