Saturday, December 4, 2021

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଯମକ ବର୍ଗ ୭-୯

ଅନୁବାଦକ - ଶୈଲେନ ରାଉତରାୟ


ହଂକଂଠାରେ ସ୍ଥିତ 'ତିଆନ୍ ତାନ୍' ନାମକ ବୁଦ୍ଧ ପ୍ରତିମା (ୱିକିମିଡିଆ କମନ୍ସ୍)

ପଦ୍ୟାନୁବାଦ

କାମଗୁଣ  ଶୁଭରୂପେ ଦେଖି ଯେ ବିହରେ ।
ଅସଞ୍ଜତ ଅଟଇ ସେ ନିଜ ଇନ୍ଦ୍ରିୟରେ ।।

ଭୋଜନରେ ମାତ୍ରାଜ୍ଞାନ ତାହାର ଯେ ନାହିଁ ।
ଅଳସ ଓ ହୀନବୀର୍ଯ୍ୟ ନିଶ୍ଚେ ସେ ଅଟଇ ।।

ମାର ବଳାତ୍କାରେ ତା'ର ଉନ୍ମୁଳନ କରେ ।
ଯେପରି ମାରୁତ ଦୁର୍ବଳ ପାଦପେ ସଂହରେ ।୭।

କାମଗୁଣେ ଅଶୁଭକୁ ଦେଖି ଯେ ବିହରେ ।
ସଞ୍ଜତ ଭାବରେ ସ୍ଥିତ ନିଜ ଇନ୍ଦ୍ରିୟରେ ।।

ଭୋଜନରେ ମାତ୍ରାଜ୍ଞାନ ଯେବେ ଯଦି ଥାଇ ।
ଶ୍ରଦ୍ଧାଳୁ, ଉଦ୍ୟମଶୀଳ ନିଶ୍ଚିତ ଅଟଇ ।।

ମାର ନକରି ପାରଇ କିଛି ହିଁ ତାହାର ।
ପବନ ଯେପରି ହଲାଇ ନ ପାରେ ଅଚଳ ।୮।

ମନୁ କଷାୟ ଦୋଷ ନ କରି ଦୂରୀଭୂତ 
ଇନ୍ଦ୍ରିୟ ନ ଦମି ଯିଏ ସତ୍ୟରେ ରହିତ ।

କଷାୟ ବସନ ଯେହୁ କରେ ପରିଧାନ 
ଯୋଗ୍ୟତା ନାହିଁ ତାହାରେ କାନ୍ତ ଆଚ୍ଛାଦନ ।୯।

ମୂଳ ପାଲି ପଦ

ସୁଭାନୁପସ୍ସିଂ ବିହରନ୍ତଂ‌ ଇନ୍ଦ୍ରିୟେସୁ ଅସଂବୁତଂ ।
ଭୋଜନମ୍ହି ଅମତ୍ତଞ୍ଜୁଂ କୁସୀତଂ ହୀନବୀରିୟଂ ।
ତଂ ବେ ପସହତି ମାରୋ ବାତୋ ରୁକ୍ଖଂ'ବ ଦୁବ୍ବଳଂ ।୭।

ଅସୁଭାନୁପସ୍ସିଂ ବିହରନ୍ତଂ ଇନ୍ଦ୍ରିୟେସୁ ସୁସଂବୁତଂ ।
ଭୋଜନମ୍ହି ମତ୍ତଞ୍ଜୁଂ ସଦ୍ଧଂ ଆରଦ୍ଧବୀରିୟଂ । 
ତଂ ବେ ନ ପ୍ପସହତି ମାରୋ ବାତୋ ସେଳଂ'ବ ପଦ୍ଧତଂ ।୮।

ଅନିକ୍କସାବୋ କାସାବଂ ଯୋ ବତ୍ଥଂ ପରିଦହେସ୍ସତି 
ଅପେତୋ ଦମସଚ୍ଚେନ ନ ସୋ କାସାବମରହତି ।୯।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

2 comments:

  1. Thank you so much.God bless you to go ahead.

    ReplyDelete
    Replies
    1. ନମସ୍କାର । ଆପଣଙ୍କର ଶୁଭକାମନା ମୋ ପାଇଁ ଆଶୀର୍ବାଦ । ଧନ୍ୟବାଦ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....