Showing posts with label Odia Essays. Show all posts
Showing posts with label Odia Essays. Show all posts

Friday, May 22, 2026

କଟକରେ ଘର

ଶୈଲେନ ରାଉତରାୟ


କଟକସ୍ଥ ଜାମା ମସଜିଦ୍ (୧୮୧୫)
ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍

ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକରେ ଦୈନିକ ଖବରକାଗଜ ‘ସମାଜ’ର ସମ୍ପାଦକୀୟ ବିଭାଗରେ କାମ କରୁଥିବା ପ୍ରଫୁଲ୍ଲ ପଟ୍ଟନାୟକଙ୍କ ବସା ଘରେ ତାଙ୍କ ସ୍ତ୍ରୀ ଓ ଭାଇବୋହୁ ବ୍ରତ ପାଳୁଥାଆନ୍ତି । ଓଡ଼ିଶାର ସବୁ ଖବରକାଗଜ ଭଳି ସମାଜ ବି ସେତେବେଳେ ଅପରାହ୍ଣରେ ବାହାରୁଥାଏ । ପ୍ରଫୁଲ୍ଲ ବାବୁ ଅଫିସିରେ ସକାଳ ଓଳିର କାମ ସାରି, ଦିନ ଦି’ଟାରେ ଘରକୁ ଫେରି, ଭାତ ଗଣ୍ଡିଏ ଧରି ଖାଇ ବସିଥାଆନ୍ତି ଯେ, ହତାର ପାଚେରି ସେପାଖରୁ ଶୁଣାଗଲା, ତାଙ୍କର ଘନିଷ୍ଠ ବନ୍ଧୁ ମ୍ୟୁନିସିପାଲିଟି ଟିକସ କଲେକ୍ଟର ୟୁସୁଫ୍ ବାବୁଙ୍କ ପାଟି । ସେ ତାଙ୍କର ଆଉ ଜଣେ ଜଣାଶୁଣା ଲୋକଙ୍କୁ ଧରି ଆସିଥାଆନ୍ତି ।

ପ୍ରଫୁଲ୍ଲ ବାବୁଙ୍କ ଖିଆ ସରି ଆସୁଥାଏ । ହାତ ମୁହଁ ତରବରରେ ଆଞ୍ଚେଇ ଦେଇ ସେ ବନ୍ଧୁଙ୍କୁ ଶଙ୍ଖୋଳିବାକୁ ବାହାରିଗଲେ । ଯାଇଁ ଦେଖ‌ିଲେ ତୃତୀୟ ଜଣକ ହେଉଛନ୍ତି ଜଣେ ଭଦ୍ରଲୋକ, ନାଁ ବିନୟ ଶଙ୍କର ରାୟ, ଘର ମକରବା ସାହି । କିଛି ଦିନ ଆଗରୁ ପ୍ରଫୁଲ୍ଲ ୟୁସୁଫ୍‌ଙ୍କୁ କଟକରେ ନିଜ ପାଇଁ ଜାଗା ଖଣ୍ଡେ ଯୋଗାଡ଼ କରିବା ବିଷୟରେ କହିଥା’ନ୍ତି । ସେତେବେଳକୁ କଟକକୁ ଆସି ପ୍ରଥମେ ଦୈନିକ ସମ୍ବାଦପତ୍ର ‘ଗଣତନ୍ତ୍ର’ ଓ ତାହା ପରେ ‘ସମାଜ’ରେ ସାମ୍ବାଦିକତାର ବୃତ୍ତି ଆଦରି ନେବାର ଦଶ ବର୍ଷ ହୋଇଗଲାଣି । 

ପ୍ରଫୁଲ୍ଲ ୧୯୬୧ ମସିହାରେ ସରକାରୀ ଚାକିରୀ ଛାଡ଼ି ସାମ୍ବାଦିକ ବନିଲେ । ତାହା ପରଠାରୁ ଭ୍ରାମ୍ୟମାଣ ଜୀବନକୁ ଛାଡ଼ି କଟକକୁ ଆରେଇ କରି ବସା ବାନ୍ଧିଲେ । ୧୯୬୦ ମସିହାରେ ଛତ୍ରପୁରରେ ସାମାଜିକ ଶିକ୍ଷା ସଙ୍ଗଠକ ଭାବେ ଓଡ଼ିଶା ସରକାରଙ୍କ ପାଇଁ କାମ କରୁଥିବା ସମୟରେ, ଇତିହାସରେ ଏମ୍.ଏ. ଦେବହୁତୀ ବକ୍ସିଙ୍କ ସହ ତାଙ୍କର ବାହାଘର ହୋଇ ସାରିଥିଲା । କଟକ ଆସିଲା ପରେ ପ୍ରଫ‌ୁଲ୍ଲ ସମାଜରେ କାମ କଲେ ଆଉ ଦେବହୁତୀ ବରିନେଲେ କେମ୍ବ୍ରିଜ୍ ସ୍କୁଲରେ ଶିକ୍ଷୟତ୍ରୀର ଜୀବନ । ୧୯୬୫ରେ ଝ‌ିଅ ସସ୍ମିତା ଓ ୧୯୬୯ରେ ପୁଅ ସୌମିତ୍ର ଙ୍କର ଜନ୍ମ ହେଲା । 

ଅର୍ଥାତ୍, ସତୁରୀ ଦଶକର ଆରମ୍ଭ ବେଳକୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ଗୋବରା ଗ୍ରାମରେ ୧୯୩୩ ମସିହାରେ ଜନ୍ମିତ ପ୍ରଫୁଲ୍ଲଙ୍କର, ତଥା ତାଙ୍କ ପରିବାରର, କଟକରେ ଚେର ବହୁତ ଭଲ ଭାବରେ ଲାଗିଯାଇଥାଏ । ହେଲେ ସେମାନେ ଅନ୍ୟ ଅନେକ ନୂଆ କଟକିଆଙ୍କ ଭଳି ରହୁଥା’ନ୍ତି ଭଡ଼ାରେ ନିଆଯାଇଥିବା ବସା ଘରେ । ତାଙ୍କ ବାପା, ଗଞ୍ଜାମର ଗାନ୍ଧୀ ଭାବରେ ପରିଚିତ ସ୍ୱାଧୀନତା ସଙ୍ଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକ, ଗୋବରା ଗାଁ’ ଓ ଭଞ୍ଜନଗର ଟାଉନରେ ପୈତୃକ ଘରବାଡ଼ି ବିକିରି କରିଦେଇଥା’ନ୍ତି । ଏଣୁ ପିଲାମାନେ ବଡ଼ ହୋଇସାରିଲା ବେଳକୁ, ଚାକିରୀବାକିରି ସଇଲା ପରେ, ଗଞ୍ଜାମକୁ ଘରବାହୁଡ଼ାର ସମ୍ଭାବନା ମଧ୍ୟ ଥିଲା କ୍ଷୀଣ । 

ଏଣୁ ନିଷ୍ପତ୍ତି ନିଆଗଲା, କଟକରେ ଜାଗା ଖଣ୍ଡିଏ କିଣି ଘର ତିଆରି କରାଯିବ । ହେଲେ ଦଇବ ବ୍ୟତିରେକ ଘର, ଜମି କିଣା ଓ ଘରତିଆରିର ଅସଲ ମଞ୍ଜ କଥାଟି ହେଲା, ଠନ୍‌ଠନାଠନ୍ ରୁପିଆ, ମାନେ ଟଙ୍କା । ଷାଠିଏ ଦଶକର ସାମ୍ବାଦିକ ଚାକିରିର ଦରମାରେ ପ୍ରଫୁଲ୍ଲ କିଛି ବି ଅର୍ଥ ସଞ୍ଚୟ କରିପାରିନଥିଲେ । ସ୍ତ୍ରୀ ଦେବହୁତୀ ନିଜ ବୁଦ୍ଧିରେ ଶିକ୍ଷୟତ୍ରୀର ଦରମାରେ ବି ସେତେବେଳକୁ ତିନି ହଜାର ଟଙ୍କା ଡାକଘରେ ଜମା କରିସାରିଥିଲେ । ପାଠକେ ଅବଧାନ କରିବା ହେବେ କି, ୧୯୭୧ ମସିହାରେ ସୁନା ଭରିକର ଦାମ ୧୯୦ଟଙ୍କା ପାଖାପାଖି ଥିଲା । ଅର୍ଥାତ୍ ତିନି ହଜାର ଟଙ୍କାକୁ ଧରି ଘର ତୋଳିବାଟା ଦିବାସ୍ୱପ୍ନ ହେଲେ ବି, ସେହି ପରିମାଣର ଅର୍ଥ ଜାଗା ଖଣ୍ଡିଏ କିଣିବା ପାଇଁ କିଛି ଅଳପ ନଥିଲା ।

ଏଣୁ ଜାଗା ଖୋଜା ଚାଲିଥାଏ । ହେଲେ ଦୁଇଟି ସ୍ଥାନରେ ଠିକଣା ହୋଇ, ପ୍ରଫୁଲ୍ଲ ଅଗ୍ରୀମ ଦେଇସାରି ମଧ୍ୟ, ଶେଷ ସମୟରେ ପରିସ୍ଥ‌ିତିର ଦାୟରେ କଥାବାର୍ତ୍ତା ଓଲଟି ପଡ଼ି ଅର୍ଥ ଫେରସ୍ତ ଆଣିଲେ । ଶେଷକୁ ବକ୍ସିବଜାରର ନୂଆମାର୍କେଟରେ ବସୁଥିବା ଆଠଗଡ଼ ଅଞ୍ଚଳରୁ ଆସୁଥିବା ଜଣେ ଜ୍ୟୋତିଷଙ୍କର ପରାମର୍ଶ ନିଆଗଲା । ପ୍ରଫୁଲ୍ଲଙ୍କର ବସ୍ ସମାଜର ସମ୍ପାଦକ ରାଧାନାଥ ରଥଙ୍କର ପଣ୍ଡିତଜଣଙ୍କ ଥିଲେ ପ୍ରିୟପାତ୍ର । 

ସମସ୍ୟା ଶୁଣିବା ପରେ ଜ୍ୟୋତିଷ ତାଙ୍କୁ ଗୋଟିଏ ପୁଷ୍ପ, ଏକ ସଙ୍ଖ୍ୟା ଓ ଜଣେ ଦିଅଁଙ୍କ ନାମ କହିବା ପାଇଁ କହିଲେ । ପ୍ରଫୁଲ୍ଲ ବାବୁଙ୍କ ଉତ୍ତର ପାଇଲା ପରେ, କାଗଜରେ କଲମ ଚାଳନା କରି ସେ କହିଲେ କି, ଜମିଜମା ମାମଲାରେ ପରିବାରଟିର ଭାଗ୍ୟରବି ଖିୁବ୍ ଜଲଦି ଉଦୟ ହେବାକୁ ଯାଉଚି; କଟକର ଠିକ୍ ମଝାମଝି ଜମି ତ ମିଳିବ, ତାହା ସହିତ ଘର ଖଣ୍ଡିଏ ବି ସଞ୍ଜୁକ୍ତ ଥିବାର ଦଇବଯୋଗ ଅଛି । ଏଇ କଥାକୁ ତାଙ୍କ ପରିବାରରେ କେହି ମଧ୍ୟ ପରତେ ଗଲେ ନାହିଁ । ସଭିଏଁ ମନ କଥା ମନରେ ମାରି ରହିଲେ । 

ଏହି ଭଳି ପରିବେଶରେ ସୁଦଶା ବ୍ରତ ଦିନ ଆସି ପହଞ୍ଚିଲେ ୟୁସୁଫ୍ ବାବୁ ଓ ତାଙ୍କ ସହିତ ବିନୟ ଶଙ୍କର ରାୟ । ବିନୟ ବାବୁଙ୍କର ମକରବା ସାହିରେ ଥାଏ ଆମ୍ବ, ନାରିକେଳ ଓ କଇଁଥ ଆଦି ବୃକ୍ଷ ସୁଶୋଭିତ ଏକ ଜମିରେ, ଗୋଟେ କ୍ଷୁଦ୍ର ଜଳାଶୟ ସଂଲଗ୍ନ ଆଜବେଷ୍ଟସ ଛାତ ଥିବା, ଦୁଇ ବଖୁରିଆ ଘରଟିଏ । ସେ ନିଜ କନ୍ୟା ଓ ଜାମାତାଙ୍କୁ ବିଦେଶ ପଠାଇବା ପାଇଁ ତୁରନ୍ତ କିଛି ଅର୍ଥ ଆବଶ୍ୟକ କରୁଥା’ନ୍ତି । ସେଥି ନିମନ୍ତେ ଚାଲିଥାଏ ମକରବା ପଡ଼ାସ୍ଥ ଜମି ଓ ଘର ବିକ୍ରି କରିବାର ଉପକ୍ରମ । କଥାବାର୍ତ୍ତା ଛିଡ଼ିଲା ଏଗାର ହଜାର ଟଙ୍କାରେ । ତିନି ହଜାର ଟଙ୍କା ଅଗ୍ରୀମ । ବାକି ଟଙ୍କା ରେଜେଷ୍ଟ୍ରି ସମୟରେ, ମାସକ ପରେ, ଦିଆଯିବାର କଥା ହୋଇ ଲେଖାପଢ଼ା ହେଲା । 

ହେଲେ ଘରମାଲିକ ଅଗ୍ରୀମ ନେବାର ଦୁଇ ଦିନ ପରେ ଆଉ ହଜାରେ ଟଙ୍କା ମାଗିଲେ । ସେହି ଅର୍ଥକୁ ପ୍ରଫୁଲ୍ଲ ବାବୁ ଦେବହୁତୀଙ୍କର ବାପାଙ୍କ ଠାରୁ ଧାର ଆଣି ଦେଲେ । ବିଲେଇ କପାଳକୁ ଶିକା ଛିଡ଼ିଲା ପରି ଏହି ଘଟଣାର ମାତ୍ର ସାତ ଦିନ ପରେ, ତାଙ୍କ ଶଶୁରଙ୍କୁ ଭୁବନେଶ୍ୱରରେ ଘର ତିଆରି କରିବା ପାଇଁ ସାତ ହଜାର ଟଙ୍କା ୠଣ ମିଳିଲା । ଏହି ଟଙ୍କାକୁ ଧାର ନେଇ, ବିନୟ ବାବୁଙ୍କୁ ବାକି ଚୁକ୍ତି ଅର୍ଥ ଦେଇ, ଜମି ବିକ୍ରି ପଞ୍ଜିକରଣ ପାଇଁ ଦରକାରି ଅର୍ଥ ଯୋଗାଡ଼ କରି, ଯଥାଶୀଘ୍ର ଜମି ଓ ଘର ନିଜ ନାମରେ ରେଜେଷ୍ଟ୍ରି କରିଦିଆଗଲା । 

ଯେଉଁ ଦିନ ଗୃହପ୍ରବେଶ ପୂଜା କରି ତାଙ୍କ ପରିବାର ଘରେ ପଶିଲେ, ସେହି ରାତିରେ ଏକ ପ୍ରବଳ ବାତ୍ୟା ହେଲା । ବାଡ଼ିର ଗୋଟିଏ ବଡ଼ ଆମ୍ବ ଓ କଇଁଥ ଗଛ ଉପୁଡ଼ି ପଡ଼ିଲା । ହେଲେ ଘରର କି ପରିବାରର ଲୋକଙ୍କର କିଛି କ୍ଷତି ହେଲା ନାହିଁ । ବାତ୍ୟାରୁ ଉବୁରି ସେହି ଜମିରେ ବାଇଗଣ, ପାତାଲ୍‌ଘଁଟା, ଶିମ୍ବ ଓ କାକୁଡ଼ି ଆଦି ପନିପରିବାର ଚାଷ ଆରମ୍ଭ ହେଲା, ନୂଆ ରୋଷେଇ ଘରେ ବ୍ୟବହାର ପାଇଁ । ବଢ଼ୁଥିବା ପିଲାଙ୍କ ପାଇଁ ଘରଟି ଛୋଟ ପଡ଼ିବାରୁ ଘର ଚାରିପଟେ ଥିବା ଜାଗାରେ ଆଉ ଗୋଟିଏ ଘର ତିଆରି କରିବାର ଚେଷ୍ଟା ଆରମ୍ଭ ହେଲା । ଏଥିରେ ସହାୟ ହେଲେ ସ୍ତ୍ରୀଙ୍କ ବିଦ୍ୟାଳୟରେ କାର୍ଯ୍ୟରତ ରାଜମିସ୍ତ୍ରୀ ରତନା । 

ନଗରପାଳିକା ଓ କଟକ ବିକାଶ ପ୍ରାଧିକରଣ (ସିଡିଏ) ଙ୍କ ଠାରୁ ଯୋଜନା ମଞ୍ଜୁର କରାଗଲା । ପ୍ରଫୁଲ୍ଲ ଓ ଦେବହୁତୀଙ୍କ ଦରମାରୁ ଧିରେଧିରେ ଅର୍ଥ ସଞ୍ଚୟ କରି ସେଥିରେ ଚାରିବଖୁରିଆ, ପକ୍କା, ଶୂନ ଛାତର ନୂଆ ଘରଟିଏ ତିଆରି ହେଲା । ୧୯୮୧ ମସିହାରେ ଗୃହନିର୍ମାଣ ସରିଲା । ଛୋଟ ପରିବାରଟି ବଡ଼ ଘରଟିକୁ ଉଠି ଯାଇ, ପୁରୁଣା ତଥା ଛୋଟିଆ ବସାଟି ଭଡ଼ା ଲଗାଇଦେଲେ । ଯାହା ଦିନେ ସ୍ୱପ୍ନ ପରି ଲାଗୁଥିଲା, ତାହା ଏବେ ସତ ହେଲା ।

ବି. ଦ୍ର. - ଏହି ଲେଖାଟିର ଉପାଦାନ ୨୦୧୫ ମସିହାରେ ପ୍ରକାଶିତ ସାମ୍ବାଦିକ ଓ ଲେଖକ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କର ଆତ୍ମଜୀବନୀ ‘ଏଇ ମୋ ଜୀବନ’ରୁ ନିଆଯାଇଚି । ବହିଟିର ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା ବିଶ୍ୱମୁକ୍ତି । ବହିଟିର ପ୍ରଚ୍ଛଦପଟ ଆଙ୍କିଛନ୍ତି ଓ ମୁଖବନ୍ଧ ଲେଖିଚନ୍ତି ଦିନନାଥ ପାଠୀ । ବହିଟିର ପ୍ରାକ୍‌କଥନରେ ଲେଖକ ଗ୍ରନ୍ଥଟିର ମୁଦ୍ରଣ ଖର୍ଚ୍ଚ ତୁଲାଇଥିବାରୁ ନିଜର ପୁତ୍ର ସୌମିତ୍ର ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଚନ୍ତି । ଏହି କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । 

Wednesday, April 22, 2026

ନୟାଗଡ଼ ଜିଲ୍ଲାର ଦଳିତ ଜୀବନ

                    (Nayagarh Jillara Dalita Jibana: Dalit lives in Nayagarh district)

ଶୈଲେନ ରାଉତରାୟ

ଏହି ପ୍ରବନ୍ଧଟି ୧୯୪୦–୫୦ ଦଶକରେ ନୟାଗଡ଼ ଜିଲ୍ଲାର ଦଳିତ ଜୀବନର ଛବି ଦିଏ ।
(This Odia essay reflects on Dalit life and social realities in Nayagarh district of Odisha during the 1940s–50s. It explores lived experience, social structures, and everyday realities in rural Odisha.)

ନୟାଗଡ଼ ଜିଲ୍ଲାର କଣ୍ଟିଲୋ ପାଖରେ ମହାନଦୀର ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍/କୃପାସିନ୍ଧୁ ମୁଦୁଲି


ଲେଖକ, ସଙ୍କଳକ ଓ ଯନ୍ତ୍ରୀ ଶ୍ରୀ ଗୋବର୍ଦ୍ଧନ ଦୋରାଙ୍କର ଘର ନୟାଗଡ଼ ଜିଲ୍ଲାର ବଡ଼ଗୋରଡ଼ା ଗ୍ରାମରେ । ଗାଆଁଟିରେ ଚଷା, ଗୁଡ଼ିଆ, ଗଉଡ଼, କରଣ, ସୁନାରି, ପାଣ, ଧୋବା ଓ ଖଦାଳ ଇତ୍ୟାଦି ନାନା ଜାତିର ଲୋକ ଅଛନ୍ତି । ଦୋରା ବାବୁଙ୍କର ଜନ୍ମ ୧୯୩୯ ମସିହାରେ । ଜାତିରେ ତେଲେଗୁ ନାଇଡ଼ୁ । ସେ ଶିଶୁ ଶ୍ରେଣୀରେ ୧୯୪୫ ମସିହାରେ ଆଙ୍ଗିସିଙ୍ଗିରେ ଥିବା ବଡ଼ଗୋରଡ଼ା ଶିଶୁ ବିଦ୍ୟାଳୟକୁ ଯିବାକୁ ଆରମ୍ଭ କରନ୍ତି । ତାହା ପରେ ଯାଆନ୍ତି ସାନଗୋରଡ଼ା ଇସ୍କୁଲୁକୁ, ତତ୍ପରେ ଶିଖରପୁର ମାଇନର ସ୍କୁଲୁ, ଓ ସବା ଶେଷରେ ଶରଣକୂଳ ହାଇସ୍କୁଲୁ ।

ସେତେବେଳେ ଇସ୍କୁଲୁମାନଙ୍କରେ ଛୁଆଁଅଛୁଆଁ ଭାବ ପ୍ରବଳ । ପିଲାମାନେ ଜାତି ଭିତ୍ତିରେ ଅଲଗା ଅଲଗା ବସନ୍ତି । ବ୍ରାହ୍ଣଣ ପିଲାଏ ବସିବା ପାଇଁ ତାଳପତ୍ରରେ ପ୍ରସ୍ତୁତ ଛପା ଆଣୁଥିଲେ । ଗୋବର୍ଦ୍ଧନ ବାବୁ ବାଉଁଶ ତିଆରି ଛପା ନେଇ ଇସ୍କୁଲୁ ଯାଉଥିଲେ । ଏହି ଛପା ଧୁଷୁମା ଗାଁର ହାଡ଼ି ଜାତିର ଲୋକମାନେ ତିଆରି କରୁଥିଲେ । ଏହା ସେମାନଙ୍କର ଜୀବିକା ନିର୍ବାହର ଏକ ସାଧନ ଥିଲା ।  ଛୁଆଁଅଛୁଆଁ ଭାବ ଶିକ୍ଷକମାନଙ୍କ ମଧ୍ୟରେ ବି ଥିଲା । ସ୍ୱାଧିନତା ଆଖପାଖର ଏହି ସମୟରେ ନୟାଗଡ଼ ଜିଲ୍ଲାର ଇସ୍କୁଲମାନଙ୍କରେ, ଦଳିତ ପିଲାମାନଙ୍କୁ (ଅନ୍ୟ ଅଞ୍ଚଳମାନଙ୍କ ପରି) ହାତରେ ନମାରି, କିମ୍ବା ସିଧାସଳଖ ବେତରେ ନମାରି, ବେତ ଫୋପାଡ଼ି ମାଡ଼ ମରାଯାଉଥିଲା ।

ଗୋବର୍ଦ୍ଧନବାବୁଙ୍କ ଦେଖିବାରେ ଶ୍ରୀ ବନ ସେଠୀ ଓ ତାଙ୍କର ସାନଭାଇ ଶ୍ରୀ କହ୍ନେଇ ସେଠୀ ଧୋବା ଭାବରେ ଗାଁରେ ଖଟୁଥିଲେ । ଏଥି ପାଇଁ ସେମାନେ ପ୍ରତି ପରିବାରଠାରୁ ବାର୍ଷିକ କିଛି ନିର୍ଦ୍ଦିଷ୍ଟ ପରିମାଣରେ ବର୍ତ୍ତନ ପାଉଥିଲେ । ପ୍ରଥାଟିର ପ୍ରଚଳନ ଏବେ ମଧ୍ୟ ଅଛି ଓ ଧୋବା ଜାତିର ଲୋକମାନେ ତାଙ୍କ କାମ ପାଇଁ ପରିବାର ପିଛା ଚାରି ନଉତି ଲେଖାଏଁ ନେଉଚନ୍ତି ।

ବେଳେବେଳେ ଲୁଗା ସିଝାଇବାକୁ କାଠ ମିଳେନାହିଁ । ତ, ଧୋବାମାନେ ମଶାଣିରୁ ଦରପୋଡ଼ା କାଠ ଆଣନ୍ତି । ପୋଡ଼ି, ଲୁଗା ସିଝାଇବା କାମରେ ବ୍ୟବହାର କରନ୍ତି । କେହି ଲୋକ ଖରାପ ହୋଇଗଲେ ମାଲଭାଇ ଭାବରେ ମଧ୍ୟ ଧୋବାମାନେ ଶବ ଶୋଭାଯାତ୍ରା ସହିତ ମଶାଣି ଯାଉଥିଲେ । ପିଲା ପେଟରେ ଥାଇ ମାଆ ମରିଗଲେ, ସ୍ତ୍ରୀଲୋକଟିର ପେଟ ଚିରି, ମଲା ପିଲାଟିକୁ ବାହାର କରି ତାହାର ଶବଦାହ କରିବାର ଦାୟିତ୍ତ୍ୱ ମଧ୍ୟ ଧୋବାମାନଙ୍କର ଥିଲା । ମୁର୍ତିଖିଆର ଦଶଦିନ କର୍ମ ପାଇଁ ଧୋବା ଜାତିର ସ୍ତ୍ରୀ ଓ ପୁରୁଷ ମାନଙ୍କୁ ଲୁଗାପଟା ମିଳୁଥିଲା ।

ଦୋରା ବାବୁଙ୍କ ପିଲାଦିନେ ଗାଁର ଦକ୍ଷିଣ-ପଶ୍ଚିମ ଦିଗରେ ଏକ ଖଦାଳ ସାହି ଥିଲା । ଏଥିରେ ଛଅଟି ପରିବାର ବସବାସ କରୁଥିଲେ । ଏ ସମସ୍ତ ପରିବାରମାନଙ୍କର ସାଙ୍ଗିଆ ଭୋଇ ଥିଲା । ସେମାନେ ସେତେବେଳେ ଅଛୁଆଁ ଭାବରେ ଗଣ୍ୟ ଥିଲେ । ତାଙ୍କୁ କେହି ଛୁଉଁ ନଥିଲେ । ମାତ୍ର ବାହାଘର ବେଳେ ଖଦାଳମାନେ ହିଁ ପାଲିଙ୍କି ବାହକ ଭାବରେ କାମ କରୁଥିଲେ ।

ଏହି ଖଦାଳ ଜାତିର ଲୋକମାନଙ୍କର ନିଜର ଅଳପ କିଛି ଜମିବାଡ଼ି ଥିଲା । କିଛି ଜମି ଭାଗରେ ଧରି ମଧ୍ୟ ଚାଷ କରୁଥିଲେ । ଅତି ନିରିମାଖି ଖଦାଳମାନେ ପର ଘରେ ହଳିଆ ରହୁଥିଲେ, ନହେଲେ ମୂଲ ଲାଗି ଚଳୁଥିଲେ । ଏବେ ଅବଶ୍ୟ ଗାଁରୁ ହଳିଆ ପ୍ରଥା ଉଠିଗଲାଣି । ଖଦାଳମାନେ ମାଛ ମାରି ବିକ୍ରି ମଧ୍ୟ କରୁଥିଲେ । ଏହା ଛଡ଼ା କୁକୁଡ଼ା ପାଳି, ପକ୍ଷୀ ଓ ଅଣ୍ଡା, ଉଭୟ ବିକିରି କରୁଥିଲେ । ଆଗରୁ ହାଟବଜାରରେ ଅଣ୍ଡା ଓ କୁକୁଡ଼ା ମିଳୁ ନଥିଲା । ଖଦାଳମାନେ ହିଁ କୁକୁଡ଼ା ଆଦି ପାଳି ଯୋଗାଉଥିଲେ ।

ବଡ଼ଗୋରଡ଼ା ଗାଆଁରେ ପାଣ ଜାତିର ଗୋଟିଏ ମାତ୍ର ପରିବାର ରହୁଥିଲେ । ଏହି ଘରୁ ଗାଁର ଚଉକିଦାର ଥିଲେ, ଶ୍ରୀ ଲୋକନାଥ ନାୟକ । ତାଙ୍କୁ ଚଉକିଦାରି କରିବା ପାଇଁ ଚାରି ମାଣ ଜମି ମିଳିଥିଲା । ସପ୍ତାହକୁ ଥରେ ସେ ଶରଣକୂଳ ଥାନାରେ ହାଜର ହୁଅନ୍ତି । ଜନ୍ମ, ମୃତ୍ୟୁ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖବର ଥାନାବାଲାଙ୍କୁ ଦିଅନ୍ତି । ଚାରି ମାଣ ଜମି କିଛି କମ ନୁହେଁ । ମାତ୍ର ସେମାନଙ୍କର ଚଳଣି ସେତେବେଳେ ବିଶେଷ ଭଲ ନଥିଲା ।

ଏହାର କାରଣ ହେଲା ଯେ ପାଣମାନେ ଜାତିରେ ଅଛୁଆଁ ଥିଲେ । ତାଙ୍କ ଜମିରେ ଗାଁର ଅନ୍ୟ ଜାତିର ଲୋକେ ଖଟି ଆସନ୍ତି ନାହିଁ । ତାଙ୍କ ବିଲମାନଙ୍କରେ ଅନ୍ୟ ଗାଁରେ ରହୁଥିବା ତାଙ୍କର ଜାତିଭାଇମାନେ ହିଁ ଖଟି ଆସନ୍ତି । ମାତ୍ର ସେମାନେ ନିଜର ବିଲବାଡ଼ି ଓ ନାନାଦି ଅନ୍ୟ କାମ ସାରି ଲୋକନାଥ ବାବୁଙ୍କ ବିଲରେ କାମ କରି ଆସିଲା ବେଳକୁ ଠିକଣା ସମୟ ଗଡ଼ିଯାଇଥାଏ । ବେଟାଇମିଆ ଚାଷ ଯୋଗୁଁ ଅମଳ କମ ହୁଏ । ଅମଳ କମ ହେବାର ଅନ୍ୟ କାରଣ ହେଲା ଜଳସେଚନର ଅଭାବ ।

ଏହି ସବୁ ଅଭାବ ଅସୁବିଧା ଭିତରେ ଲୋକନାଥ ବାବୁଙ୍କ ଗୋଟିଏ ବୋଲି ପୁଅ ଦଣ୍ଡଧର ବୃତ୍ତି ପାଇ ପାଠ ପଢ଼ି ମାଇନର ସ୍କୁଲ ଶିକ୍ଷକ ହେଲେ । ଉଣେଇଶି ଶହ ଷାଠିଏ ମସିହାରେ ଲୋକନାଥ ବାବୁ ହାର୍ଣ୍ଣିଆରେ ଚାଲିଗଲେ । ପୁଅ ସରକାରି ଚାକିରିଆ ହୋଇଥିବାରୁ ଚଉକିଦାରିରେ ବାହାଲ ହୋଇପାରିଲେ ନାହିଁ ।

ଏଣୁ ଜୁଆଇଁ କାଶୀ ଗାଆଁରେ ଚଉକିଆ ହେଲେ । ୧୯୬୫ ମସିହାରେ ଚଉକିଦାରି ଉଠିଯିବାରୁ ଏଥିକୁ ଥିବା ଗାଁର ସବୁ ଭୋଗଦଖଲ ଜମି କାଶୀବାବୁଙ୍କ ନାମରେ ହେଲା । ମାତ୍ର ଥରେ ଏହି ପାଣ ଜାତିର ଘରକୁ ଗାଆଁ ଲୋକେ ଜରିମାନା କରିବାରୁ ଏମାନେ ଅତିଷ୍ଠ ହୋଇ ଗୋତିରିଡ଼ାକୁ ଉଠିଗଲେ ଓ ବଡ଼ଗୋରଡ଼ାରେ ଥିବା ନିଜର ଜମିଜମା ବିକ୍ରିବଟା କରିଦେଲେ । ଦଣ୍ଡଧର ବାବୁ ଅବସର ନେଲା ପରେ କଟକ ମହାନଦୀ ବିହାରରେ ବସା ବାନ୍ଧି ରହିଲେ । ଏହି ପରି ଭାବରେ ଗାଁରୁ ପାଣ ଜାତିର ଚିହ୍ନା ଉଠିଗଲା ।

ଓଡ଼ିଶାର ଗ୍ରାମାଞ୍ଚଳରେ ପାଣ ଜାତିର ଲୋକମାନଙ୍କର (ଓ ବୃହତ୍ତର ଭାବରେ ଦଳିତ ଜନଗୋଷ୍ଠୀର) ଜୀବନଚର୍ଯ୍ୟାର ଇତିହାସରେ ଅନେକ ବିବିଧତା ସତ୍ତ୍ୱେ ଶୋଷଣ ଓ ଅତ୍ୟାଚାରର ଏକ ସମାନ ଅନୁଭୁତି ଆମେ ଦେଖିବାକୁ ପାଇବା । ସ୍ୱାଧୀନତା ପୂର୍ବର ଅବିଭକ୍ତ କଟକ ଜିଲ୍ଲାରେ ପାଣ ଜାତିର ଜୀବନ ଓ ଜୀବିକାର ଚିତ୍ର ଆମେ ମୋର ଦୁଇଟି ଲେଖା ସିଂହପୁରରେ ପାଠପଢ଼ା ଓ ନିଶାକର ବାବୁଙ୍କ ପିଲାଦିନ: ସିଂହପୁରରେ ଖିଆପିଆ ରୁ ପାଇପାରିବା । ଏକବିଂଶ ଶତାବ୍ଦୀର ଓଡ଼ିଶାରେ ପରିସ୍ଥିତି ବେଶି କିଛି ଭିନ୍ନ କି?

ଟୀକା: ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟିର ଉପାଦାନ ଗୋବର୍ଦ୍ଧନ ଦୋରାଙ୍କର ଆତ୍ମଜୀବନୀ ଛୋଟ ମୋର ଗାଁଟିରୁ ନିଆଯାଇଛି । ବହିଟିକୁ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ୨୦୦୯ ମସିହାରେ ପ୍ରକାଶିତ କରିଥିଲେ ।

This essay describes the lives of Dalit communities in Odisha's Nayagarh district in the 1940s and 1950s. It draws upon Odia writer and engineer Gobardhan Dora's autobiography 'Chhota Mora Gaonti" as source material. 

Tagsnayagarh odisha dalit life, dalit history odisha, odia essay dalit life, nayagarh village life 1940s, nayagarh village life 1950s, odisha social history

Keywords: odia lekha, dalita jibana, nayagarh, grameen jiban

Sunday, March 22, 2026

ପୀତାମ୍ବର ପ୍ରଧାନଙ୍କ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ


କଟକ ଜିଲ୍ଲାର ମୂଳବସନ୍ତ ନିକଟରେ ବିରୂପା ନଈ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଚିତ୍ତରଞ୍ଜନ କର

ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ପୀତାମ୍ବର ପ୍ରଧାନ (ଡାକ ନାଁ କାଳିଆ) ଙ୍କ ଜନ୍ମ ସ୍ୱାଧୀନତା ପୂର୍ବର ଅବିଭକ୍ତ କଟକ ଜିଲ୍ଲାର କେରାଣ୍ଡିଆ ନଈ କୂଳର ବଳରାମପୁର ଗାଆଁର ଏକ ସମ୍ଭ୍ରାନ୍ତ ଖଣ୍ଡାୟତ ପରିବାରରେ । ଜେଜେଙ୍କର ଥିଲା ଚାରି ପାଞ୍ଚ ବାଟି ଜମି । ତାହା ସହିତ କିଛି ପାରିବାରିକ ମହାଜନି ବ୍ୟବସାୟ ବି ଥିଲା । ହେଲେ ଭାଇ ଭାଗ ହୋଇ ପୀତାମ୍ବରଙ୍କର ହେତୁ ହେଲା ବେଳକୁ ପରିବାରର ଅବସ୍ଥା ଦୁର୍ବଳ ନହେଲେ ହେଁ  ଆଗର ସେ ଛଇଛଟକ ଆଉ ନଥିଲା । 

କାଳିଆଙ୍କ ଜନ୍ମ ୧୯୨୯ ମସିହାର କାର୍ତ୍ତିକ ପୂନେଇ ଦିନ । ତାଙ୍କ ଆଗରୁ ଦୁଇଟି ପୁଅ ଜନ୍ମ ହୋଇ ଆର ପାରିକୁ ଚାଲି ଯାଇଥିଲେ । ସେଥି ପାଇଁ ପିଲାଦିନେ ସେ ଗେହ୍ଲା ହୋଇ ଭାରି ଦୁଷ୍ଟ ହେଇଥା’ନ୍ତି । ଶେଷକୁ ଏମିତି ବିଛୁଆତିପଣ ବାହାରିଲା ଯେ, ତ୍ରାହିତ୍ରାହି ଡାକି ବାପା ତାଙ୍କୁ ନେଇ ଗାଁ ଚାଟଶାଳୀରେ ନାଁ ଲେଖାଇଦେଇ ଆସିଲେ । ଏଇ ଚାହାଳିଟି ପରେ ଅବଶ୍ୟ ଏକ ନିମ୍ନପ୍ରାଥମିକ ବିଦ୍ୟାଳୟରେ ପରିଣତ ହେଲା । 

ବଳରାମପୁରର ଏଇ ଚାହାଳିରେ ନାମ ଲେଖା ହେଲା ବେଳୁକୁ ଦାନପୁର ଗ୍ରାମର କୃଷ୍ଣଚନ୍ଦ୍ର ତ୍ରିପାଠୀ ସେଠି ହେଡ଼୍ ପଣ୍ଡିତ ଥିଲେ । ପରେ କାଳିଆଙ୍କ ବଡ଼ବାପା ପୁଅ ସେଠାରେ ଦ୍ୱିତୀୟ ପଣ୍ଡିତ ଭାବରେ ଯୋଗ ଦେଲେ । ଗାଁଟିରେ ବାଦବୁଦିଆରେ ଦିଇଟି ସ୍କୁଲ ଥାଏ । ପ୍ରଥମ ସ୍କୁଲଟିର ସମ୍ପାଦକ ଥାଆନ୍ତି ପୀତାମ୍ବରଙ୍କର ମଝିଆ ଜେଜେ । ଅନ୍ୟ ଇସ୍କୁଲଟି ପଛରେ ଉଦ୍ୟୋକ୍ତା ଭାବରେ ଥାଆନ୍ତି ସେଇ ଜେଜଙ୍କର ଶଶୁର ଘର । ପରେ ଅବଶ୍ୟ ଇସ୍କୁଲୁ ଦିଓଟି ମିଶି ଗୋଟିଏ ହେଲା । ଆଉ ଏଇ ନୂଆ ଶିକ୍ଷାନୁଷ୍ଠାନଟି ପାଇଁ ଗ୍ରାଣ୍ଟ୍ ମଧ୍ୟ ମିଳିଲା । ହେଡ଼୍ ପଣ୍ଡିତଙ୍କର ଦରମା ହେଲା ମାସକୁ ପାଞ୍ଚ ଟଙ୍କା, ସେକେଣ୍ଡ୍ ପଣ୍ଡିତଙ୍କର ମାସିକିଆ ତିନି ଟଙ୍କା ।

କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଗୋଟିଏ ଗୋଡ଼ ଟିକିଏ ଛୋଟା ଥିଲା । ଏଣୁ ଲୋକେ ତା'ଙ୍କୁ ଛୋଟା ମାଷ୍ଟ୍ରେ ବୋଲି ହିଁ ଡାକୁ ଥିଲେ । ହେଲେ ତାଙ୍କର ଖାଦି ବଳରାମପୁର ଗାଁରେ ଥିଲା ଭିନ୍ନ ପ୍ରକାରର । ସେ ସ୍କୁଲଟିକୁ ଗଛବୃଚ୍ଛରେ ଭରି ଏକ ସୁନ୍ଦର ନନ୍ଦନକାନନ କରି ଗଢ଼ି ତୋଳି ଥିଲେ । ତାହା ସହ ସେ ଥିଲେ ସ୍ନେହୀ । ସାଧାରଣତଃ ଚାହାଳିର ମାଷ୍ଟ୍ର କହିଲେ ଯେପରି ଜଣେ ରୁକ୍ଷ, ରାଗି ଲୋକର ଚେହେରା ଆମ ଆଖି ଆଗରେ ଭାସି ଉଠେ, ସେ ସେପରି ମୋଟେ ନଥିଲେ । 

ହେଲେ ଚାହାଳିଟିରେ, ଯାହା ପରେ ଇସ୍କୁଲଟିରେ ରୂପାନ୍ତରିତ ହେଲା, ପାଠ ପଢ଼ା ବିଶେଷ ହେଉ ନଥିଲା ବୋଧହୁଏ । ତେଣୁ କାଳିଆ ସେଠାରେ ବିଶେଷ କିଛି ଶିଖିଲେ ନାହିଁ । ଅନ୍ୟ କଥାଟି ହେଲା ଯେ, କାଳିଆଙ୍କର ଛଅ ସାତ ବର୍ଷ ପର୍ଯ୍ୟନ୍ତ ମାଆଙ୍କ ଠାରୁ ଖିର ଖିଆ ଛାଡ଼ି ନଥିଲା । ସେ ତରବରରେ ଇସ୍କୁଲୁରୁ ଦଉଡ଼ି ଆସନ୍ତି, ଆଉ ନିଜ ମାତାଙ୍କର ସ୍ତନରେ ମୁହଁ ଗୁଞ୍ଜି ଦିଅନ୍ତି । ଯଦିଓ ଏଥି ପାଇଁ ନିଜ ବଡ଼ବାପା ପୁଅ ଭାଇଙ୍କ ଠାରୁ ଉତ୍ତମମଧ୍ୟମ ମଧ୍ୟ ଖାଇବାକୁ ପଡ଼େ । କିନ୍ତୁ ଯେହେତୁ ବାପା, ମାଆ କିମ୍ବା ଜେଜେମାଆ ଏଥି ପାଇଁ ତାଙ୍କୁ ଆକଟ କରୁ ନଥିଲେ, ସେ ଏଣୁ ଅନେକ ଡେରି ପର୍ଯ୍ୟନ୍ତ ମାତୃ ସ୍ତନ୍ୟପାନରୁ ବଞ୍ଚିତ ହୋଇନଥିଲେ । 

ସେତେବେଳ ଯାଏଁ  ସମ୍ଭ୍ରାନ୍ତ ଖଣ୍ଡାୟତ ପରିବାରମାନଙ୍କରେ କେବଳ ଚାକିରୀ ପାଇଁ ପାଠ ପଢ଼ିବାର ପରମ୍ପରା ସୃଷ୍ଟି ହୋଇ ନଥିଲା । ଏଣୁ ଇସ୍କୁଲୁରେ କାଳିଆ କଅଣ ପଢ଼ିଲେ ନ ପଢ଼ିଲେ ସେଥି ପ୍ରତି ଗାର୍ଜନମାନଙ୍କର ସେତେ ବେଶି ନିଘା ନ ଥିଲା । ହେଲେ ପରିବାରର ସଂସ୍କୃତି ହିଁ ତାଙ୍କର ଭବିଷ୍ୟତ ବିଦ୍ୟାର ମୂଳଦୁଆ ପକାଇଲା । 

ଇସ୍କୁଲୁରେ ଫେରି, ଭାଇଙ୍କୁ ଲୁଚାଇ, ମାଆଙ୍କଠାରୁ ଖିର ଖାଇସାରିଲା ପରେ, ସେ ଜେଜେମା’ଙ୍କଠୁ ବୁଢ଼ୀମା’ କାହାଣୀ ଓ ଜେଜେଙ୍କଠାରୁ ‘ବୈଦେହୀଶ ବିଳାଶ’, ‘ଲାବଣ୍ୟବତୀ’ ଓ ‘ବିଦଗ୍ଧ ଚିନ୍ତାମଣି’ ଇତ୍ୟାଦି କାବ୍ୟର ଛାନ୍ଦଗୁଡ଼ିକର ଗାୟନ ଶୁଣୁଥିଲେ । ତାହା ସହିତ ବାପା ବେଳେବେଳେ ନିଜ ବଂଶର ଇତିହାସ କହି ବସନ୍ତି । କାରଣ ତାଙ୍କର ବିଶ୍ୱାସ ଥିଲା କି, ଏହା ବ୍ୟତୀତ ମଣିଷ ପୂର୍ଣ୍ଣାଙ୍ଗ ଜୀବନ ବଞ୍ଚିବା ସମ୍ଭବ ନୁହେଁ । 

ଗାଁ ସ୍କୁଲରୁ ପାଠ ସାରିଲା ବେଳକୁ ପିତାମ୍ବରଙ୍କର ବୟସ ହୋଇଥାଏ ନଅ କି ଦଶ । ପାଖରେ ସେତେବେଳେ କରିଲୋପାଟଣାରେ ହିଁ ମାଇନର ସ୍କୁଲଟିଏ ଥାଏ । ସେଇଠି ତାଙ୍କର ନାଁ ଲେଖା ହେଲା ଚତୁର୍ଥ ଶ୍ରେଣୀରେ, ୧୯୩୮ ସାଲରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ପୂର୍ବ ବର୍ଷରେ । 

ବି. ଦ୍ର. - ଏହି ଲେଖାଟିର ଉପାଦାନ କଟକସ୍ଥ ଓଡ଼ିଶା ବୁକ୍ ଷ୍ଟୋର ୧୯୮୨ ମସିହାରେ ଛାପିଥିବା ପ୍ରାଧ୍ୟାପକ ପୀତାମ୍ବର ପ୍ରଧାନଙ୍କର ଆତ୍ମଜୀବନୀ ‘ଘାସଫୁଲର ନିଜକଥା’ରୁ ସଙ୍ଗୃହିତ ।  

Sunday, February 22, 2026

ପୀରତି କି ଜାତି ପଦାର୍ଥ

ଶୈଲେନ ରାଉତରାୟ


ଗଣକବି ବୈଷ୍ଣବ ପାଣିଙ୍କର ବିଭାଘର ହୁଏ ଉଣେଇଶି ବର୍ଷ ବୟସରେ, ସମ୍ଭବତଃ ୧୯୦୧ ମସିହାରେ । ପାତ୍ରୀ ଜଣଙ୍କ ଥିଲେ ଜଳୌକା ପାଖ ଦେବିଲ ଗାଁର ଜୟରାମ ପଣ୍ଡାଙ୍କ ଝିଅ । ସେତେବେଳେ ପାଲାଗାୟକ ବନିବା ପାଇଁ ପାଣିଙ୍କର ପ୍ରସ୍ତୁତି ଚାଲିଥାଏ । ହେଲେ ସେ ଗୁରୁ କଲେ ନାହିଁ । 

ପ୍ରଥମେ କୋଳିଅଠା ଗ୍ରାମର ଘନ ପଣ୍ଡାଙ୍କର ପୁଅ ଜଗନ୍ନାଥଙ୍କ ସାଙ୍ଗରେ ଗାୟକ ବନିଲେ । ପାଲା ପରିବେଷଣ କରିବା ପାଇଁ ଗଡ଼ଜାତ ଅଭିମୁଖେ ଉଦ୍ୟତ ହୁଅନ୍ତେ, ବାପା ସୁଦର୍ଶନ ପାଣି ସେଥିରେ ବାଧା ଦେଲେ । ହେଲେ ବାପାଙ୍କ କଥା ନମାନି, ଦର୍ପଣର ମଇଁଷିଆଖଡ଼ା, ପୁନିଆଁ, କୁରୀକଣା, ନେତ୍‌କା ଓ ଚଣ୍ଡୀ ପ୍ରଭୃତି ଜାଗାରେ ସେ ପାଲା ଗାଇଲେ । ବର୍ଷା ହେଲାରୁ ଗସ୍ତ ସମାପ୍ତ କରିବାକୁ ପଡ଼ିଲା । 

ଇଆଡ଼େ ବାପା ବିବାହର ସମସ୍ତ ବନ୍ଦୋବସ୍ତ କରି ରଖିଥିଲେ । ବାପା ମାଆ ଓଲିଆ ପୁଅ କାନ୍ଧରେ ଢୋଲ ପଡ଼ିଲେ ବଜେଇ ଶିଖିବ ଭାବି, ଜୋରଜବରଦସ୍ତି ଆଗରୁ ଠିକ୍ କରି ରଖିଥିବା କନିଆ ସହିତ ବିବାହ କରିଦେଲେ । ଦରିଦ୍ର ବ୍ରାହ୍ମଣ ପରିବାରରୁ ଆସିଥିବା ବୈଷ୍ଣବଙ୍କର କୁଟୁମ୍ବ ପୋଷିବାର ଉପାୟ ହେଲା ପାଲା ପରିବେଷଣ । ହେଲେ ନିଜ ଗାଁର ଗୋଟିଏ ଗଉଡ଼ ପରିବାରରେ ଜନ୍ମ ଏକୋଇଶାପାଲା ପରେପରେ ଛୁଆଟି ମରିଯିବାରୁ ପାଲା ଗାୟକ ଭାବରେ ପାଣିଙ୍କର କର୍ମଜୀବନ ଆଶୁମୃତ୍ୟୁ ଲଭିଲା ।

ଏହା ପରେ ପରିବାର ପ୍ରତିପାଳନର ଉପାୟ ବନିଲା ମାଳିହତା ଗାଆଁରେ ଯାତ୍ରା ଦଳରେ ଓସ୍ତାଦି । ବହିର ଅଭାବ ଥିବାରୁ ଏହି ସମୟରେ ସେ ନିଜେ ବହି ଲେଖି ଦଳର ଆବଶ୍ୟକତା ମେଣ୍ଟାଇଲେ । ଏହା ସହ ତାଙ୍କର ଲେଖକୀୟ ଜୀବନ ମଧ୍ୟ ଆରମ୍ଭ ହେଲା । ଧୀରେ ଧୀରେ ଓଡ଼ିଶା, ବଙ୍ଗ ପ୍ରଦେଶର ଅନ୍ୟାନ୍ୟ ଜାଗା ତଥା ନାନାଦି ଗଡ଼ଜାତରେ ତାଙ୍କର ନାଁଡ଼ାକ ହେବାକୁ ଲାଗିଲା । 

ହେଲେ ଏହି ସମୟରେ ତେର ମାସ ମାତ୍ରର ବ୍ୟବଧାନରେ ତାଙ୍କର ପ୍ରଥମେ ମାତୃବିୟୋଗ ଓ ତାହା ପରେ ପିତୃହାନି ଘଟିଲା । ଏହା ପରେ ଘର ପାଖ ମଠର ମହନ୍ତ ରାମନାଥ ପୁରୀ ଗୋସ୍ୱାମୀ ନିଜ ପାଖରେ ପାଣିଙ୍କୁ ରଖାଇ ସମସ୍ତ ମହାଜନୀ କାରବାରର ଦାୟିତ୍ୱରେ ତାଙ୍କୁ ନିଯୁକ୍ତ କଲେ । ଆଦାୟରୁ ଶତକଡ଼ା ଦଶ ଭାଗ କମିଶନି ବୈଷ୍ଣବ ବାବୁଙ୍କର । 

ଏହି ସମୟରେ ଗୋସ୍ୱାମୀ ମଠ ପାଖରେ ଜଣେ ରଜକି କନ୍ୟା ତାଙ୍କର ଚିତ୍ତହରଣ କରେ । ସେ ତାହାର ରୂପ ଓ ଗୁଣ ଉଭୟରେ ମୁଗ୍ଧ ହୁଅନ୍ତି । ଝିଅଟିର ନାମ ହାରାମଣି । ଶ୍ରଦ୍ଧା ନାମ – ହର । ସେତେବେଳକୁ ସେ ବୟଃପ୍ରାପ୍ତ ହୋଇନଥାଆନ୍ତି । ତାଙ୍କର ଘରକୁ ବାରମ୍ବାର ଯିବାଆସିବା କରୁଥିବାରୁ ହରଙ୍କର ମା’ ପାଣିଙ୍କଠାରେ ପ୍ରୀତ ଥାଆନ୍ତି । ସେ ଯଥାମତେ ସେହି ପରିବାରଟିକୁ ସାହାଯ୍ୟ ମଧ୍ୟ କରୁଥାଆନ୍ତି । 

କନ୍ୟାଜଣଙ୍କ ସେ ସମୟର ହିସାବରେ ବିବାହଯୋଗ୍ୟା ହେବାରୁ ନାନାଦି ଜାଗାରେ ତାଙ୍କର ପ୍ରସ୍ତାବ ପଡ଼ିବାକୁ ଆରମ୍ଭ ହେଲା । ପାଣି ଯାଇ ନାନା କୁଟକପଟ କରି ସେସବୁକୁ ଭାଙ୍ଗନ୍ତି । ମଧୁପୁରରଗଡ଼କୁ ଯାତ୍ରା ପରିବେଷଣ ପାଇଁ ଥରେ ଯାଇଥିବା ସମୟରେ ସୁଯୋଗ ଦେଖ‌ି ହରଙ୍କର ମା’ ଝିଅଟିର ବିବାହ ସାଲେପୁରର ଔରଙ୍ଗାବାଦର ଜଣେ ନିଜ ଜାତିର ପିଲା ସହ କରାଇଦେଲେ ।

ଏହା ପରେ ଗ୍ରାମକୁ ଫେରି ବୈଷ୍ଣବ ପାଣି ଦେଖିଲେ ଯେ ତାଙ୍କର ପ୍ରେୟସୀ ଆଉ ଗାଁ'ରେ ନାହାନ୍ତି । ସେ ବର୍ତ୍ତମାନ ବିବାହିତା । ଏତିକି ବେଳେ ଔରଙ୍ଗାବାଦରୁ ହିଁ ଗାଆଁର ଯାତ୍ରାଦଳର ଓସ୍ତାଦି ପାଇଁ ନିମନ୍ତ୍ରଣ ମିଳିଲା । ପାଣି ଆନନ୍ଦ ମନରେ ସେଠାକୁ ଗଲେ । ଗାଁରେ ପହଞ୍ଚିବାର ଦୁଇତିନି ଦିନ ମଧ୍ୟରେ ହିଁ ଗାଧୁଆତୁଠରେ ହରଙ୍କ ସହ ତାଙ୍କର ଦେଖାସାକ୍ଷାତ ହେଲା । ତାଙ୍କୁ ଦେଖି ସେ ବିଚାରି କାନ୍ଦି ପକାଇଲେ । ସେଇଠୁ ସେ ତାଙ୍କୁ ଶ‌ିକ୍ଷା ଦେଲେ ନିଜ ପତିଙ୍କୁ ପରିତ୍ୟାଗ କରି ଗାଁ'କୁ ଚାଲିଯିବା ପାଇଁ । 

ଝିଅଟି ନିଜ ଘରକୁ ଫେରି ଆସିବା ପରେ, ପାଣି ମଧ୍ୟ ଔରଙ୍ଗାବାଦ ଛାଡ଼ି ନିଜ ଠା’କୁ ଲେଉଟି ଆସିଲେ । ବର ଘର ଯେତେ ଆସି ହରଙ୍କୁ ଲେଉଟାଣି ନେବା ପାଇଁ ଚେଷ୍ଟା କଲେ, ସେଥିରେ ସଫଳ ହେଲେ ନାହିଁ । ହରଙ୍କର ମା’ଙ୍କ ଆଗରେ ପାଣି ଆଜ୍ଞା ତାଙ୍କ ଶାଶୁଘର ବିଷୟରେ ସତମିଛ କରି ଏତେ ପରକାରେ କହିଲେ ଯେ, ହରଙ୍କର ବି ସାହସ ବଢ଼ିଗଲା । ସେ ଆଦୌ ଔରଙ୍ଗାବାଦ ଫେରିଯିବା ପାଇଁ ଆଉ ରାଜି ହେଲେ ନାହିଁ । 

ହର ବରଘରର ଆୟଅଳଙ୍କାର ଆଦି ଲେଉଟାଇ ଦେଲେ । ପାଣିଙ୍କର ମନ୍ତ୍ରଣା ସଫଳ ହେଲା । ଦୁଇ ପକ୍ଷ ଭିତରେ ଆଉ କୌଣସି ଆପୋଷ ମିଳାମିଶା ସମ୍ଭବ ହେଲା ନାହିଁ । ଏହାର ଅଳ୍ପ କିଛି କାଳ ମଧ୍ୟରେ ହିଁ ହରଙ୍କର ବର ଖଜୁରିଗଛ ରସ ଚୋରାଇ ପିଉଥିବା ବେଳେ ସାପକାମୁଡ଼ାରେ ମରିଗଲେ ।

ଏସବୁ ଭିତରେ ହର ଓ ପାଣିଙ୍କର ଚୋରା ପୀରତି ଚାଲିଥାଏ । ଏପରି କଥା ଆଉ କି ଲୁଚି ରହନ୍ତା । ବାବୁଙ୍କର ଘର ଲୋକେ ଜାଣିଲେ । ଆଉ କିଛି କର୍ତ୍ତବ୍ୟ ନ ପାଇ ଗୁଣି ଇତ୍ୟାଦି ମଧ୍ୟ କଲେ । ହେଲେ ଯେତେ ବାଧାବିଘ୍ନାଦି ସୃଷ୍ଟି ହେଉଥାଏ, ପାଣିଙ୍କର ହରପ୍ରେମ ସେତେ ବେଶୀ ବଢ଼ୁଥାଏ । ଆଉ କୌଣସି ଥଳକୂଳ ନ ଦେଖି ହର ଗୋଟିଏ ପ୍ରସ୍ତାବ ଦେଲେ । ପ୍ରସ୍ତାବଟି ହେଲା ଏଇଆ – କଲିକତାରୁ ଠାକୁର ଆଣି ଘରର ଯାବତୀୟ ସମ୍ପତ୍ତି ତାଙ୍କ ନାମରେ କରି ସ୍ତ୍ରୀଙ୍କୁ ମାର୍ଫତଦାର କରିଦିଆଯାଉ । 

ଶେଷକୁ ପାଣିଏ ଚବିଶ ଜଣ ବ୍ରାହ୍ମଣଙ୍କ ସହ କଲିକତା ଠାକୁର ମୂର୍ତ୍ତି ଖୋଜି ଗଲେ । ଶେଷକୁ ଯୋଡ଼ାଶଙ୍ଖରେ ଠାକୁର ମିଳିଲେ । ଦିଅଁ ପ୍ରତିଷ୍ଠା ପାଇଁ କାର୍ଡ଼୍ ଛପାଇ ପାଞ୍ଚଶହ ଟଙ୍କାର ଚାନ୍ଦା ମଧ୍ୟ ସଙ୍ଗ୍ରହ କରାଗଲା । ହେଲେ ଏତେ ସବୁ ଆୟୋଜନ ସରିଲା ପରେ ଜୟରାମ ପଣ୍ଡାଙ୍କ କନ୍ୟା (ଯାହାଙ୍କ ନାମ ପାଣି କେବେ ନିଜର ଆତ୍ମଜୀବନୀରେ ନିଅନ୍ତି ନାହିଁ) ଠାକୁରଙ୍କର ମାର୍ଫତଦାର ବନିବା ପାଇଁ ରାଜି ହେଲେ ନାହିଁ  ।

ଏଥିକୁ ପାଣି ଏକ ବସ୍ତ୍ର ହୋଇ ଘର, ସମ୍ପତ୍ତି ସମସ୍ତ ତ୍ୟାଗ କଲେ । ବିରୂପାକୂଳରେ କୁଡ଼ିଆଟିଏ ତୋଳାଇ ହରଙ୍କ ସହ ଦାମ୍ପତ୍ୟ ଜୀବନ ଅତିବାହିତ କରିବାକୁ ଆରମ୍ଭ କଲେ । ହେଲେ ପ୍ରଥମ ସ୍ତ୍ରୀ ମାମଲାକୁ ଏପରି ସହଜ ଭାବରେ ରଫାଦଫା କରିଦେବା ପାଇଁ ଛାଡ଼ିଲେ ନାହିଁ । ସେ ବାଟେଘାଟେ ଭଡ଼ାଟିଆ ଜଗାଇ ନିଜ ସ୍ୱାମୀଙ୍କୁ ମାଡ଼ ମରାଇବା ପାଇଁ ଲୋକ ନିଯୁକ୍ତ କଲେ । ପାଣି ଅନେକ ଥର ମାଡ଼ ମଧ୍ୟ ଖାଇଲେ ।

ସେ ଏହି ସମୟରେ ଗୁଆଳିପୁର ଯାତ୍ରା ଦଳର ଓସ୍ତାଦ ରୂପେ ନିଯୁକ୍ତି ପାଇ ନିଜ ରଚିତ ଗଙ୍ଗେଶ୍ୱରଦେବ, କୀର୍ତ୍ତିବୀର୍ଯ୍ୟ ଓ ଧୃବ, ଏହି ତିନୋଟି ନାଟକ ସଫଳତାର ସହ ମଞ୍ଚସ୍ଥ କରାଇ କଲିକତା ପ୍ରବାସ କଲେ । ସେଠାରେ ଚାରି ମାସରୁ ଅଧିକ କାଳ ଅବସ୍ଥାନ କରି ପାଞ୍ଚ ହଜାରରୁ ଅଧିକ ଟଙ୍କା ଅର୍ଜନ କଲେ । ଏଥିରୁ କିଛି ଟଙ୍କା ହରଙ୍କ ପାଖକୁ ପ୍ରେରଣ କଲେ ବିରୂପା କୂଳରେ ବାପଘର ପାଖରେ ଖଣ୍ଡେ ବସା ତୋଳିବା ନିମନ୍ତେ । 

ଏହି ସମୟରେ ଯାତ୍ରା ଓସ୍ତାଦ ଭାବରେ ଖ୍ୟାତି ବ୍ୟାପିବାରୁ ଅର୍ଥ ଉପାର୍ଜନ ମଧ୍ୟ ବଢ଼ିଲା । ମାସିକ ବହି ଲେଖିଲେ ଅଶୀ ଟଙ୍କା ଖଣ୍ଡେ ମିଳୁଥିଲା । ଯାତ୍ରାଦଳର ଓସ୍ତାଦ ହିସାବରେ ଦରମା ଥିଲା ମାସକୁ ଚାଳିଶ ପଚାଶ ଟଙ୍କା । ନିଜର ପ୍ରିୟତମାଙ୍କୁ ଏହି ଆୟର ଅଂଶ ଦେଉଥିବାରୁ ହର ଏହା ମଧ୍ୟରେ ସୁନା ରୂପା ଅଳଙ୍କାର ଓ ଦୁଇ ତିନି ମାଣ ପରିମାଣର ଚାଷ ଜମି ଆଦି କିଣିବାରେ ସମର୍ଥ ହେଲେ । 

ହରଙ୍କ ଗୁଣ ଓ ଆଚରଣରେ ପାଣି ମୁଗ୍ଧ ଥାଆନ୍ତି । ହାରାମଣି ଦୁଃଖୀର କଷ୍ଟ ବୁଝନ୍ତି । ଜୀବଜନ୍ତୁଙ୍କ ପ୍ରତିପୋଷଣରେ ଦକ୍ଷ । ସଙ୍ଗୀତରେ ପ୍ରବେଶ ଥାଏ । ଏହା ସହିତ ବେଶଭୂଷା ଓ ଆଚରଣରେ ଖୁଣିବାରେ ନାହିଁ । ହେଲେ ଏ ସବୁ ମଧ୍ୟରେ ବି ବୈଷ୍ଣବ ବାବୁଙ୍କର ନାନାଦି ବାରନାରୀଙ୍କର ସହ ଭାବପୀରତି ଚାଲିଥାଏ । 

ସହଭାଗିନୀ ହାରାମଣିଙ୍କର ଦୋଷଥାଏ ତ ଗୋଟିଏ । ପଇସାପତ୍ର ମାମଲାରେ ତାଙ୍କର କିଛି ହିସାବପତ୍ର ନଥାଏ । ବେହିସାବି ଖର୍ଚ୍ଚ କରନ୍ତି ସେ । ଅନେକ କାରଣରୁ ହର ଓ ପାଣିଙ୍କର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଲାଗେ । ହେଲେ ହର ଥିଲେ ସମ୍ପୂର୍ଣ୍ଣ ଭାବରେ ପତିଗତପ୍ରାଣା । ବିଗତଯୌବନ ପାଣି ଯେବେ କଟକ ମେଡ଼ିକଲରେ ଜୀବନ ସହିତ ସଙ୍ଗ୍ରାମ କରୁଥାଆନ୍ତି, ସେତେବେଳେ  ହରପ୍ରିୟା ହିଁ ଗାଁ'ରୁ ଆସି, ସେବା କରି ତାଙ୍କର ଜୀବନରକ୍ଷା କରିଥିଲେ । 

ଏହି ଘଟଣାର କିଛି କାଳ ପରେ ହିଁ ଏକ ସାମାନ୍ୟ ଜଙ୍ଘାବାତ ରୋଗ ଉତ୍କଟ ହେବାରୁ ହର ଦୁଇ ମାସ କାଳ କଷ୍ଟ ଭୋଗନ୍ତି । ନାନାଦି ପ୍ରକାରର ଚିକିତ୍ସା ପ୍ରଣୀଳୀର ପରୀକ୍ଷାନୀରିକ୍ଷାର ଶୀକାର ହୋଇ ସେ ଶେଷକୁ ପ୍ରାଣ ତ୍ୟାଗ କରନ୍ତି । ସେତେବେଳକୁ ବୋଧହୁଏ ୧୯୫୪ ସାଲ । ଏହିପରି ଭାବରେ ଚାରି ପୁରୁଷ ତଳର, ସେ ସମୟରେ ଅଭାବନୀୟ, ଏକ ବ୍ରାହ୍ମଣ-ରଜକୀ ସମ୍ପର୍କର ଅନ୍ତ ହୁଏ । 

ବି.ଦ୍ର. - ଏହି ଲେଖାରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା ।  

Thursday, January 22, 2026

ବି‌ଂଶ ଶତାବ୍ଦୀର ତିରିଶ ଦଶକର ପୁରୀରେ ପଢ଼ାପଢ଼ି

ଶୈଲେନ ରାଉତରାୟ 

ପୁରୀ ସହରର ଏକ ଜରାଜୀର୍ଣ୍ଣ କୋଠା
ଫଟୋ କ୍ରେଡ଼ିଟ୍ - ପିନାକ ପାଣି


୧୯୩୫ ମସିହାରେ ସର୍ବେଶ୍ୱର ଦାଶଙ୍କର ଡେପୁଟି ବାପାଙ୍କର ପୁରୀ ବଦଳି ହେଲା । ସେ ପୁରୀର ଟ୍ରେଜେରି ଅଫିସର ଭାବରେ ଜଏନ କଲେ । ସେତେବେଳେ ଜାନୁଆରୀ ମାସରୁ ଶିକ୍ଷାବର୍ଷ ଆରମ୍ଭ ହେଉଥାଏ । ସର୍ବେଶ୍ୱର ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ଯୋଗ ଦେଲେ । ତାହା ସହ ରାମକୃଷ୍ଣ ପାଠାଗାରର ସଦସ୍ୟ ମଧ୍ୟ ବନିଲେ । ପିଲାବେଳଠୁଁ ସେ ଇଂରାଜୀରେ ଆଗ୍ରହୀ ଥିଲେ । ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ । 

ସପ୍ତମ ଶ୍ରେଣୀରେ ତାଙ୍କର ପାଖ-ସିଟ୍ ବସା ସାଙ୍ଗ ଥିଲେ, ରବୀନ୍ଦ୍ର କୁମାର ମିତ୍ର । ତାଙ୍କଠାରୁ ବଙ୍ଗଳା ଲେଖିପଢ଼ି ଶିଖିଲେ ଓ ବହୁତ ବଙ୍ଗଳା ବହି, ଯଥା, ‘ଯଖେର ଧନ’, ‘ଆବାର ଯଖେର ଧନ’ ପରି ରୋମାଞ୍ଚକର ପୁସ୍ତକ ତଥା ‘ମୌଚାକ’ ଆଦି ବଙ୍ଗଳା ପତ୍ରିକା ପଢ଼ା ଆରମ୍ଭ ହେଲା । ପୁରୀରେ ଦାଶଙ୍କ ନନା ‘ବ୍ରହ୍ମବିଦ୍ୟା’ ପତ୍ରିକାଟି ମଗାଉ ଥାଆନ୍ତି । ତାହା ମଧ୍ୟ ନିୟମିତ ପଢ଼ା ହୁଏ । 

ଅଷ୍ଟମ ଶ୍ରେଣୀର ଆରମ୍ଭରେ ଏହି ପତ୍ରିକାର ସମ୍ପାଦକ କୁଳଦାପ୍ରସାଦ ମଲ୍ଲିକ ପୁରୀ ଆସି ଜିଲ୍ଲା ସ୍କୁଲ ହଲରେ କୁହୁକ ଲଣ୍ଠନ ସହିତ ‘ଯୁଗେ ଯୁଗେ ଭାରତ’ ଶୀର୍ଷକରେ ଗୋଟିଏ ବତ୍କୃତା ଦେଲେ । ଏହି ହଲଟି ବର୍ତ୍ତମାନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର କଲେଜ ହଲ ନାମରେ ନାମିତ । କୁହୁକ ଲଣ୍ଠନ (ମାଜିକ୍ ଲାଣ୍ଟର୍ନ) ବୋଇଲେ, ସେହି ଯନ୍ତ୍ରଟି ଭିତରେ ଚିତ୍ରଟିଏ ରଖି ଭିତର ଦୀପଟି ଜାଳିବାକୁ ପଡ଼େ  । ତାହା ପରେ ଆଗରେ ରଖା ହୋଇଥିବା ପରଦାଟି ଉପରେ ସେହି ଚିତ୍ରଟି ବଡ଼ ଆକାରରେ ଦେଖାଯାଏ ।

ଯୁଗେ ଯୁଗେ ଭାରତ’ ବତ୍କୃତାଟିରେ ମଲ୍ଲିକ ବାବୁ ଭାରତୀୟ ସନ୍ଥ ପରମ୍ପରା ବିଷୟରେ ବିଷଦ ଆଲୋଚନା କଲେ । ଏହା ସର୍ବେଶ୍ୱରଙ୍କ ଉପରେ ପ୍ରଭାବ ପକାଇଲା । ଏହା ପରେ ସେ ରାମକୃଷ୍ଣ ମିଶନ ପ୍ରତି ଆକର୍ଷଣ ଅନୁଭବ କରି ତାହାର ପୁରୀରେ ଥିବା ଗ୍ରନ୍ଥାଗାରର ସଦସ୍ୟ ବନିଲେ । ସେଠି ଥିବା ଧର୍ମ ଓ ଆଧ୍ୟାତ୍ମିକତା ବିଷୟର ବହିମାନ, ଯଥା ରାମକୃଷ୍ଣ ଓ ବିବେକାନନ୍ଦଙ୍କ ଜୀବନୀ ଇତ୍ୟାଦି ପଢ଼ିବାକୁ ଲାଗିଲେ । ଏହା ସହ ଲାଇବ୍ରେରିକୁ ଆସୁଥିବା ‘ମଡର୍ଣ୍ଣ ରିଭ୍ୟୁ’ ଆଉ ‘ଇଣ୍ଡିଆନ ରିଭ୍ୟୁ’ ପରି ପତ୍ରିକା ମଧ୍ୟ ପଢ଼ିବା ଆରମ୍ଭ ହେଲା । 

ଘରେ ବେଦ, ଉପନିଷଦ, ଗୀତା ଓ ଭାଗବତ ଇତ୍ୟାଦି ଥାଏ । ମୂଳ ଉପନିଷଦ ସହିତ ସଂସ୍କୃତ ଓ ବଙ୍ଗଳା ଟୀକା ଓ ଅନୁବାଦ ମଧ୍ୟ ଥାଏ । କିଛି ବୁଝା ପଡ଼େ । କିଛି ପଡ଼େନି । ହେଲେ ପଢ଼ା ଜାରି ରହେ । ଘରେ ଅନେକ ସମୟରେ ଓଡ଼ିଆ ଭାଗବତର ପାରାୟଣ ଶୁଣିବାକୁ ମିଳେ । ସର୍ବେଶ୍ୱର ବାବୁଙ୍କ ନନା ତ ଘରକୁ ‘ଷ୍ଟେଟ୍ସ୍‌ମ୍ୟାନ୍’ ଖବରକାଗଜ ମଗାଉଥିଲେ । ୧୯୩୬ ମସିହାର ଡିସେମ୍ବର ମାସରୁ ତାହା ମଧ୍ୟ ପଢ଼ିବାକୁ ଛାତ୍ର ସର୍ବେଶ୍ୱର ଆରମ୍ଭ କଲେ । ଏହା ଛଡ଼ା ଘରେ ଥିବା ‘ବୋଉ’, ‘ଗୋବର ଗୋଟେଇ’ ଓ ‘ମଲା ଜହ୍ନ’ ପରି ଓଡ଼ିଆ ଉପନ୍ୟାସ ତଥା କେତେକ ସଂସ୍କୃତ ନାଟକ ଯଥା ‘ବିକ୍ରମୋର୍ବଶୀୟମ’ର ଓଡ଼ିଆ ଅନୁବାଦ, ରାଧାନାଥ ଓ ମଧୁସୂଦନ ଗ୍ରନ୍ଥାବଳୀ ତଥା ଗଙ୍ଗାଧର ମେହେରଙ୍କର ଲେଖା ମଧ୍ୟ ସେ ପଢ଼ିଲେ ।

ଘର ପାଖରେ ରହୁଥାଆନ୍ତି ପୁରୀ ଜିଲ୍ଲା ସ୍କୁଲର ଯୁବ ଇଂରାଜୀ ଶିକ୍ଷକ ପିତାମ୍ବର କର । ଇଂରାଜୀ ସାହିତ୍ୟ ପଠନ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଗଭୀର ଆଗ୍ରହ ଥିଲା । ତାଙ୍କଠାରୁ ଆଣି ଐତିହାସିକ ନାଟକ ଲେଖୁଥିବା ବଙ୍ଗାଳୀ ନାଟ୍ୟକାର ଦ୍ୱିଜେନ୍ଦ୍ର ଲାଲ ରାୟଙ୍କର ଗ୍ରନ୍ଥାବଳୀ, ଗିରିଷ ଘୋଷଙ୍କର ନାଟକମାନ ପଢ଼ିଲେ । ଏହା ସହ ନାନୀ ପଦ୍ମାବତୀ ଦେବୀଙ୍କ ଠାରୁ ଆଣି ବଙ୍କିମଚନ୍ଦ୍ର ଗ୍ରନ୍ଥାବଳୀ, ନିରୂପମା ଦେବୀ ଓ ଅନୁରୂପା ଦେବୀଙ୍କ ଲେଖା, ଇଶ୍ୱରଚନ୍ଦ୍ରଙ୍କ ଜୀବନୀ ତଥା ଶରତଚନ୍ଦ୍ରଙ୍କ ଉପନ୍ୟାସମାଳା ବି ପଢ଼ା ହେଲା ।

ଏସବୁ ମାନବିକ ମୂଲ୍ୟବୋଧର ସୂକ୍ଷ୍ମ ଚେତନା ତାଙ୍କ ଭିତରେ ସୃଷ୍ଟି କଲା । ନବମ କି ଦଶମ ଶ୍ରେଣୀରେ ପଢ଼ା ଆରମ୍ଭ ହେଲା ରବି ଠାକୁରଙ୍କର କବିତା, ଯାହା ତାଙ୍କର କିଶୋର ପ୍ରାଣରେ ସୃଷ୍ଟି କଲା ଭାବର ପ୍ଲାବନ । ‘ଗୀତାଞ୍ଜଳି’ ଗୋଟିଏ ସନ୍ଧ୍ୟାରେ ସାରିଦେଲେ । ଠାକୁରଙ୍କ ପ୍ରଭାବରେ ଆରମ୍ଭ କଲେ ବଙ୍ଗାଳି ଭାଷାରେ କବିତା ଲେଖା ।  ନାନୀଙ୍କ ଘରେ ବଙ୍ଗାଳୀ ବହି ଛଡ଼ା ଅନେକ ଓଡ଼ିଆ ବହି, ଯଥା କାଳିନ୍ଦୀ ପାଣିଗ୍ରାହୀଙ୍କର ‘ମୁକ୍ତାଗଡ଼ର କ୍ଷୁଧା’, ‘ଅମର ଚିତା’ ଆଦି ମଧ୍ୟ ଥିଲା । ସେଗୁଡ଼ିକ ବି ପଢ଼ା ହେଲା । 

ସେତେବେଳେ ମାୟାଧର ମାନସିଂହଙ୍କର ‘ଧୂପ’ ଚହଳ ସୃଷ୍ଟି କରିଥାଏ । ହେଲେ ରକ୍ଷଣଶୀଳମାନେ ବହିଟି ଉପରେ ନାକ ଟେକୁଥାଆନ୍ତି । ଏଣୁ ବହିଟି ପଢ଼ା ହେଲା ଘରର ଛାତ ଉପରେ, ଲୁଚିଲୁଚି । ଏମିତି ପଢ଼ିପଢ଼ି ଯେଉଁ ୠଚିଟି ତିଆରି ହେଲା, ତାହା ପରେ ନିର୍ମାଣ କଲା ବିଦଗ୍ଧ ସାହିତ୍ୟ ଶିକ୍ଷକ ସର୍ବେଶ୍ୱର ଦାଶଙ୍କୁ ।

ବି.ଦ୍ର.: ଏହି ଲେଖାଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ । ଏଇ କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

Monday, December 22, 2025

ଯୀଶୁ ଖ୍ରୀଷ୍ଟ ରଥ

ଶୈଲେନ ରାଉତରାୟ


ରୋମ୍ ନଗରୀସ୍ଥ ସନ୍ଥ ପିଟରଙ୍କର ବାସିଲିକା ତଳେ ଗୋଟିଏ
ସମାଧିର ଛାତରେ ଥିବା ତୃତୀୟ ଶତାବ୍ଦୀର ଯୀଶୁ ଖ୍ରୀଷ୍ଟଙ୍କର ଏକ ମୋଜାଗି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଲେଇନାଡ଼୍-ଜେଡ଼୍ 
ମାରେ ତାଳି,
ତା ପଡ଼ିଶା ବନମାଳୀ
ବନମାଳୀ ବିକେ ଉପମା
ତା ପଡ଼ିଶା ମଣ୍ଡିସୁମା ।
- ଶ୍ୟାମ ପାଠୀ (ପୁଞ୍ଜିକୟାଁର ଫକୀର ଓ ଦୀନନାଥ ପାଠୀଙ୍କ ନନା)
 
ଭାରତର ସମସାମୟିକ ସଂସ୍କୃତିକୁ ରଥ ସଂସ୍କୃତି ବୋଲି କୁହାଯାଇପାରେ । ନେତାମାନେ ଲୋକମାନଙ୍କୁ ଧର୍ମ ନାମରେ ଉତ୍ତେଜିତ କରି ଭୋଟ ଗୋଟେଇବା ପାଇଁ, ଅଭିନେତାମାନେ ପ୍ରଚାର ନିମନ୍ତେ, ଅବସରପ୍ରାପ୍ତ ଅମଲାମାନେ ନୂଆ, ବିଦେଶୀ ଠାକୁରମାନଙ୍କୁ ଜନଜୀବନ ଭିତରକୁ ନିଜର ସ୍ୱାର୍ଥସାଧନ ପାଇଁ ଧସେଇ ପଶାଇବା ପାଇଁ, ରଥ ବୁଲାଉଛନ୍ତି - ମାଳମାଳ, ଅବିରତ । ଅବଶ୍ୟ ଆମର ଠାକୁର ଠାକୁରାଣୀମାନେ ଆଗରୁ ମଧ୍ୟ ରଥରେ ଯାତରା କରୁଥିଲେ । ମାତ୍ର ସେ ସଂସ୍କୃତି ଓ ଏ ନୂଆ ସଂସ୍କୃତି ଭିତରେ କଅଣ କଅଣ ସାମ୍ୟ ଓ ଭିନ୍ନତା ରହିଛି, ତାହା ବୋଧହୁଏ ତତ୍ତ୍ୱବିଦ୍ ସମାଜବେତ୍ତା ମାନେ କହିପାରିବେ । ଏ ଅଧମ ଲେଖକ ନୁହେଁ ।

କିନ୍ତୁ ଓଡ଼ିଶାରେ କେବେ ଯୀଶୁ ଖ୍ରୀଷ୍ଟ ରଥ ବୁଲିବାର ଆପଣ ଶୁଣିଥିଲେ? ଚିତ୍ରଶିଳ୍ପୀ, ଗବେଷକ ତଥା ଲେଖକ ଦୀନନାଥ ପାଠୀଙ୍କର ଆତ୍ମଜୀବନୀମୂଳକ ବହି ପୁଞ୍ଜିକୟାଁର ଫକୀରର ଏକ ଅଧ୍ୟାୟରେ ଆମେ ଭେଟୁ ଏହି ସୁନ୍ଦର ପରିକଳ୍ପନାଟିକୁ । ଏବେକୁ ନବେ ବର୍ଷରୁ ଅଧିକ ସମୟ ତଳେ ଗଞ୍ଜାମର ଦିଗପହଣ୍ଡିର ଜଣେ ବ୍ରାହ୍ମଣ ଶ୍ୟାମ ପାଠୀ ତାଙ୍କ ଗାଆଁର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁ ଖ୍ରୀଷ୍ଟ ରଥ ।

ଶ୍ୟାମ ପାଠୀ ପାଇଟି ପାଇଁ ଚିତ୍ରକରର ବୃତ୍ତି ଆପଣାଇ ଥିଲେ । ଏହି କାମ ଯୋଗୁଁ ପରିବାରକୁ ରାଜକୃପା ଯେତେ ପରିମାଣରେ ମିଳିବା କଥା, ମିଳୁନଥିଲା । ଶ୍ୟାମ ପାଠୀ ଜଣେ ଆଶୁ କବି ମଧ୍ୟ ଥିଲେ । ଆଉ ସେ ଥିଲେ ଜଣେ ପକ୍କା ହନୁମାନ ଭକତ । ଗୀତ ବୋଲୁଥିଲେ । ତାହା ସହିତ କାଠ କଣ୍ଢେଇ ମଧ୍ୟ ଗଢ଼ୁଥିଲେ ।

ତାଙ୍କ ବଡ଼ ପୁଅ ଲୋକାଆଉ ସାନ ଦିନ୍ନାଥ, ଉଭୟ ମାତୁଥିଲେ ଚିତ୍ରକର ବୃତ୍ତିର ନାନା ଅଛିଣ୍ଡା କାମରେ - ମୁଖା ଓ ଡ଼୍ରାମା ପୋଷାକ ତିଆରି, ଠାକୁର ଦିଅଁ ବନକ, ବିଭା ବରତ ନିମନ୍ତେ କାନ୍ଥରେ ଚିତ୍ର, ସାଇନିବୋର୍ଡ଼୍ ଲେଖା, ବହି ବନ୍ଧେଇ, ଇତ୍ୟାଦି ନାନା ଚିତ୍ରାଙ୍ଗି କାମ ତାଙ୍କ ପରିବାର ଚଳାଉଥିବା ଶିଳ୍ପକଳା ମନ୍ଦିରରେ ହେଉଥିଲା ।

ଏହି ପରିବାରର ମଉଡ଼ମଣି ଶାମ ପାଠୀ ନିଜ ଗାଁର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁଖ୍ରୀଷ୍ଟ ରଥ । ସେତେ ବେଳେ ଗାଆଁରେ ରଥ ନ ଗଡ଼ିଲେ ଠାକୁରାଣୀ ଯାତ ହେବା ସମ୍ଭବ ନଥିଲା । ଏହି ପରମ୍ପରା ପାଠୀ ଆଜ୍ଞାଙ୍କ ଗାଆଁରେ ଆଉ ନାହିଁ । ମାତ୍ର ବରମ୍ପୁର୍ ସହରରେ ଏବେ ବି ଅଛି ।

ପାଠୀଙ୍କ ଗାଁରେ ରଥ ତିଆରୁଥିଲେ ସାଆନ୍ତରା ସାହିର ଚିତ୍ରକର ପରିବାର । ମାତ୍ର ସେମାନେ ଥିଲେ ନିତାନ୍ତ ପାରମ୍ପରିକ । କିଛି ନୂଆ କଥା କରିବା ସେମାନଙ୍କ ମଗଜକୁ ଢୁକୁନଥିଲା । ଠାକୁରାଣୀ ଯାତ୍ରା ଆୟୋଜନ କରୁଥିବା ବେଲମା ସାଇର ଗଜାଟୋକାଙ୍କୁ ବରଷେ ଏ ମରହଟ୍ଟିଆ ଛାଞ୍ଚ ନ ରୁଚିବାରୁ ସେମାନେ ଆଧୁନିକ କିଛି ଚାହିଁଲେ ।

ବାମୁଣ ସାଇର ଶ୍ୟାମ ପାଠୀ ସାନ୍ତରା ସାଇର ଚିତ୍ରକରମାନଙ୍କ ସହିତ ମିଶି ନୂଆ କିଛି କରିବାର ପ୍ରତିଶ୍ରୁତି ଦେଲେ । ଠିକ୍ ହେଲା ଘନଶ୍ୟାମ ମହାପାତ୍ର ନିଜେ ସ୍ୱଦେହରେ ନିଶ, ଦାଢ଼ି ଲଗାଇ, ଉପଯୁକ୍ତ ଜାମାଯୋଡ଼ ପିନ୍ଧି ଯୀଶୁ ଖ୍ରୀଷ୍ଟ ଭୂମିକାରେ ରଥାଋଢ଼ ହୋଇ ଅବତୀର୍ଣ୍ଣ ହେବେ ।

ଠାକୁରାଣୀ ଯାତ୍ରାର ସମୟ ଆସିଲା । କ୍ରୁଶକାଠ ରଥ ଉପରେ ବନ୍ଧା ହେଲା । ମହାପାତ୍ରଙ୍କୁ ବେଶଭୂଷା କରି ରଥ ଉପରେ କ୍ରୁଶ ସହ ବାନ୍ଧି ଦିଆଗଲା । ଦୁଇ ହାତ ଦୁଇ ଆଡ଼କୁ ମେଲା କରି ବେଡ଼ି ଦଉଡ଼ିରେ ବନ୍ଧା ହେଲା । ଗୋଡ଼ ଦିଓଟିକୁ ଏକାଠି କରାଗଲା । ତାହାକୁ ନଳିଗଣ୍ଠା ପରି ଆଉ ସେରିଏ ବନ୍ଧା ଗଲା । ଅଣ୍ଟାକୁ କ୍ରୁଶ କାଠ ସହ ଗାମୁଛା ସହିତ ଯୋଡ଼ି ଆଣ୍ଟ କରି ଛନ୍ଦି ଦିଆଗଲା । ମହାପାତ୍ରେ ପିନ୍ଧିଥାଆନ୍ତି ଫାଲଟାମରା ଗାମୁଛା ଖଣ୍ଡିଏ । ବିନା ଅନ୍ତର୍ବସ୍ତ୍ରରେ । ବଡ଼ଦାଣ୍ଡକୁ ରଥ ଆସିଲାପରେ ତାହାର ଘୋଡ଼ଣି ଖୋଲିଦିଆଗଲା ।

ଲୋକେ ଏ ନୂଆ କାଣ୍ଡକାରଖାନା ଦେଖି ଅସମ୍ଭାଳ ହେଲେ । ଯୀଶୁଙ୍କ ମହିମା ବିଷୟରେ ଶୁଣିଥିବା ଲୋକେ ହାତଟେକି ଶରଣାଗତି ମୁଦ୍ରାରେ କୃପାଭିକ୍ଷା କଲେ । ରଥାଋଢ଼ ଯୀଶୁଙ୍କର ମହିମା ବିଷୟରେ ବେଲମା ସାହିର କିଛି ପିଲା ସାଙ୍ଗେସାଙ୍ଗେ ପ୍ରଚାର ଆରମ୍ଭ କଲେ । ଜାଗିଲି ସାହିର କିଛି ମାଇପେ ଜବର ହୁଳୁହୁଳି ମଧ୍ୟ ପକାଇବାକୁ ଆରମ୍ଭ କରିଦେଲେ । ହୁଳୁହୁଳିର କାରଣ ପଚାରିବାରୁ ଉତ୍ତର ମିଳିଲା -ଯିଏ ରଥରେ ବିଜେ କଲା ସିଏ ରଜା ନ ହେଲେ ଠାକୁର

ରଥ ରଚନା ଓ ତାହାର ସାଜସଜ୍ଜାକୁ ନେଇ ଗାଆଁଟିରେ ଏ ପର୍ଯ୍ୟନ୍ତ ଆଖ୍ୟାୟିକାମାନ ବିଛାଡ଼ି ହୋଇ ପଡ଼ିଛି । ଆଉ ପ୍ରାୟ ଆଖ୍ୟାୟିକାର ମଝିରେ ଅଛନ୍ତି ଜଣେ ଲୋକ, ଶ୍ୟାମ ପାଠୀ । ଏବେ କିଛି ଜେଗାରେ ଆର୍ଟ୍ ଅନ୍ ହ୍ୱିଲ୍ସ୍ର କଥା ଉଠୁଛି । ପାଠୀ ମହାଶୟଙ୍କର ଯୀଶୁ ଖ୍ରୀଷ୍ଟ ରଥ ବୋଧହୁଏ ଥିଲା ଓଡ଼ିଶାର ପ୍ରଥମ ଆର୍ଟ ଅନ୍ ହ୍ୱିଲ୍ସ୍’ - ଅର୍ଥାତ୍ ରଥକଳା ।

ଟୀକା: ଏହି ଲେଖାଟିର ଉପାଦାନ ଦୀନନାଥ ପାଠୀଙ୍କର ଆତ୍ମ ଜୀବନୀ ପୁଞ୍ଜିକୟାଁର ଫକୀରରୁ  ସଙ୍ଗୃହିତ । ଏହି କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିର ୨୦୧୬ ମସିହାରେ ପ୍ରକାଶିତ ୧-୧୫ ସେପ୍ଟେମ୍ବର ସଙ୍ଖ୍ୟାରେ ଛପିଥିଲା ।  

Saturday, November 22, 2025

ବିସିନାଥପୁରରେ ପିଲାଦିନ ଓ ପଢ଼ାପଢ଼ି

ଶୈଲେନ ରାଉତରାୟ


ପୁରୀ ଜିଲ୍ଲାର ରାଇବେରୁଆଁ ଗାଆଁରେ ସୂର୍ଯ୍ୟାସ୍ତ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଭାଗବତ ସେଠୀ

କାଗଜପତ୍ରରେ କାଳିଆର ଜନ୍ମ ୧୯୦୧ ମସିହାର ଜୁଲାଇ ଦୁଇ ତାରିଖରେ, ଶପନେଶ୍ୱର ପାଣିଗ୍ରାହୀଙ୍କର ପତ୍ନୀୀଙ୍କର ଦଶମ ସନ୍ତାନ ଭାବରେ । ହେଲେ ଜାତକରେ ଥିବା ତଥ୍ୟ ଅନୁସାରେ ଓ ଓଡ଼ିଆ ପାଞ୍ଜି ହିସାବରେ ଦେଖିଲେ, ପିଲାଟିର ଜନମ ୧୩୦୮ ସାଲର ଶ୍ରାବଣ ମାସର ପ୍ରଥମ ରାତିରେ, କୃଷ୍ଣ ପ୍ରତିପଦା ତିଥିରେ, ମଙ୍ଗଳବାର ଦିନ । 

କାଳିଆର ପୈତୃକ ଗ୍ରାମ ହେଲା ଅବିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗାଆଁରେ । ଗ୍ରାମ୍ୟଭାଷାରେ ତାହାର ନାମ ବିସିନାଥପୁରୁ । କାଳିଆର ମାମୁଁ ଘର ବି ସେଇ ଗାଁ'ରେ ହିଁ । ବାପା ଥିଲେ ମୁକ୍ତାର । ସେ ପୁରୀ ସହରରେ କାମ ପାଇଁ ନିବାସୀ, ଘରକୁ ଶନିବାର ରାତ୍ରିରେ ଆସି ରବିବାର ଦିନ ଗାଡ଼ିରେ ଲେଉଟି ଯାଆନ୍ତି ।

କାଳିଆ କୁନିଟିଏ ହୋଇଥାଏ । ବାପା ତା'କୁ ନେଇ ଗଲେ ଗାଁ' ଇସ୍କୁଲୁକୁ ବିଦ୍ୟାରମ୍ଭ ପାଇଁ । ମାଷ୍ଟ୍ରେ ନୂଆ ଚାଟଙ୍କର ହାତ ଧରି ଚଟାଣ ଉପରେ ଖଡ଼ିରେ ବଡ଼ ବଡ଼ ମୁଣ୍ଡଳା ବୁଲାଇ ବହ୍ମା, ବିଷ୍ଟୁଁ, ମଏସର ଲେଖି ଦେଲେ । କିନ୍ତୁ ବିଦ୍ୟାଳୟରେ ରୀତିମତ ନାମ ଲେଖା ହେଲା, କାନଫୋଡ଼ା କର୍ମ ସମ୍ପନ୍ନ ହେଲା ପରେ । 

ଆଗେ ନାପିତ ଜଣଙ୍କ କାଳିଆକୁ ଛେନାଗୁଡ଼ ଖାଇବାକୁ ଦେଲେ, ଆଉ ତାପରେ କାନ ଫୋଡ଼ିଦେଲେ । ତାହା ସହ ପୁରୋହିତଙ୍କର ଗଣେଶମନ୍ତ୍ର ପାଠ ସହ କାଳିଆକୁ ନଡ଼ିଆ ଭାଙ୍ଗିବାକୁ ପଡ଼ିଲା । ଏଇ ଚୁଡ଼ାକର୍ମ ପରେ ଯ।ଇ ତା'ର ବିଦ୍ୟାଳୟ ଗସ୍ତ ସିନା ଆରମ୍ଭ । ହେଲେ ପାଠପଢ଼ା ତଦାରଖ କରିବା ପାଇଁ ଘରେ ସେମିତି କେହି ନଥାାଆନ୍ତି । ବାପା ଓ ବଡ଼ ଭାଇ ତ ଯାଇଁ ପୁରୀରେ ।

କାଳିଆର ଅସଲ ଗାର୍ଜନ ହେଲେ ପିଅସି ପୁଅ ଭାଇ ଭୋବନି ଭାଇନା, ଅର୍ଥାତ୍ ଶପନେଶ୍ୱରଙ୍କ ଭଣଜା । ସେ ନିଜ ସାନ ଭାଇଟିକୁ ଭଲ ତ ପାଉଥିଲେ ଅପର୍ଯ୍ୟାପ୍ତ । ଆଉ ତାହା ସହ, ନଡ଼ିଆ ପତ୍ରରେ ପେଏଁକାଳି ତିଆରି କରିବାଠୁଁ ଲୋକସାଧାରଣରେ ବ୍ୟବହାର ଆଦି ସବୁ କିଛି କାଳିଆକୁ ଶିଖାଉଥିଲେ । 

ହେଲେ ଭୋବନି ଭାଇନାଙ୍କର ଅସଲ ଦାୟିତ୍ୱ ଥିଲା କାଳିଆକୁ ଇସ୍କୁଲକୁ ନିୟମିତ ପଠାଇ ପାଠପଢ଼ାର ଦାୟିତ୍ୱ ବୁଝିବା । ତାହା ଅବଶ୍ୟ ସେ କେମିତି ତୁଲାଉ ଥିଲେ, ତାହା ମାଆ ଗଙ୍ଗେ ଜାଣନ୍ତି । ଏଣୁ ଧିରେଧିରେ କାଳିଆର ପାଠପଢ଼ାରେ ମତି କମିଲା, ଗାଁ' ଟୋକାଙ୍କ ସହ ଖେଳକୁଦରେ ମାତି ଦୁଷ୍ଟାମି କରିବା ବଢ଼ିଲା ।

ସେବେ ବିଦ୍ୟାଳୟଟି ଥାଏ ସଡ଼କ ଉପର ଜାଗା ଘରେ । ଗାଁ ଭିତରର ଇସ୍କୁଲୁ ଘରଟି ସେତେବେଳ ସୁଦ୍ଧା ଭାଙ୍ଗି ଯାଇଥାଏ । ଗାଆଁ ସ୍କୁଲର ମାଷ୍ଟରମାନଙ୍କର ମତିଗତି ପିଲାଙ୍କ ପାଠପଢ଼ାର କିଛି ବେଶି ସହାୟକ ନଥାଏ । 

ଗାଁ ସ୍କୁଲରେ ଶିକ୍ଷକ ଥାଆନ୍ତି ଅଲେଖଚନ୍ଦ୍ର ଶତପଥି, କାଳିଆର ନିକଟ ସମ୍ପର୍କୀୟ ଭିଣୋଇ । ସେ ଥିଲେ ଜଣେ ନିଷ୍ଟୁର, ନିର୍ମମ ଅଧ୍ୟାପକ । ପିଲାଙ୍କ ଉପରେ ତାଙ୍କର ମାଡ଼ ଦେଖିଲେ ପଥର ମଧ୍ୟ ତରଳି ଯିବ । ତାଙ୍କର ବେତଟି ନିୟମିତ ଛାତ୍ରମାନଙ୍କର ଦେହ ସାରା ବୁଲି ଆସେ, କୌଣସି ତଥାକଥିତ ତାତ୍କାଳିକ କାରଣ ଥାଉ ବା ନଥାଉ ।

ହେଲେ ପାଠପଢ଼ା ଛଡ଼ା ବାକି ବହୁତ କାମ ଦିନସାରା ହୁଏ । କାହା ବାଡ଼ିରେ ଆମ୍ବ ଗୋଟା ହୁଏ । କକେଇ ଘର ଗଡ଼ିଆରେ ପହଁରା ମଧ୍ୟ ଚାଲେ । ତାହା ବ୍ୟତୀତ ମାଛ ଧରା, ଗଛ ଚଢ଼ା, ମହୁ ଧରା, ଆଦି ତ ନିୟମିତ କରାଯାଏ ସାଙ୍ଗମେଳରେ । ଯେତେ ଦୁଷ୍ଟାମି କରାଗଲେ ବି, ସେ ବେଳର ଗ୍ରାମୀଣ ପରିବେଶରେ ସାହିତ୍ୟ ଓ ସଂସ୍କୃତିର ଶିକ୍ଷା ଅବଲୀଳା କ୍ରମେ ହେଉଥାଏ । 

ଅଲା ଭାଇନା ଗାଆନ୍ତି ପ୍ରାଚୀନ ଓଡ଼ିଆ କବିତାର ଅନେକ ଛାନ୍ଦ - ଗାଇବା ସହ ଅର୍ଥ ମଧ୍ୟ ବୁଝେଇ ଦିଅନ୍ତି । ସେହିପରି ବାଞ୍ଛା କକେଇ କୌଣସି ସଙ୍ଗୀତ କି ଆଖଡ଼ା ଦଳରେ ନଥିଲେ । ହେଲେ ବଇଠକି ଗାଆଣ ଢାଞ୍ଚାରେ ସେ ଥିଲେ ଜଣେ ଭଲ ଗାୟକ । 

ଛୁଟି ଦିନମାନଙ୍କରେ ବାପାଙ୍କୁ ଭେଟିବାକୁ ଅନେକ ଲୋକ ଆସନ୍ତି । ଅନେକ ସମୟରେ ଦେଖିବାକୁ ମିଳନ୍ତି ପାଞ୍ଚ କୋଶ ଦୂର କୁମ୍ଭାରପଡ଼ାର ସଦେଇବାବୁ । ତାଙ୍କୁ ଗଣିତ ଓ ଜ୍ୟୋତିଷ ଶାସ୍ତ୍ର ଉତ୍ତମ ରକମ ଜଣା । ସେ ଆସିଲେ ମାଳିକା, ଅମର କୁମରଅଚ୍ୟୁତାନନ୍ଦ ଦାସଙ୍କର 'ଶୂନ୍ୟ ସଂହିତା', ନନ୍ଦ ଦାସଙ୍କ 'ଅଣାକାର ସଂହିତା' ଆଦି କେତେନାକେତେ ଶାସ୍ତ୍ର ଆଲୋଚନା ହୁଏ ।

ସବୁ ଦୁଷ୍ଟାମି ଭିତରେ କାଳିଆର ପାଠପଢ଼ା କିନ୍ତୁ ଚାଲିଥାଏ । ଅତି ଭଲ ଛାତ୍ର ନହେଲେ ବି କାଳିଆ ସାହିତ୍ୟ, ଇତିହାସ, ଅଙ୍କ, ଭୂଗୋଳ, ସ୍ୱାସ୍ଥ୍ୟରକ୍ଷା, ଡ୍ରଇଁ ଆଦି ସବୁ ବିଷୟରେ ଠିକ୍‌ଠାକ୍ ନମ୍ବର ରଖି ବୃତ୍ତି ପରୀକ୍ଷା ପାଇଁ ନିର୍ବାଚିତ ହେଲା । ହେଲେ ସେଇ ପରୀକ୍ଷାରେ ବସିବାର ସୌଭାଗ୍ୟ କେବେ ପିଲାଟିର ଘଟିଲା ନାହିଁ । 

ଏସବୁ ଭିତରେ କାଳିଆର ଲେଖାଲେଖି ବି ଆରମ୍ଭ ହୁଏ । ପ୍ରଥମେ ତାହା ରୂପ ନିଏ ସାଙ୍ଗମାନଙ୍କୁ ତୋଟାମାଳରେ, ଗଡ଼ିଆ କୂଳରେ ଗପ କହି । ପରେ ବିସିନାଥପୁରର ମାଟିପାଣିରେ ଜଡ଼ସଡ଼ ହୋଇ ବଢ଼ୁଥିବା ସେଇ ଛୋଟ ପିଲାଟି ବଡ଼ ହୋଇ ଲେଖେ ମାଟିର ମଣିଷ

ବି.ଦ୍ର. ଏହି ଲେଖାଟିର ଉପାଦାନ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ ଅଙ୍ଗେ ଯାହା ନିଭାଇଛିରୁ ସଙ୍ଗୃହିତ । ବହିଟି କଟକସ୍ଥ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ ୨୦୦୬ ମସିହାରେ ପ୍ରକାଶିତ ବହିଟିର ପ୍ରଥମ ସଂସ୍କରଣର ତାରିଖ ଦିଆଯାଇ ନାହିଁ । ଏଇ କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୬-୩୦ ଏପ୍ରିଲ୍, ୨୦୧୬ ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା ।

Wednesday, October 22, 2025

କଣିଆଁ ଗ୍ରାମରେ ମନୋରଞ୍ଜନ 

ଶୈଲେନ ରାଉତରାୟ


ଜଗତସିଂହପୁର ଜିଲ୍ଲାର ଓଡ଼ିଶୋ ତ୍ରିପାଠୀ ସାହିରେ ଥିବା ପୋଖରୀ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ହେଲୋହାପି

ଜଣେ ସ୍ୱାଧୀନଚେତା ଅମଲା ତଥା ଲେଖକ ଭାବରେ ବିଷ୍ଣୁଚରଣ ମହାନ୍ତିଙ୍କର ଓଡ଼ିଶାରେ ପରିଚିତି ଅଛି । ତାଙ୍କର ଜନମ ୧୯୨୨ ମସିହାରେ; ଜଗତସିଂପୁରର ବାଲିକୁଦା ପାଖ କରଣ ଗାଁ କଣିଆଁରେ । ସଙ୍ଖ୍ୟାରେ ଗ୍ରାମରେ ସବୁଠୁ ବେଶୀ ଲୋକ କରଣ ଜାତିର ହେଲେ ମଧ୍ୟ, ବିଭିନ୍ନ ଜାତି ପାଟକର ଲୋକେ ସେଠାରେ ବସବାସ କରୁଥିଲେ । 

ବିଷ୍ଟୁଁ ବାବୁଙ୍କର ପିଲାବେଳେ, ପୂଜାପର୍ବ ଗାଁରେ ଲୋକଙ୍କର ମନୋରଞ୍ଜନର ଏକ ପ୍ରମୁଖ ଉତ୍ସ ଥିଲା । ଚବିଶ ପକ୍ଷରେ ପଚିଶ ପରବ ଛଡ଼ା, ଠାକୁର ଠାକୁରାଣୀଙ୍କ ପାଖରେ ପୂନେଇଁ, ଅମେଇସା ଓ ସଙ୍କରାନ୍ତି ଦିନ ପାଳି ଭୋଜି ହେଉଥିଲା । ବରଷକେ ଥରେ ଜଣଙ୍କର ପାଳି ପଡ଼ୁଥିଲା । ଏହା ଯୋଡ଼ା ହୋଇଥିଲା ଭାଗବତ ପାଠ ଓ ଶାସ୍ତ୍ରାର୍ଥ ସହ । ଗାଁରେ କରଣଙ୍କର ଇଷ୍ଟ ଦଧିବାମନ (ନାମ ଗଦାଧର)ଙ୍କର ନାନାଦି ଯାନିଯାତ୍ରା, ମଉଛବ ହୁଏ । ବୈଶାଖରେ ଚନ୍ଦନ ଯାତ, ଦୋଳରେ ବିମାନରେ ଗାଁ ବୁଲା, ଓ ଜମିଦାରଙ୍କ ପଡ଼ିଆରେ ଦୋଳ ମେଲଣ ତଥା ରଥଯାତରା, ବର୍ଷର ଗୋଟିଏ ଗୋଟିଏ ବଡ଼ ଉତ୍ସବ ଥିଲା । 

ଏହା ଛଡ଼ା  ଦଶହରା ମଧ୍ୟ ଗାଁର ଏକ ବଡ଼ ପର୍ବ ଥିଲା । କରଣଙ୍କ ବୋଲିରେ ଦଶହରାର ନାମ ଲେଖନବସା । ନଇପଠାରେ କାଶତଣ୍ଡି ଚହଟିଲା ବେଳକୁ ବିଦେଶରେ ଖଟୁଥିବା ଗାଁର ଚାକିରିଆ ବାବୁମାନେ ଘରମୁହାଁ ହୁଅନ୍ତି । ସେତେବେଳ ପର୍ଯ୍ୟନ୍ତ ବୋହୁ ଭୁଆଷୁଣୀମାନେ ପିଲାପିଚିକା ଧରି ମିଣିପମାନଙ୍କ ସହ ଯାଇ ଭିନ୍ନ ଦେଶରେ ବସା ବାନ୍ଧିବାର ଚଳଣି ଆରମ୍ଭ ହୋଇନଥାଏ । ଗାଁର ଲୋକେ ଏଇ ଲେଖନବସା ସମୟରେ ମଞ୍ଚରେ ଉପସ୍ଥାପନା ପାଇଁ ତିଆରନ୍ତି ଏକ ଲୋକପ୍ରିୟ ନାଟକ । ସମ୍ପୂର୍ଣ୍ଣ ଭାବରେ ସ୍ଥାନୀୟ ଉଦ୍ଦ୍ୟମରେ । ଖର୍ଚ୍ଚବାର୍ଚ୍ଚ ପାଇଁ ଗାଁରୁ ଚାନ୍ଦା ଆଦାୟ ହୁଏ । ଦର୍ଶକେ କିଛି ଦିଅନ୍ତି ନାହିଁ ।

ଦଶରା ଛଡ଼ା ରଥ ଉପଲକ୍ଷେ ମଧ୍ୟ ଯାତ୍ରାର ଆୟୋଜନ କରାଯାଏ । ହେଲେ ବରାଦିଆ । କଣିଆଁରେ ସେତେବେଳେ ଦିଅଁ ଦଶମୀରେ ମନ୍ଦିରକୁ ନ ଲେଉଟି, ବାହୁଡ଼ନ୍ତି ଏକାଦଶୀରେ । ଲେଉଟାଣୀରେ ଠାକୁରେ ରହନ୍ତି ଜମିଦାରଙ୍କ ଦାଣ୍ଡରେ, ନିଶଙ୍ଖୁଡ଼ି ଭୋଗ ପାଇ । ରାତିରେ ଠାକୁରଙ୍କ ପାଇଁ ଚାଲେ ବାଦିଯାତ୍ରା । ପେଟ୍ରୋମାକ୍ସ ଆଲୁଅର ଆୟୋଜନ ହୁଏ । ନ ମିଳିଲେ କାର୍ବାଇଡ଼ି ଗ୍ୟାସ ନାଇଟିରେ ଯାତ ଚାଲେ । 

ବାଛିବାଛି ଗାଁ ଲୋକେ ଠିକ୍ କରନ୍ତି ଯାତ୍ରାଦଳ । ଭଦରନୋକଙ୍କୁ ନିମନ୍ତ ଯାଏଁ । ଗାଁର ବାକି ମଳିମୁଣ୍ଡିଆ ସାଧାରଣ ଲୋକେ ଆସନ୍ତି ଦର୍ଶକ ଭାବରେ, ଅନିମନ୍ତ୍ରିତ । ଯାତ ଲାଗେ ଦୁଇ ରାତି । ଯେଉଁ ଦଳ ଜିତେ, ପାଏ ଟିକିଏ ଅଧିକ ପାରିଶ୍ରମିକ । ବେଳେବେଳ  ଦର୍ଶକମାନେ ଅଭିନୟରେ ଭାସିଯାଇ ଅଭିନେତାଙ୍କୁ ରୂପା ପଦକ ଦେବାର ଘୋଷଣା ଇତ୍ୟାଦି କରନ୍ତି । 

ଗାଁର ଝିଅବୋହୁ ମଧ୍ୟ ଯାତ ଦେଖି ଆସନ୍ତି । ବସନ୍ତି ବିନା ପରଦାରେ, ଜମିଦାରଙ୍କର ପିଣ୍ଡାରେ । ସେତେବେଳେ ମାଡ଼ ଥାଏ ବଇଷ୍ଟଁବ ପାଣି ଓ ଜଗନ୍ନାଥ ମାଆନ୍ତିଏ ଙ୍କ ବହିସବୁ ଉପରେ । ଫାର୍ସ ସବୁ ଥାଏ ବେଶୀ ଲୋକପ୍ରିୟ । ଯେଉଁ ଦିନଗୁଡ଼ିକରେ ଯାତ୍ରା ଅଭିନୟ ହୁଏ, ଗାଆଁ ଦାଣ୍ଡ ରାତି ସାରା ଭିଡ଼ ରହେ । ପଡ଼େ ନାନାଦି ଦୋକାନବଜାର । 

ଅଭ‌ିନେତାମାନେ ସେତେବେଳେ ପିନ୍ଧୁଥାନ୍ତି ଝାଲର ଓ ଅଭ୍ର ନଗା ପୋଷାକ । ପେଟରମାକୁସ ନାଇଟିରେ ତାହା ଚକମକ କରେ ଅଙ୍ଗାରଘଷା ଅମେଇସା ରାତିର ତାରାମଖା ଆକାଶ ପରି । ନାଟ ପଡ଼ିଆ ମଝିରେ ଥାଏ କେଇ ପୁରୁଷର ପୁରୁଣା ବରଗୋଟିଏ । ଅନେକ ଲୋକ ଗଛ ଉପରେ ଚଢ଼ିଯାଇ ଯାତ୍ରା ଦେଖନ୍ତି । ବାଣା ପରାଜୟ, କଂସ ବଧ, କର୍ଣ୍ଣ ବଧ, ବେଣୀ ସଂହାର, ପରଶୁରାମ ତଥା ଦାନୀ ହରିଶ୍ଚନ୍ଦ୍ର ଇତ୍ୟାଦି ବହି ସେତେବେଳେ ଅଭିନିତ ହେଉଥିଲା ।

ଯାନିଜାତରା ଛଡ଼ା, ସେତେବେଳେ ପାଲା ମଧ୍ୟ ବହୁତ ଜନପ୍ରିୟ ଥିଲା କଣିଆଁ ଗାଁ’ରେ । ଦକ୍ଷିଣ ଓଡ଼ିଶାରୁ ସେତେବେଳ ପର୍ଯ୍ୟନ୍ତ ଦାସକାଠିଆ ଆମଦାନୀ ହୋଇନଥାଏ । 

ପାଲାବାଲେ ଆଗେ ସତ୍ୟନାରାୟଣଙ୍କର ସ୍ତୁତି କରନ୍ତି । ତାହା ପରେ ନାନାଦି ଓଡ଼ିଆ କାବ୍ୟ କବିତାରୁ ଉଦ୍ଧୃତି ଦେଇ ନିଜ ନିର୍ବାଚିତ କାହାଣୀଟିକୁ ଆଗକୁ ନିଅନ୍ତି । ସାଧାରଣ ପାଲା ସହ ବାଦୀପାଲା ମଧ୍ୟ ଲୋକପ୍ରିୟ ଥିଲା, ଯେଉଁଥିରେ ରାତି ପରେ ରାତି ଦୁଇ ଦଳ ଭିତରେ କଠିନ ପଦର ଅର୍ଥ ଆଦିକୁ ନେଇ ପ୍ରତିଯୋଗିତା ଚାଲେ । କେତେବେଳେ ଛାନ୍ଦର ପ୍ରଥମ ପଦ ବୋଲି ତାହାପର ସବୁକୁ ବୋଲିବାକୁ କୁହାଯାଏ ତ, ଆଉ କେବେ ପୂରା ଛାନ୍ଦର ଅର୍ଥ ବୁଝାଇବାକୁ ଆହ୍ୱାନ କରାଯାଏ । ସେତେବେଳେ ପାଖର ବୋରିକିନାରେ ବରଷକୁ ଥରେ ପାଲା ପ୍ରତିଯୋଗିତା ହେଉଥାଏ, ଯାହାକୁ ସ୍ଥାନୀୟ ବୋଲିରେ କୁହାହେଉଥିଲା ପୂଜା । 

କଣିଆଁରେ ଗୋଟିପୁଅ ନାଚ ମଧ୍ୟ ସେତେବେଳ ମନୋରଞ୍ଜନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ ଥିଲା । ଦଶହରା, କୁମାର ପୂନେଇଁ, ଦୋଳ ଯାତ ଇତ୍ୟାଦି ସମୟରେ ଗୋଟିପୁଅ ନାଚ ହେବ ହିଁ ହେବ । ଏହି ସମୟରେ ମନ୍ଦିର ଓ ମଠ ଇତ୍ୟାଦିର ନିଥର ପରିବେଶ, ଗୋଟିପୁଅଙ୍କର ଘୁଙ୍ଗର ତାଳରେ ଝଙ୍କୃତ ହୁଏ । ଏହା ଛଡ଼ା ଜମିଦାରିଆ ବଡ଼ନୁକ ବାହାଘରମାନଙ୍କରେ ବର ସହ ଗୋଟିପୁଅମାନେ ଯାଉଥିଲେ । 

କୈଶୋର ପୂର୍ବ ବୟସର ପିଲାଏ ଗୋଟିପୁଅ ବନି ଝୁଅବେଶ ହେଇ ନାଚୁଥିଲେ । ଶାଢ଼ି ପିନ୍ଧି, ଅଷ୍ଟ ଅଳଙ୍କାର ନାଇ, ବେଣି ପାରି, ଗୋଟିପୁଅମାନେ ଗୁରୁଙ୍କର ବେହେଲାର ତାଳେତାଳେ ନାଚୁଥିଲେ ଓ ଗାଉଥିଲେ । ତାଙ୍କ ସହିତ ଗୁରୁମାନେ ମଧ୍ୟ ଗାୟନ କରୁଥିଲେ । ବେଶଭୂଷାସବୁର ବେତପେଡ଼ି ବୋହୁଥିବା ଗୋଟିଏ ଭାରୁଆ ଆଉ ଗୋଟିପୁଅମାନଙ୍କୁ ଧରି ଗୁରୁ ଅବଧାନ ଗମନ କରୁଥିଲେ ଗାଁରୁ ଗାଆଁ, ଉଛବରୁ ଉଛବ ।  

ଏହି ସବୁ ପାରମ୍ପରିକ ମନୋରଞ୍ଜନର ଉପଚାର ସହ, ସେତେବେଳକୁ କଳଗାଉଁଣା ମଧ୍ୟ ଆସିସାରିଥିଲା । ଏଚ୍.ଏମ.ଭି. କମ୍ପାନୀର କଳ ଗାଉଁଣା ଉପରେ ଥିବ ମାଲିକର ସ୍ୱର ଶୁଣୁଥିବା ଗୋଟିଏ କୁକୁରର ଛବି । ସେତେବେଳ କଣିଆଁ ଭଳି ନିପଟ ମଫସଲ ଗାଁ’ମାନଙ୍କରେ କଳଗାଉଁଣା କେବଳ ଯୋଡ଼ିଏ ଯାଗାରେ ଦେଖିବାକୁ ମିଳୁଥିଲା । ପ୍ରଥମଟି ହେଲା, ବଡ଼ବଡ଼ ଜମିଦାରିଆ ଘର । ଦ୍ୱିତୀୟଟି ହେଲା, ସରକାର ବାହାଦୁରଙ୍କର କାମରେ ବୁଲୁଥିବା ଗବର୍ଣ୍ଣମେଣ୍ଟର ଭ୍ରାମ୍ୟମାଣ କର୍ମଚାରୀମାନଙ୍କର କ୍ୟାମ୍ପ୍ । 

ଗଣେଷ ଓ ସରସତୀ ପୂଜାରେ କଳଗାଉଁଣା ଦିଅଁ ଓ ପିଲାଙ୍କ ଲାଗି ଜମିଦାରଙ୍କ ଘରୁ ଇସ୍କୁଲକୁ ମଗା ହୋଇ ଆସେ । ସେତେବେଳେ ଓଡ଼ିଆରେ ବରଷକୁ ଅଳପ କିଛି ନୂଆ ରେକଡ଼ ଗୀତ ହିଁ ବାହାରୁଥିଲା । ‘ଉତ୍କଳ ଜନନୀ ହୋଇ ହିନିମାନି’, ଗୌରାଙ୍ଗଚରଣ ଦାସ ଗାଇଥିବା ‘ଆଚ୍ଛା ଗୋଲଟେବୁଲ ପାଲା ଲାଗିଲାରେ’ ତଥା ଗୋକୁଳ ମହାନ୍ତି ଗାଇଥିବା ‘ଆସ କିଏ ସେ ଯିବରେ, ଆଜି ରଜା ଘର ଖାନା’ ଇତ୍ୟାଦି ସେହି ସମୟରେ ଲୋକପ୍ରିୟ କଳଗାଉଣା ଗୀତ ଥିଲା । 

ଏହା ଛଡ଼ା ପଲ୍ଲୀଜୀବନରେ ମନୋରଞ୍ଜନ ପାଇଁ ନାନା କିସମର ଲୋକ ଭରି ହୋଇଥିଲେ । କାର୍ତ୍ତିକ ଅମେଇସାରେ ଗୋଟିଏ ଭକତ କାଳ‌ୀ ମୁଖା ଓ ଘୁଙ୍ଗୁର ଲଗାଇ ଦେବୀ ବନନ୍ତି । ଢୋଲ ପେଁକାଳି ବାଜେ । ଦେବୀଙ୍କର ମୁଖାରୁ ଲୋଳଲୋଳ ଜିଭ ଝୁଲେ । ହାତରେ ଚାମର ଧରି, କାଳସୀର ପାଦ ପଡ଼େ ଢୋଲର ତାଳରେ । ତାଙ୍କୁ ଧୂପ ଦୀପ ଦେଇଦେଇ ସନ୍ତୁଷ୍ଟ କରାଯାଏ । 

ସେହିପରି ଚଇତ ମାସରେ ଚାଲେ ପାଟୁଆ ଯାତ । ମାନସିକ କରିଥିବା ଲୋକେ ଓପାସ କରି ଗାଁ’ ସାରା ଘରଘର ଗୀତ ଗାଇ ବୋଲନ୍ତି । ବୈଶାଖ ମାସରେ ଠାକୁରାଣୀଙ୍କର ଘଣ୍ଟକୁ ଗୋଟେ ଭକ୍ତ ମୁଣ୍ଡାଇ, ରଣପାରେ ଚାଲି, ବୁଲେ ଗାଆଁ ଗାଆଁ । ସବୁଠାରୁ ବେଶୀ କାଟତି ଥାଏ କାକଟପୁର ମଙ୍ଗଳା ଓ ଝଙ୍କଡ଼ର ସାରଳାଙ୍କର ଘଣ୍ଟର । କାର୍ତ୍ତିକ ଓ ବୈଶାଖ ମାସରେ ଆସନ୍ତି ଚକୁଳିଆ ପଣ୍ଡା ଓ ଧର୍ମ ମାସର ମାହାତ୍ମ୍ୟ ବୁଲିବୁଲି ବୁଝାନ୍ତି ।

ନଳୁଆ କେଳା ଜାତିର ଲୋକେ ଗୋଟିଏ ସ୍ଥାନରେ ଚିରସ୍ଥାୟୀ ଭାବେ ରହନ୍ତି ନାହିଁ । ଗାଁଗାଁ ବୁଲନ୍ତି । ପୁରୁଷମାନେ ନଳ ସାହାଯ୍ୟରେ ଚରେଇ ଧରନ୍ତି – ଖାଆନ୍ତି, ନ ହେଲେ ପୋଷିବା ପାଇଁ ବିକିଦିଅନ୍ତି ।  ସେମାନେ କୁହୁକ ବି ଦେଖାନ୍ତି । ଏହି ଜାତିର ସ୍ତ୍ରୀଲୋକେ ଚିତା କୁଟାନ୍ତି ଓ ସିନ୍ଦୁର, ଗୋରଚନା ଓ ଶସ୍ତା ଗହଣା ଆଦି ଝୁଅବୋହୁମାନଙ୍କୁ ବୁଲାଇ ବିକନ୍ତି । 

ଖରାଦିନେ ଖୋରଧା ଆଡ଼ୁ ଆସନ୍ତି କୁହୁକରାଣୀ । ଦୁଇଟି କୋଡ଼ିଏ ବାଇଶ ଫୁଟ ଡେଙ୍ଗା ବାଉଁଶ ପୋତି ତା’ ଉପରେ ଟଙ୍ଗା ହୁଏ ଦଉଡ଼ିଟିଏ । ଛୋଟ କଣି ବାଉଁଶଟିକୁ ଧରି, କୁନି ବାଳିକାଟିଏ ଚାଲେ ସେଇ ମୋଟା ବାଣିଟି ଉପରେ । ତଳେ ବାଜୁଥାଏ ବାଜା, ତା’ ଚାଲିର ତାଳ ଦେବା ପାଇଁ । 

ମଝିରେ ମଝିରେ ନାଥ ଯୋଗୀମାନେ ଆସନ୍ତି । କେନ୍ଦରା ବଜାଇ ଗୀତ ଶୁଣାନ୍ତି । ଖରାଦିନେ ଅନେକ ଜାଗାରେ ରାମଲୀଳା ମଧ୍ୟ ହୁଏ । ମୁଖା ପିନ୍ଧି ରାବଣ ଓ ହନୁମାନ ଇତ୍ୟାଦି ଚରିତ୍ର ଅଭିନୟ କରନ୍ତି । ସେତେବେଲେ ଜଗତସିଂପୁରର ସୁଜଙ୍ଗର ରାମଲୀଣା ପ୍ରସିଦ୍ଧ ଥିଲା । ଗାଁରେ ବିଜୁଳି ନଥିଲା । ସବୁଠାରୁ ପାଖ ଚଳଚିତ୍ର ଥିଏଟରର ପରଦା ଥିଲା କାହିଁ କେତେ ଦୂରରେ, କଟକରେ । ହେଲେ ତଥାପି ମନ ଭୁଲାଇବା ପାଇଁ ସାଧନର ଅଭାବ ନଥିଲା । ସୁଲଭ ଥିଲା ଗୋଟିଏ ଜୀବନ୍ତ ସଂସ୍କୃତିର ଏକ ଚଳମାନ ପ୍ରବାହ ।

ଟୀକା: ଏହି ଲେଖାଟି ପାଇଁ ଉପାଦାନ ଭୁବନେଶ୍ୱରର ଶିକ୍ଷାସନ୍ଧାନ ସଂସ୍ଥା ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତି କୃତ ଆତ୍ମଜୀବନୀ ‘ଆମ ପାଠପଢ଼ା ସମୟ’ରୁ ସଙ୍ଗୃହିତ । ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

Monday, September 22, 2025

ବଡ଼ଗୋରଡ଼ାରେ ନାଟକ

ଶୈଲେନ ରାଉତରାୟ


ରଣପୁରର ମଣିନାଗ ମନ୍ଦିରଠାରୁ ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ୱିକି ଅଭିଜିତ

ବିଶିଷ୍ଟ ଯନ୍ତ୍ରୀ ଓ ଲେଖକ ଗୋବର୍ଦ୍ଧନ ଦୋରାଙ୍କର ଜନ୍ମମାଟି ହେଲା ବଡ଼ଗୋରଡ଼ା ଗାଁ । ସ୍ୱାଧୀନତା ଆଗରୁ ନୂଆଗଡ଼ ଏକ ଅର୍ଧ-ସ୍ୱତନ୍ତ୍ର ଗଡ଼ଜାତ ଥିଲେ ହେଁ, ରାଜ୍ୟମିଶ୍ରଣ ପରେ ସ୍ୱାଧୀନ ଭାରତର, ସ୍ୱତନ୍ତ୍ର ଓଡ଼ିଶାର, ପୁରୀ ଜିଲ୍ଲାର ଏହା ଏକ ଅଂଶ ହେଲା । ସ୍ୱାଧୀନତା ସମୟକୁ ଗୋବର୍ଦ୍ଧନଙ୍କ ବୟସ ମାତ୍ର ଆଠ ବରଷ । ଏଣୁ ନୟାଗଡ଼ ଜିଲ୍ଲାର ସାମାଜିକ ଅବସ୍ଥାର ଏକ ଆକଳନ କରିବାପାଇଁ ତାଙ୍କର ଆତ୍ମଜୀବନୀ ‘ଛୋଟ ମୋର ଗାଁଟି’ ଆମକୁ ଅନେକ ଉପାଦାନ ଯୋଗାଏ ।

ସ୍ୱାଧୀନତାର ଠିକ୍  ପରେପରେ ଉପକୂଳବର୍ତ୍ତୀ ଓଡ଼ିଶାରେ ସାମାଜିକ ନାଟକ ଲେଖାଲେଖି ଓ ମଞ୍ଚସ୍ଥ ହେବା ଜୋର ଧରିଥାଏ । ୧୯୫୦ ମସିହା ଆଖପାଖରେ ବାହାରିଥାଏ ଦଶପଲ୍ଲାର ଯୁବ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ନୂଆ ବହି ‘ଘରସଂସାର’ । ବଡ଼ଗୋରଡ଼ାର ନିକଟବର୍ତ୍ତୀ ଗ୍ରାମ ଗୁଞ୍ଜୁବାରଣର ଓକିଲ ଗଦାଧର ପଟ୍ଟନାୟକଙ୍କର ନିର୍ଦ୍ଦେଶନାରେ ନାଟକଟି ଗାଆଁରେ ଅଭିନୀତ ହେବାର ଯୋଜନା କରାଗଲା । ଗୋବର୍ଦ୍ଧନ ଦୋରାଙ୍କ ଭାଇ ମଦନମୋହନ ଦୋରା ଶୂନ୍‌ଗାଡ଼ିରେ ନୟାଗଡ଼ରୁ ଦଶପଲ୍ଲା ଗଲେ ନାଟ୍ୟକାରଙ୍କଠାରୁ ନାଟକର ମଞ୍ଚାୟାନ ପାଇଁ ଅନୁମତି ନିମନ୍ତେ । ରାମଚନ୍ଦ୍ର ବାବୁ ସେଥି ନିମନ୍ତେ ସହର୍ଷ ଅନୁମତି ଦେଲେ ।

ଗ୍ରାମର ସାହୁକାରଙ୍କର ଖଦାଳ ବାରିଟିକୁ ସଫାସୁତୁରା କରାଗଲା । ସେହିଠାରେ ଥିଏଟର ପାଇଁ ଅସ୍ଥାୟୀ ମଞ୍ଚ ମଧ୍ୟ ତିଆରି କରାଗଲା । ବଡ଼ଗୋରଡ଼ା ଓ ଆଙ୍ଗିସାଙ୍ଗି ଗାଁର ଲୋକେ ନାନାଦି ଭୂମିକାରେ ଅଭିନୟ କଲେ । ଗାଁର ପିଲାମାନେ ଶିଶୁମାନଙ୍କର ଭୂମିକାରେ ଅବତରିତ ହେଲେ । ପୁରୁଷଲୋକ ଅଭିନୟ କଲେ ସ୍ତ୍ରୀଲୋକଙ୍କ ଚରିତ୍ରରେ । ସେତେବେଳେ ପର୍ଯ୍ୟନ୍ତ ତାହା ହିଁ ଚଳଣି ଥିଲା । ମଦନମୋହନ ଦୋରା ଅଭିନୟ କଲେ ଖଣ୍ଡି ଓଡ଼ିଆ କହୁଥିବା ବିଲାତ ଫେରନ୍ତା ଯୁବକ ମିଷ୍ଟର୍ ବର୍ମା ଭାବରେ । ଏହା ବିଶେଷ ଭାବରେ ଆଦୃତ ଓ ପୁରସ୍କୃତ ହୋଇଥିଲା ।

ବହିଟି ଗାଁରେ ଦୁଇ ଦିନ ଧରି ଚାଲିଲା । ଟିକଟ ମଧ୍ୟ ହୋଇଥିଲା । ଚଉକିରେ ବସିଲେ ତିନି ଟଙ୍କା, ବେଞ୍ଚରେ ବସିଲେ ଦୁଇ ଟଙ୍କା ଓ ଖାତ ଖୋଳି ସମତୁଲ ହୋଇଥିବା ମଞ୍ଚ ପାଖ ଜାଗାରେ ତଳେ ବସିଲେ ମାତ୍ର ଟଙ୍କାଟିଏ । ଡ୍ରାମାଟିର ପ୍ରଚାରପ୍ରସାର ପାଇଁ ଗୋବର୍ଦ୍ଧନ ବାବୁ ଓ ତାଙ୍କର ବନ୍ଧୁମାନେ ଚାରି ମାଇଲି ବ୍ୟାସାର୍ଦ୍ଧରେ ଖେଦି ଯାଇ ବିଜ୍ଞାପନ କଲେ ।

ଗତ ସାତ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟରେ ବଡ଼ଗୋରଡ଼ା ଗାଁରେ ଅନେକ ନାଟକ ଅଭିନୀତ ହେଲାଣି । ଗ୍ରାମର ବ୍ରଜବନ୍ଧୁ ନାୟକ ପରେ ଜଣେ ନାଟ୍ୟକାର ଓ କଳାକାର ଭାବରେ ପରିଚୟ ଅର୍ଜନ କଲେ । ସେ ସାହୁକାର ଘରର ଲୋକ । ଗାଁର ପିଲାଙ୍କୁ ଅନେକ ନାଟକର ଅଭିନୟ ସେ କରାଇଛନ୍ତି; ନିଜେ ନିର୍ଦ୍ଦେଶନା ମଧ୍ୟ ଦେଇଚନ୍ତି ।

ଗାଁରେ ନାଟ୍ୟକଳାର ଏକ ସମୃଦ୍ଧ ପରମ୍ପରା ରହିଛି । ସ୍ୱାଧୀନତା ଆଖପାଖରେ ହିଁ ବଡ଼ଗୋରଡ଼ାରେ ଏକ ନାଚପାର୍ଟି ଗଠନ କରାଗଲା । ଓସ୍ତାଦ ବା ଗୁରୁ ଭାବରେ ବରଣ କରାଗଲା କଲ୍ୟାଣପୁର ଗ୍ରାମର ନାଟ୍ୟଗୁରୁ କାହ୍ନୁ ମହାନ୍ତିଙ୍କୁ । ତାଙ୍କର ଅଧୀକ୍ଷଣରେ ଆରମ୍ଭ ହେଲା ପ୍ରଥମେ ଏକ ଲୀଳାବନ୍ଦୀ ନାଟକ । 

ନାଟ ଆରମ୍ଭ ହେଲାବେଳକୁ ହାରମୋନିଆ ବାଜେ । ଗାଁ ନାଟ ପାର୍ଟି ପାଇଁ ଏହାକୁ ବଜାଉ ଥାଆନ୍ତି ଅନ୍ତର୍ଯ୍ୟାମୀ ପରିଡ଼ା । ହାରମୋନିଆ ସହ ଢୋଲକି ଓ ତାବଲାର ଶବ୍ଦରେ ମଞ୍ଚ କମ୍ପି ଉଠେ । ଆଲୋକ ପାଇଁ ବ୍ୟବହାର କରାଯାଏ ପେଟ୍ରୋମାକ୍ସ ଲାଇଟି । ଗ୍ରାମବାସୀମାନେ ମିଞ୍ଜିମିଞ୍ଜି ପାଣ୍ଡାରା ହଳଦିଆ ରଙ୍ଗର ଡିବିରି ଆଲୁଅ ସହ ଦିହଘଷା ହୋଇଥିବାରୁ, ପେଟ୍ରୋମାକ୍ସର ଧଳା ଆଲୁଅ ଥାଏ ନାଟର ଆଉ ଏକ ଆକର୍ଷଣ ।

ନାଟର ପ୍ରାରମ୍ଭରେ ଆସନ୍ତି ଝିଅ ବେଶ ସାଜି ଥିବା ପାଞ୍ଚ ଛଅ ଜଣ ପୁଅ ପିଲା । ସେମାନଙ୍କର କାମ ହେଲା ନାଟ ଆରମ୍ଭ ହେବା ପୂର୍ବରୁ ଭଜନ, ଜଣାଣ, ଦେଶାତ୍ମବୋଧକ ଗୀତ ଆଦି ଗାଇ ଦର୍ଶକମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା । ଏହି ପରି ଗୀତମାନଙ୍କ ମଧ୍ୟରେ, ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କର କବିତାଗୁଡ଼ିକର ବି ଗାୟନ କରାଯାଉଥିଲା । 

ଲୀଳାବନ୍ଦୀ ନାଟକର ମଧ୍ୟରେ ବେଳେବେଳେ ‘ନିୟତି’ ବାହାରି ଦୁଷ୍ଟଲୋକମାନଙ୍କୁ କଲାକର୍ମ ଓ ତାହାର ଫଳ ପ୍ରତି ସାବଧାନ କରି ଚାଲିଯାଏ । ଯଦି ଅଭିନୟ ସମୟରେ କୌଣସି ଅଭିନେତା ହଠାତ ନମିଳନ୍ତି, ଅନ୍ତର୍ଯ୍ୟାମୀ ପରିଡ଼ା ନିଜେ ବସି ରହି ସେହି ସଂଳାପଗୁଡ଼ିକ କହିଚାଲି ଯାଆନ୍ତି । ଅଭିନେତାଙ୍କ ଅଭାବରେ ମଧ୍ୟ ନାଟକ ଜାରିରହେ ।

ହେଲେ ଗାଅଁର ଏହି ନାଟ ପାର୍ଟିଟି ଅନେକ ବର୍ଷ ହେଲାଣି ଭାଙ୍ଗିଗଲାଣି । ବ୍ୟବସାୟୀକରଣର ଏ ଯୁଗରେ ସ୍ୱାଧୀନ ଉଦ୍ୟମରେ କିଛି ଜାରି ରଖିବା ନିଶ୍ଚିତ ଏକ କଷ୍ଟକର ବ୍ୟାପର । ହେଲେ ଓଡ଼ିଆ ନାଟ୍ୟଜଗତ କଅଣ ଖାଲି ବ୍ୟାବସାୟିକ ଯାତ୍ରାରେ ହିଁ ବଞ୍ଚି ରହିବ? ଗାଁ ଗାଁରେ, ସାହି ସାହିରେ, ନାଟ ଦଳଗୁଡ଼ିକ ସବୁ ଯଦି ଧିରେ ଧିରେ ଲୋପ ପାଇଯିବେ, ତାହା ହେଲେ ଓଡ଼ିଶା କେବଳ ନାଟ୍ୟ ଉପଭୋକ୍ତାଙ୍କର ଏକ ରାଇଜ ହୋଇ ରହିଯିବ ।

ଟୀକା: ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟିର ଉପାଦାନ ଗୋବର୍ଦ୍ଧନ ଦୋରାଙ୍କର ଆତ୍ମଜୀବନୀ ‘ଛୋଟ ମୋର ଗାଁଟି’ରୁ ନିଆଯାଇଛି । ବହିଟିକୁ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ୨୦୦୯ ମସିହାରେ ପ୍ରକାଶିତ କରିଥିଲେ । 

Friday, August 22, 2025

ନୀଳକଣ୍ଠଙ୍କର ପୁରୀ ଓ କଟକ ସହରରେ ପାଠପଢ଼ା

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ନୀଳକଣ୍ଠ ଦାସ ୧୮୯୯ ମସିହାରେ ଶ୍ରୀରାମଚନ୍ଦ୍ରପୁରର ମଧ୍ୟ-ଓଡ଼ିଆ ବିଦ୍ୟାଳୟରୁ ପାସ୍ କଲେ । ତାହ ପରେ ସେ ପୁରୀ ଜିଲ୍ଲା ସ୍କୁଲର ସବା ତଳ ଶ୍ରେଣୀରେ ନାମ ଲେଖାଇଲେ । ଦୁଇ ବର୍ଷର ଶେଷ ବେଳକୁ ସେହି ସ୍କୁଲରେ ସେ ସେତେବେଳର ଚତୁର୍ଥ ଶ୍ରେଣୀ ଅର୍ଥାତ୍ ଏବର ଅଷ୍ଟମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ । 

ତାଙ୍କ ପୂର୍ବରୁ ଯେଉଁମାନେ ଜିଲ୍ଲା ସ୍କୁଲରେ ପାଠ ପଢ଼ି ଆସୁଥିଲେ, ସେମାନେ ସେତେବେଳକୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ‘ଉପକ୍ରମଣିକା’ ଶୀର୍ଷକର ସଂସ୍କୃତ ବ୍ୟାକରଣ ବହିଟିର ଓଡ଼ିଆ ଅନୁବାଦକୁ ଧରି ସେହି ଭାଷା ଶିକ୍ଷା ଆରମ୍ଭ କରିସାରିଥିଲେ । ବଙ୍ଗଳା ଅକ୍ଷରରେ ଲେଖା ସଂସ୍କୃତ ବହିସବୁ ପଢ଼ିବା ପାଇଁ ନୀଳକଣ୍ଠ ବଙ୍ଗାକ୍ଷର ଆୟତ୍ତ କରିବାକୁ ମନସ୍ତ କଲେ । ସେଥିଲାଗି ସେ ମାଇକେଲ୍ ମଧୁସୂଦନ ଗ୍ରନ୍ଥାବଳୀ, ବଙ୍କିମ୍‌ଚନ୍ଦ୍ରଙ୍କର ଉପନ୍ୟାସ ତଥା ବସୁମତୀ ପ୍ରେସ୍‌ର ମାସିକ ଉପନ୍ୟାସ ପଢ଼ିବାକୁ ଲାଗିଲେ । 

ଏହା ଫଳରେ ସେ ଶୀଘ୍ର ବଙ୍ଗଳା ପଢ଼ିବା ଆୟତ୍ତ କଲେ । ସେ ମାସକ ଭିତରେ ବ୍ୟାକରଣ କୌମୁଦି (ବିଦ୍ୟାସାଗର ବିରଚିତ) ସାରି ସଂସ୍କୃତ ବ୍ୟାକରଣରେ ପ୍ରବେଶ କଲେ । ହେଲେ ନବମ ଶ୍ରେଣୀକୁ ଉଠିଲା ବେଳକୁ ତାଙ୍କୁ ପ୍ରବଳ ମ୍ୟାଲେରିଆ ହେଲା । ସ୍ୱାସ୍ଥ୍ୟ ଲାଭ ପାଇଁ ନୀଳକଣ୍ଠ ନବମ ଶ୍ରେଣୀରେ କଟକର କଲିଜିଏଟ୍ ସ୍କୁଲରେ ନାମ ଲେଖାଇଲେ । 

ସେତେବେଳେ ରେଭେନ୍ସା କଲେଜ, କଲିଜିଏଟ୍ ସ୍କୁଲ ତଥା ସର୍ଭେ ସ୍କୁଲ୍, ସବୁରି ପାଇଁ ଥିଲା ଗୋଟିଏ ବୋର୍ଡ଼ିଂ । ସେଥିରେ ସେତେବେଳେ ରହୁଥାଆନ୍ତି ଗୋପବନ୍ଧୁ ଦାସ୍, ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଭାବରେ । ସେତେବେଳେ ସେଇ ବୋର୍ଡ଼ିଂର ବହୁଳାଂଶ ଅନ୍ତେବାସୀ ଥିଲେ ବଙ୍ଗଭାଷୀ ଛାତ୍ର । ନୀଳକଣ୍ଠ ଏହି ଛାତ୍ରାବାସରେ ତିଷ୍ଠି ରହନ୍ତି କେବଳ ଦାସେ ଆପଣଙ୍କର ସୌହାର୍ଦ୍ଦ୍ୟ ଓ ସାହଚର୍ଯ୍ୟ ଯୋଗୁଁ । 

ରେଭେନ୍ସା କଲିଜିଏଟ୍ ସ୍କୁଲର ପ୍ରିନ୍ସିପାଲ୍ ଥିଲେ ବି. ଭି. ଗୁପ୍ତା ଓ ସହକାରୀ ପ୍ରଧାନଶିକ୍ଷକ ଥିଲେ ସୁରେଶଚନ୍ଦ୍ର ଗୁପ୍ତା । ଏହା ଛଡ଼ା ମୋହିନୀମୋହନ ଚୌଧୁରୀ ତଥା ଅରବିନ୍ଦ ପ୍ରକାଶ ଘୋଷ ଆଦି ଶିକ୍ଷକମାନେ ସେ ସମୟରେ କଲିଜିଏଟ୍ ସ୍କୁଲରେ ଶିକ୍ଷକତା କରୁଥାନ୍ତି । ଚିତ୍ରାଙ୍କନ ଶିଖାଉଥା’ନ୍ତି ସୁନ୍ଦର ଡ୍ରଇଁ ହାତ ଥିବା ମନ୍ମଥ ବାବୁ ।

ପ୍ରଥମେ ପ୍ରଥମେ ନୀଳକଣ୍ଠଙ୍କ ଦ୍ୱାରା ଇତିହାସ ପାଠ ହେଉନଥିଲା । ମାତ୍ର ଶେଷକୁ ଘୋଷି ଘୋଷି ବାଳକ ନୀଳକଣ୍ଠ ଇତିହାସର ନାନାଦି ଘଟଣାର ସନ ଓ ତାରିଖ ଇତ୍ୟାଦି ଆୟତ୍ତ କଲେ । ସେହିପରି ତାଙ୍କର ଡ୍ରଇଁ ହେଉନଥିଲା । ଅଭ୍ୟାସ କରି ଚିତ୍ରାଙ୍କନ ମଧ୍ୟ ଆୟତ୍ତ କଲେ । ଏହି ସମୟରେ ତାଙ୍କର କଲେରା ରୋଗ ହେଲା । ଗୋପବନ୍ଧୁ ଓ ହରିହର ଦାସଙ୍କର ଶୁଶ୍ରୁଷାରେ ସେ ସ୍ୱାସ୍ଥ୍ୟଲାଭ କଲେ । 

୧୯୦୩ ମସିହାରେ କଟକରେ ଆୟୋଜିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ନୀଳକଣ୍ଠ ଯୋଗଦାନ କଲେ । ଗୋପବନ୍ଧୁ ଦାସ, ହରିହର ଦାସ ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କ ସହିତ ମିଶି ନୀଳକଣ୍ଠ ଏହି କଟକ ରହଣୀ ସମୟରେ ପୁଝାରୀମାନଙ୍କ ଭିତରେ ରୋଗୀ ସେବା କାମ କରନ୍ତି ।

କଟକରେ ବର୍ଷେ କାଳ ରହିସାରି, ମ୍ୟାଲେରିଆ ଭଲ ହୋଇ ସାରିବା ପରେ ନୀଳକଣ୍ଠ ପୁରୀ ଫେରନ୍ତି । ତାଙ୍କର ପୁରୀ ଫେରିବାର କିଛି କାଳ ପରେ ଚନ୍ଦ୍ରମୋହନ ମହାରଣା ଜିଲ୍ଲା ସ୍କୁଲରେ ହେଡ଼ମାଷ୍ଟର  ହୋଇ ଯୋଗଦେଲେ । 

ସେହି ସମୟରେ ପ୍ରାୟ କେହି ଓଡ଼ିଆ ପ୍ରଧାନଶିକ୍ଷକ ଭାବରେ ନିଯୁକ୍ତି ପାଉନଥିଲେ । ଏଣୁ ଚନ୍ଦ୍ରମୋହନ ବାବୁ ପୁରୀ ଜିଲ୍ଲାସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେବାରୁ ଅନେକ ବଙ୍ଗାଳୀଙ୍କର ଗାତ୍ରଦାହ ହେଲା । ହେଲେ ନିଜର ପ୍ରଶାସନିକ ଦକ୍ଷତା, ପାଣ୍ଡିତ୍ୟ ତଥା ଛାତ୍ରବାତ୍ସଲ୍ୟ ଯୋଗୁଁ ସେ ଖୁବ୍ ଶୀଘ୍ର ନିଜର ସମାଲୋଚକମାନଙ୍କୁ ଚୁପ୍ କରାଇ ଦେଇପାରିଲେ ।

୧୯୦୪ ମସିହାର ଆରମ୍ଭରେ ପୁରୀ ଜିଲ୍ଲା ସ୍କୁଲକୁ ଫେରିଆସିଲା ପରେ ବାଳକ ନୀଳକଣ୍ଠ ‘ବ୍ରାହ୍ମଣ ସମିତି’ ଛାତ୍ରାବାସରେ ରହନ୍ତି । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେହି ବୋର୍ଡ଼ିଂରେ ରହିବା ଓ ଖାଇବାପିଇବାରେ ମାସକୁ ଚାଉଳ ସହିତ ଦେଢ଼ ଟଙ୍କା ଖର୍ଚ୍ଚ ହେଉଥିଲା । ପିଲାଏ ପାଳି କରି ମାସକୁ ମାସ ମେସ୍ କଥା ବୁଝୁଥିଲେ । 

ଯେତେ ଦୂର ସମ୍ଭବ ଗୋଟିଏ ଉଚ୍ଚ ଜାତିର ବ୍ରାହ୍ମଣ ପୁଝାରୀ ଭାବରେ ନିଯୁକ୍ତ ଥା’ନ୍ତି । କିନ୍ତୁ ପୁଝାରୀ ମିଳିବାରେ ବେଳେବେଳେ ଅସୁବିଧା ହୁଏ । କାରଣ, ସେତେବେଳେ ଓଡ଼ିଶାର ବ୍ରାହ୍ମଣମାନେ ନାନାଦି ଉପଜାତିରେ ବିଭକ୍ତ ଥାଆନ୍ତି । ଉଚ୍ଚ ଉପଜାତିର ବ୍ରାହ୍ମଣ ଯେତେଦୂର ସମ୍ଭବ ତଳ ଉପଜାତି ବ୍ରାହ୍ମଣଙ୍କଠାରୁ ଅନ୍ନଗ୍ରହଣ କରିବାକୁ ବାରୁଥାଆନ୍ତି । ଉଚ୍ଚ ଉପଜାତିର ବ୍ରାହ୍ମଣ ପୁଝାରୀ ନମିଳିଲେ ପିଲାଏ ନିଜେ ପାଳି କରି ରନ୍ଧାବଢ଼ା କରନ୍ତି । 

ସେତେବେଳେ ଚାଉଳ ଥାଏ ଟଙ୍କାକୁ କଟକି ଷୋହଳ ସେର । ବଜାରରେ ଚିଙ୍ଗୁଡ଼ି ମିଳେ, ପଇସାକୁ ଦଶ ପନ୍ଦରଟା । ବାଇଗଣ ଭାଗ ହୋଇ ବିକ୍ରି ହୁଏ, ଓଜନଦାରିଆ ନୁହେଁ । ଅଧ ସେର ମାଫିକ୍ ଭାଗେ ବାଇଗଣର ଦାମ୍ ଥିଲା ପଇସାଏ । ପିଲାଏ ମେସ୍‌ରେ ନିତିଦିନ ଖାଆନ୍ତି କେବଳ ଭାତ ଓ ଡାଲି । ବେଳେବେଳ ଡାଲିରେ ବାଇଗଣ ଖଣ୍ଡିଏ ପଡ଼ିଥାଏ । ମାଛ ଅଣାଯାଇଥିବା ଦିନ ଡାଲି କିମ୍ବା ବାଇଗଣ ଲୋଡ଼ା ପଡ଼େ ନାହିଁ ।

ସ୍କୁଲ ଛାତ୍ର ଥିବା ଅବସ୍ଥାରେ ନୀଳକଣ୍ଠ ବାବୁ ପୁରୀ ଓ କଟକରେ ନାନାଦି ସ୍ଥାନରେ ଅନ୍ୟ ବିଦ୍ୟାର୍ଥୀମାନଙ୍କୁ ଘେନି ସଭାସମିତି କରୁଥାଆନ୍ତି । ପ୍ରାୟତଃ ସଭାରେ ସେ ଥାଆନ୍ତି ସଭାପତି ନହେଲେ ସମ୍ପାଦକ । 

ପୁରୀ ଜିଲ୍ଲା ସ୍କୁଲରେ ନୀଳକଣ୍ଠ ଛାତ୍ର ଥିବା ସମୟରେ ସାମନ୍ତ ଚନ୍ଦ୍ରଶେଖର ପ୍ରାଣତ୍ୟାଗ କରନ୍ତି । ତାଙ୍କର ଦଶାହ ସଭାରେ ପଢ଼ିବା ପାଇଁ ନୀଳକଣ୍ଠ ‘ସିଦ୍ଧାନ୍ତ ଦର୍ପଣ’ର ଇଂରାଜୀ ମୁଖବନ୍ଧକୁ ଆଧାର କରି ସାମନ୍ତଙ୍କର ଏକ କ୍ଷୁଦ୍ର ଜୀବନୀ ଲେଖନ୍ତି । ଦୁଇ ବର୍ଷ ପରେ ‘ଉତ୍କଳ ସାହିତ୍ୟ’ରେ ଏହା ପ୍ରବନ୍ଧ ଭାବରେ ପ୍ରକାଶିତ ହୁଏ । ଏହା ହିଁ ନୀଳକଣ୍ଠଙ୍କର ପ୍ରଥମ ପ୍ରକାଶିତ ଲେଖା । 

୧୯୦୫ ମସିହାର ଆରମ୍ଭରେ ବଛାବଛି ପରୀକ୍ଷା ଦେଇସାରି ନୀଳକଣ୍ଠ କଟକ ଗଲେ । ସେଠି କଲିଜିଏଟ୍ ବୋର୍ଡ଼ିଂରେ ରହି ଏଣ୍ଟ୍ରାନ୍ସ୍ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଲେ । 

ସେଇ ସମୟରେ ସେ ନିଜ ବାହାଘର ସ୍ଥିର ହୋଇଥିବାର ବାର୍ତ୍ତା ପାଆନ୍ତି । ବାହାଘର ଠିକ୍ ହୋଇଥିଲା ଫେବୃଆରି ପାଞ୍ଚ ତାରିଖରେ । ସେତେବେଳକୁ ତାଙ୍କ ବୟସ କୋଡ଼ିଏ ବର୍ଷ ମାତ୍ର । ସେ କଟକରୁ ଶ୍ରୀରାମଚନ୍ଦ୍ରପୁର ଫେରି ବାହା ହୋଇ ସାତମଙ୍ଗଳା କଟାନ୍ତି । ଆଠମଙ୍ଗଳା ଦିନ ଯାଇ ପୁଣି କଟକରେ କଲିଜିଏଟ୍ ବୋର୍ଡ଼ିଂରେ ପହଞ୍ଚନ୍ତି ।  

ଟୀକା: ଏହି ଲେଖାଟି ପ୍ରଥମେ ୨୦୧୮ ମସିହାରେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ଛପିଥିଲା । ଆଲେଖଟିରେ ବ୍ୟବହୃତ ତଥ୍ୟ ନୀଳକଣ୍ଠ ଦାସଙ୍କର ଆତ୍ମଜୀବନୀରୁ ସଙ୍ଗୃହିତ ।

ଗ୍ରନ୍ଥସୂଚୀ

ନୀଳକଣ୍ଠ ଦାସ । ‘ଆତ୍ମଜୀବନୀ’ । ତୃତୀୟ ସଂସ୍କରଣ, ଅଗଷ୍ଟ ୨୦୦୩ (ପ୍ରଥମ ସଂସ୍କରଣ ବିଷୟରେ ସୂଚନା ଦିଆ ଯାଇ ନାହିଁ) । କଟକ: କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର ।

Sunday, June 22, 2025

ବିଶ୍ୱନାଥପୁରରେ ଭାଙ୍ଗ ପାଚକ

ଶୈଲେନ ରାଉତରାୟ


ଧଉଳି ପାହାଡ଼ରୁ ଦୟାନଦୀର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/ ଚୀନି

କବି, ଔପନ୍ୟାସିକ ଓ ନାଟ୍ୟକାର, ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଜନ୍ମ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣା ପାଖ ଗାଁ ବିଶ୍ୱନାଥପୁରରେ । କାଳିନ୍ଦୀବାବୁଙ୍କର ବାପାଙ୍କର ନାମ ସ୍ୱପ୍ନେଶ୍ୱର, ମାତାଙ୍କର ନାମ ସରସ୍ୱତୀ । ବାପା ପୁରୀରେ ମୁକ୍ତାର । ଲୋକମୁଖରେ ଗାଁର ନା ବିସିନାଥପୁରୁ । 

ସେତେବେଳେ ପାଞ୍ଚପଡ଼ାରେ ଘର ସଙ୍ଖ୍ୟା ପାଖାପାଖି ଅଢ଼େଇଶହ । ଗାଁର ଡାକଘର ବାଲିପାଟଣା, କୋଠଦେଶ ପ୍ରଗଣା, ପୁରୀ ଜିଲ୍ଲା । ଆମ୍ବ, ତାଳ, ନଡ଼ିଆ, ବେତ ଓ ବାଉଁଶ ଗଛରେ ଢଙ୍କା ଗାଆଁଟି । ଛତିଶ ପାଟକ, ପ୍ରାୟ ସବୁ ଜାତିର ଲୋକେ ଗାଁରେ ରହନ୍ତି । 

ନିଶାପାଣି ବୋଇଲେ ଗାଁରେ ସବୁଠୁ ବେଶୀ ଚଳେ ଧୂଆଁପତ୍ର - ଆଠକାଳି ବାରମାସୀ । ସମସ୍ତେ ଧୂଆଁପତ୍ରର ଭକତ । ଗଞ୍ଜେଇ ଓ ଅଫିମ ଚଳେ । ମାତ୍ର ସେତେ ବେଶୀ ନୁହେଁ । 

ମାତ୍ର ପୂଜାପୁଜି ହେଲେ, ମେଳା ଇତ୍ୟାଦିରେ, ପାଚକ ପାଣି ଟିକିଏ ନିଦ୍ୱର୍ନ୍ଦ୍ୱରେ ଚଳେ । ବଡ଼ମାନେ ତ ଆନନ୍ଦମନରେ ସେବନ କରନ୍ତି । ପିଲାମାନେ ମଧ୍ୟ ବଡ଼ମାନଙ୍କ ଦେଖାଦେଖି ଟିକିଏ ଟିକିଏ ପାଆନ୍ତି । 

ଗାଁ ପାଖରେ ଭୋବନିଶର । ମହୀତୀର୍ଥ । ପ୍ରଖ୍ୟାତ ଶୈବକ୍ଷେତ୍ର । ଶିବଙ୍କର ଗଞ୍ଜାଇ ପ୍ରତି ପକ୍ଷପାତିତା ତ ଜଣାଶୁଣା । ତେଣୁ ସାଧୁସନ୍ଥମାନେ ମଧ୍ୟ ଗଞ୍ଜେଇ ସେବନ କରିବାରେ କିଛି ଅପ୍ରାଧ ନାହିଁ । ଏଣୁ ଗାଆଁରେ ନିକଟସ୍ଥ ଶୈବତୀର୍ଥର ପ୍ରଭାବରେ ଗଞ୍ଜେଇ ଚଳେ । 

ମାତ୍ର ଉଚ୍ଚବଂଶଜମାନେ ଏହି ଶିବପ୍ରସାଦ ସେବନ କରିବା ବିଷୟରେ ଟିକିଏ ଉନ୍ନାସିକ । ଅନେକ ସମ୍ଭ୍ରାନ୍ତ ପରିବାରରେ ଗଞ୍ଜେଇ ସେବନ ନିନ୍ଦନୀୟ ମଧ୍ୟ ଥିଲା । ମାତ୍ର ଭାଙ୍ଗସେବନ ଥିଲା ସାର୍ବଜନୀନ । ଏଥିରେ ବିରୋଧାଭାଷ କାଳିନ୍ଦୀବାବୁଙ୍କୁ ଟିକିଏ ବିଚିତ୍ର ଲାଗୁଥିଲା । ମାତ୍ର, ତାହାହିଁ ଥିଲା ସେହି ସମୟରେ ବିସିନାଥପୁରୁର ଚଳଣି ।

ମେଳା ମଉଛବରେ, ଜନ୍ତାଳ ହେଲେ ଭାଙ୍ଗ ପାଚକ ହେବା ନିଶ୍ଚିତ । ଏପରିକି କିଶୋର ବୟସର ପିଲାଙ୍କ ଭିତରେ ଏହା ଚଳୁଥିଲା । ବ୍ରାହ୍ମଣମାନଙ୍କ ମଧ୍ୟରେ ଧୂଆଁ ଖାଇବା ନିଷିଦ୍ଧ ଥିଲା । ମାତ୍ର ତମ୍ବାଖୁ ନଖାଇଲେ ମଧ୍ୟ ଭଜନ ଟୁଙ୍ଗିରେ ବସି ଗଞ୍ଜାଇ ସେବନ ବାମୁଣ ଗୋସେଇଁମାନଙ୍କ ମଧ୍ୟରେ ବେଶ୍ ଚଳୁଥିଲା । 

କାଳିନ୍ଦୀ ବାବୁଙ୍କର ବିଶି କକେଇ ଭଜନ ଟୁଙ୍ଗିରେ ନାନାଜାତିର ଲୋକଙ୍କ ସହ ବସି, ଚିଲମ ବୁଲେଇ, ଖଞ୍ଜଣି ପିଟି, ଶରୀରଭେଦ ଭଜନ ବୋଲନ୍ତି । ଗଞ୍ଜେଇ ଓ ଭଜନରେ ଜାତିପାତିର ଭେଦ କଟିଯାଏ । 

ଚଇତ ଓ ବଇଶାଖ ମାସରେ କାଳିନ୍ଦୀ ବାବୁ ଓ ତାଙ୍କର ବନ୍ଧୁମାନେ ପାଚକ ପାଣି ଟିକିଏ ସେବନ କରି ତୋଟାକୁ ବିଜେ କରନ୍ତି ମହୁଫେଣା ଭାଙ୍ଗିବା ପାଇଁ । ଗାଁର ସଡ଼କର ଧୂଳିକୁ ଫେଣ୍ଟି ଚୋରାଚଇତି ଭିଆଏ ଖଣ୍ଡିଆଭୂତ । ସେଇ ଖଣ୍ଡିଆଭୂତର ପାଦରେ ପାଦ ଥାପି ଭାଙ୍ଗୁଆ ଦଳ ଆମ୍ବତୋଟାରେ ପହଞ୍ଚିଯାଆନ୍ତି । ମହୁଫେଣା ଖଣ୍ଡେ ପାଟିରେପକାଇ ଜିଭ ଟିକିଏ ବୁଲାଇଦେବା କ୍ଷଣି ଅପୂର୍ବ ରସ କ୍ଷରିତ ହୁଏ ।

ଭାଙ୍ଗଖିଆର ଏ ସଂସ୍କୃତି ବିସିନାଥପୁର ଗାଁର କେବଳ ନୁହେଁ । ଏହା ସମୁଦାୟ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଚଳଣି । ଶୁଣାଯାଏ ଯେ, ଶ୍ରୀଜଗନ୍ନାଥଙ୍କର ମନ୍ଦିରର ଅନେକ ସେବକଙ୍କର ନିୟମିତ ପାଚକପାଣି ଚଳେ । କିଛି ନିନ୍ଦୁକ କୁହନ୍ତି ଯେ ଚଳେ ବୋଇଲେ ବାପ, ଅଜା, ପୁଅ, ନାତି ହୋଇ ପୁରୁଷାନୁକ୍ରମରେ ଚଳେ । 

ପୁରୀର ଜାଗାଘର ଗୁଡ଼ିକ ତେଣୁକରି ଯେପରି ଭାବରେ ନିଜର ଶରୀର ଚର୍ଚ୍ଚା ଓ ସଙ୍ଗୀତ ଆସର ପାଇଁ ପ୍ରସିଦ୍ଧ, ସେହିପରି ନିଜର ଭାଙ୍ଗ ଖିଆ ପାଇଁ ମଧ୍ୟ ଜଣାଶୁଣା । ଏଣୁ କରି ପୁରୀର ସଂସ୍କୃତି ଏହି ତିନି ଜିନିଷ - ସାଙ୍ଗ, ଭାଙ୍ଗ ଓ ପଙ୍ଗତକୁ ନେଇ ପରିଚାଳିତ ବୋଲି ଗୋଟିଏ ଲୋକଶୃତି ଅଛି । 

ଭାଙ୍ଗନିଶା ଯେ ମୃତ୍ୟୁଜୟୀ, ସେ ବିଷୟରେ ଏକ ଗପ ଲେଖକ ଶୁଣିଥିଲେ ନିଜର କନିଷ୍ଠ ଭ୍ରାତା, ବିଶିଷ୍ଟ ସାମ୍ୟବାଦୀ ନେତା ଶ୍ରୀ ଭଗବତୀଚରଣ ପାଣିଗ୍ରାହୀଙ୍କ ଠାରୁ । 

ଥରେ ପୁରୀରେ କିଛି ଟୋକା ବାଜି ମାରାମରି ହୋଇ ଭାଙ୍ଗ ପିଇଲେ । ତାହା ମଧ୍ୟରୁ ଜଣେ ବୀର ବାଜି ଜିଣିବାର ଅତ୍ୟୁତ୍ସାହ ଯୋଗୁଁ ଅତ୍ୟଧିକ ଭାଙ୍ଗ ପାନ କରି ପରଲୋକ ଗମନ କଲେ । ଏଥି ଉତ୍ତାରୁ ବାପା ପୁତ୍ରର ଏ ବିଷୟ ଶୁଣି ଦେଖିବାକୁ ଆସନ୍ତେ, ପ୍ରଥମେ ଆଖିପତାକୁ ଟେକି ଖୁସି ହେଲେ । ଆଉ କହିଲେ - "ଆଃ ! କେଡ଼େ ବଢ଼ିଆ ନାଲି ଉଠି ଥିଲାଟି ପତା ଯୋଡ଼ିକରେ" ।

ବି.ଦ୍ର.: ଏହି ଲେଖାଟିର ଉପାଦାନ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ ‘ଅଙ୍ଗେ ଯାହା ନିଭାଇଛି’ରୁ ସଂଗୃହିତ । ବହିଟି କଟକସ୍ଥ ପ୍ରକାଶନ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ ୨୦୦୬ ମସିହାରେ ପ୍ରକାଶିତ । ବହିଟିର ପ୍ରଥମ ସଂସ୍କରଣର ତାରିଖ ଦିଆଯାଇ ନାହିଁ । ଏଇ କ୍ଷୁଦ୍ର ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୬-୩୧ ମଇ, ୨୦୧୬, ସଙ୍ଖ୍ୟାରେ ଛପିଥିଲା ।

Thursday, May 22, 2025

ବିସିନାଥପୁରୁରେ ପିଲାଦିନ ଓ ପଢ଼ାପଢ଼ି

ଶୈଲେନ ରାଉତରାୟ


ପୁରୀ ପାଖରେ ଗାଆଁରେ ଧାନରୁଆର ଦୃଶ୍ୟ (୨୦୦୬ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ତିଏରେକ୍

କାଗଜପତ୍ରରେ କାଳିଆର ଜନ୍ମ ୧୯୦୧ ମସିହାର ଜୁଲାଇ ଦୁଇ ତାରିଖରେ, ଶପନେଶ୍ୱର ପାଣିଗ୍ରାହୀଙ୍କର ପତ୍ନୀଙ୍କର ଦଶମ ସନ୍ତାନ ଭାବରେ । ହେଲେ ଜାତକରେ ଥିବା ତଥ୍ୟ ଅନୁସାରେ ଓ ଓଡ଼ିଆ ପାଞ୍ଜି ହିସାବରେ ଦେଖିଲେ, ପିଲାଟିର ଜନମ ୧୩୦୮ ସାଲର ଶ୍ରାବଣ ମାସର ପ୍ରଥମ ରାତିରେ, କୃଷ୍ଣ ପ୍ରତିପଦା ତିଥିରେ, ମଙ୍ଗଳବାର ଦିନ । 

ପୈତୃକ ଗ୍ରାମ ହେଲା ଅବିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗାଁରେ । ଗ୍ରାମ୍ୟଭାଷାରେ ତାହାର ନା ବିସିନାଥପୁରୁ । ମାମୁଁ ଘର ବି ସେଇ ଗାଁରେ ହିଁ । ବାପା ଥିଲେ ମୁକ୍ତାର - ପୁରୀ ସହରରେ କାମ ପାଇଁ ନିବାସୀ, ଘରକୁ ଶନିବାର ରାତ୍ରିରେ ଆସି ରବିବାର ଦିନ ଗାଡ଼ିରେ ଲେଉଟି ଯାଆନ୍ତି ।

କାଳିଆ କୁନିଟିଏ ହୋଇଥାଏ । ବାପା ତା'କୁ ନେଇ ଗଲେ ଗାଁ ସ୍କୁଲକୁ ବିଦ୍ୟାରମ୍ଭ ପାଇଁ । ମାଷ୍ଟ୍ରେ ନୂଆ ଚାଟଙ୍କର ହାତ ଧରି ଚଟାଣ ଉପରେ ଖଡ଼ିରେ ବଡ଼ ବଡ଼ ମୁଣ୍ଡଳା ବୁଲାଇ ବମ୍ହା, ବିଷ୍ଟୁଁ, ମଏସର ଲେଖି ଦେଲେ । 

କିନ୍ତୁ ବିଦ୍ୟାଳୟରେ ରୀତିମତ ନାମ ଲେଖା ହେଲା, କାନଫୋଡ଼ା କର୍ମ ସମ୍ପନ୍ନ ହେଲା ପରେ । ଆଗେ ବାରିକ ଜଣଙ୍କ କାଳିଆକୁ ଛେନାଗୁଡ଼ ଖାଇବାକୁ ଦେଲେ, ଆଉ ତା’ ପରେ କାନ ଫୋଡ଼ିଦେଲେ । ତାହା ସହ ପୁରୋହିତଙ୍କର ଗଣେଶଙ୍କ ମନ୍ତ୍ର ପାଠ ସହ ନଡ଼ିଆ ଭାଙ୍ଗିବାକୁ ପଡ଼ିଲା । 

ଏଇ ଚୁଡ଼ାକର୍ମ ପରେ କାଳିଆର ବିଦ୍ୟାଳୟ ଗସ୍ତ ସିନା ଆରମ୍ଭ । ହେଲେ ପାଠପଢ଼ା ତଦାରଖ କରିବା ପାଇଁ ଘରେ ସେମିତି କେହି ନଥାାଆନ୍ତି । ବାପା ଓ ବଡ଼ ଭାଇ ତ ଯାଇଁ ପୁରୀରେ ।

କାଳିଆର ଅସଲ ଗାର୍ଜନ ହେଲେ ପିଅସି ପୁଅ ଭାଇ ଭୋବନି ଭାଇନା, ଅର୍ଥାତ୍ ଶପନେଶ୍ୱରଙ୍କ ଭଣଜା । ସେ ନିଜ ସାନ ଭାଇଟିକୁ ଭଲ ତ ପାଉଥିଲେ ଅପର୍ଯ୍ୟାପ୍ତ । ଆଉ ତାହା ସହ, ନଡ଼ିଆ ପତ୍ରରେ ପେଏଁକାଳି ତିଆରି କରିବାଠାରୁ ଲୋକସାଧାରଣରେ ବ୍ୟବହାର ଆଦି ସବୁ କିଛି କାଳିଆକୁ ସେ ଶିଖାଉଥିଲେ । 

ହେଲେ ଯାହା ତାଙ୍କର ଅସଲ ଦାୟିତ୍ୱ ଥିଲା, ଅର୍ଥାତ୍ ଇସ୍କୁଲକୁ ନିୟମିତ ପଠାଇ ପାଠପଢ଼ାର ଦାୟିତ୍ୱ ବୁଝିବା, ତାହା ସେ କେତେ ତୁଲାଉ ଥିଲେ, ତାହା ମାଆ ଗଙ୍ଗେ ଜାଣନ୍ତି । ଏଣୁ ଧିରେ ଧିରେ କାଳିଆର ପାଠପଢ଼ାରେ ମତି କମିଲା, ଗାଁ ଟୋକାଙ୍କ ସହ ଖେଳକୁଦରେ ମାତି ଦୁଷ୍ଟାମି କରିବା ବଢ଼ିଲା ।

ସେବେ ବିଦ୍ୟାଳୟଟି ଥାଏ ସଡ଼କ ଉପର ଜାଗା ଘରେ । ଗାଁ ଭିତରେ ଇସ୍କୁଲୁ ଘରଟି ସେତେବେଳେ ସୁଦ୍ଧା ଭାଙ୍ଗି ଯାଇଥାଏ । ଗାଁ ସ୍କୁଲର ମାଷ୍ଟରମାନଙ୍କର ମତିଗତି ପିଲାଙ୍କ ପାଠପଢ଼ାର କିଛି ବେଶି ସହାୟକ ନଥାଏ । 

ଗାଁ ସ୍କୁଲରେ ଶିକ୍ଷକ ଥାଆନ୍ତି ଅଲେଖଚନ୍ଦ୍ର ଶତପଥି । ସେ କାଳିଆର ନିକଟ ସମ୍ପର୍କୀୟ ଭିଣୋଇ । ହେଲେ ସେ ଥିଲେ ଜଣେ ନିଷ୍ଟୁର ନିର୍ମମ ଅଧ୍ୟାପକ । ପିଲାଙ୍କ ଉପରେ ତାଙ୍କର ମାଡ଼ ଦେଖିଲେ ପଥର ମଧ୍ୟ ତରଳି ଯିବ । ତାଙ୍କର ବେତ ନିୟମିତ ଛାତ୍ରମାନଙ୍କର ଦେହ ସାରା ବୁଲି ଆସେ, କୌଣସି ତଥାକଥିତ ତାତ୍କାଳିକ କାରଣ ଥାଉ ବା ନଥାଉ ।

ହେଲେ କାଳିଆର ଥାଏ ପାଠପଢ଼ା ଛଡ଼ା ଆହୁରି ଅନେକ କାମ । କାଠଘର ବାଡ଼ିରେ ଆମ୍ବ ଗୋଟା ହୁଏ । କକେଇ ଘର ଗଡ଼ିଆରେ ପହଁରା ବି ହୁଏ । ତାହା ବ୍ୟତୀତ ମାଛ ଧରା, ଗଛ ଚଢ଼ା, ମହୁ ଧରା, ଆଦି ତ ନିୟମିତ କରାଯାଏ ସାଙ୍ଗମେଳରେ । 

ଯେତେ ଦୁଷ୍ଟ ହେଲେ ବି, ସେ ବେଳର ଗ୍ରାମୀଣ ପରିବେଶରେ ସାହିତ୍ୟ ସଂସ୍କୃତି ଶିକ୍ଷା ଅବଲୀଳା କ୍ରମେ ହୁଏ । ଅଲା ଭାଇନା ଗାଆନ୍ତି ପ୍ରାଚୀନ ଓଡ଼ିଆ କବିତାର ଅନେକ ଛାନ୍ଦ - ଗାଇବା ସହ ଅର୍ଥ ମଧ୍ୟ ବୁଝେଇ ଦିଅନ୍ତି । ସେହିପରି ତାଙ୍କର ଆଉ ଜଣେ କକେଇ କୌଣସି ସଙ୍ଗୀତ କି ଆଖଡ଼ା ଦଳରେ ନ ଥିଲେ ବି ବଇଠକି ଗାଆଣ ଢାଞ୍ଚାରେ ଥିଲେ ଜଣେ ଭଲ ଗାୟକ । 

ଛୁଟି ଦିନମାନଙ୍କରେ ବାପାଙ୍କୁ ଭେଟିବାକୁ ଅନେକ ଲୋକ ଆସନ୍ତି । ଅନେକ ସମୟରେ ଦେଖିବାକୁ ମିଳନ୍ତି ପାଞ୍ଚ କୋଶ ଦୂର କୁମ୍ଭାର ପଡ଼ାର ସଦେଇବାବୁ । ତା'ଙ୍କୁ ଗଣିତ ଓ ଜ୍ୟୋତିଷ ଶାସ୍ତ୍ର ଉତ୍ତମ ରକମ ଜଣା । ସେ ଆସିଲେ ମାଳିକା, ଅମର କୁମର, ଅଚ୍ୟୁତାନନ୍ଦ ଦାସଙ୍କର ଶୂନ୍ୟତସଂହିତା, ନନ୍ଦ ଦାସଙ୍କର ଅଣାକାରସଂହିତା ଆଦି କେତେ ନା କେତେ ଶାସ୍ତ୍ର ଆଲୋଚନା ହୁଏ ।

ସବୁ ଦୁଷ୍ଟାମି ଭିତରେ କାଳିଆର ପାଠପଢ଼ା କିନ୍ତୁ ଚାଲିଥାଏ । ଅତି ଭଲ ଛାତ୍ର ନହେଲେ ବି ସାହିତ୍ୟ, ଇତିହାସ, ଅଙ୍କ, ଭୂଗୋଳ, ସ୍ୱାସ୍ଥ୍ୟରକ୍ଷା, ଡ୍ରଇଁ ଆଦି ସବୁ ବିଷୟରେ ସେ ଠିକ୍‌ଠାକ୍ ନମ୍ବର ରଖି ବୃତ୍ତି ପରୀକ୍ଷା ପାଇଁ ନିର୍ବାଚିତ ହେଲା । ହେଲେ ସେଇ ପରୀକ୍ଷାରେ ବସିବାର ସୌଭାଗ୍ୟ କେବେ ପିଲାଟିର ଘଟିଲା ନାହିଁ । 

ଏସବୁ ଭିତରେ କାଳିଆର ଲେଖାଲେଖି ବି ଆରମ୍ଭ ହୁଏ । ପ୍ରଥମେ ତାହା ରୂପ ନିଏ ସାଙ୍ଗମାନଙ୍କୁ ତୋଟାମାଳରେ, ଗଡ଼ିଆ କୂଳରେ ଗପ କହି । 

ପରେ ବିସିନାଥପୁରୁର ମାଟିପାଣିରେ ଜଡ଼ସଡ଼ ହୋଇ ବଢ଼ୁଥିବା ସେଇ ଛୋଟ ପିଲାଟି ବଡ଼ ହୋଇ ଲେଖେ ‘ମାଟିର ମଣିଷ’ ।

ବି.ଦ୍ର.: ଏହି ଲେଖାଟିର ଉପାଦାନ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ ‘ଅଙ୍ଗେ ଯାହା ନିଭାଇଛି’ରୁ ସଂଗୃହିତ । ବହିଟି କଟକସ୍ଥ ପ୍ରକାଶନ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ ୨୦୦୬ ମସିହାରେ ପ୍ରକାଶିତ । ବହିଟିର ପ୍ରଥମ ସଂସ୍କରଣର ତାରିଖ ଦିଆଯାଇ ନାହିଁ । ଏଇ କ୍ଷୁଦ୍ର ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୬-୩୦ ଏପ୍ରିଲ୍ ୨୦୧୬ ସଙ୍ଖ୍ୟାରେ ଛପିଥିଲା ।

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...