କହଲୋ ସାଧବାଣୀ ସେ କେଉଁ ଦେଶ ଫଳ
ଡେଭିଡ଼ ହର୍ସବରୋ, ନୀଲ୍ବାଗ୍ ଓ ମୁକ୍ତିଦାୟୀ ଶିକ୍ଷାର ସ୍ୱପ୍ନ
ଶୈଲେନ ରାଉତରାୟ
- ଆଇଭାନ ଇଲିଚ
୧୯୪୩ ମସିହା । ଅବିଭକ୍ତ ପୂର୍ବୋତ୍ତର ଭାରତ ଉପରେ ଯୁଦ୍ଧର ମାର୍ତ୍ତଣ୍ଡ ସବୁ ଜାଳି ପୋଡ଼ି ପାଉଁଶ କରିଦେବାକୁ ତିଆର । ବଙ୍ଗ ପ୍ରଦେଶର ଚଟ୍ଟଗ୍ରାମ ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ବ୍ରିଟିଶ ବାୟୁସେନାର ଗୋଟିଏ ବଡ଼ ଛାଉଣି । ଶିବିର ବାହାରେ, ସହରର ପରିଧିର ତିରିଶ କିଲୋମିଟର ଦକ୍ଷିଣରେ ଜଳଚିତ୍ର ଭଳି ପରତେ ହେଉଥିବା ଘର, ଧାନବିଲ ଓ ତୋଟାମାଳର ଛବିମାନ । ପତଳା ପାପୁଲିର ଉପରେ ଦୁଶୁଥିବା ଶିରା ଓ ଧମନୀ ପରି, ଆଖିର ସୀମା ପର୍ଯ୍ୟନ୍ତ ଛନ୍ଦି ହେଇଥିବା ନଈନାଳ । ରାସ୍ତାର ନାମଗନ୍ଧ ସୁଦ୍ଧା ନାହିଁ । ପିଲାଙ୍କ ଶିକ୍ଷା ପାଇଁ କୌଣସି ସାଧନର ଘୋର ଅଭାବ ।
ଚଟ୍ଟଗ୍ରାମରୁ ଛୁଟି ନେଇ, ଯୁଦ୍ଧ ଲଢ଼ିବାକୁ ଆସିଥିବା ଜଣେ ବିଲାତି ରୟାଲ ଏୟାରଫୋର୍ସ ଅଫିସରଙ୍କର ଏପରି ଏକ ନିର୍ଘାତ ଗାଉଁଲି ପରିବେଶରେ ଦିନେ ହେଲା ଚିତ୍ତକଳ୍ପ । ସେଇ ଅଳସ ଦିବସରେ ବାଦଲମାନଙ୍କର ଦଳଗୁଡ଼ିକ ଦିଶୁଥିଲେ, ଗୁଣ୍ଡିଚା ବନ୍ଧୁ ରାଗ ଚାରୁକେଶୀରେ କବିରଙ୍କ ସହ ମିଶି ଚଦର ବୁଣିଲା ବେଳେ ତନ୍ତୀଶାଳାରୁ ପୁଳାପୁଳା ତୁଳା ଉଡ଼ିଯାଇ ଆକାଶର କେଉଁ ଏକ ଅତିପରିଚିତ କୋଣରେ ଜମାଟ ବାନ୍ଧି ଦୃଶ୍ୟମାନ ଅଜଣା ରାଇଜର ମାନଚିତ୍ର ପରି । ରୂପସୀ ବଙ୍ଗଳାର ସୌନ୍ଦର୍ଯ୍ୟ ଏହି ଅଫିସରଙ୍କ ଆଖିରେ ଗୋଟିଏ ନୂତନ ସ୍ୱପ୍ନ ଭରିଦେଲା । ଯୁଦ୍ଧ ପରେ ଗୋଟିଏ ବିକଳ୍ପ ବିଦ୍ୟାଳୟ ଗଢ଼ିବାର ସପନ, ଏଇମିତି ତୋଟାମାଳ ଘେରା, ରାସ୍ତାରୁ ବହୁତ ଦୂର ଗାଁଟିଏରେ ।
ଅଫିସରଙ୍କର ନାମ ଡେଭିଡ଼ ହର୍ସବରୋ । ଯୁଦ୍ଧ ପରେ ଯେ ବିଲାତ ଫେରିଯାଆନ୍ତି । କିଛି ଦିନ ଉଚ୍ଚଶିକ୍ଷା ସହ କସରତ ଜାରି ରହେ । ଲଣ୍ଡନ ବିଶ୍ୱବିଦ୍ୟାଳୟର ଶିକ୍ଷାନୁଷ୍ଠାନ ‘ସ୍କୁଲ ଅଫ ଓରିଏଣ୍ଟାଲ ଆଣ୍ଡ ଆଫ୍ରିକାନ ଷ୍ଟଡ଼ିଜ’ରେ ସେ ଇଂରାଜୀ ଭାଷା ସାହିତ୍ୟରେ ଉଚ୍ଚତର ଡିଗ୍ରୀ ଲାଭ କରନ୍ତି । ହେଲେ ଭାରତର ମାଟି ତାଙ୍କୁ ହାତ ଠାରି ଡାକେ । ୧୯୫୦ ମସିହାରେ ସେ ନିଜ ଦେଶ ଛାଡ଼ି ଫେରି ଆସନ୍ତି ସ୍ୱାଧୀନ ଭାରତକୁ ।
ସେତେବେଳକୁ ଅବଶ୍ୟ ଓଲଟା ଦିଗରେ ଧାଉଡ଼ି ଲାଗିଥାଏ । ଅଧିକାଂଶ ବିଲାତି, ୟୁରୋପୀୟ ଓ ଆଙ୍ଗ୍ଲୋ-ଇଣ୍ଡିଆନ ମୂଳର ଲୋକେ ୧୯୪୫-୧୯୫୦ର ସମୟକାଳରେ ସ୍ୱାଧୀନ ଭାରତରେ ନିଜର ଅବସ୍ଥିତି ବିଷୟରେ ସନ୍ଦିହାନ ହୋଇ, ବୁଡ଼ୁଥିବା ନଉକାରୁ ମୂଷିକଦଳ କୁଦିଲା ଭଳି ଭାରତ ଛାଡ଼ୁଥାଆନ୍ତି । ସେତେବେଳେ ଜଣେ ଇଂରାଜ ଲୋକ ଭାରତକୁ କାମ କରିବା ପାଇଁ ଆସିବା ଅବଶ୍ୟ ଏକ ବ୍ୟତିକ୍ରମ ଥିଲା । ହେଲେ ଅନେକ ଦୃଷ୍ଟିରୁ ଦେଖିଲେ, ହର୍ସବରୋଙ୍କର ଜୀବନ ପଥ ଥିଲା ଗୋଟିକ ପରେ ଗୋଟିଏ ଗଡ୍ଡାଳିକା ଭାଙ୍ଗିବାର ଖେଳଟିଏ ମାତ୍ର ।
ଭାରତକୁ ଫେରିଆସି, ଡେଭିଡ଼ ୧୯୧୬ ମସିହାରେ ପ୍ରତିଷ୍ଠିତ ଭାରତର ଷଷ୍ଠ ପୂରାତନ ବିଶ୍ୱବିଦ୍ୟାଳୟ ‘ମହିଶୂର ବିଶ୍ୱବିଦ୍ୟାଳୟ’ରେ ଇଂରାଜୀର ଅଧ୍ୟାପକ ଭାବରେ ଯୋଗ ଦିଅନ୍ତି । ହେଲେ ୧୯୪୩ ମସିହାର ସେହି ସ୍ୱପ୍ନଟି ତାଙ୍କୁ ଅସ୍ଥିର କରି ରଖେ । ସେ ଉଚ୍ଚଶିକ୍ଷାରେ ବେଶି ଦିନ ତିଷ୍ଠି ରହିପାରନ୍ତି ନାହିଁ । ସାନ ପିଲାଙ୍କ ପଠନପାଠନରେ ତାଙ୍କର ଆଗ୍ରହ ତାଙ୍କୁ ଅନ୍ୟ ଦିଗକୁ ଟାଣେ ।
ଶେଷରେ ସେ ଦାର୍ଶନିକ ଜିଦୁ କୃଷ୍ଣମୂର୍ତ୍ତିଙ୍କ ପ୍ରେରଣାରେ, ୧୯୨୬ ମସିହାରେ ଆନ୍ଧପ୍ରଦେଶର ମଦନପଲ୍ଲି ଜିଲ୍ଲାଠାରେ ଆରମ୍ଭ ହୋଇଥିବା ବିକଳ୍ପ ଶିକ୍ଷା ଦର୍ଶନ ଦ୍ୱାରା ପରିଚାଳିତ ବିଦ୍ୟାଳୟ ୠଷି ଭ୍ୟାଲିରେ ଶିକ୍ଷକ ଭାବରେ ଯୋଗଦାନ କରନ୍ତି । ମଦନପଲ୍ଲି ଭାରତର ଇତିହାସରେ ଦୁଇଟି କାରଣ ଯୋଗୁଁ ପ୍ରସିଦ୍ଧ । ପ୍ରଥମଟି ହେଲା ଯେ, ଏହା ଜିଦୁ କୃଷ୍ଣମୂର୍ତ୍ତିଙ୍କର ଜନ୍ମସ୍ଥାନ । ଦ୍ୱିତୀୟଟି ହେଲା, ଆମେ ‘ଜନ ଗଣ ମନ’ର ଯେଉଁ ସ୍ୱର ସହିତ ବର୍ତ୍ତମାନ ସବୁଠାରୁ ପରିଚିତ, ଗୀତଟିର ସେହି ସୁରକୁ କବିଗୁରୁ ରବୀନ୍ଦ୍ରନାଥ ଠାକୁର ମଦନପଲ୍ଲିଠାରେ ହିଁ ଛନ୍ଦବଦ୍ଧ କରନ୍ତି ।
ୠଷି ଭ୍ୟାଲି ବିଦ୍ୟାଳୟଟି ମଦନପଲ୍ଲି ସହରଠାରୁ ଦଶ ମାଇଲି ଦୂରରେ ଏକ ସମ୍ପୂର୍ଣ୍ଣ ଗ୍ରାମୀଣ ପରିବେଶରେ ଅବସ୍ଥିତ । ଏହି ବିଦ୍ୟାଳୟଟି ଭାରତରେ ଶିକ୍ଷା କ୍ଷେତ୍ରରେ ନାନାଦି ପରିକ୍ଷାନୀରିକ୍ଷା ପାଇଁ ଜଣାଶୁଣା: ଭିନ୍ନଭିନ୍ନ ବୟସର ପିଲାଏ ଏଠାରେ ମିଳିମିଶି ପଢ଼ନ୍ତି; ବୟସ ଅନୁସାରେ ସେମାନଙ୍କୁ ଭାଗଭାଗ କରାଯାଏ ନାହିଁ । ପ୍ରାଥମିକ ଶ୍ରେଣୀଗୁଡ଼ିକରେ ପରୀକ୍ଷାର ବ୍ୟବସ୍ଥା ହିଁ ନାହିଁ । ହର୍ସବରୋ ଏହି ବିଦ୍ୟାଳୟରେ ପ୍ରଥମ ଥର ପାଇଁ ୟୁରୋପୀୟ ଓ ଆମେରିକୀୟ ଲୋକ ନୃତ୍ୟକୁ ପାଠ୍ୟକ୍ରମରେ ପ୍ରବେଶ କରାଇଲେ । ହେଲେ ସେହି ସମୟରେ (ଏବେ ମଧ୍ୟ) ଏହି ବିଦ୍ୟାଳୟକୁ ବୋଧେହୁଏ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ଭ୍ରାନ୍ତ ଶ୍ରେଣୀର ପିଲାଏ ହିଁ ଆସୁଥିଲେ । ଗ୍ରାମାଞ୍ଚଳରେ ଅବସ୍ଥିତ ହେଲେ ହେଁ, ଡେଭିଡ଼ ଯେପରି ଗାଉଁଲି ବିଦ୍ୟାଳୟର ସ୍ୱପ୍ନ ଦେଖିଥିଲେ, ୠଷି ଭ୍ୟାଲି ବୋଧେହୁଏ ସେପରି ଏକ ଇସ୍କୁଲ ନଥିଲା ।
ମଦନପଲ୍ଲିରେ କିଛି ବର୍ଷ ପଢ଼ାଇଲା ପରେ, ଡେଭିଡ଼ ଏହି କାମ ଛାଡ଼ି ବ୍ରିଟିଶ କାଉନ୍ସିଲ୍ ସଂସ୍ଥାରେ ୧୯୫୯ ମସିହାରେ ଯୋଗ ଦିଅନ୍ତି । ଏଠାରେ ସେ ଶିକ୍ଷକ ଓ ଶିକ୍ଷା-ପ୍ରଶିକ୍ଷକ ଭାବରେ ନିଜର କାମ ଜାରି ରଖନ୍ତି । ମୂଳ କାମ ଥାଏ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ତଥା ପାଠ୍ୟପୁସ୍ତକ ଓ ପାଠ୍ୟସାମାଗ୍ରୀର ଲେଖନ ଓ ପ୍ରସ୍ତୁତି । ତେର ବରଷ ଏଠାରେ କାମ କରି ସେ ଶେଷକୁ ୧୯୭୨ ମସିହାରେ ନିଜ ସ୍ୱପ୍ନର ବିଦ୍ୟାଳୟ ତିଆରିବା ପାଇଁ ବ୍ରିଟିଶ କାଉନ୍ସିଲ୍ରେ ନିଜର ଚାକିରି ଛାଡ଼ିଦିଅନ୍ତି । ସେତେବେଳକୁ ତାଙ୍କୁ ୪୯ ବର୍ଷ ବୟସ ।
ଏତେବେଳକୁ ସେ ଲେଖିସାରିଥାଆନ୍ତି ଶହଶହ ପାଠ୍ୟ ଉପଯୋଗୀ ବହି । ଏଥି ମଧ୍ୟରେ ଥାଏ ଇଂରାଜୀ ଭାଷା ଶିକ୍ଷା ନିମନ୍ତେ ପୁସ୍ତକଗୁଡ଼ିଏ, ଯେଉଁଥିରୁ ଅନେକ ଏ ପର୍ଯ୍ୟନ୍ତ ମଧ୍ୟ ଛପା ହେଉଅଛି । ହେଲେ ବିଜ୍ଞାନ ଶିକ୍ଷାକୁ ନେଇ ତାଙ୍କର ଅନେକ ପାଠ୍ୟ ବହି, ଯାହା ପ୍ରଚଳିତ ବିଜ୍ଞାନ ଶିକ୍ଷାର ଗଡ଼୍ଡାଳିକାରୁ ବହୁତ ଦୂରରେ, ସେଗୁଡ଼ିକ ଆଉ ପ୍ରକାଶନରେ ନାହିଁ । ଅନେକ ଭାବରେ ଦେଖିଲେ ୧୯୭୨ ମସିହା ପର୍ଯ୍ୟନ୍ତ ଡେଭିଡ଼ଙ୍କର ଜୀବନ ଥାଏ ଭବିଷ୍ୟତର କାମ ପାଇଁ ଏକ ପ୍ରସ୍ତୁତି ମାତ୍ର ।
ନିଜର ସହଧର୍ମିଣୀ ଡରିନ ହର୍ସବରୋଙ୍କ ସହ ସେ ଚାଲିଯାଆନ୍ତି ୠଷି ଭ୍ୟାଲି ସ୍କୁଲ ଥିବା ମଦନପଲ୍ଲିଠାରୁ ତିରିଶ କିଲୋମିଟର ଓ ବାଙ୍ଗାଲୋରଠାରୁ ଶହେ କୋଡ଼ିଏ କିଲୋମିଟର ଦୂରରେ ସ୍ଥିତ କୋଲାର ଜିଲ୍ଲାର ଗୋଟିଏ ଗାଁ ପାଖକୁ । ଗ୍ରାମଟିର ନାମ ରାୟଲପାଦ । ଗାଁଟିରେ ଅବିଭକ୍ତ ବଙ୍ଗଳାର ସବୁଜିମା ନଥିଲା, ନଥିଲା ମତ୍ତକୁଞ୍ଜର ସମ ନଦୀମାନଙ୍କର ଗତି । ହେଲେ ଗ୍ରାମଟି ହଠାତ ଡେଭିଡ଼ଙ୍କର ମତିକୁ ଆଚ୍ଛନ୍ନ କଲା । ୧୯୭୨ ମସିହାରେ ଦିନେ ସେ ରାୟଲପାଦରୁ ଫେରି ଡରିନ୍ଙ୍କୁ କହନ୍ତି, “ମୁଁ ସ୍କୁଲଟିଏ ଆରମ୍ଭ କରିଛି । ଏବେ ସେଥିରେ ଅବଶ୍ୟ ଦୁଇ ଜଣ ମାତ୍ର ଛାତ୍ର ଅଛନ୍ତି ।”
“ତେଣୁ, ଯଦି ଗୋଟିଏ ଆଦର୍ଶ ବିଦ୍ୟାଳୟ ସ୍ଥାପନ
କରିବାକୁ ହୁଏ, ତେବେ ଲୋକଗହଳି ଠାରୁ ଦୂରରେ ଏକ ନିର୍ଜନ ସ୍ଥାନରେ ମୁକ୍ତ
ଆକାଶ ତଥା ଉଦାର ପ୍ରାନ୍ତରର ସାନ୍ନିଧ୍ୟ ମଧ୍ୟରେ ବୃକ୍ଷଲତା ପାଖରେ ତାହାର ବ୍ୟବସ୍ଥା କରାଯିବା
ଉଚିତ ହେବ । ସେଠାରେ ଅଧ୍ୟାପକମାନେ ନିଭୃତରେ ଅଧ୍ୟୟନ ଏବଂ ଅଧ୍ୟାପନାରେ ନିଯୁକ୍ତ ରହିଥିବେ ତଥା
ଛାତ୍ରମାନେ ମଧ୍ୟ ସେହି ଜ୍ଞାନ-ଆଲୋଚନାର ଯଜ୍ଞକ୍ଷେତ୍ର ମଧ୍ୟରେ ହିଁ ଅଭିବୃଦ୍ଧି ଲାଭ କରି ପାରୁଥିବେ ।” - ରବୀନ୍ଦ୍ରନାଥ ଠାକୁର
ଦୁଇ ଜଣ ବିଦ୍ୟାର୍ଥିଙ୍କଠାରୁ ଆରମ୍ଭ ହୋଇ ନୀଳ ବାଗ ସ୍କୁଲଟି ତିନି ବର୍ଷରେ ପହଞ୍ଚିଲା ୨୭ ଜଣ ଛାତ୍ରଛାତ୍ରୀରେ । ଅବଶ୍ୟ ସମୁଦାୟ ବିଦ୍ୟାଧ୍ୟାୟୀଙ୍କ ସଙ୍ଖ୍ୟା କେବେ ୩୫ ଟପିବାର ନଜିର ନଥିଲା । ଅର୍ଥାତ, ଏହା ଥିଲା ଗୋଟିଏ ଛୋଟ ଶିକ୍ଷାଶ୍ରମ । ଭାରତର ଓ ବିଶ୍ୱର ଅନେକ ଅଞ୍ଚଳର ପ୍ରାଚୀନ ଶିକ୍ଷାଦର୍ଶ ଅନୁସାରେ ପିଲାଏ ବିଦ୍ୟାଲାଭ ପାଇଁ କୌଣସି ବାଧ୍ୟତାମୂଳକ ଦେୟ ଦେଉ ନ ଥିଲେ । ସ୍କୁଲଟି ଚାଲୁଥିଲା ଡେଭିଡ଼ ଲେଖିଥିବା ଶହଶହ ପାଠ୍ୟପୁସ୍ତକର ସତ୍ତ୍ୱଶୁଳ୍କ (ରୟାଲ୍ଟି)ର ସହାୟତାରେ ।
ବିଦ୍ୟାଳୟଟି କେତେଗୁଡ଼ିଏ ମୌଳିକ ନିୟମ ଦ୍ୱାରା ପରିଚାଳିତ ହେଉଥିଲା । ଇସ୍କୁଲୁଟି ଥିଲା ସମ୍ପୂର୍ଣ୍ଣ ଭାବରେ ମୁକ୍ତ । ଅର୍ଥାତ୍, ପିଲାଏ ସେଠିକୁ ଆସିବେ କି ନାହିଁ, ତାହାର ନିଷ୍ପତ୍ତି ପିଲାଙ୍କର ହିଁ ଥିଲା । ବିଦ୍ୟାଳୟଟି ଥିଲା ପୁରାପୁରି ଏକ ଦଣ୍ଡମୁକ୍ତ ଅଞ୍ଚଳ । ପିଲାଙ୍କୁ ପଢ଼ାଇବାର ସବୁକିଛି ରୀତିଗୁଡ଼ିକ ଭୟହୀନ ଥିଲା । ବିଦ୍ୟାଳୟଟି ପ୍ରତିଯୋଗିତାରୁ ମଧ୍ୟ ମୁକ୍ତ ଥିଲା । ପିଲାମାନଙ୍କୁ କିଛି ଶିଖିବା ବା ଶିଖାଇବା ପାଇଁ ପୁରସ୍କାର ଆଦି ପ୍ରଲୋଭନ ଦିଆଯାଉ ନଥିଲା ।
ଅର୍ଥାତ, ବିଦ୍ୟାଳୟଟିର ସଂସ୍କୃତି ଥିଲା ସାମ୍ୟଭିତ୍ତିକ, ଯେଉଁଥିରେ ସବୁ ପିଲାଏ ନିଜ ଆଗ୍ରହରେ ବିଦ୍ୟାର୍ଜନ କରି ସଫଳ ହୋଇପାରିବେ । ପାରମ୍ପରିକ ପାଠଶାଳାମାନଙ୍କରେ ଯେପରି ପିଲାମାନଙ୍କର ବର୍ଗୀକରଣ କରି କାହାକୁ ଭଲ ଓ ଅନ୍ୟ କାହାକୁ ଭେଲ, କାହାକୁ ସଫଳ ଓ କାହାକୁ ବିଫଳ ବୋଲି ଚିତ୍ରିତ କରାଯାଏ, ସେହି ଅପସଂସ୍କୃତିଟିର ନାନାଦି ନୀତି ଓ ରୀତି ଗୁଡ଼ିକର ଆଚରଣ ନୀଲ୍ବାଗ୍ରେ ନିଷିଦ୍ଧ ଥିଲା ।
ବିଦ୍ୟାଳୟଟିରେ କୌଣସି ଧରାବନ୍ଧା ପରୀକ୍ଷା ନ ଥିଲା । ଏହା କେବଳ ଏକ କାର୍ଯନୀତିଗତ (ଟ୍ୟାକ୍ଟିକାଲ୍) ନିଷ୍ପତ୍ତି ନ ଥିଲା । ଏହା ଥିଲା ଏକ ମୌଳିକ ଶିକ୍ଷାଶାସ୍ତ୍ରଗତ ଓ ଶିକ୍ଷା ଦର୍ଶନ ଦ୍ୱାରା ଅଭିପ୍ରେରିତ ନିଷ୍ପତ୍ତି । ସାଧାରଣ ଶ୍ରେଣୀକକ୍ଷ ଓ ବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ପ୍ରକାରର ପରୀକ୍ଷା ଅନେକ ଭୂମିକା ତୁଲାଏ । ପ୍ରଥମତଃ, ପାରମ୍ପରିକ ଶିକ୍ଷାଶାସ୍ତ୍ର ଏହା ବିଶ୍ୱାସ କରେ ଯେ, ପରୀକ୍ଷା ଦ୍ୱାରା ପିଲାମାନେ ଶିଖିଛନ୍ତି କି ନାହିଁ ସେ ବିଷୟରେ ଜାଣିହେବ । ଏହା ଛଡ଼ା ପିଲାମାନଙ୍କୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଗୋଟିଏ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବା ପାଇଁ ଏହା ଗୋଟିଏ ମୂଖଶାଳା ଭାବରେ କାମ କରେ ।
ପରୀକ୍ଷା (ତାହା ପ୍ରଶ୍ନୋତ୍ତରଭିତ୍ତିକ ହେଉ, କିମ୍ବା ତଥାକଥିତ କାର୍ଯଭିତ୍ତିକ) ଶିଶୁ ମନସ୍ତତ୍ତ୍ୱ ନେଇ ଗୋଟିଏ ପ୍ରକାରର ଅବଧାରଣାକୁ ନେଇ କାମ କରେ । ତାହା ହେଲା, ଗୋଟିଏ ନିର୍ଦ୍ଦିଷ୍ଟ ବୟସରେ ପିଲାଟିର ସମସ୍ତ ପାଠ୍ୟ ବିଷୟରେ ଗୋଟିଏ ପୂର୍ବ ନିର୍ଦ୍ଧାରିତ ଦକ୍ଷତା ରହିବା ଆବଶ୍ୟକ । ଯଦି କୌଣସି ଗୋଟିଏ ବିଷୟରେ - ଧରନ୍ତୁ ଗଣିତ ବା ଇଂରାଜୀ - ତାହାର ଏହି ଦକ୍ଷତା ନାହିଁ, ତାହା ହେଲେ ତା'କୁ ପୁଣି ଆଉ ଥରେ ସେହି ଶ୍ରେଣୀଟିରେ ସମୟ ଅତିବାହିତ କରିବାକୁ ପଡ଼ିବ । ବିଶେଷତଃ, ପରୀକ୍ଷାର ଆମେ ଯେଉଁ ଘାଟି ଓ ଗଡ଼ଖାଇ ଗୁଡ଼ିକର ନିର୍ମାଣ କରିଥାଉ (ଯଥା ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ଼ ପରୀକ୍ଷା), ସେଥିରେ କୌଣସି ଗୋଟିଏ ବା ଯୋଡ଼ିଏ ବିଷୟରେ ପିଲାଟିଏ ଉତ୍ତୀର୍ଣ୍ଣ ନ ହୋଇପାରିଲେ, ତା'କୁ ବିଫଳତାର ଅଳିଆଗଦାକୁ ଫିଙ୍ଗି ଦିଆଯାଏ ।
ମାତ୍ର ନୀଲ୍ବାଗ୍ର ରୀତି ଥିଲା ଭିନ୍ନ । ପ୍ରଥମତଃ ସେଥିକୁ ଗ୍ରାମୀଣ ପିଲାମାନେ ହିଁ ଆସୁଥିଲେ । ପ୍ରାୟତଃ ସମସ୍ତେ ଥିଲେ ଦଳିତ ଜାତିସମୁହର । ହେଲେ ଡେଭିଡ଼ ହର୍ସବରୋଙ୍କର ଲକ୍ଷ୍ୟ ନିର୍ଦ୍ଦିଷ୍ଟ ଭାବରେ ଗ୍ରାମୀଣ କିମ୍ବା ଦଳିତ ପିଲାଙ୍କର ଉଦ୍ଧାର କରିବା ନଥିଲା । ବିଦ୍ୟାଳୟଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା ବ୍ୟାପକ, ସବୁ ମଣିଷଙ୍କ ପାଇଁ ପ୍ରକୃତ ଅର୍ଥରେ ବିଦ୍ୟାର ପରିନିର୍ମାଣ; ଏପରି ଏକ ମୁକ୍ତିଦାୟୀ ଶିକ୍ଷାର ବିକାଶ, ଯେଉଁଥିରେ ପିଲାଟିଏ ପାଇଁ ସତସତିକା ସ୍ୱାଧୀନତା ଥିବ, ବିଶେଷତଃ କଉଣସି ପ୍ରକାରର ଭୟରୁ ମୁକ୍ତି । ଯେଉଁଠି ପ୍ରତିଯୋଗିତା ନଥିବ । ପିଲାଙ୍କର ପ୍ରତ୍ୟାୟାତ୍ମକ ବା ଅବଧାରଣାଗତ ଜ୍ଞାନ ଉଦୟ ହେବା ଦିଗରେ ବିଦ୍ୟାଳୟର ଶିକ୍ଷାଶାସ୍ତ୍ର ପ୍ରାୟୋଜିତ ଥିଲା ।
ଏଣୁ ନୀଲ୍ବାଗ୍ରେ ନା ଥିଲା ଶ୍ରେଣୀ, ନା ଥିଲା ଗ୍ରେଡ଼ିଙ୍ଗ୍ ବା ମୂଲ୍ୟାୟନର କୌଣସି ପ୍ରକାରର ତାଡ଼ନା । ଇସ୍କୁଲୁଟିକୁ ଡେଭିଡ଼ ଚଳାଉଥିବା ପର୍ଯ୍ୟନ୍ତ ଥରେ କେବେ ବି ପିଲାଏ ପରୀକ୍ଷା ପାଇଁ ସେଠାରେ ବସି ନଥିଲେ । ଏହାର କାରଣ ଥିଲା ଗୋଟିଏ ଭିନ୍ନ ପ୍ରକାରର ଶିକ୍ଷାଶାସ୍ତ୍ରର ପ୍ରୟୋଗ, ଯେଉଁଥିରେ ଶିକ୍ଷକଙ୍କର କାମ ନିଜେ ଅର୍ଜନ କରିଥିବା ଜ୍ଞାନର ତଥାକଥିତ ଦାନ ନଥିଲା । ପାଠଶାଳାଟିରେ ଆଚାର୍ଯଙ୍କର କାମ ଥିଲା କିଛିଟା ମୌଳିକ ।
ନୀଲ୍ବାଗ୍ରେ ଶିକ୍ଷକମାନେ ପ୍ରତି ପିଲାଟି ପାଇଁ, ତାହାର ନିଜର ଆଗ୍ରହ ଅନୁସାରେ ବିଷୟଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶିଖିବା ନିମନ୍ତେ, ଶୈକ୍ଷଣିକ ପରିସ୍ଥିତିଗୁଡ଼ିକର ନିର୍ମାଣ କରୁଥିଲେ । ଯାହା ଫଳରେ କି ପିଲାଏ ନିଜ ଉଦ୍ୟମରେ ତଥା ସ୍ୱାଗ୍ରହରେ ବିଷୟଗୁଡ଼ିକ ଶିଖିଯାଉଥିଲେ । ଅର୍ଥାତ୍, ନୀଲ୍ବାଗ୍ର ଶୈକ୍ଷଣିକ ପଦ୍ଧତିରେ ଶିକ୍ଷାଦାନର ଆଦୌ କୌଣସି ସ୍ଥାନ ନଥିଲା; ଗୁରୁତ୍ତ୍ୱ ଥିଲା ନିଜର ଚେଷ୍ଟାରେ ବିଦ୍ୟାର ଅର୍ଜନ କରିବା ଉପରେ, ପୁରାପୁରି ଏକ ଆନନ୍ଦଦାୟକ ଉପାୟରେ, ଯେଉଁଥିରେ ଶିଖିବା ଥିଲା ଅକାରଣ, ଏଣୁ ଅର୍ଥପୂର୍ଣ୍ଣ ।
ହେଲେ ଏହି ଉପାୟରେ ବିଦ୍ୟାଳୟଟିଏ ଚଳାଇବାର ଅର୍ଥ, ଶିକ୍ଷକଙ୍କର କାମ ବହୁଗୁଣିତ ହେବା । ନୀଲ୍ବାଗ୍ରେ ଆଚାର୍ଯ୍ୟମାନଙ୍କୁ ପିଲାଙ୍କୁ ଓ ତାଙ୍କର ଅନ୍ତଃକରଣର ବହିପ୍ରକାଶକୁ ନିରିଖେଇକରି ପର୍ଯ୍ୟବେକ୍ଷଣ କରିବାକୁ ପଡ଼ୁଥିଲା । ଯାହା ଫଳରେ ସେ ଜାଣି ପାରିବେ ଯେ, ପିଲାଟିର କେଉଁ ବିଷୟରେ ଆଗ୍ରହ ଅଛି ତଥା ତାହାର ଦକ୍ଷତା ଓ ଯୋଗ୍ୟତା କେଉଁ ସ୍ତରର । କିନ୍ତୁ ଏହାର ମାନେ ଏହା ନୁହେଁ କି, ବିଦ୍ୟାଳୟଟି ଥିଲା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ।
ସେଠି ସମୟ ନିର୍ଘଣ୍ଟ ମଧ୍ୟ ଥିଲା । ହେଲେ ପିରିଅଡ଼ଗୁଡ଼ିକ ଆଜିକାଲିକା ପରି ବିକଳିଆ ୩୫-୪୫ ମିନିଟିଆ ନଥିଲେ । ଥରେ ପିଲାଟିଏର କଉଣସି ବିଷୟ ଶିଖିବା ଓ ଶିଖାଇବା ନିମନ୍ତେ ଆଗ୍ରହ ଜନ୍ମିଲେ, ଚାଳିଶି ମିନିଟିରେ ତାହା ପ୍ରଶମିତ ହୁଏ କି ? ହେଲେ ଶିକ୍ଷକଙ୍କର ପିରିଅଡ଼ଟିକୁ ପିଲାଟି ଆସିବ ନା ନାହିଁ, ତାହା ନିର୍ଭର କରୁଥିଲା ତା' ନିଜର ଦକ୍ଷତା ଓ ଆଗ୍ରହ ଉପରେ । ଅର୍ଥାତ, ପାଠ୍ୟଚର୍ଯ୍ୟା ଓ ପାଠ୍ୟକ୍ରମ ଉଭୟ, ଆଚାର୍ଯ୍ୟ ଓ ବିଦ୍ୟାର୍ଥୀଙ୍କ ଭିତରର ସମ୍ପର୍କ ଉପରେ ଅଙ୍ଗାଙ୍ଗି ଭାବରେ ନିର୍ଭରଶୀଳ ଥିଲା ।
“ବ୍ୟବହାରିକ ଶରୀର ଶ୍ରମକୁ ଯଦି ବୁଦ୍ଧିମତାର ସହିତ କରାଯାଏ, ତାହା ହେଲେ ଏହା ଧୀଶକ୍ତିର ବିକାଶ ପାଇଁ ସବୁଠାରୁ ଉତ୍କୃଷ୍ଟ ମାଧ୍ୟମ ଭାବରେ କାମ କରେ ।.. ଗୋଟିଏ ସନ୍ତୁଳିତ ଧୀ ନିମନ୍ତେ ଶରୀର, ମନ ଓ ଆତ୍ମାର ସୁସଙ୍ଗତ ଅଭିବୃଦ୍ଧି ଆବଶ୍ୟକ ।… ସାମାଜିକ ଦୃଷ୍ଟିରୁ ଉପଯୋଗୀ ଶରୀର ଶ୍ରମ ଦ୍ୱାରା ବିକଶିତ ହୋଇଥିବା ଧୀମତା, ସେବାର ଯନ୍ତ୍ର ବନିବ ଓ ସହଜରେ ପଥ ହୁଡ଼ିବ ନାହିଁ, ଅଥବା କୁଟିଳ ପଥରେ ନିକ୍ଷିପ୍ତ ହେବ ନାହିଁ ।“ - ମୋହନଦାସ କରମଚାନ୍ଦ ଗାନ୍ଧୀ
ବିଦ୍ୟାଳୟଟିର ଅନେକଟା ଉଦ୍ୟମ ବିଦ୍ୟାର୍ଥୀ ଓ ଆଚାର୍ଯ୍ୟମାନଙ୍କ ମଧ୍ୟରେ ଏକ ସୁସ୍ଥ ସମ୍ପର୍କ ନିର୍ମାଣ କ୍ଷେତ୍ରରେ ସଙ୍କେନ୍ଦ୍ରିତ ଥିଲା । ବିଦ୍ୟାର୍ଥିମାନେ ଥିଲେ ଔପଚାରିକ ଶିକ୍ଷା ବ୍ୟବସ୍ଥାରୁ ବାହାର କରାଯାଇଥିବା ପିଲା, ଯେଉଁମାନଙ୍କ ପାଇଁ ତାଙ୍କ ଆଖପାଖର ସ୍କୁଲମାନଙ୍କରେ ଆଉ ସ୍ଥାନ ନଥିଲା । କାରଣ, ବିଫଳ ବୋଲି ତାଙ୍କ ମଥାରେ ରେଖାଙ୍କିତ କରାଯାଇଥିଲା । ପହିଲେପହିଲେ ଶିକ୍ଷକ ଥିଲେ ମାତ୍ର ଦୁଇ ଜଣ – ଡେଭିଡ଼ ଓ ତାଙ୍କର ସହଯାତ୍ରିଣୀ ଡରିନ । ପିଲାଙ୍କୁ ହସ୍ତକର୍ମ ଇତ୍ୟାଦି ଶିଖାଇବାର ଅନେକଟା ଦାୟିତ୍ତ୍ୱ ଡରିନ ହିଁ ତୁଲାଉଥିଲେ ।
କିଛି ପିଲା ସେକ୍ସପିୟରଙ୍କୁ ନେଇ ପାଗଳ ଥିଲେ ଓ ତାଙ୍କର ନାଟକ ସହିତ ବହୁତ ସମୟ ବିତାଉଥିଲେ । ଇସ୍କୁଲୁଟିରେ ଦର୍ଶନ, ନନ୍ଦନତତ୍ତ୍ୱ, ସଙ୍ଗୀତ ଅଭିମୂଲ୍ୟନ, କାଠ କାମ, କୁମ୍ଭାର କାମ ଇତ୍ୟାଦି ପିଲାଏ ବାଧ୍ୟତାମୂଳକ ଭାବରେ ଶିଖୁଥିଲେ । ଏହା ସହ ଗଣିତ, ଭୂଗୋଳ, ପରିବେଶ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଭଳି ସବୁ ପାରମ୍ପରିକ ପାଠ୍ୟବିଷୟ ମଧ୍ୟ ପଢ଼ୁଥିଲେ ।
ଭାଷା ଶିକ୍ଷା ଉପରେ ବହୁତ ଗୁରୁତ୍ୱ ଦିଆଯାଉଥିଲା; ପିଲାଏ ତେଲୁଗୁ, କନ୍ନଡ, ସଂସ୍କୃତ, ହିନ୍ଦୀ ଓ ଇଂରାଜୀ, ଏହି ପରି ପାଞ୍ଚଟି ଭାଷା ଶିଖୁଥିଲେ । ବିଷୟ ଶିକ୍ଷାର ମାଧ୍ୟମ ମାତୃଭାଷା ହେଲେ ମଧ୍ୟ ଇଂରାଜୀର ଶିକ୍ଷା ଓ ଚର୍ଚ୍ଚା ପାଇଁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିଲା । କାରଣ, ଡେଭିଡ଼ ଇଂରାଜୀ ଭାଷାକୁ ପିଲାଙ୍କ ପାଇଁ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ନିମନ୍ତେ ଏକ ଝରକା ଭାବରେ ଦେଖୁଥିଲେ ।
ସେ ସମୟରେ କୌଣସି ବିଦ୍ୟାଳୟରେ ପଢ଼ା ହେଉ ନଥିବା ଅନେକ ବିଷୟ, ଯଥା ଦର୍ଶନ, ଆଲୋଚନାବିଧି, ନନ୍ଦନ ତତ୍ତ୍ୱ, ସଙ୍ଗୀତ ଅଭିମୂଲ୍ୟନ ଆଦି ନୀଲ୍ବାଗ୍ରେ ପଢ଼ା ହେଉଥିଲା । କାରଣ ଡେଭିଡ଼ଙ୍କର ଏ ବିଷୟରେ ଦୃଢ଼ ବିଚାର ଓ ମତ ଥିଲା । ଏବେ ଧିରେଧିରେ ଅଷ୍ଟ୍ରେଲିଆ ଓ ୟୁରୋପର ଅନେକ ଦେଶରେ ଏହି ସବୁ ବିଷୟକୁ ବିଦ୍ୟାଳୟ ପାଠ୍ୟକ୍ରମରେ ରଖିବାକୁ ନେଇ ଅନେକ ପରୀକ୍ଷାନୀରିକ୍ଷା ହେଉଛି । ସେ ଦୃଷ୍ଟିରୁ ନୀଲ୍ବାଗ୍ ଦୁଇ ପୁରୁଷ ପୁରୋଗାମୀ ଥିଲା ।
ବିଶୁଦ୍ଧ ଏକାଡ଼େମିକ ବିଷୟ ଛଡ଼ା ନାନାଦି ହସ୍ତକର୍ମ ପିଲାଙ୍କ ପାଠ୍ୟକ୍ରମର ଗୁରୁତ୍ତ୍ୱପୂର୍ଣ୍ଣ ବିଭାବ ଥିଲା । ପିଲାଏ ହାତକାମ କୌଣସି ଭବିଷ୍ୟ ଜୀବିକା ନିର୍ବାହର ତାଡ଼ନାରେ ଶିଖୁନଥିଲେ । ବିଦ୍ୟାଳୟଟିରେ ହସ୍ତକର୍ମ ଭିତ୍ତିକ ଶିକ୍ଷା ପଛରେ ଗାନ୍ଧିଙ୍କର ଶୈକ୍ଷିକ ଆଦର୍ଶର ପ୍ରେରଣା ଥିଲା । ଗାନ୍ଧୀଙ୍କର ଶିକ୍ଷାଦର୍ଶରେ, ହାତରେ କାମ କଲେ ଅନେକ ଜିନିଷ ଶିଖି ହୁଏ । ଯେପରିକି ଯଦି ଜଣେ ପିଲା ଇସ୍କୁଲୁର କୋଠା ଗଢ଼ିବା କାମରେ ଅଂଶଗ୍ରହଣ କରେ, ଓ ତାଙ୍କର ଆଚାର୍ଯ୍ୟ ଏହାକୁ ଏକ ଶୈକ୍ଷଣିକ କାମ ଭାବରେ ବ୍ୟବହାର କରନ୍ତି, ତାହା ହେଲେ ସେ ଆବଶ୍ୟକୀୟ ବୌଦ୍ଧିକ ପରିଶ୍ରମ କରି, ଅବଲୀଳା କ୍ରମେ ଜ୍ୟାମିତି, ତ୍ରିକୋଣମିତି, ଅର୍ଥନୀତି ଓ ସ୍ଥାପତ୍ୟବିଦ୍ୟା ଇତ୍ୟାଦି ବିଷୟ ଶିଖିଯାଇପାରିବ ।
ଏହା ହିଁ ନୀଲ୍ବାଗ୍ରେ ଘଟୁଥିଲା । ହେଲେ ଏହା ଗାନ୍ଧୀଙ୍କର ମୌଳିକ ଶିକ୍ଷାର ହନୁକରଣ ମାତ୍ର ନଥିଲା । ବିଦ୍ୟାଳୟର ପିଲାଏ ଉଭୟ ଗାନ୍ଧୀଙ୍କର ମୌଳିକ ଶିକ୍ଷା ଓ ରବି ଠାକୁରଙ୍କର ଶାନ୍ତିନିକେତନି ବିଦ୍ୟାବିଚାରର ମିଳିତ, ସଞ୍ଜୋଯିତ ପାଠ୍ୟଚର୍ଯ୍ୟା ଦ୍ୱାରା ପ୍ରଶିକ୍ଷିତ ହେଉଥିଲେ । ଏହା ସହିତ ସ୍ଥପତି ଏରିକ୍ ଗିଲ୍ଙ୍କର ଶିକ୍ଷାଦର୍ଶରେ ଅନୁପ୍ରାଣିତ ହୋଇ ଡେଭିଡ଼ ଏହି ବିଚାରରେ ଦୃଢ଼ନିଷ୍ଠ ଥିଲେ ଯେ, ପିଲାଙ୍କୁ କେବେ ବସ୍ତୁର ବ୍ୟବହାର ମାତ୍ରରେ ପ୍ରଶିକ୍ଷିତ କରାଇବା ଉଚିତ ନୁହେଁ । ଏହିଠାରେ ନୀଲ୍ବାଗ୍ର ପାଠ୍ୟକ୍ରମ ପଛର ବିଚାର ଗାନ୍ଧୀଙ୍କ ଠାରୁ ମଧ୍ୟ ଦୁଇ ପାଦ ଆଗକୁ ଚାଲିଯାଇଥିଲା ।
ହର୍ସବରୋଙ୍କ ପାଇଁ ହସ୍ତକର୍ମ ଥିଲା ପିଲାଏ ଗୋଟିଏ ମୌଳିକ ଶୃଙ୍ଖଳା ଶିଖିବାର ଉପଲକ୍ଷ୍ୟ । ମୃତ୍ତିକାକର୍ମ କଲା ବେଳେ ମାଟି, କାଷ୍ଠକର୍ମ ସମୟରେ କାଠ, କଳାକାରକୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ସୀମାବଦ୍ଧତାର ପରିଧି ଭିତରେ କାମ କରିବାକୁ ବାଧ୍ୟ କରେ । କାଠକୁ ଭୁଲ ଭାବରେ ଚାଞ୍ଛିଲେ ଏହା ଦନ୍ଥଡ଼ା ହୋଇଯାଏ । ମାଟିକୁ କୁମ୍ଭାରଚକରେ ଅସାବଧାନତା ସହ ଘୁରାଇଲେ, ଏହା ମନମୁତାବକ, ଠିକ୍ ରୂପ ଗ୍ରହଣ କରେ ନାହିଁ । ଅର୍ଥାତ କଳାକାର, କାମ କରୁଥିବା ପଦାର୍ଥର ଚରିତ୍ର ଦ୍ୱାରା ହିଁ ଶୃଙ୍ଖଳିତ ଓ ପ୍ରଶିକ୍ଷିତ ହୁଏ । ଏହି ଶୃଙ୍ଖଳା ଓ ଶିକ୍ଷା କୌଣସି ବାହ୍ୟ ତର୍କ ବା ହିଂସା ଦ୍ୱାରା ସୃଷ୍ଟ ନୁହେଁ; ବରଞ୍ଚ, ଏହା ମୌଳିକ ଓ ଆତ୍ମଜାତ ତଥା ଅହିଂସାର ଅଭ୍ୟାସ ନିମନ୍ତେ ଏକାନ୍ତ ଆବଶ୍ୟକ । ଏହି ଦୁଇଟି କାରଣ ଯୋଗୁଁ, ନୀଲ୍ବାଗ୍ରେ ପିଲାଙ୍କର ହସ୍ତକର୍ମ ଶିକ୍ଷା ଉପରେ ଗୁରୁତ୍ତ୍ୱ ଆରୋପ କରାଯାଉଥିଲା ।
ମାତ୍ର ଏହାର ଅର୍ଥ ଏହା ନଥିଲା କି ପିଲାଏ ଆମେ ସାଧାରଣ ଅର୍ଥରେ ପାଠ କହିଲେ ଯାହା କହୁ, ତାହା ପଢ଼ୁ ନଥିଲେ । ଉଦାହରଣସ୍ୱରୂପ, ବାର ତେର ବର୍ଷ ବୟସର ପିଲାଏ ସେକ୍ସପିଅରଙ୍କର ଅନେକ କେତୋଟି ନାଟକ ମୂଳ ଏଲିଜାବେଥୀୟ ଇଂରାଜୀରେ ପଢ଼ୁଥିଲେ । ମାତ୍ର ଏସବୁ ପିଲାଟିଏର ଆଗ୍ରହ ଓ ସ୍ୱତଃସ୍ଫୁର୍ତ୍ତ ଉଦ୍ୟମ ଉପରେ ନିର୍ଭର କରୁଥିଲା ।
“ଆମର ସମସ୍ୟା ସେତେଟା ପିଲାଙ୍କ ସହିତ ନୁହେଁ, ସେ ବାଳକ ହୁଅନ୍ତୁ କି ବାଳିକା; ଆମର ସମସ୍ୟାଟା ବରଂ ଶିକ୍ଷକଙ୍କ ସହିତ, ଯାହାଙ୍କର ଛାତ୍ରଙ୍କଠାରୁ ଶିକ୍ଷାର ବେଶି ଆବଶ୍ୟକତା ରହିଛି । ଆଉ ପିଲାଙ୍କ ଠାରୁ ଶିକ୍ଷକଙ୍କୁ ଶିକ୍ଷିତ କରାଇବା ଯଥେଷ୍ଟ ଅଧିକ କାଠିକର ପାଠ, କାରଣ ଶିକ୍ଷକ ଜଣକ ଶଗଡ଼ଗୁଳାରେ ପଡ଼ିସାରିଛନ୍ତି ।” - ଜିଦୁ କୃଷ୍ଣମୂର୍ତ୍ତି
ନୀଲ୍ବାଗ୍ ଯେ କେବଳ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ତାହା ନୁହେଁ । ଡେଭିଡ଼ଙ୍କ ଦ୍ୱାରା ଏହି ବିଦ୍ୟାଳୟଟିର ସ୍ଥାପନା ପଛରେ ଏହି ଉଦ୍ଦେଶ୍ୟଟି ମଧ୍ୟ ପ୍ରଚ୍ଛନ୍ନ ଥିଲା ଯେ, ଶିକ୍ଷକ ପ୍ରଶିକ୍ଷଣ ପାଇଁ ଏକ କେନ୍ଦ୍ର ଆରମ୍ଭ କରିବା । ମାତ୍ର ଏହା ପାରମ୍ପରିକ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଟିଏ ନଥିଲା । ଡେଭିଡ଼ ସ୍ନାତକ କିମ୍ବା ସ୍ନାତକୋତ୍ତର ପାଠ୍ୟକ୍ରମରୁ ଉତ୍ତୀର୍ଣ୍ଣ କିଛି ଛାତ୍ରଛାତ୍ରୀଙ୍କୁ ନୀଲ୍ବାଗ୍ସ୍ଥ ଏହି ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରହଣ କରୁଥିଲେ । ଏଥିର ଛାତ୍ରଛାତ୍ରମାନେ ନୀଲ୍ବାଗ୍ରେ ରହି ସେଠିକାର ସ୍କୁଲରେ ପ୍ରଥମ ଠାରୁ ମାଟ୍ରିକ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ବିଷୟ ପଢ଼ିବା ଓ ପଢାଇବା ନେଇ ଆବଶ୍ୟକୀୟ ଦକ୍ଷତା ହାସଲ କରିବେ ବୋଲି ଯୋଜନା ଥିଲା । ଏହି ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆରମ୍ଭ ବ୍ୟାଚ୍ଗୋଟିକରେ ଥିଲେ ମାଳତି ।
ମାଳତିଙ୍କର ଶିକ୍ଷା କ୍ଷେତ୍ରରେ କାମ କରିବାର, ଶିକ୍ଷକ ବନିବାର ସବୁ ବେଳେ ଇଚ୍ଛା ଥିଲା । ହେଲେ ମୁଖ୍ୟଧାରାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ପ୍ରଶିକ୍ଷଣରେ ସେ ପ୍ରବେଶ କରିବାକୁ ଚାହୁଁ ନ ଥିଲେ । ଏହି ସମୟରେ ଦକ୍ଷିଣ ଭାରତରେ ଲୋକପ୍ରିୟ ଇଂରାଜୀ ଖବର କାଗଜ ‘ଡେକାନ ହେରାଲ୍ଡ଼୍’ରେ ଡେଭିଡ ହର୍ସବରୋ ଦେଇଥିବା ‘ୱାଣ୍ଟେଡ଼୍ ଟିଚର୍ସ୍, ବଟ୍ ନଟ୍ ଟ୍ରେନ୍ଡ଼୍’ - ‘ଶିକ୍ଷକ ଦରକାର, ମାତ୍ର ପ୍ରଶିକ୍ଷିତ ନୁହେଁ’ - ଶୀର୍ଷକରେ ଗୋଟିଏ ଅତି ଛୋଟ ବିଜ୍ଞାପନ ସେ ଦେଖନ୍ତି ।
ଯିବାକୁ ଚାହୁଁଥିବା ଅଜଣା ଦୂର ରାଇଜକୁ ଟିକଟଟିଏ ମିଳିଗଲା ଭଳି ଲାଗେ ମାଳତିଙ୍କୁ । ସେତେବେଳକୁ ସେ କନ୍ନଡ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ଲାଭ କରିସାରିଥାଆନ୍ତି । ସେହି ସମୟରେ ତାଙ୍କର ପରିଚିତ ଗୋଟିଏ ଇଂରାଜ ଦମ୍ପତ୍ତି, ଶ୍ରୀମତି ଓ ଶ୍ରୀ ଷ୍ଟାର୍ଲି, ଗ୍ରାମାଞ୍ଚଳରେ ଗୋଟିଏ ବିଦ୍ୟାଳୟ ଖୋଲିବାର ଯୋଜନା କରିଥାଆନ୍ତି । ଏହି ସ୍କୁଲଟି ପାଇଁ ଉଦ୍ଦିଷ୍ଟ ଶିକ୍ଷକମାନଙ୍କର ପ୍ରଶିକ୍ଷଣର ମଧ୍ୟ ଆବଶ୍ୟକତା ଥାଏ । ଡେଭିଡ ହର୍ସବରୋ ଏହି କାମଟିର ଦାୟିତ୍ୱ ନେବା ପାଇଁ ରାଜି ହେଲେ ।
ସେହି ବର୍ଷ ବିଜ୍ଞାପନର ଦୁଇଟି ଉତ୍ତର ମିଳିଥିଲା । ମାତ୍ର ସେଥିରୁ ଜଣେ ପ୍ରାର୍ଥୀ ସାକ୍ଷାତକାର ପାଇଁ ନ ଆସିବାରୁ କେବଳ ମାଳତି ହିଁ ଜଣେ ଆଶାୟୀ ଭାବରେ କର୍ଣ୍ଣାଟକ-ଆନ୍ଧ୍ର ସୀମାରେ ଥିବା ସେହି ପ୍ରଶିକ୍ଷଣ କେନ୍ଦ୍ରଟିକୁ ଯାତ୍ରା କଲେ । ନୀଲ୍ବାଗ୍ରେ ଏକ ଶୁକ୍ରବାରରେ ସେ ପହଞ୍ଚିଲା ବେଳକୁ ଡେଭିଡ ସେଠି ନ ଥାଆନ୍ତି । ଗୋଟିଏ ଝଗଡ଼ା ମେଣ୍ଟାଇବା ପାଇଁ ତଥା ବାହାଘର ଭୋଜିରେ ଯୋଗ ଦେବା ନିମନ୍ତେ, ପାଖର ଏକ ଗାଁକୁ ସେ ଯାଇଥାଆନ୍ତି । ଖୋଲା ବୁଦୁବୁଦିକିଆ ପଡ଼ିଆଟିରେ ଥାଏ ଚାଳ ଛପର, ମାଟିର ବଡ଼ ଘରଟିଏ । କୁଡ଼ିଆଟିରେ ପଡ଼ିଥାଏ ସପଗୁଡ଼ିଏ । କୋଡ଼ିଏ ପାଖାପାଖି ପିଲେ ସେଇଠି ବସି ଡରିନଙ୍କଠାରୁ ହାତକାମ ଶିଖୁଥାଆନ୍ତି ।
ସେତିକି ବେଳେ ପଶି ଆସିଲେ ଡେଭିଡ଼ - ସୁଦର୍ଶନ, ଦୃଢ଼ବପୁ ଓ ନିଶବନ୍ତ; ଲମ୍ବା କେଶଧାରୀ, ଲୁଙ୍ଗିପିନ୍ଧା, ବଡ଼ ପାଟିରେ ଗୀତ ଗାଉଥିବା ବିଚିତ୍ର ଗୋରା ଲୋକଟିଏ । ପରିଚୟ ଇତ୍ୟାଦି ପରେ ଆରମ୍ଭ ହେଲା ସାକ୍ଷାତକାର । ସେଥିରେ ବିଶେଷ କିଛି କରିବାକୁ ପଡ଼ିଲା ନାହିଁ ମାଳତିଙ୍କୁ । ଖାଲି ଲେଖିବାକୁ ପଡ଼ିଲା ଗୋଟିଏ ବିଷୟରେ ରଚନା । ତାହା ଥିଲା ମାଳତିଙ୍କର ନିଜ ଜୀବନ ଓ ଶିକ୍ଷକତା ବିଷୟରେ ଥିବା ଅବଧାରଣାଗୁଡ଼ିକ ବିଷୟରେ । ସେମିତି ଦେଖିବାକୁ ଗଲେ ଏହା ସେପରି କିଛି କଷ୍ଟକର ବିଷୟ ନୁହେଁ । ହେଲେ ଏ ବିଷୟରେ ଲେଖିବାକୁ ଯାଇ ମାଳତି ଜଳଦ୍ଘର୍ମ ହୋଇଗଲେ । ତାହା ସତ୍ତ୍ୱେ ସେ ଖୁସି ହେଲେ ଏଇଥି ପାଇଁ ଯେ, ନିଜ ଜୀବନ ଓ ଭବିଷ୍ୟ କର୍ମପନ୍ଥା ଉପରେ ମନନ କରିବା ଫଳରେ, ସେ ନିଜର ବିଚାରକୁ ସଫା କରିବାର ଏକ ସୁଯୋଗ ପାଇଲେ । ବୋଧହୁଏ ଡେଭିଡ଼ ସେଇଆ ହିଁ ଚାହୁଁଥିଲେ ।
ସାକ୍ଷାତକାର ସାରି ମାଳତି ନୀଲ୍ବାଗ୍ ଛାଡ଼ିଲା ବେଳକୁ ଦେଖିଲେ, ସେଇ ପାଖରେ ଗୋଟିଏ ଛୋଟ ଆକ୍ରାନ୍ତରେ ଜେଗାଟିଏ ସଫା କରି ଚକ ଖଡ଼ିରେ ଅଲଗେଇ ଦିଆଯାଇଛି । ତାହାକୁ ଦେଖାଇ ଦେଇ ଡେଭିଡ଼ କହିଲେ, “ତୁମେ ଯେତେବେଳେ ସୋମବାର ଦିନ ଏଠାକୁ ଆସିବ, ମୁଁ ତମ ପାଇଁ ଏଇଠି ରହିବା ପାଇଁ ଘରଟିଏ ତିଆରି କରିସାରିଥିବି।” ସୋମବାର ଦିନ ଯେତେବେଳେ ମାଳତି ନୀଲ୍ବାଗ୍ରେ ପହଞ୍ଚନ୍ତି, ସେ ଭେଟନ୍ତି ଅନ୍ୟ ତିନି ଜଣ ଛାତ୍ର-ଶିକ୍ଷକଙ୍କୁ । ସେମାନଙ୍କ ପାଇଁ ପୂର୍ବ ଅଙ୍କିତ ଯାଗାରେ ଅପେକ୍ଷା କରିଥାଏ ଚାଳଛପର କୁଡ଼ିଆ ଘରଟିଏ ।
ଘରର ଦୂଆରଟି ସଜା ହୋଇଥିଲା ଆମ୍ବ ପତରର ତୋରଣରେ; ଆଗରେ ଅଙ୍କା ହୋଇଥିଲା ଇନ୍ଦ୍ରଧନୁ ପରି ମୁରୁଜ । ଘରଟି ଚାରି ଜଣ ଲୋକ ରହିବା ପାଇଁ ଯଥେଷ୍ଟ ଥିଲା । ଏପରିକି କୁଡ଼ିଆଟିର ଗୋବର ଲିପା ଚଟାଣଟି ନାନାଦି ଚିତ୍ରରୂପରେ ସଜ୍ଜିତ ଥିଲା । ଘରର ଗୋଟିଏଗୋଟିଏ କୋଣ ଉଦ୍ଦିଷ୍ଟ ଥିଲା ଏକଏକ ଶିକ୍ଷାନବୀଶଙ୍କ ପାଇଁ । ଆଉ ପ୍ରତିଟି କୋଟିଭାଗରେ ଥିଲା, ଗୋଟିଏ ଲେଖାଏଁ ବାଉଁଶ ଖଟ, ଟେବୁଲ, ଡେସ୍କ ଓ ଦୀପ । ଏହା ଛଡ଼ା ରନ୍ଧାବଢ଼ା କରିବା ପାଇଁ ଛୋଟିଆ ରୋଷେଇଜେଗା ଆଉ ପାଠାଗାରଟିଏ ମଧ୍ୟ ସେଇ କୁଡ଼ିଆଟି ଭିତରେ ସେମାନଙ୍କ ବ୍ୟବହାର ପାଇଁ ଥିଲା ।
ଏଇ ଚାରି ଜଣଙ୍କୁ ନେଇ ୧୯୭୫ ମସିହାରେ ଆରମ୍ଭ ହେଲା ନୀଲ୍ବାଗ୍ ବିଦ୍ୟାଳୟରେ ଶିକ୍ଷକ ପ୍ରଶିକ୍ଷଣର କାର୍ଯ୍ୟକ୍ରମ । ବିନା ଇସ୍କୁଲୁରେ ଶିକ୍ଷାନବୀଶ ଶିକ୍ଷକମାନେ ସାଧାରଣତଃ ଶିଖିନ୍ତି ବା କଅଣ ! ଏଠି ନୀଲ୍ବାଗ୍ ଇସ୍କୁଲୁଟି ବହୁତ କାମରେ ଆସିଲା ! ଶିକ୍ଷା କ୍ଷେତ୍ରରେ ହୋଇଥିବା ସମସ୍ତ ପ୍ରକାରର ପରୀକ୍ଷାନୀରିକ୍ଷାକୁ କାମରେ ଲଗାଇ ନିଜେ ଶିକ୍ଷକମାନେ ଶିଖିବା ପାଇଁ ଏହା ଥିଲା ଏକ ପ୍ରକୃଷ୍ଟ କ୍ଷେତ୍ର । ଏହି ଚାରି ଜଣଙ୍କର ପ୍ରଶିକ୍ଷଣ ଚାଲିଲା ମାସମାସ ଧରି । ପାଠ୍ୟଚର୍ଯ୍ୟା, ପାଠ୍ୟକ୍ରମ, ଶିକ୍ଷାଶାସ୍ତ୍ର, ଶିକ୍ଷାସହାୟକ ଯନ୍ତ୍ରପାତି, ପଞ୍ଜିକରଣ, ମନନ, ମୂଲ୍ୟାୟନ, ଚାରୁକଳା, ହସ୍ତକର୍ମ, ନାଟ୍ୟ, ନୃତ୍ୟ, ନିର୍ମାଣ ଶିଳ୍ପ, ଏଇ ସବୁଥିରେ ଚାରି ଜଣ ଯାକ ବୁଡ଼ି ରହିଲେ ।
ଏମାନେ ଶିଖୁଥିଲେ ଗ୍ରାମାଞ୍ଚଳରେ ଅସଲ ଅର୍ଥରେ ବିଦ୍ୟାଳୟଟିଏ ଆରମ୍ଭ କରି ତାହାକୁ ଚଳାଇପାରିବାର କଳା । ହେଲେ ଏହା ସହିତ ସେମାନଙ୍କୁ ନିଜକୁ ବୁଝିବାକୁ ଓ ଜାଣିବାକୁ ମଧ୍ୟ ଅନେକ ସୁଯୋଗ ମିଳିଲା । ସମସ୍ତଙ୍କୁ ମଝିରେ ମଝିରେ ଡେଭିଡ଼ଙ୍କ ସହ ଚାହା ପିଇବା ପାଇଁ ଡକରା ଆସୁଥିଲା । ଏହା ଥିଲା ନିଜର ଶଙ୍କା ଓ ସନ୍ଦେହ ଦୂର କରି, ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରିବାର ଏକଏକ ସୁଯୋଗ ।
ନୀଲ୍ବାଗ୍ରେ ଶିକ୍ଷକ ହେବା ପାଇଁ ପ୍ରଶିକ୍ଷଣ ପାଉଥିବା ସବୁ ଶିକ୍ଷକ-ଛାତ୍ରଙ୍କୁ ୮୦୦ ଘଣ୍ଟା ପଢ଼ାଇବାର ସୁଯୋଗ ମିଳୁଥିଲା । ଏହା ଛଡ଼ା କେନ୍ଦ୍ରଟିରେ ଥିଲା ନାନାଦି କର୍ମଶାଳା, ଯେଉଁଠାରେ ହାତକାମରେ ନିଜର କୌଶଳ ବାଗେଇବା ପାଇଁ ଥିଲା ଅନେକ ସୁବିଧା । ଡେଭିଡ଼ଙ୍କର ପାଠାଗାରଟିରେ ଆବଶ୍ୟକୀୟ, ପର୍ଯାପ୍ତ ବହି ଓ ଅନ୍ୟ ପାଠ୍ୟୋପକରଣ ଥିଲା ।
ପାଠାଗାର ଓ କର୍ମଶାଳାର ବ୍ୟବହାର କରି ଭବିଷ୍ୟତର ଶିକ୍ଷକମାନେ କିପରି ପ୍ରତିଟି ପିଲା ପାଇଁ ତାହାର ଆଗ୍ରହ ଉପଯୋଗୀ ପାଠ୍ୟ ସାମଗ୍ରୀ ତିଆରି କରିପାରିବେ, ତାହା ଶିଖିଯାଉଥିଲେ । ସପ୍ତାହକୁ ଦୁଇ ଥର ଶିକ୍ଷା ବିଷୟକ ସମ୍ପାନ (ସେମିନାର)ର ମଧ୍ୟ ଆୟୋଜନ ହେଉଥିଲା, ଯାହା ଦ୍ୱାରା କି ସେମାନେ ନିଜ ପାଠରେ ଥିବା ଶଙ୍କାମାନଙ୍କର ଆଲୋଚନା ଦ୍ୱାରା ନିରାକରଣ କରୁଥିଲେ ।
ଏହା ଛଡ଼ା ସବୁ ଶିକ୍ଷାନବୀଶଙ୍କୁ ‘ସାଧାରଣ ମନସ୍ତତ୍ତ୍ୱ’, ‘ଶୈକ୍ଷଣିକ ମନସ୍ତତ୍ତ୍ୱ’ ଓ ‘ଶିକ୍ଷା ଦର୍ଶନ’ ଆଦି ପାଠ୍ୟ ବସ୍ତୁରେ ପ୍ରଶିକ୍ଷିତ ହେବାକୁ ପଡ଼ୁଥିଲା । ଶିକ୍ଷକ ପ୍ରଶିକ୍ଷଣର ଏହି ଉଦ୍ୟମଟିର ପଛରେ ଗାନ୍ଧୀ ଓ ରବି ଠାକୁରଙ୍କର ବିଚାର ଛଡ଼ା ଜିଦ୍ଦୁ କୃଷ୍ଣମୂର୍ତ୍ତିଙ୍କର ଆଧ୍ୟାତ୍ମିକ ଉତ୍ପେରଣା କାମ କରୁଥିଲା । ହେଲେ ନୀଲ୍ବାଗ୍ର ଶିକ୍ଷକ ପ୍ରଶିକ୍ଷଣର ଜୀବନଚର୍ଯ୍ୟା ଶୁଖିଲା ଆଶ୍ରମ ଜୀବନର ୠଢ଼ିର ପୁନରାବୃତ୍ତି ନ ଥିଲା ।
ସନ୍ଧ୍ୟା ୮.୪୫ରେ ଡେଭିଡ଼ଙ୍କର ବ୍ୟକ୍ତିଗତ ଗ୍ରାମୀଣ ବାର୍ଟି ଖୋଲୁଥିଲା । ଆଉ ପାନୀୟ ସହିତ ଶିକ୍ଷା ସମ୍ବନ୍ଧୀୟ ନାନାଦି ବିଷୟର ବିଚାରାଲୋଚନା ମଧ୍ୟ ହେଉଥିଲା । ଅବଶ୍ୟ ଯଦି ଶୀକ୍ଷାନବିଶଟିର ପାନୀୟର ସଦ୍ବ୍ୟବହାର କରିବାର ଇଚ୍ଛା ଥାଏ, ତାହେଲେ ଯାଇଁ । ନହେଲେ ସୁରାପାନ କରୁ ନଥିବା ଶିକ୍ଷକ-ଛାତ୍ରଙ୍କ ପାଇଁ ସ୍ଥୁଳ ଅର୍ଥରେ ଆଲୋଚନାଟି ଥିଲା ଶୁଷ୍କ ।
ଏହି ପରି ରଜଘଷ ଦ୍ୱାରା ଶିକ୍ଷାରେ ଜୀବନଟିଏ ବଞ୍ଚିବା ପାଇଁ, ପିଲାଙ୍କ ସହିତ ସ୍ୱାଧୀନତାର ପାଠ ପଢ଼ି, ନିଜର ବାଟ ନିଜେ ଖୋଜି ନେବା ନିମନ୍ତେ, ମୁଳଦୁଆଟିଏ ପଡ଼ିଲା; ସମସ୍ତ ଶିକ୍ଷାନବୀଶଙ୍କର, ମାଳତିଙ୍କର ମଧ୍ୟ । ଚାରି ଦଶନ୍ଧି ତଳେ ମାଳତି ଖୋଲିଲେ କୁନି ବିଦ୍ୟାଳୟଟିଏ, ବାଙ୍ଗାଲୋର ମହାନଗରର କିଛି ଦୂରରେ ଥିବା ଗୋଟିଏ ଗାଁ ଦୋଡ୍ଡକଲ୍ଲାସନ୍ଦ୍ରାଠାରେ । ଏବେ ଅବଶ୍ୟ ସହରଟି ଏହି ଅଞ୍ଚଳକୁ ଅର୍ଘାସୁର ପ୍ରମାଣେ ଗିଳିବାକୁ ବସିଲାଣି ।
ବାଙ୍ଗାଲୋରକୁ ଏହାର ବୃହତ୍ତର ଅଞ୍ଚଳ ସହିତ ଯୋଡ଼ୁଥିବା ଗୋଟିଏ ଗୁରୁତ୍ତ୍ୱପୂର୍ଣ୍ଣ ରାସ୍ତା କନକପୁରା ରୋଡ଼ଠୁ ଟିକେ ଭିତରକୁ ଗଲେ ଇସ୍କୁଲଟି ପଡ଼ିବ । ସ୍କୁଲଟିର ନାଁ 'ବିକାସନା', ଅର୍ଥାତ୍ ପ୍ରସ୍ଫୁଟିତ ହେବା । ପାଠଶାଳାଟି ଆରମ୍ଭ ହେବା ସମୟରେ ଛାତ୍ରଛାତ୍ରୀମାନେ ଥିଲେ ଗାଁରେ ମୂଲ ଲାଗି ଚଳୁଥିବା ଲୋକଙ୍କର ପିଲାପିଲି । ଏବେ ଅନେକ ବିଦ୍ୟାର୍ଥୀ ହେଲେ ଦାଦନ ଖଟୁଥିବା ଲୋକଙ୍କ ଛୁଆଏ । ଚୁଇଁ ସ୍କୁଲୁଟିରେ ପିଲାଏ ମାତ୍ର ତିରିଶ ପାଖାପାଖି; ଶିକ୍ଷକ ଯୋଡ଼ିଏ ।
ହର୍ସବରୋଙ୍କ ଆଦର୍ଶ ଅନୁସାରେ ବିଦ୍ୟାଳୟର କୋଠାବାଡ଼ିରେ କିଛି ଆଟୋପ, ଜାକ୍ଜମକ ନାହିଁ । ଏଗୁଡ଼ିକ ଆଖପାଖର ପିଲାମାନେ ଓ ଲୋକେ (ଯେଉଁମାନଙ୍କ ପିଲାଏ ପଢ଼ିବାକୁ ଆସୁଥିଲେ ବା ଆସୁଛନ୍ତି) ହିଁ ତିଆରି ଓ ମରାମତି କରିଛନ୍ତି । ଏହି ନିର୍ମାଣ କର୍ମ ମଧ୍ୟ ପିଲାଙ୍କର ପାଠ୍ୟକ୍ରମ ଓ
ଶିକ୍ଷାର ଅଂଶ । ଆଜିର ତଥାକଥିତ ଆନ୍ତର୍ଜାତୀୟ ବିଦ୍ୟାଳୟଗୁଡ଼ିକର କିମ୍ଭୁତକିମାକାର କଙ୍କ୍ରିଟ, କାଚଘେରା, ବାତାନୁକୁଳିତ ଶ୍ରେଣୀଗୃହ ତୁଳନାରେ ଏହି କୋଠାଗୁଡ଼ିକ ଲାଗେ
ବଜାରି ସରବତ ଦ୍ୱାରା ବିରସସିକ୍ତ ରସନା ଉପରେ ମୁନ୍ଦାଏ ନିରୋଳା, ଥଣ୍ଡା ବାମ୍ଫିର ପାଣିର ବର୍ଷା ପରି ।
ଆର୍ଥିକ ଦୃଷ୍ଟିରୁ ଗରିବ ପିଲାଙ୍କୁ ନେଇ ସ୍କୁଲଟି ଚାଲୁଥିଲେ ମଧ୍ୟ, ପିଲାଙ୍କ ପାଠ୍ୟକ୍ରମ ଓ ଶିକ୍ଷାର ବ୍ୟବସ୍ଥାରେ ଏକ ବିଶ୍ୱଦର୍ଶିତା ଆମେ ଦେଖିବାକୁ ପାଇବା । ନାନାଦି ଭାରତୀୟ ଭାଷା ଛଡ଼ା ପିଲାଏ ଇଂରାଜୀ, ଫରାସୀ, ଇତାଲୀୟ ଓ ଜର୍ମାନ ଭାଷା ମଧ୍ୟ ଶିଖନ୍ତି । ବିକାସନାରେ ବଗିଚା କାମ, ଗୀତ ଗାଇବା, ଗପ କହିବା ଓ ଶୁଣିବା ପାଠ୍ୟଚର୍ଯ୍ୟାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାବ ।
ମଣିଷ ତିଆରି କରି ନିଜେ ଗଢ଼ି ହେବାର ଯେଉଁ କଳାଟିର ଅଭ୍ୟାସ ମାଳତି ସେଇ ବର୍ଷ ଡେଭିଡ଼ ଓ ଅନ୍ୟ ସହପାଠୀମାନଙ୍କ ସହ ମିଶି ନୀଲ୍ବାଗ୍ରେ କରିଥିଲେ, ତାହାର ଗୋଟିଏ ସ୍ଥୁଳ ରୂପ ହେଲା ବିକାସନା । ହେଲେ ବିକାଶନା ନୀଲ୍ବାଗ୍ର ଏକ ପ୍ରତିରୂପ ମାତ୍ର ନୁହେଁ । ନୀଲ୍ବାଗ୍ରେ କେବଳ ପିଲାଏ ସ୍ୱାଧୀନତାର ଶିକ୍ଷା ପାଉନଥିଲେ । ଶିକ୍ଷକ-ଛାତ୍ରମାନେ ମଧ୍ୟ ଶିଖୁଥିଲେ ବିଦ୍ୟାଧ୍ୟୟନକୁ ନେଇ ପରୀକ୍ଷାନୀରିକ୍ଷା କରିବାର କଳାକଉଶଳ ।
ଏହି ପ୍ରକ୍ରିୟାର ଫଳଶୃତିର ଗୋଟିଏ ଭିନ୍ନ ରୂପ ଭାବରେ ଆମେ ରାଜସ୍ଥାନର ‘ଦିଗନ୍ତର’ ଅନୁଷ୍ଠାନର କର୍ମୀ ରୋହିତ ଧନକର ଙ୍କର କାମକୁ ନେଇପାରିବା । ରୋହିତ ମଧ୍ୟ ନୀଲ୍ବାଗ୍ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେତେବେଳେ ସେ ଗଣିତରେ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ୍ଣ କରି ଶିକ୍ଷାରେ ବିକଳ୍ପର ଅନୁସନ୍ଧାନରେ ଥିଲେ ।
ଡେଭିଡ଼ଙ୍କର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ବାହାରିଲା ପରେ, ସେ ରାଜସ୍ଥାନର ଜୟପୁର ଜିଲ୍ଲାରେ ନିଜର ସହଧର୍ମିଣୀ ରୀନା ଦାସଙ୍କ ସହ ମିଶି ଏକ ଛୋଟ ବିଦ୍ୟାଳୟ ଚଳାଇଲେ । ବିଦ୍ୟାଳୟଟିର ଉଦ୍ଦେଶ୍ୟ ଦୁନିଆ ବଦଳାଇଦେବାର ନଥିଲା । ଲକ୍ଷ୍ୟ ଥିଲା ନିଜର ପିଲା ଓ ଅନ୍ୟ ଆଗ୍ରହୀ ବାପାମାଙ୍କର ଛୁଆଙ୍କ ପାଇଁ ଏପରି ଏକ ବିଦ୍ୟାଳୟର ନିର୍ମାଣ, ଯାହା ସମ୍ପୂର୍ଣ୍ଣ ଭାବରେ ମୁକ୍ତ ଓ ଗଣତାନ୍ତ୍ରିକ ଭାବରେ ପରିଚାଳିତ ହେବ, ତଥା ଶିକ୍ଷାର ମୌଳିକ ଦର୍ଶନରୁ ବାହାରିଥିବା ବ୍ୟବହାରଯୋଗ୍ୟ ନିଷ୍କର୍ଶଗୁଡ଼ିକୁ କାମରେ ଲଗାଇବ ।
ବିଦ୍ୟାଳୟଟି ୧୯୭୮ ମସିହାରେ ଆରମ୍ଭ ହେଲା । ସ୍କୁଲ ଚଳାଉଥିବା ‘ଦିଗନ୍ତର’ ସଂସ୍ଥାଟି ୧୯୮୭ ମସିହାରେ ପଞ୍ଜିକୃତ ହେଲା । ବର୍ତ୍ତମାନ ଦିଗନ୍ତର ଗ୍ରାମୀଣ ଅଞ୍ଚଳରେ ସ୍ୱାଧୀନତାର ଶିକ୍ଷା ଦେଉଥିବା ‘ଦିଗନ୍ତର ବିଦ୍ୟାଳୟ’ଟି ତ ଚଳାଏ; ତାହା ସହ ‘ଶିକ୍ଷାର ଆଧାର’ ନାମକ ଏକ ସର୍ଟିଫିକେଟ୍ କାର୍ଯ୍ୟକ୍ରମର ପରିଚାଳନା କରେ ଓ ‘ଶିକ୍ଷା ବିମର୍ଶ’ ନାମକ ଗୋଟିଏ ହିନ୍ଦୀ ଦ୍ୱିମାସିକ ପତ୍ରିକା ମଧ୍ୟ ପ୍ରକାଶିତ କରେ । ୧୯୯୮ ମସିହାରୁ ନିରନ୍ତର ପ୍ରକାଶିତ ହୋଇ (ସେଥି ମଧ୍ୟରୁ କିଛି କାଳ ମାସିକ ଭାବରେ) ହିନ୍ଦୀ ଭାଷାରେ ଶିକ୍ଷା ସମ୍ଭନ୍ଧୀୟ ବିଚାର ନିର୍ମାଣ କରିବାରେ ଏହି ପ୍ରକାଶନଟିର ଏକ ମୌଳିକ ଅବଦାନ ରହିଛି । ଏହା ଛଡ଼ା ଭାରତରେ ଶିକ୍ଷା ଦର୍ଶନ ବିଷୟରେ ବିମର୍ଶକୁ ଆଗକୁ ନେବାକୁ ରୋହିତ ଅନେକ ଚେଷ୍ଟା କରିଛନ୍ତି । ଭାରତୀୟ ଶିକ୍ଷା କ୍ଷେତ୍ରରେ ‘ଦିଗନ୍ତର’ ଅନୁଷ୍ଠାନଟିର କାମର ଗୁରୁତ୍ତ୍ୱ ବର୍ତ୍ତମାନ ଅନସ୍ୱୀକାର୍ଯ୍ୟ ।
କେବଳ ମାଳତି ବା ରୋହିତ ଧନକର ନୁହନ୍ତି, ଡେଭିଡ଼ଙ୍କର ଶିକ୍ଷକ ନିର୍ମାଣ କର୍ମଶାଳାରୁ ପ୍ରଶିକ୍ଷିତ ହୋଇ ଏହି ପରି ଅନେକ ଶିକ୍ଷାକର୍ମୀ ବାହାରିଛନ୍ତି, ଯେଉଁମାନଙ୍କର ଭାରତର ଶିକ୍ଷାଜଗତ ପ୍ରତି ମୌଳିକ ଅବଦାନ ରହିଛି । ସେମାନଙ୍କର ନାମ ଗଣାଇବା ଏଠାରେ ବୋଧହୁଏ ଆବଶ୍ୟକ ନୁହେଁ । ନୀଲ୍ବାଗ୍ ସ୍କୁଲର ନିର୍ମାତା ହର୍ସବରୋ ୧୯୮୪ ମସିହାରେ ମୃତ୍ୟୁବରଣ କଲେ । ଏହା ପରେ ବିଦ୍ୟାଳୟରେ କର୍ମରତ ଡେଭିଡ଼ଙ୍କର ପୁଅ ନିକଲାସ ନାନାଦି ଅମଲାତାନ୍ତ୍ରିକ ଓ ଆର୍ଥିକ ପ୍ରତିବନ୍ଧକର ସମ୍ମୁଖୀନ ହୋଇ କୃଷ୍ଣମୂର୍ତ୍ତି ନ୍ୟାସକୁ ସ୍କୁଲଟିର ପରିଚାଳନା ହସ୍ତାନ୍ତରିତ କଲେ । କୃଷ୍ଣମୂର୍ତ୍ତି ନ୍ୟାସ ମଧ୍ୟ ବିଦ୍ୟାଳୟଟିକୁ ଚଳାଇପାରିଲେ ନାହିଁ । ବର୍ତ୍ତମାନ ନୀଲ୍ବାଗ୍ର ପୁରୁଣା ପରିବେଷ୍ଟନୀରେ ଗୋଟିଏ ଭିନ୍ନ ଅନୁଷ୍ଠାନଟିଏ ଆଉ ଗୋଟିଏ ପାଠଶାଳା ଚଳାନ୍ତି । ୧୯୮୭ ମସିହା ପରଠାରୁ ଡେଭିଡ଼ ହର୍ସବରୋଙ୍କର ସ୍ୱପ୍ନ ନୀଲ୍ବାଗ୍ ଆଉ ରହିଲା ନାହିଁ ।
ଏବେ ନୀଲ୍ବାଗ୍ର ଶରୀରଟି ଅଛି, ପ୍ରାଣ ଆଉ ନାହିଁ । ହେଲେ, ଏହି ବିଚିତ୍ର ବିଦ୍ୟାଳୟଟିର ପ୍ରଭାବ ସୁଦୁରପ୍ରସାରୀ । ଏହି ଇସ୍କୁଲୁଟିରୁ ଶିକ୍ଷା ପାଇଥିବା ଅନେକ ପିଲାଏ ପ୍ରକୃତ ଶିକ୍ଷାର ସୁଆଦ ଚାଖିଛନ୍ତି । ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରୁ ବାହାରି ଥିବା ମାଳତି ଓ ରୋହିତଙ୍କ ଭଳି ଅନେକ ଶିକ୍ଷାକର୍ମୀ ଭାରତରେ ଶିକ୍ଷାର ଅସଲ ଉଦ୍ବେଳନଟିକୁ ବଞ୍ଚାଇ ରଖିବା ପାଇଁ ଦେଶ ସାରା ଯେଉଁ ଉଦ୍ୟମମାନ ଘଟିଛି, ସେଥିରେ ଯଥାସାଧ୍ୟ ଯୋଗଦାନ ଦେଇଛନ୍ତି ।
ଗଛଟି ଆଉ ନାହିଁ । ହେଲେ ମୁକ୍ତିଦାୟୀ ଶିକ୍ଷାର କାମନାର ମଞ୍ଜିଗୁଡ଼ିକ ଏବେ ବିଛାଡ଼ି ହୋଇ ପଡ଼ିଛନ୍ତି, ଦେଶ ସାରା । କିଛି ବୀଜ ଚାରା ପାଲଟିଛି । ଆଉ କିଛି ଏବେ ବି ମାଟି ତଳେ ସୁପ୍ତ, ଦରକାରୀ ପରିସ୍ଥିତିର ଅପେକ୍ଷାରେ । ନୀଲ୍ବାଗ୍ ବନ୍ଦ ହୋଇଛି, ମରି ନାହିଁ । ବୀଜ ବଞ୍ଚି ରହିଥିବା ପର୍ଯ୍ୟନ୍ତ ଗଛ ମରେନା; ବିଦ୍ୟାର ସ୍ୱପ୍ନ ଜୀଇଁ ରହିଥିବା ପର୍ଯ୍ୟନ୍ତ, ଶିକ୍ଷା ସରେନା ।
“ମୁଁ ମୋର ଛୋଟ ଗାଁରେ ବସିବି, ଆଉ ମୋ ନିଜର ଭାବନା ଅନୁସାରେ ଭଲ ଶିକ୍ଷା ଯାହା, ତାହାର ନିର୍ମାଣ ପାଇଁ କାମ କରିବି । କିଛି ପିଲେ, ବୋଧେହୁଏ ମୁକ୍ତ ଶିକ୍ଷା ଫଳରେ (ଭୟବିହୀନ ଓ ପ୍ରତିଯୋଗିତାହୀନ ଭାବରେ ବଢ଼ି, ସଚେତନ ହେବା ଶିଖି) ମୁଁ ନିଜର ପୃଷ୍ଠଭୂମି ଓ ଅନୁକୂଳନ ଯୋଗୁଁ ଯେଉଁ ସମାଧାନଗୁଡିକ ପାଉନାହିଁ, ସେଗୁଡ଼ିକୁ ଖୋଜି ନେବେ । - ଡେଭିଡ଼ ହର୍ସବରୋ
Excellent narrative!Thanks for your scholarly effort .Best wishes.
ReplyDeleteNamaskar. Thanks for reading and the kind comment. Regards.
Delete