ସମ୍ବଲପୁରରେ ୱାଲଡେନ୍ - ୩
ଜୟନ୍ତ ମହାପାତ୍ରଙ୍କ ସହ ଶୈଲେନ ରାଉତରାୟଙ୍କର ଏକ ବାର୍ତ୍ତାଳାପ
୧୯୧୧ରେ ଉତ୍ତୋଳିତ ସେ ସମୟର କଟକର କମିଶନରେଟ୍ ହାଉସ୍ର ଫଟୋ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ପ୍ରଶ୍ନ – ଆପଣଙ୍କ ପ୍ରଥମ ଇଂରାଜୀ ବହି ଦୁଇଟି, ‘କ୍ଲୋଜ୍ ଦି ସ୍କାଏ ଟେନ୍ ବାଏ ଟେନ୍’
ତଥା ‘ସ୍ୱୟମ୍ବର୍ ଆଣ୍ଡ ଅଦର୍ ପୋଏମ୍ସ୍’ ୧୯୭୧ରେ ଛପା ହେଇଥିଲା । ଆପଣ ପ୍ରଥମେ ଇଂରାଜୀରେ କବିତା ଲେଖିବା ଆରମ୍ଭ କଲେ ତାହାର ପାଞ୍ଚ ବର୍ଷ ପୂର୍ବେ । ଆପଣଙ୍କର ପ୍ରଥମ ଓଡ଼ିଆ କବିତା ବହି ‘ବଳି’ ଛପା ହେଲା ୧୯୯୩ ମସିହାରେ, ଅର୍ଥାତ୍ ତାହାର ୨୨ ବର୍ଷ ପରେ । ଆପଣ ପ୍ରଥମେ କେବେ ଓଡ଼ିଆ କବିତା ଲେଖିବାକୁ ଓ ଛପାଇବାକୁ ଆରମ୍ଭ କଲେ ? ପ୍ରଥମେ କେଉଁଠି ଲେଖିଲେ । ଯେତେବେଳେ ଓଡ଼ିଆରେ ଲେଖିଲେ, କେଉଁକେଉଁ ପତ୍ରିକାକୁ ଲେଖା ପଠାଉଥିଲେ ?
ଜୟନ୍ତ ମହାପାତ୍ର
– ସେତେବେଳେ ହିଁ ମୁଁ ଆରମ୍ଭ କଲି, ୧୯୯୩ ବେଳକୁ । ଆଗରୁ ଓଡ଼ିଆରେ କେବେ ଲେଖି ନ ଥିଲି । ଭାବି ନଥିଲି କେବେ ଓଡ଼ିଆରେ ଲେଖିବି ବୋଲି, ଯେତେବେଳେ ଇଂରାଜୀରେ ଲେଖୁଥିଲି । କାରଣ ସବୁ କବିମାନେ ଓଡ଼ିଆରେ ଲେଖି କରି ଇଂରାଜୀକୁ ଯାଆନ୍ତି । ମୁଁ ଜାଣିନି କାହିଁକି । ଓଡି଼ଆରେ
କବିତା ଲେଖିବାକୁ ଆରମ୍ଭ କଲା ପରେ ଏଇ ସ୍ଥାନୀୟ ପତ୍ରିକାମାନଙ୍କୁ ପଠାଇବାକୁ ଆରମ୍ଭ କଲି, 'ଝଙ୍କାର' ଆଦି । ସେତେବେଳେ ତ ବହୁତ ପତ୍ରିକା ଥିଲା ।
ପ୍ରଶ୍ନ – ବିଦ୍ୟାପୁରୀର ପିତାମ୍ବର ମିଶ୍ର ଆପଣଙ୍କର ପ୍ରାୟତଃ
ଓଡ଼ିଆ ବହି ଛପେଇଚନ୍ତି । କିନ୍ତୁ ଆପଣଙ୍କର ଇଂରାଜୀ ବହିଗୁଡ଼ିକ ଭିନ୍ନ ଭିନ୍ନ ଜାଗାରେ ଛପା ହେଇଚି । ପିତାମ୍ବର ମିଶ୍ରଙ୍କ ସହ ଆପଣଙ୍କ ସମ୍ପର୍କ ବିଷୟରେ ଆପଣ ଆମକୁ ଟିକେ କହିବେ ? ପ୍ରଥମେ କେମିତି ଭେଟ ହେଲେ ? କେମିତି ଜାଣିଲେ ?
ଜୟନ୍ତ ମହାପାତ୍ର – ପ୍ରଥମେ ମୁଁ ତ ଲେଖୁଥିଲି । ଛପା ହେଲାଠୁ ଭାବିଲି ବହି ଗୋଟେ କରିବି । ସୁଲୋଚନା ବୋଲି ମୋର ଜଣେ ଭଲ ସାଙ୍ଗ ଥିଲେ । ଆମେ ଏକାଠି ପଢ଼େଇଥିଲୁ । ସୁଲୋଚନାଙ୍କର ତାଙ୍କ ସହ ଚିହ୍ନାପରିଚୟ ଥିଲା । ମୁଁ ମୋର ପାଣ୍ଡୁଲିପି ଧରି ତାଙ୍କ ସହ
ପିତାମ୍ବର ମିଶ୍ରଙ୍କ ପାଖକୁ ଗଲି । ସେ କହିଲେ ଛାପିବେ ବୋଲି । ବାସ୍ ସେତିକି । ମୁଁ ତାଙ୍କୁ ତାହା ଆଗରୁ ଜାଣି ନ ଥିଲି ।
ପ୍ରଶ୍ନ – ଆପଣଙ୍କ ଆତ୍ମଜୀବନୀ ‘ଭୋର୍ ମୋତିର କାନଫୁଲ’ରେ ଆପଣ ଅଗଷ୍ଟ କ୍ରାନ୍ତି ସମୟର ଶୋଭାଯାତ୍ରା, ସେହି ସମୟରେ ପୋଲିସ ଅତ୍ୟାଚାର ଆଉ ତାହାର ତିନି ବର୍ଷ ପରେ ହୀରୋସିମାରେ ପରମାଣୁ ବୋମା ମାଡ଼ ହେବା ବିଷୟରେ ବର୍ଣ୍ଣନା କରିଚନ୍ତି । ସେଇଟା ବୋଧେ ବାହ୍ୟଜଗତ ବିଷୟରେ ଆପଣଙ୍କର ପ୍ରଥମ ବର୍ଣ୍ଣନା । ଏବେ ଯଦି ଆପଣ ଭାବିବେ, ସେଇଟା ଆପଣଙ୍କର ବାହ୍ୟ ଜଗତ ବିଷୟରେ ସଚେତନ ହେବାର ପ୍ରଥମ ଘଟଣା ନା ସେ ବିଷୟରେ ଆପଣଙ୍କର ଆଉ କିଛି ସ୍ମୃତି ଅଛି ? ୧୯୪୨ ମସିହା ବେଳକୁ ଆପଣଙ୍କୁ ତେର ବର୍ଷ ହୋଇଥିବ ?
୨୦୧୨ରେ ଉତ୍ତୋଳିତ କଟକର ଗୋଟିଏ ଗୁପଚୁପ ଦୋକାନ (ୱିକିମିଡିଆ କମନ୍ସ୍) |
ଜୟନ୍ତ ମହାପାତ୍ର
– ଆମ ଘରକୁ ବାପା ‘ଷ୍ଟେଟ୍ସ୍ମ୍ୟାନ୍’ ଖବରକାଗଜ ଆଣୁଥିଲେ । ବାପା ଇଂରାଜୀରେ ବିଏ ପାସ୍ କରି ଗୋଟେ ସବ୍ଇନ୍ସ୍ପ୍ପେକ୍ଟର୍ ଅଫ୍ ସ୍କୁଲ୍ସ୍ ଥିଲେ । ମତେ ପଢ଼ଉଥିଲେ ଷ୍ଟିୱାର୍ଟ ୟୁରୋପିଆନ୍ ସ୍କୁଲରେ । ଆଉ ସେଇ ଯୋଗୁ ସିଏ ଷ୍ଟେଟ୍ସ୍ମ୍ୟାନ୍ ଆଣନ୍ତି । ଆଉ ମୁଁ ଷ୍ଟେଟ୍ସ୍ମ୍ୟାନ୍ ଦେଖେ । ଆଉ ସେଉଠୁ ମୁଁ ଦେଶଦୁନିଆ ବିଷୟରେ ଟିକେ ଜାଣିଲି । କଅଣ କଅଣ ହଉଚି, କଅଣ ନାଇଁ, ମୁଁ ସେ ବିଷୟରେ ଜାଣିବାକୁ ଆଗ୍ରହୀ
ଥିଲି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଷୟରେ ଜାଣିବାର ଇଚ୍ଛା ଥିଲା । ମୋର ହିଟଲର୍ ପ୍ରତି କେମିତି
ଗୋଟେ ଆକର୍ଷଣ ଥିଲା । ଭାରତରେ ବ୍ରିଟିଶ ଶାସନ ଚାଲିଥିଲା । ଆମେ ଚାହୁଁଥିଲୁ ସେମାନେ ଭାରତ
ଛାଡ଼ି ଚାଲି ଯାଆନ୍ତୁ । ଏଣୁ ବ୍ରିଟିଶ ସାମ୍ରାଜ୍ୟର ଯିଏ ଶତୃ, ସେ ଥିଲା ମୋର ବନ୍ଧୁ । ମୁଁ ସେତେବେଳେ
ସେୟା ଭାବୁଥିଲି ।
ପ୍ରଶ୍ନ – ଏବେ ସାର୍ବଜନୀନ ଜୀବନରୁ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ଜୀବନ ଆଡ଼କୁ ଆସିବା । ଆପଣ ଅନ୍ଧାରକୁ ବହୁତ ଭଲ ପାଆନ୍ତି । ଅଶି ନବେ ବର୍ଷ ପୂର୍ବର କଟକର ସଞ୍ଜର ଅନେକ ତରଳ ବର୍ଣ୍ଣନା ଆପଣଙ୍କ ଆତ୍ମଜୀବନୀରେ ଅଛି । ଅଛି ଚିତ୍ର ମଧ୍ୟ ସମ୍ବଲପୁରର ରାତିର । ହେଲେ ଆପଣଙ୍କର ଅନ୍ଧାର ପ୍ରତି ଡର ଥିବାର ବି ଅନେକ ଜାଗାରେ ଉଲ୍ଲେଖ କରଛନ୍ତି । ଏବେ ଅନ୍ଧାର ସହିତ ଆପଣଙ୍କର ସମ୍ପର୍କ କଅଣ ।
ଜୟନ୍ତ ମହାପାତ୍ର – ଭଲ ପାଏ ବୋଲି କେମିତି କହିବ ? ଅନ୍ଧାର ହଉଚି ଆମ ଦୁନିଆର ଏକ ଅଂଶ, ଆମ ଜୀବନର ଏକ ଭାଗ । ମୁଁ ତାକୁ ସେମିତି
ଦେଖେ । ଏବେ ବି ଅନ୍ଧାର ପ୍ରତି ପିଲା ଦିନେ ଯ।ହା ସମ୍ପର୍କ ଥିଲା, ସେମିତି ଟିକେ ଟିକେ ଅଛି ।
ପିଲାବେଳେ ଆମେ ଯେଉଁ ଘରେ ଥିଲୁ, ସେ ଘରଟା ସାହିର ଗୋଟାଏ ଶେଷରେ । ଆଉ ତା’ ଚାରି ପାଖେ ବଡ଼ବଡ଼ ଦେବଦାରୁ ଗଛଗୁଡ଼ାଏ ଥାଏ । ସେତେବେଳେ ବିଜୁଳିବତୀ ଆମର ନଥିଲା । ଦେବଦାରୁ ଗଛର ଡାଳ ଦେଇ ଚିତ୍କାର
କରୁଥିବା ପବନ ଓ ବାଦୁଡ଼ିମାନଙ୍କର ହଇଚଇ ମୋ ପାଖକୁ ଅଜଣା ଭୟସବୁକୁ ବୁହାଇ ଆଣୁଥିଲା । ପଢ଼ା
ଘରେ ରାତିର ଅନ୍ଧାରରେ ପଢ଼ିବାକୁ ବସିଥିବା ବେଳେ କିରାସିନି ବତୀର ଛାଇ ମୋର ଏବେ ବି ମନେ ଅଛି ।
ଏ ସବୁ କିଛି ମୋ' ଭିତରେ ଏମିତି ଭୟ ଭରିଦେଲା ଯେ, ତାହା ଭିତରୁ ମୋତେ ବାହାରିବାକୁ ବହୁତ ସମୟ
ଲାଗିଗଲା । ଏବେ ତ ସବୁଠି ବିଜୁଳି ଆଲୁଅ ହାଉଯାଉ । ଅନ୍ଧାର ଯେ ଜୀବନର ଅଂଶ, ତାହା ସ୍ୱୀକାର କରିବା ହିଁ ମୋତ ସେଇ
ଭୟରୁ ମୁକ୍ତି ପାଇବାର ଶକ୍ତି ଦେଲା । କିନ୍ତୁ ଅନ୍ଧାର ଏବେ ବି ମୋ
କବିତାର ଏକ ପ୍ରିୟ ରୂପକ; ଅଜଣା ଯେଉଁଟା, ଅନ୍ୟାୟ ଯେଉଁଟା, ସେଇଟାକୁ ମୁଁ ଅନ୍ଧାର ପରି ଦେଖି ଆସିଚି ।
ପ୍ରଶ୍ନ – ଓଡ଼ିଆ କାବ୍ୟଜଗତ ବୋଲି ନୁହେଁ, ଭାରତୀୟ କାବ୍ୟଜଗତରେ ବି ଯଦି ଆପଣ ଦେଖିବେ, ବୋଧେହୁଏ ପର୍ସିଆନ୍ କବିତାରୁ କି କେଉଁଠି ଆସିଛି କି ନାହିଁ ଜଣା ନାହିଁ ମୋତେ, ଶହର୍ ଓ ଶହ୍ରା ଭିତରେ ଗୋଟେ ବିରାଟ ବଡ଼ ତଫାତ ଅଛି । ଯେଉଁଠି ସହର ହେଲା ସବୁ
ବିନିର୍ମିତ ଜିନିଷର ଘର । ଆଉ ପ୍ରକୃତି ତେଣୁ ସହରରୁ ପୂରା ବାହାରେ । ଏଣୁ ଆମେ ଆମ ସାହିତ୍ୟରେ
ସହର ଓ ପ୍ରକୃତିକୁ ଏକାଠି ପ୍ରାୟ ଦେଖି ପାରୁନା । କିନ୍ତୁ ଆପଣ ଯେତେବେଳେ ନିଜ ଆତ୍ମଜୀବନୀରେ ସମ୍ବଲପୁର ବିଷୟରେ କହୁଚନ୍ତି, କିମ୍ବା କଟକ ସମ୍ପର୍କରେ କହୁଚନ୍ତି - ଏଇ କଟକର ଗଛ, ଲତା, ପୋଖରି, ସକାଳ, ସନ୍ଧ୍ୟା, ପକ୍ଷୀ ଆଦି - ପ୍ରକୃତି ଆପଣଙ୍କର ସହରର ଅନୁଭୂତିର ବର୍ଣ୍ଣନାର ଗୋଟେ ବିରାଟ ବଡ଼ ଅଂଶ । ତାହା ଆପଣଙ୍କ କବିତା
ବିଷୟରେ ମଧ୍ୟ ସତ୍ୟ । ଆପଣଙ୍କର ଏଇ ସହରୀ ପ୍ରକୃତି ସହିତ (ଯଦି ସେପରି ଆମେ କହି ପାରିବା) ସମ୍ପର୍କ ବିଷୟରେ ଆପଣ କିଛି କୁହନ୍ତୁ ।
ଜୟନ୍ତ ମହାପାତ୍ର – ଦେଖୁନା ମୁଁ ମୋ' ଘରକୁ କେମିତି କରି ପକେଇଚି । ବାଉଁଶ ଗଛ ଲଗେଇଚି ମୁଁ । ଆଉରି ଏବେ ଗଛ କାଟି ଦେଲି କାରଣ ସରୋଜିନୀର ଘର କରିବା ପାଇଁ ଜାଗା କରିବାକୁ ଟିକେ ଗଛ କାଟି ଦେଇଚି । ସାହାଡ଼ା ଗଛ, ପିଜୁଳି ଗଛ, ଆମ୍ବ ଗଛ... - କିଛି ଆମ୍ବ ଗଛ ମହାବାତ୍ୟାରେ ଯାଇ ଥିଲା; ଆଉ କିଛି ଥିଲା ଯାହା ଏଇ ବାତ୍ୟାରେ ଚାଲି ଗଲା । ଆଉ ମୁଁ ଜାଣିନି, ଗାଁ ପ୍ରତି ମୋର ବହୁତ ନିବିଡ଼ ସମ୍ପର୍କ ରହିଚି । ସେଇଟାକୁ କେବେ ବାଦ ଦେଇକି ମୁଁ ବଞ୍ଚି ପାରିବିନି । ଘର ପାଖରେ ମୋର ଅଳିଆମଳିଆ ହେଇକି ପତର, ଗଛ - ସବୁ ଆସିବ, ଆସିଯାଏ ଭିତରକୁ । ବର୍ଷା ଯେତେବେଳେ ହୁଏ, କାଲି ଯେତେବେଳେ ଝଡ଼ ହେଲା, ମୁଁ କବାଟ, ଖିଡ଼ିକି ସବୁ ମେଲେଇ ଦେଲି । ମୁଁ ଚାହିଁଲି କି ପବନ, ଘଡ଼ଘଡ଼ି, ବିଜୁଳି ଭିତରକୁ ଆସୁ; ଯେ ଧୂଳି ବି ଭିତରକୁ ଆସୁ । ମୋତେ କଟକର
ଧୂଳି ମନ୍ଦ ଲାଗେନା । ମୋତେ କଟକର ବଞ୍ଚିବାର ଛଟକ ମନ୍ଦ ଲାଗେନା । ହେଲେ ଯେବେ ସବୁ କିଛିକୁ
ଶୀଘ୍ର ବଦଳି ଯିବାର ଦେଖେ, ମୋତେ ବହୁତ ଖରାପ ଲାଗେ । ଗଛ ସବୁ ଚାଲିଗଲା । ନଦୀ ଦୁଇଟା ପାଖରେ ଅଛି । ଏକଦମ ବନ୍ଧ ତଳକୁ ପାଣି ଥିଲା । କାଠଯୋଡ଼ି ବି ସେଇଆ ଥିଲା, ମହାନଦୀ ବି ସେଇଆ ଥିଲା । ମୁଁ ଷାଠିଏ, ସତୁରି ବର୍ଷ ତଳର କଥା କହୁଚି । ଏତିକି
ଭାବିଲା ବେଳକୁ ଛାତିରେ କେମିତି ଗୋଟେ ଚାଉଁ କିନା ଲାଗେ । ଏମିତି ବଞ୍ଚି ହୁଏନା । ମୋତେ ତ ଏବେ
ଲାଗୁଚି, ମୁଁ ଯେମିତି ଗୋଟେ ପୂରା ଅଲଗା
ପରିବେଶରେ ବଞ୍ଚୁଚି ।
୨୦୧୧ ମସିହାରେ କଟକର ଗୋରାକବର (ୱିକିମିଡିଆ କମନ୍ସ୍) |
ମୁଁ ପାଟନାରେ କଲେଜରେ ଯେତେବେଳେ ପଢ଼ିଲି, ବିହାରରେ, ସାଙ୍ଗମାନେ କହନ୍ତି, ‘କଅଣରେ ତୁ ଓଡ଼ିଆ । ମଗଧର ରାଜା କେମିତି ଯାଇକି ତୁମମାନଙ୍କୁ ଧ୍ୱଂସ କରିଦେଲେ ।’ ମୋ ମନ ସେତେବେଳେ ଭାରି ଦବି ଯାଉଥିଲା । ସେ ଯୋଗୁ ମୁଁ
ଅଶୋକଙ୍କୁ କେବେବ କ୍ଷମା ଦେଇ ପାରିନି । କ୍ଷମା
ଦେଇ ପାରିନି ମୋ ଭୂଇଁର ଲକ୍ଷେ ଲୋକଙ୍କର ହତ୍ୟା ପାଇଁ । ଏ ଭୂଇଁ ମୋର ବୋଲି ମୁଁ ଭାବେ। ଏଣୁ
ଅଶୋକଙ୍କୁ କ୍ଷମା ଦେବା ସମ୍ଭବ ନୁହେଁ । ଯେତେବେଳେ ଟ୍ରେନ୍ରେ ମୁଁ ପାଟନାରୁ
କଟକ ଆସେ ଛୁଟିରେ, ଯେତେବେଳେ ବାଲେଶ୍ୱର ପାଖାପାଖି ହେବ, ଓଡ଼ିଆ ଭାଷା ଶୁଭିବ । ତମ ଛାତି ଭିତର କଅଣ ହେଇଯାଏ । ଏତେ ଖୁସି ଲାଗେ କି ନିଜ ଘରକୁ ଫେରିଚ
ବୋଲି । ସେଇ ଯୋଗୁ ଓଡ଼ିଶା ପ୍ରତି ମୋର ବେଶି ମମତା ଅଛି । ମୁଁ ଯେତେବେଳେ ପିଲା ଥିଲି ଓଡ଼ିଆ କେବେ ମୋର ନଥିଲା । ଖାଲି ଭାଷା ଯାହା କିଛି କହୁଥିଲି ଘରେ । ନ ହେଲେ ମୋର କିଛି ନ ଥିଲା ଓଡ଼ିଶାର । ସେଇଥି ପାଇଁ ଯେଉଁ ପ୍ରଜାପତିକୁ ମୁଁ
ପିଲାବେଳେ ଧରି ରଖି ପାରିଲିନି, ତାକୁ ପରେ ଆବୋରି ବସିବାକୁ ଚେଷ୍ଟା କଲି ।
ପ୍ରଶ୍ନ - ୱାଲଡେନ୍ ଆପଣଙ୍କର ଗୋଟେ ବହୁତ ପ୍ରିୟ ବହି ବୋଲି ଆପଣ ଠାଏ ଲେଖିଚନ୍ତି । ଆପଣ ସମ୍ବଲପୁରରେ ତାହାକୁ ପ୍ରଥମେ ପଢ଼ିଲେ । ଆପଣଙ୍କ କବିତାରେ ତ ପ୍ରକୃତିକୁ ନେଇ ଗୋଟେ ବିରାଟ ବଡ଼ ଧାରା ଅଛି । କେତେ ଆଲୋଚନା ହେଇଚି ମୁଁ ଜାଣିନି । ବୋଧ ହୁଏ ହୋଇ ନାହିଁ । ଆପଣଙ୍କୁ ଜଣେ ପ୍ରକୃତି କବି ଭାବରେ
ମଧ୍ୟ ଗଣାଯାଇପାରିବ । କିନ୍ତୁ ଆପଣ ସଚେତନ ଭାବରେ ଯେତେବେଳେ କବିତା ଲେଖିବା ଆରମ୍ଭ କଲେ, ସେବେ କଅଣ ପ୍ରକୃତି ବିଷୟକ କବିତା କିଛି
ପଢ଼ୁଥିଲେ ?
ଜୟନ୍ତ ମହାପାତ୍ର – ନା । ହେଲେ ମୋର ଏହି ଭୂଇଁଟି ପାଇଁ ଯଥାର୍ଥ ଅନୁରକ୍ତି ଅଛି । ଏଇ ଦୁଇ ବର୍ଷ ତଳେ ମୁଁ ଛଅ ଶହ କିଲୋମିଟର ଯାଇ କୋରାପୁଟ ବୁଲାବୁଲି କରିକି ଆଇଲି । ଏବେ ଫୁଲବାଣୀ ଯାଇକି ବୁଲି ଆଇଲି । ଜଙ୍ଗଲ, ଜଳପ୍ରପାତ, ଆଦିବାସୀ ଗାଆଁ, ମୋତେ ତାଙ୍କ ସହ ଯାଇଁ କଥା ହେଇ ଭଲ ଲାଗେ । ଏବେ ଦୁଇ ମାସ ତଳେ, ଅମୀୟରଞ୍ଜନ ମହାପାତ୍ର, ମୁଁ, ସୁବୋଧ ନାୟକ, ଅମରେଶ ପଟ୍ଟନାୟକ, ଆମେ ସବୁ ଏକାଠି ଏଇ ବାରଙ୍ଗ ଜଙ୍ଗଲକୁ ଯାଇ ଭିତରେ ପଶି ଆଦିବାସୀ ଗାଆଁରେ ବୁଲାବୁଲି କରିକି ଆଇଲୁ । ମୁଁ ଜାଣିନି ମୋତେ କାହିଁକି ଏ ସବୁ ଭଲ ଲାଗେ । ତାହାର କାରଣ ମୁଁ ଖୋଜି ବାହାର କରିବା
ସମ୍ଭବ ନୁହେଁ ।...
ବି.ଦ୍ର. - ଏହି ସାକ୍ଷାତକାରଟି ୨୦୧୯ ମସିହାର ମଧ୍ୟ ଭାଗରେ ନିଆଯାଇଥିଲା । ଇଂରାଜୀରେ ଏହାର କିୟଦଂଶ 'ଦି ହିନ୍ଦୁ' ଖବରକାଗଜର ଏକ ରବିବାସରୀୟ ଅଙ୍କରେ ତଥା ସମ୍ପୂର୍ଣ୍ଣ ଓଡ଼ିଆ ରୂପଟି ସାହିତ୍ୟ ପତ୍ରିକା 'ପଶ୍ଚିମା'ର ୨୦୧୯ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇସାରିଚି । ସାକ୍ଷାତକାରଟିର ସର୍ବସତ୍ତ୍ୱ ଜୟନ୍ତ ମହାପାତ୍ର ଓ ଶୈଲେନ ରାଉତରାୟଙ୍କ ପାଖରେ ସଂରକ୍ଷିତ ।
No comments:
Post a Comment