ସମ୍ବଲପୁରରେ ୱାଲଡେନ୍ - ୪
ଜୟନ୍ତ ମହାପାତ୍ରଙ୍କ ସହ ଶୈଲେନ ରାଉତରାୟଙ୍କର ଏକ ବାର୍ତ୍ତାଳାପ
କଟକ ବାଲିଯାତ୍ରାର ଏକ ଷ୍ଟଲ୍ (ୱିକିମିଡିଆ କମନ୍ସ୍) |
ପ୍ରଶ୍ନ – ଆଗା
ଶାହିଦ ଅଲି ଏବଂ ଆପଣ ଦୁଇଚି ପ୍ରଜନ୍ମର ଲୋକ; ଦୁଇଟି ପ୍ରଜନ୍ମର କବି ମଧ୍ୟ । କିନ୍ତୁ
ଆପଣଙ୍କର ଓ ଶାହିଦ ଅଲିଙ୍କର କବିତା ମୋତେ ଅନେକ ଦୃଷ୍ଟିରୁ ଗୋଟିଏ କାବ୍ୟ ପରମ୍ପରାର ଅଂଶ ଭଳି
ଲାଗେ । ତାଙ୍କର ଧାଡ଼ିର ଛନ୍ଦ, ଅନ୍ଦାଜେ-ବୟାଁ, ସମ୍ପୂର୍ଣ୍ଣ ଭାବରେ ଉର୍ଦ୍ଦୁର; ଯଦିଓ ସେ ଇଂରାଜୀରେ ଲେଖିଛନ୍ତି । ଯଦି ତାଙ୍କର
କିଛି ଧାଡ଼ି ଆପଣଙ୍କୁ ଖଟକୁଚି ଆଉ ତାହାକୁ ଆପଣ ସାଙ୍ଗେସାଙ୍ଗେ ଉର୍ଦ୍ଦୁରେ ମନ ଭିତରେ ଅନୁବାଦ
କରିଦେବେ, ତାହା ହେଲେ ଆପଣ ଜାଣିଯିବେ ଯେ, ସେ କଅଣ ଓ କିପରି କହିବାକୁ ଚେଷ୍ଟା
କରୁଚନ୍ତି । ଆପଣଙ୍କ କବିତାର ବହୁତ ପରିମାଣରେ ଧାଡ଼ି ସେଇଆ । ଆପଣଙ୍କର ଭାଷା ଇଂରାଜୀ କିନ୍ତୁ ବାକ୍ଛନ୍ଦ
ଓଡ଼ିଆର । ଭାରତ ଭାଇ [ଓଡ଼ିଆ କବି ଭାରତ ମାଝୀ] ଯେତେବେଳେ ଅନୁବାଦ କଲେ ଆପଣଙ୍କର ‘ରିଲେଶନ୍ସିପ୍’କୁ, ସିଏ ଅନେକ ପରିଶ୍ରମ ସେବେ କରିଛନ୍ତି । କିନ୍ତୁ, ସେଇଟା ଏକ ଅସମ୍ଭବ ବ୍ୟାପାର ନୁହେଁ । ଧରନ୍ତୁ ଏ.କେ. ରାମାନୁଜନ୍ଙ୍କୁ କନ୍ନଡ଼ରେ ଭାଷାନ୍ତରିତ କଲେ ଅନୁବାଦକଙ୍କୁ ଜଳଦ୍ଘର୍ମ
ହେବାକୁ ପଡ଼ିବ । ସେଇଟା କରିବା ଏତେ ସହଜ ନୁହେଁ । ମୁଁ ଜାଣିନି ଲୋକେ କାହିଁକି ଆପଣଙ୍କ
କବିତାକୁ ବେଶି ଓଡ଼ିଆ କରି ନାହାନ୍ତି; କିନ୍ତୁ ତାଙ୍କୁ ଏତେ କଷ୍ଟ ହେବା କଥା
ନୁହେଁ । ଯେମିତି ଆଗା ଶାହିଦ ଅଲିଙ୍କର କବିତାକୁ
ଉର୍ଦ୍ଦୁ କରିବାଟା ଅପେକ୍ଷାକୃତ ଭାବରେ ସହଜ । ଆପଣଙ୍କୁ ଆଗା ଶାହିଦ ଅଲି କବି ହିସାବରେ କେମିତି
ଲାଗନ୍ତି ? ସେ ତ ଆରପାରିକୁ ଗଲେଣି ।
ଜୟନ୍ତ ମହାପାତ୍ର – ଦେଖ । ମୋର ଆଉ ଆଗା ଶାହିଦ ଅଲି ଦୁଇ
ଜଣଙ୍କର କବିତା ୧୯୬୮ ମସିହାରେ କଲିକତାରୁ ବାହାରୁ ଥିବା ‘ଲିଭେଣ୍ଟ୍’ ବୋଲି ଗୋଟେ ପତ୍ରିକାରେ
ବାହାରିଥିଲା । ମୁଁ ଯେତିକି ତାଙ୍କର କବିତା ପଢ଼ିଚି ମୋତେ ଭଲ ଲାଗିଚି ।
ପ୍ରଶ୍ନ - ସେତ ଆମେରିକାରେ ରହି ଇଂରାଜୀରେ
ଲେଖୁଥିଲେ । କିନ୍ତୁ ଭାରତରେ ଇଂରାଜୀ କବିତା ଲେଖିବାର ପରମ୍ପରାରେ ପ୍ରାୟତଃ, ଆଉ ଗୋଟିଏ ଭାରତୀୟ ଭାଷା ନ ଜାଣିକି କିମ୍ବା ସେଥିରେ କାମ କରିବାକୁ ନ ଚାହିଁକି, ଇଂରାଜୀରେ କବିତା ଲେଖିବା, ଏପରି ହେଉ ନ ଥିଲା । ଏକ ଦୃଷ୍ଟିରୁ ସବୁ
ଭାରତୀୟ ଇଂରାଜୀ କବି ଆଗରୁ ପ୍ରାୟତଃ ଦ୍ୱିଭାଷୀ ଥିଲେ । କିନ୍ତୁ ଏବେ ସେ ଦ୍ୱିଭାଷୀତାଟା ତ
କମିକମି ଚାଲିଚି । ଭାରତରେ ଇଂରାଜୀ କବିମାନଙ୍କ ଭିତରେ ଏଇ କମିଯାଉଥିବା ଦ୍ୱିଭାଷିତାର ପରିଣାମ
କଅଣ ?
ଜୟନ୍ତ ମହାପାତ୍ର – ତୁମକୁ ଲାଗୁଛି ତାହା କମୁଚି ବୋଲି ? ମୋତେ ସେମିତି
ଲାଗୁନି ଶୈଲେନ । ମୋତେ ଯାହା ବୁଝା ପଡ଼ୁନି, ତାହା ହେଲା, ଯଦି ଜଣଙ୍କ ନିଜ
ମାତୃଭାଷାରେ ବ୍ୟୁତ୍ପୁତି ଅଛି, ତାହେଲେ ସେ
ଇଂରାଜୀରେ କବିତା ଲେଖିବାକୁ ଯିବ କାହିଁକି । ନିଜ ଭାଷା କବିତା ଲେଖିବା ପାଇଁ ସବୁଠୁ ଭଲ ।
ସେଇଟା ହିଁ କଥା । ହେଲେ ଏବେ ଲୋକେ କାହିଁକି ଯେ ଅନ୍ୟଥା କରୁଚନ୍ତି, ଜଣାନାହିଁ । ନା
। ଏ ବିଷୟରେ ମୁଁ ତମ ସହ ରାଜି ନୁହେଁ, ଯେ ଦ୍ୱିଭାଷୀତା
କମୁଚି । ଏବେ ବି କିଛି ଲୋକେ ଦୁଇଟି ଭାଷାର ବ୍ୟବହାର କରୁଚନ୍ତି । ଆଉ ଆଗରୁ ଯେ ଅନେକ
ଦ୍ୱିଭାଷୀ କବି ଥିଲେ, ତାହା ବି ନୁହେଁ ।
କଟକସ୍ଥ ନୌବାଣିଜ୍ୟ ସଙ୍ଗ୍ରହାଳୟ (ୱିକିମିଡିଆ କମନ୍ସ୍) |
ପ୍ରଶ୍ନ – କଟକର ମାରୁଆଡ଼ି ପଟିର କଚୁଡ଼ି, ସମ୍ବଲପୁରର ଟାଉନ ହୋଟେଲର ବିରି ବରା, ବାଲେଶ୍ୱରର ଆଟମ୍ ବମ୍ ଆଳୁଚପ୍, ସୁକିନ୍ଦାର ଆଦିବାସୀ ଗାଁରେ ପୋଡ଼ା ବାର୍ହା ମାଂସ ଆଦି ବିଷୟରେ ଆପଣଙ୍କ ଆତ୍ମଜୀବନାରେ ବେଶ୍ ବର୍ଣ୍ଣନା ଅଛି । ଏଠିତ ଆପଣ ପଚାଶ ବର୍ଷରୁ ବେଶି ରହିଲେଣି ବୋଧହୁଏ । ଆପଣଙ୍କୁ କଅଣ ସବୁ
ଖାଇବାକୁ ଭଲ ଲାଗୁଥିଲା, ଯାହା ଆଗରୁ ମିଳୁଥିଲା, ହେଲେ ଆଖପାଖରେ ଆଉ ମିଳୁନାହିଁ ?
ଜୟନ୍ତ ମହାପାତ୍ର – ଏଇ ଯୋଉ ପର୍ବପର୍ବାଣୀ ହେରିକା ହୁଏ, ରଜ ହେଲା, ପିଠାପଣା, ଘାଣ୍ଟ ତରକାରି, ପିଠା, ୟାଡୁ ସିଆଡ଼ୁ ଆସିବ । ଆମ ସାଙ୍ଗମାନେ ଜାଣନ୍ତି । ଦୀପକ
ସାମନ୍ତରାୟ ଇତ୍ୟାଦି ମୋ ପାଇଁ ଦହିବରା ଆଳୁଦମ
ଆଣି ଦିଅନ୍ତି । ଆରିସା ପିଠା ଯୋଉ ବିକ୍ରି ହୁଏ, ବୋତଲରେ ଥୁଆ ହୋଇଥିବ, ମୋତେ ଭଲ ଲାଗେ । ବହୁତ ଜିନିଷ ତ
ସେମିତି ଆଉ ମିଳୁନି । ଖସା ଲଡ଼ୁ ଏମିତି ସବୁ ଆଗରୁ ମିଳେ । ଗୁଡ଼ ଦେଇକି ତା'କୁ କରନ୍ତି । ଆଉ
ମିଳୁନି । ଏଇ ଛୋଟ ଛୋଟ ବଏଲ୍ଡ଼୍ ସୁଇଟ୍ସ୍ । ମିଠେଇ ଯୋଉଟାକୁ କୁହନ୍ତି । ଲଜେଞ୍ଜେସ୍ । ମିଠା ନୁହେଁ । ମିଠେଇ । ବେଶି ମିଳୁନି ଆଉ
।
ପ୍ରଶ୍ନ - ଆପଣ ଯେତେବେଳେ କବିତା ଲେଖିବା ଆରମ୍ଭ
କଲେ, ସେତେବେଳେ ବମ୍ବେରେ ଗୋଟେ ମିଥ୍ୟା-ଶ୍ଳେଷାତ୍ମକ (ମକ୍-ଆଇରନିକାଲ୍) ସ୍ୱରରେ କବିତା ବେଶି ଲେଖା ହେଉଥିଲା । କିନ୍ତୁ ସେଇ ସମୟରେ ଲିଖିତ ଆପଣଙ୍କର କବିତାଗୁଡ଼ିକ
ଭାବସର୍ବସ୍ୱ, ଯଦିଓ ସେଥିରେ ଅନେକ ବୌଦ୍ଧିକ କାମ ମଧ୍ୟ ଅଛି । ଯଦି ଆପଣଙ୍କୁ
ଆମେ ଭାରତୀୟ ଇଂରାଜୀ କବିତାର ଗୋଟିଏ ପରମ୍ପରାର ଜନକ ହିସାବରେ ଦେଖିବା, ତାହାହେଲେ ଆଉ କାହାକାହାକୁ ସେହି ପରମ୍ପରାର ବାହକ ଭାବରେ ଆପଣ ଦେଖୁଛନ୍ତି ? ଯେଉଁମାନଙ୍କର କବିତା ଆତ୍ମସଚେତନ ଭାବରେ ବୁଦ୍ଧିବାଦୀ ନୁହେଁ, ବରଂ ଭାବପ୍ରଧାନ ।
ଜୟନ୍ତ ମହାପାତ୍ର – ଉତ୍ତରପୂର୍ବ ଭାରତରେ ଆଜିକାଲି ଅନେକ
ଲେଖା ହେଉଚି ସେମିତି । କିନ୍ଫାମ୍ [କିନ୍ଫାମ୍ ସିଂ ନଂକିନ୍ରିହ୍] ବୋଲି ମୋର ଗୋଟେ ସାଙ୍ଗ, ରବିନ୍ [ରବିନ୍ ଏସ୍. ନ୍ୟାଂନ୍ୟମ୍] ବୋଲି ମୋର ଆଉ ଗୋଟେ ସାଙ୍ଗ,
ନବନୀତା ବୋଲି ଗୋଟେ ଝିଅ, ଏମାନେ ବହୁତ ଭଲ ଲେଖୁଚନ୍ତି । ଆଉ ସେମାନେ ତାଙ୍କର ନିଜ ଯାଗା ବିଷୟରେ ଲେଖୁଚନ୍ତି ।
ତାଙ୍କର ଚେର ସେଇଠି ଅଛି । ତୁମେ ଯେବେ କବିତା ବିଷୟରେ କଥା ହୁଅ, କାବ୍ୟ ତୁମେ ବଞ୍ଚୁଥିବା ଜାଗାରୁ ହିଁ ବାହାରେ । ମୋର ଅନେକ ସୁଯୋଗ ଥିଲା ଆମେରିକାକୁ
ଯାଇଁ ଗୋଟେ ବିଳାସୀ ଜୀବନ ଯିଇଁବା ପାଇଁ । ହେଲେ ମୁଁ ତାହା କରି ପାରିଲିନି । କାହିଁକି ଜାଣେନା, ହେଲେ ମୋ ଦେଇ ତାହା ସମ୍ଭବ ହେଲାନି । ମୁଁ ଜାଣିନି
କଅଣ ପାଇଁ । କିନ୍ତୁ ମୋତେ କଟକରେ ବହୁତ ଭଲ ଲାଗେ । ସେହି ଯୋଗୁଁ ମୁଁ ଯାଇ କରି ଆଉ କେଉଁଠି
ରହି ପାରେନି । ଏଇଠି ରହିଛି । ବାସ୍ ସେତିକି ।
ବାଦାମବାଡ଼ି ବସଷ୍ଟାଣ୍ଡ (ୱିକିମିଡିଆ କମନ୍ସ୍) |
ଜୟନ୍ତ ମହାପାତ୍ର – ସେ ଯାଇ ଦିଲ୍ଲୀରେ ଓକିଲାତି କଲା । ସେ ବଢ଼ିଆ ଓକିଲ ଥିଲା ।
ତା’ର ଇଂରାଜୀ, ଦୃଷ୍ଟିଭଙ୍ଗୀ, ତର୍କ – ଏ ସବୁ ଚମତ୍କାର ଥିଲା । ମୁଁ ତାକୁ ମାମଲା ଲଢ଼ିବାର ଦେଖିଚି । ସେ ନିଜ କାମରେ
ବହୁତ ଭଲ ଥିଲା । ସେ ଦିଲ୍ଲୀ ଚାଲିଗଲା । ଅନେକ ଦିନ ପରେ ଫେରିଲା । ଫେରି ଆସି ଚନ୍ଦ୍ରଭାଗାକୁ
ଆଉ ଥରେ ଜୀବନ ଦେଲା । ମୋତେ କହିଲା, ‘ସାର୍, ଆମେ ଆଉ ଥରେ ଚନ୍ଦ୍ରଭାଗା ଆରମ୍ଭ କରିବା ।’ ପୁଣି ଥରେ କାମ ଜମି ଆସୁଥିଲା । ଆମେ
ଦୁଇଦୁଇଟା କବିତା ବୈଠକିର ଆୟୋଜନ କଲୁ । ଚନ୍ଦ୍ରଭାଗା ଆଉ ଥରେ ପୁଣି ଆରମ୍ଭ ହେଲା । ଫେରି
ଆସିବାର ବର୍ଷେ ହେଇଚି କି ନାହିଁ ସେ ହଠାତ୍ ଚାଲିଗଲା । ମୋ ପାଇଁ ସେଇଟା ଗୋଟେ ଭୟଙ୍କର ସମୟ
ଥିଲା । ପୁଅଟିଏ ଚାଲିଗଲା ଭଳି କଥା । ଆଠ ବର୍ଷ ହେଲାଣି ସେ ଯିବାର । ଦେବାନନ୍ଦର ମୋର ବହୁତ
ବୁଲାବୁଲି କରିଚୁ । ତା’ର ଯୋଉଠି କାମ ଥାଏ, ସେ ମୋତେ ନେଇ ଯାଏ । ମୁଁ କେତେ ଖୁସି
ଥିଲି, ସେ ଫେରି ଆସିଲା ପରେ । ଆଉ ତା’ ପରେ ମୁଁ ନିଜ ପୁଅକୁ ହରେଇଲି । ଏଇ ଦେଢ଼ ଦୁଇ ବର୍ଷ ତଳେ
।
ପ୍ରଶ୍ନ - କୋଲଟକରଙ୍କର କିଛି କବିତା ଅଛି ଉଭୟ ଇଂରାଜୀ ଓ ମରାଠୀରେ, ଯାହାକୁ ଦେଖି ଜାଣିବା କଷ୍ଟ କି କୋଉଟା ମୂଳ ଓ କେଉଁଟା ଅନୁବାଦ । ଆପଣଙ୍କର କିଛି କବିତାର ଯୋଡ଼ି ଅଛି ଇଂରାଜୀ ଓ ଓଡ଼ିଆରେ, ଯାହା ଭିତରର ସମ୍ପର୍କ ଅନୁବାଦର ସମ୍ପର୍କ ନୁହେଁ । ମୁଁ ଗୋଟିଏ ଉଦାହରଣ ଦେଉଛି । ଧରନ୍ତୁ ‘ବାୟାରାଜା’ ବହିରେ ‘ଆମ୍ବଗଛ’ ବୋଲି ଗୋଟିଏ କବିତା ଅଛି, ଆଉ ‘ଲାଏ ଅଫ୍ ଡନ୍ସ୍’ ବହିର ‘କୋଲାବରେଶନ୍’ କବିତାଟି । ଉଭୟ କବିତା ଗୋଟିଏ ହିଁ ଅନୁଭୂତିରୁ ସୃଷ୍ଟ । ହେଲେ କେଉଁଟା ବି ଅନ୍ୟଟିର ଅନୁବାଦ ନୁହଁ
।
ଜୟନ୍ତ ମହାପାତ୍ର
– ଉଭୟ ଇଂରାଜୀ ଓ ଓଡ଼ିଆ କବିତା ମୋ ନିଜର ଅନୁଭୂତିରୁ ହିଁ ଆସିଚନ୍ତି । ଯଦି ତୁମେ ମୋର ଇଂରାଜୀ
ଓ ଓଡ଼ିଆ କବିତାଗୁଡ଼ିକୁ ଏକାଠି ଧରି ରଖିବ, ତାହା ହେଲେ ମୋର
ଜୀବନର ଏକ ରୂପ ତିଆରି ହେଇଯିବ । ତୁମେ ଯେଉଁ କବିତା ଯୋଡ଼ିଟି କଥା କହିଲ, ତାଙ୍କର
ସମ୍ପର୍କଟି ବିଷୟରେ ତୁମେ କହିଲା ପରେ ହିଁ ଆଜି ଯାଇଁ ମୁଁ ସଚେତନ ହେଲି । ଯଦିଓ ଦୁଇଟି ଯାକ ଅଲଗା
ମଧ୍ୟ । ‘ଆମ୍ବଗଛ’ କବିତାଟି ସିଧା ମୋର ରକ୍ତମାଂସରୁ ଆସିଚି, ସେଇଟି ଟିକେ
ଅଧିକ ଅନ୍ତରଙ୍ଗ । କବିତାଟି ସିଧା ସେଇ ଜୟନ୍ତ ମହାପାତ୍ର - ଯିଏ ନିଜ
ବାପାଙ୍କ ସହିତ ଥିଲା ଆଉ ବାପା ପୁଅ ମିଶି ଗଛଟି ରୋଇଥିଲେ - ତାହାଠୁଁ ଆସିଚି
। ସେଇ ଅନ୍ତରଙ୍ଗତା ଇଂରାଜୀ କବିତା ‘କୋଲାବରେଶନ୍’ରେ ନାହିଁ । ସେଇଟି ଗୋଟେ ପୂରା ଅଲଗା
କବିତା । ତାହା ଉପରେ ମୁଁ ଇଂରାଜୀ ଭାଷାରେ ପଢ଼ିଥିବା ଅନେକ କବିତାର ପ୍ରଭାବ ମଧ୍ୟ ଅଛି ।
କିନ୍ତୁ ‘ଆମ୍ବଗଛ’ କବିତାଟି ଆସିଚି ସିଧା ମୋର ମାନସରୁ, ମୋର ଅନୁଭୂତିରୁ
। ସେଇଥିରୁ ବୋଧହୁଏ ଏଇ ଦୁଇଟି କବିତା ଭିତରେ ଥିବା ସମ୍ପର୍କର କିଛି ଖିଅ ମିଳିପାରେ ।
ପ୍ରଶ୍ନ – ଆପଣ
ବହୁତ ଅନୁବାଦ ବି କରିଛନ୍ତି । ନିଜେ କରିଥିବା ଅନୁବାଦଗୁଡ଼ିକ ଭିତରୁ କେଉଁଟି ଆପଣଙ୍କୁ ଭଲ
ଲାଗେ ?
ଜୟନ୍ତ ମହପାତ୍ର – ମୁଁ ରୁଦ୍ର ସୁଧାନିଧିର ଯେତେକ ଅଂଶ
ଅନୁବାଦ କରିଚି, ମୋତେ ଭଲ ଲାଗିଚି । ଜଣେ ସାଧୁ ଯେ ଏପରି ଗ୍ରନ୍ଥଟିଏ ଲେଖିବେ, ତାହା ଗୋଟେ ଆଶ୍ଚର୍ଯ୍ୟଜନକ ବିଷୟ । ଅବଶ୍ୟ ଏହା ଗୋଟିଏ କଠିନ ବହି ଆଉ ଅନେକ ଭାବରେ ମୋର
କ୍ଷମତାର ବାହାରେ ଥିଲା । ମୁଁ ଖୋଜିଲି ଯିଏ ମୋ ପାଇଁ ଟିକେ ସେ ବିଷୟରେ ବ୍ୟାଖ୍ୟା କରି ପାରିବେ
। କିନ୍ତୁ ମୁଁ ସେପରି କାହାକୁ ଖୋଜି ପାଇଲି ନାହିଁ ।
ବାରବାଟୀ ଦୁର୍ଗ (ୱିକିମିଡିଆ କମନ୍ସ୍) |
ପ୍ରଶ୍ନ – ମୁଁ କହିବି ମୋତେ କାହିଁକି ସେଇ ଟେକ୍ସ୍ଟ୍ ଟି ଭଲ
ଲାଗେ ? ଆପଣ ଯେମିତି କଟକିଆ ମୁଁ ସେମିତି ଭୁବନେଶ୍ୱରିଆ । ଯେତିକି ଦୂର
ଜଣା, ବହିଟିର ଲେଖକ ନାରାୟଣ ଅବଧୁତ ସ୍ୱାମୀ ଭୁବନେଶ୍ୱରର ଲୋକ ।
ଆପଣ ଯଦି ବଡ଼ ପାଟି କରି ସେ ବହିଟିକୁ ପଢ଼ିବେ, ଆପଣ ନ ବୁଝନ୍ତୁ ମଧ୍ୟ ତ ସେ ବାକ୍ୟଗଠନର
ଯାଦୁ ଆପଣଙ୍କ ଭିତରେ ଭେଦିବ । ଭାବନ୍ତୁ ଏଇଟା ଓଡ଼ିଆ ଭାଷାର ବୋଧହୁଏ ପ୍ରଥମ ଗଦ୍ୟ । ପଛକୁ ଫେରି ଚାହିଁ ଦେଖି ଶିଖିବା
ଲାଗି ତାଙ୍କ ପାଇଁ ବୋଧ ହୁଏ ପରମ୍ପରାଟିଏ ନ ଥିଲା ।
ଜୟନ୍ତ ମହପାତ୍ର - ହଁ ହଁ । ବୁଝିଲି । ବହୁତ ଭଲ । ପୂରା ଆଶ୍ଚର୍ଯ୍ୟଜନକ । ସେମିତି ବାକ୍ୟ ଲେଖିବା ଭାରି କଷ୍ଟ । ବହୁତ ପରିଶ୍ରମ
ପଡ଼େ ।
ପ୍ରଶ୍ନ – ଆପଣଙ୍କ ସମୟରେ ଆଉ ଏବେ ମଧ୍ୟ ଇଂରାଜୀରେ ଏତେ ଲୋକ
ଲେଖିବାକୁ ଚାହୁଁଚନ୍ତି । ବର୍ତ୍ତମାନ ଯିଏ ଲେଖୁଚି ଇଂରାଜୀରେ, ତାହା କବିତା ହେଉ କିମ୍ବା ଅନ୍ୟ କିଛି ବି ହେଉ, ଗପ ହେଉ, ନାଟକ ହେଉ, ଆଉ ଯ।ହା କିଛି ବି ହେଉ, ଇଂରାଜୀ ଭାଷାରେ ଏବେ ‘ଇଣ୍ଡିଆନ୍ ଲିଟେରେଚର୍’କୁ ଛାଡ଼ିଦେଲେ ପ୍ରିଣ୍ଟ୍ରେ ସାହିତ୍ୟ
ପତ୍ରିକା ଆଉ ପ୍ରାୟତଃ କିଛି ନାହିଁ । ଯଦି ଜଣେ ଲେଖିବ, ତାହାହେଲେ ଭାରତ ବାହାରକୁ ନ ପଠାଇ କିଛି ଉପାୟ ନାହିଁ । କିନ୍ତୁ ଠିକ୍ ସେଇ ସମୟରେ ଇଂରାଜୀ
ପ୍ରକାଶନରେ ଏକ ବିରାଟ ବିସ୍ଫୋରଣ ଘଟିଛି । ଏହା କିପରି ସମ୍ଭବ ? ଅନେକ ଇଂରାଜୀ ଖବରକାଗଜରେ ତ ଆଗରୁ ସାହିତ୍ୟ ପୃଷ୍ଠା କିଛି ଥିଲା । ସେତକ ବି ଆଉ ନାହିଁ । ଗତି ତ ଓଲଟା ଆଡ଼କୁ ।
ଜୟନ୍ତ ମହାପାତ୍ର – ମୁଁ ମଧ୍ୟ ଏହା ବୁଝି ପାରିନି ।
ଭାବିଚି ଅନେକ । କିନ୍ତୁ କିଛି କାରଣ ଖୋଜି ପାଇନି କି ଇଂରାଜୀରେ ସୃଜନଶୀଳ ସାହିତ୍ୟ ପାଇଁ
କାହିଁକି ଭଲ ଷ୍ଟାଣ୍ଡାର୍ଡ଼ ପତ୍ରିକା ଖଣ୍ଡିଏ ନାହିଁ । ‘ଟେଲିଗ୍ରାଫ୍’ର ସାହିତ୍ୟ ପୃଷ୍ଠା
ମୁଁ ସମ୍ପାଦନା କରୁଥିଲି କେତେ ବର୍ଷ ପାଇଁ । ସେଇଟା ଅନେକ ଭଲ ହେଉଥିଲା । ‘ସଣ୍ଡେ ଏଜ୍’ ଗୋଟେ
ଦିଲ୍ଲୀରୁ ବାହାରୁଥିଲା । ସେମାନେ କିଛି କବିତା ଛପାଉଥିଲେ । ଇଂରାଜୀ ଖବରକାଗଜମାନେ ସାହିତ୍ୟ
ପାଇଁ ଅତି କମ୍ରେ ମାସକୁ ପୃଷ୍ଠାଟିଏ ଦେବା କଥା
। ମୁଁ ଏଇଟା ଏ ପର୍ଯ୍ୟନ୍ତ ବୁଝି ପାରିନି କି, ଆମେ ଦିନକୁଦିନ ଇଂରାଜୀରେ ବେଶିରୁ ବେଶି ଲେଖି
ଚାଲିଚେ, ହେଲେ ସୃଜନଶୀଳ ସାହିତ୍ୟ ପାଇଁ ନିୟମିତ ପତ୍ରିକାଟିଏ ଚଲାଇ
ପାରୁନେ । ବୋଧହୁଏ ଆମର ଭଲ ସମ୍ପାଦକ ନାହାନ୍ତି, ଆଉ ସେଇଥି ପାଇଁ ଭଲ ପତ୍ରିକାଟିଏର ମଧ୍ୟ ଅଭାବ ରହୁଚି ।
ବି.ଦ୍ର. - ଏହି ସାକ୍ଷାତକାରଟି ୨୦୧୯ ମସିହାର ମଧ୍ୟ ଭାଗରେ ନିଆଯାଇଥିଲା । ଇଂରାଜୀରେ ଏହାର କିୟଦଂଶ 'ଦି ହିନ୍ଦୁ' ଖବରକାଗଜର ଏକ ରବିବାସରୀୟ ଅଙ୍କରେ ତଥା ସମ୍ପୂର୍ଣ୍ଣ ଓଡ଼ିଆ ରୂପଟି ସାହିତ୍ୟ ପତ୍ରିକା 'ପଶ୍ଚିମା'ର ୨୦୧୯ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇସାରିଚି । ଏଇ ଚତୁର୍ଥ ଭାଗ ସହ ସାକ୍ଷାତକାରଟି ଏହିଠାରେ ଶେଷ ହେଲା । ସାକ୍ଷାତକାରଟିର ସର୍ବସତ୍ତ୍ୱ ଜୟନ୍ତ ମହାପାତ୍ର ଓ ଶୈଲେନ ରାଉତରାୟଙ୍କ ପାଖରେ ସଂରକ୍ଷିତ ।
He is a legend. You are fortunate of being the interviewer.
ReplyDeleteIt was indeed a good fortune to spend some time in his company. Regards.
Delete