Wednesday, November 25, 2020

କମଳାକାନ୍ତ ମହାପାତ୍ରଙ୍କ ‘ଜନମରୁ ମରଣ’ ପଢ଼ିବାର ତିନୋଟି ଉପାୟ ଓ ତହିଁରୁ କିଛି ଶିକ୍ଷା

ଶୈଲେନ ରାଉତରାୟ

 

କମଳା ଭାଇଙ୍କ କଥା, ଆପଣ କେବେ ଶୁଣିବା କଥା ନୁହେଁ ଶୁଣିବେ ମାନେ ଫସିବେ ଫସିବେ ବୋଇଲେ ଭଲ କରି ଫସିବେ ଧରନ୍ତୁ ଆପଣଙ୍କର ଗୋଟିଏ ନୂଆ ଛପା କବିତାରେ କିରାସିନି ଷ୍ଟୋଭ୍ର କିଛି ବର୍ଣ୍ଣନା ଅଛି । ତାହାକୁ ଦେଖି ସେ କହିବେ, ‘ତମେ ଓଡ଼ିଶାର ଜନଜୀବନରେ କାଠଚୁଲିରୁ କିରାସିନି ଷ୍ଟୋଭ୍ ପରିବର୍ତ୍ତନର ସମାଜତନ୍ତ୍ର ଉପରେ ବହିଟିଏ ଲେଖ କହି ସାରି ସେ ବିଷୟକ ମାଲମତା କିଛି ମଧ୍ୟ ଆପଣଙ୍କୁ ଯୋଗାଇଦେବେ ଆଉ ଆପଣ ଗ୍ରନ୍ଥଟିକୁ ଲେଖନ୍ତୁ ବା ଲେଖନ୍ତୁ, ଲେଖିବାର ଛଳନା ଅତ୍ୟନ୍ତ କରିବେ, ଆଉ ହିନସ୍ତା ହେବେ

ତାଙ୍କର ମୁଣ୍ଡଟି ଗୋଟିଏ ମଣିଷର ମୁଣ୍ଡ ନୁହେଁ - ତାହା ଏକ ରାକ୍ଷସର । ଏଣୁ ସେ ଭାବନ୍ତି ସମସ୍ତଙ୍କର ତାଙ୍କ ଭଳି ଉଦ୍ୟମ କରିବାର ବଳବୟସ ଅଛି । ଓଡ଼ିଆ ଭାଷାରେ ତାଙ୍କର ନିଜସ୍ୱ ଲେଖାଲେଖି ଓ ଅନୁବାଦ ପୁସ୍ତକ ଛଡ଼ା, ଇଂରାଜୀରେ ତାଙ୍କର ଏକତିରିଶଟି ବହି ସେଥିରୁ ପଚିଶଟି ବହି ଓଡ଼ିଆରୁ ଇଂରାଜୀକୁ ଅନୁବାଦ; ଗୋଟିଏ ହେଲା କବି ଫୈଜ ଅହମଦ ଫୈଜଙ୍କର କବିତାର ଇଂରାଜୀକୁ ଅନୁବାଦ; ବାକି ପାଞ୍ଚଟିରୁ ଦୁଇଟି ଆୟକର ବିଭାଗ ଉପରେ ଇଂରାଜୀ ବହି; ଆଉ ଶେଷ ତିନୋଟି ହେଲା  ଇଂରାଜୀ ଭାଷାରେ ଲିଖିତ କ୍ଷୁଦ୍ର କବିତାର ସଙ୍କଳନମାନ  

ଓଡ଼ିଆ ଭାଷାରେ ତାଙ୍କର ଗଳ୍ପକଥନର ଚିହ୍ନରା ଗରାଖ ଅଛନ୍ତି ବର୍ଷଣମୂଖର ସନ୍ଧ୍ୟାରେ ମଧ୍ୟ ତାଙ୍କୁ ନିଜ ଗପ ପଢ଼ିବାକୁ ଶୁଣିବାକୁ ଶହେ ଖଣ୍ଡେ ଲୋକ, ବିନା ରାତ୍ରଭୋଜନର ପ୍ରଲୋଭନରେ, ଏହି ଘୋର କଳିଯୁଗରେ, ଭୁବନେଶ୍ୱରରେ ଏକାଠି ହୋଇ ଯାଆନ୍ତି ତାହା ପୁଣି ଭାରତୀୟ ରାଜସ୍ୱ ସେବାରୁ ଅବସର ନେବାର ପାଞ୍ଚ ବର୍ଷ ପରେ, ଚାକିରିରେ ଥିବା ସମୟରେ ନୁହେଁ

ମୋର କମଳା ଭାଇଙ୍କୁ ଜାଣିବାର ଦଶ ବରଷ ହେଲାଣି ତାଙ୍କୁ ପ୍ରଥମେ ବୋଧେ ଭେଟିଥିଲି ୨୦୦୮ ମସିହାରେ, ସେ ଭୁବନେଶ୍ୱରରେ କାମ କରୁଥିବା ବେଳେ ମୁଁ ସେତେବେଳେ ବାଙ୍ଗାଲୋରର ଗୋଟିଏ ଅନାମଧ୍ୟେୟ ପ୍ରତିଷ୍ଠାନରେ ଛାତ୍ର ମୋତେ ବୟସ ୨୭ ତାଙ୍କୁ ବୟସ ୫୬ ଦେଖା ହୋଇଥିଲା ମୋର ଗୋଟିଏ ଅନୁବାଦ ବହି, ସେ ସମ୍ପୃକ୍ତ ଥିବା ପ୍ରକାଶନ ସଂସ୍ଥା ଗ୍ରାସରୁଟ୍ସ୍ ଛାପିବା ବିଷୟକୁ ନେଇ  

ସେ ବହିଟିର ଅନୁବାଦ ପର୍ଯ୍ୟନ୍ତ ଅଧମ ଶେଷ କରି ପାରିଲା ନାହିଁ । ହେଲେ ଆମର ଆଳାପରେ ବୟସର ବ୍ୟବଧାନ ଥିଲା, ଥିଲା ମଧ୍ୟ କ୍ଷମତାର ଅପହଞ୍ଚ ଦୂରତାର କିଛି ବି ପରିଚିତି ଆଲୋଚନାଟି ଥିଲା ଜଣେ ଅନୁବାଦକର ଆଉ ଜଣେ ଅନୁବାଦକ ସହ ସମ୍ପର୍କଟିଏର ମଞ୍ଜି ବୁଣିବା ପାଇଁ ସେଇ ଅଧ ଘଣ୍ଟାକର ପରିଚିତି ଯଥେଷ୍ଟ ଥିଲା

ଅବଶ୍ୟ ବେଳେ ବେଳେ ଭାବିଲେ ଡର ଲାଗେ ଯେ, ଏହା ଭିତରେ ତାଙ୍କ ସହିତ ସମ୍ପର୍କଟି ପାକଳ ହେଇଚି ସିନା (ଅନ୍ତତଃ ମୋ ଆଡ଼ୁ, ମୋ ମୁଣ୍ଡ ଭିତରେ - ପ୍ରକୃତରେ ବାହାରେ ତାହାର ଯାହା ସ୍ଥିତି ଥାଉ ନା କାହିଁକି !), ହେଲେ ଦଶ ବର୍ଷ ବି ବିତି ଯାଇଛି ତାଙ୍କୁ ପ୍ରଥମେ ଭେଟିଲା ବେଳେ ମୁଁ ଥିଲି ସତେଇଶ ବର୍ଷର ଟୋକା ଏବେ, ଚାଳିଶ ବର୍ଷର ଦରବୁଢ଼ା, ମଧ୍ୟବୟସ୍କ ପୁରୁଷଟିଏ  । ତାଙ୍କୁ ଭେଟିବା ପୂର୍ବରୁ ମୁଁ ତାଙ୍କୁ ଜାଣିଥିଲିଚୋରଗଳ୍ପ ସଙ୍କଳନ ଆଉଫଟୋଉପନ୍ୟାସିକାର ଲେଖକ ଭାବେ ଏପରି ଜଣେ କଥାକାର ରୂପରେ, ଯିଏ ଲୋକମୁଖର ଭାଷାକୁ ତୋଳି ଆଣି ମନ ଭୁଲେଇଲା ଛଇରେ କଥନିକାର ପ୍ରାସାଦ ତିଆରନ୍ତି, ଆପଣଙ୍କ ଅଜାଣତରେ

ତାଙ୍କ କଳା, ତିଆରିଲା ଭଳି ଲାଗେନି ତାଙ୍କ କଥାଜଗତର ଇମାରତର ଇଟାଗୁଡ଼ିକର ଯୋଡ଼େଇ ଆଦୌ ଦୁସେନି ଅନେକ ଲୋକଙ୍କୁ ପରି କଥାଶିଳ୍ପ ନିର୍ମାଣ ଭଲ ଲାଗେ ହେଲେ ମୋ ପାଇଁ ତାଙ୍କର ଏଇଟି ଗୋଟିଏ ଖୋଇ କାରଣ ମୋ’ର ବ୍ୟକ୍ତିଗତ ୠଚି ହେଲା ନାଇପଲ କିମ୍ବା ଡେଭିଡ଼ ମିଚେଲଙ୍କ ପରି କଥକମାନଙ୍କର କାମ ପ୍ରତି, ଯେଉଁଠି କଥା-ଇମାରତର ଯୋଡ଼େଇ ଦୁଶିଲେ ବି, ମଣିଷ ଟାଣି ହୋଇଯାଏ ଆଗକୁ ଆଗକୁ, ପୃଷ୍ଠା ପରେ ପୃଷ୍ଠା ଯେମିତି ବ୍ରିଟିଶ ମୂଳର ଭାରତୀୟ ସ୍ଥପତି ଲରି ବେକରଙ୍କର କୋଠାଗୁଡ଼ିକ, ଯାହା କେବଳ ପ୍ରାକୃତିକ ଦୁଶେ, ତାହା ନୁହେଁ; ବରଞ୍ଚ ଯଥାସମ୍ଭବ ଏକ ପ୍ରକୃତିସମ୍ମତ ଉପାୟରେ ତିଆରି ମଧ୍ୟ ହୋଇ ଥାଏ

କିନ୍ତୁ ତାଙ୍କର ସଦ୍ୟ ପ୍ରକାଶିତ ଅତ୍ମଜୀବନୀ ‘ଜନମରୁ ମରଣ’ର ଗଢ଼ଣ ମୋଟେ ତାଙ୍କର କଥାଶିଳ୍ପ ପରି ନୁହେଁ ଉପରଠାଉରିଆ ଭାବରେ ପଢ଼ିଲେ କହିବାର ଛଟା (ଉର୍ଦ୍ଦୁ ଶାୟରିରେ ଯାହାକୁଅନ୍ଦାଜେ-ବୟାଁକହନ୍ତି) ଅନେକ ଲୋକଙ୍କୁ ତାଙ୍କ ଗପ ସହ ସମାନ ବୋଲି ଲାଗି ପାରେ ହେଲେ ଗଢ଼ଣର ଢାଞ୍ଚାଟି ପୂରା ଅଲଗା । ଏଣୁ ମୋ’ ଭଳି ଜଣେ ପାଠକ ପାଇଁ, ତାଙ୍କ କଥାସାହିତ୍ୟ ଅପେକ୍ଷା, ତାଙ୍କ ଏଇ ଆତ୍ମଜୀବନୀଟି ଅଧିକ ଆକର୍ଷଣୀୟତେଣୁ ପାଠକେ, ଯଦିଓ ଆପଣ କମଳାବାବୁଙ୍କର ଲେଖାଲେଖିର ଜଣେ ପୁରୁଣା, ଚିହ୍ନରା ଗ୍ରାହକ ହୋଇ ଥାଇ ପାରନ୍ତି, ତଥାପି, ଏଠାରେ ଆପଣଙ୍କୁ କିଛି ନୁସ୍‌ଖା ବତାଇବାର ଧୃଷ୍ଟତା କରୁଛି ।

ଜନମରୁ ମରଣ’କୁ ପଢ଼ିବାର ତିନୋଟି ଉପାୟ

ପ୍ରଥମ, ବହିଟିରୁ କିଛି ଗୁଢ଼ ଅର୍ଥ ବାହାର କରିବାର ଅଯଥା ଉତ୍ପାତ କରିବେ ନାହିଁ । ବହିଟିକୁ ‘ଉପରେ ଉପରେ’ ହିଁ ପଢ଼ିବାକୁ ଚେଷ୍ଟା କରନ୍ତୁ । ସେଇଥିରୁ ହିଁ ବହୁତ କିଛି ମିଳିଯିବ । 

ଦ୍ୱିତୀୟ, ଭୁବନେଶ୍ୱରସ୍ଥ ‘ଧଉଳି ବୁକ୍ସ’ ବହିଟିକୁ ୩୭୯ ପୃଷ୍ଠାରେ ଛାପିଛନ୍ତି । ଅକ୍ଷରର ଆକାର ଅପେକ୍ଷାକୃତ ଭାବରେ ଛୋଟ । ଅର୍ଥାତ୍,  ପୁସ୍ତକଟି ପୃଥୁଳକାୟ । ହେଲେ ମାତ୍ର, ଏହାକୁ ଅତି କମରେ ଦୁଇ ଥର ପଢ଼ନ୍ତୁ । ଏ ଅଧମ ତ ଏବେ ଏହାକୁ ତୃତୀୟ ଥର ନିମନ୍ତେ ପଢ଼ୁଛି । ମୁଁ ବହିଟିକୁ ଯେବେ ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡର ନାରାୟଣୀ ବହି ଦୋକାନରେ ଦେଖିଲି, ନ କିଣି ରହି ପାରିଲି ନାହିଁ । ଭାଗ୍ୟ ଭଲ, କୌଣସି କାରଣ ଯୋଗୁଁ ପକେଟରେ ଟଙ୍କା ପାଞ୍ଚଛଅ ଶହ ଥିଲା । ନ ହେଲେ ଏ “ଆ’ବେ ସିଲୁ 'ଯା’ବେ ସିଲୁ” ପକେଟରେ ଟଙ୍କା ଶହେ ଥିଲେ, ନିଜକୁ “ବାବୁ ଶୈଳେନ୍ଦ୍ରରାମ” ବୋଲି ମନେ କରେ । 

ସାଙ୍ଗେସାଙ୍ଗେ ଛଅଶହ ପଚାଶ ଟଙ୍କାର ବହିଟିକୁ ରିହାତି ପରେ ପାଞ୍ଚ ଶହ କୋଡ଼ିଏ ଟଙ୍କା ଦେଇ ଧରିଲି । ଘରେ ରାତି ଖାଇବା ସହ ପଢ଼ା ଆରମ୍ଭ କରି ଅନିଦ୍ରା ହୋଇ ପଢ଼ିଲି ସକାଳ ପାଞ୍ଚ ଯାଏ । ସିନ୍ଦୁରା ଫାଟିଲାରୁ ଯାଇ ଶୋଇଲି । ତା’ ପରେ ଏଗାରଟାରେ ଉଠି, ଦିନର କାମ ଖଇଚା କରି, ରାତି ଖାଇବା ପର୍ଯ୍ୟନ୍ତ ପଢ଼ି ବହିଟିକୁ ସାରିଲି । ପ୍ରଥମ ଥର ପଢ଼ି ସାରି, ଆଉ ଥରେ ପଢ଼ିଲି ସମୀକ୍ଷାଟିଏ ଲେଖିବା ପାଇଁ । ଏବେ ତୃତୀୟ ଥର ପଢ଼ୁଛି.. 

ଛାଡ଼ନ୍ତୁ, ଏ ଲେଖାଟି 'ଜନମରୁ ମରଣ' ବିଷୟରେ । ମୋ’ର ପଠନ-ଇତିହାସ ସମ୍ବନ୍ଧୀୟ ନୁହେଁ । ଆପଣ ବହିଟିର ସମୀକ୍ଷା ନ କରୁ ଥିଲେ ମଧ୍ୟ ବହିଟିକୁ ନିରିଖେଇ କରି ଦୁଇ ଥର ପଢ଼ିଲେ ଲାଭ ନିଜର । ବହିଟିର ନୁହେଁ ନିଶ୍ଚୟ । କାରଣ ଏ ଘୋର କଳିର ଖରାପ ବନ୍ଧେଇ ଯୋଗୁଁ ଦୁଇ ତିନି ଥର ପଢ଼ିଲେ ସାଧା ବନ୍ଧେଇ ବହିଟିର ମେରୁଦଣ୍ଡ ଭାଙ୍ଗି ପୃଷ୍ଠା ଉଲୁରି ଯାଇ ପାରେ । 

ପ୍ରଥମ ଥର ପଢ଼ା ଶେଷରେ, ମୋ’ ପାଇଁ ବହିଟି ଥିଲା, ଜଣେ ଦୁଷ୍ଟ ବାଳକ କିପରି ଜଣେ ଦଣ୍ଠା ଅଥଚ ମନୁଆ ପ୍ରଶାସକରେ ପରିଣତ ହେଲା, ସେଇ ପ୍ରକ୍ରିୟାର ଜମାନବନ୍ଦୀଟିଏ । ଦ୍ୱିତୀୟ ଥର ପଢ଼ାରେ ଜଣେ ବ୍ୟକ୍ତିର ବିବର୍ତ୍ତନର ଦୃଶ୍ୟଗୁଡ଼ିକର ପ୍ରେକ୍ଷ୍ୟାପଟରେ ଦୁଶିଗଲା ଅନେକ ସାମାଜିକ ପ୍ରକ୍ରିୟାର ଭଗ୍ନାଂଶ: ପଚାଶ ଦଶକରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳର ସରକାରୀ ସ୍କୁଲରେ ଆଦିବାସୀ ଓ ଅଣ-ଆଦିବାସୀ ଛାତ୍ରଙ୍କ ସମ୍ପର୍କ; ଷାଠିଏ ଦଶକରେ ରେଭେନ୍ସାର ହଷ୍ଟେଲ ଜୀବନ; ଜଣେ ଉଚ୍ଚପଦସ୍ତ ଅଥଚ ଖୋଲାଆଖିଆ ଦପ୍ତରୀଙ୍କ ଦୃଷ୍ଟିରେ ରାଜସ୍ୱ ସେବାର କାର୍ଯ୍ୟାଳୟଗୁଡ଼ିର ସଂସ୍କୃତି; ସ୍ୱାଧୀନତା ପରପରର ଓଡ଼ିଶାରେ ଜଣେ ଉଚ୍ଚଜାତିର ପିଲାର ପଠନ-ଇତିହାସ; ଏମିତି ଅନେକ କିଛି । 

ତୃତୀୟ, ବହିଟିକୁ ପଢ଼ିଲା ବେଳେ ନିଜକୁ ଟିକେ ଆରାମଦାୟକ ପରିସ୍ଥିତିରେ ରଖନ୍ତୁ । ଉଷୁମ ମହୁଲି କିମ୍ବା ଚିକ୍କଣ ହ୍ୱିସ୍କିର ବ୍ୟବସ୍ଥା ନ ହୋଇ ପାରିଲେ, ଗବଗବ ହୋଇ ଫୁଟିଥିବା କଂସାଏ ପାଣିରେ, କପେ ଜଳରେ ଦୁଇ-ତିନୋଟି ନୀଳଗିରି ଚାହାପତ୍ର ହିସାବରେ ପକାଇ, ଥାଳିରେ ଢାଙ୍କି, ତିନି ମିନିଟ ଛାଡ଼ି ଦିଅନ୍ତୁ । ତାହା ପରେ ସେଥିରେ ସାତ-ଆଠ ଚାମଚ ଶିମିଳିପାଳ ମହୁ ପକାନ୍ତୁ । ଘାଣ୍ଟନ୍ତୁ । ଏବେ ଏହି ଚାହାକୁ ଫ୍ଲାସ୍କରେ ପୁରାଇ ରଖନ୍ତୁ । ପ୍ରତି ଅଧ୍ୟାୟ ପାଇଁ ଅଧ କପ ଲେଖାଏଁ ଚାହା ଦରକାର ହେବ । ବାଜେ ଏଲିଡ଼ି ଆଲୁଅରେ ନ ପଢ଼ି, ପୁରୁଣାକାଳିଆ ହଳଦିଆ ଆଲୁଅ ଦେଉଥିବା ଫିଲାମେଣ୍ଟ ଆଲୁଅ ଯୋଗାଡ଼ କରି ସେଥିରେ ବହିଟି ପଢ଼ି ପାରିଲେ ଆହୁରି ଭଲ ।

ଇଏତ ଗଲା, ବହିଟିକୁ ପଢ଼ିବାର ଉପାୟ । ଏବେ, ମେହେରବାନ, କଦରଦାନ, ଆପଣଙ୍କ ଆଗରେ ରଖିବାର ଧୃଷ୍ଟତା କରୁଛି, ଏ ଅଧମ ‘ଜନମରୁ ମରଣ’ରୁ  ଶିଖିଥିବା ବଞ୍ଚିବାର, ଚଳିବାର ଓ କାମ କରିବାର ତିନୋଟି ଉପାୟ ।

ପ୍ରଥମ ଶିଖିବାର କଥା ହେଲା ଓଡ଼ିଆ ଭାଷାର ବ୍ୟବହାର । ଆପଣ କେତେ ଦିନ ତଳେ ‘ଜ୍ଞାନପିଶାଚ’, ‘ମଲାବଟୁଆ’, ‘ନରିଆଣୀ’, ‘ଗମାତ’, ‘ଛୋବ’, ‘ଡଗା’, ‘କାହିଲ’, ‘ଡୁଙ୍ଗିବା’, ‘ଆଡ଼ନୟନ’ ଇତ୍ୟାଦି ଶବ୍ଦଗୁଡ଼ିକୁ ଏକ ଓଡ଼ିଆ ଲେଖାରେ ଭେଟିଥିଲେ କୁହନ୍ତୁ ? ‘ଜନମରୁ ମରଣ’ରେ ଏପରି ସୁନ୍ଦର, ଅଥଚ ବ୍ୟବହାର ଅଭାବରୁ ମଲାଶେଯରେ ସୁକୁସୁକୁ ହେଉଥିବା, ଶବଦମାନଙ୍କୁ ବାହାବେଦୀ ପାଖରେ ଛିଞ୍ଚାଡ଼ି ହେଇଥିବା ଖଇ ପରି ପାଇବେ ।

ହେଲେ ଶବ୍ଦଗୁଡ଼ିକ ଅତ୍ରତତ୍ର ଅଳସୁଆମିରେ ବିଞ୍ଚି ଦିଆ ହୋଇ ନାହିଁ । ପ୍ରାୟତଃ ସେଗୁଡ଼ିକର ବ୍ୟବହାର ଭଲ କବିତାରେ ଶବ୍ଦଖଞ୍ଜାଣ ଭଳି ଅବ୍ୟଶ୍ୟମ୍ଭାବି । ସେହି ପରି କମଳା ବାବୁ ଅପାଚାର (ବ୍ୟାଡ଼ ଫେଥ), ଉପରିସ୍ଥ (ସିନିଅର) ଆଦି ଅନେକ ଶବ୍ଦଗୁଡ଼ିକୁ ତାଙ୍କର ବହୁଳବ୍ୟବହୃତ ଇଂରାଜୀ ରୂପ ଜାଗାରେ ବ୍ୟବହାର କରିଛନ୍ତି । ଆଉ ଏହି ବ୍ୟବହାରରୁ ଆମେ ଶିଖିବା ଯେ, ଘସରା ଶବ୍ଦସଂସାର ବାହାରେ, ଇଂରାଜୀ ଆଦୌ ବ୍ୟବହାର ନ କରି, କିମ୍ବା ଯଥାଶକ୍ତି ସର୍ବନିମ୍ମ ଇସ୍ତମାଲ କରି, କିପରି ଆମେ ଆମ ସମସାମୟିକ ଜୀବନର ଚିତ୍ର ଓଡ଼ିଆ ଭାଷାରେ ଆଙ୍କି ପାରିବା ।

ଦ୍ୱିତୀୟ ଶିଖିବାର କଥା ହେଲା, ଦାମ୍ପତ୍ୟ ଜୀବନର ଏକ ଅଲଗା କାଟ । ବାହାଘର ପୂର୍ବରୁ କମଳା ବାବୁ ଓ ତାଙ୍କ ସେବର ପ୍ରେମିକା (ପର ସମୟର ପତ୍ନୀ) ଲୀଳାବତୀ ଦେବୀ ଗୋଟିଏ ସରଳ ଚୁକ୍ତି କରିଥିଲେ । ତାହା ହେଲା, ପିଲାଛୁଆ କରିବେ ନାହିଁ, ସମ୍ପତ୍ତିବାଡ଼ି ଆବୋରିବେ ନାହିଁ ଏବଂ ପରସ୍ପର ଉପରେ ଆର୍ଥିକ ଦୃଷ୍ଟିରୁ ନିର୍ଭର ନରହି, ସ୍ୱାଧୀନ ଭାବରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସହଜୀବନ କଟାଇବେ । 

ଆତ୍ମଜୀବନୀରୁ ଓ କମଳା ଭାଇଙ୍କ ସହ କଥାବାର୍ତ୍ତାରୁ ଯାହା ଜଣା ପଡ଼େ, ଏହି ନିଷ୍ପତ୍ତିକୁ ନେଇ ଅନୁତାପ କରିବାର ପରିସ୍ଥିତି କେବେ ସୃଷ୍ଟି ହୋଇ ନାହିଁ । ବରଞ୍ଚ, ଏପରି ବୁଝାମଣା ସୃଷ୍ଟି କରିଛି ପାରିବାରିକ ଜୀବନରେ ଏକ ସାବଲୀଳତା, ଯାହା ଲେଖାଲେଖି, ପଢ଼ାପଢ଼ି, ସିନେମା ଓ ସୌହାର୍ଦ୍ଦ୍ୟ ପାଇଁ ତ ପ୍ରଚୁର ସୁଯୋଗ ତିଆରିଛି, ତାହା ସହ ଏକ ସଚ୍ଚୋଟ ଅଥଚ ବେପରୁଆ ସ୍ୱାଧୀନ କର୍ମଜୀବନର ସମ୍ଭାବନା ସୃଷ୍ଟି କରିଛି ଉଭୟଙ୍କ ପାଇଁ ।

ଜନମରୁ ମରଣ’ରୁ ଶିଖିବା ଯୋଗ୍ୟ ତୃତୀୟ କଥା ହେଲା, ଭଲ ଲାଗୁଥିବା ଜିନିଷର ବ୍ୟବହାର । କଟକର ପ୍ୟାରୀମୋହନ ଏକାଡେମିରେ ସପ୍ତମ ଶ୍ରେଣୀ ପଢ଼ିଲା ବେଳେ କମଳାବାବୁ ରହୁ ଥାଆନ୍ତି ବଙ୍ଗାଳି ସାହିର ‘ରାମକୃଷ୍ଣ କଟେଜ’ ଛାତ୍ରାବାସରେ । ସେଇ ପାଖରେ ଥାଆନ୍ତି ପରିବାରର ପୁରୁଣା ଘର ମାଲିକ, ଗୁଡ଼ିଆ ବନମାଳି ଦାଦା । 

ସନ୍ଧ୍ୟା ବେଳେ ନିଦ ଲାଗିଲେ ଛାତ୍ର କମଳାକାନ୍ତ ଦଉଡ଼ନ୍ତି ଦାଦାଙ୍କ ପାଖକୁ, ଆଉ ମିଳେ କଅଁଳ ଶାଗୁଆ ଶାଳପତ୍ର ଦନାରେ ଶୁଭ୍ର, ତଟକା, ରସଗୋଲାଟିଏ । ମିଠାଟି ହାତକୁ ଆସିଲେ ପ୍ରଥମେ ନିମିଷେ ଖଣ୍ଡେ ତାହାକୁ ନୀରିକ୍ଷଣ କରାଯାଏ । ନୟନତୃପ୍ତ ହୋଇ ସାରିଲା ପରେ, ବିଶି ଆଙ୍ଗୁଠି ସାହାଯ୍ୟରେ ଟିକିଏ ଟିକିଏ ଶିରାର ରସାସ୍ୱାଦନ ହୁଏ । ଏଥିରେ ଲାଗେ ଘଡ଼ିଏ ସରିକି ସମୟ । 

ତାହା ପରେ ରସଗୋଲାଟିକୁ ନଖରେ ଟିକିଏ ଟିକିଏ ଛିଡ଼ାଇ, ଆହୁରି ଘଡ଼ିଏ ଖଣ୍ଡିଏ ଖିଆଯାଏ । ତାହା ପରେ ଦନାଟିର ଖଡ଼ିକାଗୁଡ଼ିକ ବାହାର କରି, ଶାଳପତ୍ରଟିକୁ ଚାଟି ଫୋପଡ଼ାଯାଏ । ସେତେବେଳକୁ ବାଜି ସାରି ଥାଏ ରାତି ଆଠ । ତାହା ପରେ ମଶାରି ପକାଇ ନିଦ୍ରାଦେବୀଙ୍କର ଆବାହନ କରାହୁଏ । ଯଦି ସବୁ ଭଲ ଲାଗୁଥିବା ଜିନିଷର ଏମିତି ବ୍ୟବହାର କରା ଯାଆନ୍ତା, ତାହା ହେଲେ ଅଭାବ ବୋଲି ଜିନିଷଟି ଆଉ ଦୁନିଆରେ ରହନ୍ତା ନାହିଁ ।

ଭଲ ରସଗୋଲା ଖାଇବାର ଉପାୟ ଯାହା, ଭଲ ବହି ପଢ଼ିବାର ବାଟ ମଧ୍ୟ ସେଇଆହିଁ । ‘ଜନମରୁ ମରଣ’କୁ ଟାଉକା ହୋଇ, ଏକା ଥରେ ଗିଳି ପକାନ୍ତୁ ନାହିଁ । ଅଧ୍ୟାୟେ ଅଧ୍ୟାୟେ ପଢ଼ନ୍ତୁ । କିଛି ପୃଷ୍ଟା ପଢ଼ି, ଖୋଜେ ବୁଲି ଆସନ୍ତୁ, କି ଗିରିଜା ଦେବୀଙ୍କର ଚଇତିଟିଏ ଶୁଣନ୍ତୁ । ତାହା ପରେ ପୁଣି ବହିଟିକୁ ଲେଉଟି ଆସନ୍ତୁ । ୱାଶିଂଟନ୍‌ରେ ଟ୍ରମ୍ପ୍‌ଜୀ ଓ ନୂଆଦିଲ୍ଲୀରେ ମୋଦିଜୀ ରାଜୁତି କରୁଥିବା ସତ୍ତ୍ୱେ ଦୁନିଆ ସୁନ୍ଦର ଲାଗିବ । କାରଣ ଜୀବନ ଲମ୍ବା, ଗପ ଅସରନ୍ତି ।

ସମୀକ୍ଷାଭୁକ୍ତ ବହି : କମଳାକାନ୍ତ ମହାପାତ୍ର । ୨୦୧୭ । ଜନମରୁ ମରଣ । ଭୁବନେଶ୍ୱର : ଧଉଳି ବୁକ୍ସ୍ । ୬୫୦ ଟଙ୍କା । 

ବି.ଦ୍ର. : ଏହି ସମୀକ୍ଷାଟି ପ୍ରଥମେ ସାହିତ୍ୟ ପତ୍ରିକା ଅନ୍ୟାରେ ପ୍ରକାଶିତ ହୋଇଥିଲା । ଲେଖାଟି ଜିନ୍ ଉଲ୍ଫ ଓ ନିଲ୍ ଗାଇମ୍ୟାନ୍ ‌ଙ୍କ ପାଇଁ ଉତ୍ସର୍ଗୀକୃତ ।

5 comments:

  1. ବଢ଼ିଆ ସମୀକ୍ଷା ।

    ReplyDelete
  2. ଭାଇ ଲେଖାଟି ଛାତିକୁ ଛୁଇଁଲା ଆଉ ଭାବୁଛି ଲେଖା ଲେଖି କରିବିନି, କାରଣ ଆପଣଙ୍କ ସମୀକ୍ଷା ସାମ୍ନାରେ, ଏବଂ ଏହି ଅସାଧାରଣ ଲେଖାଟି ଆଗରେ ବେଈଜ୍ଜତ ହେବାର ଆଶଙ୍କା ନାହିଁ।

    ReplyDelete
  3. ମୁଁ ପୋତି ହେଇଗଲି । ବାହାର କରିବା ଦାୟିତ୍ତ୍ୱ ବି ଆପଣଙ୍କର ।

    ReplyDelete
  4. ନମସ୍କାର । ଏହି ଲିଙ୍କ୍‌ଗୁଡ଼ିକ ସେୟାର୍ କରିବା ପାଇଁ ଧନ୍ୟବାଦ ।

    ReplyDelete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....