Saturday, January 9, 2021

ବାଗଲପୁରରୁ ଶାନ୍ତିନିକେତନ

 ଶୈଲେନ ରାଉତରାୟ

'ମଲାଞ୍ଚ'
ରବି ଠାକୁର ନିଜ କନିଷ୍ଠତମ କନ୍ୟା ମୀରାଙ୍କ ପାଇଁ ଶାନ୍ତିନିକେତନରେ ୧୯୨୬ ତିଆରିଥିବା ଘର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଜଗତସିଂହପୁରର ବାଗଲପୁରର ଗାଁର ଜଗନ୍ନାଥ ଦାସଙ୍କର ତିନି ଭାଇ, ଗୋଟିଏ ଭଉଣୀ । ଜଗା ଭାଇ ସବା ବଡ଼ । ତାଙ୍କ ପିଠିକୁ ସୀତାନାଥ । ତାହା ତଳକୁ ପୃଥ୍ୱୀନାଥ ଓ ବଦ୍ରୀନାଥ ବାବୁ । ତଅପୋଇ ପରି ଭଉଣୀ ଉର୍ମିଳା ସବା ସାନ । ପାଠ ପଢ଼ା ପରେ ସ୍ୱାଧୀନତା ଆନ୍ଦୋଳନରେ ମିଶି ଜଗନ୍ନାଥ ବାବୁ ଦୁଇଦୁଇ ଥର ଜେଲ ଯାଇସାରିଥାଆନ୍ତି । 

ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଭାରତ ଛାଡ଼ ଆନ୍ଦୋଳନ ସମୟର କଥା । ଦେଶକୁ ଓ ରାଜ୍ୟକୁ କେମିତି ଗୋଟାଏ ମଳିଚିଆ ବିଷାଦର ଛାଇ ଢାଙ୍କିଥାଏ । ଜାତୀୟ ଆନ୍ଦୋଳନର ନେତୃତ୍ୱ ଜେଲ ଭିତରେ ସଢ଼ୁଥାଏ । ବାହାରେ ସାମ୍ପ୍ରଦାୟିକ ରାଜନୀତି ବର୍ଷାଦିନେ ଲଗାଣ ବରଷାରେ ନଈ ଫୁଲିଲା ପରି ଇଂରେଜମାନଙ୍କର ସାହାଯ୍ୟ ପାଇ ବଢ଼ୁଥାଏ ।

ଜଗାବାବୁ ଦ୍ୱିତୀୟ ଥର ଆନ୍ଦୋଳନ କରି ଜେଲ ଭୋଗି ଫେରିଲା ପରେ ସାଙ୍ଗସାଥିମାନଙ୍କ ମେଳ ଭାଙ୍ଗି ଯାଇଥାଏ । କିଛି ପିଲା ପାଠ ପଢ଼ିବାକୁ ବାହାରକୁ ଚାଲିଗଲେ । ଆଉ କିଛି ଲୋକ ଚାକିରିବାକିରି ଖୋଜାଖୋଜିରେ ଲାଗିଥାଆନ୍ତି । ଘରେ ତିନି ଭାଇ ପାଠ ପଢ଼ୁଥାଆନ୍ତି । ଜମିବାଡ଼ି ନାମକୁ ମାତ୍ର । ଗାଁରେ ଚଳିବା ପାଇଁ ସେମିତି କିଛି ସଙ୍ଗତି ନଥାଏ । 

ଜଗାବାବୁଙ୍କ ପିତୃଦେବ ମୟୁରଭଞ୍ଜ ରଜାଙ୍କର ବନବିଭାଗରେ ବାଦାମ ପାହାଡ଼ର ଲୁହାପଥର ଖଣି ପାଖରେ ପାଇଟି କରୁଥାଆନ୍ତି । ନିଜେ ଚଳି ଗାଁକୁ ଯାହା ପଠାନ୍ତି ସେଥିରେ ଜଗାବାବୁଙ୍କ ମା ଦୁଃଖେସୁଖେ ପରିବାରର ତରୀକୁ ସଂସାରପାରାବାର ଉପରେ ହାଉଲେ ହାଉଲେ ଟାଣି ଆଗକୁ ନେଉଥାଆନ୍ତି । ପିତୃଦେବ ଚାକିରି ଖଣ୍ଡିଏ ଯୋଗାଡ଼ କରିବା ପାଇଁ ମାଟିରିକି ପାଠ ପଢ଼ିଥିବା ପୁତ୍ରମଣିଙ୍କୁ ଡକରା ଦେଲେ ।  ପୁଅ ବାଦାମପାହାଡ଼ ଯାତ୍ରା କଲେ ।

ସେତେବେଳେ ବାଦାମପାହାଡ଼ରୁ ଲୁହାପଥର ବୋଝେଇ ହୋଇ ନିଇତି ମାଲବୁହା ରେଳଗାଡ଼ି ଟାଟାନଗର ଯାଏଁ ଚାଲୁଥାଏ । ଗୋଟିଏ ଯାତ୍ରୀବାହୀ ରେଳଗାଡ଼ି ମଧ୍ୟ ଚାଲୁଥାଏ ବାଦାମପାହାଡ଼ ଠାରୁ ଟାଟାନଗର । ଜଗାବାବୁ ପିତୃଦେବ ଦେଇଥିବା କୁକୁଡ଼ା, ପନିପରିବା ଇତ୍ୟାଦି ହାତଗୁଞ୍ଜା ନେଇ ଟାଟାନଗର ଯାଆନ୍ତି ଚାକିରୀ ସନ୍ଧାନରେ । ମାତ୍ର ବାପାଙ୍କ ପରି ପୁଅ ପାଇଟି କରିପାରନ୍ତି ନାହିଁ । ଛୋଟଛୋଟ ଚାକିରୀରେ ପଶନ୍ତି । ପୁଣି ଛାଡ଼ନ୍ତି । କେଉଁଠାରେ ତିଷ୍ଠିପାରନ୍ତି ନାହିଁ । କଟକ, ବାଦାମପାହାଡ଼, ବାଗଲପୁର ଓ ଟାଟାନଗରର ବିନ୍ଦୁମାନଙ୍କୁ ଧରି ନିଜର ଘନଘନ ଯ।ତ୍ରା ଦ୍ୱାରା ବିକୃତ ଆକୃତିର ଗୋଟିଏ ଚତୁର୍ଭୁଜ ନିର୍ମାଣ କରିବାରେ ହିଁ ସମୟ ଅତିବାହିତ ହୁଏ ।

ନିଜର ପଢ଼ାଶୁଣାର ପରିଧି ଓ ତାହା ଉପରେ ଭବିଷ୍ୟତ ତିଆରି କରିବାର ସମ୍ଭାବନା ବିଷୟରେ ଜଗାଭାଇ ଟିକେ ସନ୍ଦିହାନ ଥିଲେ । ଏତିକିବେଳେ ତାଙ୍କ ଗାଁ ବାଗଲପୁରର ଚିତ୍ତ (ଓଡ଼ିଆ ଗଦ୍ୟ ସାହିତ୍ୟର ଭବିଷ୍ୟତର ଯୁଗସ୍ରଷ୍ଟା ଚିତ୍ତରଞ୍ଜନ ଦାସ) ଗୋଟିଏ ସରକାରୀ ବୃତ୍ତି ପାଇ ଶାନ୍ତିନିକେତନ ପଢ଼ିବାକୁ ଗଲେ । 

ଚିତ୍ତବାବୁ ମଝିରେ ମଝିରେ ବାଗଲପୁର ଆସି ଶାନ୍ତିନିକେତନ ବିଷୟରେ ବିବରଣୀ ଦେଉଥାଆନ୍ତି ।  ସେଥିରୁ ଜଗାଭାଇ ଜାଣିବାକୁ ପାଇଲେ ଯେ କବିଗୁରୁଙ୍କର ଆଶ୍ରମରେ କଳାଶିକ୍ଷାର ମଧ୍ୟ ସୁନ୍ଦର ବ୍ୟବସ୍ଥା ଅଛି । ମନସ୍ତାପରୁ ଦୂରରେ ରହିବା ପାଇଁ ଜଗନ୍ନାଥ ବାବୁ ବହିପତ୍ର ପଢ଼ାପଢ଼ି ଓ କଳାଚର୍ଚ୍ଚା ଓ ଅଭ୍ୟାସରେ ମଜ୍ଜି ରହନ୍ତି । ସମୟ ଯେନତେନ ଉପାୟରେ କଟିଯାଏ ।

ଏହି ସମୟରେ ସମାଜ ଖବରକାଗଜରେ ଏକ ବିଜ୍ଞାପନ ଛପାଯାଇଥିବାର ସେ ଦେଖିଲେ । ବିଜ୍ଞାପନଟି ଏକ ସରକାରୀ ବୃତ୍ତିର ଥିଲା । ଶିକ୍ଷା ବିଭାଗ ତରଫରୁ । ବୃତ୍ତିଟି କଳା ଶିକ୍ଷା ପାଇଁ ଉଦ୍ଦିଷ୍ଟ । ଗୋଟିଏ ଛାତ୍ରଟିଏ ପାଇଁ । ଆରଟି ଜଣେ ଛାତ୍ରୀ ନିମନ୍ତେ । କବିଗୁରୁଙ୍କର କୁଞ୍ଜବନରେ, ଶାନ୍ତିନିକେତନରେ । ବୃତ୍ତିଟିର ପ୍ରଥମ ପାହାଚ ଦରଖାସ୍ତ । ତାହାପରେ ପରୀକ୍ଷା ଓ ସାକ୍ଷାତକାର ।  ଉଭୟ କଟକରେ । ପରୀକ୍ଷାରେ ଜଗା ଭାଇ ପ୍ରଥମ ହେଲେ । ଷାଠିଏ ଟଙ୍କାର ସରକାରୀ ବୃତ୍ତି ପାଇଲେ । ଶାନ୍ତିନିକେତନରେ କଳାଶିକ୍ଷାର ବାଟ ଫିଟିଗଲା । 

ହେଲେ ସେଠାକୁ ଯିବେ କେମନ୍ତେ ? ବାଟ ଖର୍ଚ୍ଚ ପାଇଁ ନିଜ ପାଖରେ ଟଙ୍କା ପଇସା ନଥାଏ ।  ଘରେ ମାଆଙ୍କ ପାଖରେ ଥିବା କଉଡ଼ିମୁଣି ମଧ୍ୟ ଖାଲି । ବାପାଙ୍କୁ ମାଗିବାକୁ ଇଚ୍ଛା ନଥାଏ । ଅଗତ୍ୟା ସବୁ ନିମ୍ନମଧ୍ୟବିତ୍ତ ଯାହା କରନ୍ତି, ଜଗାବାବୁ ମଧ୍ୟ ତାହା କଲେ । ସ୍ତ୍ରୀଙ୍କର କିଛି ଗହଣା ବିକିଲେ । କାହ୍ନୁ ଭାଇଙ୍କଠାରୁ କିଛି ହାତଉଧାରି କଲେ । ଉତ୍କୃଷ୍ଟକଳାର ଦେଶ, ଯେଉଁଠାରେ କଳାର ଅର୍ଥ ସେତେବେଳେ ଥାଏ ଡ୍ରଇଁ ମାଷ୍ଟର ବନିବାର ଟେରେନିଙ୍ଗି, ସେଇ ଦେଶକୁ ଛାଡ଼ି ବାବୁ ବାହାରିଲେ ଦେଶକୁ ସେବେ କଳାକ୍ଷେତ୍ରରେ ନୂଆ ବାଟ ଦେଖାଉଥିବା ନନ୍ଦନବନକୁ, ଶାନ୍ତିନିକେତନକୁ ।

ସେତେବେଳକୁ ୧୯୪୬ ମସିହା । ଦେଶ ସ୍ୱାଧୀନ ହେବ ବୋଲି ଜଣାପଡ଼ିବାକୁ ଆରମ୍ଭ କରିଥାଏ । ସେଥିପାଇଁ କ୍ଷମତା ବିବାଦ ଓ ସାମ୍ପ୍ରଦାୟିକ କନ୍ଦଳ ମଧ୍ୟ ବ୍ୟାପିଚାଲିଥାଏ । ହିନ୍ଦୁ-ମୁସଲମାନ ଗଣ୍ଡଗୋଳର ଗୋଟିଏ ବଡ଼ କେନ୍ଦ୍ର ଥାଏ କଲିକତା । ଆଗରୁ କେବେ କଲିକତା ଯାଇ ନଥା’ନ୍ତି ଜଗାବାବୁ । ପୁଣି ହାଣକାଟର ହୋ’ । 

ଶାନ୍ତିନିକେତନସ୍ଥ ଏକ ସ୍ଥାପତ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମନରେ ଦକ ରଖି ସେ ଘରୁ କଟକ ଆସିଲେ ଟେରେନେ ଧରିବା ନାଗି । ସାଥିରେ ଟିଣ ସୁଟୁକେଶ ଗୋଟିଏ । ସେଥିରେ ଲୁଗା ଦୋଟି । ଗାମୁଛା ଗୋଟିଏ । ମା ଚୁଡ଼ା ଓ ଗୁଡ଼ ସାଥିରେ ଦେଇ ପଠାଇ ଥାଆନ୍ତି । ଭୋକ କଲେ କଦଳୀ କିଣି ଚୁଡ଼ା, ଗୁଡ଼, କଦଳୀ ଚକଟି ଉଦରଜ୍ୱାଳା ଶାନ୍ତ କରିବା ପାଇଁ ।

କଟକର ଟେସନଟି ଥିଲା କୁନିଟିଏ । ହେଲେ ସେଥିରେ ନୋକେ ଥାଟପଟାଳି । କଟକରୁ ବେଙ୍ଗଲ ନାଗପୁର ରେଳବାଇର ରେଳ ଚାଲୁଥାଏ । ମାନ୍ଦ୍ରାଜ ପାଇଁ ମାନ୍ଦ୍ରାଜ ମେଲ ଓ ପୁରୀଠାରୁ ପୁରୀ ଏକ୍ସପ୍ରେସ ଇତ୍ୟାଦି ଗାଡ଼ି ଛାଡ଼େ । କଲିକତା ପାଇଁ ଗୋଟିଏ ଯାତ୍ରୀବାହୀ ଗାଡ଼ି ପୁରୀଠାରୁ ହାବୁଡ଼ା ପର୍ଯ୍ୟନ୍ତ ଚାଲେ । 

କଲିକତା ଯିବା ଲାଗି ଅଧିକାଂଶ ଯାତ୍ରୀ ସେତେବେଳେ କଟକରୁ ହିଁ ଉଠନ୍ତି । କଟକରୁ ଓପରବେଳା ଗାଡ଼ି ଛାଡ଼ି ଭୋଅରୁଭୋଅରୁ ହାବୁଡ଼ାରେ ଯାଇଁ ଲାଗେ । ସେତେବେଳେ ଯାତ୍ରୀବାହୀ ଗାଡ଼ିରେ ତୃତୀୟ ଶ୍ରେଣୀ ଡବା ମଧ୍ୟ ଥାଏ । ମହାତ୍ମା ଗାନ୍ଧୀ ସବୁବେଳେ ଏଇ ତୃତୀୟ ଶ୍ରେଣୀ ଡବାରେ ହିଁ ଯାତାୟତ କରୁଥିଲେ ।

ରେଳଗାଡ଼ିରେ ଜଗାବାବୁ ସେହି ତୃତୀୟ ଶ୍ରେଣୀ ଟିକଟ ଗୋଟିଏ କାଟି ବସିଲେ । ଡବାସାରା କଲିକତାର ଝୋଟକଳର ଶ୍ରମିକ ଭରତି । ଆଜିକାଲି ଯେମିତି ଓଡ଼ିଶାରୁ ଯାଉଥିବା ଆଇଟି ଶିଳ୍ପର ଶ୍ରମିକମାନଙ୍କ ପାଟିରେ ହିନ୍ଦି ଓ ଇଂରାଜୀ ଛଡ଼ା ଆଉ ଅନ୍ୟ କୌଣସି ଭାଷା ପଉଟୁନାହିଁ, ସେଇମିତି ସେତେବେଳେ କଲିକତାର ଝୋଟକଳର ଶ୍ରମିକମାନେ ଖାଲି ବଙ୍ଗାଳୀ ହିଁ ଚୋବାଉଥିଲେ । ତାଙ୍କ ପାଟିରେ ଆଉ ଓଡ଼ିଆ ପଶିପାରୁନଥିଲା । ତୃତୀୟ ଶ୍ରେଣୀର ରେଳ ଡବାରେ ବସିବା ନିମନ୍ତେ ଛାରପୋକରେ ଭରତି ସରୁସରୁ କାଠପଟାଟିମାନ । ଲୋକ ମାଳକୁମାଳ । ସେଇଥିରେ ଗେଞ୍ଜିଗାଞ୍ଜି ହୋଇ, ଅଣ୍ଟା ସଳଖି ବସିବାକୁ ହୁଏ ।

କଟକରୁ ସିଧା ଶାନ୍ତିନିକେତନକୁ ରେଳଗାଡ଼ି ନାହିଁ । ହାବୁଡ଼ାରେ ଓହ୍ଲାଇ ଶାନ୍ତିନିକେତନ ପାଇଁ ଆଉ ଗୋଟିଏ ଟେରେନେ ଧରିବାକୁ ହେଲା ।  ହାବୁଡ଼ାରେ ଓହ୍ଲାଇ ଜଗାବାବୁ ପଚରାଉଚରା କରି ବୁଝିଲେ ଯେ, ଶାନ୍ତିନିକେତନ ପାଇଁ ପାଖର ଟେସନ ହେଲା ବୋଲପୁର । ବୋଲପୁର ଯିବା ପାଇଁ କିଛି ସମୟ ପରେ ଛାଡ଼ୁଥିବା ‘କିଉଲ ଏକ୍ସପ୍ରେସ’ ଉତ୍ତମ ହେବ । 

କିଉଲ ଏକ୍ସପ୍ରେସରେ କିଉଲ ଯିବା ବାଟରେ ପଡ଼େ ବୋଲପୁର ଟେସନ । ଗାଡ଼ିଟି ବର୍ଦ୍ଧମାନ ପର୍ଯ୍ୟନ୍ତ ଏକ୍ସପ୍ରେସ ଓ ତାହାପରେ ପାସେଞ୍ଜର ବା ଯାତ୍ରୀବାହୀ ବନିଯିବ । କିଉଲ ଏକ୍ସପ୍ରେସ ପାସେଞ୍ଜର ଗାଡ଼ି ବନିଗଲା ପରେ ସେତେବେଳର ପ୍ରଥମ ଯାତ୍ରୀ ହଲ୍ଟ ଥିଲା ବୋଲପୁର । ଏଣୁ ପାସେଞ୍ଜର ଗାଡ଼ିରେ ଯେଉଁ ଧକଡ଼ଚକଡ଼, ସେଥିରୁ ରକ୍ଷାମିଳିଯିବ । ବୋଲପୁର ଟେସନଠାରୁ ଅଳପ କେଇ ମାଇଲି ଦୂରରେ ବିଶ୍ୱବିଦ୍ୟାଳୟ ପରିସର । ସେଠାରେ ପହଞ୍ଚିବା ପାଇଁ ରେଳଗାଡ଼ିରୁ ଓହ୍ଲାଇ ଅନ୍ୟ ବ୍ୟବସ୍ଥା କରିବାକୁ ହେବ ।

ହାଉଡ଼ାରୁ କିଉଲ ଏକ୍ସପ୍ରେସ ସକାଳ ଆଠଟାରେ ଛାଡ଼ିଲା । ବାଟରେ ଜଗାବାବୁ କିଛି କଦଳୀଫଳ ଉଦରସ୍ଥ କଲେ । ଟେରେନେ ଯଥା ସମୟରେ ଦିନ ୧୨ଟା ବେଳେ ଯାଇଁ ବୋଲପୁରଠାରେ ପହଞ୍ଚିଲା । ଷ୍ଟେସନଟି କ୍ଷୁଦ୍ରାତିକ୍ଷୁଦ୍ର ହୋଇଥିବାରୁ କିଉଲ ଏକ୍ସପ୍ରେସ ସେଠାରେ ଅଳପ ସମୟ ରହି ଅତି ଶୀଘ୍ର ଗନ୍ତବ୍ୟ ଅଭିମୁଖେ ଯାତ୍ରା କଲା । 

ଜଗନ୍ନାଥ ଆଜ୍ଞା ଟେସନ ଛାଡ଼ି ପଦାକୁ ଆସିଲେ । ଆଖି ଆଗରେ ଷ୍ଟେସନ ପ୍ରାନ୍ତର ଭିତରେ ଗାଢ଼ ନୀଳରଙ୍ଗର ଗୋଟିଏ ମୋଟର ବସ । ବସ ଉପରେ ବଙ୍ଗଳା ଲିପିରେ ଲେଖା ହୋଇଛି ‘ଶାନ୍ତିନିକେତନ’ । ଆସନଗୁଡ଼ିକ ଗଦିଯୁକ୍ତ । ଗଦିଗୁଡ଼ିକ ଛାଉଣି ହୋଇଛି ବାଦାମୀ ରଙ୍ଗରେ ଖୋଳରେ । ଗାଡ଼ିଟି ଠିଆ ହୋଇଛି ଛାତ୍ର ଓ ଅଭିଭାବକମାନଙ୍କୁ ବିଶ୍ୱବିଦ୍ୟାଳୟର ପରିସରକୁ ବାହିନେବା ପାଇଁ ।

ବୋଲପୁର ଟେସନରୁ ଶାନ୍ତି ନିକେତନ ହେଇ ହେଇ ତିନି ମାଇଲି । ବସ ଛାଡ଼ିଲା । ନାଲି ରାସ୍ତା । ଖାଲ ଢ଼ିପ ଭରା । ବସଟି ପୁରୁଣା। କବିଗୁରୁଙ୍କର ସ୍ମୃତିବହନ କରୁଥିବାରୁ ତାହାର ସମ୍ଭ୍ରାନ୍ତ ଗାରିମା ବଜାୟ ରଖିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେଥିରେ ମରାମତି କରି ନୂଆ ଯାନ୍ତ୍ରିକ କଳକବଜା ଇତ୍ୟାଦି ଯୋଡ଼ନ୍ତି ନାହିଁ । ପୁରୁଣା ମରାମତି ହୋଇନଥିବା ନରମ ଗଦିଯୁକ୍ତ ଆସନବାଲା ଗାଡ଼ି । ତାହା ସହିତ ଖମାଭର୍ତ୍ତି ପଥ । ଝୁଲି ଝୁଲି ହାତୀ ପିଠିରେ ବସି ଗଲା ଭଳିଆ ଲାଗେ । ବସଟି ଯାଇ ଶେଷକୁ ଲାଗିଲା ବିଶ୍ୱବିଦ୍ୟାଳୟର ଅତିଥିଭବନରେ । ଶାନ୍ତିର ନିକେତନର ବିଶ୍ରାନ୍ତିର ପ୍ରକୋଷ୍ଠରେ ।

ବି.ଦ୍ର. – ଏହି ଲେଖାଟିର ଉପାଦାନ ଭୁବନେଶ୍ୱରସ୍ଥ ଶିକ୍ଷାସନ୍ଧାନ ସଂସ୍ଥା ଛାପିଥିବା ଜଗନ୍ନାଥ ଦାସଙ୍କର ଆତ୍ମଜୀବନୀ ‘ସ୍ମୃତିରୁ ଖିଏ’ରୁ ସଙ୍ଗୃହିତ ।

10 comments:

  1. ଭଲ ଲାଗିଲା ଉପସ୍ଥାପନା। ତେବେ ଏହା ଏକ ଲମ୍ବା କାହାଣୀର କିୟଦଂଶ ପରି ମନେହେଲା।

    ReplyDelete
    Replies
    1. ଆଜ୍ଞା । ଏଇ ଲେଖାଗୁଡ଼ିକର ଉଦ୍ଦେଶ୍ୟ ଜୀବନ ଯେ ଭଗ୍ନାଂଶଗୁଡ଼ିକର ହିଁ ସମାହାର ମାତ୍ର, ସେଇ ଅବବୋଧ ପ୍ରତି ଜାଗରୁକ ରହିବା । ଆପଣଙ୍କର ମତାମତ ପାଇଁ ଧନ୍ୟବାଦ ।

      Delete
  2. ସେଦିନର ଶାନ୍ତିନିକେତନ ଆଉ ଜଣେ ଓଡିଆ କଳା-ସାଧକଙ୍କ କଳା-ଶିକ୍ଷାର ବିବରଣୀ ଲୋକ-ଭାଷାରେ ସ୍ୱାଦୁକର ଲାଗୁଛି।

    ReplyDelete
    Replies
    1. ଆପଣଙ୍କର ପ୍ରତିକ୍ରିୟା ପାଇଁ ଧନ୍ୟବାଦ । ପ୍ରଣାମ ।

      Delete
  3. Lovely piece.. Let it elongate.. Let his full story come here in pages..

    ReplyDelete
    Replies
    1. Thanks bhai. I can only offer more fragments. :) Namaskar.

      Delete
  4. ଶୈଲେନ୍ ତୁମ ଲେଖାର ଶୋଧ ମୋତେ ସବୁ ସମୟରେ ଚମତ୍କୃତ କରେ👍🥰🙏🏼 ଆଜିକା ସମୟରେ ସେ ସମୟର କଥା ଆଉ ଲେଖା ସହିତ ସେ ସମୟର ଭାଷାଶବ୍ଦର ପ୍ରୟୋଗ ଅତ୍ୟନ୍ତ ଉଲ୍ଲେଖନୀୟ। ଅବର୍ଣନୀୟ❤️❤️❤️

    ReplyDelete
  5. ଭାଇ, ନମସ୍କାର । ଆପଣଙ୍କୁ ଯେ ମୋ' ଲେଖା ଭଲ ଲାଗୁଚି, ତାହା ଲେଖାଗୁଡ଼ିକର ସୌଭାଗ୍ୟ । ଆପଣଙ୍କ ପରି ପାଠକ ପାଇଲେ ଯେ କୌଣସି ଲେଖକ ଧନ୍ୟ ହେବ।

    ReplyDelete

Whose purpose is it anyway? Sailen Routray  (This essay reflects on the idea of purpose—whether it is shaped by the self, by society, or by ...