ନଉକା ମୋର ଭାସିଯା, ଯାରେ ଭାସି ଭାସି ଯା
ଶୈଲେନ ରାଉତରାୟ
ବାଙ୍କି ଆଖପାଖରେ ପ୍ରବାହମାନ ମହାନଦୀର ଦୃଶ୍ୟ (ୱିକିମିଡିଆ କମନ୍ସ୍) |
ପ୍ରାକ୍-ବ୍ରିଟିଶ ଓ ବ୍ରିଟିଶ ଅମଳରେ ପ୍ରାକୃତିକ ଓଡ଼ିଶାର ଗମନାଗମନ ବ୍ୟବସ୍ଥାରେ ମହାନଦୀର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ମହାନଦୀର ତ୍ରିକୋଣଭୂମିରେ ଅବସ୍ଥିତ ସେବେଳର ହରିହରପୁର (ଏବେକାର ଜଗତସିଂହପୁର) ଭାରତର ପ୍ରଥମ ବ୍ରିଟିଶ ଫ୍ୟାକ୍ଟରି ବା ବାଣିଜ୍ୟିକ ପେଣ୍ଠ ଭିତରୁ ଗୋଟିଏ । ଏହା ୧୬୩୩ ମସିହାରେ ସ୍ଥାପିତ ହୋଇଥିଲା । ଏଥିରୁ ମଧ୍ୟଯୁଗୀୟ ଭାରତରେ ମହାନଦୀର ବାଣିଜ୍ୟିକ ଗୁରୁତ୍ତ୍ୱ ଅନୁମେୟ ।
ଥମାସ୍ ମୋଟ୍ଟ୍ ୧୭୬୬ ମସିହାରେ ରିପୋର୍ଟ କରନ୍ତି ଯେ, ମହାନଦୀରେ ଡଙ୍ଗାଗୁଡ଼ିକ ତିରିଶି କୁଇଣ୍ଟାଲ ପର୍ଯ୍ୟନ୍ତ ଜିନିଷ ପରିବହନ କରୁଥିଲେ । ଜେମସ୍ ଡେଭିଡ଼ସନଙ୍କର ଦ୍ୱାରା ଲିଖିତ ଅପ୍ରକାଶିତ ପାଣ୍ଡୁଲିପି ‘ଜର୍ନାଲ ଅଫ୍ ଏ ରୁଟ୍ ଫ୍ରମ୍ କଟକ୍ ଟୁ ନାଗ୍ପୁର୍’ରେ ଜଣେ ଅଜ୍ଞାତ ବ୍ରିଟିଶ ପରିବ୍ରାଜକଙ୍କୁ ଆମେ କହିବାର ଶୁଣୁ ଯେ, ବନରାସ ଛାଡ଼ିବା ପରେ ସେ ପ୍ରଥମ ପୋତ ସୋନପୁର ପାଖ ବିନିକା ରେ ହିଁ ଦେଖିଲେ ।
ମହାନଦୀ କୂଳ ବଡ଼ମୂଳ ତଳ ଅଞ୍ଚଳରେ ସେତେବେଳେ ପୋତମାନେ ସତୁରୀ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଓଜନର ମାଲମତା ବୋହିପାରୁଥିଲେ । ଏହାର ଆଠ ଦଶନ୍ଧି ପରେ ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ପି.ଡବ୍ଲ୍ୟୁ.ଡି. ବିଭାଗର ରିପୋର୍ଟରୁ ଆମେ ଜାଣୁ ଯେ, ସେତେବେଳେ ମହାନଦୀରେ ଆତଯାତ କରୁଥିବା ଡଙ୍ଗାଗୁଡ଼ିକ ଚାଳିଶିରୁ ଆରମ୍ଭ କରି ୧୪୦ କୁଇଣ୍ଟାଲ ଓଜନର ମାଲ ପରିବହନ କରୁଥିଲେ । ହଣ୍ଟରଙ୍କର ଷ୍ଟାଟିଷ୍ଟିକାଲ ଆକାଉଣ୍ଟ୍ରୁ ଏହି ଡଙ୍ଗାଗୁଡ଼ିକରେ ବୁହାହେଉଥିବା ମାଲମାତାର ଓଜନ ୨୫୦ କୁଇଣ୍ଟାଲ ପାଖାପାଖି ଜଣାଯାଏ ।
ଅର୍ଥାତ, ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ, ମହାନଦୀର ନାବିକମାନେ ବହୁ ଓଜନ ବିଶିଷ୍ଟ ମାଲ ପରିବହନ କରିବାରେ ଅଭ୍ୟସ୍ତ ଥିଲେ । କଟକର ଉପର ମୁଣ୍ଡରେ ୨୪୦ କିଲୋମିଟର ପର୍ଯ୍ୟନ୍ତ, ଅର୍ଥାତ ବିନିକା ଯାଏଁ, ଛୋଟ ନାବଗୁଡ଼ିକ ବର୍ଷ ସାରା ଚଳପ୍ରଚଳ ହୋଇପାରୁଥିଲେ । ମହାନଦୀରେ ଯଥେଷ୍ଟ ପାଣି ଥିବା ସମୟରେ ରାୟପୁରର ୩୫ କିଲୋମିଟର ପୂର୍ବରେ ଥିବା ଅରଙ୍ଗ ପର୍ଯ୍ୟନ୍ତ ଡଙ୍ଗାଗୁଡ଼ିକ ଗତି କରିପାରୁଥିଲେ । ମାତ୍ର ଛତିଶଗଡ଼ରେ ପ୍ରାୟତଃ ନାବଗୁଡ଼ିକରେ ମହାନଦୀର ଶାଖା ନଦୀ ଶେଓନାଥ ଉପକୂଳରେ ସ୍ଥିତ ନନ୍ଦଘାଟ ଠାରେ ହିଁ ମାଲ ଭର୍ତ୍ତି କରାଯାଉଥିଲା ।
ମହାନଦୀ୍ରେ ଯାତ୍ରା ପାଇଁ ନାବିକମାନଙ୍କୁ ବହୁତ କୌଶଳ ପ୍ରୟୋଗ କରିବାକୁ ପଡ଼ୁଥିଲା । ମୌସୁମୀ ସମୟରେ ଏହି ଡଙ୍ଗାଗୁଡ଼ିକର ଗତି ଘଣ୍ଟାକୁ ଆଠରୁ ଦଶ କିଲୋମିଟର ଯାଏଁ ଥିଲା । ଗ୍ରୀଷ୍ମ କାଳରେ ଏହା ଘଣ୍ଟା ପିଛା ତିନି କିଲୋମିଟରକୁ ଖସି ଆସୁଥିଲା । ଏଣୁ ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଯାତ୍ରା ବର୍ଷା ଦିନେ ମାତ୍ର ଚାରି ଦିନ ଏବଂ ଅନ୍ୟ ୠତୁରେ ୧୨-୧୫ ଦିନ ପର୍ଯ୍ୟନ୍ତ ସମୟ ନେଉଥିଲା । ମହାନଦୀ ଉପରେ ଅବସ୍ଥିତି ଯୋଗୁଁ ହିଁ ସମ୍ବଲପୁର ତଥା ସୋନପୁର ପଶ୍ଚିମ ଓଡ଼ିଶାର ଗୁରୁତ୍ତ୍ୱପୂର୍ଣ୍ଣ ବାଣିଜ୍ୟିକ ପେଣ୍ଠ ଥିଲେ ।
୧୮୦୩ ମସିହାରେ ଓଡ଼ିଶା ବିଜୟ ପରେ ଆମେ ଔପନିବେଶିକ ମହଲରେ ଛତିଶଗଡ଼ରୁ ଜିନିଷ ରପ୍ତାନୀ ପାଇଁ ମହାନଦୀର ଗୁରୁତ୍ତ୍ୱ ବିଷୟକ ଅନେକ ଆଲୋଚନା ଆମେ ଶୁଣିବାକୁ ପାଉ । ୧୮୬୦ ଦଶକର ପ୍ରାରମ୍ଭରେ ସାର ରିଚାର୍ଡ଼ ଟେମ୍ପଲ ଲେଖନ୍ତି ଯେ, ବାର୍ଷିକ ସୋନପୁରକୁ ୨୦୦, କଟକକୁ ୨୦୦, ବିନିକାକୁ ୩୦୫ ଓ ସମ୍ବଲପୁରକୁ ୫୦୦ ପାଖାପାଖି ଡଙ୍ଗା ବାଣିଜ୍ୟ ଉଦ୍ଦେଶ୍ୟରେ ଛତିଶଗଡ଼ରୁ ଧାଡ଼ି ଦେଉଥିଲେ ।
ଛତିଶଗଡ଼ରୁ କଟକକୁ ଆସୁଥିବା ମାଲମତାର ଓଜନ ପ୍ରାୟ ୧୯୦୦ ଟନ୍ (୧୫୨, ୫୪୧ ଟଙ୍କା ମୂଲ୍ୟର) ଓ କଟକରୁ ଛତିଶଗଡକୁ ଯାଉଥିବା ଜିନିଷର ଓଜନ ପ୍ରାୟ ୯୪୦ ଟନ୍ ( ୭୭,୧୮୭ ଟଙ୍କା ମୂଲ୍ୟର) ଥିଲା । ଏହା ଥିଲା ବ୍ରିଟିଶ ଓଡ଼ିଶା ଓ ଛତିଶଗଡ଼ ଭିତରେ ମହାନଦୀରେ ବାଣିଜ୍ୟରେ ହିସାବ ।
ମହାନଦୀ ଉପରେ ଘଟୁଥିବା ସ୍ଥାନୀୟ ବାଣିଜ୍ୟ ବୋଧେହୁଏ ପରିମାଣରେ ଏହାର ବହୁ ଗୁଣ ଥିଲା । ଯଥା
ଅନୁଗୁଳରୁ କଟକ ପର୍ଯ୍ୟନ୍ତ କାଠଗଡ଼ ଭସାଯାଇ ବ୍ୟାବସାୟିକ ଉପଯୋଗ ପାଇଁ ବ୍ୟବହାର କରାଯଉଥିଲା ।
ଏହା ଉପରୋକ୍ତ ଛତିଶଗଡ଼-ବ୍ରିଟିଶ ଓଡ଼ିଶାର ବାଣିଜ୍ୟର ହିସାବରୁ ବାହାରେ ।
ମହାନଦୀ ଯୋଗୁଁ ହିଁ ଓଡ଼ିଶାର ଆଭ୍ୟନ୍ତରୀଣ ବାଣିଜ୍ୟ, ଔପନିବେଶିକ ଶାସନ ଉନବିଂଶ ଶତାବ୍ଦୀର ତୃତୀୟ ଚଉଠ ପର୍ଯ୍ୟନ୍ତ ପାକଳ ନ ହେବା ପର୍ଯ୍ୟନ୍ତ, ଏକ ପଶ୍ଚିମ-ଦକ୍ଷିଣପୂର୍ବ କର୍ଣ୍ଣ ଦେଇ, ନଈର ପ୍ରବାହର ସହ ସଙ୍ଘଟିତ ହେଉଥିଲା । ବ୍ରିଟିଶ ଶାସନ କଳର ପ୍ରଭାବରେ ରେଳ ଇତ୍ୟାଦି ଫିଟି ଯିବାରୁ ଧିରେ ଧିରେ କଲିକତା ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ବଢ଼ିଲା ଓ ଆପେକ୍ଷିକ ଭାବରେ ଛତିଶଗଡ଼ ଓ ଗଡ଼ଜାତମାନଙ୍କ ସହିତ ବ୍ରିଟିଶ ଓଡ଼ିଶାର ମହାନଦୀ ଦେଇ ଘଟୁଥିବା ବାଣିଜ୍ୟର ଗୁରୁତ୍ୱ ଛିଡ଼ିବାକୁ ଆରମ୍ଭ କଲା । ଏହି ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।
ଗ୍ରନ୍ଥସୂଚୀ
ରବି ଆହୁଜା । ୨୦୦୪ । “‘ଓପନିଙ୍ଗ ଅପ୍ ଦି କଣ୍ଟ୍ରି’ ? ପ୍ୟାଟର୍ଣ୍ଣସ୍ ଅଫ୍ ସିର୍କୁଲେସନ୍ ଆଣ୍ଡ୍ ପଲିଟିକ୍ସ୍ ଅଫ୍ କମ୍ୟୁନିକେଶନ ଇନ୍ ଅର୍ଲି କଲୋନିଆଲ୍ ଓଡ଼ିଶା” । ଷ୍ଟଡ଼ିଜ୍ ଇନ୍ ହିଷ୍ଟ୍ରୀ ୨୦(୧) : ୭୩-୧୩୦ ପୃଷ୍ଠା ।
ଥମାସ୍ ମୋଟ୍ଟ୍ । ୨୦୧୦ । “ଏ ନ୍ୟାରେଟିଭ୍ ଅଫ୍ ଏ ଜର୍ଣ୍ଣି ଟୁ ଦି ଡାଇମଣ୍ଡ ମାଇନ୍ସ୍ ଆଟ୍ ସମ୍ଭଲପୁର୍, ଇନ୍ ଦି ପ୍ରୋଭିନ୍ସ୍ ଅଫ୍ ଓଡ଼ିଶା” । ଫୋର୍ କର୍ଣ୍ଣର୍ସ୍ ତଥା ପ୍ରଫୁଲ୍ଲ ।
ଏଚ୍.ଏଚ୍. ଡଡ୍-ୱେଲ୍ (ସମ୍ପାଦକ) । ୧୯୨୯ । “ଦି କେମ୍ବ୍ରିଜ୍ ହିଷ୍ଟ୍ରୀ ଅଫ୍ ଦି ବ୍ରିଟିଶ୍ ଏମ୍ପାୟାର୍: ଭଲ୍ୟୁମ୍ ୪” (୧୪୯୭-୧୮୫୮) । କେମ୍ବ୍ରିଜ୍ ୟୁନିଭର୍ସିଟି ପ୍ରେସ୍ : କେମ୍ବ୍ରିଜ୍ ।
ଟୀକା: ଏହି ଲେଖାଟି "ସମ୍ଭାବନା" ପତ୍ରିକାର ଅଗଷ୍ଟ ୨୦୧୭ ସଙ୍ଖ୍ୟାରେ 'ଓଡ଼ିଶାର ଗମନାଗମନ ଓ ମହାନଦୀର ମହାଦାନ' ଶୀର୍ଷକରେ ପ୍ରଥମେ ପ୍ରକାଶିତ ହୋଇଥିଲା ।
Quite Informative.
ReplyDeleteThanks.
DeleteVery good piece of reseach.
ReplyDeleteThank you.
DeleteThanks for the highly informative and readable piece of narrative. Congrats for the painstaking research you are so eminently capable of. God bless you.
ReplyDeleteThanks for your kind feedback. But this is barely scratching the surface only. Regards.
DeleteA very good piece
ReplyDeleteThank you.
DeleteIt is quite interesting and factual
ReplyDeleteThank you for your kind feedback. regards.
Delete