Friday, September 10, 2021

ମାର୍କସ ଅରିଲସଙ୍କର 'ବିଚାରମାଳା'

ପ୍ରଥମ କାଣ୍ଡ: ୧୭ତମ ଅଧ୍ୟାୟ

ଅନୁବାଦକ - ଶୈଲେନ ରାଉତରାୟ


ମାର୍କସ୍ ଅରିଲସ୍‌ଙ୍କର ୧୫୮୩ ମସିହାରେ ପ୍ରକାଶିତ ଏକ ଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ମୁଁ ଦେବତା ମାନଙ୍କ ପାଖରେ, ମୋତେ ବିନା ବ୍ୟତିକ୍ରମରେ, ଉତ୍ତମ ପିତାମହ, ପିତାମହି, ମାତା, ପିତା, ଭଗିନୀ, ଶିକ୍ଷକ, ସାଥି, ତଥା ବନ୍ଧୁ ବାନ୍ଧବ ପ୍ରଦାନ କରିଥିବା ପାଇଁ କୃତଜ୍ଞ । ମୁଁ ଏଥି ପାଇଁ ମଧ୍ୟ କୃତଜ୍ଞ ଯେ ମୋର ଏମାନଙ୍କ ସହିତ କୌଣସି ବଡ଼ ଆକାରର ମନୋମାଳିନ୍ୟ ହୋଇନାହିଁ । ଯଦିଓ ମୋର ପ୍ରବୃତ୍ତିଗୁଡ଼ିକ ଯୋଗୁଁ ସେପରି କିଛି ଘଟିବାର ସବୁବେଳେ ସମ୍ଭାବନା ଥିଲା, ଦୈବ ଯୋଗୁଁ ପରିସ୍ଥିତି ମୋତେ କେବେ ସେପରି ପରୀକ୍ଷାର ସମ୍ମୁଖିନ କରାଇ ନାହିଁ । 

ମୁଁ ଦେବତାମାନଙ୍କ ପାଖରେ ମୋର ପିତାମହଙ୍କର ଉପପତ୍ନୀଙ୍କର ଦାୟିତ୍ତ୍ୱସମ୍ପନ୍ନତ୍ତା ପାଇଁ ମଧ୍ୟ କୃତଜ୍ଞ, ଯେଉଁଥି ପାଇଁ ମୋର ଲାଳନପାଳନ ଓ ଶିକ୍ଷା ଦୀକ୍ଷା ଶୀଘ୍ର ଶେଷ ହେବାରୁ ମୋର ଚରିତ୍ରର ବାଳସୁଲଭ ନିଷ୍କଳୁଷତା ରକ୍ଷିତ ହୋଇପାରିଲା ।  ଏଥି ଯୋଗୁଁ ମୁଁ ଶୀଘ୍ର ବୟଃପ୍ରାପ୍ତି ପାଇଁ ଅଧୈର୍ଯ୍ୟ ହେଲି ନାହିଁ । ଏବଂ ନିଜକୁ ମୁଁ ମନ୍ଦ ଗତିରେ ବିକଶିତ ହେବା ପାଇଁ ଛାଡ଼ି ଦେଇ ପାରିଲି । 

ମୁଁ ଦୈବକୁ ଏଥିପାଇଁ ମଧ୍ୟ ଧନ୍ୟବାଦ ଦେଉଅଛି ଯେ, ମୋର ପିତା, ସମ୍ରାଟ୍‌ଙ୍କ ଅଧିନରେ ରହି ମୁଁ ସମସ୍ତ ଆତ୍ମଶ୍ଳାଘାରୁ ନିଜକୁ ମୁକ୍ତ କରିପାରିଲି । ଏବଂ ଏହା ମଧ୍ୟ ଉପଲବ୍ଧି କରିପାରିଲି ଯେ, ରାଜକୀୟ ଅନୁଚର, ରାଜପରିଧାନ, ଆତଶବାଜି, ପ୍ରତିମା, ବାହ୍ୟ ଆଡ଼ମ୍ବର ଇତ୍ୟାଦି ବିନା ବି ଦରବାରରେ ଜୀବନ ନିର୍ବାହ କରିହେବ । ଆଉ ଏହା ବି ଶିକ୍ଷା କଲି ଯେ, ରାଷ୍ଟ୍ରର ନେତୃତ୍ତ୍ୱ ନେବା ନିମନ୍ତେ ଆବଶ୍ୟକୀୟ ସମ୍ମାନ ଓ ପ୍ରଭୁତ୍ତ୍ୱ ନ ହରାଇ ମଧ୍ୟ ନିଜର ଜୀବନଶୈଳୀକୁ ଗୋଟିଏ ସାଧାରଣ ଗୃହସ୍ଥ, ଭଦ୍ରବ୍ୟକ୍ତିଙ୍କର ସ୍ତରକୁ ଖସାଇ ଆଣିବା ସମ୍ଭବ । 

ଦେବତାମାନେ ମୋତେ ଏପରି ଏକ ଭ୍ରାତା ପ୍ରଦାନ କଲେ ଯାହାଙ୍କର ପ୍ରାକୃତିକ ଗୁଣଗୁଡ଼ିକ ମୋର ନିଜର ଆତ୍ମଗତ-ଶୃଙ୍ଖଳାକୁ ନିୟମିତ ଆହ୍ୱାନ ପ୍ରଦାନ କରୁଥିଲା । ମାତ୍ର ତାଙ୍କର ମୋ ପ୍ରତି ମର୍ଯ୍ୟାଦାପୂର୍ଣ୍ଣ ସ୍ନେହ ମୋହର ହୃଦୟକୁ ଆନନ୍ଦିତ ମଧ୍ୟ କରୁଥିଲା । ଦେବତାମାନଙ୍କୁ ଏଥିପାଇଁ ମଧ୍ୟ ଧନ୍ୟବାଦ ଦେବି ଯେ ମୋର ସନ୍ତତିଗଣ ବୌଦ୍ଧିକ ଦୃଷ୍ଟିରୁ ଖର୍ବୀକୃତ ନଥିଲେ କିମ୍ବା ଶାରୀରିକ ଦିଗରୁ କଦାକାର ବା ବିକୃତ ନଥିଲେ । 

ଦେବତାମାନେ ହିଁ  ଅଳଙ୍କାରଶାସ୍ତ୍ର, କବିତା, ବାଗାଡ଼ମ୍ବର ଇତ୍ୟାଦି ବିଷୟରେ ମୋର ଦକ୍ଷତାକୁ ଗୋଟିଏ ସୀମା ମଧ୍ୟରେ ରଖିଲେ ।  ଏ ସବୁଥିରେ ପ୍ରଗତି କରିବା ମୋତେ କମ କଷ୍ଟକର ହୋଇଥିଲେ, ଏହି ସବୁଥିରେ ମୋହର ଅନେକ ସମୟ ବ୍ୟତୀତ ହୋଇଥାଆନ୍ତା । ସେମାନେ ହିଁ ମୋତେ ମୋର ପ୍ରଶିକ୍ଷକମାନଙ୍କର ଯୌବନାବସ୍ଥାକୁ ତାଙ୍କର ପଦୋନ୍ନତ୍ତି ବିରୁଦ୍ଧରେ ତର୍କ ଭାବରେ ବ୍ୟବହାର ନକରି, ସେମାନଙ୍କର ଇଚ୍ଛିତ, ଉପଯୁକ୍ତ କାର୍ଯ୍ୟକ୍ଷେତ୍ର ଓ ପଦକୁ ଯଥାଶୀଘ୍ର ଉନ୍ନିତ କରିବା ପାଇଁ ପ୍ରେରିତ କଲେ । 

ଦେବତାମାନଙ୍କ ଯୋଗୁଁ ହିଁ ମୁଁ ଆପୋଲୋନିଅସ୍, ରଷ୍ଟିକସ୍ ତଥା ମାକ୍ସିମସ୍ ଙ୍କ ସହିତ ପରିଚିତି ଲାଭ କରିପାରିଲି । ସେମାନଙ୍କ ଯୋଗୁଁ ହିଁ ମୁଁ ପୌନଃପୁନିକ ଓ ସତେଜ ଭାବରେ‌ ପ୍ରାକୃତିକ ଜୀବନର ଆଭ୍ୟନ୍ତରୀଣ ସତ୍ୟର ଦର୍ଶନ କରିପାରିଲି । ସେମାନଙ୍କର ଅନୁଗ୍ରହ, ସାହାଯ୍ୟ ଓ ପ୍ରେରଣାର ପ୍ରସାଦ ସତ୍ତ୍ୱେ ମୁଁ ପ୍ରାକୃତିକ ଜୀବନର ଆଭ୍ୟନ୍ତରୀଣ ସତ୍ୟର ଦର୍ଶନ ନ କରିପାରିବା ଅକ୍ଷମଣୀୟ ହୋଇଥାଆନ୍ତା । ମୁଁ ଯଦି ଏବେ ମଧ୍ୟ ସେହି ଲକ୍ଷ୍ୟଠାରୁ ବହୁ ଦୂରରେ ଅଛି, ତାହା କେବଳ ମୋର ନିଜର ଦୋଷ ଯୋଗୁଁ । ମୁଁ ପାଇଥିବା ସମସ୍ତ ସ୍ମରଣୀକା ତଥା ଦିଗ୍ଦର୍ଶନକୁ ଉପେକ୍ଷା କରିଥିବା ଯୋଗୁଁ । 

ମୋର ଶରୀର ଯେ ମୋର ଜୀବନଶୈଳୀକୁ ସହି ଏ ପର୍ଯ୍ୟନ୍ତ ତିଷ୍ଠି ରହିପାରିଛି; ମୁଁ ଗୋଟିଏ ବେନେଡ଼ିକ୍ଟା ବା ଥିଓଡ଼ୋଟସ୍ ସହିତ ଜଡ଼ିତ ହୋଇଗଲି ନାହିଁ, ଏବଂ ପରବର୍ତ୍ତୀ ବ୍ୟାପାରରୁ ସମ୍ପୂର୍ଣ୍ଣ ଅକ୍ଷତ ଭାବରେ ବାହାରିଯାଇ ପାରିଲି; ରଷ୍ଟିକସ୍‌ଙ୍କ ସହିତ ସମସ୍ତ ବିଭେଦ ସତ୍ତ୍ୱେ ମୁଁ ଯେ କେବେ ମଧ୍ୟ ବିଷୟଗୁଡ଼ିକୁ ସେପର୍ଯ୍ୟନ୍ତ ଟାଣିଲି ନାହିଁ ଯାହା ପରେ ମୋତେ ପଶ୍ଚାତାପ କରିବାକୁ ପଡିବ; ଏବଂ ମୋର ମାତା ତାଙ୍କର କମ ବୟସରେ ମୃତ୍ୟୁ ପୂର୍ବରୁ ଯେ ନିଜ ଜୀବନର ଶେଷ କେଇ ବର୍ଷ ମୋ ସହ ବିତାଇ ପାରିଲେ, ସେଥିପାଇଁ ମଧ୍ୟ ଦେବତାମାନେ ହିଁ ଦାୟୀ ।

ମୁଁ ଯେତେବେଳେ କୌଣସି ଦୁଃଖୀ, ଦରିଦ୍ର ବ୍ୟକ୍ତିର ଦୁଃଖ ଲାଘବ କରିବା ପାଇଁ ଚିନ୍ତା କଲି, ମୋତେ ଯେ କୁହାଗଲା ନାହିଁ ଯେ ତୁମ ପାଖରେ ଏହା କରିବା ପାଇଁ ମାଧ୍ୟମ ନାହିଁ, ଏବଂ ମୋତେ ଯେ କେବେ ମଧ୍ୟ ଏପରି ସାହାଯ୍ୟ କାହାଠାରୁ ଭିକ୍ଷା କରିବା ଆବଶ୍ୟକ ହେଲା ନାହିଁ, ଏଥିପାଇଁ ମଧ୍ୟ ମୁଁ ଦେବତାମାନଙ୍କ ପାଖରେ କୃତଜ୍ଞ ।  

ମୁଁ ଦୈବ ପାଖରେ ମୋତେ ଏପରି ଗୋଟିଏ ପତ୍ନୀ ଦେବା ପାଇଁ, ଯେ ଆଜ୍ଞାବହ ହେଲେ ମଧ୍ୟ ସ୍ନେହଶୀଳା ଓ ଅକୃତ୍ରିମ; ମୋର ସନ୍ତାନମାନଙ୍କ ପାଇଁ ଦକ୍ଷ ଶିକ୍ଷକମାନଙ୍କର ନିଶ୍ଚିତ ଯୋଗାଣ; ଓ କାଇଏତା ଓ କ୍ରେସା ଠାରେ, ସ୍ୱପ୍ନରେ, ବ୍ୟାଧିର, ବିଶେଷତଃ ଛେପରେ ରକ୍ତ ପଡ଼ିବା ତଥା ମୁଣ୍ଡ ବୁଲାଇବା ରୋଗର, ଉପଚାର ଯୋଗାଇବା ନିମନ୍ତେ କୃତଜ୍ଞ । 

ଶେଷରେ, ଦର୍ଶନଶାସ୍ତ୍ର ପ୍ରତି ମୋର ସମସ୍ତ ଆସକ୍ତି ସତ୍ତ୍ୱେ ଯେ ମୁଁ କୌଣସି ସୋଫିଷ୍ଟ୍‌ର ଶିକାର ବନିବାରୁ ରକ୍ଷା ପାଇଲି, କିମ୍ବା ନିଜର ସମସ୍ତ ସମୟ ମେଜ ଉପରେ ବସି ପାଠ୍ୟପୁସ୍ତକ ଓ ତର୍କଶାସ୍ତ୍ର ଅଧ୍ୟୟନ କରିବାରୁ ତଥା ପ୍ରାକୃତିକ ବିଜ୍ଞାନର ଚଷୁ କୁଟିବାରୁ ବଞ୍ଚିତ ହେଲି, ସେଥିପାଇଁ ମଧ୍ୟ ମୁଁ ଦୈବ ପାଖରେ କୃତଜ୍ଞ । 

ଏହି ସମସ୍ତ ମଙ୍ଗଳମୟ ବସ୍ତୁ ପାଇଁ 'ମାନବକୁ ଦୈବ ଓ ଇଶ୍ୱରଙ୍କର ସାହାଯ୍ୟ ଆବଶ୍ୟକ' ।

--- କ୍ୱାଦି ମଧ୍ୟରେ, ଗ୍ରାନ୍ ନଦୀ ଉପରେ । 

ଅନୁବାଦକୀୟ ଟୀକା - ଗ୍ରୀକ ଓ ବିଶ୍ୱ ଦର୍ଶନ କ୍ଷେତ୍ରରେ ପ୍ରାଚୀନ ରୋମର ଚିନ୍ତକ ୧୬ତମ ସମ୍ରାଟ ମାର୍କସ ଅରିଲସ (୧୨୧-୧୮୦ ଖ୍ରୀଷ୍ଟାବ୍ଦ) ଙ୍କର ଗ୍ରନ୍ଥ ମେଡିଟେସନସ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଷ୍ଟଇକ୍ ଦର୍ଶନ ପରମ୍ପରାର ଏକ କ୍ଲାସିକ୍ ଭାବରେ ଏହାକୁ ଗଣାଯାଏ । ପୃଥିବୀସାରା ଏବେ ଷ୍ଟଇକ୍ ଦର୍ଶନ ପରମ୍ପରାର ପୁନରୁତ୍ଥାନ ଘଟୁଅଛି । ଗ୍ରନ୍ଥଟିର ଅନୁବାଦଟି ମୂଳ ଗ୍ରୀକ ଭାଷାର ଦୁଇଟି ଭିନ୍ନ ଭିନ୍ନ ଇଂରାଜୀ ଭାଷାନ୍ତରର ସାହାଯ୍ୟ ନେଇ କରାଯାଇଅଛି । 

2 comments:

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...