Sunday, September 22, 2024

ମଧ୍ୟବର୍ଗୀୟ ଲୋକଙ୍କର ଶୁଣିବାର କ୍ଷମତା ଅଛି କି?

ଶୈଲେନ ରାଉତରାୟ

ଇଂରାଜୀ ସାହିତ୍ୟରେ ଡାଏରି ରଚନାର ପରମ୍ପରା ପ୍ରାଚୀନ ତଥା ସମୃଦ୍ଧ । କେବଳ ଇଂରାଜୀ ସାହିତ୍ୟ କାହିଁକି, ଅଧିକାଂଶ ପାଶ୍ଚାତ୍ୟ ଭାଷାମାନଙ୍କରେ ଡାଏରି ଲେଖାର ଏକ ଲମ୍ବା ଚଳଣି ରହିଅଛି । ଭାରତୀୟ ସାହିତ୍ୟର ଇତିହାସରେ ଡାଏରି ରଚନାର ପରମ୍ପରା ସାହିତ୍ୟର ଅନ୍ୟ ବିଭାବମାନଙ୍କ ତୁଳନାରେ ଅର୍ବାଚୀନ । ଏକ ସାଂସ୍କୃତିକ ପରମ୍ପରାରେ କେତେଗୁଡ଼ିଏ ଚଳଣିର ଅବସ୍ଥିତି ଯେପରି ବିଶ୍ଳେଷଣ ଆବଶ୍ୟକ କରେ, ସେହିପରି ଅନ୍ୟଗୁଡ଼ିଏ ଚଳଣିର ଅନୁପସ୍ଥିତି କିଛି ପରିମାଣରେ ବର୍ଣ୍ଣନା ତଥା ବିଶ୍ଳେଷଣର ଦାବୀ କରେ ।

ଏହି ଦାୟରେ ଭାରତୀୟ ସଭ୍ୟତାର ଅଧିକାଂଶ ଭାଷାରେ ଡାଏରି ଲେଖାର ଏକ ପ୍ରାଚୀନ ପରମ୍ପରା କାହିଁକି ନାହିଁ, ତାହା ନିଶ୍ଚିତ ଭାବରେ ଏକ ବିସ୍ତୃତ ଆଲୋଚନାର ଅପେକ୍ଷା କରେ । ମାତ୍ର ଏପରି ଏକ ଆଲୋଚନାର ସ୍ଥାନ ବୋଧହୁଏ ଏହି ପୁସ୍ତକ ସମୀକ୍ଷା ନୁହେଁ । ମାତ୍ର ଏହିଠାରେ ଚୁମ୍ବକରେ ଏତିକିମାତ୍ର କହି ରଖିବା କଥା ଯେ, ଭାରତୀୟ ସଭ୍ୟତା ତଥା ପରମ୍ପରାରେ ଆଧୁନିକକାଳ ପର୍ଯ୍ୟନ୍ତ ବୈୟକ୍ତିକ ଚେତନାର ଅଭାବ ଏହିପରି ଅବସ୍ଥାର ଏକ କାରଣ ହୋଇପାରେ ।

ସମୀକ୍ଷାଧିନ ପୁସ୍ତକଟିର ଲେଖକ ଶ୍ରୀଯୁକ୍ତ ଅଚ୍ୟୁତ ଦାସ ଓଡ଼ିଶାର ସାମାଜିକ ଜୀବନରେ ଏକ ସୁପରିଚିତ ନାମ । ସେ ଏବଂ ତାଙ୍କର ଧର୍ମପତ୍ନୀ ବିଦ୍ୟାଙ୍କ ଦ୍ୱାରା ପରିଚାଳିତ ବେସରକାରୀ ସଂସ୍ଥା ଅଗ୍ରଗାମୀ ରାଜ୍ୟର ଏକ ଆଗଧାଡ଼ିର ସଂସ୍ଥା । ଏହି ଡାଏରିର ବିଷୟବସ୍ତୁ ମୂଳତଃ ଏହି ସଂସ୍ଥା ତିଆରି ହେବାର ପ୍ରାକ୍-ଇତିହାସର କାହାଣୀ ।

ଅଗ୍ରଗାମୀ ଆଜିପର୍ଯ୍ୟନ୍ତ ମୁଖ୍ୟତଃ ଅବିଭକ୍ତ କୋରାପୁଟ ଜିଲ୍ଲାର କାଶୀପୁର ବ୍ଲକ୍‌ରେ କାମ କରି ଆସିଅଛି । ଆଦିବାସୀ-ବହୁଳ କାଶୀପୁର ଏବେ ଖବରକାଗଜମାନଙ୍କରେ ନାହିଁ ନାହିଁର ଦେଶ । ଗତ କେଇ ବର୍ଷ ହେଲା ଏହି ଅଞ୍ଚଳରୁ ବାହାରୁଥିବା ଅଧିକାଂଶ କାହାଣୀର ବିଷୟବସ୍ତୁ କ୍ଷୁଧା, ବେମାରୀ କିମ୍ବା ଅପମୃତ୍ୟୁ ଉପରେ ଆଧାରିତ । ୧୯୭୦ଦଶକ ଶେଷ ହେଲାବେଳକୁ ଏବଂ ୧୯୮୦ ଦଶକ ଆରମ୍ଭ ହେଲା ବେଳକୁ ବୋଧହୁଏ ଏହି ଅଞ୍ଚଳରେ, ଭୂଇଁ ଉପରେ ପରିସ୍ଥିତି ବିଶେଷ କିଛି ଭିନ୍ନ ନଥିଲା ।

ମାତ୍ର ଅଚ୍ୟୁତ ବାବୁଙ୍କ ଭଳି ଜଣେ ସୁଶିକ୍ଷିତ ଲୋକଙ୍କ ପାଇଁ ଏହି ଅଞ୍ଚଳକୁ ନେଇ ରୋମାଞ୍ଚ ତଥା ଏହାର ଅତୀତକୁ ନେଇ ଆସକ୍ତି ଅନୁଭବ କରିବାର ଅବକାଶ ଥିଲା । ସେ ସମୟର କାଶୀପୁର ଥିଲା ଦୁର୍ଗମ । ବ୍ୟାପକ ଜଙ୍ଗଲ ଧ୍ୱଂସର ପର୍ବ ସେତେବେଳେ ଆରମ୍ଭ ହୋଇଯାଇ ଥାଏ ।

ତଥାପି ମାଇଲ୍ ମାଇଲ୍ ବ୍ୟାପି ଜଙ୍ଗଲ ଥିଲା ପ୍ରଚୁର । ଏହା ସହିତ କଲରାପତରିଆ ବାଘ କିମ୍ବା ଭାଲୁଦଳଙ୍କ ସହ ଭେଟ ହୋଇଯିବା ମଧ୍ୟ ଅତି ସହଜ ବ୍ୟାପାର ଥିଲା । ପାହାଡ଼ ଉପରେ କେହି ଜଣେ ପିଲା ଖଇ ବୁଣିଦେଲା ପରି ଗାଁ କେଇଟି । ଆଉ ସେହି ଗାଆଁଗୁଡ଼ିକରେ ଭୋକ, ବେମାରୀ ତଥା ଭୟର ରାଜୁତି ଥିଲା ଦୁର୍ବାର ।

ଏହିପରି ପରିସ୍ଥିତିରେ କାଶୀପୁରରେ ଅଚ୍ୟୁତବାବୁ ସୃଜନାତ୍ମକ କାମ ଆରମ୍ଭ କରନ୍ତି । କାମର ଆରମ୍ଭ ରାତ୍ରି-ପାଠଶାଳାରୁ । ଧିରେ ଧିରେ କାମର ପରିସର ବଢ଼େ । ରାତ୍ରି ପାଠଶାଳାରୁ କୁଟୁମ୍ବ ପାଣ୍ଠି, ତହିଁରୁ ଜଳସେଚନ ପାଇଁ ବନ୍ଧ ତିଆରି, ବନ୍ଧ ତିଆରିରୁ ପୁଣି ପନିପରିବା ଚାଷ ପାଇଁ ସମବାୟ ସମିତି ଗଢ଼ା । ଏହି ସୃଜନାତ୍ମକ କାମଗୁଡ଼ିକ ସହିତ ଆରମ୍ଭ ହୁଏ ସାହୁକାରମାନଙ୍କର ଶୋଷଣରୁ ଆଦିବାସୀମାନଙ୍କର ମୁକ୍ତି ପାଇଁ ଆନ୍ଦୋଳନ,ତଥା ତଦ୍‌ଜନିତ ରକ୍ତକ୍ଷୟ ଓ ସ୍ୱାସ୍ଥ୍ୟହାନୀ ।

ଏହି ସବୁ ଉଦ୍ୟମର ଭିତ୍ତିସ୍ୱରୂପ ଏକ ସାମୂହିକ ଜୀବନ ଗଢ଼ିବାର ଚେଷ୍ଟା ମଧ୍ୟ ଜଳ ଜଳ ହୋଇ ଦିଶିଯାଏ । ସଂସ୍ଥାରେ ସମସ୍ତଙ୍କର ସମାନ ଦରମା । ମେସ୍‌ରେ ସମସ୍ତଙ୍କର ଏକାଠି ଖିଆପିଆ । ଆଜିକାଲି ବିଶେଷ ଆଲୋଚନାର ବିଷୟବସ୍ତୁ ବନିଥିବା ଇଣ୍ଡିଜେନସ୍ ଶିକ୍ଷା, ତଥା ପାରମ୍ପରିକ ପ୍ରାକୃତିକ ସମ୍ପଦ ପରିଚାଳନା ବ୍ୟବସ୍ଥା ଆଦିକୁ ନେଇ କାଶୀପୁରରେ ସେହି ସମୟରେ ହୋଇଥିବା ପରୀକ୍ଷା ନିରୀକ୍ଷାର ଅନେକ ମୂଲ୍ୟ ରହିଅଛି ।

ମାତ୍ର କାଶୀପୁରର ଆଦିବାସୀଙ୍କୁ ନେଇ ଏସବୁ ପ୍ରକାରର ଗୁରୁତ୍ୱପୂର୍ଣ୍ଣ କାମ ପଛରେ ଏକ ରୋମାଣ୍ଟିକ ଭାବଧାରା ଅତି ସୁସ୍ପଷ୍ଟ । ଗୋପୀନାଥ ମହାନ୍ତିଙ୍କର ପରଜାକିମ୍ବା ଅମୃତର ସନ୍ତାନଅଚ୍ୟୁତ ବାବୁଙ୍କର ପ୍ରିୟ । ଆଫ୍ରିକୀୟ ଲେଖକ ଶିନୁଆ ଆଚିବିଙ୍କର ଥିଙ୍ଗ୍ସ୍ ଫଲ୍ ଆପାର୍ଟ୍ନୁହେଁ ।

୧୯୬୦ ଦଶକର ଅନ୍ତ ପର୍ଯ୍ୟନ୍ତ ନୃତତ୍ତ୍ୱ ବିଦ୍ୟା ଆମ ଆଗରେ ଆଦିବାସୀ ସମାଜମାନଙ୍କର ଏକ ଇତିହାସବିହୀନ ଛବି ଧରି ତୋଳିଥିଲା । ତଥାକଥିତ ସଭ୍ୟଜାତିମାନଙ୍କର ଇତିହାସ ଥିଲା । ଏବଂ ତଥାକଥିତ ଅସଭ୍ୟ ଆଦିବାସୀମାନଙ୍କର ଥିଲା କେବଳ ଏକ ନୃତାତ୍ତ୍ୱିକ ବର୍ତ୍ତମାନ ।

ଏହି ପରି ଅବଧାରଣା ଯେ କେବଳ ପୋଥିଗତ ବିଦ୍ୟା ଭିତରେ ଆବଦ୍ଧ ଥିଲା ତାହା ନୁହେଁ । ସରକାରୀ ତଥା ବେସରକାରୀ ସଂସ୍ଥାମାନଙ୍କର ନୀତି ଉପରେ ଏପରି ଚିତ୍ରମାନଙ୍କର ପ୍ରଭାବ ସୁଦୂରପ୍ରସାରୀ ଥିଲା । ଆଦିବାସୀ ପରିଚୟ ତଥା ସାମାଜିକତାର ଯେ ଏକ ସମୃଦ୍ଧ ତଥା ଜଟିଳ ଇତିହାସ ରହିଅଛି, ସେ ବିଷୟରେ ଆଲୋଚନାର ପରମ୍ପରା ଅପେକ୍ଷାକୃତ ଭାବରେ ଅର୍ବାଚୀନ ।

ଆମେ ଯଦି ଆଦିବାସୀମାନଙ୍କୁ କେବଳ ଅମୃତର ସନ୍ତାନଭାବରେ ଦେଖିବା, ତାହାହେଲେ ସେମାନଙ୍କର ଶୋଷଣର ଇତିହାସ (କେବଳ ବର୍ତ୍ତମାନ ନୁହେଁ) ଅଲେଖା ରହିଯିବ । କାରଣ ଏହା ଫଳରେ ଆମେ ସେମାନଙ୍କର ସ୍ୱକୀୟ ରାଜନୈତିକ ଚେତନାର ଢାଞ୍ଚାକୁ ଚିହ୍ନି ପାରିବା ନାହିଁ । ଯାହା ଫଳରେ, ଆଦିବାସୀମାନଙ୍କର ଫର୍ମାଲ୍ ରାଜନୈତିକ ପ୍ରକ୍ରିୟାରେ ଅନୁପସ୍ଥିତିକୁ ସେମାନଙ୍କର ରାଜନୈତିକ ଅପରିପକ୍ୱତା ବୋଲି ଆମେ ଧରିନେବା ।

ଭାରତୀୟ ସମାଜଚର୍ଚ୍ଚାରେ ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ପିଭାକ୍‌ଙ୍କର ଏକ ପ୍ରବନ୍ଧ - କ୍ୟାନ୍ ଦ ସବ୍ଅଲ୍ଟନ୍ ସ୍ପିକ୍,ଅର୍ଥାତ୍ ନିମ୍ନବର୍ଗୀୟ ଲୋକେ ନିଜ କଥା କହିପାରିବେ କି - ଗୋଟେ ସମୟରେ ଅନେକ ଚହଳ ସୃଷ୍ଟି କରିଥିଲା । ଏହି ପ୍ରବନ୍ଧର ଉତ୍ତର ସ୍ୱରୂପ ଜଣେ ଲୋକକଥାବିଦ୍ ଏହା ପଚାରିଥିବାର ଶୁଣାଯାଏ - କ୍ୟାନ୍ ଦ ବୁର୍ଜୁଆଜି ଲିସନ୍?’- ଅର୍ଥାତ୍, ‘ମଧ୍ୟବର୍ଗୀୟ ଲୋକଙ୍କର ଶୁଣିବାର କ୍ଷମତା ଅଛି କି?’

ଅଚ୍ୟୁତବାବୁଙ୍କର ଏହି ଡାଏରି ଆମର ମଧ୍ୟବର୍ଗୀୟ ସମାଜର ଜଣେ ଦରଦୀ କର୍ମୀଙ୍କର, ଆମଠାରୁ ଅନେକ ଭାବରେ ଭିନ୍ନ ତଥା ଦଳିତ ସମାଜର ସଦସ୍ୟମାନଙ୍କର କଥା ଶୁଣିବା ପାଇଁ ଏକ ପ୍ରଚେଷ୍ଟା ଭାବରେ ଆମେ ଦେଖିପାରିବା । ଏହି ପ୍ରଚେଷ୍ଟା କେତେ ଦୂର ସଫଳ, ତାହାର ଜବାବ ବୋଧହୁଏ କେବଳ ଇତିହାସ ହିଁ ଦେଇ ପାରିବ ।

ମାତ୍ର ଏହି ପ୍ରଚେଷ୍ଟାକୁ ଆମ ସହିତ ବାଣ୍ଟିବାପାଇଁ ଅଚ୍ୟୁତବାବୁ ଧନ୍ୟବାଦର ପାତ୍ର ନିଶ୍ଚୟ । ଓଡ଼ିଆ ଭାଷାରେ ଡାଏରି ସାହିତ୍ୟ ପ୍ରତି ଏହି ପୁସ୍ତକ ଏକ ସ୍ୱାଗତଯୋଗ୍ୟ ଅବଦାନ ।

ବହି ବିଷୟରେ ବିବରଣୀ: ଅଚ୍ୟୁତ ଦାସ । 2008 କାଶୀପୁର ଡାଏରି (୧୯୮୦-୮୫) । ଭୁବନେଶ୍ୱର: ଶିକ୍ଷାସନ୍ଧାନ ।

ଟୀକା: ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟି୧୬-୩୧ ଡିସେମ୍ବର, ୨୦୦୮, ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା ।

Sunday, September 8, 2024

ପୁଷ୍ପ ବର୍ଗ ୩-୪

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଏହି ଶରୀରକୁ ଫେନ ସମ ଜ୍ଞାନ କରି 
ମରୀଚିକା ପ୍ରକୃତି ଏହାର ବୁଝି ପାରି 
ଯେଉଁ ବ୍ୟକ୍ତି ପୁଷ୍ପଯୁକ୍ତ ମାରର ଯେ ଶରେ
ଛେଦନ କରଇ ତାହାକୁ ଅଗ୍ରଭାଗରେ 
ମୃତ୍ୟୁରାଜାର ଅଦର୍ଶନ ହୁଏ ତାହାରେ ।୩।

ରାଗାଦି ପୁଷ୍ପମାନଙ୍କୁ ତୋଳୁଥିବା ନର
ବିଶେଷ ଭାବେ ଆସକ୍ତ ମନ ଅଟେ ଯା'ର ।।
ମହାଜଳଧାରା ସୁପ୍ତ ଗ୍ରାମ ନେଲା ପରି
ମୃତ୍ୟୁ ତା'କୁ ସେହିପରି ନେଇଯାଏ ଧରି ।୪।


ମୂଳ ପାଲି ପଦ

ଫେଣୂପମଂ କାୟମିମଂ ବିଦିତ୍ୱା ମରୀଚିଧମ୍ମଂ ଅଭିସମ୍ବୁଧାନୋ ।
ଛେତ୍ୱାନ ମାରସ୍ସ ପପୁପ୍ଫକାନି ଅଦସ୍ସନଂ ମଚ୍ଚୁରାଜସ୍ସ  ଗଚ୍ଛେ । ୩।

ପୁପ୍ଫାନି ହେବ ପଚିନନ୍ତଂ ବ୍ୟାସତ୍ତମନସଂ ନରଂ ।
ସୁତ୍ତଂ ଗାମ‌ଂ ମହୋଘୋ'ବ ମଚ୍ଚୁ ଆଦାୟ ଗଚ୍ଛତି ।୪। 

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Sunday, September 1, 2024

Wall

Ramakanta Samantaray

Translated from Odia by Sailen Routray


Photo credit: commons.wikimedia.org/LBM1948

A beautiful, clean, white wall.

Shiny
Clear

When you had the time
while coming and going
you used to see the wall
clean, spotless.

Once you saw
there is a patch of dirt
sticking to the wall.
You picked up a rag doused with water
and scrubbed and scrubbed.
The dirt went, 
the spot remained.

The small spot 
on the white wall
now leaped at the eye
more and more.
It hurt the soul,
it hurt the mind.

I am reminding you
as you have forgotten.
You yourself had one day
whitewashed this old white wall 
for yourself.

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Whose purpose is it anyway? Sailen Routray  (This essay reflects on the idea of purpose—whether it is shaped by the self, by society, or by ...