Wednesday, April 7, 2021

ଅନୁରୋଧ

ବିନୋଦ କୁମାର ଶୁକ୍ଲା

ଅନୁବାଦକ - ଶୈଲେନ ରାଉତରାୟ


ଗୁଜୁରାଟର ଗ୍ରେଟ୍ ରାନ୍ ଅଫ୍ କଛ୍‌ରେ ସନ୍ଧ୍ୟା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ମୋତେ ଗୁଜୁରାତୀ ଆସେନା 
ତଥାପି ମୁଁ ଜାଣିଚି
ଯେ ଗୁଜୁରାତୀ ମୋତେ ଆସେ ।
ସେ ହତ୍ୟା କରିସାରି ପଳଉଚି-
ଏହା ଏକ ଗୁଜୁରାତୀ ବାକ୍ୟ ଅଟେ ।
ଦୟା କର, ମୋତେ ମାରନା
ମୋର ଛୋଟଛୋଟ ପିଲା,
ଝିଅକୁ ବାହାଦେବା ଏଯାଏଁ ବାକି ଅଛି,
ଆଉ ବାହାଦେବାକୁ ଥିବା ଝିଅଟି 
ଧର୍ଷଣରେ ମରିଗଲା-
ଏଗୁଡ଼ିକ ଗୁଜୁରାତୀର ବାକ୍ୟ ଅଟେ ।
'ଅନୁରୋଧ' ଏହା ଏକ ଗୁଜୁରାତୀ ଶବ୍ଦ ଅଟେ ।

ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍‌-ରିଆଲିଜମ୍‌ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟକୃତି ଓ କବିତାଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର୍ କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍‌କି ରହ୍‌ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

4 comments:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....