Sunday, February 7, 2021

'ବିତର୍କ ଓ ବ୍ୟାଖ୍ୟାନ:' ଏକ ସମୀକ୍ଷା 

ଶୈଲେନ ରାଉତରାୟ



୨୦୦୮ ମସିହା ଡିସେମ୍ବର ମାସର ଏକ ନିଦା ଅପରାହ୍ଣ । ଏ ସମୀକ୍ଷକ କଟକରେ କୌଣସି କାମ ନିମନ୍ତେ କାଠଯୋଡ଼ି ନଈ କୂଳରେ ସେଆର୍ ଅଟୋ-ରେକ୍ସାରେ ହାଇକୋଟ୍ ଆଡ଼କୁ ଯାଉଥାଏ । ବାଟରେ ଗୋଟିଏ ଛକରେ ଜଣେ ବାବୁ ଓହ୍ଲାଇ କରି ପଚାଶ ଟଙ୍କାଟିଏ ରେକ୍ସାବାଲାକୁ ଧରାଇଲେ । ବଦଳରେ ରେକ୍ସାବାଲାଜଣଙ୍କ ଚାରୋଟି ଦଶ ଟଙ୍କିଆ ନୋଟ୍ ଓ କିଛି ଖୁଚୁରା ପଇସା ଫେରାଇଲେ । ଗୋଟାଏ ନୋଟ୍ ଚିକିଏ ଧତଡ଼ା ଥିବାରୁ ସବାରୀ ଜଣକ ସେହି ନୋଟ୍ ବଦଳରେ ଆଉ ଗୋଟିଏ ନୋଟ୍ ମାଗିଲେ । ରେକ୍ସାବାଲାଜଣଙ୍କ ଧିରେ ଧିରେ ନିଜ ମୁଣା ଭିତରେ ଖୋଜିଲେ ଆଉ ଖଡ଼ଖଡ଼ିଆତଟକା ଦଶଟଙ୍କିଆ ନୋଟ୍ ଗୋଟିଏ ସବାରୀଙ୍କର ହାତରେ ଧରାଇଦେଇ କହିଲେ, 'ବାବୁନିଅ । ପୋତିବ। ଏଇ ତିନୋଟି ଶବ୍ଦ ପଛରେ କେତେ ଶହ ବର୍ଷର ସଭ୍ୟତା ଓ ଭାଷାକୁ ନେଇ କେତେ ପରିମାଣର ଖେଳୁଆଡ଼ ମନୋଭାବ ଉଙ୍କିମାରେ ?

ହେଲେ ଭାଷାର ଏପରି ଖେଳୁଆଡ଼ ବ୍ୟବହାର ବୋଧେହୁଏ ହ୍ରାସ ପାଇ ଚାଲିଛି । ଭାରତ ସାରାବିଶେଷତଃ ଓଡ଼ିଶାରେଆମେ ଏଇ କେଇ ଦଶନ୍ଧି ନେଇ ଏକ ଅସମ୍ଭବ ପରିସ୍ଥିତିରେ ପହଞ୍ଚିଛେ । ଭାଷାକୁ ନେଇ ଅସ୍ମିତା ଓ ଅହଙ୍କାରର ତୋଡ଼ ଯେତେ ପରିମାଣରେ ବଢ଼ି ଚାଲିଛିଭାଷାକୁ ନେଇ ଖେଳଭାଷାର ସୃଜନାତ୍ମକ ବ୍ୟବହାରସେତିକି ପରିମାଣରେ କମି କମି ଚାଲିଛି । ଏହି ଅବସ୍ଥାକୁ ବୁଝିବାକୁ ହେଲେ ଆମକୁ ଏକ ପ୍ରାଥମିକ ପ୍ରଶ୍ନର ଉତ୍ତର ସ୍ଥିର କରିବାକୁ ପଡ଼ିବ । 

ପ୍ରଶ୍ନଟି ହେଲା କି ଏହି ଦୁଇଟି ପ୍ରକ୍ରିୟା - ଗୋଟିଏ ଦିଗରେ ଭାଷାକୁ ନେଇ ଅସ୍ମିତାର ରାଜନୀତିଓ ଅନ୍ୟ ପଟରେ ଭାଷାର ବ୍ୟବହାର ଏବଂ ଭାଷାକୁ ନେଇ ଖେଳର ପରିମାଣ ଓ ମାନ ହ୍ରାସ ମଧ୍ୟରେ ସମ୍ପର୍କ ଅଛି କି ନାହିଁ । ଏ ସମୀକ୍ଷକର କୁନି ବୁଦ୍ଧିର ଛୋଟ ଉତ୍ତର ହେଲା - ହଁ । ଅଛି । ଭାଷାକୁ ନେଇ ଅସ୍ମିତାର ରାଜନୀତିର ବିଷ ପ୍ରଭାବ ଯୋଗୁଁ ହିଁ ବର୍ତ୍ତମାନ ଓଡ଼ିଆ ଭାଷା ଅବକ୍ଷୟମୁଖୀ । ଏହାର ଗ୍ରହଣଯୋଗ୍ୟ କାରଣମାନ ଦେବାକୁ ହେଲେ ମୋଟା ଗ୍ରନ୍ଥଟିଏ ବୋଧହୁଏ ଲେଖିବାକୁ ପଡ଼ିବ ।

ମାତ୍ର ସମୀକ୍ଷାଧିନ ବହିଟିକୁ ଆମେ ଏହିପରି ଏକ ବୌଦ୍ଧିକ ପ୍ରକଳ୍ପର ଏକ ବଂଶଲତା ଭାବରେ ଦେଖିପାରିବା । ବହିଟିରେ ଲେଖକ ଶ୍ରୀ ଗୌରାଙ୍ଗ ଚରଣ ଦାଶଙ୍କର ପ୍ରାକ୍-ଲିଖିତ ଚାରୋଟି ପ୍ରବନ୍ଧ ସଙ୍କଳିତ ହୋଇଛି । ପ୍ରବନ୍ଧଗୁଡ଼ିକ ଆଗରୁ 'ଏଷଣାପତ୍ରିକାର ପୃଷ୍ଠାରେ ଛପାଯାଇଥିଲା ଓ ପ୍ରଥମ ଥର କରି ବହିଟିରେ ଗୋଟିଏ ଯାଗାରେ ସ୍ଥାନିତ ହୋଇଛନ୍ତି । ପ୍ରଥମ ପ୍ରବନ୍ଧଟି ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ଓଡ଼ିଶାର ଇତିହାସ ବିଷୟରେ । ଦ୍ୱିତୀୟ ପ୍ରବନ୍ଧଟି ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ବିରଚିତ ଶବ୍ଦତତ୍ତ୍ୱବୋଧ ଅଭିଧାନକୁ ନେଇ ଓଡ଼ିଆ ସାହିତ୍ୟର ଶାଶୁମାନଙ୍କର ଦାଣ୍ଡକଳିର ଏକ ଆଲେଖ୍ୟ । ତୃତୀୟ ପ୍ରବନ୍ଧଟି ପ୍ରହରାଜ ମହାଶୟଙ୍କର ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଧରି ଓଡ଼ିଆ ସାହିତ୍ୟର ଦିଗ୍ଗଜମାନଙ୍କର ମଧ୍ୟରେ ବାଦିପାଲା ବିଷୟକ ଏକ ଟେକ୍ସଟ୍ । ବହିଟିର ଚତୁର୍ଥ ତଥା ଅନ୍ତିମ ପ୍ରବନ୍ଧଟି ବାଜି ରାଉତଙ୍କୁ ଭିତ୍ତି କରି ରାଜନୀତିର କବିତା ଓ କବିତାର ରାଜନୀତି ସମ୍ପର୍କରେ ଏକ ଆଲୋଚନା ।

ଲେଖକଙ୍କର ଭାଷାରେ ଏଇ ଲେଖାଗୁଡ଼ିକ 'ଓଡ଼ିଆ ଜାତିର ଅସ୍ମିତା ସଂରଚନା ପ୍ରକ୍ରିୟାରେ ହେତୁ ଖୋଜା' (ପୃଷ୍ଠା - ୬) । ଲେଖକ ନିଜେ ସ୍ୱୀକାର କରନ୍ତି ଯେକୌଣସି ଜାତିର ଜାତୀୟତା ଓ ଅସ୍ମିତା ଏକ 'କାଳ୍ପନିକ ସମ୍ପ୍ରତ୍ୟୟ' ; ଅର୍ଥାତ୍ ଏହି ପ୍ରକାରର ଅସ୍ମିତା ତଥା ଜାତୀୟତା କେଉଁ ଆବାହମାନ କାଳର଼ୁ ପ୍ରାକୃତିକ ଭାବରେ ବହି ଆସି ନାହିଁ । ଅନ୍ୟ ଯେକୌଣସି ମାନବୀୟ ଅବବୋଧ ପରି ଏହା କାଳାଶ୍ରୟୀ । 

ଉନବିଂଶ ଓ ବିଂଶ ଶତାବ୍ଦୀରେ ୟୁରୋପୀୟ ଦେଶମାନେ ନିଜର ରାଷ୍ଟ୍ରତନ୍ତ୍ର ଓ ସାମରିକ ଶକ୍ତି ବଳରେ ପୃଥିବୀର ଅର୍ଦ୍ଧାଧିକ ଅଂଶରେ ନିଜର ଶାସନତନ୍ତ୍ରର ଉପନିବେଶ ବସାଇ ସାରିଲା ପରେତାହାର ଏକ ପ୍ରତିକ୍ରିୟା ଭାବରେ ହିଁ ପୃଥିବୀର ବିଭିନ୍ନ ଜାଗାରେ ଜାତୀୟତାବାଦର ଉନ୍ମେଶ ଘଟିଲା । ଏହି ଅନେକ ଜାତିମାନଙ୍କ ଭିତରୁ (ଏଠାରେ ଇଂରାଜୀ ଶବ୍ଦ 'ନେଶନ୍'ର ପର୍ଯ୍ୟାୟବାଚି ଭାବରେ ଜାତି ଶବ୍ଦର ବ୍ୟବହାର କରାଯାଉଛି) ଓଡ଼ିଆ ଜାତି ଅନ୍ୟତମ । 

ତେଣୁକରି ଓଡ଼ିଆ ଜାତିର ଇତିହାସ ଶୀର୍ଷକ ରଖିବହିଟିଏରେ ଦୁଇ ହଜାର ବର୍ଷ ତଳର ଘଟଣାବଳୀ ଲେଖିବା ତର୍କସଙ୍ଗତ ନୁହେଁ । କାରଣ ଆମେ ଓଡ଼ିଆ ଜାତି କହିଲେ ଏବେ ଯାହା ବୁଝୁସେହି ବସ୍ତୁଟିର ଇତିହାସ ଓ ଜୀବନକାଳ ଦେଢ଼ଶହ ବର୍ଷରୁ ଅଧିକ ନୁହେଁ । ବର୍ତ୍ତମାନ କାଳରେ ମଧ୍ୟ ଓଡ଼ିଆ ଜାତି ବୋଲି ଗୋଟିଏ ବସ୍ତୁର ସ୍ଥିତି ଅଛି କି ନାହିଁ ସେ ବିଷୟରେ ପ୍ରଶ୍ନ କରାଯାଇପାରେ । ମାତ୍ର ଏହା ନିର୍ବିବାଦ ଯେ 'ଓଡ଼ିଆ ଜାତି' (ଏହି ବସ୍ତୁଟି କାଳ୍ପନିକ ହେଉ ବା ବାସ୍ତବବର୍ତ୍ତମାନର ଆଲୋଚନା ନିମନ୍ତେ ସେଥିରେ କିଛି ବିଶେଷ ଫରକ ପଡ଼ିବ ନାହିଁ) ବିଷୟରେ କଥାବାର୍ତ୍ତା ଓ ଆଲୋଚନା ୧୫୦ ବର୍ଷରୁ ଅଧିକ ନୁହେଁ ।

ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ବର୍ତ୍ତମାନ ଓଡ଼ିଶା ବୋଲି କୁହାଯାଉଥିବା ଭୂଖଣ୍ଡଟି ଥିଲା ଉପନିବେଶର ଉପନିବେଶ । କେଉଁ ଅଞ୍ଚଳରେ ବଙ୍ଗାଳୀ ଭୂସ୍ୱାମୀମାନେ ଜମି ବନ୍ଦୋବସ୍ତ ମାଧ୍ୟମରେ ଓଡ଼ିଆ ଜମିଦାର ଓ ଚାଷୀମାନଙ୍କୁ ଲଣ୍ଡଭଣ୍ଡ କରୁଥିଲେ ତ ଆଉ କେଉଁଠି ତେଲୁଗୁଭାଷୀମାନେ ସବୁ ସରକାରି ଚାକିରୀଗୁଡ଼ିକୁ ମାଡ଼ି ବସିଥିଲେ । 

ଯେହେତୁ ସେହି ସମୟରେ ବଙ୍ଗଳା ଭାଷା କହୁଥିବା ଜନଗୋଷ୍ଠୀଗୁ଼ଡ଼ିକ ଇଂରେଜମାନଙ୍କର ଦେଖାଶିଖା ଏକ ଜାତି ବା ନେଶନ୍ ହିସାବରେ ନିଜର ଆତ୍ମପରିଚୟ ଦେବାକୁ ଆରମ୍ଭ କରିଥିଲେନିଜର ସ୍ୱାର୍ଥସିଦ୍ଧି ପାଇଁ କେତେକ ନିର୍ଦ୍ଦିଷ୍ଟ ଓଡ଼ିଆଭାଷୀ ଜନଗୋଷ୍ଠୀ - ମୂଳତଃ ବ୍ରାହ୍ମଣକରଣଖଣ୍ଡାୟତ ଓ ତଥାକଥିତ 'ରାଜପୁତ' - ନିଜର ବୃହତ୍ତର ଆତ୍ମପରିଚୟ ଓଡ଼ିଆ ଜାତି - (କେବଳ ଓଡ଼ିଆ ଭାଷୀ ହିସାବରେ ନୁହେଁ) ଦେବାକୁ ଆରମ୍ଭ କଲେ । 

ଭାଷା-ଭିତ୍ତିକ ଜାତିବୋଧ ଓ ଜାତୀୟତାବୋଧ ମୂଳତଃ ଏକ ଭାରତୀୟ ଅବବୋଧ ନୁହେଁ । ଏହା ଏକ ଔପନିବେଶୀୟ ଆମଦାନୀ । ଏହି ଜନଗୋଷ୍ଠୀଗୁଡ଼ିକ 'ଓଡ଼ିଆଜାତି ହିସାବରେ ନିଜର ପରିଚୟ ଦେବା ଆରମ୍ଭ କରିବା ଯୋଗୁଁ ମୂଖ୍ୟତଃ ଯୋଡ଼ିଏ ଫଳ ଫଳିଲା । ପ୍ରଥମତଃ କେଇଟି ହାତଗଣତି ଜାତିର ଭାଷା ଓଡ଼ିଆ ଭାଷା ଓ ସେମାନଙ୍କର ପରମ୍ପରା ଓଡ଼ିଆ ପରମ୍ପରା ଭାବରେ ପରିଚିତି ଓ ସ୍ୱୀକୃତି ପାଇଲା । ଦ୍ୱିତୀୟତଃ ଏହି ଜନଗୋଷ୍ଠୀଗୁଡ଼ିକ 'ଓଡ଼ିଆଭାବରେ ନିଜର 'ଜାତୀୟତା'କୁ ଏକ ଅସ୍ତ୍ର ଭାବରେ ବଙ୍ଗାଳୀତେଲୁଗୁ ଓ ହିନ୍ଦୀ ଭାଷୀମାନଙ୍କ ବିରୁଦ୍ଧରେ ପ୍ରୟୋଗ କରି ଔପନିବେଶିକ ରାଷ୍ଟ୍ର ଉପରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଏକ ବାଟ ଖୋଜି ପାଇଲେ ।

ଗୌରାଙ୍ଗବାବୁଙ୍କର ଲେଖାଗୁଡ଼ିକରେ ଆମେ ଏପରି ଏକ ଅବସ୍ଥାର ପ୍ରତିଫଳନ ଦେଖିବାକୁ ପାଇବା । ଯଦି ପୁରୀ ଓ କଟକର ବ୍ରାହ୍ମଣ ଓ କରଣ ମାନଙ୍କର ଭାଷା ହେଲା ଓଡ଼଼ିଆ ଭାଷାତାହାହେଲେ ଓଡ଼ିଶାର ବ୍ରାହ୍ମଣକରଣଖଣ୍ଡାୟତ ଓ ରାଜପୁତ ମାନଙ୍କର ଘର କଳି ଓଡ଼ିଶାର ଜାତୀୟ ବିବାଦ ନହେବ ବା କାହିଁକି । ଉଭୟ ଗୋପୀନାଥ ନନ୍ଦଶର୍ମା କୃତ 'ଶବ୍ଦତତ୍ତ୍ୱବୋଧ ଅଭିଧାନଓ ଗୋପାଳଚନ୍ଦ୍ର ପ୍ରହରାଜ କୃତ 'ପୂର୍ଣ୍ଣଚନ୍ଦ୍ର ଭାଷାକୋଷସେଇଥିପାଇଁ ଅନେକ ଓଡ଼ିଆ ଜାତୀୟତାବାଦୀମାନଙ୍କର ଗାତ୍ରଦାହ କରିଛି । 

କାରଣ ଏ ଉଭୟ ଭାଷାର ମୁକ୍ତେଶ୍ୱର ଓ କୋଣାର୍କ ତରବରରେ ଏକାଠି କରାହୋଇଥିବା 'ଓଡ଼ିଆଜାତୀୟ ଆତ୍ମପରିଚୟର ଦାଏରାର ସଙ୍କୀର୍ଣ୍ଣତାକୁ ଆଖିରେ ଆଙ୍ଗୁଳି ଗେଞ୍ଜି ଦେଖିଇଛନ୍ତି । ତଥାକଥିତ ଇତର ଲୋକଙ୍କର ହେୟ ଶବ୍ଦଗୁଡ଼ିକୁ ଆଦରରେ ସାଉଁଟି ଆଣି ଗଳାର ମାଳ କରିଛନ୍ତିରଙ୍କୁଣି ନୀଳା ପାଇଲା ପରି ସ୍ନେହ କରିଛନ୍ତି । ସାହିତ୍ୟର ଶାଶୁମାନଙ୍କ ଆଡ଼କୁ ଅନେଇ କାମରେ ଖଇଚା କରିନାହାନ୍ତି । ଶାଶୁମାନଙ୍କର ଗଞ୍ଜଣା ଓ ଗାଳି ଗୁଡ଼ିକୁ ଆଦୌ ଶୁଣିନାହାନ୍ତି । ଶବ୍ଦ ସହିତ ଖେଳିଛନ୍ତି ଆଉ ଉତ୍ତରପୁରୁଷଗୁଡ଼ିକ ସେହି ଖେଳ ଖେଳିବାର ଅବକାଶ ସୃଷ୍ଟି କରିଛନ୍ତି ।

କିନ୍ତୁ ଅକ୍ଲାନ୍ତ ପରିଶ୍ରମର ଫଳସ୍ୱରୂପ, ଏହି 'ଜାତୀୟ' କର୍ମର କର୍ମୀଙ୍କୁ ମିଳିଛି  ଧିକ୍କାର । ପ୍ରହରାଜଙ୍କୁ ଅଧିକ ଗାଳିମନ୍ଦ ଶୁଣିବାକୁ ପଡ଼ିଛିକାରଣ ସେ ଜାତୀୟତାବାଦର ଓ ଜାତୀୟତାବାଦୀ ଆନ୍ଦୋଳନର ଅନ୍ଧ ସମର୍ଥକ ନଥିଲେ । ଭାଷା ଓ ଜାତୀୟତାକୁ ନେଇ ସହମତିର ଅନ୍ଧ ସମୀକରଣକୁ ସେ ସ୍ୱୀକାର କରିନାହାନ୍ତି । ଏହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଛି । ଏ ଉଭୟଙ୍କର ଉପରେ ସାହିତ୍ୟର ବଡ଼ପଣ୍ଡାମାନଙ୍କର ଷଣ୍ଢୁଆସୀ ଆକ୍ରମଣ କିନ୍ତୁ ଆମକୁ ଗୋଟିଏ ଦିଗ ବିଷୟରେ ଅବଶ୍ୟ ସଚେତନ କରାଇଦିଏ । 

ଭାଷାକୁ ନେଇ ଜାତୀୟତା ଲୋକଙ୍କୁ ପ୍ରମତ୍ତ କରିଛିକ୍ଷୁଦ୍ର ସ୍ୱାର୍ଥକୁ ବୃହତ୍ତର ସ୍ୱାର୍ଥ ଭାବରେ ଚଳାଇ ନେବାପାଇଁ ବାଟ ଦେଖାଇଛି । ହେଲେ ତଥାକଥିତ ସମ୍ଭ୍ରାନ୍ତ ବର୍ଗର ବାହାରେ, ଗଞ୍ଜାମିଆକୁ ମୟୁରଭଞ୍ଜିଆ ସହିତ ଯୋଡ଼ିପାରିନି । ଲୋକ ଲୋକ ଭିତରେ ସୌହାର୍ଦ୍ଦ୍ୟର ସେତୁ ଗଢ଼ିପାରିନି । ଲେଖକ ଶ୍ରୀ ଦାଶଙ୍କୁ ପଢ଼ିଲେ ବେଳେବେଳେ ଲାଗେ ଯେ, ଏହି ଦୋଷଗୁଡ଼ିକ କେତେ ଜଣ ବ୍ୟକ୍ତିଙ୍କର ବା କଟକ-କୈନ୍ଦ୍ରିକ/କଟକ-ମନସ୍କ କେତେଗୋଟି ଜନଗୋଷ୍ଠୀଙ୍କର । ଏତକ ଯଦି ମାନି ହୋଇଯାଆନ୍ତାତାହାହେଲେ ଆମର ସାମୁହିକ ଜୀବନ ସରଳ ଓ ସୁବିଧାଜନକ ହୋଇଯାଆନ୍ତା । ମାତ୍ର ସମସ୍ୟାର ଚେର ଆହୁରି ଗଭୀରରେ । ସମସ୍ୟାଟି ତାତ୍ତ୍ୱିକ ।

ଭାଷା-ଭିତ୍ତିକ ଜାତୀୟତା ଏକ ୟୁରୋପୀୟ ଅବଧାରଣା । ଭାରତୀୟ ଉପମହାଦେଶର ସାମାଜିକ ସଂରଚନାରେ 'ନେଶନ୍ଅର୍ଥରେ ଜାତିନାମକ ସାମୁହିକତାର ଅବସ୍ଥିତି ପାରମ୍ପରିକ ଭାବରେ ନଥିଲା । ଭାରତ ଇଂରେଜମାନଙ୍କର ଉପନିବେଶ ହୋଇସାରିବା ପରେ ହିଁ 'ଦେଖା ଶିଖା ଓଡ଼ିଆନ୍ୟାୟରେ ତେଲୁଗୁବଙ୍ଗାଳୀ ଓ ଓଡ଼ିଆ ଇତ୍ୟାଦି 'ଜାତି'ଟିମାନ ତିଆରିକରିବାର ଚେଷ୍ଟା ଓ ଉପକ୍ରମ ମାନ ଆରମ୍ଭ ହୋଇଛି । 

ଅର୍ଥାତ୍ଭାରତରେ ଜାତୀୟତାନିଜର ସମାଜର ରୂପ ପରିବର୍ତ୍ତନ କରିପ୍ରଭୁସମାଜ ପରି ଦିଶିବାରଏକ ଅପଚେଷ୍ଟାର ଅଂଶବିଶେଷ ମାତ୍ର । ଅଭିଧାନ/ଶବ୍ଦକୋଷକୁ ନେଇ ମୃତ୍ୟୁଞ୍ଜୟ ରଥଗୋଦାବରୀଶ ମହାପାତ୍ର ଇତ୍ୟାଦିଙ୍କର କୋଳାହଳଅସୁନ୍ଦର ସମାଲୋଚନାବ୍ୟକ୍ତିଗତ ବା ଆଞ୍ଚଳିକ ଦୋଷ ନୁହେଁ । ଏହା ଏକ ରୋଗର ଲକ୍ଷଣ ମାତ୍ର । 

ରୋଗର ଉପଚାର ନିମନ୍ତେ ଆମକୁ ନିଜ ସମାଜର ସଂରଚନାର ଗୁଣସୂତ୍ରଗୁଡ଼ିକୁ ଖୋଜିବାକୁ ପଡ଼ିବ । ଧାରକରା ଚଷମାଗୁଡ଼ିକୁ ଫିଙ୍ଗିଦେଇନିଜର ଅନୁଭୂତି ଓ ଚାରିପାଖର ଦୁନିଆକୁ ତଟକା ଆଖିରେ ଦେଖିବାକୁ ପଡ଼ିବ ।

ଏହି ଦୃଷ୍ଟି ଦେଇ ଆମେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ଓଡ଼ିଶାର ଇତିହାସକୁ ନୂଆ ଭାବରେ ଦେଖିପାରିବା । ଭାଷାଭିତ୍ତିକ ଜାତୀୟତା ନିର୍ମାଣ ପରି ଇତିହାସ ('ହିଷ୍ଟ୍ରୀଅର୍ଥରେ) ଏକ ପାରମ୍ପରିକ ଭାରତୀୟ ଅବବୋଧ ନୁହେଁ । ପ୍ରତ୍ୟେକ ମାନବଗୋଷ୍ଠୀ ଅତୀତମନସ୍କ । ଅତୀତ ବିଷୟରେ ଚିନ୍ତା ନକରିଅତୀତ ବିଷୟରେ ସମ୍ପ୍ରତ୍ୟୟ ସୃଷ୍ଟି ନକରିକୌଣସି ଜନସମୁହ ତିଷ୍ଠି ରହିପାରେନା । 

ଅତୀତମନସ୍କତା ସାର୍ବଜନୀନ । ମାତ୍ର ଇତିହାସ ମନସ୍କତାଏକାଡ଼େମିକ୍ ଅର୍ଥରେ ଇତିହାସର ତାତ୍ତ୍ୱିକ ଅବଧାରଣାସାର୍ବଜନୀନ ନୁହେଁ । ଏହା ଆଧୁନିକ ୟୁରୋପର କଳ୍ପଲୋକର ମାନସପୁତ୍ର । ପ୍ୟାରୀବାବୁଙ୍କର ପୁସ୍ତକଟିର ସାହିତ୍ୟ ଭାବରେ ନିଶ୍ଟୟ ଗୁରୁତ୍ତ୍ୱ ରହିଛି । ମାତ୍ର ଅତୀତ ସମ୍ପର୍କରେ ଏକ ସମ୍ପ୍ରତ୍ୟୟ ଭାବରେ ଏହି ବହିଟି ସେହି ସମୟର ଯୁଗଧର୍ମ ଓ ଯୁଗବୋଧର ପ୍ରତିଫଳନ ମାତ୍ର ।

ବାଜି ରାଉତଙ୍କ ବିଷୟରେ ଲିଖିତ ପ୍ରବନ୍ଧଟିକୁ ମଧ୍ୟ ଆମେ ଏହି ଦୃଷ୍ଟିରେ ଅବଲୋକନ କରିପାରିବା । ସଚ୍ଚି ରାଉତରାୟଅଦ୍ୱୈତଚନ୍ଦ୍ର ରାଉତ ଇତ୍ୟାଦିଙ୍କର କବିତାରେ ଅସଲ ବାଜି ରାଉତ କାହିଁ କେଉଠି ଲୁଚି ଯାଇଛନ୍ତି । ବାଜି ରାଉତଙ୍କୁ ନେଇ ଜାତୀୟତାବାଦୀ ସାହିତ୍ୟ ଅନେକ ମିଥ୍ୟା ଓ ଅର୍ଦ୍ଧସତ୍ୟକୁ ଭିତ୍ତି କରି ତିଆରି ହୋଇଛି । ଏହି କଥାଟିକୁ ଗୌରାଙ୍ଗ ବାବୁ ଦର୍ଶାଇଛନ୍ତି । ଏହା ସହିତ ନ୍ୟାରେଟିଭ୍ ଇତିହାସ ରଚନା ଶୈଳୀରେ ବାଜି ରାଉତ ବିଷୟରେ ଆମକୁ ଏକ ଅତି ସୁନ୍ଦର ଓ ରୋଚକ ଆଖ୍ୟାନ ମଧ୍ୟ ଦେଇଛନ୍ତି । 

ମାତ୍ର ପୁଣି ଆଉ ଥରେ ଶ୍ରୀ ଦାଶ ଦୋଷ ଜାତୀୟତାବାଦକୁ ଦେଇନାହାନ୍ତି । ଦୋଷ ଦେଖିଛନ୍ତି ବ୍ୟକ୍ତିର କିମ୍ବା ଗୋଷ୍ଠୀର । ଜାତୀୟତାବାଦ - ବିଶେଷତଃ ଭାଷା-ଭିତ୍ତିକ ଜାତୀୟତାବାଦ - ଯେ ଏକ ବିଶେଷ ପ୍ରକାରର ଆଖ୍ୟାନିକାଯାହାର ଆଧ୍ୟାତ୍ମିକ ଲୀଳାଭୂମି ପଶ୍ଚିମ ୟୁରୋପସେ ବିଷୟ ଆମେ ପାଶୋରି ଦେଲେ ଚଳିବ ନାହିଁ । ଆମର ସାମାଜିକ ବ୍ୟବସ୍ଥାରେସାହିତ୍ୟରେସାହିତ୍ୟ ଚର୍ଚ୍ଚାରେସମ୍ପ୍ରତି ଦେଖାଯାଉଥିବା ବିକୃତିଗୁଡ଼ିକ ଏକ ଔପନିବେଶବାଦ-ଜନିତ ଅନୁକରଣଶୀଳତାରୁ ଶକ୍ତି ଆହରଣ କରନ୍ତି । 

ଏହି ଅନୁକରଣଶୀଳତା ଯୋଗୁଁ ଆମେ ଆମର ସମାଜ-ସଂସ୍କାରର ପରିକଳ୍ପନାକୁ ରାଷ୍ଟ୍ରଭିତ୍ତିକ ଓ ରାଷ୍ଟ୍ରାଶ୍ରୟୀ କରିଛୁ । ଓଡ଼ିଆ ଭାଷାକୁ ଜାତୀୟତାବାଦର ଅପଦେବତା (ରବି ଠାକୁରଙ୍କର ବର୍ଣ୍ଣନା)ର ଦାସୀ ବନାଇଛୁ । ଯୁଗର ବର୍ତ୍ତମାନର ଆହ୍ୱାନ ହେଲା ଯେ, ଓଡ଼ିଆ ଭାଷାକୁ ଜାତୀୟତାବାଦର ଔପନିବେଶିକ ଅଧିକାରରୁ ମୁକ୍ତ କରିବା ।

ଆଲୋଚିତ ପୁସ୍ତକଟି ଏହି ଦିଗରେ ଏକ ଗୁରୁତ୍ତ୍ୱପୂ଼ର୍ଣ୍ଣ ପଦକ୍ଷେପ । ବହିଟିର ପ୍ରଚ୍ଛଦଟି ଚମତ୍କାର । ମୁଦ୍ରଣଗତ ପ୍ରମାଦ ଆଦୌ ନାହିଁ କହିଲେ ଚଳେ । ହେଲେ ସଙ୍କଳିତ ପ୍ରବନ୍ଧଗୁଡ଼ିକର ମୂଳ ଛପା ତାରିଖ ବିଷୟରେ ସୂଚନା ଦିଆଯାଇପାରିଥିଲେ ବହିଟି ଆହୁରି ଅଧିକ ଉପଯୋଗୀ ହୋଇପାରିଥାଆନ୍ତା । 

ବହି ବିଷୟରେ ସୂଚନା ଦେବା ସମୟରେ ଠାଏଁ ଲେଖକ ଏହି ଲେଖାଗୁଡ଼ିକୁ 'ବୈଚାରିକ ମଳବୋଲି ଆଖ୍ୟାୟିତ କରିଛନ୍ତି । ଅନ୍ୟ କାହା ବିଷୟରେ ଏହି ଲେଖକ କିଛି କହିପାରିବ ନାହିଁ । ହେଲେ ଗୌରାଙ୍ଗବାବୁଙ୍କର ପ୍ରସ୍ତୁତ ଆହୁରି ଅଧିକ 'ବୈଚାରିକ ମଳଭକ୍ଷଣ କରିବା ପାଇଁ ସେ ଲାଳାୟିତ । ଗ୍ରନ୍ଥସୂଚୀ ଫର୍ଦ୍ଦରେ ଆଲୋଚିତ ପୁସ୍ତକଟିବହିଟିର ପ୍ରଥମ ଭାଗ ବୋଲି ସୂଚିତ ହୋଇଛି । ଦ୍ୱିତୀୟ ଭାଗ ଅପେକ୍ଷାରେ ଏ ସମୀକ୍ଷକ ଟାକି ହୋଇ ରହିଲା ।

ଗ୍ରନ୍ଥ ସୂଚନା: ଦାଶ, ଗୌରାଙ୍ଗ ଚରଣ । ୨୦୦୯ । 'ବିତର୍କ ଓ ବ୍ୟାଖ୍ୟାନ : ଇତିହାସ, ଭାଷା ଓ ,ସାହିତ୍ୟ' । ଭୁବନେଶ୍ୱର : ସରସ୍ୱତୀ । ୧୭୬ ପୃଷ୍ଠା ।

ଟୀକା: ଏହି ଲେଖାଟି ସାମାନ୍ୟ ଭିନ୍ନ ରୂପରେ ଦୈନିକ ଖବରକାଗଜ 'ସଞ୍ଚାର'ର ୮ ମଇ, ୨୦୧୬ ସାଲର ସଂସ୍କରଣରେ ଆଗରୁ ପ୍ରକାଶିତ ହୋଇଥିଲା ।  

2 comments:

  1. A scholarly review of a scholarly narrative.Highly readable and most relevant to the present ethos.Thanks for your wonderful patience and effort.

    ReplyDelete
    Replies
    1. Thank you sir for your feedback. This book needs to be discussed a lot more. It has received very little attention.

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....