Friday, November 13, 2020

ଅସିଆ କାଳର ବାମୁଣ ବାହାଘର

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍
ବିଦ୍ୟାଧର ମିଶ୍ର ଓଡ଼ିଶାର ବୌଦ୍ଧିକ ଜଗତରେ ଏକ ଜଣାଶୁଣା ନାମ । ଉପକୂଳବର୍ତ୍ତୀ ଓଡ଼ିଶାର ଏକ ପଲ୍ଲୀଗ୍ରାମରୁ ବାହାରି, ବିଲାତରେ ପ୍ରଶିକ୍ଷିତ ହୋଇ, ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଶିକ୍ଷାର ମୂଳଦୁଆ ପକାଇଥିଲେ । ପରେ ସେ ସେଠାରେ କୁଳପତି ଭାବରେ ମଧ୍ୟ କାମ କରିଥିଲେ । ହେଲେ ତାଙ୍କର ବାହାଘର ପୁରୁଣା ପରମ୍ପରା ଅନୁସାରେ ଘଟିଥିଲା, ସେ ଯେବେ ମାଇନର ପଢ଼ୁଥିଲେ, ତେବେ । ବୋଧେହୁଏ ଗତ ଶତାବ୍ଦୀର ୧୯୩୦ ଦଶକରେ ।
ବରଘରୁ କନ୍ୟାଘର ପନ୍ଦର କିଲୋମିଟର ଖଣ୍ଡେ ହେବ । ବରଘର ଶାସନୀ ଗାଁରେ । ବହୁକୁଟୁମ୍ବୀ, ଖାନଦାନୀ ଘର, ଯୌଥ ପରିବାର । ଅପର୍ଯ୍ୟାପ୍ତ ସମ୍ପତ୍ତିବାଡ଼ି । ଚାଷ ଜମି ଛଡ଼ା ତୋଟା ବଗିଚା ଇତ୍ୟାଦି ମଧ୍ୟ ଥାଏ । ପାତ୍ରକୁ ଚଉଦ ବର୍ଷ ବୟସ । ମାଇନର ସ୍କୁଲରେ ପାଠପଢ଼ା ଚାଲିଥାଏ । ଝିଅକୁ ନଅ ବରଷ । ଝିଅଘରର ଲକ୍ଷାଧିକ ଟଙ୍କାର ମହାଜନୀ କାରବାର ଥାଏ । ଝିଅର ବାପା ତେଜରାତି ଦୋକାନ ଓ ଲୁଗା ଦୋକାନର ମାଲିକ । ଶହେ ମାଣରୁ ବେଶୀ ଚାଷଜମି । ଘରେ ଓ ସିରସ୍ତାରେ କୋଡ଼ିଏରୁ ବେଶୀ ଚାକରବାକର ।
ବିଭାଘର ତିଥି ଥିଲା ଫଗୁଣ ମାସର ଶୁକ୍ଳ ପକ୍ଷ ଦଶମୀ । ଶୀତ ବିଦାୟ ନେଇଯାଇଥିଲେ ବି ଗ୍ରୀଷ୍ମର ଆଗମନ ଘଟିନଥାଏ । ମଙ୍ଗନ ଦିନ ବରଧରା ଆସି ପହଞ୍ଚିଲା ପରେ ବାଜା ଶବଦରେ ଥାଟପଟାଳି ପଡ଼ିଲା । ଶାସନର ଲୋକେ ଓ ନିମନ୍ତ୍ରିତ ଭଦରନୋକେ ଠା’କୁ ପଙ୍ଗତରେ ବସିଲେ । ତା’ ପରଦିନ, ଅର୍ଥାତ ବାହାଘର ଦିନ ବରଯାତ୍ରୀ ପ୍ରାୟତଃ ଚାଲିଚାଲି କନ୍ୟାଘର ଗାଁକୁ ଗଲେ । ଗୁରୁଜନ, ବୟସ୍କ ଲୋକ ଖାଲି ଯାହା ଗଲେ ବଳଦଗାଡ଼ିରେ ଓ ବରବାବୁ ଗଲେ ପାଲିଙ୍କିରେ । ବର ମହାଶୟ ସକାଳ ନଅଟାରୁ ବାହାରିଗଲେ । ସନ୍ଧ୍ୟା ପୂର୍ବରୁ କାମ ତମାମ କରିବାକୁ ପଡ଼ିବ ଯେ ।
ସେତେବେଳେ ଗାଁମାନଙ୍କରେ ବ୍ୟାଣ୍ଡ୍ ବାଜା ଇତ୍ୟାଦିର ପ୍ରଚଳନ ନଥାଏ । କନ୍ୟାଘରର ଦେଢ଼ କିଲୋମିଟର ଖଣ୍ଡେ ଦୂରରୁ ବରର ଶୋଭାଯାତ୍ରା ଆରମ୍ଭ ହେଲା । ବଡ଼ ବାଜା, ଢୋଲ, ମହୁରୀ, ତେଲିଙ୍ଗିବାଜା ଇତ୍ୟାଦି ବାଜିଲା । ବର ପହଞ୍ଚିବା କ୍ଷଣି ବାହାଘରର କର୍ମକର୍ମାଣିର ଶୁଭାରମ୍ଭ ଚାରିଟା ଖଣ୍ଡେ ବେଳକୁ ହେଲା । ବୈଦିକ ରୀତି ଅନୁସାରେ ଲବଣଚାମରୀ, ନାନ୍ଦୀମୁଖ ଶ୍ରାଦ୍ଧ, ବରଙ୍କର ଅଳତା ସିନ୍ଦୁର, କନ୍ୟା ଦାନ, ହାତଗଣ୍ଠି, ଲାଜା ହୋମ, ଅଗ୍ନି ପରିକ୍ରମା ଇତ୍ୟାଦି ସବୁ କର୍ମ ସମ୍ପାଦିତ ହେଲା । କନ୍ୟାକୁ ବାରିକିଆଣି ଜଣେ ବେଦୀ ଉପରକୁ କାଖ କରି ନେଇଆସିଲେ । କର୍ମ ବଢ଼ିଗଲାଠୁ ନେଇଗଲେ ।
ଇଆଡ଼େ ବାହାଘର ଆରମ୍ଭ ହେବା ବେଳକୁ, ବରଯାତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ଆଳିପଣା ସେବନରେ ମାତିଲେ । ବାହାଘର କାମ ବଢ଼ିଲା ବେଳକୁ, ଆଳିପଣା ଖାଇବା ଶେଷ । ଫୁଲ ସଭା ବସିଲା ଯାଇଁ ରାତ୍ର ଦଶ ଘଟିକାରେ । ସେ ଯୁଗରେ ଫୁଲସଭା ବିଧିମତ ହେଉଥିଲା । ଉଭୟ ପକ୍ଷ ନିମନ୍ତ୍ରିତ କରିଥାଆନ୍ତି ସଂସ୍କୃତପଣ୍ଡିତମାନଙ୍କୁ । ଦୁଇ ପକ୍ଷ ଭିତରେ ଚାଲିଲା ସ‌ଂସ୍କୃତ ଶ୍ଲୋକର ବାଦବୁଦିଆ । ସେଇ ଫୁଲସଭାରେ ସେଦିନ ବରପକ୍ଷରୁ ମୁଣ୍ଡିଆଳ ଥାଆନ୍ତି ମୟୁରଭଞ୍ଜ ରାଜ୍ୟର ସଭାପଣ୍ଡିତ ପ୍ରାଣକୃଷ୍ଣ ଆଚାର୍ଯ୍ୟ । କନ୍ୟା ପକ୍ଷର ନେତା ଥାଆନ୍ତି ଖଡ଼ଗପୁର ମଠ ଟୋଲର ପ୍ରଧାନ ପଣ୍ଡିତ କୃପାସିନ୍ଧୁ ଆଚାର୍ଯ୍ୟ ।
ଶାସ୍ତ୍ରାର୍ଥ ପରେ ଅନ୍ନଭୋଜନର ବ୍ୟବସ୍ଥା ହେଲା । ମାଛ, ଦହି, ଖିରି, ପିଠା, ଯାହାକୁ ଯେତେ । ସେବେ ରାତିରେ ବର କନ୍ୟାକୁ ଶଙ୍ଖା ପିନ୍ଧାଇ ଦେବାର ପ୍ରଚଳନ ଥିଲା । ସେତେବେଳକୁ ରାତି ପାହିଲାଣି । ଶଙ୍ଖା ପିନ୍ଧାଇବା ସହିତ ବାହାଘର କର୍ମକର୍ମାଣି ସରିଲା । ପରଦିନ ସକାଳେ ବରପକ୍ଷ ଓ କନ୍ୟାପକ୍ଷ ଉଭୟଙ୍କୁ ମିଶାଇ ଗୋଟିଏ ସାନ ସଭା ଅନୁଷ୍ଠିତ ହେଲା । 
କନ୍ୟା ସଭାକୁ ଆସି ଓଢ଼ଣା ଟାଣି ବସିଲେ । ଓଢ଼ଣି ଟେକି ବରପକ୍ଷ କନ୍ୟାର ମୁଖଦର୍ଶନ କଲେ, ସାମର୍ଥ୍ୟ ଅନୁସାରେ ଉପହାର ଦେଲେ, ତଥା ତାହା ପରେ ବରଘର ଗାଁକୁ ବାହୁଡ଼ି ଗଲେ । ପଛରେ ବାରିକ ପିଲାଟିଏ ସହିତ ରହିଗଲେ ବର ମହାଶୟ, ଶ୍ରୀମାନ ବିଦ୍ୟାଧର ମିଶ୍ର । କାରଣ ସେତେବେଳେ ଅଷ୍ଟମଙ୍ଗଳା ନ ସରିବା ପର୍ଯ୍ୟନ୍ତ ବାମୁଣ ବର କନ୍ୟା ଘରେ ରହିବାର ପରମ୍ପରା ଥିଲା । ସେହି ଆଠ ଦିନ ଯାକ ଯେ କଅଣ ହେଲା, ତାହା ଆଉ ଏକ କାହାଣୀ ।
ବି.ଦ୍ର. – ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କ ଦ୍ୱାରା ରଚିତ ବହି  ‘ନାନୀ’ର କଟକସ୍ଥ ପ୍ରକାଶନ ସଂସ୍ଥା ବିଦ୍ୟାପୁରୀ ୨୦୦୬ ମସିହାରେ ପ୍ରକାଶିତ ସଂସ୍କରଣରୁ ସଙ୍ଗୃହିତ । ବହିଟିର ପ୍ରଥମ ପ୍ରକାଶନ ୧୯୯୨ ମସିହାରେ ଘଟିଥିଲା । ପୁସ୍ତକଟି ବିଦ୍ୟାଧର ମିଶ୍ର ତାଙ୍କ ସ୍ତ୍ରୀ ଚାନ୍ଦନାଙ୍କ ଉପରେ ଲେଖିଥିଲେ ।

No comments:

Post a Comment

Perhaps, one day Ramakanta Samantaray Translated by Sailen Routray commons.wikimedia.org/Dominicus Johannes Bergsma One day, perhaps, I will...