Tuesday, September 15, 2020

ମାଛ ମିଛ: କଟକରେ ମାଛ ଧରା

ଶୈଲେନ ରାଉତରାୟ 


୨୦୧୪ ମସିହାରେ କଟକଠାରେ ମହାନଦୀରେ ବନ୍ୟାର ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ରେଭେନ୍ସା କଲେଜେରୁ ଇଂରାଜୀ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସାରି, ସ୍ୱାଧୀନତା ସମୟରେ ଶ୍ରୀ ବସନ୍ତ ଶତପଥୀ ମୟୁରଭଞ୍ଜ ରାଜ୍ୟ ପାଇଁ କାମ କରୁଥିଲେ । ତାଙ୍କର ମୂଳ ଦାୟିତ୍ତ୍ୱ ଥିଲା ପବ୍ଲିସିଟି ଓ ସାମ୍ବାଦିକତା । ମାତ୍ର ଶେଷ ଗଡ଼ଜାତ ରାଜ୍ୟ ରୂପେ ମୟୁରଭଞ୍ଜ ୧୯୪୯ ମସିହା ଜାନୁଆରୀ ମାସରେ ଭାରତ ସହିତ ଓଡ଼ିଶା ରାଜ୍ୟର ଗୋଟିଏ ଜିଲ୍ଲା ଭାବରେ ମିଶିଗଲା । ଅନ୍ୟ ରାଜ କର୍ମଚାରୀମାନଙ୍କ ପରି ଶତପଥୀ ବାବୁ ମଧ୍ୟ ଓଡ଼ିଶା ସରକାରଙ୍କର ଜଣେ କର୍ମଚାରୀ ବନିଗଲେ । ଜଣେ ରାଜଭକ୍ତ କର୍ମଚାରୀ ଭାବରେ ରାଜ୍ୟ ଖାସ୍ ହେବାଟା ତାଙ୍କୁ ବାଧିଥିଲା । ମାତ୍ର ପେଟ ପୋଷିବା ପାଇଁ ଓଡ଼ିଶା ସରକାରଙ୍କ ଚାକିରୀ ଧରିଲେ । ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କର ପି.ଏ. ବା ବ୍ୟକ୍ତିଗତ ସହକାରୀ ହୋଇ ସେ ଓଡ଼ିଶା ସରକାରରେ ଯୋଗ ଦେଲେ ଓ ରାଜ୍ୟ ସଚିବାଳୟକୁ ବଦଳି ହେଲେ ।

ହେଲେ ‘ଛାମୁ ଯାହା ଦେଲେ ହରଷେ’ ନ୍ୟାୟରେ ଦରମା ମାସକୁ ୨୬୦ ରୁ ୧୬୦ ଟଙ୍କାକୁ ଖସିଗଲା । ଓଡିଶା ମୟୁରଭଞ୍ଜ ତୁଳନାରେ ବଡ଼ ରାଜ୍ୟ ତ ! ସଚିବାଳୟ ସେତେବେଳେ କଟକରେ ଥିଲା । ବାରିପଦାରୁ କଟକ ଚାରି ପୁଅ ଝିଅ, ବାର ବରଷର ସାନ ଭାଇ ଓ ପାଞ୍ଚଟି କୁକୁଡ଼ାର ବଡ଼ ପରିବାର ଧରି ଆସି ହନ୍ତସନ୍ତ ଶତପଥୀଏ ହେଲେ । ପିଲା ମାନଙ୍କୁ ନାନାଦି ରୋଗ ଧଇଲା । ନିଜର ଦୁର୍ଘଟଣା ହେଲା । ‘ରାମ ରାଉତ ଘରେ ଭାତ ନାହିଁ ପିଲା ବହୁତ’ ଅବସ୍ଥାରେ ଘର ଚଳେଇବା ପାଇଁ ସାନ ଭାଇ ଓ ବଡ଼ ଝିଅ କୁ ରଙ୍ଗିନ ଫୁଲ ତିଆରି ଓ ବିକ୍ରିର ବ୍ୟବସାୟ କରିବାକୁ ପଡ଼ିଲା ।

ମାଛ ତରକାରୀ ଘରେ ଦୁଇ ଓଳି ହୁଏ । ପରିବାରଟି ରହୁଥା’ନ୍ତି ମହାନଦୀ କୂଳରେ । ସନ୍ଧ୍ୟା ହେଲେ ସାନ ଭାଇକୁ ଧରି ବସନ୍ତ ବାବୁ ନଦୀ ଆଡ଼େ ମୁହାନ୍ତି ମାଛ ଧରିବା ପାଇଁ; ମାଛ ଧରି ଆଣିଲେ ଘରେ ତରକାରୀ ହେବ । ପ୍ରଥମେ ପ୍ରଥମେ ସୂତାରେ ଜିଆ ଗୁନ୍ଥି ବଡ଼ ଚିଙ୍ଗୁଡି ଧରୁଥିଲେ । ହେଲେ ବଡ଼ ଜାଲରେ ମାଛ ଧରିବାକୁ ଇଚ୍ଛା ହେଲା । ହେଲେ ଜାଲ ମିଳିବ ବା କାହୁଁ । ଗଛ କୋରଡ଼ରେ ଅନ୍ଦାଜରେ ହାତ ବୁଲାଉ ବୁଲାଉ ଅକସ୍ମାତ ପକ୍ଷୀ ଅଣ୍ଡା ପାଇଲା ପରି, ପଚାରୁ ପଚାରୁ ପାଖ କେଉଟ ସାହିରୁ ଶିଖା ଗୋଡ଼ିର ପୁରୁଣା ଜାଲଟିଏ ମାତ୍ର ଦୁଇ ଟଙ୍କାରେ ମିଳିଗଲା । କିଣିଲା ଦିନ ଭାଇ ସହିତ ରାତି ଆଠଟାରେ ଯାଇ ଠାକୁରଙ୍କ ନାଁ ନେଇ ଜାଲ ଫିଙ୍ଗୁ ଫିଙ୍ଗୁ ବସନ୍ତ ବାବୁଙ୍କ ଭାଗ୍ୟରେ କିଲିଖିଆ କଳାବାଉଁଶି ମାଛଟାଏ ପଡ଼ିଲା । ଦିନକରେ ଜାଲର ପଇସା ଉଠିଗଲା ।

ସେ ଜାଲରେ ଧରି କେତେ ମାଛ ଯେ ବସନ୍ତ ବାବୁ ଓ ତାଙ୍କର ପରିବାର ଖାଇଚନ୍ତି ତାହାର ଇଅତ୍ତା ନାହିଁ । ଠାଏ ମହାନଦୀରେ ଗୋଳିପାଣି ଖେଳିଲା । ପାଣି ମାଡ଼ିଲା କ୍ଷଣି ବଡ଼ ଚିଙ୍ଗୁଡି ଗୁଡ଼ାକ ବାଲି ଉପରେ ଚଙ୍ଗଚଙ୍ଗ ହୋଇ ହଇଚଇ ସୃଷ୍ଟି କଲେ । ବସନ୍ତ ବାବୁ ଆନନ୍ଦରେ ଦୁଇ କିଲ ପାଖାପାଖି ଚିଙ୍ଗୁଡ଼ି ଧରିଲେ । ପର ଦିନ ଭଜା ଚିଙ୍ଗୁଡ଼ି ନେଇ ସହକର୍ମୀମାନଙ୍କୁ ଖୁଆଇଲେ । ସେମାନେ ମନ ଆନନ୍ଦରେ ଚିଙ୍ଗୁଡ଼ିଗୁଡ଼ିକ ଖାଇ ସଫା କରିଦେଲେ ।

ମାଛ ଧରା ବସନ୍ତ ବାବୁଙ୍କ ପାଇଁ ଏକ ମହା ଆନନ୍ଦଦାୟକ ସଉକର ବିଷୟ ଥିଲା । ଥରେ ଖରାଦିନେ ସେ ମାଛ ଧରିବା ପାଇଁ ଜହ୍ନଭରା ରାତିରେ, ବାରଟା ବେଳେ, ଜାଲ ଧରି ବାହାରି ଗଲେ । ତା’ ପର ଦିନର ଚୁଲି ପାଇଁ ମାଛ ସେମିତି ବିଶେଷ କିଛି ଲୋଡ଼ା ନ ଥିଲା । ଗହିରିଆ ଜେଗାର ସ୍ଥିର ପାଣିରେ ଜାଲ ପାରି ଦେଇ ବାବୁ ଟାକି ଥାଆନ୍ତି । କିଛି ସମୟ ଜଗି ଜାଲକୁ ଉପରକୁ ଟେକିଲା ବେଳକୁ ଆଉ ସେକି ତଳୁ ଉଠେ । ଟାଣିଲା ବେଳକୁ ଜାଲ ଚିରିବାକୁ ଆରମ୍ଭ କଲା । ଅଗତ୍ୟା ଶତପଥୀ ଆଜ୍ଞା ଜାଲଟିକୁ ଭାସୁଥିବା ଏକ ବାଉଁଶ ବୋଝରେ ବାନ୍ଧି ଦେଇ ଘରକୁ ଉଜାଣି ବହିଲେ । ସକାଳେ ନଈକୁ ଲେଉଟି ଯାଇ ଜାଲକୁ ଦେଖିଲା ବେଳକୁ ତାହା ଯାଇଁ କେଉଁଠି ଅଖଜରେ ଲାଗିଛି । ଚାରି ଛଅ ଜଣ କଟକିଆ ଟୋକାଙ୍କ ସାହାଯ୍ୟରେ ଜାଲକୁ ଉଦ୍ଧାର କଲା ବେଳକୁ ବୋଧ ହୁଏ ପାପେରା ହୋଇଯାଇଥିବା ଜାଲଟି ଛିଣ୍ଡିଗଲା । ଉପରକୁ ଉଠି ଆସିଲା ଖାଲି ଲୁହାର ଜାଲ ଗୋଡ଼ି ।

ମାଛ, ମିଛ । 

ବି.ଦ୍ର. : ଏହି ଲେଖାଟି ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଆଲେଖ୍ୟଟିର ବିଷୟବସ୍ତୁ ଭୁବନେଶ୍ୱରସ୍ଥ ଶିକ୍ଷାସନ୍ଧାନ ସଂସ୍ଥା ୨୦୦୮ ମସିହାରେ ଛପାଇଥିବା ବସନ୍ତ କୁମାର ଶତପଥୀଙ୍କ ଦ୍ୱାରା ଲିଖିତ ଓ ସୁମନ୍ୟୁ ଶତପଥିଙ୍କ ଦ୍ୱାରା ସମ୍ପାଦିତ ଆତ୍ମଜୀବନୀ ‘ମନେ ପଡ଼େ’ ରୁ ଆହୃତ ।

6 comments:

  1. Replies
    1. ଲେଖାଟି ଆପଣଙ୍କୁ ଭଲ ଲାଗିଲା ଜାଣି ଧନ୍ୟ ହେଲି । ଯଦି ଏଯାଏଁ ବସନ୍ତ ବାବୁଙ୍କର ଆତ୍ମଜୀବନୀଟି ପଢ଼ିନାହାନ୍ତି ତାହା ହେଲେ ମୁଁ ଆପଣଙ୍କୁ ତାହା ଯଥାଶୀଘ୍ର ପଢ଼ିବା ପାଇଁ ଅନୁରୋଧ କରୁଚି । ପ୍ରଣାମ ।

      Delete
  2. Too good Sailen.. touching.. continue..

    ReplyDelete
    Replies
    1. ଧନ୍ୟବାଦ ଭାଇ । ପ୍ରଣାମ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....