ବଡ଼ଗୋରଡ଼ାରେ ପର୍ବପର୍ବାଣୀ
ଶୈଲେନ ରାଉତରାୟ
ନୟାଗଡ଼ର ଫତେଗଡ଼ଠାରେ ଦୋଳଯାତରା (୨୦୧୬ ମସିହା) ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍ |
ବଡ଼ଗୋରଡ଼ା ନୂଆଗଡ଼ ଜିଲ୍ଲାର ଗୋଟିଏ ଗାଁ । ସ୍ୱାଧୀନତାର ପରେପରେ ୧୯୪୦ ଦଶକର ଶେଷରେ ଓ ୧୯୫୦ ଦଶକର ଆରମ୍ଭରେ ଅନେକ ପର୍ବପର୍ବାଣୀ ଏହି ଗ୍ରାମରେ ପାଳନ କରାଯାଉଥିଲା; ଯଦିଓ ଭିନ୍ନ ରୂପରେ । ଏବେର ଉତ୍ତର ଭାରତରୁ ଆମଦାନୀ କରା ପର୍ବ ହୋଲି ସମୟରେ, ଦୋଳ ମାସରେ ପୂନେଇ ସେବେ ଅଲଗା ହିସାବରେ ପାଳିତ ହେଉ ଥିଲା । ଘରେ ଥିବା ହଳିଆଙ୍କ ପାଇଁ ଏହା ଥିଲା ବର୍ଷାରମ୍ଭ ।ହୋଲିରେ ସେବେ ନୂଆ ହଳିଆ ଲାଗନ୍ତି ଓ ପୁରୁଣା ହଳିଆ ଛାଡ଼ି ଯାଆନ୍ତି ।
ଏହି ଦିନ ଶିଖରପୁରରୁ ଜଉତିଷ ଆସି ପାଞ୍ଜି ଦେଖି ବରଷକ ଯାକର ଫଳାଫଳ କହିବେ । ନୂଆ ଅମଳ ହୋଇଥିବା ଚଣା ତଥା ଆମ୍ବ, ଉଖୁଡ଼ା ମିଶାଇ ଘରେ ପୂଜା ହୁଏ । ରଙ୍ଗ ମରାମରି ମଫସଲରେ କେହି ଖେଳୁ ନଥିଲେ ।
ସେହି ପରି, ସେବେ (ଓଡ଼ିଶାର ଅନେକ ଅଞ୍ଚଳ ପରି) ରାକ୍ଷି କଅଣ, ତାହା ଲୋକେ ବମ୍ବେ ସିନେମାର ବାହାରେ ଜାଣି ନ ଥିଲେ । ଶ୍ରାବଣ ମାସର ପୂର୍ଣ୍ଣିମା ସେବେ ଗହ୍ମା ପୂନେଇ ନାମରେ ଜଣା ଥିଲା । ସକାଳେ ଗୋରୁ ଛଡ଼ା ହେବା ଆଗରୁ ତାଙ୍କ କାନରେ ସିନ୍ଦୁର ଲାଗି ହୁଏ । ନିଜପର ବିଚାର ନ କରି ସେ ଦିନ ଘାସ କାଟି ଲୋକେ ଗାଈମାନଙ୍କୁ ଗୋଧୂଳିରେ ଗାଁକୁ ଫେରିଲା ବେଳେ ଖୁଆନ୍ତି । ଗେଣ୍ଡାଳିଆ ଗଛକୁ କାଟି ତାହାର ଡାଳକୁ ନେଇ ବଳଦମାନଙ୍କୁ ଛୁଆଁଯାଏ । ଘରଘର ପିଠାପଣାରେ ଭାସେ ।
ମହାଳୟା ପର୍ବ ଅଶିଣ ମାସ ଅମେଇସାରେ ପଡ଼େ । ସେ ଦିନ ମହାଳୟା ଶ୍ରାଦ୍ଧ ; ଶ୍ରାଦ୍ଧ ପରେ ଖିଆପିଆ ହୁଏ । ପଡ଼ୋଶି ଓ ବନ୍ଧୁମାନେ ନିମନ୍ତ୍ରିତ ହୋଇ ଆସନ୍ତି । ଭୋଜିରେ ପ୍ରାୟତଃ ଉଷୁନା ଅନ୍ନ, ଖିରି, ଆମ୍ବିଳ ଓ ତରକାରୀଟିଏ ହୁଏ । ଏହି ଦିବସରେ ଗାଁ ସାରା ଲୋକେ ଘରର ସମସ୍ତ ବସ୍ତ୍ର, ମସିଣା, ସଉପ, କନ୍ଥା ଆଦି ଧୋଇ ସଫା କରନ୍ତି । ପୁରୁଣା ମାଟି ହାଣ୍ଡି ଓ ମାଠିଆ ଆଦି ଫୋପାଡ଼ି ନୂଆ ଘିନା ଯାଏ
ଦଶହରା ଦିନ ଘରେଘରେ ବହିଖାତା ଓ ଲୌହସାମଗ୍ରୀ ଆଦିକୁ ଦୁଗ୍ଧାନ୍ନ ଦେଇ ପୂଜା ସମ୍ପନ୍ନ କରାଯାଏ । ସବୁ ଘରେ ଏହି ଦିନ ନୂଆ ଚୁଡ଼ା ଖିରି କରି ଖିଆଯାଏ । ଅନ୍ୟ ଗାଁରୁ ନାଟଦଳ ଆସି ଦୁଆରେ ଦୁଆରେ ସଖିନାଚ କରନ୍ତି । ଏହା ଛଡ଼ା ପାଇକନାଚ ମଧ୍ୟ ହୁଏ । ଦଶହରାରେ ଦୂର୍ଗାମୂର୍ତ୍ତି ପୂଜାର ପ୍ରଚଳନ ଆଦୌ ନ ଥିଲା ।
ଦଶହରା ପରେ କୁଆଁରପୂନେଇ ଦିନ ବଡ଼ଗୋରଡ଼ା ଗାଁର ଖଦାଳ ଜାତିର ଲୋକମାନେ ଖଡ଼ିକାରେ ଫୁଲସଜ ହୋଇଥିବା କୁମ୍ଭ ଧରି ଆସନ୍ତି । କିଛି କୁମ୍ଭରେ ଚାରୋଟି ହାତ ବାହାରି ସେଥିରେ ଚୁଡ଼ି ଲାଗି ହୋଇଥାଏ । ଏହି କୁମ୍ଭକୁ ଠାକୁରାଣି କହନ୍ତି ।
କାର୍ତ୍ତିକ ମାସରେ ଅମେଇସା ରାତିରେ ପ୍ରତ୍ୟେକ ଘରେ ‘ବଡ଼ବଡ଼ିଏ ହୋ, ଅନ୍ଧାରରେ ଆସି ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ଉଥାଅ’ ଗାଇ, ତଥା କାଉଁରିଆରେ କିମ୍ବା ଆଖୁଖଣ୍ଡରେ ଘିଅ ସଳିତା ବାନ୍ଧି, ନିଆଁ ଲଗାଇ ବଡ଼ବଡ଼ିଆଙ୍କୁ ଲୋକେ ଡାକନ୍ତି । ଏହା ସହ ଫଳ ଓ ମିଠା ଆଦି ପୂଜା ହୁଏ ଓ ସମସ୍ତଙ୍କୁ ବଣ୍ଟା ହୁଏ । ଗାଁରେ ଏହି ରାତିରେ ବାଣମରାର ପରମ୍ପରା ନଥିଲା ।
ଶ୍ରାବଣ ନୁହେଁ, କାର୍ତ୍ତିକ ମାସ ହିଁ ଥିଲା ପୁଣ୍ୟମାସ । ଅନେକ ଲୋକେ ଏହି ମାସରେ ଆମିଷଭକ୍ଷଣ ତ୍ୟାଗ କରନ୍ତି । ଆଉ କିଛି ଲୋକେ ସକାଳୁ ସକାଳୁ କାର୍ତ୍ତିକସ୍ନାନ ମାସ ସାରା ସମାପନ କରନ୍ତି । କାର୍ତ୍ତିକ ପୂନେଇକୁ ରାସପୂର୍ଣ୍ଣିମା ମଧ୍ୟ କୁହା ହେଉଥିଲା । ଅନେକ ଘରେ ମାସକ ଯାକ ‘କାର୍ତ୍ତିକ ମାହାତ୍ମ୍ୟ’ର ପାରାୟଣ ମଧ୍ୟ ହେଉଥିଲା ।
ଅର୍ଥାତ ଏଇ ଦୁଇପୁରୁଷ ତଳ ପର୍ଯ୍ୟନ୍ତ ନୂଆଗଡ଼ ପରି ଉପକୂଳ ଅଞ୍ଚଳରେ ମଧ୍ୟ ମୂର୍ତ୍ତି ପୂଜାର ପ୍ରାବଲ୍ୟ ନଥିଲା । ଦୋଳ କିମ୍ବା କାର୍ତ୍ତିକ ଅମେଇସା ପରି ପର୍ବଗୁଡ଼ିକର ସ୍ଥାନୀୟ ପରମ୍ପରାମାନଙ୍କୁ ଉତ୍ତରଭାରତୀୟ ଆଟୋପ କବଳିତ କରି ନଥିଲା । ଅର୍ଥାତ୍, ଓଡ଼ିଶା ଓଡ଼ିଶା ହୋଇ ଥିଲା ; ସେ ପର୍ଯ୍ୟନ୍ତ ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ଦୃଷ୍ଟିରୁ, ଆଜି ଭଳି ଆମ ରାଇଜଟି ଉତ୍ତର ଭାରତର ପୌତ୍ତଳିକ ସଂସ୍କୃତିର ଏକ ଉପନିବେଶ ମାତ୍ର ପାଲଟି ଯାଇ ନଥିଲା ।
ବି.ଦ୍ର. – ଏହି ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାଟିର ଉପାଦାନ ଯନ୍ତ୍ରୀ ଓ ଲେଖକ ଗୋବର୍ଦ୍ଧନ ଦୋରାଙ୍କ ଆତ୍ମଜୀବନୀ ‘ଛୋଟ ମୋର ଗାଁଟି’ରୁ ସଙ୍ଗୃହିତ । ବହିଟି ଭୁବନେଶ୍ୱରସ୍ଥ ଶିକ୍ଷାସନ୍ଧାନ ସଂସ୍ଥା ୨୦୦୯ ମସିହାରେ ଛାପିଥିଲେ ।
Very informative regarding Odisha culture.
ReplyDeleteNamaskar. Great to know that you found the piece to be of some use to you. Regards.
Delete