ଉନବିଂଶ ଶତାବ୍ଦୀର ପାଟଣାଗଡ଼ରେ ପ୍ରାଥମିକ ପାଠପଢ଼ା
ଶୈଲେନ ରାଉତରାୟ
ଭାରତଚନ୍ଦ୍ର ନାୟକଙ୍କର ଜୀବନ ଏବେ ଓଡ଼ିଶାର ସାମାଜିକ ଇତିହାସର ଏକ ପାଶୋରା ଅଧ୍ୟାୟ । ହେଲେ ସେପରି ହେବାର କିଛି କାରଣ ନାହିଁ । ତତ୍କାଳୀନ ପାଟଣା ଗଡ଼ଜାତ ରାଜ୍ୟର ପ୍ରଥମ ଗ୍ରାଜୁଏଟ ମାନଙ୍କ ଭିତରୁ ଜଣେ ଭାରତ ବାବୁ, ପରେ ଡେପୁଟି ମାଜିଷ୍ଟ୍ରେଟ୍ ବନନ୍ତି । ଚାକିରୀରୁ ଅବସର ନେଲା ପରେ ସେ ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାନ୍ତି । ଓଡ଼ିଶାରେ ନାରୀ ଶିକ୍ଷାର ପ୍ରସାରର ପ୍ରକ୍ରିୟାରେ ତାଙ୍କର ଅବଦାନ ମହତ୍ୱପୂର୍ଣ୍ଣ । ନିଜ ଝିଅମାନଙ୍କର ଶିକ୍ଷାକୁ ପ୍ରୋତ୍ସାହନ ଯୋଗାଇ, ତାଙ୍କୁ ସେତେବେଳେ ନିଜର ସମ୍ପର୍କୀୟ ତଥା ବୃହତ୍ତର ସମାଜର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
୧୮୮୭ ମସିହାରେ
ଜନ୍ମିତ ଭାରତବାବୁଙ୍କର ଜନ୍ମ ତତ୍କାଳୀନ ପାଟଣାଗଡ଼ର ଆଗଲପୁରରେ । ୧୯୦୫ ମସିହାର ଅକ୍ଟୋବର ମାସର ପନ୍ଦର ତାରିଖ
ପର୍ଯ୍ୟନ୍ତ ପାଟଣା ରାଜ୍ୟରେ ମଧ୍ୟପ୍ରଦେଶର
ଶାସନ ଚାଲୁଥିଲା । ସେତେବେଳେ ପାଟଣା ସମେତ
ସୋନପୁର, କଳାହାଣ୍ଡି, ବାମଣ୍ଡା ଓ
ରେଢ଼ାଖୋଲ, ଏହି ପାଞ୍ଚଟି ରାଜ୍ୟ ଶାସନ ନିମନ୍ତେ ମଧ୍ୟପ୍ରଦେଶର
ରାୟପୁରର ପଲିଟିକାଲ ଏଜେଣ୍ଟଙ୍କର ଅଧୀନରେ ଥିଲେ ।
ପାଟଣାରେ ସେତେବେଳେ ଉଚ୍ଚ ବିଦ୍ୟାଳୟ ଆଦୌ ନଥିଲା; ବଲାଙ୍ଗୀରରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟଟି ଛଡ଼ା ରାଜ୍ୟର ସ୍କୁଲଗୁଡ଼ିକ ଥିଲା ଉଚ୍ଚ ପ୍ରାଥମିକ ସ୍ତରର । ସେବେର ପାଟଣା ରାଜ୍ୟର ଉ.ପ୍ରା. ବିଦ୍ୟାଳୟଗୁଡ଼ିକରେ ଥିଲା ଚାରୋଟି ଶ୍ରେଣୀ । ପ୍ରଥମ ଶ୍ରେଣୀରେ ପାଠ ଆରମ୍ଭ ହେଉ ଥିଲା ବର୍ଣ୍ଣ ପରିଚୟ ସହିତ । ତାହା ସହ ସେହି ଶ୍ରେଣୀରେ ଷୋହଳକ ପର୍ଯ୍ୟନ୍ତ ପଣିକିଆ, କିଛି ଗଣିତ ଓ ସାହିତ୍ୟର ପ୍ରଥମ ପାଠ ପଢ଼ା ହେଉ ଥିଲା । ଦ୍ୱିତୀୟ ଶ୍ରେଣୀରେ ସାହିତ୍ୟ ଦ୍ୱିତୀୟ ପାଠ ସହ କିଛି ଗଣିତ ପଢ଼ା ହେଉ ଥିଲା ।
ତୃତୀୟ ଓ ଚତୁର୍ଥ ଶ୍ରେଣୀର ସାହିତ୍ୟ ପାଠ୍ୟକ୍ରମରେ ସୀତାନାଥ ରାୟଙ୍କ ପ୍ରଣିତ ଗଦ୍ୟାଂଶ ଓ ରାଧାନାଥ ରାୟଙ୍କର ନନ୍ଦିକେଶ୍ୱରୀ, ପ୍ରଭାତ ବର୍ଣ୍ଣନା, ଚନ୍ଦ୍ରଭାଗାର ସମୁଦ୍ରକୂଳରେ ସନ୍ଧ୍ୟା, ପାର୍ବତୀର ସର୍ବଗ୍ରାସୀ କାଳ, ଶିବାଜୀଙ୍କର ଉତ୍ସାହବାଣୀ, ତଥା ମହାଯାତ୍ରାର କିଛି ଅଂଶ ଆଦି ସଂଶ୍ଲିଷ୍ଟ ଥିଲା । ଏଗୁଡ଼ିକ ତୃତୀୟ ଶ୍ରେଣୀର ‘ସାହିତ୍ୟ ତୃତୀୟ ପାଠ’ ଓ ଚତୁର୍ଥ ଶ୍ରେଣୀର ‘ସାହିତ୍ୟ ଚତୁର୍ଥ ପାଠ’ ର ଅନ୍ତର୍ଭୁକ୍ତ ଥିଲା । ଏହା ଛଡ଼ା ଏହି ଦୁଇଟି ଶ୍ରେଣୀରେ କିଛି ଉଚ୍ଚତର ଗଣିତ ଶିକ୍ଷାର ପ୍ରଚଳନ ଥିଲା । ଚତୁର୍ଥ ଶ୍ରେଣୀରେ ମଧ୍ୟପ୍ରଦେଶର ଭୂଗୋଳ, ଭାରତର ଭୂଗୋଳ ବିଷୟକ କିଛି ପାଠ ଓ ସ୍ୱାସ୍ଥ୍ୟରକ୍ଷା ପଢ଼ା ହେଉ ଥିଲା ।
ସେ ସମୟରେ ଶିକ୍ଷକମାନଙ୍କୁ ଶିକ୍ଷକତା ବିଷୟରେ ପ୍ରଶିକ୍ଷିତ କରାଇବା ପାଇଁ ପାଟଣା ରାଜ୍ୟରେ କୌଣସି ବ୍ୟବସ୍ଥା ନଥିଲା । ଉ.ପ୍ରା. ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ସାରିବା ପରେ ଦୁଇ ବର୍ଷ ମଧ୍ୟ ଓଡ଼ିଆ ବିଦ୍ୟାଳୟରେ ପଢ଼ା ସାରି ଜଣେ ଶିକ୍ଷକ ଭାବରେ କାମରେ ବାହାଲ ହୋଇ ପାରୁ ଥିଲେ । ପ୍ରଧାନ ଶିକ୍ଷକଙ୍କର ଦରମା ଥିଲା ୮-୯ ଟଙ୍କା । ସହକାରୀ ଶିକ୍ଷକ ବିଚରା ପାଉଥିଲେ ପାଞ୍ଚଟି ଟଙ୍କା ମାତ୍ର । ଉ.ପ୍ରା. ଉତ୍ତୀର୍ଣ୍ଣ ମନିଟର ବାପୁଡ଼ା ପାଉଥିଲେ ଦୁଇ ଟଙ୍କା, ପିଲାଙ୍କୁ ଇସ୍କୁଲକୁ ଆଣିବା ପାଇଁ ଆଉ ନିମ୍ନ ଶ୍ରେଣୀମାନଙ୍କରେ ଶିକ୍ଷାଦାନରେ କିଛି ସହଯୋଗ ନିମନ୍ତେ । ଶିକ୍ଷକମାନଙ୍କର ଦରମା ନିଜ ବିଦ୍ୟାଳୟର ପାସ-ଫେଲ ହାର ଉପରେ ନିର୍ଭର କରୁଥିଲା ।
ପ୍ରାଥମିକ ପିଲାମାନଙ୍କ ପାଇଁ ଶିକ୍ଷା ସମ୍ପୂର୍ଣ୍ଣ ଅବୈତନିକ ଥିଲା । ଥରେ ନାମ ଲେଖାଇଲେ ସ୍କୁଲରେ ଉପସ୍ଥାନ ଥିଲା ବାଧ୍ୟତାମୂଳକ । ଯେଉଁ ଗାଁରେ ଇସ୍କୁଲ ଥିଲା, ସେଠାର ସବୁ ପିଲାଙ୍କୁ ବିଦ୍ୟାଳୟକୁ ନିୟମିତ ଆସିବାକୁ ଏକ ରକମ ବାଧ୍ୟ କରା ଯାଉଥିଲା । ଖରାଛୁଟିର ପ୍ରଚଳନ ସେ ସମୟରେ ନ ଥିଲା । ପାଟଣା ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଜୁଲାଇ ମାସରେ ଛୁଟି ହେଉ ଥିଲା । କାରଣ ସେ ସମୟରେ ପିଲାମାନେ ନିଜର ପରିବାରର ପାଇଁ କିଛି ଆବଶ଼୍ୟକୀୟ କୃଷିକର୍ମ କରି ପାରିବେ ।
ବଲାଙ୍ଗୀର ସହରରେ ଏହି ସମୟରେ ‘ଜୁଲାଇ ସଭା’ ବସୁଥିଲା । ଏଥିରେ ଶିକ୍ଷକମାନେ ପାଠ୍ୟକ୍ରମ, ଶିକ୍ଷାଦାନ ଓ ବିଦ୍ୟାଳୟର ସୁପରିଚାଳନା ବିଷୟରେ କିଛି ଉପଦେଶ ପାଉଥିଲେ । ଏହିପରି ଥିଲା ସେଇ ସମୟରେ ପାଟଣା ଗଡ଼ଜାତରେ ପ୍ରାଥମିକ ଶିକ୍ଷାର ଢାଞ୍ଚା ।
ଲେଖକୀୟ ଟୀକା: ଏହି କ୍ଷୁଦ୍ର ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ଛପିଥିଲା । ଲେଖାଟିର ଉପାଦାନ ଭାରତଚନ୍ଦ୍ର ନାୟକଙ୍କର ଆତ୍ମଜୀବନୀର ୨୦୧୪ରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି; ‘ମୋର ପୂର୍ବସ୍ମୃତି କଥା’ ଶୀର୍ଷକର ଏହି ବହିଟିର ପ୍ରକାଶକ ହେଲେ କଟକସ୍ଥ ସଂସ୍ଥା ‘ଅଗ୍ରଦୂତ’ । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୬୬ ମସିହାରେ ଛପାଯାଇଥିଲା; ଅଗ୍ରଦୂତ ଛାପିଥିବା ଦ୍ୱିତୀୟ ସଂସ୍କରଣର କପିରାଇଟ ପୃଷ୍ଠାରୁ ବହିର ପ୍ରଥମ ସଂସ୍କରଣ ବିଷୟରେ ବାକି କିଛି ପ୍ରକାଶକୀୟ ବିବରଣୀ ମିଳେନାହିଁ । ବହିରେ ଲେଖକ ଦେଇଥିବା ସୂଚନାରୁ ଜଣାପଡ଼େ ଯେ, ଏହାର ବହୁଳାଂଶ ପ୍ରଥମେ ମାସିକ ପତ୍ରିକା ‘ନବଜୀବନ’ରେ ପ୍ରାୟ ପାଞ୍ଚ ବର୍ଷ କାଳ ଧରି ଧାରାବାହିକ ଭାବରେ ସ୍ଥାନିତ ହୋଇଥିଲା ।
Very nice sir, keep it on.God bless you.
ReplyDeleteପ୍ରଣାମ । ପଢ଼ିବା ପାଇଁ ଏବଂ ଆପଣଙ୍କ ଶୁଭେଚ୍ଛା ନିମନ୍ତେ ଧନ୍ୟବାଦ ।
Delete