Sunday, October 17, 2021

ଜୀବନର ଚିତ୍ର ଆଉ ଚିତ୍ରର ଜୀବନ

ଶୈଲେନ ରାଉତରାୟ



ଓଡ଼ିଆ ସାହିତ୍ୟର ଇତିହାସରେ ଜୀବନୀ ଓ ଆତ୍ମଜୀବନୀ ଲେଖାର ପରମ୍ପରା ବିଶେଷ ପୁରୁଣା ନୁହେଁ । ହେଲେ ବିଶେଷତଃ ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ଅନେକ ଭଲ ଆତ୍ମଜୀବନୀ ଉତୁରିଛି ତଥା ଆତ୍ମଜୀବନୀକୁ ଓଡ଼ିଆ ସାହିତ୍ୟର ଏକ ଦୁର୍ବଳ ବିଭାବ ବୋଲି ଆଉ କହି ହେବ ନାହିଁ । ହେଲେ ଭଲ ଜୀବନୀ ଲେଖାର ପରମ୍ପରା ଆମ ସାହିତ୍ୟରେ ଏବେ ବି ଦୁର୍ବଳ । 

ସେହି ଦୃଷ୍ଟିରୁ ସମୀକ୍ଷାଧୀନ ଏହି ବହିଟି ଦୁଇଟି ଦିଗରୁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ କାରଣଟି ହେଲା, ଓଡ଼ିଆ ଜୀବନୀ ସାହିତ୍ୟକୁ ବହିଟି ଏକ ଛୋଟ ହେଲେ ମହତ୍ୱପୂର୍ଣ୍ଣ ଯୋଗଦାନ । ଦ୍ୱିତୀୟ କାରଣଟି ହେଲା ଏହିକି ଯେ, ଓଡ଼ିଆରେ ଚିତ୍ରକଳା ଓ ଚିତ୍ରକରମାନଙ୍କ ବିଷୟରେ ଆଲୋଚନାର ପରିପ୍ରେକ୍ଷୀରେ ଘୋଟିଥିବା ଘୋର ମରୁଡ଼ି ସମୟରେ ବହିଟି ଅଦିନିଆ ମେଘ ଅସରାଏ ପରି ସୁଖପ୍ରଦ ।

ଛୟାନବେ ପୃଷ୍ଠାର ଏହି ବହିଟିରେ ପାଞ୍ଚ ଜଣ ଟିତ୍ରଶିଳ୍ପୀଙ୍କର ଜୀବନାଲେଖ ଅନ୍ତର୍ଭୁକ୍ତ ହୋଇଛି । ଏହି ଜୀବନାଲେଖଗୁଡ଼ିକ ଭିନ୍ନଭିନ୍ନ ସମୟରେ 'ପକ୍ଷୀଘର,' 'ଅନୁପମ ଭାରତ' ଖବରକାଗଜର ରବିବାସରୀୟ କ୍ରୋଡ଼ପତ୍ର, ତଥା 'କଥା କଥା କବିତା କବିତା' ଇତ୍ୟାଦି ପ୍ରକାଶନମାନଙ୍କରେ ଛପାଯାଇଥିଲା । ସମୀକ୍ଷାଧୀନ ବହିଟିରେ ଏଗୁଡ଼ିକ ପ୍ରଥମଥର ପାଇଁ ସଙ୍କଳିତ ହୋଇଛନ୍ତି । 

ବହିଟିରେ ସ୍ଥାନ ପାଇଥିବା ପାଞ୍ଚ ଜଣ ଚିତ୍ରଶିଳ୍ପୀ ହେଲେ - ପଲ୍ ଗଗାଁ, ଫ୍ରିଡ଼ା କାଲୋ, ଅମ୍ରିତା ସେରଗିଲ, ଆଣ୍ଡି ୱାର୍‌ହଲ୍, ତଥା ଡେମିଏନ୍ ହର୍ଷ୍ଟ୍ । ପଲ୍ ଗଗାଁ ଫରାସୀ, ହର୍ଷ୍ଟ୍ ବ୍ରିଟିଶ, ସେରଗିଲ ଭାରତୀୟ, କାଲୋ ମେକ୍ସିକୀୟ, ତଥା ୱାର୍‌ହଲ୍‌ ଆମେରିକୀୟ । ଅର୍ଥାତ୍, କେବଳ ଆଫ୍ରିକାକୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ମହାଦେଶୀୟ କଳା ପରମ୍ପରାର ଚିତ୍ରଶିଳ୍ପୀମାନଙ୍କର ପ୍ରତିନିଧିସ୍ଥାନୀୟ ଜୀବନାଲେଖ ଏହି ପୁସ୍ତକଟିରେ ସ୍ଥାନ ପାଇଛି । ଏହା ଛଡ଼ା ଏହି ସମସ୍ତ ଚିତ୍ରଶିଳ୍ପୀ ଆତ୍ମସଚେତନ ଭାବରେ ଏକ 'ଆଧୁନିକ' କଳା ଇତିହାସର ବ୍ରତଧାରୀ ।

ପଲ୍ ଗଗାଁଙ୍କ ସହ ଏହି ସମୀକ୍ଷକର ପ୍ରଥମ ପରିଚୟ ସମରସେଟ୍ ମମ୍ ଙ୍କର ଉପନ୍ୟାସ 'ଦି ମୁନ୍ ଆଣ୍ଡ ସିକ୍ସ ପେନ୍ସ୍' ଦ୍ୱାରା ହୋଇଥିଲା । ସେତେବେଳେ ମୋର ବୟସ ପନ୍ଦର କି ଷୋହଳ ଆଉ ଗଗାଁଙ୍କର ବୋହିମିଆନ ଜୀବନର ଆକର୍ଷଣ ମୋ ପାଇଁ ଥିଲା ତୀବ୍ର । ହେଲେ ନିଜର ଜୀବନ ପ୍ରତି ପଶ୍ଚାତଦୃଷ୍ଟି ଦେଇ ଦେଖିଲେ ଜଳଜଳ ଦିଶୁଚି କି, ନିଜର ମାନସିକତା ଉପରେ ସେଇ ବହି ଓ ଜୀବନର ପ୍ରଭାବ ଉପରଠାଉରିଆ ଥିଲା । 

ଶିଳ୍ପୀ ଜୀବନର ଏଇ ବୋହେମିଆନ୍ (ବାରବୁଲା-ବାରଚଖା) ଗୁଣ ଖାଲି ପାଶ୍ଚାତ୍ୟରେ ନୁହେଁ, ଭାରତରେ ମଧ୍ୟ ଆମେ ଦେଖିବାକୁ ପାଉ । ଖାଲି ଓଡ଼ିଶାକୁ ଛାଡ଼ି । ଆମ ରାଜ୍ୟରେ କଳାଜଗତରେ ଯେତେ ସବୁ ଧାରଅଣା ପରୀକ୍ଷାନୀରିକ୍ଷା, ତାହା ସବୁ କେବଳ ଚିତ୍ରରେ ନହେଲେ ବହିରେ । ହେଲେ ବ୍ୟକ୍ତି ଭାବରେ ଆମର ସାହିତ୍ୟିକ ତଥା କଳାକାର ମାନଙ୍କର ଜୀବନ ଅତି ନିରୁପଦ୍ରବ, ନିର୍ଘାତ ଭାବରେ ବୁର୍ଜୁଆ ।

ମାତ୍ର ଅଠେଇଶ ବର୍ଷ ବୟସରେ ୧୯୪୧ ମସିହାରେ ନିଜର ମୃତ୍ୟୁ ପୂର୍ବରୁ ଅମ୍ରିତା ସେରଗିଲ ଯେ କେବଳ ପାଶ୍ଚାତ୍ୟ ଓ ପ୍ରାଚ୍ୟ କଳା ପରମ୍ପରାର ଏକ ହାଇବ୍ରିଡ଼ ରୂପକଳ୍ପ ତିଆରି କରିବାରେ ଅନେକ ପାଦ ଆଗେଇ ସାରିଥିଲେ ତାହା ନୁହେଁ । ପ୍ରାକ୍-ସ୍ୱାଧୀନତା ସମୟର ଭାରତର ଜଣେ ତଥାକଥିତ ଭଲ ନାରୀ ଯାହା ସବୁ ନ କରିବା କଥା, ସେ ସବୁ 'ଅକର୍ମ'ମାନ ମଧ୍ୟ ସେ ଅବଲୀଳାକ୍ରମେ ସାଧିସାରିଥିଲେ । ବିବାହ ପୂର୍ବରୁ ତାଙ୍କର ଥିଲେ ଅନେକ ପ୍ରେମିକ - ଉଭୟ ପୁରୁଷ ଓ ନାରୀ ।

କେବଳ ଗଗାଁଙ୍କୁ ଛାଡ଼ିଦେଲେ ବାକି ଚାରିଜଣଙ୍କର ସମକାମୀ ଅନୁଭୂତି ଥିଲା । କିମ୍ବା ତାଙ୍କର ନିଜ ଲିଙ୍ଗର ପ୍ରେମିକ/ପ୍ରେମିକା ଥିଲେ । ଆଧୁନିକ ପାଶ୍ଚାତ୍ୟ ଶିଳ୍ପକଳା ତଥା ସାଂସ୍କୃତିକ ଜୀବନ ପ୍ରତି ସମକାମୀମାନଙ୍କର ଅବଦାନ ପ୍ରତି ସମୀକ୍ଷାଧୀନ ବହିଟିର ଜୀବନାଲେଖଗୁଡ଼ିକ ଆମମାନଙ୍କୁ ସଚେତନ କରାଇଦିଅନ୍ତି । 

ଆଲେଖିତ କଳାକାରମାନଙ୍କର କାମର ଏକ ଗୁରୁତ୍ୱପୂର୍ଣ୍ଣ ଆଙ୍ଗିକ ହେଲା 'ଆଦିମତା,' ଲୋକକଳା ତଥା ଇଂରାଜୀରେ ଯାହାକୁ 'ପପୁଲାର' କହନ୍ତି, ତାହା ସହ ଏକ ନିବିଡ଼ ସମ୍ପର୍କ । ହେଲେ ଅନେକ ଦୃଷ୍ଟିରୁ ଶୈଳ୍ପିକ ଆଧୁନିକତାକୁ ନେଇ ଓଡ଼ିଶାରେ ଆମର ଅବବୋଧ ପପୁଲାର କିମ୍ବା ଫୋକ୍ ଧାରାଠାରୁ ବିଚ୍ଛିନ୍ନ ।

ବହିଟିର ଏକ ଆକର୍ଷଣୀୟ ଦିଗ ହେଲା ଏହିକି ଯେ, କୌଣସି ପ୍ରକାରର ତଥାକଥିକ ତାତ୍ତ୍ୱିକ ଆଲୋଚନା ନକରି ଶିଳ୍ପକଳାର ତାତ୍ତ୍ୱିକ ଅବବୋଧ ପ୍ରତି ଏହା ଆମକୁ ସଚେତନ କରାଏ । ତାହା ସହିତ ବ୍ୟକ୍ତି ଜୀବନ ଓ ଚିତ୍ର ଜୀବନ ଭିତରେ ଥିବା ବିଭାଜିକା ରେଖାଟି ଯେ ଅତି ପାତଳା, ସେ ବିଷୟରେ ମଧ୍ୟ ଆମର ଆଖି ଖୋଲିଦିଏ । 

ବହିଟିରେ ଯୋଡ଼ା ହୋଇଥିବା ଚିତ୍ରଗୁଡ଼ିକ ଆକର୍ଷଣୀୟ । ଉଭୟ ଚିତ୍ରକଳାର ଛାତ୍ର ତଥା ସାଧାରଣ ପାଠକ ମାନଙ୍କ ପାଇଁ ଏହି ବହିଟି ସଙ୍ଗ୍ରହଣୀୟ । ଓଡ଼ିଆ ଚିତ୍ରଶିଳ୍ପୀମାନଙ୍କର ଜୀବନାଲେଖ ଥିବା ଏକ ବହି ଆମେ ଶ୍ରୀ ସାମନ୍ତରାୟଙ୍କଠାରୁ ଆଶା କରିପାରିବା କି ?

ଟୀକା: ଏହି ସମୀକ୍ଷାଟି ପ୍ରଥମେ ୨୦୧୦ ମସିହାରେ, ସାମାନ୍ୟ ଏକ ଭିନ୍ନ ରୂପରେ, ମାସିକ ପତ୍ରିକା 'ସଚିତ୍ର ବିଜୟା'ରେ ପ୍ରକାଶିତ ହୋଇଥିଲା ।

ବହି ବିଷୟରେ ସୂଚନା: ରମାକାନ୍ତ ସାମନ୍ତରାୟ । ୨୦୧୦ । ଚିତ୍ର ଜୀବନ । ଭୁବନେଶ୍ୱର: ଏଥେନା ବୁକ୍ସ୍ । ପୃଷ୍ଠା ୯୬ । ମୂଲ୍ୟ ୧୦୦ ଟଙ୍କା ।

2 comments:

  1. Thanks for your sensitive review and timely suggestions.

    ReplyDelete
    Replies
    1. ପ୍ରଣାମ ସାର୍ । ମତାମତ ପାଇଁ ଧନ୍ୟବାଦ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....