Wednesday, June 29, 2022

ଥିବା ଓ ହେବା ଭିତରେ ତଫାତ୍

ସୁଜାତା ଭଟ୍ଟ

ଅନୁବାଦ - ଶୈଲେନ ରାଉତରାୟ


ୟୁକ୍ରେନ୍‌ ଦେଶର ବାଲି ଏଣ୍ଡୁଅ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/Сергій Мірошник

ଶରୀର ଭିତରେ ଆତ୍ମା କେଉଁଠି ରହେ ?
ଆଟୁରେ କଏଦୀ ହୋଇ,
କାଚରେ ନିଜର ଡେଣା ଫଡ଼ଫଡ଼ କରି ?
ନା ।
ସେ ଦୁଆର, ଝରକା ତ ସବୁବେଳେ ଫରଚା । 

ପିଲାଦିନେ, ଆମେ ସବୁବେଳେ ବାହାରେ ରହୁଥିଲୁ ।
କୃଷ୍ଣ କପାସ ମୃତ୍ତିକାରେ ଆବଦ୍ଧ,
କଳା ପଥରର ବାମ୍ଫି । 
ଆଉ ତା' ଭିତରେ ଚିକ୍କଣ ଆରିସିର ପ୍ରତିବିମ୍ବ ?

ଜାମୁ ରସ ପରି
ସୁଆଦିଆ ପାଣି ପାଖକୁ 
ଲମ୍ବି ଯାଇଥିବା ବୁଢ଼ି ଅସୁରୁଣୀର ଲୋମଶ ଗୋଡ଼ ପରି ପାହାଚ ।
କହୁଣୀ ପର୍ଯ୍ୟନ୍ତ ପାଣି;
ମୋ ଜାମାରୁ ନିଗିଡ଼ୁ ଥିବା ଶୋଷର କାହାଣୀ । 

ତା' ପରେ ଦୁର୍ଗାର ନିମ ଗଛ ପର୍ଯ୍ୟନ୍ତ ଅଝଟ ଦୌଡ଼ ।
ଶୁଖିଲା, ଗୁମସୁମ୍ ପତ୍ର,
ଚେତେରେଇ ହୋଇ ପଡ଼ିଥିବା କୋଳି ।
ଜିଭ ତଳେ ପିତାଳିଆ ମିଠା ସୁଆଦର ବାସ୍ନା । 

କିଛି ଦୂରରେ କାଳିସୀ ଲାଗିଲା ପରି ନାଚୁଥିବା 
ଲାଲ ମନ୍ଦାରର ଫୁଲ ।

ଟୀକା - ଏହି ଅନୁବାଦଟି ପ୍ରଥମେ ୨୦୧୪ ମସିହାରେ 'ଅନ୍ୟା' ପତ୍ରିକାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟିର ଲେଖିକା ସୁଜାତା ଭଟ୍ଟ ୧୯୫୬ ମସିହାରେ ଅହମେଦାବାଦରେ ଜନ୍ମିତ ଜଣେ ଇଂରାଜୀ ଭାଷାରେ ଲେଖୁଥିବା କବି । ତାଙ୍କର ପିଲାଦିନ ପୁନେ ସହରରେ ବିତିଥିଲା । ୧୯୬୮ ମସିହାରେ ନିଜ ପରିବାର ସହ ସେ ଯୁକ୍ତରାଜ୍ୟ ଆମେରିକାକୁ ଚାଲିଗଲେ । କମନ୍‌ୱେଲ୍‌ଥ୍ କବିତା ପୁରସ୍କାର ପ୍ରାପ୍ତ ଏହି କବିଙ୍କର 'ବ୍ରୁନିଜେମ୍,' 'ପଏଣ୍ଟ୍ ନୋ ପଏଣ୍ଟ୍,' 'ଏ ଡିଫରେଣ୍ଟ୍ ହିଷ୍ଟ୍ରି' ଆଦି କାବ୍ୟ ଗ୍ରନ୍ଥ ଲୋକାଦୃତ ହୋଇଛି । 

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....