Monday, May 2, 2022

ସୋନପୁରରେ ଇସ୍କୁଲ ପଢ଼ା

ଶୈଲେନ ରାଉତରାୟ


ଗୋପୀନାଥ ମହାନ୍ତି (୧୯୧୪-୧୯୯୧)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଓଂକାରନାଥ ମହାନ୍ତି
 
୧୯୨୩ ମସିହାର ସେପ୍ଟେମ୍ବର ମାସରେ, ନଅ ବର୍ଷ ବୟସରେ, ପ୍ରଥମ କରି ଗୋପୀ ବିଦ୍ୟାଳୟର ଖୁଆଡ଼ରେ ପଶିଲେ । ସେ ପୁଣି ନିଜ ଗାଁ ନାଗବାଲିରେ ନୁହେଁ । କେଉଁ ପଛିମରେ ଯାଇଁ ସୋନପୁର ରାଇଜର ‘ଦି ସୋନପୁର ମହାରାଜା ହାଇ ଇଙ୍ଗ୍ଲିଶ୍ ସ୍କୁଲ’ ରେ । ଛୋଟ କରି କହିଲେ ଇସ୍କୁଲଟିର ନାମ – ଦି ସୋନପୁର ଏମ୍.ଆର୍.ଏଚ୍.. ସ୍କୁଲ । ସେତେବେଳେ ବିଦ୍ୟାଳୟଟିରେ ଅଢ଼େଇ ଶହ ଆଡ଼କୁ ବିଦ୍ୟାର୍ଥୀ ।ଗୋପୀବାବୁଙ୍କର ନିଜ ଶ୍ରେଣୀରେ ପାଖାପାଖି ତିରିଶ ଜଣ ଛାତ୍ର । ତାଙ୍କ ନାମ ଲେଖାଗଲା ଛଅ ଶ୍ରେଣୀରେ । ସେତେବେଳେ ଶିଶୁ ଶ୍ରେଣୀ ଥିଲା । ଅର୍ଥାତ, ତାହା ଏବେକାର ପଞ୍ଚମ ଶ୍ରେଣୀ ହବ । ଶ୍ରେଣୀରେ ବସିଲା କ୍ଷଣି ବହିର ମଲାଟରେ ଲେଖି ବସିଲେ,
 
ଦି ଗ୍ରାସ୍ ଇଜ୍ ଗ୍ରୀନ୍
ଦି ରୋଜ୍ ଇଜ୍ ରେଡ଼୍
ଦିସ୍ ବୁକ୍ ଇଜ୍ ମାଇନ୍
ଟିଲ୍ ଆଇ ଆମ୍ ଡେଡ଼୍”
 
ନିଜ ବହିଗୁଡ଼ିର ମାଲିକାନା ସାବ୍ୟସ୍ତ କରିବା ପାଇଁ ଏପରି ହରଫନାମା ତ ଅବଶ୍ୟ କର୍ତ୍ତବ୍ୟ ।
 
ସେବେ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯିବାକୁ ପଡ଼ୁଥାଏ ସମ୍ବଲପୁର । କାରଣ ପାଟନା ବିଶ୍ୱବିଦ୍ୟାଳୟ ନିୟନ୍ତ୍ରିତ କରୁଥିବା ମାଟ୍ରିକ ପରୀକ୍ଷା ପାଇଁ ପଶ୍ଚିମ ଓଡ଼ିଶାରେ ସେତେବେଳେ ସମ୍ବଲପୁର ଠାରେ ହିଁ ଥାଏ କେନ୍ଦ୍ର । ପାସ୍ କରିବା କୁଆଡ଼େ ଭାରୀ କଷ୍ଟ । ସେତେବେଳେ ସୋନପୁର ଏମ୍.ଆର୍.ଏଚ୍.. ସ୍କୁଲରୁ ଦୁଇ ଚାରି ବର୍ଷରେ ଜଣେ ଅଧେ ମାଟ୍ରିକ ପାଶ କରୁ ଥାଆନ୍ତି । ଏଣୁ ସ୍କୁଲରେ ମାଟ୍ରିକ ପାସ କରି ନ ଥିବା ଅନେକ ଶିକ୍ଷକ ଥିଲେ । 

ହେଲେ ସେଇମିତି, ଏଫ୍.. ଆଉ ବି.. ପାସ କରିଥିବା ଆଚାର୍ଯ୍ୟ ବି ଥିଲେ । ହେଡ଼ମାଷ୍ଟର ଗୌରମୋହନ ଭଟ୍ଟାଚାର୍ଯ୍ୟ ଥିଲେ ସବୁଠାରୁ ଅଧିକ ଶିକ୍ଷିତ – ଏମ୍.. ପାସ୍ ।  ନିଜର ବିଗତ ଜୀବନରେ ଥିଲେ ବଙ୍ଗଳାର ଜଣେ ଗୁରୁତ୍ୱପୂର୍ଣ୍ଣ ସନ୍ତ୍ରାସବାଦୀ ବିପ୍ଳବୀ । କପିଳ ବାବୁ ଓ ଦାମୋଦର ଶାସ୍ତ୍ରୀ ଓଡ଼ିଆ ପଢ଼ାଉଥିଲେ ସ୍କୁଲଟିରେ ।  ଅକ୍ଷୟ ବାବୁ ଇଂରାଜୀ, ମହେଶ୍ୱର ସୁବୁଦ୍ଧି ଅଙ୍କ, ସୋମନାଥ ଦାନୀ ଭୂଗୋଳ ଓ ଆଦିତ୍ୟ ଗୁରୁ ସଂସ୍କୃତ ପଢ଼ାଉ ଥିଲେ ।
 
କଦବାକ୍ୱଚିତ କ୍ଲାସକୁ ପ୍ରସନ୍ନ ବାବୁ ‘ଦି ଅମୃତ ବଜାର ପତ୍ରିକା’ ଓ ଅକ୍ଷୟ ବାବୁ ‘ଦି ଇଙ୍ଗ୍ଲିଶମ୍ୟାନ” ଇଂରାଜୀ ଦୈନିକପତ୍ରିକାଟିମାନ ଆଣନ୍ତି । ପିଲାଙ୍କ ପାଇଁ ଏହା ବୈଚିତ୍ର୍ୟର ବିଷୟ ଥିଲା । କେବଳ ପାଠ ପଢ଼ାଇବା ଛଡ଼ା ଶିକ୍ଷକମାନେ ଉତ୍ସାହ ଦେଉ ଥିଲେ । ପିଲାଙ୍କର ଦିନଚର୍ଯ୍ୟା ଉପରେ ନିଘା ରଖୁଥିଲେ । ଶ୍ରେଣୀ ବାହାରେ ପାଠର ଆଲୋଚନା ମଧ୍ୟ କରୁଥିଲେ । ଲାଇବ୍ରେରୀରୁ ବହି ନେଇ ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ । ଗୋପୀଙ୍କ ପାଇଁ ଲାଇବ୍ରେରୀଟି ଥିଲା ଏକ କିମିଆରାଇଜ । ଓଡ଼ିଆ, ଇଂରାଜୀ, ଯାହା ବହି ପାଇଲେ, ନେଇ ପଢ଼ୁଥିଲେ । ବୟସରେ ସବୁଠାରୁ ସାନ ହୋଇ ମଧ୍ୟ ପାଠାଗାରଟିର ସବୁଠାରୁ ବେଶୀ ବ୍ୟବହାର ସେ ହିଁ କରୁଥିଲେ ।
 
ଇସ୍କୁଲରେ ସେତେବେଳେ ମାଇନର ସ୍କୁଲର ଚାରି କିଲାସରେ ସାଧାରଣ ଲୋକଙ୍କର ପିଲାଏ ପ୍ରାୟ ନ ଥିଲେ କହିଲେ ଚଳେ । ଯିଏ ବି ଥିଲେ ସେମାନେ ସମସ୍ତେ ରାଜକର୍ମଚାରୀଙ୍କର ପିଲାପିଚିକା । ନ ହେଲେ ସଙ୍ଗତିସମ୍ପନ୍ନ ପରିବାରର ସନ୍ତାନ । ସେମାନଙ୍କ ମଧ୍ୟରୁ ନୀଳାମ୍ବର, ଗୋପୀଙ୍କର ସହପାଠୀ ରହିଲେ ରେଭେନ୍ସାରେ ଏମ୍.. ପଢ଼ିବା ପର୍ଯ୍ୟନ୍ତ । ପରେ ସେ ବନିଲେ ସୋନପୁର ରାଜ୍ୟର ପ୍ରଥମ ଏମ.. ଓ ନିୟୋଜିତ ହେଲେ ବଲାଙ୍ଗୀର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ । ସାରା ଜୀବନ ସେଇଠି ଶିକ୍ଷକତା କରି କାଟିଦେଲେ ।  ସୋନପୁର ମହାନଦୀ ତଟର ସହର ହୋଇ ଥିବାରୁ, ଇସ୍କୁଲର ପିଲାଏ ପ୍ରାୟତଃ ସନ୍ତରଣପଟୁ ଥିଲେ - ଭଲ ଦଉଡ଼ୁ ମଧ୍ୟ ଥିଲେ ।

ହେଲେ ଗୋପୀଙ୍କର ପିଲାବେଳୁ ନିଶା ଥିଲା ପଢ଼ା; ଉଭୟ ପାଠ ପଢ଼ା ଓ  ପାଠ୍ୟ ବହିର୍ଭୁତ ପୁସ୍ତକର ପଠନପାଠନ । ବାର୍ଷିକ ପରୀକ୍ଷାରେ ସେ ହିଁ ପ୍ରାୟତଃ ପ୍ରଥମ ହୁଅନ୍ତି । ଡାକରେ କବିଭୂଷଣ ସ୍ୱପ୍ନେଶ୍ୱର ଦାସଙ୍କର ‘ସାଧନା’ ନିୟମିତ ଆସୁଥାଏ । ତାହା ମଧ୍ୟ ନିୟମିତ ପଢ଼ା ହୁଏ । ସୋନପୁର ଇସ୍କୁଲ ଲାଇବ୍ରେରୀର ବହି, ଶିକ୍ଷକମାନଙ୍କ ଅଧିନରେ ଭାଷା ଶିକ୍ଷା, ଆଖପାଖରେ ସାହିତ୍ୟର ପରିବେଶ – ସୋନପୁରରେ ଏମିତି ମିଳିମିଶି ଯେଉଁ ମୂଳଦୁଆଟି ଗଢ଼ି ହେଲା, ତାହା ପରେ ରୂପ ନେଲା ଓଡ଼ିଆ ସାହିତ୍ୟର ଏକ ସୁଉଚ୍ଚ ଅଟ୍ଟାଳିକାରେ । 
 
ବି.ଦ୍ର. - ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟି ଗୋପୀନାଥ ମହାନ୍ତିଙ୍କର ଆତ୍ମଜୀବନୀ ‘ସ୍ରୌତସ୍ୱତୀ’ର ପ୍ରଥମ ଭାଗରୁ ସଙ୍ଗୃହିତ । ବ୍ୟବହାର କରାଯାଇଥିବା ସଂସ୍କରଣଟି ବହିର ୧୯୯୭ ମସିହାରେ କଟକର ପ୍ରକାଶନ ସଂସ୍ଥା ବିଦ୍ୟାପୁରୀଙ୍କ ଦ୍ୱାରା ପ୍ରକାଶିତ ଦ୍ୱିତୀୟ ସଂସ୍କରଣ । ପୁସ୍ତକଟି ପ୍ରଥମେ ୧୯୯୨ ମସିହାର ଅଗଷ୍ଟ ମାସର କୋଡ଼ିଏ ତାରିଖରେ ଛପା ଯାଇଥିଲା ।

No comments:

Post a Comment

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...