Saturday, December 12, 2020

ମେଗାନ୍ ହଲ୍‌ଙ୍କ କବିତା 'ମଞ୍ଜି'

ଅନୁବାଦକ - ଶୈଲେନ ରାଉତରାୟ


ନେପଲ୍ସ୍‌ଠାରେ ସ୍ଥିତ ସ୍ଥାପତ୍ୟ 'ଇଲ୍ କାଭାଲେରିଓ ଦି ତଲେଦୋ'
ଦକ୍ଷିଣ ଆଫ୍ରିକାର ୱିଲିଅମ୍ କେଣ୍ଟ୍ରିଜ୍‌ଙ୍କର କଳାକୃତି


 
 ମୋ ଛାତିର ଗୁମ୍ଫାର ଭିତରେ
ଗୋଟିଏ ମଞ୍ଜି ।
ତୁମେ ମୋ ଛାତିକୁ ଯେତେ କେଞ୍ଚିଲେ ବି
ସେ ରହିବ
ଏବେ ଯେଉଁଠି ଅଛି, ସେଇଠି ।
 
ଫୁଲ ହୋଇ ଫୁଟିବ 
ସେ କେଉଁ ଅନାଗତ ଦିବସରେ
ଉପଯୁକ୍ତ ଖାଦ, ପାଣି ପାଇ;
ଚେର ତା’ର ଲମ୍ବେଇଯିବ ;
ତା’ର ସ୍ୱପ୍ନସବୁ ଫୁଲ ହୋଇ ଫୁଟିବେ ;
ଆଉ ମୋ ଚମ ସାରା ବ୍ୟାପିଯିବ ବିଷାକ୍ତ ତା' ଛାଇ।
 
ଝିଅଠାରୁ ମା’ର
ଆଉ କିଏ ଅଧିକ ଆତ୍ମୀୟ ?
ଏକ ଲିଙ୍ଗ, ଅଧା ସାଧାରଣ ଆନୁବଂଶିକତା,
ଆଉ ଏକା ଦେଖାଯିବା ଲାଗି ଅନେକ ଅପେକ୍ଷା
 
ମାତ୍ର ମୁଁ କେତେ ମୋ ମା’ ଭଳି ?
ଆତ୍ମହନ୍ତା, ସେକ୍ରେଟାରୀ,
ନାଚିବା ପାଇଁ ଯିଏ ଥିଲା ନିର୍ଘାତ ପାଗେଳୀ ।

ହେଲେ କେମିତି କରିବି ମନା
ଏ ଉତ୍ତରାଧିକାରେ ?
କେମିତି କରିବି ମନା
ଏଇ ବାଳୁଙ୍ଗା ଲତାକୁ ?
ମା’ର ସ୍ୱପ୍ନର ଭବିଷ୍ୟତରେ ଫାଟୁଥିବା
ପାଗଳ ଫୁଲଙ୍କୁ ?
 
କିନ୍ତୁ ଏହି ଫୁଲ ଫୁଟେ ସବୁ ଆଡ଼େ,
ଆଉ ଫଳ ବନେ ସପ୍ତାହାନ୍ତେ ଲଜ୍ଜାର ଖୁଆଡ଼େ ।
 
ଆମେ ସବୁ କଞ୍ଚା ଫଳ ତୋଳୁ ନିର୍ଲ୍ଲଜ ଭାବରେ
ଆଉ ପବିତ୍ର କୃତଘ୍ନତାର ସହ ପ୍ରାର୍ଥନା ବି କରୁ,
କି ମଞ୍ଜିସବୁ ଶାନ୍ତି ଲଭୁ ବସନ୍ତ-ଶବରେ ।

କବି ପରିଚିତି: ମେଗାନ୍ ହଲ୍ (ଜନ୍ମ – ୧୯୭୨) ଙ୍କର ଜନ୍ମ ଓ ଶିକ୍ଷା ଉଭୟ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍ ନଗରରେ । ୧୯୯୫ ମସିହାରୁ ସେ ପ୍ରକାଶନ ଶିଳ୍ପରେ କାମ କରିଆସିଛନ୍ତି । ସେ ୨୦୧୮ ମସିହା ପର୍ଯ୍ୟନ୍ତ ଅକ୍ସଫୋର୍ଡ଼୍ ୟୁନିଭର୍ସିଟି ପ୍ରେସ୍‌ର ଦକ୍ଷିଣ ଆଫ୍ରିକା ଶାଖାରେ କାର୍ଯ୍ୟରତ ଥିଲେ । ତାଙ୍କର ପ୍ରଥମ କବିତା ସଙ୍କଳନ ‘ଫୋର୍ଥ୍ ଚାଇଲ୍ଡ୍’ - ‘ଚତୁର୍ଥ ସନ୍ତାନ’ - ନିମନ୍ତେ ସେ ୨୦୦୮ ମସିହାର ସମ୍ମାନଜନକ ଇନଗ୍ରିଡ଼୍ ଜଙ୍କର୍ ପୁରସ୍କାର ଲାଭ କରିଛନ୍ତି ।

4 comments:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....