Sunday, October 17, 2021

ଜୀବନର ଚିତ୍ର ଆଉ ଚିତ୍ରର ଜୀବନ

ଶୈଲେନ ରାଉତରାୟ



ଓଡ଼ିଆ ସାହିତ୍ୟର ଇତିହାସରେ ଜୀବନୀ ଓ ଆତ୍ମଜୀବନୀ ଲେଖାର ପରମ୍ପରା ବିଶେଷ ପୁରୁଣା ନୁହେଁ । ହେଲେ ବିଶେଷତଃ ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ଅନେକ ଭଲ ଆତ୍ମଜୀବନୀ ଉତୁରିଛି ତଥା ଆତ୍ମଜୀବନୀକୁ ଓଡ଼ିଆ ସାହିତ୍ୟର ଏକ ଦୁର୍ବଳ ବିଭାବ ବୋଲି ଆଉ କହି ହେବ ନାହିଁ । ହେଲେ ଭଲ ଜୀବନୀ ଲେଖାର ପରମ୍ପରା ଆମ ସାହିତ୍ୟରେ ଏବେ ବି ଦୁର୍ବଳ । 

ସେହି ଦୃଷ୍ଟିରୁ ସମୀକ୍ଷାଧୀନ ଏହି ବହିଟି ଦୁଇଟି ଦିଗରୁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ କାରଣଟି ହେଲା, ଓଡ଼ିଆ ଜୀବନୀ ସାହିତ୍ୟକୁ ବହିଟି ଏକ ଛୋଟ ହେଲେ ମହତ୍ୱପୂର୍ଣ୍ଣ ଯୋଗଦାନ । ଦ୍ୱିତୀୟ କାରଣଟି ହେଲା ଏହିକି ଯେ, ଓଡ଼ିଆରେ ଚିତ୍ରକଳା ଓ ଚିତ୍ରକରମାନଙ୍କ ବିଷୟରେ ଆଲୋଚନାର ପରିପ୍ରେକ୍ଷୀରେ ଘୋଟିଥିବା ଘୋର ମରୁଡ଼ି ସମୟରେ ବହିଟି ଅଦିନିଆ ମେଘ ଅସରାଏ ପରି ସୁଖପ୍ରଦ ।

ଛୟାନବେ ପୃଷ୍ଠାର ଏହି ବହିଟିରେ ପାଞ୍ଚ ଜଣ ଟିତ୍ରଶିଳ୍ପୀଙ୍କର ଜୀବନାଲେଖ ଅନ୍ତର୍ଭୁକ୍ତ ହୋଇଛି । ଏହି ଜୀବନାଲେଖଗୁଡ଼ିକ ଭିନ୍ନଭିନ୍ନ ସମୟରେ 'ପକ୍ଷୀଘର,' 'ଅନୁପମ ଭାରତ' ଖବରକାଗଜର ରବିବାସରୀୟ କ୍ରୋଡ଼ପତ୍ର, ତଥା 'କଥା କଥା କବିତା କବିତା' ଇତ୍ୟାଦି ପ୍ରକାଶନମାନଙ୍କରେ ଛପାଯାଇଥିଲା । ସମୀକ୍ଷାଧୀନ ବହିଟିରେ ଏଗୁଡ଼ିକ ପ୍ରଥମଥର ପାଇଁ ସଙ୍କଳିତ ହୋଇଛନ୍ତି । 

ବହିଟିରେ ସ୍ଥାନ ପାଇଥିବା ପାଞ୍ଚ ଜଣ ଚିତ୍ରଶିଳ୍ପୀ ହେଲେ - ପଲ୍ ଗଗାଁ, ଫ୍ରିଡ଼ା କାଲୋ, ଅମ୍ରିତା ସେରଗିଲ, ଆଣ୍ଡି ୱାର୍‌ହଲ୍, ତଥା ଡେମିଏନ୍ ହର୍ଷ୍ଟ୍ । ପଲ୍ ଗଗାଁ ଫରାସୀ, ହର୍ଷ୍ଟ୍ ବ୍ରିଟିଶ, ସେରଗିଲ ଭାରତୀୟ, କାଲୋ ମେକ୍ସିକୀୟ, ତଥା ୱାର୍‌ହଲ୍‌ ଆମେରିକୀୟ । ଅର୍ଥାତ୍, କେବଳ ଆଫ୍ରିକାକୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ମହାଦେଶୀୟ କଳା ପରମ୍ପରାର ଚିତ୍ରଶିଳ୍ପୀମାନଙ୍କର ପ୍ରତିନିଧିସ୍ଥାନୀୟ ଜୀବନାଲେଖ ଏହି ପୁସ୍ତକଟିରେ ସ୍ଥାନ ପାଇଛି । ଏହା ଛଡ଼ା ଏହି ସମସ୍ତ ଚିତ୍ରଶିଳ୍ପୀ ଆତ୍ମସଚେତନ ଭାବରେ ଏକ 'ଆଧୁନିକ' କଳା ଇତିହାସର ବ୍ରତଧାରୀ ।

ପଲ୍ ଗଗାଁଙ୍କ ସହ ଏହି ସମୀକ୍ଷକର ପ୍ରଥମ ପରିଚୟ ସମରସେଟ୍ ମମ୍ ଙ୍କର ଉପନ୍ୟାସ 'ଦି ମୁନ୍ ଆଣ୍ଡ ସିକ୍ସ ପେନ୍ସ୍' ଦ୍ୱାରା ହୋଇଥିଲା । ସେତେବେଳେ ମୋର ବୟସ ପନ୍ଦର କି ଷୋହଳ ଆଉ ଗଗାଁଙ୍କର ବୋହିମିଆନ ଜୀବନର ଆକର୍ଷଣ ମୋ ପାଇଁ ଥିଲା ତୀବ୍ର । ହେଲେ ନିଜର ଜୀବନ ପ୍ରତି ପଶ୍ଚାତଦୃଷ୍ଟି ଦେଇ ଦେଖିଲେ ଜଳଜଳ ଦିଶୁଚି କି, ନିଜର ମାନସିକତା ଉପରେ ସେଇ ବହି ଓ ଜୀବନର ପ୍ରଭାବ ଉପରଠାଉରିଆ ଥିଲା । 

ଶିଳ୍ପୀ ଜୀବନର ଏଇ ବୋହେମିଆନ୍ (ବାରବୁଲା-ବାରଚଖା) ଗୁଣ ଖାଲି ପାଶ୍ଚାତ୍ୟରେ ନୁହେଁ, ଭାରତରେ ମଧ୍ୟ ଆମେ ଦେଖିବାକୁ ପାଉ । ଖାଲି ଓଡ଼ିଶାକୁ ଛାଡ଼ି । ଆମ ରାଜ୍ୟରେ କଳାଜଗତରେ ଯେତେ ସବୁ ଧାରଅଣା ପରୀକ୍ଷାନୀରିକ୍ଷା, ତାହା ସବୁ କେବଳ ଚିତ୍ରରେ ନହେଲେ ବହିରେ । ହେଲେ ବ୍ୟକ୍ତି ଭାବରେ ଆମର ସାହିତ୍ୟିକ ତଥା କଳାକାର ମାନଙ୍କର ଜୀବନ ଅତି ନିରୁପଦ୍ରବ, ନିର୍ଘାତ ଭାବରେ ବୁର୍ଜୁଆ ।

ମାତ୍ର ଅଠେଇଶ ବର୍ଷ ବୟସରେ ୧୯୪୧ ମସିହାରେ ନିଜର ମୃତ୍ୟୁ ପୂର୍ବରୁ ଅମ୍ରିତା ସେରଗିଲ ଯେ କେବଳ ପାଶ୍ଚାତ୍ୟ ଓ ପ୍ରାଚ୍ୟ କଳା ପରମ୍ପରାର ଏକ ହାଇବ୍ରିଡ଼ ରୂପକଳ୍ପ ତିଆରି କରିବାରେ ଅନେକ ପାଦ ଆଗେଇ ସାରିଥିଲେ ତାହା ନୁହେଁ । ପ୍ରାକ୍-ସ୍ୱାଧୀନତା ସମୟର ଭାରତର ଜଣେ ତଥାକଥିତ ଭଲ ନାରୀ ଯାହା ସବୁ ନ କରିବା କଥା, ସେ ସବୁ 'ଅକର୍ମ'ମାନ ମଧ୍ୟ ସେ ଅବଲୀଳାକ୍ରମେ ସାଧିସାରିଥିଲେ । ବିବାହ ପୂର୍ବରୁ ତାଙ୍କର ଥିଲେ ଅନେକ ପ୍ରେମିକ - ଉଭୟ ପୁରୁଷ ଓ ନାରୀ ।

କେବଳ ଗଗାଁଙ୍କୁ ଛାଡ଼ିଦେଲେ ବାକି ଚାରିଜଣଙ୍କର ସମକାମୀ ଅନୁଭୂତି ଥିଲା । କିମ୍ବା ତାଙ୍କର ନିଜ ଲିଙ୍ଗର ପ୍ରେମିକ/ପ୍ରେମିକା ଥିଲେ । ଆଧୁନିକ ପାଶ୍ଚାତ୍ୟ ଶିଳ୍ପକଳା ତଥା ସାଂସ୍କୃତିକ ଜୀବନ ପ୍ରତି ସମକାମୀମାନଙ୍କର ଅବଦାନ ପ୍ରତି ସମୀକ୍ଷାଧୀନ ବହିଟିର ଜୀବନାଲେଖଗୁଡ଼ିକ ଆମମାନଙ୍କୁ ସଚେତନ କରାଇଦିଅନ୍ତି । 

ଆଲେଖିତ କଳାକାରମାନଙ୍କର କାମର ଏକ ଗୁରୁତ୍ୱପୂର୍ଣ୍ଣ ଆଙ୍ଗିକ ହେଲା 'ଆଦିମତା,' ଲୋକକଳା ତଥା ଇଂରାଜୀରେ ଯାହାକୁ 'ପପୁଲାର' କହନ୍ତି, ତାହା ସହ ଏକ ନିବିଡ଼ ସମ୍ପର୍କ । ହେଲେ ଅନେକ ଦୃଷ୍ଟିରୁ ଶୈଳ୍ପିକ ଆଧୁନିକତାକୁ ନେଇ ଓଡ଼ିଶାରେ ଆମର ଅବବୋଧ ପପୁଲାର କିମ୍ବା ଫୋକ୍ ଧାରାଠାରୁ ବିଚ୍ଛିନ୍ନ ।

ବହିଟିର ଏକ ଆକର୍ଷଣୀୟ ଦିଗ ହେଲା ଏହିକି ଯେ, କୌଣସି ପ୍ରକାରର ତଥାକଥିକ ତାତ୍ତ୍ୱିକ ଆଲୋଚନା ନକରି ଶିଳ୍ପକଳାର ତାତ୍ତ୍ୱିକ ଅବବୋଧ ପ୍ରତି ଏହା ଆମକୁ ସଚେତନ କରାଏ । ତାହା ସହିତ ବ୍ୟକ୍ତି ଜୀବନ ଓ ଚିତ୍ର ଜୀବନ ଭିତରେ ଥିବା ବିଭାଜିକା ରେଖାଟି ଯେ ଅତି ପାତଳା, ସେ ବିଷୟରେ ମଧ୍ୟ ଆମର ଆଖି ଖୋଲିଦିଏ । 

ବହିଟିରେ ଯୋଡ଼ା ହୋଇଥିବା ଚିତ୍ରଗୁଡ଼ିକ ଆକର୍ଷଣୀୟ । ଉଭୟ ଚିତ୍ରକଳାର ଛାତ୍ର ତଥା ସାଧାରଣ ପାଠକ ମାନଙ୍କ ପାଇଁ ଏହି ବହିଟି ସଙ୍ଗ୍ରହଣୀୟ । ଓଡ଼ିଆ ଚିତ୍ରଶିଳ୍ପୀମାନଙ୍କର ଜୀବନାଲେଖ ଥିବା ଏକ ବହି ଆମେ ଶ୍ରୀ ସାମନ୍ତରାୟଙ୍କଠାରୁ ଆଶା କରିପାରିବା କି ?

ଟୀକା: ଏହି ସମୀକ୍ଷାଟି ପ୍ରଥମେ ୨୦୧୦ ମସିହାରେ, ସାମାନ୍ୟ ଏକ ଭିନ୍ନ ରୂପରେ, ମାସିକ ପତ୍ରିକା 'ସଚିତ୍ର ବିଜୟା'ରେ ପ୍ରକାଶିତ ହୋଇଥିଲା ।

ବହି ବିଷୟରେ ସୂଚନା: ରମାକାନ୍ତ ସାମନ୍ତରାୟ । ୨୦୧୦ । ଚିତ୍ର ଜୀବନ । ଭୁବନେଶ୍ୱର: ଏଥେନା ବୁକ୍ସ୍ । ପୃଷ୍ଠା ୯୬ । ମୂଲ୍ୟ ୧୦୦ ଟଙ୍କା ।

4 comments:

  1. Thanks for your sensitive review and timely suggestions.

    ReplyDelete
    Replies
    1. ପ୍ରଣାମ ସାର୍ । ମତାମତ ପାଇଁ ଧନ୍ୟବାଦ ।

      Delete
  2. Thanks to the author of the book, else lot many articles are mostly missed out.. Sailen, this decade old review I read just now is quite impressive and interesting..

    ReplyDelete
    Replies
    1. Thanks bhai. This book is out of print now and should be reissued.

      Delete

Whose purpose is it anyway? Sailen Routray  (This essay reflects on the idea of purpose—whether it is shaped by the self, by society, or by ...