Saturday, October 23, 2021

ମାର୍କସ ଅରିଲସଙ୍କର 'ବିଚାରମାଳା'

ଦ୍ୱିତୀୟ କାଣ୍ଡ: ୧ମ ଓ ୨ୟ ଅଧ୍ୟାୟ

ଅନୁବାଦକ - ଶୈଲେନ ରାଉତରାୟ


ଦ୍ୱିତୀୟ ଶତାବ୍ଦୀରେ ନିର୍ମିତ ମାର୍କସ ଅରିଲସଙ୍କର ଶଙ୍ଖମର୍ମରର ମୁଣ୍ଡ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତୁମ୍ଭର ପ୍ରତ୍ୟେକ ଦିନ, ନିଜକୁ ଏହା କହି ଆରମ୍ଭ ହେଉ, ଯେ - ଆଜ ଆମ୍ଭେ ଅଯଥା ହସ୍ତକ୍ଷେପ, କୃତଘ୍ନତା, ବିଶ୍ୱାସଘାତକତା, ଦ୍ୱେଷ ଓ ସ୍ୱାର୍ଥପରତା ଆଦିକୁ ଭେଟିବୁ । ଏସବୁଥିର କାରଣ ହେଲା, ଦୋଷୀର ଶିବ ଓ ଅଶିବ ମଧ୍ୟରେ ପ୍ରଭେଦ କରିପାରିବାର କ୍ଷମତାର ଅଭାବ । ମୁଁ ନିଜେ ଅବଶ୍ୟ ଅନେକ କାଳ ହେଲାଣି ଶିବ, ତାହାର ଚରିତ୍ର ଓ ଔଦାର୍ଯ୍ୟ, ତଥା ଅଶିବର ନିଚ୍ଚତା ବିଷୟରେ ଜ୍ଞାନଲାଭ କରିଛି । ଏହା ଛଡ଼ା, ଯେ ମୋର ଅପରାଧି, ସେ ମୋହର ଭ୍ରାତା ମଧ୍ୟ । ସେ ଅବଶ୍ୟ ମୋହର ଭାଇ, ତୁଚ୍ଛା ଶାରୀରିକ ଅର୍ଥରେ, ସହୋଦର ଭାବରେ ନୁହେଁ । ମାତ୍ର ବିବେକ ସମ୍ପନ୍ନ ଓ ପରମଶିବଙ୍କର ଅଂଶରୂପୀ ହୋଇଥିବାରୁ, ସେ ମୋର ଭ୍ରାତା । ତେଣୁ ଏ ସବୁ କିଛି ମୋହର କିଛି କ୍ଷତି ନକରିପାରନ୍ତି । ଯାହାକିଛି ଭ୍ରଷ୍ଟକାରୀ, ସେଥିରେ ମୋତେ କେହି ଲିପ୍ତ କରାଇପାରିବେ ନାହିଁ । ମୁଁ ଏଥି ନିମନ୍ତେ ମୋର ଭ୍ରାତା ଉପରେ କ୍ରୋଧ କରିି ପାରିବି ନାହିଁ କିମ୍ବା ତାହା ସହିତ ସମ୍ପର୍କ ଖରାପ କରିବା ମୋର ଅନୁଚିତ ହେବ । କାରଣ ଗୋଟିଏ ମଣିଷର ଦୁଇଟି ହସ୍ତ, ପାଦ, ଭୃଲତା, କିମ୍ବା ଉପର ବା ତଳ ମାଢ଼ିର ଦାନ୍ତ ପରି, ଆମ୍ଭେ ଦୁଇଜଣ ମିଳିତ ଭାବରେ କର୍ମ କରିବା ନିମନ୍ତେ ନିର୍ମିତ । ପରସ୍ପରର ପଥରୋଧ କରିବା ପ୍ରକୃତିର ନିୟମ ବିରୁଦ୍ଧ । ଏବଂ ବିରକ୍ତି ଓ ପରାଙ୍‌ମୁଖତା ପଥରୋଧର ହିଁ ଭିନ୍ନ ରୂପ । 

କିଞ୍ଚିତ ମାଂସ, କିଛି ପ୍ରାଣବାୟୁ ଓ ଏସବୁ ଉପରେ ଶାସନ କରିବା ପାଇଁ ଉଦ୍ଦିଷ୍ଟ ବିବେକ - ଏସବୁ କିଛି ହେଲି ମୁଁ । ନିଜର ପୋଥିଗୁଡ଼ିକୁ ବିସ୍ମରିତ କର । ସେଗୁଡ଼ିକ ମନ୍ୟୁଷର ସାଜର ଅଂଶବିଶେଷ ନୁହେଁ । ଏଣୁ ପୁସ୍ତକ ପଛରେ ଲାଳାୟିତ ହେବାର କୌଣସି କାରଣ ନାହିଁ । ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚି, ଶରୀର ଓ ତାହାର ଅଠାଳିଆ ରକ୍ତ, ଅସ୍ଥି, ତଥା ସ୍ନାୟୁ ଓ ଶିରା-ପ୍ରଶିରାର ଜାଲ ବିଷୟରେ ଚିନ୍ତା କରନାହିଁ । ଏ ପ୍ରାଣ ମଧ୍ୟ କି ଜାତି ପଦାର୍ଥ ! ପବନର ହାବୁକାଏ ମାତ୍ର । ଯାହାର ସ୍ଥାୟିତ୍ୱ ନାହିଁ । ତଥା, ଯାହାର ଭାଗ୍ୟ ପ୍ରତି ମୁହୂର୍ତ୍ତରେ ନିଷ୍କାସିତ ଓ ଅନ୍ତରିତ ହୋଇଥାଏ । ମାତ୍ର ତୃତୀୟ ବସ୍ତୁଟି ଉପରେ, ଅର୍ଥାତ୍ ବିବେକ ଉପରେ ତୁମ୍ଭେ ଧ୍ୟାନ କେନ୍ଦ୍ରିତ କର । ତୁମ୍ଭର କେଶ ବର୍ତ୍ତମାନ ପକ୍ୱ । ତେଣୁ ନିଜର ବିବେକକୁ ଦାସତ୍ତ୍ୱରୁ ମୁକ୍ତ କର - ଯେପରି ତାହା ସ୍ୱାର୍ଥର ପ୍ରତି ଟଣାରେ କାଠକଣ୍ଢେଇ ସମ ନର୍ତ୍ତନ ନ କରେ । ଏବଂ ବର୍ତ୍ତମାନ ବିଷୟରେ କଚରବଚର ହୋଇ ଓ ଅତୀତ ବିଷୟରେ ବିଳାପ କରି, ଦୈବ ଉପରେ କ୍ରୋଧ କରନାହିଁ ।

ଅନୁବାଦକୀୟ ଟୀକା - ଗ୍ରୀକ ଓ ବିଶ୍ୱ ଦର୍ଶନ କ୍ଷେତ୍ରରେ ପ୍ରାଚୀନ ରୋମର ଚିନ୍ତକ ୧୬ତମ ସମ୍ରାଟ ମାର୍କସ ଅରିଲସ (୧୨୧-୧୮୦ ଖ୍ରୀଷ୍ଟାବ୍ଦ) ଙ୍କର ଗ୍ରନ୍ଥ ମେଡିଟେସନସ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଷ୍ଟଇକ୍ ଦର୍ଶନ ପରମ୍ପରାର ଏକ କ୍ଲାସିକ୍ ଭାବରେ ଏହାକୁ ଗଣାଯାଏ । ପୃଥିବୀସାରା ଏବେ ଷ୍ଟଇକ୍ ଦର୍ଶନ ପରମ୍ପରାର ପୁନରୁତ୍ଥାନ ଘଟୁଅଛି । ଗ୍ରନ୍ଥଟିର ଅନୁବାଦଟି ମୂଳ ଗ୍ରୀକ ଭାଷାର ଦୁଇଟି ଭିନ୍ନ ଭିନ୍ନ ଇଂରାଜୀ ଭାଷାନ୍ତରର ସାହାଯ୍ୟ ନେଇ କରାଯାଇଅଛି ।

2 comments:

  1. ସୁନ୍ଦର ତତ୍ତ୍ୱ l ଅନୁବାଦ ସରଳ ଓ ଆହୁରି ସୁଖପାଠ୍ୟ ହେଲେ ଭଲ ହୁଅନ୍ତା l ମିସିନାରି ଅନୁବାଦ ପରି ଲାଗୁଚି

    ReplyDelete
    Replies
    1. ନମସ୍କାର ସାର୍ । ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ଧନ୍ୟବାଦ । ଅନୁବାଦଟିକୁ ଜାଣିଶୁଣି ସେହି ମିଶନାରି ଭାଷାରେ କରାଯାଇଛି, ଏକ ନିର୍ଦ୍ଦିଷ୍ଟ ଶୈଳୀଗତ ଲକ୍ଷ୍ୟ ନେଇ । ମୋର ଯାହା ଧାରଣା, ଏହିପରି ଭାଷା ହିଁ ମାର୍କସ୍ ଅରିଲସ୍‌ଙ୍କ ଭାଷା ଓ ବିଚାରର ଗାମ୍ଭୀର୍ଯ୍ୟକୁ ଓଡ଼ିଆ ଭାଷାକୁ ଆଣି ପାରୁଚି, ଯଦିଓ ମୁଁ ତାଙ୍କୁ ଇଂରାଜୀ ଅନୁବାଦରେ ହିଁ ପଢ଼ୁଚି । ଆଉ ମୋର ସେହି ଉନବିଂଶ ଶତାବ୍ଦୀର ମିଶନାରି ଭାଷା ବହୁତ ପସନ୍ଦ ମଧ୍ୟ । ସାହିତ୍ୟ ଭାବରେ ଓଡ଼ିଆ ବାଇବେଲ ମୋର ଏକ ପ୍ରିୟ ଗ୍ରନ୍ଥ । ସେହି ମିଶନାରି ଭାଷା ହିଁ ଆଧୁନିକ ଓଡ଼ିଆ ଗଦ୍ୟର ମୂଳଦୁଆ ପକାଇଚି ।

      Delete

Whose purpose is it anyway? Sailen Routray  (This essay reflects on the idea of purpose—whether it is shaped by the self, by society, or by ...