Sunday, August 1, 2021

ପୁରୀ ଜିଲ୍ଲା ସ୍କୁଲ ୧୯୩୫-୧୯୪୦

ଶୈଲେନ ରାଉତରାୟ

ପୁରୀ ସମୁଦ୍ରକୁଳର ଏକ ଦୃଶ୍ୟ (ୱିକିମିଡିଆ କମନ୍ସ୍)
 

ଭବିଷ୍ୟତର ଖ୍ୟାତାନାମା, ଛାତ୍ରବତ୍ସଳ ଇଂରାଜୀ ପ୍ରାଧ୍ୟାପକ ସର୍ବେଶ୍ୱର ଦାଶଙ୍କ ବାପାଙ୍କର ପୁରୀ ସହରକୁ ବଦଳି ହୁଏ ୧୯୩୫ ମସିହାରେ । ଟ୍ରେଜେରି ଅଫିସର ଭାବରେ । ବାଳକ ସର୍ବେଶ୍ୱରଙ୍କର ପ୍ରାଥମିକ ଶିକ୍ଷା ସେତେବେଳକୁ ସରିଥାଏ । ସେ ନିଜର ଭାଇମାନଙ୍କ ସହ ନାମ ଲେଖାନ୍ତି ପୁରୀ ଜିଲ୍ଲା ସ୍କୁଲରେ । 

ଏବର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର କୋଠାରେ ସେତେବେଳେ ଜିଲ୍ଲା ସ୍କୁଲ ଚାଲୁଥାଏ । ତାଙ୍କର ସେତେବେଳେ ସପ୍ତମ ଶ୍ରେଣୀ । ସେବେ ଜିଲ୍ଲା ସ୍କୁଲରେ ପ୍ରଧାନଶିକ୍ଷକ ଥିଲେ ଶ୍ରୀ ଜଗନ୍ନାଥ ତ୍ରିପାଠୀ । ତାଙ୍କର ଥିଓସଫିରେ ଆଗ୍ରହ ଥିଲା । ସେ ଥିଲେ ସର୍ବେଶ୍ୱରଙ୍କ ବାପାଙ୍କର ବନ୍ଧୁ । ବେଳେବେଳେ ଘରକୁ ଆସନ୍ତି । ଘରେ ଆଧ୍ୟାତ୍ମ ଆଲୋଚନାର ଆସର ବସେ ।

ସେତେବେଳେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମାଧ୍ୟମରେ ଶିକ୍ଷାର ବ୍ୟବସ୍ଥା ଥାଏ । ଅଷ୍ଟମ ଶ୍ରେଣୀ ପରଠାରୁ କେବଳ ଓଡ଼ିଆ ଛଡ଼ା ବାକି ସବୁ ବିଷୟର ପରୀକ୍ଷା ଇଂରାଜୀରେ ଦେଇ ହୁଏ । ସ୍କୁଲରେ ଥାଏ ଦୁଇଟି ସେକ୍ସନ । ‘ଏ’ ସେକ୍ସନ ପିଲା ଇଂରାଜୀରେ ମାଟ୍ରିକ ପରୀକ୍ଷା ଦିଅନ୍ତି । ଓଡ଼ିଆରେ ପରୀକ୍ଷା ଦେବାକୁ ଇଚ୍ଛୁକ ପିଲାଏ ‘ବି’ ସେକ୍ସନରେ ଭର୍ତ୍ତି ହୁଅନ୍ତି । ପ୍ରାୟତଃ ଛାତ୍ର ଥିଲେ ‘ଏ’ ସେକ୍ସନରେ । ଇଂରାଜୀ ପଢ଼ାରେ ସର୍ବେଶ୍ୱରଙ୍କର ଆବାଲ୍ୟ ବିଶେଷ ଆଗ୍ରହ ଥିବାରୁ ସେ ନାମ ଲେଖାନ୍ତି ‘ଏ’ ସେକ୍ସନରେ । 

ଓଡ଼ିଶା ସେତେବେଳକୁ ସ୍ୱତନ୍ତ୍ର ପ୍ରଦେଶ ହୋଇଯାଇ ଥିଲେ ମଧ୍ୟ, ମାଟ୍ରିକ ପରୀକ୍ଷା ଆଦିର ଭାର ଥାଏ ପାଟନା ବିଶ୍ୱବିଦ୍ୟାଳୟ ଉପରେ । କାରଣ ସେ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟମାନେ ମାଟ୍ରିକ ପରୀକ୍ଷାର ଆୟୋଜନ କରୁ ଥାଆନ୍ତି । ଆଉ ଓଡ଼ିଶାରେ ସେ ପର୍ଯ୍ୟନ୍ତ କୌଣସି ବିଶ୍ୱବିଦ୍ୟାଳୟ ଖୋଲି ନ ଥାଏ ।

ଜିଲ୍ଲା ସ୍କୁଲରେ ସର୍ବେଶ୍ୱର ଛାତ୍ର ଥିଲା ବେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୁଏ । ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଜନ ହବାକଙ୍କର ପ୍ରଥମ ଦରବାର ଆୟୋଜିତ ହୁଏ ପୁରା ଜିଲ୍ଲା ସ୍କୁଲ ହଲ୍‌ରେ । ସାଙ୍ଗମାନଙ୍କ ସହ ସେ ଯାଇ ହଲଟିର ଏହି ଉପଲକ୍ଷେ ଅଦ୍ଭୁତପୂର୍ବ ସାଜସଜ୍ଜା ଦେଖି ଆସନ୍ତି । ପାଖାପାଖି ସେଇ ସମୟରେ ନିର୍ବାଚନୀ ପ୍ରଚାର ପାଇଁ ନେହେରୁ ପୁରୀ ଆସିଥାଆନ୍ତି । ପରିଧାନ, ଖଦଡ଼ ପଞ୍ଜାବୀ ଉପରେ ଗୋଟିଏ ‘ଜହର ଜ୍ୟାକେଟ’ । ତଳେ ଖଦଡ଼ ପାଇଜାମା; ଆଣ୍ଠୁ ପାଖରୁ ପାଦ ଯାଏଁ ଚିପା । ପାଦରେ ଥାଏ କାବୁଲି ଚପଲ ।  

ଦୂରରେ ଠିଆ ହୋଇଥିବାରୁ ତାଙ୍କ ଭାଷଣ ସର୍ବେଶ୍ୱରଙ୍କୁ ଶୁଣାଗଲା ନାହିଁ । ହେଲେ ସାନ୍ନିଧ୍ୟର ପ୍ରଭାବ ନିଶ୍ଚୟ ପଡ଼ିଲା । ସେହିପରି ନବମ କି ଦଶମ ଶ୍ରେଣୀରେ ପଢ଼ିଲା ବେଳକୁ ପୁରୀକୁ ଆସିଥିବା କଙ୍ଗ୍ରେସ ନେତ୍ରୀ ସରୋଜିନୀ ନାଇଡ଼ୁଙ୍କର ଭାଷଣ ଶୁଣିଲେ । ତାଙ୍କର ମାନପତ୍ରଟି ମଧ୍ୟ ସଭାରେ ପଢ଼ିଲେ ।

୧୯୩୭ ମସିହାର ଜାନୁଆରୀ ମାସର ନିର୍ବାଚନ ପରେ କଙ୍ଗ୍ରେସ ଓଡ଼ିଶାରେ କ୍ଷମତା ଗ୍ରହଣ କରିବାରେ ଦୋଦୋପାଞ୍ଚ ହେବାରୁ କିଛି ଦିନ ପାଇଁ ଗୋଟିଏ ରୀତିମତ ରାଜନୈତିକ ନାଟକ ଚାଲିଲା । ଏହା ବାଳକ ସର୍ବେଶ୍ୱରଙ୍କ ଉପରେ ପ୍ରଭାବ ପକାଇଲା । ସେ ନୂଆ ସମ୍ବିଧାନ ବିଷୟକ ଇଂରାଜୀ ବହିଠିଏ ପଢ଼ିଲେ । ତାହା ସହ ସେ ଇଂରାଜୀ ସମ୍ବାଦପତ୍ର ତଥା ଓଡ଼ିଆ ‘ସମାଜ’ ପୃଷ୍ଠାରୁ ରାଜନୈତିକ ଗତିବିଧିଗୁଡ଼ିକୁ ସଚେତନତାର ସହ ଲକ୍ଷ୍ୟ କରିବାକୁ ଲାଗିଲେ । 

୧୯୩୮ ମସିହାରେ ପୁରୀର ଡେଲାଙ୍ଗ ପାଖର ବେରବୋଇ ଗ୍ରାମରେ ଗାନ୍ଧୀ ସେବା ସଙ୍ଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଲା । ସେଥିରେ ଯୋଗ ଦେଇ ସର୍ବେଶ୍ୱରଙ୍କର ରାଜନୈତିକ ଚେତନା ଶାଣିତ ହେଲା । ଏହା ଛଡ଼ା ଗାନ୍ଧୀଜିଙ୍କର ଦର୍ଶନର ସୌଭାଗ୍ୟ ମଧ୍ୟ ମିଳିଲା । ଗାନ୍ଧୀଙ୍କ ଆଦର୍ଶ ତଥା ସମାଜବାଦୀ ବିଚାର ପ୍ରତି ସର୍ବେଶ୍ୱରଙ୍କର ଶ୍ରଦ୍ଧା ବଢ଼ୁଥାଏ । ଇଆଡ଼େ ରାମକୃଷ୍ଣ, ବିବେକାନନ୍ଦ ତଥା ଶିବାନନ୍ଦଙ୍କର ଆଧ୍ୟାତ୍ମିକ ଆହ୍ନାନଗୁଡ଼ିକ ପ୍ରତି ବି ଉନ୍ମୁଖତା ପ୍ରସ୍ଫୁଟିତ ହେଉଥାଏ ।

୧୯୩୫ର ନୂଆ ସମ୍ବିଧାନ ଅନୁସାରେ ଶାସନ ଆରମ୍ଭ ହେବା ପରେ ସ୍କୁଲଗୁଡ଼ିକରେ ହିନ୍ଦୀଶିକ୍ଷାର ପ୍ରଚଳନ ଆରମ୍ଭ ହେଲା । ହେଲେ ଏହି ବିଷୟରେ ପରୀକ୍ଷା ଆଦି ବାଧ୍ୟତାମୂଳକ ନ ଥିଲା । ନିରକ୍ଷରତା ଦୂରେଇବା ପାଇଁ ଏକ ଆନ୍ଦୋଳନ ସରକାରୀ ଭାବରେ ଆୟୋଜିତ ହେଲା । ବିଦ୍ୟାଳୟର ଛାତ୍ରମାନଙ୍କୁ ଏଥିରେ ନିୟୋଜିତ କରାଗଲା । ସ୍କୁଲରେ ସେ ସମୟରେ ହେଉଥାଏ ସାପ୍ତାହିକ ଆଲୋଚନା ସଭା । ତାହା ଛଡ଼ା ଗୋଟିଏ ସାପ୍ତାହିକ ସାହିତ୍ୟ ସଭାର ମଧ୍ୟ ଆୟୋଜନ ହୁଏ, ଯେଉଁଥିରେ ଛାତ୍ରମାନେ ନିଜର ଗଳ୍ପ, ପ୍ରବନ୍ଧ ତଥା କବିତା ଇତ୍ୟାଦି ପଢ଼ନ୍ତି ।

ଏହି ସମୟରେ ପୁରୀ ଜିଲ୍ଲା ସ୍କୁଲରେ କ୍ଷିତୀଶ ଚନ୍ଦ୍ର ଦେ ଇଂରାଜୀ ଓ ଭୂଗୋଳ ପଢ଼ାଉଥିଲେ । ଡଡଲି ଷ୍ଟାମ୍ପଙ୍କର ‘ଦି ୱର୍ଲ୍ଡ’ ଥିଲା ଭୂଗୋଳ ପାଠ୍ୟ ପୁସ୍ତକ । ଏଥିରେ କିଛି କିଛି ପ୍ରମାଦ ବି ଥିଲା । ଯେପରିକି ଲେଖାଥିଲା ଯେ, ଓଡ଼ିଶା, ଓଡ଼ିଶା-ବିହାର ପ୍ରଦେଶର ଏକ ଜିଲ୍ଲା । ହେଲେ କ୍ଷିତୀଶ ବାବୁ ପିଲାଙ୍କୁ ଭୂଗୋଳରେ ଆଗ୍ରହୀ କରିବା ପାଇଁ ‘ନ୍ୟାଶନାଲ ଜିଓଗ୍ରାଫିକ’ ପତ୍ରିକା ଆଣି ତାଙ୍କୁ କ୍ଲାସରେ ଦିଅନ୍ତି, ଯେପରି ଭୂଗୋଳ ପାଠରେ ଆଗ୍ରହ ଜନ୍ମିବ । ସେବେ ଧର୍ମ ଶିକ୍ଷା ପାଇଁ ପିରିଅଡ଼ଟିଏ ବି ଥାଏ । ତାକୁ ନିଅନ୍ତି ସ୍ଲୁଲର ପଣ୍ଡିତେ । 

ଇତିହାସ ପଢ଼ାଉ ଥାଆନ୍ତି ପ୍ରଥମ ଓଡ଼ିଆ ଉପନ୍ୟାସକାର ଉମେଶ ସରକାରଙ୍କର ପୁଅ ଅପୂର୍ବ ସରକାର । ସେ ଇଂଲଣ୍ଡର ଇତିହାସ ପଢ଼ାନ୍ତି । ଘରେ ସର୍ବେଶ୍ୱର ଏହି କ୍ଲାସ ପାଇଁ ପଢ଼ନ୍ତି ଥମାସ ଫ୍ରେଡ଼ିରିକ ଟାଉଟଙ୍କର ‘ବ୍ରିଟିଶ ହିଷ୍ଟ୍ରି’ ।  ଭାରତ ଇତିହାସ ପାଇଁ ପାଠ୍ୟପୁସ୍ତକ ଥାଏ, ସୁରେନ୍ଦ୍ରନାଥ ସେନ ଏବଂ ହେମଚନ୍ଦ୍ର ରାୟଚୌଧୁରୀଙ୍କ ଦ୍ୱାରା ରଚିତ ‘ଗ୍ରାଉଣ୍ଡୱର୍କ ଅଫ ଇଣ୍ଡିଆନ ହିଷ୍ଟ୍ରି’ । ସେହି ସମୟରେ କିଛି ଦିନ ପାଇଁ ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ର ପୁରୀ ଜିଲ୍ଲା ସ୍କୁଲର ଶିକ୍ଷକ ହୋଇ ଆସିଲେ ।

ସର୍ବେଶ୍ୱର ବାବୁଙ୍କ ବାପା ପିଲାମାନଙ୍କ ଶିକ୍ଷା ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥାଆନ୍ତି । ସେ ନିଜେ ସଂସ୍କୃତ ଶିକ୍ଷାର ଦାୟିତ୍ୱ ନେଇ ଥାଆନ୍ତି । ଶୋଇଲା ପୂର୍ବରୁ ରାତିରେ ପିଲାମାନଙ୍କୁ ମୌଖିକ ଭାବରେ ପାଞ୍ଚୋଟି ପାଞ୍ଚୋଟି ଲେଖାଏଁ ଓଡ଼ିଆ ବାକ୍ୟକୁ ସଂସ୍କୃତ ଓ ଇଂରାଜୀକୁ ଅନୁବାଦ କରିବାକୁ ପଡ଼େ । ଘରେ ଟିଉସନ ମାଷ୍ଟର ଖଞ୍ଜା ଥାଆନ୍ତି । ଏକାଦଶ ଶ୍ରେଣୀ ଶେଷରେ ସେବେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେଉଥାଏ । 

ସର୍ବେଶ୍ୱର ବାବୁ ୧୯୩୯ ମସିହାର ଜୁନ ମାସ, ଅର୍ଥାତ୍, ଏକାଦଶ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ବେଳକୁ ପୂରା ମାଟ୍ରିକ ପରୀକ୍ଷାର ପାଠ ପଢ଼ି ସାରି ଥାଆନ୍ତି । ଦିନକୁ ତେର ଚଉଦ ଘଣ୍ଟା ପଢ଼ାପଢ଼ି କରି ଟେଷ୍ଟ ପରୀକ୍ଷା ଫଳ ବେଶ୍ ଭଲ ହେଲା । ସେ ପ୍ରଥମ ହେଲେ । ୧୯୪୦ ମସିହାର ଫେବ୍ରୁଆରୀ ମାସରେ ପରୀକ୍ଷା ହୋଇ ଦୁଇ ମାସ ପରେ ଅପ୍ରେଲରେ ଫଳ ବାହାରିଲା ।

ସର୍ବେଶ୍ୱର ଓଡ଼ିଶାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେଲେ ଓ ମାସିକ କୋଡ଼ିଏ ଟଙ୍କିଆ ଡିଭିଜନାଲ ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେଲେ । ତାହା ପରେ ତାଙ୍କର କଲେଜ ପଢ଼ା ଆରମ୍ଭ ହୁଏ । ସେ ଆଉ ଏକ ଜୀବନ ।

ଲେଖକୀୟ ଟୀକା: ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ ହୋଇଥିଲା । ଆଲେଖଟିର ଉପାଦାନ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଶିକ୍ଷାସନ୍ଧାନ ୨୦୦୯ ମସିହାରେ ଛାପିଥିବା ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ମୋ କାହାଣ‌ୀରୁ ନିଆଯାଇଛି ।

4 comments:

The world Ramakanta Samantaray Translated by Sailen Routray Photo credit: A. R. Vasavi I have cut you into tiny pieces with the sharp sword ...