ଶୀର୍ଷାରେ ମାଇନର ପାଠ
ଶୈଲେନ ରାଉତରାୟ
 |
୧୯୦୧ ମସିହାରେ ପ୍ରକାଶିତ ବ୍ରିଟିଶ ଗ୍ୟାଜେଟିଅରରେ ମୟୁରଭଞ୍ଜର ମାନଚିତ୍ର ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ନିଜ ଗାଁ ପାନ୍ଧଡ଼ାର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ସରିଲା; ‘ଭୋଳା ଶତପଥି’ଙ୍କର ପୁଅ ବସନ୍ତ
ବାବୁ (ପରେ ସାହିତ୍ୟିକ ଭାବରେ ପ୍ରଖ୍ୟାତ ବସନ୍ତ ଶତପଥୀ) ୟୁ.ପି. ପରୀକ୍ଷାରେ ମୟୂରଭଞ୍ଜ ରାଜ୍ୟରେ ପ୍ରଥମ ହୋଇ ମାସକୁ ପାଞ୍ଚ ଟଙ୍କାର ବୃତ୍ତି ପାଇଲେ
। ବିଂଶ ଶତାବ୍ଦୀର ତୃତୀୟ ଦଶକରେ, ରାଜୁଡ଼ା ସମୟରେ ପାଞ୍ଚ ଟଙ୍କା କିଛି କମ୍ ନଥିଲା;
ମାତ୍ର ପାଠପଢ଼ା ଥିଲା ଭାରି ମହରଗିଆ ।
ଘରେ ବିଚାର ପଡ଼ିଲା ଯେ ମାଇନର ପଢ଼ିବା ପାଇଁ
ପୁତ୍ରମଣି ଯିବେ କୁଆଡେ଼ - ଶୀର୍ଷା ନା ବାରିପଦା । ଶୀର୍ଷାରେ ଖର୍ଚ୍ଚ ହେବ ଟଙ୍କା ସାତଟି; ବାରିପଦାର ଇସ୍କୁଲ
ଟାଣିବ ଦଶ ଟଙ୍କା ମାସକୁ । ଘରର ଆର୍ଥିକ ପରିସ୍ଥିତିକୁ ଚାହିଁ ସ୍ଥିର ହେଲା ଯେ ସେ ଯିବେ
ଶୀର୍ଷା: ଇଆଡେ଼ ବଡ଼ମାନେ ନିଷ୍ପତ୍ତି ନେଲେ ଓ ସିଆଡ଼େ ବୃତ୍ତିଧାରୀ ବୋବାଳି ଛାଡ଼ିବା ଆରମ୍ଭ
କଲେ ।
ଏକେ ତ ଶୀର୍ଷାରେ କେହି ଚିହ୍ନାଜଣା ନଥିଲେ;
ବାରିପଦାରେ ଥିଲେ ପାନ୍ଥଡ଼ାର ହରି,
ଶିରୀଷ, ନାରଣ ଓ
ପଦୁ ଇତ୍ୟାଦି । ଶୀର୍ଷାର ହେଡ଼୍ ମାଷ୍ଟର ରଘୁନାଥ ରଣାଙ୍କୁ କୁଆଡ଼େ ଗରଭିଣୀ ଗାଈ ବାଟ ଛାଡ଼ିଦିଏ
। ମାଡ଼ ମାରିବାରେ ସେ ଓସ୍ତାଦ ଥିଲେ;
‘ରଣା’ଏ ସେତେବେଳକୁ
ଗୋଟାଏ ପିଲାର ମୁଣ୍ଡରେ ସିଲଟ ଭାଙ୍ଗି ଛାତ୍ରବଧ ପୂଣ୍ୟ ଅର୍ଜନ କରିସାରିଥାଆନ୍ତି ।
ବସନ୍ତ ବାବୁଙ୍କର
ଭେମ୍ବାରଡ଼ିର ଏହାଥିଲା ପ୍ରେକ୍ଷାପଟ । ଶେଷକୁ ପାନ୍ଥଡ଼ାର ହେଡ଼୍ମାଷ୍ଟରଙ୍କୁ ପଚରାଗଲା । ସେ ମଧ୍ୟ ଶୀର୍ଷା
ସପକ୍ଷରେ ମତ ଦେଲେ ।
ଅତଏବ୍,
ବସନ୍ତ ବାବୁ ଉଣେଇଶି ପଚିଶି ସାଲ୍ର ମାର୍ଚ୍ଚ ଦୁଇ ତାରିଖ ଦିନ ଭିଡ଼ା ହୋଇଗଲେ ଶୀର୍ଷା । ଏହି ଦିନ ଯୁକ୍ତରାଜ୍ୟ ଆମେରିକାର ହାଇୱେ ବ୍ୟବସ୍ଥାର ଆନୁଷ୍ଠାନିକ ଉଦ୍ଘାଟନ ହେଲା । ଯଦିଓ ବସନ୍ତ ବାବୁ, କିମ୍ବା ତାଙ୍କର
ବାପା ‘ଭୋଳା
ଶତପସ୍ତି’ କିମ୍ବା 'ରଣା', କେହି
ମଧ୍ୟ ଏ ବିଷୟରେ ଜାଣିଥିବାର ସମ୍ଭାବନା କମ୍ ।
ଯାତ୍ରା ନିମନ୍ତେ ସଜିଲ୍ ହୋଇଥିଲା ବାଉଁଶର
ପେଡ଼ି । ପେଡ଼ିରେ ରହିଲା ମୁଢ଼ି,
ଚୁଡ଼ା, ଚେନି, ଉଇଲ୍ ପିଆଜ ଆଉ
ବିଡ଼ାଏ ଶାଳ ଦାନ୍ତକାଠି । ସାଥିରେ ଗଲା କନ୍ଥାଟିଏ,
ଝୋଟବୁଣା ସତରଞ୍ଜି ଗୋଟିଏ,
କଂସା ଥାଳି, ପିତ୍ତଳ
ବେଲା, ଗୋଟିଏ
ଧୋତି ଆଉ ଦାନୁଆ ଗାମୁଛାଟିଏ ।
ଯାତ୍ରା ପାଇଁ ବାବୁ ପିନ୍ଧିଥିଲେ, ତିନି ପିସ୍ତଲ୍
ମାର୍କା ବାଇଗଣୀ ଧଡ଼ିବାଲା ଛଅ-ଗଜିଆ ଧୋତି ଆଉ ତାହା ସହିତ ବେକ-ବନ୍ଦ୍ ହାଟୁଆ କୋଟ୍; ଗେଞ୍ଜି ନାହିଁ କି
ସାର୍ଟ ନାହିଁ । ହାତରେ ରୂପାର ବଳା । କାନରେ ନୀଳ ରଙ୍ଗର କାଚଜଡ଼ିତ ସୁନାର ଫୁଲ ।
ଆଙ୍ଗୁଠିରେ ରୂପାର ମୁଦି । ପାଦ ଲଙ୍ଗଳା ।
ସ୍କୁଲ୍ରେ ପହଞ୍ଚି ନାଁ ଲେଖାଇ ସାରିଲା ପରେ ବାପା, ଭାଇ ଘର
ଛାଡ଼ିଗଲା ବେଳକୁ ବସନ୍ତ ବାବୁଙ୍କର ଭେମ୍ବାରଡ଼ି । ସେଦିନ ରାତିର ଭୋଜନ ହେଲା ବାରପ୍ରକାରର
ମିଶାମିଶି ଚାଉଳରେ ରନ୍ଧା ଭାତ,
ମଶୁରି ଡ଼ାଲି ଆଉ ମଟର ଝୋଳ ।
ତାହା ପରଦିନ ସକାଳୁ ଉଠି ଶଉଚ ପାଇଁ ଯିବାକୁ ପଡ଼ିଲା ପାଖର
ସୁବର୍ଣ୍ଣରେଖା ନଈକୁ । ପାଣି ଯାଇଁ ଶହେ ହାତ ତଳେ । ଗାଧୁଆ, ଶୌଚ ଓ ବଗିଚା
କାମର ପାଣି ପାଇଁ ଏଠାକୁ ଯିବାକୁ ପଡ଼ୁଥିଲା ।
ବସନ୍ତ ବାବୁଙ୍କର ସୌଭାଗ୍ୟକୁ ହନ୍ତସନ୍ତ ହେବାକୁ
ପଡ଼ିଲା ନାହିଁ । ପିଲାଙ୍କର ଦେହ ଖରାପ ହେଲେ ହେଡ଼୍ ପଣ୍ଡିତ ବୈକୁଣ୍ଠନାଥ ମିଶ୍ର ବାପା
ମାଙ୍କଠାରୁ ବଳି ସେବା ଶୁଶ୍ରୁସା କରନ୍ତି ।
ଶୀର୍ଷାରେ ଭଲ ପଢ଼ୁଥିଲେ ସୁଦ୍ଧା ତଥା ସହପାଠୀ ଓ
ଶିକ୍ଷକମାନେ ଭଲ ପାଉଥିଲେ ମଧ୍ୟ ଥରେ ପାନ୍ଧଡ଼ା ଆସିଲେ ଶତପଥୀଏ ଆଉ ଶୀର୍ଷାକୁ ନ ଗଡ଼ନ୍ତି ।
ଗଲାବେଳକୁ ବାଲିଙ୍ଗି ଦେଖେଇଲେ ବାପାଙ୍କର ଧମକାଣ ଖାଇ ଶେଷକୁ ବିଦାୟ ନିଅନ୍ତି ।
ଶୀର୍ଷାରେ ପଢ଼ୁଥିଲାବେଳେ ବସନ୍ତ ବାବୁ ପ୍ରଥମ ଥର ପାଇଁ ନାଟକ ଦେଖିଲେ
। ଦେଖିଥିବା ପ୍ରଥମ ନାଟକ ଦୁଇଟି ହେଲା ‘କୋଣାର୍କ’ ଓ ‘ପର୍ଶୁରାମ
ମାତୃହତ୍ୟା’ । କଳଗାଉଣା ବି
ପ୍ରଥମ ଥର ପାଇଁ ସେଇଠେଇଁ ଶୁଣିଲେ ।
ହେଲେ ସେଠି ଖାଇବା ପିଇବାରେ ଭାରି ଅସୁବିଧା । ପନିପରିବା କିଛି ମିଳେ
ନାହିଁ । ଖାଲି କୁନ୍ଦୁରି, ବାଇଗଣ ଓ
ଆଳୁ । ସକାଳ ଜଳଖିଆ ହେଲା ନିରୋଳା ମୁଢ଼ି । ତାହା ପୁଣି ବାସି, ସେମେଟା, ଗନ୍ଧିଆ, ଯାହାକୁ ବିନା ଦୁଧ କି ଦହିରେ ଖାଇବାକୁ ପଡେ଼ ।
ସ୍କୁଲ୍ ଛୁଟି ହେଲାବେଳକୁ ଭୋକ । ହେଲେ ବାଘ ଭଳି ଭୋକ ସହିତ ଡାଲିପାଣି
ଆଉ କୁନ୍ଦୁରି ସିଝା ନଗେଇ ବଗଡ଼ା ଭାତ ଖାଇବାକୁ ମନ ଡାକେ ନାହିଁ । ଅନେକ ସମୟରେ କିଣି ଲଙ୍କା
ମରିଚ ସହ ମୁଢ଼ି ଆଉ ସୋଲାଭଜା ଖିଆଯାଏ ।
ଶନିବାରେ ଓ ମଙ୍ଗଳବାରେ ଦିନ ପରମା ଓ ରାଜୁ ଗୁଡ଼ିଆ
ମିଠେଇ ପସରା ଧରି ଆସନ୍ତି । ସେଦିନ ଖାଇବାଟା ଟିକେ ଜମେ । ଦୁଇ ପଇସାରେ ଯୋଡ଼ିଏ ବଡ଼ ବଡ଼
ଜିଲାପି ଜଳଖିଆ ଭାବରେ ଖାଇଦେଲେ ଭାତ ଖାଇଲା ବେଳ ଯାଏଁ ଟାଣି ହୋଇଯାଏ ।
ପାଞ୍ଚ ଟଙ୍କା
ବୃତ୍ତି । ସେଥିରୁ
ଦୁଇ ଟଙ୍କା ମେସ୍ ଖର୍ଚ୍ଚ । ଟଙ୍କାଏ
ଟିଉସନ ପାଇଁ । ଆଉ
ଟଙ୍କାକର ଜିଲାପି । ମିଠା ଖାଇ ଖାଇ ଶୀର୍ଷା ଛାଡ଼ିଲା ବେଳକୁ ଦେହସାରା କାଛୁ ।
ମାଇନର ସରିଲା ଓ
ତା'ପରେ ଶତପଥୀଏ ଯାଆନ୍ତି ବାରିପଦା ହାଇସ୍କୁଲ ପଢ଼ା ପାଇଁ । ହେଲେ ତାହା ଆଉ ଏକ ଉପାଖ୍ୟାନ ।
ଟୀକା: ଏହି କ୍ଷୁଦ୍ର ପ୍ରବନ୍ଧଟିର ଉପାଦାନ ୨୦୦୮ ମସିହାରେ ପ୍ରକାଶିତ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ 'ମନେପଡ଼େ' ରୁ ସଙ୍ଗୃହିତ । ବହିଟିର ସମ୍ପାଦକ ହେଲେ ସୁମନ୍ୟୁ ଶତପଥୀ ଓ ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ । ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି' ଛାପିଥିଲେ ।