Monday, July 8, 2024

କାଶ୍ମୀରର ବର୍ତ୍ତମାନର ଇତିହାସ

ଶୈଲେନ ରାଉତରାୟ


ଟିତ୍ର - 'କାଶ୍ମୀରର ସାଲ୍ ବୁଣାଳି' (୧୮୬୭)
ଚିତ୍ରକାର - ୱିଲିଅମ୍ ସିମ୍ପସନ୍ (୧୮୨୩-୧୮୯୯)
ଫଟୋ କ୍ରେଡ଼ିଟ୍ - ବ୍ରିଟିଶ୍ ଲାଇବ୍ରେରି


"ଭେଟିବା ପୁନଶ୍ଚ ଆମ୍ଭେ ଶିରିନଗରରେ,
ସୁକ୍ଷେମର ପ୍ରାସାଦର ଦରଜା ପାଖରେ ।
ପୁଷ୍ପିତ ହୋଇବ ହସ୍ତ ମୁଷ୍ଟିବଦ୍ଧ ହୋଇ;
ଯେପର୍ଯ୍ୟନ୍ତ ସଇନିକେ କୁଞ୍ଚିକା ଫେରାଇ,
ଦୃଷ୍ଟିପଥ ଉହାଡ଼ୁ ନ ଯାଆନ୍ତି ଉଭେଇ ।
ପ୍ରବେଶିବା ଶେଷ ବିଶ୍ୱେ ପୁନଶ୍ଚ ଆମ୍ଭର,
ହୋଇଥିଲା ଯାହା ଅଦୃଶ୍ୟ ପ୍ରଥମଥର
ଅନୁପସ୍ଥିତିରେ ଖଣ୍ଡିତ ନଗରୁ ଆମ୍ଭର ।”
- କାଶ୍ମିରୀ-ଆମେରିକୀୟ କବି ଆଗା ଶାହିଦ୍ ଅଲି ।

୮ ଜୁଲାଇ,୨୦୧୬ ତାରିଖରେ ସୁରକ୍ଷାକର୍ମୀ ମାନଙ୍କର ଗୁଳିମାଡ଼ରେ (ଅନେକ ଏହାକୁ ମିଛ ଏନକାଉଣ୍ଟର ବୋଲି ମଧ୍ୟ କୁହନ୍ତି) ହିଜବୁଲ ମୁଜାହିଦ୍ଦିନର ଏକୋଇଶି ବର୍ଷୀୟ ଅଧିନାୟକ ବୁରହାନ୍ ୱାନି ମୃତ୍ୟୁବରଣ କଲେ । ତାଙ୍କୁ କବର ଦେଲାବେଳେ ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ସଙ୍ଖ୍ୟାରେ ଲୋକେ ଶବ ଶୋଭଯାତ୍ରାରେ ଯୋଗଦେଲେ । ଏହା ପରେ କାଶ୍ମୀର ଉପତ୍ୟକାରେ ଏକ ଗଣ–ଆନ୍ଦୋଦାଳନ ମୁଣ୍ଡଟେକିଛି ଯାହା ଥମିବାର କୌଣସି ଲକ୍ଷଣ ଏହି ଲେଖାଟି ଲେଖିଲାବେଳକୁ (ପ୍ରଥମ ଅଗଷ୍ଟ, ୨୦୧୬) ଦେଖାଯାଉନାହିଁ । 

ଏହି ଆନ୍ଦୋଳନରେ ସ୍ୱତଃପ୍ରବୃତ ଭାବରେ ଆବାଳ-ବୃଦ୍ଧବନିତା, ଲକ୍ଷଲକ୍ଷ ଲୋକେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ତିରିଶି ବର୍ଷରୁ କମ ବୟସର ପିଲା । ପରିସ୍ଥିତିକୁ ଗୁରୁତ୍ୱ ନଦେଇ କେନ୍ଦ୍ର ସରକାର ଓ ଜାମ୍ମୁ ଓ କାଶ୍ମୀରର ପିଡ଼ିପି-ଭାଜପାର ମେଣ୍ଟ ସରକାର ଚିରାଚରିତ ପଦ୍ଧତିରେ ଜନବିରୋଧି ପଦକ୍ଷେପ ନେଇ, ଏହି ମୂଳତଃ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବଳପ୍ରୟୋଗ କରି, ଚପାଇଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

କାଶ୍ମୀରରେ ଉଭୟ ବର୍ତ୍ତମାନର ଓ ଗତ କେଇ ଦଶନ୍ଧିର ସମସ୍ୟା ଏକ ରାଜନୈତିକ ସମସ୍ୟା । ଉଗ୍ରବାଦ ସେହି ଅସମାହିତ ରାଜନୈତିକ ସମସ୍ୟାର ଏକ ଲକ୍ଷଣ ମାତ୍ର । ଗୋଟିଏ ପ୍ରଶାସନିକ ଏକକ ଭାବରେ ବର୍ତ୍ତମାନର ଜାମ୍ମୁ ଓ କାଶ୍ମୀରର ଇତିହାସ ଏତେ ପୁରୁଣା ନୁହେଁ । ଊନବିଂଶ ଶତାବ୍ଦୀରେ ଉତ୍ତର ଭାରତରେ ପ୍ରଭୁତ୍ୱ ବିସ୍ତାର ପାଇଁ ନାନା ଦେଶୀ ଓ ବିଦେଶୀ ଶକ୍ତିମାନେ ସଘଂର୍ଷରତ ଥିଲେ । ସବୁଠାରୁ କଡ଼ା ଲଢ଼େଇ ବୋଧେହୁଏ ଇଷ୍ଟ୍ଇଣ୍ଡିଆ କମ୍ପାନୀ ଓ ଶିଖ୍ ସାମ୍ରାଜ୍ୟ ମଧ୍ୟରେ ଥିଲା । 

୧୮୪୬ ମସିହାରେ ଶିଖ୍‌ମାନେ ଇଂରେଜମାନଙ୍କ ପାଖରୁ ହାରିଗଲା ପରେ, ତାଙ୍କର ସାମ୍ରାଜ୍ୟରୁ ଅନେକ ଅଂଶର ନିୟନ୍ତ୍ରଣ ହରାଇଲେ । ତନ୍ମଧ୍ୟରୁ ଜାମ୍ମୁ, କାଶ୍ମୀର, ଗିଲଗିଟ୍-ବାଲଟିସ୍ଥାନ୍ ଓ ଲଦାଖ୍ ଅଞ୍ଚଳ ଅନ୍ୟତମ ଥିଲା । ଏହି ଚାରୋଟି ଅଞ୍ଚଳକୁ ଡୋ‌ଗ୍ରା ବଂଶର ଜଣେ ରାଜପୁତ ଗୁଲାବ ସିଂହ ପଞ୍ଚସ୍ତରୀ ଲକ୍ଷ ନାନକଶାହୀ ଟଙ୍କା ଇଂରେଜମାନଙ୍କୁ ଦେଇ କିଣିଲେ ଓ ଏକ ରାଜ୍ୟ ସ୍ଥାପିତ କଲେ ।

ଏହି ରାଜ୍ୟ ଭାରତର ଅନ୍ୟ କରଦ ରାଜ୍ୟମାନଙ୍କ ପରି ନାମକୁ ମାତ୍ର ସ୍ୱାଧୀନ ଥିଲା । ଏହା ବ୍ରିଟିଶ୍‌ସାମ୍ରାଜ୍ୟର କରଦ ରାଜ୍ୟମାନଙ୍କ ମଧ୍ୟରୁ ଆୟତନରେ ସର୍ବବୃହତ୍ ତଥା ଜନସଙ୍ଖ୍ୟାରେ ଦ୍ୱିତୀୟ ବୃହତ୍ତମ ଥିଲା । ଏହି ରାଜ୍ୟଟି ଚାରୋଟିଯାକ ଅଞ୍ଚଳ ନିଜ ନିଜର ଇତିହାସ ତଥା ସମାଜ ବ୍ୟବସ୍ଥା ଦୃଷ୍ଟିରୁ ଭିନ୍ନ ଭିନ୍ନ । 

ଜାମ୍ମୁରେ ହିନ୍ଦୁମାନେ ସଙ୍ଖ୍ୟାଗରିଷ୍ଠ ହୋଇଥିଲା ବେଳେ କାଶ୍ମୀରରେ ମୁସଲମାନମାନେ ସଙ୍ଖ୍ୟାଗରିଷ୍ଠ । ଲଦାଖରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ଗୁରୁତ୍ୱ ବେଶୀ । ମାତ୍ର ପ୍ରତ୍ୟେକ ଅଞ୍ଚଳରେ ଅନ୍ୟ ଧର୍ମାବଲମ୍ବୀମାନେ ସଙ୍ଖ୍ୟାଲଘୁ ହେଲେ ମଧ୍ୟ ବହୁଳ ଭାବରେ ବସବାସ କରୁଥିଲେ । ଅର୍ଥାତ୍ ଅନେକ ଦୃଷ୍ଟିରୁ ଏହି ରାଜ୍ୟଟି ଗୋଟିଏ ମିନି ଭାରତ ଥିଲା । 

ଏଠାରେ ଏହା ମଧ୍ୟ କହି ରଖିବା ଉଚିତ ହେବ ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହାରଲାଲ ନେହରୁଙ୍କର ପରିବାର ମୂଳତଃ କାଶ୍ମୀରର ବାସିନ୍ଦା ଥିଲେ । ତାଙ୍କର ପୂର୍ବପୁରୁଷମାନେ ଜୀବିକା ନିର୍ବାହ ପାଇଁ ବର୍ତ୍ତମାନର ଉତ୍ତରପ୍ରଦେଶକୁ ସ୍ଥାନାନ୍ତରିତ ହୋଇଥିଲେ ।

ବ୍ରିଟିଶ୍ ଭାରତୀୟ ସାମ୍ରାଜ୍ୟ ଯେ ସ୍ୱାଧୀନ ହେବ, ଏହା ଘୋଷଣା ହେବାପରେ, ଅନେକ ରାଜାମାନଙ୍କ ପରି ଜାମ୍ମୁ ଓ କାଶ୍ମୀରର ତତ୍‌କାଳୀନ ରାଜା ହରି ସିଂହ, ସ୍ୱାଧୀନତାର ସ୍ୱପ୍ନ ଦେଖିବାକୁ ଆରମ୍ଭକଲେ । ଏହା ପୂର୍ବରୁ ରାଜ୍ୟରେ ଗଣତନ୍ତ୍ରର ପ୍ରତିଷ୍ଠା ନିମନ୍ତେ ଶେଖ୍ ମୁହମ୍ମଦ୍ ଅବ୍‌ଦୁଲ୍ଲାଙ୍କର ନେତୃତ୍ୱରେ ଏକ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକି ସାରିଥିଲା । ଶେଖ୍ ଅବ୍‌ଦୁଲ୍ଲା ମୂଳତଃ ଏକ ଗଣତାନ୍ତ୍ରିକ, ସ୍ୱାଧୀନ କାଶ୍ମୀରର ସ୍ୱପ୍ନ ଦେଖୁଥିଲେ । ହେଲେ ପାକିସ୍ଥାନ ସ୍ଥାପିତ ହେବ ବୋଲି ସମ୍ଭାବନା ବଢ଼ିଚାଲିଛି ଜଣା ପଡ଼ିବାପରେ, ଯଦି କାଶ୍ମୀର ସ୍ୱାଧୀନ ହୋଇ ନପାରିଲା, ତାହା ହେଲେ, ସେ ପାକିସ୍ଥାନ ନୁହେଁ, ବରଂ ଭାରତରେ ରାଜ୍ୟର ସମ୍ମିଶ୍ରଣ ସପକ୍ଷରେ ଥିଲେ ।

ଭାରତ ଓ ପାକିସ୍ଥାନ ସ୍ୱାଧୀନ ହେବାପରେ, ଜାମ୍ମୁ ଓ କାଶ୍ମୀର ରାଜ୍ୟ ପାକିସ୍ଥାନରୁ ପାକିସ୍ଥାନୀ ସେନା ଦ୍ୱାରା ସମର୍ଥିତ ଏକ ଆଦିବାସୀ ଦଳ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲା । ଏହି ଆକ୍ରମଣକୁ ନିଜେ ସମ୍ଭାଳି ନପାରି, ଅକ୍ଟୋବର ୨୬, ୧୯୪୭ ମସିହାରେ କାଶ୍ମୀରର ମହାରାଜା ହରି ସିଂହ ଭାରତ ସହିତ ମିଶି ଯିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କଲେ । ଭାରତ ସହ ମିଶ୍ରଣ ପରେ ଭାରତୀୟ ସେନା ଏହି ଆଦିବାସୀ ଦଳ ଓ ପାକିସ୍ଥାନୀ ସେନା ସହିତ ୧୯୪୮ ମସିହାର ଶେଷ ପର୍ଯ୍ୟନ୍ତ ଏକ ଯୁଦ୍ଧ ଲଢ଼ିଲେ । 

୧୯୪୮ ମସିହାରେ ଭାରତ ସରକାର ମିଳିତ ଜାତିସଙ୍ଘକୁ ଏହି ସମସ୍ୟା ନେଇ ଫେରାଦ ହେବାକୁ ଗଲେ । ଅଗଷ୍ଟ ୧୯୪୮ ମସିହାରେ ମିଳିତ ଜାତିସଙ୍ଘରେ ପାରିତ ଏକ ପ୍ରସ୍ତାବ ଅନୁସାରେ ଜାମ୍ମୁ ଓ କାଶ୍ମୀରର ରାଜନୈତିକ ସ୍ଥିତିକୁ ନେଇ ସେଠାରେ ଏକ ଗଣଭୋଟ ଅନୁଷ୍ଠିତ ହେବାକୁ ଥିଲା । ମାତ୍ର ଏହି ଗଣଭୋଟର ପ୍ରଥମ ସର୍ତ୍ତ ଥିଲା ଯେ ପ୍ରଥମେ ପାକିସ୍ତାନ କାଶ୍ମୀରରୁ ସେନା ଓହରାଇବ । ତାହାପରେ ଯାଇଁ ଭାରତ ସେଠାରୁ ସେନା ହଟାଇବ । ତାହାପରେ ମିଳିତ ଜାତିସଙ୍ଘର ତତ୍ତ୍ୱାବଧାନରେ ଗଣଭୋଟ ଅନୁଷ୍ଠିତ ହେବ । 

ପ୍ରଥମ ଭାରତ-ପାକିସ୍ଥାନ ଯୁଦ୍ଧ, ଯାହା କାଶ୍ମୀର ଯୋଗୁଁ ହିଁ ଘଟିଥିଲା, ଜାନୁଆରୀ ୧୯୪୯ ମସିହାରେ ମିଳିତ ଜାତିସଙ୍ଘର ହସ୍ତକ୍ଷେପ ଯୋଗୁଁ ବନ୍ଦ ହେଲା । ଯୁଦ୍ଧବିରତି ସମୟରେ ଉଭୟ ଦେଶର ସେନାମାନଙ୍କର ଅବସ୍ଥିତିକୁ ନେଇ ଯେଉଁ ଗାର କଟାଗଲା (ଓ କାଶ୍ମୀରର ବିଭାଜନ ହେଲା) ତାହାକୁ ଆମେ ବର୍ତ୍ତମାନ ଏଲ୍.ଓ.ସି. ବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଭାବରେ ଜାଣୁ । 

୧୯୪୮ ମସିହା ପରେ ଭାରତ ଓ ପାକିସ୍ଥାନ କାଶ୍ମୀରକୁ ନେଇ ଆହୁରି ଅନେକ ଥର ଲଢ଼ି ସାରିଛନ୍ତି । ଏଥି ମଧ୍ୟରୁ ୧୯୬୫ର ଯୁଦ୍ଧ ତଥା ୧୯୯୯ ମସିହାର କାର୍ଗିଲ୍ ଯୁଦ୍ଧ ଅନ୍ୟତମ । ବର୍ତ୍ତମାନ ଭାରତର ଅଧିକାରରେ କାଶ୍ମୀର୍ ଉପତ୍ୟକା, ଲଦାଖ୍ ଓ ଜାମ୍ମୁ ଥିଲା ବେଳେ, ପାକିସ୍ଥାନ ଓ ଚୀନ୍ ଅଧୀନରେ ପ୍ରାକ୍ତନ ଜାମ୍ମୁ କାଶ୍ମୀର ରାଜ୍ୟର ବାକିତକ ଅଞ୍ଚଳ ଅଛି ।

ଭାରତରେ ସରକାରମାନଙ୍କର କାଶ୍ମୀର ସମସ୍ୟାର ରାଜନୈତିକ ଦିଗ ପ୍ରତି ଅବହେଳା ଆଜି ନୂଆ ନୁହେଁ । କାଶ୍ମୀର ଭାରତରେ ମିଶିଲା ବେଳେ ଯେଉଁ ଚୁକ୍ତି ସ୍ୱାକ୍ଷର କରାଯାଇଥିଲା, ତାହା ଅନୁସାରେ ଜାମ୍ମୁ ଓ କାଶ୍ମୀରକୁ ଅନେକ ସ୍ୱାୟତ୍ତଶାସନ ମିଳିଥିଲା । ଭାରତର କେନ୍ଦ୍ର ସରକାରଙ୍କର ଅଧିନରେ କେବଳ ପ୍ରତିରକ୍ଷା, ଦୂରସଂଚାର ତଥା ବିଦେଶନୀତି ରହିଥିଲା । ବାକିସବୁ ବିଷୟ ଜାମ୍ମୁ ଓ କାଶ୍ମୀରର ରାଜ୍ୟ ସରକାରଙ୍କର ଅଧିନରେ ରହିଥିଲା । 

ମାତ୍ର ୧୯୫୩ ମସିହାରେ କାଶ୍ମୀରର ସ୍ୱାଧୀନତା ବିଷୟରେ ଶେଖ୍ ଅବଦୁଲ୍ଲା କଥାବାର୍ତ୍ତା କରିବାରୁ ତଥା ନିଜ ରାଜ୍ୟରେ ମୌଳିକ ଭୂସଂସ୍କାର ଲାଗୁ କରିବାରୁ ଭାରତର କେନ୍ଦ୍ର ସରକାର ତାଙ୍କୁ ଜେଲ୍‌ରେ ଭର୍ତ୍ତି କରିଦେଲେ । ଏହାପରେ କେନ୍ଦ୍ର ସରକାରଙ୍କର ଅଦୂରଦର୍ଶୀ ଦଖଲଅନ୍ଦାଜି ଯୋଗୁଁ କାଶ୍ମୀର ନିଜର ସ୍ୱାୟତ୍ତତା ଧୀରେଧୀରେ ହରାଇ ବସିଲା । 

କେନ୍ଦ୍ର ସରକାରଙ୍କର କାନ୍ଧରେ ଚଢ଼ି ନାନା କୁଜିନେତା ସରକାର ଗଢ଼ିଲେ । ଶେଖ ଅବଦୁଲ୍ଲା କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜେଲ୍‌ରେ କଟାଇଲେ । ନିଜ ଜୀବନର ଶେଷ ଭାଗରେ ସେ ଭାରତ ସରକାରଙ୍କର ସହ ରାଜିନାମା କରି କାଶ୍ମିରୀ ସ୍ୱାଧୀନତାର ଦାବୀ ଛାଡ଼ିଦେଲେ । ଏହା ପରେ ସେ ପୁଣି ଜାମ୍ମୁ ଓ କାଶ୍ମୀର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ୧୯୮୨ ମସିହାରେ ନିଜର ମୃତ୍ୟୁ ପର୍ଯ୍ୟନ୍ତ ଶାସନ କଲେ । 

କାଶ୍ମୀର ଭାରତର ଅଂଶ ବନିସାରିଲା ପରେ ୧୯୮୭ ମସିହା ପର୍ଯ୍ୟନ୍ତ ପ୍ରାୟତଃ ପ୍ରତ୍ୟେକ ରାଜ୍ୟସ୍ତରୀୟ ନିର୍ବାଚନରେ ହେରଫେର ହୋଇଥିବାର ଅଭିଯୋଗ ହୋଇଆସିଛି । ଅନେକ ନିରପେକ୍ଷ ପର୍ଯ୍ୟବେକ୍ଷକଙ୍କ ମତାନୁସାରେ ଏହି ଅଭିଯୋଗ ଗୁଡ଼ିକରେ ଅନେକ ସତ୍ୟତା ରହିଛି । ମାତ୍ର ୧୯୯୬ ମସିହା ପରଠାରୁ ସାଧାରଣ ଭାବରେ ନିର୍ବାଚନ ନିରପେକ୍ଷ ଭାବରେ ଅନୁଷ୍ଠିତ ହୋଇଛି ବୋଲି ଅଧିକାଂଶ ପର୍ଯ୍ୟବେକ୍ଷକଙ୍କର ମତ ।

କେନ୍ଦ୍ରୀୟ ସ୍ତରରେ କଂଗ୍ରେସ ସରକାର, ୧୯୮୭ ମସିହାର ଜାମ୍ମୁ ଓ କାଶ୍ମୀରର ରାଜ୍ୟ ନିର୍ବାଚନରେ ବଡ଼ ଧରଣର ହେରଫେର କରାଇ ନ୍ୟାସନାଲ୍ କନ୍‌ଫରେନ୍ସ୍‌କୁ ଜିତାଇବା ପାଇଁ ଚକ୍ରାନ୍ତ କରିଥିଲା ବୋଲି ଅଭିଯୋଗ ହୁଏ । ଏହାର କୌଣସି ମୀମାଂସା କରାଗଲା ନାହିଁ । ଅନେକ ଲୋକଙ୍କର ମତରେ ଏହାହିଁ କାଶ୍ମୀରରେ ୧୯୮୯-୯୦ଠାରୁ ଉଗ୍ରବାଦ ତଥା ବିଚ୍ଛିନ୍ନତାବାଦ ମୁଣ୍ଡ ଟେକିବାର ମୂଳ କାରଣ । ଏହି ରାଜନୈତିକ ସମସ୍ୟାର ସମାଧାନ ସରକାର କରିପାରିଲେ ନାହିଁ । ଏଣୁ କରି ଜନଅସନ୍ତୋଷ ବଢ଼ି ଚାଲିଲା । ସରକାରଙ୍କର ମାତ୍ରାଧିକ କାର୍ଯ୍ୟ ଯୋଗୁଁ ଅନେକ ନୀରିହ ଲୋକ ପ୍ରାଣ ହରାଇଲେ ।

ହଜାର ହଜାର ସଙ୍ଖ୍ୟାରେ ସାଧାରଣ ଜନତାଙ୍କୁ ସରକାର ଉଗ୍ରବାଦୀ ନାଁରେ ଗିରଫ କରିବାକୁ ଆରମ୍ଭ କଲା । ଏହା ବିରୁଦ୍ଧରେ ୨୦ ଜାନୁଆରୀ ୧୯୯୦ରେ, ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ଗାୱାକଡ଼ାଲ୍ ଠାରେ ଏକ ଗଣହତ୍ୟା ଅନୁଷ୍ଠିତ ହେଲା । ଏଥିରେ ପଚାଶରୁ ଅଧିକ ନୀରିହ ଲୋକ ସରକାରୀ ଗୁଳିମାଡ଼ରେ ମୃତ୍ୟୁବରଣ କଲେ । 

ଗଣଭୋଟ ଦାବି କରି ପ୍ରଦର୍ଶନ କରୁଥିବା ଶାନ୍ତିପୂର୍ଣ୍ଣ ଜନତା ଉପରେ ଗୁଳିଚାଳନା ଫଳରେ ୧ ମାର୍ଚ୍ଚ ୧୯୯୦ରେ ଜକୁରା ଓ ଟେଙ୍ଗପୁରା ଗଣହତ୍ୟାରେ ୩୩ଜଣ ସାଧାରଣ ଜନତା ପ୍ରାଣ ହରାଇଲେ ତଥା ୪୭ ଜଣ ଆଘାତପ୍ରାପ୍ତ ହେଲେ । ମାନବ ଅଧିକାର ସଂସ୍ଥା ଆମ୍ନେଷ୍ଟି ଇଣ୍ଟର୍ନ୍ୟାସନାଲ୍ ଅନୁସାରେ ୨୨ ଅକ୍ଟୋବର ୧୯୯୩ରେ ବିଜବେହାରା ଓ ଶ୍ରୀନଗରଠାରେ ଅନୁଷ୍ଠିତ ଗଣହତ୍ୟାରେ ୫୧ରୁ ଅଧିକ ଲୋକ ମଲେ ତଥା ଦୁଇ ଶହରୁ ଅଧିକ ଲୋକ ଖଣ୍ଡିଆଖାବରା ହୋଇଥିଲେ ।

ଏହିପରି ଗଣହତ୍ୟାଗୁଡ଼ିକ ଛଡ଼ା, ୧୯୯୦ରେ କାଶ୍ମୀରରେ ଲାଗୁହୋଇଥିବା ଆଫ୍ସା (ଆର୍ମଡ଼୍ ଫୋର୍ସେସ୍ ସ୍ପେସାଲ୍ ପାୱାର୍ସ ଆକ୍ଟ୍) ଯୋଗୁଁ ସାଧାରଣ ଲୋକଙ୍କର ମାନବାଧିକାରର ଘୋର ହନନ ହୋଇଛି । କାଶ୍ମୀରରେ ମାନବ ଅଧିକାରର ହନନରେ ଉଗ୍ରବାଦୀମାନଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି । 

ଉଗ୍ରପନ୍ଥୀମାନଙ୍କର ଧମକ ଓ ହତ୍ୟା ଯୋଗୁଁ ଲକ୍ଷାଧିକ କାଶ୍ମୀର ପଣ୍ଡିତମାନଙ୍କୁ ସ୍ଥାନାନ୍ତରିତ ହୋଇ ବାସ୍ତୁହରା ହେବାକୁ ପଡ଼ିଛି । ଏହାଛଡ଼ା କାଶ୍ମୀରରେ ଶହଶହ ସଙ୍ଖ୍ୟାରେ ସାଧାରଣ ମୁସଲମାନଙ୍କ ହତ୍ୟାରେ ମଧ୍ୟ ଉଗ୍ରବାଦୀମାନଙ୍କ ହାତ ରହିଛି । ମାତ୍ର ଅନେକ ପର୍ଯ୍ୟବେକ୍ଷକମାନଙ୍କ ମତରେ, ରାଜ୍ୟରେ ରାଷ୍ଟ୍ର ପ୍ରାୟୋଜିତ ସନ୍ତ୍ରାସ ଅନ୍ୟ ସବୁକିଛିକୁ ବଳିଯାଇଛି ।

କାଶ୍ମୀରର ସାଧାରଣ ଜନତା ଯେ ଏ ସବୁକୁ ନୀରବରେ ସହି ଯାଇଛନ୍ତି, ତାହା ନୁହେଁ । ୨୦୦୮ ମସିହାରେ ଅମରନାଥ ମନ୍ଦିରର ପରିଚାଳନା ବୋର୍ଡ଼୍‌ରୁ ଶହେ ଏକର ଜମି ହସ୍ତାନ୍ତରକୁ ନେଇ ଯେଉଁ ଆନ୍ଦୋଳନ ଦେଖାଦେଲା, ସେଥିରେ ପାଞ୍ଚ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ ବୋଲି ଅନେକ ରିପୋର୍ଟରୁ ଜଣାଯାଏ । ଏହି ନୀରିହ ଜନସାଧାରଣଙ୍କ ଉପରେ ପୋଲିସ ଓ ସୁରକ୍ଷାବଳର ମାତ୍ରାଧିକ ପ୍ରତିକ୍ରିୟା ଯୋଗୁଁ ଚାଳିଶିରୁ ଅଧିକ ଲୋକ ପ୍ରାଣ ହରାଇଲେ । 

୨୦୦୯ ମସିହାରେ ସୋପିଆଁ ଜିଲ୍ଲାରେ ଦୁଇଜଣ ମହିଳାଙ୍କର ଧର୍ଷଣ ଓ ହତ୍ୟାପରେ ଏହା ଅଭିଯୋଗ ଉଠିଲା ଯେ ଏହା ପଛରେ ସୁରକ୍ଷାବଳଙ୍କର ହାତ ଅଛି । ସରକାର ନ୍ୟାୟ ଯୋଗାଇବାରେ ବିଫଳ ହେବାରୁ ତଥା ପରିସ୍ଥିତିକୁ ସମ୍ଭାଳି ନପାରିବାରୁ ଅନେକ ଅଞ୍ଚଳରେ ସପ୍ତାହ ସପ୍ତାହ ବ୍ୟାପି କର୍ଫୁ୍ୟ ଜାରି କରାଗଲା ଓ ଅନେକ ଲୋକ ମୃତ୍ୟୁବରଣ କଲେ ଓ ଖଣ୍ଡିଆଖାବରା ହେଲେ । 

୨୦୧୦ ମସିହାରେ ମାନବ ଅଧିକାର ହନନ, ପ୍ରକୃତ ଗଣତନ୍ତ୍ରର ଅଭାବ ତଥା ସାଧାରଣ ଜନଅସନ୍ତୋଷ ଯୋଗୁଁ ପୁଣି ଥରେ ଆନ୍ଦୋଳନ ମୁଣ୍ଡ ଟେକିଲା । ସରକାରୀ ଗୁଳିମାଡ଼ରେ ପୁଣି ଶତାଧିକ ନୀରିହ ଜନତା ପ୍ରାଣ ହରାଇଲେ । ଏହି ବର୍ଷର ଜୁଲାଇ ମାସରେ ଯାହାସବୁ ଘଟିଗଲା ତଥା ଏ ପର୍ଯ୍ୟନ୍ତ ଯାହା ଚାଲିଛି, ତାହା ଏହି ଶୃଙ୍ଖଳର ଏକ ଅଂଶ ମାତ୍ର ।

କାଶ୍ମୀରର ରାଜନୈତିକ ସମସ୍ୟାକୁ ସରକାର ମୂଳତଃ ଏକ ସାମରିକ ବା ଆଇନଶୃଙ୍ଖଳା ସମସ୍ୟା ଭାବରେ ଦେଖୁଛନ୍ତି ।  ଯେ ପର୍ଯ୍ୟନ୍ତ ଏହି ମନୋଭାବରେ ପରିବର୍ତ୍ତନ ଆସିନାହିଁ, ସେ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ସମ୍ଭବ ନୁହେଁ । ଭାରତ ସରକାର କାଶ୍ମୀର ବିଷୟରେ ପାକିସ୍ଥାନ ସହିତ ଆଲୋଚନା କରିବାପାଇଁ ଅନେକ ଥର ରାଜି ହୋଇଛନ୍ତି । ମାତ୍ର କାଶ୍ମିରୀମାନଙ୍କ ସହିତ ଆଲୋଚନା ପାଇଁ କେବେ କୌଣସି ନିଷ୍ଠାବାନ ଉଦ୍ୟମ କରିନାହାନ୍ତି । ଭାରତର ରାଜନୈତିକ ବ୍ୟବସ୍ଥା ଓ ଏହାର କଳାକାରମାନଙ୍କ ପାଇଁ ବୋଧେହୁଏ ପାକିସ୍ଥାନୀମାନେ ମଣିଷ, ମାତ୍ର କାଶ୍ମିରୀମାନେ ମଣିଷ ପଦବାଚ୍ୟ ନୁହନ୍ତି । 

କାଶ୍ମୀର ସମସ୍ୟାର ସମାଧାନ ପାଇଁ ସରକାର ସବୁ ବର୍ଗର କାଶ୍ମିରୀମାନଙ୍କ ସହ ଆଲୋଚନା କରିବା ଦରକାର । ଆଲୋଚନାର ବିଷୟବସ୍ତୁ ସରକାର ନୁହେଁ, ଲୋକେ ସ୍ଥିର କରିବା ଉଚିତ । ନିଷ୍ଠାର ସହ ଆଲୋଚନା ହେଲେ, ଲୋକମାନଙ୍କର ଅଧିକାରକୁ ସମ୍ମାନ କରାଗଲେ, ଅତ୍ୟଧିକ ପରିମାଣର ସୁରକ୍ଷାବଳକୁ ପ୍ରତ୍ୟାହାର କରାଗଲେ ତଥା ଦୋଷୀମାନଙ୍କୁ (ସେ ସୁରକ୍ଷାଦଳର ଅଧିକାରୀ ହୁଅନ୍ତୁ ବା ନେତା) ଦଣ୍ଡ ଦିଆଗଲେ ସମସ୍ୟା ସମାଧାନର ବାଟ ମନକୁ ମନ ଫିଟିବ । ଅନେକ ସମୟରେ ନିଆଁ ଲିଭାଇବା ପାଇଁ ପାଣି ଢାଳିବା ଦରକାର ହୁଏନି । ଖାଲି ଚୁଲିରୁ ଜାଳ କାଢ଼ିଦେଲେ ଯାଏ ।

ବି.ଦ୍ର.: ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ର ୧-୧୫ ଅଗଷ୍ଟ ୨୦୧୬ ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା ।

No comments:

Post a Comment

ପୁଷ୍ପ ବର୍ଗ ୭-୮ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ ଓଡ଼ିଆ ପଦ୍ୟାନୁବାଦ ଅନ୍ୟମାନଙ୍କର...