ମାର୍କସ ଅରିଲସଙ୍କର 'ବିଚାରମାଳା'
ଦ୍ୱିତୀୟ କାଣ୍ଡ: ପଞ୍ଚମ ଓ ଷଷ୍ଠ ଅଧ୍ୟାୟ
ଅନୁବାଦକ - ଶୈଲେନ ରାଉତରାୟ
| ରୋମୀୟ ସ୍ଟୟିକ ଦାର୍ଶନିକ ସେନେକା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
| ରୋମୀୟ ସ୍ଟୟିକ ଦାର୍ଶନିକ ସେନେକା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
![]() |
| Photographic art based on pastel chalks Photo credit: Wikimedia Commons/Dietmar Rabich |
![]() |
| କେନ୍ଦୁଝରଗଡ଼ ରାଜବାଟି ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଜଗନ୍ନାଥ ମହାପ୍ରଭୁ ୨୦୦୬ |
ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ଗଙ୍ଗାଧର ବଳଙ୍କର ହାଇସ୍କୁଲ ପାଠ ପଢ଼ା ଆରମ୍ଭ ହୁଏ କେନ୍ଦୁଝରର ଗିବ୍ସନ୍ ହାଇସ୍କୁଲରେ, ୧୯୪୨ ମସିହାର ଜାନୁଆରୀ ମାସରେ । ଏବେ ଅବଶ୍ୟ ଏହି ଉଚ୍ଚ ବିଦ୍ୟାଳୟଟି ଗଡ଼ର ଭୁତପୂର୍ବ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଙ୍କ ନାମାନୁସାରେ ନାମିତ ।
ହାଇସ୍କୁଲଟି ସାନ୍ତରାପୁର ଶାସନର ଦକ୍ଷିଣକୁ ବଡ଼ଦାଣ୍ଡ ସହ ଯୋଡ଼ୁଥିବା ମୂଖ୍ୟ ରାସ୍ତାର ପାଖରେ । ସ୍କୁଲର ପଶ୍ଚିମ ଦିଗରେ ଗଡ଼ର ଡାକ୍ତରଖାନା ଓ ତହିଁର ଚିକିତ୍ସକମାନଙ୍କର ଆବାସଗୁଡ଼ିକ । ଇସ୍କୁଲୁଟି ଗୋଟିଏ ବଡ଼ ଖୋଲାମେଲା ଜେଗାରେ ତିଆରି ହୋଇଥିଲା । ସ୍କୁଲ ପରିସର ଭିତରେ ଥିଲା ଗୋଟିଏ ସୁନ୍ଦର ଫୁଲ ବଗିଚା । ଉଦ୍ୟାମ ମଧ୍ୟରେ ଭ୍ରମଣ କରିବା ପାଇଁ ସିମେଣ୍ଟର ରାସ୍ତାଟିଏ ବି ନିର୍ମିତ ଥିଲା ।
ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିଲା । ବିଦ୍ୟାଳୟଟିରେ ଦୁଇଟି ଛାତ୍ରାବାସ ଥିଲା, ଯାହା ସେବେ ‘ନ୍ୟୁ ହଷ୍ଟେଲ’ ଓ ‘ଓଲ୍ଡ଼୍ ହଷ୍ଟେଲ୍ ଭାବରେ’ ପରିଚିତ ଥିଲେ । ଗଙ୍ଗାଧର ଆସି ନ୍ୟୁ ହଷ୍ଟେଲରେ ରହିଲେ ।
ସେତେବେଳେ ସମୁଦାୟ କେନ୍ଦୁଝର ଗଡ଼ରେ ଗୋଟିଏ ବୋଲି ହାଇସ୍କୁଲ ଭାବରେ ବିଦ୍ୟାଳୟଟିର ନାଁଡାକ ଥାଏ । ଆନନ୍ଦପୁରରେ ଥାଏ ଗୋଟିଏ ମଧ୍ୟ-ଇଂରାଜୀ ବିଦ୍ୟାଳୟ । ତାହା ସହ ଦେଓଗାଁ ଓ ଚମ୍ପୁଆଠାରେ ଥାଏ ଦୋ'ଟି ମଧ୍ୟ-ଭର୍ଣ୍ଣାକୁଲାର ଇସ୍କୁଲ । ଏହା ଛଡ଼ା କେନ୍ଦୁଝର ରାଜ୍ୟ ସାରା ସେବେ ଥାଏ ହାତଗଣତି କେତୋଟି ନିମ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଟିମାନ ।
ଯେଉଁ ଛାତ୍ରମାନେ ମଧ୍ୟ-ଭର୍ଣ୍ଣକୁଲାର ସ୍କୁଲରୁ ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଆସୁଥିଲେ, ସେମାନେ ସିଧାସଳଖ ଅଷ୍ଟମ ଶ୍ରେଣୀରେ ଯୋଗ ଦେଇପାରୁ ନଥିଲେ । ସେମାନଙ୍କୁ ଆବଶ୍ୟକୀୟ ଇଂରାଜୀ ଶିଖିବା ପାଇଁ ଆଉ ଥରେ ସପ୍ତମ ଶ୍ରେଣୀରେ ବରଷେ କଟାଇବାକୁ ପଡ଼ୁଥିଲା । ଇଂରାଜୀରେ ଦକ୍ଷତା ଦେଖାଇଲେ ଯାଇ ସେମାନେ ଅଷ୍ଟମ ଶ୍ରେଣୀକୁ ଉଠୁଥିଲେ ।
କାରଣ ସେବେ ହାଇସ୍କୁଲରେ କେବଳ ସଂସ୍କୃତ ଭଳି ଭାଷାକୁ ଛାଡ଼ି ଦେଲେ ଗଣିତ, ଇତିହାସ ଆଦି ବାକି ସବୁ ବିଷୟ ଇଂରାଜୀରେ ପଢ଼ା ହେଉଥିଲା । ଅଷ୍ଟମ ଓ ନବମ ଶ୍ରେଣୀରେ ସଂସ୍କୃତ ପଢ଼ା ହେଉଥିଲା । ପ୍ରାୟ ପ୍ରତି ବର୍ଷ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହେଉଥିଲା ।
ବିଦ୍ୟାଳୟରେ ନାମ ଲେଖାଇବାର କିଛି ସପ୍ତାହ ଭିତରେ ତ୍ରୈମାସିକ ପରୀକ୍ଷାରେ ପ୍ରଥମ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଦରମା ଛାଡ଼ କରିଦେଲେ । ମାସିକିଆ ତିନି ଟଙ୍କାର ବୃତ୍ତିର ବ୍ୟବସ୍ଥା ମଧ୍ୟ ତାଙ୍କ ପାଇଁ ହେଲା । ଗଙ୍ଗାଧର ନିଜ ଶ୍ରେଣୀରେ ପ୍ରଥମ ହେଉଥିବାରୁ ଓ ଜଣେ ଶୃଙ୍ଖଳିତ ଚାଟ ଭାବରେ ନାଁ କରିଥିବାରୁ ସ୍କୁଲର ବାର୍ଷିକ ପୁରସ୍କାର ବିତରଣୀ ସଭାଗୁଡ଼ିକରେ ନାନା ପୁରସ୍କାର ଲାଭ କରୁଥିଲେ । ତାଙ୍କୁ ଏଥି ପାଇଁ ଭଲଭଲ ବହିସବୁ ପୁରସ୍କାର ଆକାରରେ ମିଳୁଥିଲା । ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ଚନ୍ଦ୍ରଶେଖର ମହାପାତ୍ରଙ୍କର ‘ସାମନ୍ତ ଚନ୍ଦ୍ରଶେଖର’ ଓ ‘ଛାତ୍ର ସହଚର’ ବହି ଦିଓଟି ଗଙ୍ଗାଧରଙ୍କ ଉପରେ ବହୁତ ଭଲ ପ୍ରଭାବ ପକାଇଲା ବୋଲି ସେ ନିଜ ଆତ୍ମଜୀବନୀରେ କୁହନ୍ତି ।
ଜଣେ ଭଲ ଛାତ୍ର ଭାବରେ ତାଙ୍କୁ ଦଶମ ପରଠାରୁ ନିଜ ତଳ ଶ୍ରେଣୀର ଛାତ୍ରମାନଙ୍କୁ ପଢ଼ାଇବାର ସୁଯୋଗ ମିଳିଲା । ସେବେ ଟିଉସନର ପ୍ରଚଳନ ସେତେ ବେଶି ନ ଥିଲା । ବିଦ୍ୟାଳୟର ଶିକ୍ଷକମାନେ ଗୃହଶିକ୍ଷକ ଭାବରେ କାମ କରିବାକୁ ଅସମ୍ମାନଜନକ ବୋଲି ମଣୁଥିଲେ । ପିଲାମାନେ ପାଠପଢ଼ାରେ କିଛି ଅସୁବିଧା ନେଇ ଶିକ୍ଷକମାନଙ୍କ ପାଖରେ ପହଞ୍ଚିଲେ ସେମାନେ ସ୍ନେହଭରେ ସେସବୁ ଦିଗରେ ସାହାଯ୍ୟ କରୁଥିଲେ । ସେଥି ପାଇଁ କିଛି ପାଉଣା ଦେବାକୁ ହେଉ ନଥିଲା । କେହି କେହି ଗରିବ ପିଲା କଦବା କ୍ୱଚିତ ଚିଉସନ କରୁଥିଲେ ।
ଏକାଦଶ ଶ୍ରେଣୀରେ ପଢ଼ିଲା ବେଳେ ଗଙ୍ଗାଧରଙ୍କର ଅଜା ଚାଲିଗଲେ । ତାହାର କିଛି ବର୍ଷ ପୂର୍ବରୁ ଆଈ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମାମୁଁ ଘରେ ରହି ପାଠପଢ଼ୁଥିବା ମାତୃହୀନ ଗଙ୍ଗାଧରଙ୍କର ପାଇଁ ଅଜାଙ୍କର ବିୟୋଗ ଥିଲା ଏକ ବଡ଼ ଧକ୍କା । ହେଲେ ଆଗକୁ ପଢ଼ିବାକୁ ହେଲେ ମେଟ୍ରିକ୍ ପରୀକ୍ଷାର ଘାଟି ଯେ ଟପିବାକୁ ପଡ଼ିବ, ସେ କଥା ଭାବି ସେ ନିଜ ଛାତିକୁ ପଥର କରି କଠିନ ପରିଶ୍ରମ କରିବାକୁ ଲାଗିଲେ ।ସେତେବେଳକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ହାଇସ୍କୁଲମାନ ତାହା ସହିତ ଅନୁବନ୍ଧିତ ହୋଇସାରି ଥାଆନ୍ତି ।
ଯଦିଓ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବାକୁ ଥିଲା, ଗଙ୍ଗାଧର କିନ୍ତୁ ଇଂରାଜୀ ଭାଷାରେ ଲିଖିତ ହଲ୍ ଆଣ୍ଡ୍ ନାଇଟ୍ସ୍, କେ.ପି ବସୁ ଓ ଜେ.ସି. ଚକ୍ରବର୍ତ୍ତୀ ଆଦିଙ୍କର ଗଣିତ ବହି ତଥା ଡଡ୍ଲି ଷ୍ଟାମ୍ପ୍ଙ୍କର ଭୂଗୋଳ ବହି ଆଦି ପଢ଼ି ମେଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । ୧୯୪୫ ସାଲର ମାର୍ଚ୍ଚ ମାସରେ ପରୀକ୍ଷା ହେଲା । କଟକ ଟ୍ରେନିଂ ମହାବିଦ୍ୟାଳୟର ମହେଶଚନ୍ଦ୍ର ପ୍ରଧାନ ପରୀକ୍ଷା କେନ୍ଦ୍ରର ତତ୍ତ୍ୱାବଧାରକ ହୋଇ ଆସିଥିଲେ ସେହି ବରଷ । କିଛି ମାସ ପରେ ସମାଜ ଖବରକାଗଜର ପୃଷ୍ଠାରେ ଫଳ ବାହାରିଲା । ଗଙ୍ଗାଧର ହୋଇଥିଲେ କେନ୍ଦୁଝର ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ।
ବି.ଦ୍ର.: ଏହି ଲେଖାଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍ର ଆତ୍ମଲିପି’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ । ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା ।
![]() |
| 'The arrival of the leave train' (1918) Oil painting by Bernard Meninsky (1891–1950) Photo credit: Wikimedia Commons |
![]() |
| ଷ୍ଟଇକ ଦାର୍ଶନିକ ଜିନୋଙ୍କର ମୂର୍ତ୍ତି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
![]() |
| Painting 'Chasing Butterflies' (2015) Oil on canvas, by Todd Williamson (1964-present) Photo credit: Wikimedia Commons/Todd Williamson |
![]() |
| କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ |
ପ୍ରଫୁଲ୍ଲ ବାବୁଙ୍କ ଖିଆ ସରି ଆସୁଥାଏ । ହାତ ମୁହଁ ତରବରରେ ଆଞ୍ଚେଇ ଦେଇ ସେ ବନ୍ଧୁଙ୍କୁ ଶଙ୍ଖୋଳିବାକୁ ବାହାରିଗଲେ । ଯାଇଁ ଦେଖିଲେ ତୃତୀୟ ଜଣକ ହେଉଛନ୍ତି ଜଣେ ଭଦ୍ରଲୋକ, ନାଁ ବିନୟ ଶଙ୍କର ରାୟ, ଘର ମକରବା ସାହି । କିଛି ଦିନ ଆଗରୁ ପ୍ରଫୁଲ୍ଲ ୟୁସୁଫ୍ଙ୍କୁ କଟକରେ ନିଜ ପାଇଁ ଜାଗା ଖଣ୍ଡେ ଯୋଗାଡ଼ କରିବା ବିଷୟରେ କହିଥା’ନ୍ତି । ସେତେବେଳକୁ କଟକକୁ ଆସି ପ୍ରଥମେ ଦୈନିକ ସମ୍ବାଦପତ୍ର ‘ଗଣତନ୍ତ୍ର’ ଓ ତାହା ପରେ ‘ସମାଜ’ରେ ସାମ୍ବାଦିକତାର ବୃତ୍ତି ଆଦରି ନେବାର ଦଶ ବର୍ଷ ହୋଇଗଲାଣି ।
ପ୍ରଫୁଲ୍ଲ ୧୯୬୧ ମସିହାରେ ସରକାରୀ ଚାକିରୀ ଛାଡ଼ି ସାମ୍ବାଦିକ ବନିଲେ । ତାହା ପରଠାରୁ ଭ୍ରାମ୍ୟମାଣ ଜୀବନକୁ ଛାଡ଼ି କଟକକୁ ଆରେଇ କରି ବସା ବାନ୍ଧିଲେ । ୧୯୬୦ ମସିହାରେ ଛତ୍ରପୁରରେ ସାମାଜିକ ଶିକ୍ଷା ସଙ୍ଗଠକ ଭାବେ ଓଡ଼ିଶା ସରକାରଙ୍କ ପାଇଁ କାମ କରୁଥିବା ସମୟରେ, ଇତିହାସରେ ଏମ୍.ଏ. ଦେବହୁତୀ ବକ୍ସିଙ୍କ ସହ ତାଙ୍କର ବାହାଘର ହୋଇ ସାରିଥିଲା । କଟକ ଆସିଲା ପରେ ପ୍ରଫୁଲ୍ଲ ସମାଜରେ କାମ କଲେ ଆଉ ଦେବହୁତୀ ବରିନେଲେ କେମ୍ବ୍ରିଜ୍ ସ୍କୁଲରେ ଶିକ୍ଷୟତ୍ରୀର ଜୀବନ । ୧୯୬୫ରେ ଝିଅ ସସ୍ମିତା ଓ ୧୯୬୯ରେ ପୁଅ ସୌମିତ୍ର ଙ୍କର ଜନ୍ମ ହେଲା ।
ଅର୍ଥାତ୍, ସତୁରୀ ଦଶକର ଆରମ୍ଭ ବେଳକୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ଗୋବରା ଗ୍ରାମରେ ୧୯୩୩ ମସିହାରେ ଜନ୍ମିତ ପ୍ରଫୁଲ୍ଲଙ୍କର, ତଥା ତାଙ୍କ ପରିବାରର, କଟକରେ ଚେର ବହୁତ ଭଲ ଭାବରେ ଲାଗିଯାଇଥାଏ । ହେଲେ ସେମାନେ ଅନ୍ୟ ଅନେକ ନୂଆ କଟକିଆଙ୍କ ଭଳି ରହୁଥା’ନ୍ତି ଭଡ଼ାରେ ନିଆଯାଇଥିବା ବସା ଘରେ । ତାଙ୍କ ବାପା, ଗଞ୍ଜାମର ଗାନ୍ଧୀ ଭାବରେ ପରିଚିତ ସ୍ୱାଧୀନତା ସଙ୍ଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକ, ଗୋବରା ଗାଁ’ ଓ ଭଞ୍ଜନଗର ଟାଉନରେ ପୈତୃକ ଘରବାଡ଼ି ବିକିରି କରିଦେଇଥା’ନ୍ତି । ଏଣୁ ପିଲାମାନେ ବଡ଼ ହୋଇସାରିଲା ବେଳକୁ, ଚାକିରୀବାକିରି ସଇଲା ପରେ, ଗଞ୍ଜାମକୁ ଘରବାହୁଡ଼ାର ସମ୍ଭାବନା ମଧ୍ୟ ଥିଲା କ୍ଷୀଣ ।
ଏଣୁ ନିଷ୍ପତ୍ତି ନିଆଗଲା, କଟକରେ ଜାଗା ଖଣ୍ଡିଏ କିଣି ଘର ତିଆରି କରାଯିବ । ହେଲେ ଦଇବ ବ୍ୟତିରେକ ଘର, ଜମି କିଣା ଓ ଘରତିଆରିର ଅସଲ ମଞ୍ଜ କଥାଟି ହେଲା, ଠନ୍ଠନାଠନ୍ ରୁପିଆ, ମାନେ ଟଙ୍କା । ଷାଠିଏ ଦଶକର ସାମ୍ବାଦିକ ଚାକିରିର ଦରମାରେ ପ୍ରଫୁଲ୍ଲ କିଛି ବି ଅର୍ଥ ସଞ୍ଚୟ କରିପାରିନଥିଲେ । ସ୍ତ୍ରୀ ଦେବହୁତୀ ନିଜ ବୁଦ୍ଧିରେ ଶିକ୍ଷୟତ୍ରୀର ଦରମାରେ ବି ସେତେବେଳକୁ ତିନି ହଜାର ଟଙ୍କା ଡାକଘରେ ଜମା କରିସାରିଥିଲେ । ପାଠକେ ଅବଧାନ କରିବା ହେବେ କି, ୧୯୭୧ ମସିହାରେ ସୁନା ଭରିକର ଦାମ ୧୯୦ଟଙ୍କା ପାଖାପାଖି ଥିଲା । ଅର୍ଥାତ୍ ତିନି ହଜାର ଟଙ୍କାକୁ ଧରି ଘର ତୋଳିବାଟା ଦିବାସ୍ୱପ୍ନ ହେଲେ ବି, ସେହି ପରିମାଣର ଅର୍ଥ ଜାଗା ଖଣ୍ଡିଏ କିଣିବା ପାଇଁ କିଛି ଅଳପ ନଥିଲା ।
ଏଣୁ ଜାଗା ଖୋଜା ଚାଲିଥାଏ । ହେଲେ ଦୁଇଟି ସ୍ଥାନରେ ଠିକଣା ହୋଇ, ପ୍ରଫୁଲ୍ଲ ଅଗ୍ରୀମ ଦେଇସାରି ମଧ୍ୟ, ଶେଷ ସମୟରେ ପରିସ୍ଥିତିର ଦାୟରେ କଥାବାର୍ତ୍ତା ଓଲଟି ପଡ଼ି ଅର୍ଥ ଫେରସ୍ତ ଆଣିଲେ । ଶେଷକୁ ବକ୍ସିବଜାରର ନୂଆମାର୍କେଟରେ ବସୁଥିବା ଆଠଗଡ଼ ଅଞ୍ଚଳରୁ ଆସୁଥିବା ଜଣେ ଜ୍ୟୋତିଷଙ୍କର ପରାମର୍ଶ ନିଆଗଲା । ପ୍ରଫୁଲ୍ଲଙ୍କର ବସ୍ ସମାଜର ସମ୍ପାଦକ ରାଧାନାଥ ରଥଙ୍କର ପଣ୍ଡିତଜଣଙ୍କ ଥିଲେ ପ୍ରିୟପାତ୍ର ।
ସମସ୍ୟା ଶୁଣିବା ପରେ ଜ୍ୟୋତିଷ ତାଙ୍କୁ ଗୋଟିଏ ପୁଷ୍ପ, ଏକ ସଙ୍ଖ୍ୟା ଓ ଜଣେ ଦିଅଁଙ୍କ ନାମ କହିବା ପାଇଁ କହିଲେ । ପ୍ରଫୁଲ୍ଲ ବାବୁଙ୍କ ଉତ୍ତର ପାଇଲା ପରେ, କାଗଜରେ କଲମ ଚାଳନା କରି ସେ କହିଲେ କି, ଜମିଜମା ମାମଲାରେ ପରିବାରଟିର ଭାଗ୍ୟରବି ଖିୁବ୍ ଜଲଦି ଉଦୟ ହେବାକୁ ଯାଉଚି; କଟକର ଠିକ୍ ମଝାମଝି ଜମି ତ ମିଳିବ, ତାହା ସହିତ ଘର ଖଣ୍ଡିଏ ବି ସଞ୍ଜୁକ୍ତ ଥିବାର ଦଇବଯୋଗ ଅଛି । ଏଇ କଥାକୁ ତାଙ୍କ ପରିବାରରେ କେହି ମଧ୍ୟ ପରତେ ଗଲେ ନାହିଁ । ସଭିଏଁ ମନ କଥା ମନରେ ମାରି ରହିଲେ ।
ଏହି ଭଳି ପରିବେଶରେ ସୁଦଶା ବ୍ରତ ଦିନ ଆସି ପହଞ୍ଚିଲେ ୟୁସୁଫ୍ ବାବୁ ଓ ତାଙ୍କ ସହିତ ବିନୟ ଶଙ୍କର ରାୟ । ବିନୟ ବାବୁଙ୍କର ମକରବା ସାହିରେ ଥାଏ ଆମ୍ବ, ନାରିକେଳ ଓ କଇଁଥ ଆଦି ବୃକ୍ଷ ସୁଶୋଭିତ ଏକ ଜମିରେ, ଗୋଟେ କ୍ଷୁଦ୍ର ଜଳାଶୟ ସଂଲଗ୍ନ ଆଜବେଷ୍ଟସ ଛାତ ଥିବା, ଦୁଇ ବଖୁରିଆ ଘରଟିଏ । ସେ ନିଜ କନ୍ୟା ଓ ଜାମାତାଙ୍କୁ ବିଦେଶ ପଠାଇବା ପାଇଁ ତୁରନ୍ତ କିଛି ଅର୍ଥ ଆବଶ୍ୟକ କରୁଥା’ନ୍ତି । ସେଥି ନିମନ୍ତେ ଚାଲିଥାଏ ମକରବା ପଡ଼ାସ୍ଥ ଜମି ଓ ଘର ବିକ୍ରି କରିବାର ଉପକ୍ରମ । କଥାବାର୍ତ୍ତା ଛିଡ଼ିଲା ଏଗାର ହଜାର ଟଙ୍କାରେ । ତିନି ହଜାର ଟଙ୍କା ଅଗ୍ରୀମ । ବାକି ଟଙ୍କା ରେଜେଷ୍ଟ୍ରି ସମୟରେ, ମାସକ ପରେ, ଦିଆଯିବାର କଥା ହୋଇ ଲେଖାପଢ଼ା ହେଲା ।
ହେଲେ ଘରମାଲିକ ଅଗ୍ରୀମ ନେବାର ଦୁଇ ଦିନ ପରେ ଆଉ ହଜାରେ ଟଙ୍କା ମାଗିଲେ । ସେହି ଅର୍ଥକୁ ପ୍ରଫୁଲ୍ଲ ବାବୁ ଦେବହୁତୀଙ୍କର ବାପାଙ୍କ ଠାରୁ ଧାର ଆଣି ଦେଲେ । ବିଲେଇ କପାଳକୁ ଶିକା ଛିଡ଼ିଲା ପରି ଏହି ଘଟଣାର ମାତ୍ର ସାତ ଦିନ ପରେ, ତାଙ୍କ ଶଶୁରଙ୍କୁ ଭୁବନେଶ୍ୱରରେ ଘର ତିଆରି କରିବା ପାଇଁ ସାତ ହଜାର ଟଙ୍କା ୠଣ ମିଳିଲା । ଏହି ଟଙ୍କାକୁ ଧାର ନେଇ, ବିନୟ ବାବୁଙ୍କୁ ବାକି ଚୁକ୍ତି ଅର୍ଥ ଦେଇ, ଜମି ବିକ୍ରି ପଞ୍ଜିକରଣ ପାଇଁ ଦରକାରି ଅର୍ଥ ଯୋଗାଡ଼ କରି, ଯଥାଶୀଘ୍ର ଜମି ଓ ଘର ନିଜ ନାମରେ ରେଜେଷ୍ଟ୍ରି କରିଦିଆଗଲା ।
ଯେଉଁ ଦିନ ଗୃହପ୍ରବେଶ ପୂଜା କରି ତାଙ୍କ ପରିବାର ଘରେ ପଶିଲେ, ସେହି ରାତିରେ ଏକ ପ୍ରବଳ ବାତ୍ୟା ହେଲା । ବାଡ଼ିର ଗୋଟିଏ ବଡ଼ ଆମ୍ବ ଓ କଇଁଥ ଗଛ ଉପୁଡ଼ି ପଡ଼ିଲା । ହେଲେ ଘରର କି ପରିବାରର ଲୋକଙ୍କର କିଛି କ୍ଷତି ହେଲା ନାହିଁ । ବାତ୍ୟାରୁ ଉବୁରି ସେହି ଜମିରେ ବାଇଗଣ, ପାତାଲ୍ଘଁଟା, ଶିମ୍ବ ଓ କାକୁଡ଼ି ଆଦି ପନିପରିବାର ଚାଷ ଆରମ୍ଭ ହେଲା, ନୂଆ ରୋଷେଇ ଘରେ ବ୍ୟବହାର ପାଇଁ । ବଢ଼ୁଥିବା ପିଲାଙ୍କ ପାଇଁ ଘରଟି ଛୋଟ ପଡ଼ିବାରୁ ଘର ଚାରିପଟେ ଥିବା ଜାଗାରେ ଆଉ ଗୋଟିଏ ଘର ତିଆରି କରିବାର ଚେଷ୍ଟା ଆରମ୍ଭ ହେଲା । ଏଥିରେ ସହାୟ ହେଲେ ସ୍ତ୍ରୀଙ୍କ ବିଦ୍ୟାଳୟରେ କାର୍ଯ୍ୟରତ ରାଜମିସ୍ତ୍ରୀ ରତନା ।
ନଗରପାଳିକା ଓ କଟକ ବିକାଶ ପ୍ରାଧିକରଣ (ସିଡିଏ) ଙ୍କ ଠାରୁ ଯୋଜନା ମଞ୍ଜୁର କରାଗଲା । ପ୍ରଫୁଲ୍ଲ ଓ ଦେବହୁତୀଙ୍କ ଦରମାରୁ ଧିରେଧିରେ ଅର୍ଥ ସଞ୍ଚୟ କରି ସେଥିରେ ଚାରିବଖୁରିଆ, ପକ୍କା, ଶୂନ ଛାତର ନୂଆ ଘରଟିଏ ତିଆରି ହେଲା । ୧୯୮୧ ମସିହାରେ ଗୃହନିର୍ମାଣ ସରିଲା । ଛୋଟ ପରିବାରଟି ବଡ଼ ଘରଟିକୁ ଉଠି ଯାଇ, ପୁରୁଣା ତଥା ଛୋଟିଆ ବସାଟି ଭଡ଼ା ଲଗାଇଦେଲେ । ଯାହା ଦିନେ ସ୍ୱପ୍ନ ପରି ଲାଗୁଥିଲା, ତାହା ଏବେ ସତ ହେଲା ।
ବି. ଦ୍ର. - ଏହି ଲେଖାଟିର ଉପାଦାନ ୨୦୧୫ ମସିହାରେ ପ୍ରକାଶିତ ସାମ୍ବାଦିକ ଓ ଲେଖକ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କର ଆତ୍ମଜୀବନୀ ‘ଏଇ ମୋ ଜୀବନ’ରୁ ନିଆଯାଇଚି । ବହିଟିର ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା ବିଶ୍ୱମୁକ୍ତି । ବହିଟିର ପ୍ରଚ୍ଛଦପଟ ଆଙ୍କିଛନ୍ତି ଓ ମୁଖବନ୍ଧ ଲେଖିଚନ୍ତି ଦିନନାଥ ପାଠୀ । ବହିଟିର ପ୍ରାକ୍କଥନରେ ଲେଖକ ଗ୍ରନ୍ଥଟିର ମୁଦ୍ରଣ ଖର୍ଚ୍ଚ ତୁଲାଇଥିବାରୁ ନିଜର ପୁତ୍ର ସୌମିତ୍ର ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଚନ୍ତି । ଏହି କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା ।
ମାର୍କସ ଅରିଲସଙ୍କର 'ବିଚାରମାଳା' ଦ୍ୱିତୀୟ କାଣ୍ଡ: ପଞ୍ଚମ ଓ ଷଷ୍ଠ ଅଧ୍ୟାୟ ଅନୁବାଦକ - ଶୈଲେନ ରାଉତରାୟ ରୋମୀୟ ସ୍ଟୟିକ ଦାର୍ଶନିକ ସେନେକା ଫଟୋ କ୍ରେଡ଼ିଟ - ...