ବିଶ୍ୱ ଦରବାରରେ ଗୁଡ଼ାଖୁ
ଶୈଲେନ ରାଉତରାୟ
![]() |
| ଗୁଡ଼ାଖୁର ବିକ୍ରିବଟା ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍/ଶୈଳେଶ ପଟ୍ଟନାୟକ |
ପରବର୍ତ୍ତି ସମୟର ପ୍ରସିଦ୍ଧ ଅମଲା ଓ ଲେଖକ ଗଣନାଥ ଦାସ ୧୯୨୯ ମସିହାରେ କଲେଜିଏଟ୍ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ନାଁ ଲେଖାଇବା ପାଇଁ କଟକ ଯାଆନ୍ତି । ସେତେବେଳେ କିଛି କିଛି ପିଲା ଗୁଡ଼ାଖୁ ଘଷିବା ଆରମ୍ଭ କରିସାରିଥାଆନ୍ତି । ବିଶେଷତଃ ଦଶମ ଓ ଏକାଦଶ ଶ୍ରେଣୀରେ ।
କଲେଜିଏଟ୍ ଇସ୍କୁଲୁ ଛାତ୍ରାବାସରେ ଗଣନାଥଙ୍କର ଯେଉଁ ବଖରାରେ ଆସ୍ଥାନ, ସେଠି ରହୁଥାଆନ୍ତି ତିନିଜଣ ପିଲା । ସେଥିରୁ ଜଣେ ହେଲେ ଯାଜପୁର ଅଞ୍ଚଳର ଜଣେ ବଙ୍ଗାଳି ଜମିଦାରଙ୍କର ସନ୍ତାନ ଉମେଶ ବର୍ଦ୍ଧନ । ଜମିଦାରପୁତ୍ର ନିଜର ପିତୃଦେବଙ୍କର ଅଫିମ ଓ ତଜ୍ଜନିତ କୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ପାଇଁ ଗୁଡ଼ାଖୁ ବ୍ୟବହାରରୁ କେବଳ ଗୁଡ଼ାଖୁ ସେବନଟିକୁ ଆପଣେଇଥାଆନ୍ତି । ଉମେଶ ବାବୁଙ୍କ ମତରେ ଗୁଡ଼ାଖୁ ହେଲା କୋଷ୍ଠକାଠିନ୍ୟର ଅବ୍ୟର୍ଥ ଔଷଧି । କୋଷ୍ଠକାଠିନ୍ୟ ବା କାହାର ନାହିଁ । ଏଣୁ ଗଣନାଥ ବାବୁ ଏହି ସମସ୍ୟାର ନିବାରଣ ନିମନ୍ତେ ବନ୍ଧୁଙ୍କଠାରୁ ମାଗି ନେଇ ଟିକିଏ ଟିକିଏ ଗୁଡ଼ାଖୁ ଘସିବାର ଅଭ୍ୟାସ କରନ୍ତି ।
୧୯୩୧ ମସିହାରେ ଗଣନାଥ ବାବୁ ମାଟ୍ରିକି ପାସ କରି ରେଭେନ୍ସା କଲେଜରେ ଯୋଗ ଦିଅନ୍ତି । ସେତେବେଳକୁ ତାଙ୍କ ବଡ଼ ଭାଇ ମଧ୍ୟ ସେଠାରେ ଆଇନି ଅଧ୍ୟୟନ କରୁଥାଆନ୍ତି । ଦୁଇ ଭାଇ ଛାତ୍ରାବାସରେ ଗୋଟିଏ ବଖରାରେ ରହିଲେ । ଏଣୁ କନିଷ୍ଠ ଦାସଙ୍କୁ ଲୁଚିଲୁଚି ପାଇଖାନା ଭିତରେ ଗୁଡ଼ାଖୁ ସେବନ କରିବାକୁ ପଡ଼ିଲା ।
କଲେଜ ସରିଲା । ବାବୁ ଚାକିରୀ ମଧ୍ୟ କଲେ । ଓ ତାହା ପରେ ବାହାଚୁରା ବି ହେଲେ । ସ୍ତ୍ରୀ ଥିଲେ ନିର୍ଘାତ କଟକି । ଗୁଡାଖୁର ଜନ୍ମସ୍ଥଳିର ମହିଳା ହୋଇ ମଧ୍ୟ ସେ ଥିଲେ ନିର୍ମମ ଭାବରେ ଗୁଡ଼ାଖୁ ବିରୋଧି । ମାତ୍ର ସ୍ତ୍ରୀ ଯେତେ କହିଲେ ମଧ୍ୟ ଗଣନାଥ ବାବୁ ଗୁଡ଼ାଖୁ ସେବନ ଛାଡ଼ିପାରିଲେ ନାହିଁ ।
ସରକାରି ଚାକର ହିସାବରେ ପାଇଟି କରିବା ଭିତରେ ସାମାଜିକ ପ୍ରଶାସନ ବିଷୟରେ ଶିକ୍ଷା ଓ ଅଧ୍ୟୟନ କରିବା ପାଇଁ ଦାସେଙ୍କୁ ବିଲାତ ତଥା ଅନ୍ୟାନ୍ୟ ଦେଶ ଭ୍ରମଣ କରିବାକୁ ପଡ଼ିଲା । ଭ୍ରମଣ କରିବାକୁ ଗଲାବେଳେ ଆପଣା ସାଥିରେ ଗୁଡ଼ାଖୁ ଡବାଟିଏ ଅବଶ୍ୟ ନେଇକରି ଯାଇଥାଆନ୍ତି । ବାବୁ ବିଲାତ ଯାଆନ୍ତି ୧୯୫୪ ମସିହାରେ ।
ସେତେବେଳକୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଧୂଳି ବସିପଡ଼ିଥାଏ । ହେଲେ ତାହାର ଘନଘଟାର ସ୍ମୃତି ତାଜା ଥାଏ । ଡେଭୋନ୍ର ୟୁନିଭର୍ସିଟି କଲେଜ୍ ଅଫ୍ ଦି ସାଉଥ୍ ୱେଷ୍ଟ୍ ଅଫ୍ ଇଙ୍ଗ୍ଲଣ୍ଡ୍ (ବର୍ତ୍ତମାନର ଏକ୍ଜିଟର୍ ବିଶ୍ୱବିଦ୍ୟାଳୟ) ରେ ଛଅ ମାସ ରହି ଗଣନାଥ ବାବୁ ସାମାଜିକ ପ୍ରଶାସନର ଅଧ୍ୟୟନ କଲେ ।
ସେତେବେଳେ ସେ ରହୁଥିଲେ ମିସେସ୍ ଟୋଜର୍ ନାମକ ଜଣେ ଭଦ୍ର ମହିଳାଙ୍କର ଘରେ, ତାଙ୍କର ଅତିଥି ଭାବରେ । ମିସେସ୍ ଟୋଜର୍ଙ୍କର ବୟସ ପଚାଶ । ଭଦ୍ରମହିଳା ଜଣଙ୍କ ସଦାଶୟ । ଦାସ ବାବୁ କଲେଜେ ଯାଇଥିଲା ବେଳେ ବଖରା ସଜଡ଼ାସଜଡ଼ି କରିଦିଅନ୍ତି ।
ଥରେ ରାତ୍ରଭୋଜନ ପରେ ହଠାତ୍ ଶ୍ରୀମତି ଟୋଜର୍ ଗଣନାଥ ବାବୁଙ୍କୁ ଧରିଲେ । ମ୍ୟାଡମ୍ ବଖରା ସଜାଡ଼ିଲା ବେଳେ ବୋଧହୁଏ ବାବୁଙ୍କର ଖୋଲା ବ୍ୟାଗ୍ଟି ତାଙ୍କ ଆଖିରେ ପଡ଼ିଛି । ଓ ସେଥିରେ ଦୁଶିଚି କାଳିଆ ଜିନିଷ ଭର୍ତ୍ତି ଗୋଟିଏ ଡବା । ଟୋଜର୍ ଧରିନେଇଛନ୍ତି ଯେ ଡବାଟି ଅହିଫେନର । ଗଣନାଥ ବାବୁ କିନ୍ତୁ ତାହା ଯେ ଅଫିମ ନୁହେଁ, କେବଳ ତମାଖୁର ଏକ ରୂପମାତ୍ର, ତାହା ବୁଝାଇଦେଇ ପାରିବାରୁ ତା’ ଏକ ମଧୁର ହାସ୍ୟରୋଳ ସୃଷ୍ଟି କଲା ଓ ପରିସ୍ଥିତିଟି ମେଣ୍ଟିଗଲା ।
ଇଂଲଣ୍ଡରେ ଛଅ ମାସ ବିତାଇ, ୟୁରୋପର କିଛି ଦେଶରେ ଶିକ୍ଷାଲାଭ ପାଇଁ ଭ୍ରମଣ ଇତ୍ୟାଦି କରି ଅମଲା ମହୋଦୟଙ୍କର ବୋଇତ ଯାଇଁ ଲାଗିଲା ସିଂହଳ ଦ୍ୱୀପରେ । ମାତ୍ର ସେଠି ବାବୁଙ୍କ ଭାଗ୍ୟ ବାମ ହେଲା । ଯେତେ ସାବଧାନତାର ସହିତ ଗୁଡ଼ାଖୁ ବ୍ୟବହାର କଲେ ମଧ୍ୟ ଲଙ୍କାରାଜ୍ୟରେ ପହଞ୍ଚିଲା ବେଳକୁ ଗୁଡ଼ାଖୁ ସରିଆସିଥିଲା । ନିଜର ଦୂରଦୃଷ୍ଟି ସହିତ ଅବଶ୍ୟ ଶ୍ରୀ ଗଣନାଥ ଦାସ ଏପରି ପରିସ୍ଥିତିର କଳନା କରିପାରିଥିଲେ । ଏଣୁ ନିଜର ଜଣେ ବନ୍ଧୁ ଯାଦବଙ୍କୁ ସେ କହିଆସିଥିଲେ ଶ୍ରୀଲଙ୍କାର ଠିକଣାରେ ଗୁଡ଼ାଖୁର ଡବାଟିଏ ପଠାଇ ଦେବା ପାଇଁ ।
କଲମ୍ବୋରେ ପହଞ୍ଚିବାର କିଛି ଦିନ ପରେ ବାବୁ ଅବକାରି ଅଫିସିରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ହାଜର ହେବା ନିମନ୍ତେ ଏକ ଛାପା ନୋଟିସି ପାଇଲେ । ବାବୁ ଧାର୍ଯ୍ୟ ତାରିଖରେ ଯାଇଁ ଅବକାରୀ ବାବୁଙ୍କ ଅଫିସିରେ ହାଜର ହେଲେ । ହେଲେ ପହଞ୍ଚି ଦେଖିଲେ ଯେ ଜଳବାୟୁ କିଛି ଅନୁକୁଳ ନୁହେଁ ।
ମୂଳରୁ ହିଁ ସିଂହଳି ଅବକାରି ବାଲା ଧରି ନେଇଥାଆନ୍ତି ଯେ ଆମର ସୁଧାର ଭାରତୀୟ ଅମଲା ଜଣଙ୍କ ଅପରାଧି ବୋଲି । ବିଚରା ଗୁଡ଼ାଖୁ ପୁଣି ଭୁଲ ପରିଚିତିର ଶୀକାର ହୋଇ ସିଂହଳି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଅହିଫେନ ଭାବରେ ଗଣା ହୋଇଥାଏ । ନିରପରାଧ ଗୁଡ଼ାଖୁ ଯେ ଅଫିମ ନୁହେଁ ସେକଥା କଷ୍ଟମସ୍ ଅଫିସର ମାନିବାକୁ ନାରାଜ ।
ଅଗତ୍ୟା ଆଉ ବାଟ ନ ପାଇ ଗଣନାଥ ବାବୁ ଉପରିସ୍ଥ ଅଫିସରଙ୍କୁ ଭେଟିବା ପାଇଁ ଜିଗର କଲେ । ଆସିଷ୍ଟାଣ୍ଟ୍ କଲେକ୍ଟର୍ଙ୍କୁ ଭେଟିବା ପାଇଁ ଅଧ ଘଣ୍ଟା ଅପେକ୍ଷା କରିବା ପଡ଼ିଲା । ତାଙ୍କୁ ଦେଖିଲା କ୍ଷଣି ଆସିଷ୍ଟାଣ୍ଟ୍ କଲେକ୍ଟର୍ ସାହିବ ସାହେବୀୟ ଫଣା ଟେକି ଦଂଶିବାକୁ ବସିଲେ । ଜଣାଇଦେଲେ ଯେ ତଥାକଥିତ ଅଫିମତକ ତ ଜବତ ହେବ, ତାହା ସହ ହଜାରେ ଟଙ୍କା କଷ୍ଟମ୍ ବିଭାଗକୁ ଓ ଦୁଇ ହଜାର ଟଙ୍କା ଜରିମାନା ବାବଦକୁ ଦେବାକୁ ପଡ଼ିବ ।
ଗଣନାଥ ବାବୁ ଯେତେ ଏହା ଗୁଡ଼ାଖୁ ଏବଂ ଗୁଡ଼ାଖୁ ଦନ୍ତମଞ୍ଜନର ଏକ ସାମଗ୍ରୀ ମାତ୍ର ଓ ସେ ନିଜେ ଜଣେ ଭାରପ୍ରାପ୍ତ, ଦାୟିତ୍ତ୍ୱସମ୍ପନ୍ନ ସରକାରୀ କର୍ମଚାରୀ ବୋଲି କହି ଅତିରିକ୍ତ ଜିଲ୍ଲାପାଳ ମହୋଦୟଙ୍କୁ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ତାଙ୍କର ବୋଧଗମ୍ୟ ହେଲା ନାହିଁ । ଓଲଟା ଜେଲଦଣ୍ଡ ଭୋଗିବାର ଧମକ ମଧ୍ୟ ଶୁଣିବାକୁ ପଡ଼ିଲା । ଶେଷକୁ ସିଂହଳି ଅମଲା ଜଣଙ୍କ ଓଡ଼ିଆ ଅମଲାଙ୍କୁ ଗୁଡ଼ାଖୁ ଯେ ନିରୁତା ଦନ୍ତମଞ୍ଜନ ବୋଲି ତାହାର ପ୍ରମାଣ ଡବାରୁ ପଚାଶ ଗ୍ରାମ କାଢ଼ି, ତାକୁ ଘଷି ଦେବା ପାଇଁ କହିଲେ ।
ଆଉ ବାଟ ତ କିଛି ନାହିଁ । ଏଣୁ ଗଣନାଥ ବାବୁଙ୍କୁ ବସିବସି ପଚାଶ ଗ୍ରାମ ଗୁଡାଖୁ ଘଷିବାକୁ ପଡ଼ିଲା । ଗୁଡ଼ାଖୁ ଘଷା ସରିଲା ବେଳକୁ ମୁଣ୍ଡ ବୁଲାଉ ଥାଏ । ଆଉ ଉପାୟ ନ ପାଇ ସିଂହଳି ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଗୁଡ଼ାଖୁ ଡବାଟି ଦାସବାବୁଙ୍କୁ ହସ୍ତାନ୍ତର କରିବା ପାଇଁ ଆଦେଶ ଦେଲେ । ମାତ୍ର ଏତେ ଅପମାନର ଶୀକାର ହୋଇ ମଧ୍ୟ ଶ୍ରୀଲଙ୍କାରେ ଗଣନାଥ ବାବୁଙ୍କର ଗୁଡ଼ାଖୁ ସେବନ ବନ୍ଦ ହେଲା ନାହିଁ । ତା’ କେମିତି ଯେ ବନ୍ଦ ହେଲା ତାହା ଆଉ ଏକ କାହାଣୀ ।
ଟୀକା: ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ଏକ ଭିନ୍ନ ଶୀର୍ଷକରେ ଛପିଥିଲା । ଏହାର ଉପାଦାନଗୁଡ଼ିକ ଗଣନାଥ ଦାସଙ୍କର ଆତ୍ମଜୀବନୀ ‘ସେକାଳ ଏକାଳ’ରୁ ନିଆଯାଇଛି । ପ୍ରବନ୍ଧଟି ପ୍ରଥମେ ଲେଖିବା ସମୟରେ ଲେଖକ ଅବହେଳାରେ ଗ୍ରନ୍ଥର ପ୍ରକାଶନର ବିବରଣୀ ଟିପିବାକୁ ଭୁଲିଯାଇଥିଲା । ଇଣ୍ଟର୍ନେଟ୍ରୁ ଉପଲବ୍ଧ ସୂଚନା ଅନୁସାରେ ବହିଟିର ପ୍ରକାଶନ ଭୁବନେଶ୍ୱରସ୍ଥ ସଂସ୍ଥା ସୁବର୍ଣ୍ଣରେଖା ୨୦୦୦ ମସିହାରେ କରିଥିଲେ । ହେଲେ ଏହା ଯେ ସଠିକ୍ ତାହା ଏ ଲେଖକ ହଲପ କରି କହିପାରିବ ନାହିଁ ।
.jpg)





