Tuesday, April 27, 2021

ସିଙ୍ଗିଡ଼ା ସମୋସା କି ?

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଶା ସାରା ସିଙ୍ଗିଡ଼ା ଏକ ଲୋକପ୍ରିୟ ଜଳଖିଆ । ଏହା ଉତ୍ତର ଭାରତୀୟ ସମୋସାର ଏକ ପ୍ରକାର ଭାବରେ ଧରାଯାଏ, ଯଦିଓ ଏଥିରେ ଦ୍ୱିମତର ସମ୍ଭାବନା ରହିଛି । ପୂର୍ବ ଭାରତ ଅର୍ଥାତ୍, ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ହେଲା ସିଙ୍ଗିଡ଼ାର କ୍ଷେତ୍ର । ସମୋସା ତୁଳନାରେ ସିଙ୍ଗିଡ଼ାର ଖୋଳ ଟିକେ ପତଳା,  ଓ ଏହା ଅଧିକ କଡ଼ା ଛଣାଯାଏ ।

ଓଡ଼ିଆ ସିଙ୍ଗିଡ଼ା ଗଢ଼ିବା ବେଳେ ମଇଦାକୁ ଦଳିଲାବେଳେ ଦଳାର ପାଗ ଖାସ୍ତା ଲୁଚିଠାରୁ ଯଥେଷ୍ଟ କଡ଼ା ଆଉ ନିମକି ଠାରୁ ଟିକେ ନେସେମାଏ ରଖିବାକୁ ପଡ଼େ । ବେଲିଲା ବେଳେ ତେଲର ବ୍ୟବହାର କରାଯାଏ । ଓଡ଼ିଆ ସିଙ୍ଗିଡ଼ାର ଖୋଳ ପତଳା । ତେଲକୁ ଥରେ ଫୁଟିବା ପର୍ଯ୍ୟନ୍ତ ଗରମ କରିଦେଇ, ଗଢ଼ା ସିଙ୍ଗିଡ଼ାଗୁଡ଼ିକ ଏଥିରେ ଛାଡ଼ି, ଧିମା ଆଞ୍ଚରେ ଏଗୁଡ଼ିକୁ ବହୁତ ସମୟ ପର୍ଯ୍ୟନ୍ତ କଡ଼ା ଛଣାଯାଏ । ଏହି ସବୁ ପଦ୍ଧତିଗତ ବାଗ ଯୋଗୁଁ ଓଡ଼ିଆ ସିଙ୍ଗିଡ଼ାର ଖୋଳ ଅନେକ ସମୟ ପର୍ଯ୍ୟନ୍ତ ଟାଣ ରହେ । 

ଏ ପର୍ଯ୍ୟନ୍ତ ବି ପୁରୁଣାକାଳିଆ ଓଡ଼ିଆ ଜଳଖିଆ ଦୋକାନିମାନେ ଉପରବେଳା କାମ ଆରମ୍ଭକଲା ବେଳେ ହିଁ ସିଙ୍ଗିଡ଼ା ଛାଣନ୍ତି । ମାନେ ଓଳିକେ କେବଳ ଥରେ । ତାଙ୍କ ପାଖକୁ ଡେରିରେ ଗଲେ ସନ୍ଧ୍ୟାରେ ଆଉ ସିଙ୍ଗିଡ଼ା ମିଳେନାହିଁ । କାରଣ ତା'ପରେ କମ୍ ଆଞ୍ଚରେ ହାଉଲେ ହାଉଲେ ସିଙ୍ଗିଡ଼ା ଛାଣିବା ପାଇଁ କଡ଼େଇ ଆଉ ବହୁତ ସମୟ ଯାଏଁ ଖାଲି ପାଇବା ପ୍ରାୟତଃ ସମ୍ଭବ ହୁଏ ନାହିଁ । 

ଓଡିଆ ସିଙ୍ଗିଡ଼ାର ଆକାର ମଧ୍ୟ ଛୋଟ ହେବା କଥା । ଏହାକୁ ବଡ଼ବଡ଼ କଲେ ମୁସୁମୁସୁ ରହେ ନାହିଁ । ଛୋଟ ବୋଇଲେ ତିନି ଆଙ୍ଗୁଳିଠାରୁ ବଡ଼ ନୁହେଁ । ବଡ ଆକାରର ସିଙ୍ଗିଡା ସିଙ୍ଗିଡା ନୁହେଁ, ସିଙ୍ଗିଡ଼ା ଆଉ ସମୋସାର ବିଚିତ୍ର ନବଗୁଞ୍ଜର । 

ସାଧା ଓଡ଼ିଆ ସିଙ୍ଗିଡ଼ାର କଟକି ଓ ସମ୍ବଲପୁରୀ ଭେଦ ରହିଛି । କଟକି ସିଙ୍ଗିଡ଼ାରେ ପୁର ଭାବରେ ଚୁନାହୋଇ କଟା ହୋଇଥିବା ଆଳୁ, ଚିନାବାଦାମ, ଓ ମଟର ଜୀରାଲଙ୍କା ଗୁଣ୍ଡରେ ହାଲକା ଭଜା ହୋଇ ପଡିଥାଏ । ସମ୍ବଲପୁରୀ ସିଙ୍ଗିଡାର ପୁରର ସାମଗ୍ରୀ କଟକି ସିଙ୍ଗିଡାରୁ ଭିନ୍ନ ନୁହେଁ: ମାତ୍ର ଏଥିରେ ସିଝା ଆଳୁର ଚକଟା ପୁର ପଶେ, ଭଜା ହୋଇ ନୁହେଁ ।

ଏହି ଭିନ୍ନତାର କାରଣ ବୋଧେହୁଏ ଏହି ସିଙ୍ଗିଡା ତିଆରି ପରମ୍ପରା ଦୁଇଟିର ଭିନ୍ନ ଭିନ୍ନ ମୂଳ ଅଟେ । ଉପକୂଳବର୍ତ୍ତୀ ଓଡିଶାକୁ ସିଙ୍ଗିଡ଼ା ବୋଧହୁଏ ଆସିଛି ବଙ୍ଗଳାରୁ ଓ ପଶ୍ଟିମ ଓଡିଶାକୁ ଏହା ସମ୍ଭବତଃ ଆସିଛି ମଧ୍ୟଭାରତ ଦେଇ ହିନ୍ଦୁସ୍ତାନରୁ । ବଙ୍ଗଳାରେ ନିରାମିଷ ସିଙ୍ଗିଡାରେ ଭଜା ପୁର ପଶେ ଏବଂ ମଧ୍ୟ ଓ ଉତ୍ତର ଭାରତରେ ଏଥିରେ ଚକଟା ପୁର ପଶେ । ଏହା ବୋଧେହୁଏ କଟକି ଓ ସମ୍ବଲପୁରୀ ସିଙ୍ଗିଡା ଭିତରେ ଥିବା ପ୍ରଭେଦର କାରଣ ।

ଯଦିଓ ଆମିଷ ସିଙ୍ଗିଡ଼ା ଓଡିଶାରେ ଅଜଣା ନୁହେଁସିଙ୍ଗିଡ଼ା କହିଲେ ଓଡିଶାରେ ନିରାମିଷ ସିଙ୍ଗିଡ଼ାକୁ ହିଁ ବୁଝାଯାଏ । ଭାରତର ପ୍ରାୟତଃ ଏବେ ସମୋସାର ପୁର କହିଲେ ଆଳୁ ହିଁ ବ୍ୟବହାର ହେବାର ଦେଖାଯାଏ । ହେଲେ ଏହି ଠା'ଟିର ଭାରତରେ ଇତିହାସ ସାତଶହ ବର୍ଷରୁ ବେଶି ପୁରୁଣା, ଏବଂ ପ୍ରାଚୀନତମ ଉଲ୍ଲେଖରେ ଏହାର ପୁର ମାଂସ । ଆମେ ଏହାକୁ ଏକ ଭାରତୀୟ ଖାଦ୍ୟସାମଗ୍ରୀ ଭାବେ ଗ୍ରହଣ କରିନେଇଥିଲେ ହେଁ, ଏହି ମତ ନିର୍ବିବାଦୀୟ ନୁହେଁ । ଅନେକ ତତ୍ୱବିଦ୍ ଏହାକୁ କେନ୍ଦ୍ର ଏସିଆର ଆମଦାନୀ ବୋଲି ମତ ଦିଅନ୍ତି । ହେଲେ ସେ ବିଷୟରେ ଆଲୋଚନା ଆଉ କେବେ ।  

8 comments:

  1. ସମୋସା ଓଡ଼ିଆରେ ସିଙ୍ଗଡା ହେଲା ଆଲୋଚନାକୁ ଆସିବ ?

    ReplyDelete
    Replies
    1. ଆଜ୍ଞା ପ୍ରଣାମ । ଆପଣଙ୍କ ପ୍ରଶ୍ନଟି ବୁଝିପାରିଲିନି ।

      Delete
  2. Quite interesting!Thanks for the write-up.

    ReplyDelete
    Replies
    1. ପ୍ରଣାମ ସାର୍ । ମତାମତ ପାଇଁ ଧନ୍ୟବାଦ । ସବୁ କୁଶଳ ବୋଲି ଆଶା କରେ ।

      Delete
  3. Replies
    1. ଲେଖାଟିକୁ ପଢ଼ିବା ଆଉ ମତାମତ ଦେବା ପାଇଁ ଧନ୍ୟବାଦ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....