ହୀରାନାନୀ ଉପାଖ୍ୟାନ
ଶୈଲେନ ରାଉତରାୟ
୨୦୧୭ ମସିହାରେ ଉତ୍ତୋଳିତ ଘୁମୁସର ରେଞ୍ଜ୍ର ବନବିହାରସ୍ଥ ଭଞ୍ଜନଗର ବନ୍ଧର ଦୃଶ୍ୟ |
ବିଂଶ ଶତାବ୍ଦୀର ଆରମ୍ଭର କଥା ଇଏ । ପ୍ରସିଦ୍ଧ ଲେଖିକା ସୀତାଦେବୀ ଖାଡ଼ଙ୍ଗା (୧୯୦୨–୧୯୮୩)ଙ୍କର ବାପ ଘର ଗଞ୍ଜାମ ଜିଲ୍ଲାର ଘୁମୁସର ତାଲୁକାର ଭଞ୍ଜନଗର ପାଖ ମନ୍ଦାର ବୋଲି ଗୋଟିଏ ଗାଁରେ । ବାପାଙ୍କ ନାମ ହରିହର ପଣ୍ଡା । ଜେଜେଙ୍କ ନାମ ବ୍ରଜସୁନ୍ଦର ପଣ୍ଡା । ବାପା ଗଞ୍ଜାମ ଜିଲ୍ଲାର ପ୍ରଥମ ଓଡ଼ିଆ ଓକିଲ ।
ବାପାଙ୍କର ଚାରୋଟି ଭଉଣୀ । ଗୋଟିଏ ବଡ଼ ଭଉଣୀଙ୍କର ନାଁ ହେଲା ହୀରା। ସେ ବୟସରେ ହରିହରଙ୍କ ଠାରୁ ପ୍ରାୟ ଦଶ ବରଷ ବଡ଼ । ବାହା ହୋଇଥିଲେ ଆସିକା ପାଖରେ ଗୋଟିଏ ଗାଁରେ – ଗାଁର ନାମ ନଳବଣ୍ଟା । ହୀରା ପିଉସୀଙ୍କର ସ୍ୱାମୀଙ୍କୁ ମାତ୍ର ବତିଶ ବର୍ଷ ହୋଇଥିବା ସମୟରେ ସେ ମୃତ୍ୟୁମୁଖରେ ପଡ଼ିଲେ । ପିଉସା ଗରୀବ ଧାନ ବେପାରୀ ଥିଲେ । ଆସିକା ଅଞ୍ଚଳରୁ ଧାନ ଦୁଇ ଶଗଡ଼ି କିଣି ଆଣି ବ୍ରହ୍ମପୁର ସହରରେ ବିକ୍ରୀବଟା କରନ୍ତି । ଶଗଡ଼ି ପିଛା ହେଇ ହେଇ ଟଙ୍କା ପାଞ୍ଚ ସାତ ଲାଭ ହେଉଥିବ ।
ଦିନେ ଏକ ସନ୍ଧ୍ୟାରେ ପିଉସା ନଳବଣ୍ଟାରୁ ଧାନ ଧରି ବାହାରନ୍ତି । ଗନ୍ତବ୍ୟ ସ୍ଥଳ ବ୍ରହ୍ମପୁରରେ ତାହା ପରଦିନ ସନ୍ଧ୍ୟାରେ ପହଞ୍ଚିବା କଥା । ରାସ୍ତାରେ ବ୍ରହ୍ମପୁର ପାଖରେ ଶଗଡ଼ ରଖି ପାଖ କୌଣସି ଏକ କୂଅରୁ ପାଣି ଆଣି ରୋଷେଇ କରି ଖାଆନ୍ତି । ସେଇଠାରୁ ହିଁ ହଇଜା ଆକ୍ରମଣ କରେ । ଶଗଡ଼ିଆମାନେ ସେଇ ଧାନ ଶଗଡ଼ ଉପରେ ଶବକୁ ଶୁଆଇ ଦେଇ ଆଣି ନଳବଣ୍ଟାରେ, ଘରେ, ଛାଡ଼ି ଦେଇଗଲେ ।
ହୀରା ପିଉସୀ କଞ୍ଚା ବୟସରେ ବିଧବା ହେଲେ । ସେତେବେଳେ କୋଳରେ ଥିଲେ ଦୁଇଟି ପୁଅ । ଦୁହେଁ ଯାକ ଭାରି ସୁନ୍ଦର । ସାନ ପୁଅର ନାଁ ବତ୍ସ । ସୀତାଦେବୀ ପିଲା ହୋଇଥିଲା ବେଳେ ସେ କଲେରାରେ ପାଞ୍ଚଛଅ ବର୍ଷ ବୟସରେ ଆରପାରିକୁ ଚାଲିଗଲା । ପିଉସୀଙ୍କର ବଡ଼ପୁଅଙ୍କର ନାଁ ଆକୁଳି । ଲମ୍ବା ଓ ପତଳା ଦେହ । ଲମ୍ବୁଆଳିଆ, ଗୋରା ମୁଁହ, ଚଉଡ଼ା କପାଳ, କଳାଘୁମର ଆଖି – ଦେଖିବାକୁ ଅତି ସୁନ୍ଦର । ହୀରା ପିଉସୀ କୁହନ୍ତି ଯେ, ପିଉସା ଅଧିକ ସୁନ୍ଦର ଥିଲେ । ସୀତାଦେବୀ ନିଜେ କୁହନ୍ତି ଯେ ହୀରାନାନୀ ମଧ୍ୟ ଦେଖିବାକୁ ଥିଲେ ଅତି ସୁନ୍ଦରୀ । ଏପରି ମା ଓ ବାପାଙ୍କର ସନ୍ତାନ ତ ସୁନ୍ଦର ହେବା ସ୍ୱାଭାବିକ ।
ସୀତାଦେବୀଙ୍କର ବାପା ହରିହର ପଣ୍ଡାଙ୍କର କାର୍ଯ୍ୟାବଳୀ ଯୋଗୁଁ ‘ମନ୍ଦାର ପଣ୍ଡା ଘର’ର ଖଣ୍ଡମଣ୍ଡଳରେ ନାଁଡାକ ଥିଲା । ଶ୍ରାଦ୍ଧ, ବ୍ରତଘର, ବାହାଘରରେ ହଜାର ହଜାର ବ୍ରାହ୍ମଣଙ୍କ ଭୋଜନ ହେଉଥିଲା । ମାତ୍ର ଏପରି ପ୍ରତିପତ୍ତିଶାଳୀ ପରିବାରର ଝିଅ ହୋଇ ମଧ୍ୟ ତାଙ୍କୁ ବାପ ଘରେ ଭରଣେ ଧାନ କିମ୍ବା ଟଙ୍କା ଶହେଟି ମଧ୍ୟ କେହି ଦେଉ ନଥିଲେ ।
ଶାଶୁଘରେ ଦେଢ଼ଶୁର ଓ ବଡ଼ ଯାଆ । ଦୁହେଁ ଧାନ ମୁଗ ବେପାର କରି ପେଟ ପୋଷନ୍ତି । ହୀରା ନାନୀ ଛଅ ମାସ ଶାଶୁ ଘରେ ରହିଲେ, ବରଷେ ଦୁଇ ବରଷ ଆସି ବାପଘରେ ମନ୍ଦାରରେ ରହନ୍ତି । ହୀରା ନାନୀ ଓ ତାଙ୍କର ଅନ୍ୟ ଭଉଣୀମାନଙ୍କୁ ତାଙ୍କ ବାପା ଗରୀବ ଘରମାନଙ୍କରେ ବିଭା ଦେଇଥିଲେ । ପିଉସାମାନେ ଆସି ଶଶୁର ଘରେ ରାନ୍ଧୁଣିଆ କାମ କରୁଥିଲେ ନହେଲେ ଚାଷକାମରେ ସାହାଯ୍ୟ କରୁଥିଲେ । ବହୁତ ହିନିମାନିଆ ଜୀବନ ଥିଲା ପିଉସୀ ଓ ପିଉସାମାନଙ୍କର ।
ଭାତ ଖଣ୍ଡିଏ ଖାଇବା ଆଶାରେ ହୀରା ମାଉସୀ ଆସି ବାପ ଘରେ ପଡ଼ି ଥାଆନ୍ତି । ହରିହର ଓ ସୀତା ଦେବୀ – ଭାଇ ଭଉଣୀ – କେବେ ଦୁଇ ପଦ କଥା ହେବାର ସୀତାଦେବୀ ଦେଖି ନାହାନ୍ତି । ଜଣକୁ ଅଧିକା ଖାଇବାକୁ ଦେବାକୁ ପଡ଼ିବ ବୋଲି ଘରେ ଅନେକ ବିରକ୍ତି । ଆକୁଳି ପ୍ରାୟ ନିଜ ଗାଁରୁ ବେପାର ଉଦ୍ଦେଶ୍ୟରେ ଯିବା ବାଟରେ ମାମୁଁଘର ଦେଇ ଯାଆନ୍ତି । ବାଟକୁ ତାଙ୍କ ମା ହୀରାଦେବୀ ଚାହିଁ ବସି ଥାଆନ୍ତି । ସୀତା ଦେବୀଙ୍କର ମାଆ ଆକୁଳି ସହିତ କଥାବାରତା କରନ୍ତି । ମାତ୍ର ଖାଇବା ସମୟରେ ଭଣଜା ଆସି ପହଞ୍ଚିଗଲେ ଅକଳିଆ ପରିସ୍ଥିତି ସୃଷ୍ଟି ହୁଏ ।
ପିଉସୀ ନାନୀ ରୋଷେଇ ଘର ଦୁଆର ପାଖକୁ ଯାଇ ପୁଅ ପାଇଁ ଭାତ ଡାଲି ଦିଓଟି ଲାଗି ନାନା ଆକୁତି ହୁଅନ୍ତି । ରୋଷେଇଘର ପାଖ ଗୋଟିଏ ଛୋଟ ମଳିକୁଟିଆ ଘରେ ହୀରା ନାନୀ ଓ ପରିବାରର ଅନ୍ୟାନ୍ୟ ମହିଳା ଅତିଥିମାନେ ରହନ୍ତି । ଘରଟାରେ ବାସନକୁସନ, ଶାଗଶବଜି, ଆମ୍ବୁଲ ଆଚାର ଇତ୍ୟାଦି ଭରତି । ହୀରା ନାନୀ ଆଦି ସେଇ ଅଣଚଉଡ଼ା ଗୋଦାମଘରଟିରେ ଜାକିଜୁକି ହୋଇ କରମ ସମ୍ଭାଳି ରହନ୍ତି ।
ବେଳେବେଳେ ଆକୁଳି ଆସନ୍ତି ସନ୍ଧ୍ୟାବେଳେ । ମା ହୀରାନାନୀ ଭାତ ଡାଲି ଦିଓଟି ବାଢ଼ି ଦେଲେ ରାନ୍ଧୁଣିଆ ଟୋକାଟି ଠାରୁ ନାନା ହୀନିମାନିଆ କଥା ଶୁଣିବାକୁ ପଡ଼େ । ଯେତେଥର ଆକୁଳି ମାମୁଁ ଘରକୁ ରନ୍ଧାବଢ଼ା ସମୟରେ ଆସନ୍ତି ସବୁବେଳେ ସେଇ ଏକା ପରିସ୍ଥିତି ସୃଷ୍ଟି ହୁଏ । ଶେଷକୁ ସିଏ ମଧ୍ୟ ନିଜ ବାପାଙ୍କ ପରି ଅକାଳରେ ହଇଜାରେ ଧାନ ଶଗଡ଼ ପାଖରେ ଚାଲିଗଲେ । ହେଲେ ଏ ସବୁ ସତ୍ତ୍ୱେ ହୀରାନାନୀ କେବେ ମଧ୍ୟ ନିଜ ଭାଇ ବିଷୟରେ ପଦେ ନିନ୍ଦା କରି କହିବାର ସୀତା ଦେବୀ ଶୁଣି ନ ଥିଲେ । ଏପରି ଥିଲା ସେ ସମୟରେ ଗରୀବ, ବିଧବା ବ୍ରାହ୍ମଣୀମାନଙ୍କର ଜୀବନ – ବାପଘର ଯେତେ ବଡ଼ଲୋକ ହୋଇଥାଆନ୍ତୁ ନା କାହିଁକି ।
ବି.ଦ୍ର. – ଏହି ଲେଖାଟିରେ ବ୍ୟବହୃତ ଉପାଦାନ ସୀତାଦେବୀ ଖାଡ଼ଙ୍ଗାଙ୍କର ଆତ୍ମଜୀବନୀ ‘ମୋର ଜୀବନ ସ୍ମୃତି’ର ଭୁବନେଶ୍ୱରସ୍ଥ ଲାର୍କ ବୁକ୍ସ୍ଙ୍କ ଦ୍ୱାରା ୨୦୦୨ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ଛପା ହୋଇଥିଲା । ଆଲେଖ୍ୟଟି ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
I love to read this type of story. Keep it up.
ReplyDeleteThanks for the feedback. I will try and share more such stories later as suggested by you. Regards.
DeleteGood story bhai
ReplyDeleteଧନ୍ୟବାଦ । ଆପଣଙ୍କୁ ଭଲ ଲାଗିଲା ଜାଣି ଯଥାସାମାନ୍ୟ ଲେଖକୀୟ ଶ୍ରମ ବୃଥା ଯାଇନାହିଁ ବୋଲି ଧରିନେବି । ପ୍ରଣାମ ।
DeleteThis is history for this generation. Our generation is atleast able to connect. But, to keep it alive for the next, people like you are required. Keep it up.
ReplyDeleteପ୍ରଣାମ । ଆମର ସାଧାରଣ ଜନଜୀବନର କଥା କହିବା ପାଇଁ ଅନେକ ଲୋକ ଆବଶ୍ୟକ । ମୋର ଅଳସୁଆମୀ ଯୋଗୁଁ ଯେତିକି ନିଜ ଦ୍ୱାରା ହେଇପାରନ୍ତା, ସେତକ ବି ହୋଇପାରୁନାହିଁ । ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ।
DeleteU bring in so close a picture so neatly Sailen.. It reads extremely lucid.. Stay blessed..
ReplyDeleteଧନ୍ୟବାଦ ଭାଇ । ସୀତାଦେବୀଙ୍କର ଆତ୍ମଜୀବନୀଟି ଅଧିକ ପାଠକୀୟ ଆଦୃତି ଓ ଆଲୋଚନା ଦରକାର କରେ ।
Delete