The First Stone Involving a Few Non-Cryptic Clues
Sailen Routray
![]() |
Jane M. Byrne Interchange at Chicago https://commons.wikimedia.org/Sea Cow |
Carrying Across
The Developmental State or The Nakhras of Bengaluru
![]() |
Jane M. Byrne Interchange at Chicago https://commons.wikimedia.org/Sea Cow |
Carrying Across
The Developmental State or The Nakhras of Bengaluru
![]() |
ବାରିପଦାସ୍ଥ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ସୁଭାଶୀଷ ପାଣିଗ୍ରାହୀ |
ସୌରୀନ୍ଦ୍ର ବାବୁ ଯେବେ ୧୯୪୭ ମସିହାରେ ସପରିବାର ନିଜର ପିତା ଦଇତାରି ବାବୁଙ୍କ ସହ ବାରିପଦା ଆସିଲେ, ସେତେବେଳେ ଛାତ୍ରଙ୍କର ସଙ୍ଖ୍ୟା ଦୃଷ୍ଟିରୁ ବାରିପଦା ଉଚ୍ଚ ବିଦ୍ୟାଳୟ ବୋଧହୁଏ ଥିଲା ଓଡ଼ିଶାର ବୃହତ୍ତମ । ଚତୁର୍ଥ ଶ୍ରେଣୀରେ ଯୋଗ ଦେଇ ପ୍ରଥମ ଦିନ ହିଁ ତାଙ୍କର ବେଞ୍ଚ ଉପରେ ଠିଆ ହୋଇ କଟାଇବାର ଅନୁଭୂତି ହୁଏ – ପିତାଙ୍କର ନୁହଁ, ପୁତ୍ରମଣିଙ୍କର ।
ସେବେ ଇସ୍କୁଲୁରେ ପଢ଼ୁଥିଲେ ଆଠ ଶହରୁ ଅଧିକ ଛାତ୍ର । ଚତୁର୍ଥଠାରୁ ଏକାଦଶ, ପ୍ରତ୍ୟେକ ଶ୍ରେଣୀରେ ଥିଲା ତିନୋଟି ଲେଖାଏଁ ବିଭାଗ । ସେଇ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଅବସ୍ଥାରେ ହିଁ ଦେଶ ସ୍ୱାଧୀନ ହେଲା । ହେଲେ ମୟୁରଭଞ୍ଜ କିଛି କାଳ ଭାରତରେ ଯୋଗ ନଦେଇ ଅଲଗା ରହିଲା ।
ଦଇତାରି ବାବୁ ହେଡ଼ମାଷ୍ଟ୍ର ହୋଇ ଆସିଥା'ନ୍ତି । ମାଷ୍ଟ୍ରଙ୍କ ପୁଅ ବାରିପଦା ଇସ୍କୁଲୁରେ ନାମ ଲେଖାଇବା ପର୍ଯ୍ୟନ୍ତ ସିଲିଂ ପଙ୍ଖା ଦେଖି ନଥିଲେ । ସେତେବେଳେ ପ୍ରତି ଶ୍ରେଣୀରେ ଯୋଡ଼େ ଲେଖାଏଁ ଝୁଲା ପଙ୍ଖା, ଗୋଟାଏ ଲେଖେଁ ଶକତ, ବହି ଭରତି ଆଲମାରି, ବସିବା ପାଇଁ ବେଞ୍ଚର ବ୍ୟବସ୍ଥା - ପୁରାପୁରି ରାଜକୀୟ ଆୟୋଜନ ।
ପ୍ରତି କିଲାସରେ ଗୋଟାଏ ଲେଖାଏଁ ଶ୍ରେଣୀ ପାଠାଗାର – ଆଲମାରିଟା ହିଁ ଲାଇବ୍ରେରି । ପ୍ରତି ଶ୍ରେଣୀରେ ଜଣେ ଶିକ୍ଷକ ପାଠାଗାର ଦାୟିତ୍ୱରେ ଥାଆନ୍ତି । ଯେବେ ସୌରୀନ୍ଦ୍ର ବାବୁଙ୍କର ବାରିପଦା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ହେଲା, ତାଙ୍କ ଶ୍ରେଣୀ ପାଇଁ ଗ୍ରନ୍ଥାଗାର ଦାୟିତ୍ୱରେ ଥାଆନ୍ତି ଶ୍ୟାମସୁନ୍ଦର ଷଡ଼ଙ୍ଗୀ ।
ତାଙ୍କ ଠାରୁ ଯେଉଁ ପ୍ରଥମ ପୁସ୍ତକଟି ବାବୁ ପାଇଲେ, ତାହା ଥିଲା ‘ଫୁଲଚାଙ୍ଗୁଡ଼ି’ ବୋଲି କୁନି ବହିଟିଏ । ତାହା ହିଁ ତାଙ୍କ ମନରେ ପାଠକୀୟ ନିଶା ଜଗାଇଲା । ସେ ଅନ୍ୟ ବହି ସବୁ ମଧ୍ୟ ଆଣି ପଢ଼ିବାକୁ ଲାଗିଲେ । କଲିକତାର ‘ଦେବସାହିତ୍ୟ କୁଟୀର’ରୁ ବହି ମଗାଇ ପଠନ ଆରମ୍ଭ ହେଲା । ତାହା ସହ ଓଡ଼ିଆ ଓ ବଙ୍ଗଳା ରହସ୍ୟ ଉପନ୍ୟାସ ପଢ଼ାର ନିଶା ମଧ୍ୟ ଚଢ଼ିଲା । ବହି ପଢ଼ିବାରେ ତାଙ୍କର ସାଥି ଥିଲେ ଜୟକୃଷ୍ଣ ମହାପାତ୍ର ଓ ସନ୍ତୋଷ ଦାଶ ।
ସେତିକି ବେଳେ ବାରିପଦାରୁ ‘ଚନ୍ଦ୍ରିକା’ ବୋଲି ଗୋଟିଏ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରକାଶ ପାଇବାକୁ ଆରମ୍ଭ କଲା । ସମ୍ପାଦକ ଥିଲେ ମହେଶ ମହାପାତ୍ର । ଥରେ ଗୋଟିଏ ଗପ ଲେଖି ସାରି ମହେଶ ବାବୁଙ୍କ ସ୍ତ୍ରୀଙ୍କୁ ଗପଟି ଦେଇ ସୌରୀନ୍ଦ୍ର ବାବୁ ପଳାଇ ଆସିଲେ । ତାହା ବୋଧେ ତାଙ୍କର ସିରିଅସ ଲେଖକ ଜୀବନର ଆଦ୍ୟ ଉନ୍ମେଷ । ଗପଟି ତ ପ୍ରକାଶ ହେଲାନି । ହେଲେ ସମ୍ପାଦକ ଓ ନିଜ ପିତା ଭାଷା ଶୁଦ୍ଧ କରିବା ପାଇଁ ତାଙ୍କୁ ଅନୁବାଦ କରିବା ନିମନ୍ତେ ଉପଦେଶ ଦେଲେ। ସେଇଥିରୁ ସୌରୀନ୍ଦ୍ର ବାବୁଙ୍କର ଭାଷା ସହ ଅସଲ କସରତ ଆରମ୍ଭ ହୁଏ ।
ପାଠ ପଢ଼ା ଛଡ଼ା ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସୌରୀନ୍ଦ୍ର ଅଂଶଗ୍ରହଣ କରିବାକୁ ଲାଗିଲେ । ଅଷ୍ଟମ ଶ୍ରେଣୀରେ ଇସ୍କୁଲୁର ପ୍ରବନ୍ଧ ପ୍ରତିଯୋଗିତାରେ ଚତୁର୍ଥ ହେଲେ । ମନଟା ଖଟା ହୋଇଗଲା । ପରିଶ୍ରମ କରି ଦଶମ ଶ୍ରେଣୀରେ ହେଲେ ପ୍ରଥମ – ପୁରସ୍କାର ମିଳିଲା ‘ଗଙ୍ଗାଧର ଗ୍ରନ୍ଥାବଳୀ’ । ସେତେବେଳର ତାଙ୍କ ସ୍କୁଲର ଶିକ୍ଷକମାନଙ୍କୁ ନେଇ ଗୋଟିଏ ଟାହୁଲିଗୀତର ପ୍ରଚଳନ ଥିଲା -
ଏହି ଗୀତ ଶୁଣି ମାୟାଧର ବାବୁ ଚିଡ଼ିଯାଆନ୍ତି ଆଉ ପିଲାମାନେ ତାଙ୍କୁ ‘ନାକ୍ଟିଙ୍ଗେଲ୍’ ବୋଲି ଡାକନ୍ତି ।
ସ୍କୁଲର ସବୁଠାରୁ ପ୍ରସିଦ୍ଧ ମାଷ୍ଟ୍ର ଥିଲେ ଖେଳଶିକ୍ଷକ ବ୍ରଜ ବାବୁ । ତାଙ୍କ ଯୋଗୁଁ ବାରିପଦାରେ ଫୁଟବଲ ଖେଳ ଲୋକପ୍ରିୟ ହୋଇପାରିଥିଲା ଓ ରାଜ୍ୟର ଏକ ଶକ୍ତିଶାଳୀ ଦଳ ଭାବରେ ଗଢ଼ି ହୋଇପାରିଥିଲା । ସେ ପିଲାଙ୍କୁ ନିୟମିତ ଖେଳ ଶିଖାନ୍ତି, ସେମାନଙ୍କୁ ନେଇ ଡ୍ରିଲ କରାନ୍ତି । ଆଉ ସ୍କୁଲ ବେଳେ ପିଲାଙ୍କଠୁଁ ରହସ୍ୟ ଉପନ୍ୟାସ ସଙ୍ଗ୍ରହ କରିନେଇ ବସି ପଢ଼ନ୍ତି । ସବୁବେଳେ ପିଲାଙ୍କୁ ଶିଖାନ୍ତି ଫାଉଲ ଖେଳ ନଖେଳିବା ପାଇଁ । ପିଲାଏ ଖେଳିବାକୁ ଗଲେ ଶିକ୍ଷକଙ୍କର ପଦରଜ ସଙ୍ଗ୍ରହ କରିନେଇ ଯାଆନ୍ତି ।
ସ୍କୁଲର ଅଫିସ ଆଗରେ ଥିଲା ଗୋଟାଏ ଅତିକାୟ ନାଗେଶ୍ୱର ଗଛ । ହତା ଭିତରେ ହେଡ଼ମାଷ୍ଟ୍ରଙ୍କର ରହିବା ନିମନ୍ତେ ବସାର ବ୍ୟବସ୍ଥା ହୋଇଥାଏ । ବସା ଭିତରେ ଗୋଟିଏ ଅଗଣା । ଅଗଣା ଭିତରେ ଯାଉଁଳି ଆମ୍ବ-ବେଲ ଗଛ । ସେହି ଆମ୍ବର ଛାଇରେ ଖରାଦିନେ ମଶାରି ପାରି ଶୋଇବାର ବ୍ୟବସ୍ଥା ହୁଏ ।
ସହକାର ଛାଇ ତଳର ଜୀବନ ବେଶୀ ଦିନ ତିଷ୍ଠି ରହିଲା ନାହିଁ । ସେଠି ରହୁଥିଲା ବେଳେ ନାନାଦି ଆମୋଦ ସହ ସୌରୀନ୍ଦ୍ର ବାବୁଙ୍କର ବନ୍ଧୁହାନି ମଧ୍ୟ ହେଲା । ଶେଷକୁ ବାରିପଦା ହାଇସ୍କୁଲୁରୁ ମାଟ୍ରିକ ପାସ କରି ଏମ୍. ପି. ସି. କଲେଜରେ ନାମ ଲେଖାଇଲେ । ହେଲେ ତାହା ଅନ୍ୟ ଏକ କାହାଣୀ ।
ବି.ଦ୍ର. ଏହି ଲେଖାଟି ସୌରୀନ୍ଦ୍ର ବାରିକଙ୍କର ଆତ୍ମଜୀବନୀ ‘ବାଟ ଚାଲୁ ଚାଲୁ’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ଶ୍ରୀ ବାରିକଙ୍କର ଅବର୍ତ୍ତମାନରେ ୨୩ ଫେବୃଆରୀ ୨୦୧୮ରେ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ସୃଜନଙ୍କ ଦ୍ୱାରା ପ୍ରକାଶିତ ।
![]() | |
Aragonite Crystal - Los Molinillos, Cuenca, Spain (Size 4×3.6×3.5 cm, weight 100 g) https://commons.wikimedia.org/JJ Harrison |
![]() |
ୟୁକ୍ରେନ୍ ଦେଶର ବାଲି ଏଣ୍ଡୁଅ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/Сергій Мірошник |
![]() |
ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ ସୁଦୀପ ପ୍ରମାଣିକ |
ଅଠର ବର୍ଷ ବୟସରେ ଗୋଦାବରୀଶ ନିଜର ଜାତକକୁ ଚିରି ଫୋପାଡ଼ି ଦେଇଥିଲେ । ଏଣୁ ତାଙ୍କୁ କେବେବି ନିଜର ପ୍ରକୃତ ବୟସ ଜଣା ନଥିଲା । ହେଲେ ଆନୁମାନିକ ହିସାବରେ ତାଙ୍କର ଜନ୍ମ ୧୮୮୬ ମସିହାରେ, ସେବେର ଓଡ଼ିଶା ଡିଭିଜନର ସୀମାନ୍ତ ବାଣପୁର ଅଞ୍ଚଳରେ । ଯେପରି ଜନ୍ମର ସମୟ ବିଷୟରେ ଧାରଣାର ସ୍ଥିରତା ନଥିଲା, ସେହିପରି ତାଙ୍କର ନାମର ଭିତ୍ତିଟି ମଧ୍ୟ ଥିଲା ଦୋଦୁଲ୍ୟମାନ ।
୧୮୮୪ କି ୧୮୮୫ ସାଲରେ ଗୋଟିଏ ଗୋଦାବରୀ ସ୍ନାନ ଯୋଗ ପଡ଼ିଥିଲା । ତାହାରି ଅନୁସାରେ ବାପାମା' ତାଙ୍କ ନାମ ରଖିଥିଲେ ଗୋଦାବରୀ । ଏଇଟି ଯେ ଗୋଟିଏ ନଦୀର ନାମ ନଦର ନୁହେଁ, ତାହା ତାଙ୍କୁ ଜଣା ନଥିଲା ବୋଧହୁଏ । ପରେ ସ୍କୁଲରେ ପଢ଼ିଲା ବେଳେ ପରିଦର୍ଶନ ପାଇଁ ଗୋଦାବରୀଙ୍କ ବିଦ୍ୟାଳୟକୁ ଥରେ ଆସିଥାଆନ୍ତି ମଧୁସୂଦନ ରାଓ । ସେ ହିଁ ଗୋଦାବରୀ ନାମଟିକୁ ବଦଳାଇ ଗୋଦାବରୀଶ କଲେ ।
ବ୍ରାହ୍ମଣ ହେଲେ ହେଁ ଗୋଦାବରୀଶଙ୍କ ବାପା ବଡ଼ ପଣ୍ଡିତ ନଥିଲେ । ହେଲେ ଜଣେ ୠଷିପ୍ରତିମ ଲୋକ ଭାବରେ ସେ ଖଣ୍ଡମଣ୍ଡଳରେ ଜଣାଶୁଣା ଥିଲେ । ଶାସ୍ତ୍ରରେ ବର୍ଣ୍ଣିତ ଅପରିଗ୍ରହର ଆଦର୍ଶକୁ ଗ୍ରହଣ କରି, ସେ ଆଜିର କମେଇକୁ କାଲିକୁ ରଖୁ ନଥିଲେ । ନୁଖୁରା ମୁଣ୍ଡରେ ଜଟା, ଦିହରେ ମୁଣ୍ଡରେ ତେଲ ବାଜେନା । ଜାମାଯୋଡ଼ ବୋଇଲେ ଧୋଇଶୁଖେଇ ପିନ୍ଧୁଥିବା ଖଣ୍ଡେ ଗେରୁଆ ଲୁଗା ।
ସେ ବଗଳାମୁଖୀ ମନ୍ତ୍ରରେ ଲୋକଙ୍କୁ ଝାଡ଼ି ତାଙ୍କର ଜର ଓ ବସନ୍ତ ଆଦି ବ୍ୟାଧି ଭଲ କରୁଥିଲେ । ଗୋଦାବରୀଶଙ୍କ ପରିବାରରେ ବାପାଙ୍କ ଛଡ଼ା ଥିଲେ ମା ଓ ଅନ୍ଧୁଣୀ ଜେଜିମା । ଯେତେବେଳେ ଗୋଦାବରୀଶଙ୍କୁ ଦଶ ବରଷ ବୟସ, ଆଉ ଗୋଟିଏ ଛୋଟ ଝିଅଟିଏ ଯୋଡ଼ି ହେଲେ ପରିବାରରେ ।
ଘରେ ଏଣେ ସମ୍ପତ୍ତିବାଡ଼ି ବୋଇଲେ ଅଢ଼େଇ ଏକର ଚାଷ ଜମି । ଏଣୁ ସବୁବେଳେ ଟାଣଟୁଣ ଅବସ୍ଥା । ଅନେକ ଦିନ ଚୁଲି ଜଳେନା । ତାହାରି ଭିତରେ ଦିନେଦିନେ ହଠାତ ବାପା କୌଣସି ଗ୍ରାମାଗତ ଅଭାବୀ ଦୂରଦେଶୀଙ୍କୁ ଘରକୁ ଖାଇବା ପାଇଁ ଡାକି ଆଣନ୍ତି । ସେଦିନ ଚୁଲି ଜଳିଥିଲେ ସୁଦ୍ଧା ଘରଲୋକଙ୍କୁ ଅର୍ଦ୍ଧାହାର ବା ଅନାହାର ରେ ରହିବାକୁ ହୁଏ ।
ଗାଈ ଖିର ଦେଉଥିଲେ, ଦୁହାଁ ହୋଇସାରିଲା ପରେ ଖିର ଟିକକ ଗୋଦାବରୀ ପିଅନ୍ତି । ଭାତ ରନ୍ଧା ହେଲେ ତାହା ଉପରେ ପ୍ରାୟତଃ ବାପ ପୁଅ ଙ୍କର ନାଁ ଲେଖାଥାଏ । ଗୋଦାବରୀଙ୍କ ବୋଉ ଓ ଜେଜିମାଆ ପ୍ରାୟତଃ ଭାତର ପେଜ ଓ ମାଣ୍ଡିଆ ଜାଉ ଖାଆନ୍ତି । ଘରର ମହିଳାମାନଙ୍କ ଭାଗ୍ୟରେ ଅନ୍ନଭୋଜନ କରିବାର ଭାଗ୍ୟ କେବଳ ଉତ୍ସବଅନୁଷ୍ଠାନର ଦିନମାନଙ୍କରେ ଘଟେ ।
ତାଙ୍କ ନିଜ କହିବା ଅନୁସାରେ ଗୋଦାବରୀଶ ପିଲାବେଳେ ଭଲ ପଢ଼ାପଢ଼ି କରୁ ନଥିଲେ । ଏଣୁ ଶିକ୍ଷକଙ୍କଠାରୁ ଅନେକ ମାଡ଼ ମଧ୍ୟ ଖାଉଥିଲେ । ଅବଧାନଙ୍କ ପାଖରେ ବସିଲା ବେଳେ ଗୋଦାବରୀଶ ବହି ଧରି ବେଶି ସମୟ ଧ୍ୟାନ ଦେଇପାରନ୍ତି ନାହିଁ । ଶିକ୍ଷକଙ୍କ ମୁହଁରୁ ଯାହା ଶୁଣନ୍ତି, ସେଇତକ ହିଁ କେବଳ ଯାହା ମନେ ରହେ ।
ପିଲାଦିନର ଅବଧାନ ଥିଲେ ଗିରିଧାରୀ ମହାନ୍ତି । କଡ଼ା ମାଷ୍ଟର । ବେତ ବ୍ୟବହାର କରିବାରେ କୋତେଇ ନାଇଁ । ହେଲେ ଏଣେ ନଦୀରେ ପାଣି ବେଶି ଥିଲେ କାନ୍ଧରେ ବସେଇ ପାର କରାଇ ଦିଅନ୍ତି । ଖରାଦିନେ ବାଟର ବାଲି ଅଧିକ ତାତି ଗଲେ ଗୋଦାବରୀଙ୍କୁ ପିଠିରେ ଲାଉ କରି ନିଅନ୍ତି ।
ସ୍କୁଲଶିକ୍ଷା ସରିବା ପର୍ଯ୍ୟନ୍ତ ବି ତିନୋଟି ‘ସ’ ଓ ଦୁଇଟି ‘ଇ’ ବିଷୟରେ ଗୋଦାବରୀଶଙ୍କ ଜ୍ଞାନ ଥିଲା ଶଙ୍କାକୁଳ । ହେଲେ ତଥାପି ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଥିଲେ । ଯଦିଓ ଏଇ ପରୀକ୍ଷାରେ ସେ ‘କେଉଟ’ର ସ୍ତ୍ରୀଲିଙ୍ଗ ‘କେଉଟୀ’ ବୋଲି ଲେଖିଥିଲେ । ସେ ପାଠ ପଢ଼ିଲା ବେଳେ, ନିମ୍ନପ୍ରାଥମିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ତଥା ଉଚ୍ଚପ୍ରାଥମିକ ପରୀକ୍ଷା କିଛି ଅଂଶରେ ମୌଖିକ ଭାବରେ ଅନୁଷ୍ଠିତ ହେଉଥିଲା ।
ସେତେବେଳେ ମଧ୍ୟ-ଓଡ଼ିଆ ଓ ମଧ୍ୟ-ଇଂରାଜୀ, ଏହିପରି ଦୁଇଟି ପ୍ରକାରର ମାଧ୍ୟମିକ ବିଦ୍ୟାଳୟ ଚାଲୁଥିଲା । ମଧ୍ୟ-ଓଡ଼ିଆ ପରୀକ୍ଷା ବେଳକୁ ପ୍ରଶ୍ନ ଓ ଉତ୍ତର ଯୋଡ଼ିକ ଯାକ ହୋଇଯାଇଥିଲା ଲିଖିତ । ମଧ୍ୟ-ଓଡ଼ିଆ ପରୀକ୍ଷାରେ କିନ୍ତୁ ଗୋଦାବରୀ ଦ୍ୱିତୀୟ ଶ୍ରେଣୀ ପାଇଲେ ।
ଯେଉଁ ବର୍ଷ ଗୋଦାବରୀ ମଧ୍ୟ-ଓଡ଼ିଆ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ସେବେଠୁଁ ହିଁ ବାଣପୁର ମଧ୍ୟ-ଓଡ଼ିଆ ବିଦ୍ୟାଳୟରେ ଇଂରେଜୀ ପଢ଼ା ଆରମ୍ଭ ହେଲା । ବାପାଙ୍କର ଇଚ୍ଛା ଥିଲା ଗୋଦାବରୀ ଇଂରେଜୀ ପାଠ ପଢ଼ି ଓକିଲ ହେବେ ଓ ପୁରୀ ସହରରେ ଓକିଲାତି କରିବେ । ସେ ସମୟରେ ଅବଶ୍ୟ ବାଣପୁରରେ ଇଂରାଜୀ ପାଠୁଆଙ୍କ ସଙ୍ଖ୍ୟା ବେଶି ନଥିଲା ।
ପୁରୀରେ ହରିହର ମିଶ୍ରେ ଥିଲେ ଏକମାତ୍ର ଓଡ଼ିଆ ଓକିଲ । ଆଉ ସେ ପର୍ଯ୍ୟନ୍ତ ପୂରା ବାଣପୁରରେ କେବଳ ଜଣେ ଲୋକ ଏଣ୍ଟ୍ରାନ୍ସ୍ (ଏବର ମାଟ୍ରିକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଖୋରଧା କଚେରିରେ କିରାଣୀ କାମ କରୁଥାଆନ୍ତି; ତ ତାଙ୍କର ଖାତିର କାହିଁରେ କଅଣ । ହେଲେ ଦରିଦ୍ର ବାମୁଣ ପୁଅଟି ପାଇଁ ସେତେବେଳେ ଏଣ୍ଟ୍ରାନ୍ସ ପାଇଁ ପଢ଼ା ଥିଲା, ଆକାଶ କଇଁଛ ଚିଲିକା ମାଛ ।
ବି.ଦ୍ର. - ଏହି ଲେଖାଟି ନିମନ୍ତେ ଉପାଦାନ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରୁ ନିଆଯାଇଛି । ବ୍ୟବହୃତ ସଂସ୍କରଣଟି ହେଲା କଟକସ୍ଥ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିର ପ୍ରକାଶ କରିଥିବା ୨୦୦୧ ମସିହାର ପରିମାର୍ଜିତ ଦଶମ ସଂସ୍କରଣର ୨୦୧୪ ସାଲରେ ପୁନର୍ମୁଦ୍ରିତ ଏକ ପ୍ରତି । ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।
ବାଳ ବର୍ଗ ୭ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଇଣ୍ଡୋନେସିଆ ଦେଶର ବୋରବୋଦୁର ସ୍ତୁପ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ ଓଡ...