Thursday, December 16, 2021

ଉନବିଂଶ ଶତାବ୍ଦୀର ପାଟଣାଗଡ଼ରେ ପ୍ରାଥମିକ ପାଠପଢ଼ା

ଶୈଲେନ ରାଉତରାୟ


ପାଟଣାଗଡ଼ର ବ୍ରିଟିଶ ଅମଳର ଏକ ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଭାରତଚନ୍ଦ୍ର ନାୟକଙ୍କର ଜୀବନ ଏବେ ଓଡ଼ିଶାର ସାମାଜିକ ଇତିହାସର ଏକ ପାଶୋରା ଅଧ୍ୟାୟ । ହେଲେ ସେପରି ହେବାର କିଛି କାରଣ ନାହିଁ । ତତ୍କାଳୀନ ପାଟଣା ଗଡ଼ଜାତ ରାଜ୍ୟର ପ୍ରଥମ ଗ୍ରାଜୁଏଟ ମାନଙ୍କ ଭିତରୁ ଜଣେ ଭାରତ ବାବୁ, ପରେ ଡେପୁଟି ମାଜିଷ୍ଟ୍ରେଟ୍ ବନନ୍ତି । ଚାକିରୀରୁ ଅବସର ନେଲା ପରେ ସେ ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାନ୍ତି । ଓଡ଼ିଶାରେ ନାରୀ ଶିକ୍ଷାର ପ୍ରସାରର ପ୍ରକ୍ରିୟାରେ ତାଙ୍କର ଅବଦାନ ମହତ୍ୱପୂର୍ଣ୍ଣ । ନିଜ ଝିଅମାନଙ୍କର ଶିକ୍ଷାକୁ ପ୍ରୋତ୍ସାହନ ଯୋଗାଇ, ତାଙ୍କୁ ସେତେବେଳେ ନିଜର ସମ୍ପର୍କୀୟ ତଥା ବୃହତ୍ତର ସମାଜର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । 

୧୮୮୭ ମସିହାରେ ଜନ୍ମିତ ଭାରତବାବୁଙ୍କର ଜନ୍ମ ତତ୍କାଳୀନ ପାଟଣାଗଡ଼ର ଆଗଲପୁରରେ । ୧୯୦୫ ମସିହାର ଅକ୍ଟୋବର ମାସର ପନ୍ଦର ତାରିଖ ପର୍ଯ୍ୟନ୍ତ  ପାଟଣା ରାଜ୍ୟରେ ମଧ୍ୟପ୍ରଦେଶର ଶାସନ ଚାଲୁଥିଲା ।  ସେତେବେଳେ ପାଟଣା ସମେତ ସୋନପୁର, କଳାହାଣ୍ଡି, ବାମଣ୍ଡା ଓ ରେଢ଼ାଖୋଲ, ଏହି ପାଞ୍ଚଟି ରାଜ୍ୟ ଶାସନ ନିମନ୍ତେ ମଧ୍ୟପ୍ରଦେଶର ରାୟପୁରର ପଲିଟିକାଲ ଏଜେଣ୍ଟଙ୍କର ଅଧୀନରେ ଥିଲେ ।

ପାଟଣାରେ ସେତେବେଳେ ଉଚ୍ଚ ବିଦ୍ୟା‌ଳୟ ଆଦୌ ନଥିଲା; ବଲାଙ୍ଗୀରରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟଟି ଛଡ଼ା ରାଜ୍ୟର ସ୍କୁଲଗୁଡ଼ିକ ଥିଲା ଉଚ୍ଚ ପ୍ରାଥମିକ ସ୍ତରର । ସେବେର ପାଟଣା ରାଜ୍ୟର ଉ.ପ୍ରା. ବିଦ୍ୟାଳୟଗୁଡ଼ିକରେ ଥିଲା ଚାରୋଟି ଶ୍ରେଣୀ । ପ୍ରଥମ ଶ୍ରେଣୀରେ ପାଠ ଆରମ୍ଭ ହେଉ ଥିଲା ବର୍ଣ୍ଣ ପରିଚୟ ସହିତ । ତାହା ସହ ସେହି ଶ୍ରେଣୀରେ ଷୋହଳକ ପର୍ଯ୍ୟନ୍ତ ପଣିକିଆ, କିଛି ଗଣିତ ଓ ସାହିତ୍ୟର ପ୍ରଥମ ପାଠ ପଢ଼ା ହେଉ ଥିଲା । ଦ୍ୱିତୀୟ ଶ୍ରେଣୀରେ ସାହିତ୍ୟ ଦ୍ୱିତୀୟ ପାଠ ସହ କିଛି ଗଣିତ ପଢ଼ା ହେଉ ଥିଲା । 

ତୃତୀୟ ଓ ଚତୁର୍ଥ ଶ୍ରେଣୀର ସାହିତ୍ୟ ପାଠ୍ୟକ୍ରମରେ ସୀତାନାଥ ରାୟଙ୍କ ପ୍ରଣିତ ଗଦ୍ୟାଂଶ ଓ ରାଧାନାଥ ରାୟଙ୍କର ନନ୍ଦିକେଶ୍ୱରୀ, ପ୍ରଭାତ ବର୍ଣ୍ଣନା, ଚନ୍ଦ୍ରଭାଗାର ସମୁଦ୍ରକୂଳରେ ସନ୍ଧ୍ୟା, ପାର୍ବତୀର ସର୍ବଗ୍ରାସୀ କାଳ, ଶିବାଜୀଙ୍କର ଉତ୍ସାହବାଣୀ, ତଥା ମହାଯାତ୍ରାର କିଛି ଅଂଶ ଆଦି ସଂଶ୍ଲିଷ୍ଟ ଥିଲା । ଏଗୁଡ଼ିକ ତୃତୀୟ ଶ୍ରେଣୀର ‘ସାହିତ୍ୟ ତୃତୀୟ ପାଠ’ ଓ ଚତୁର୍ଥ ଶ୍ରେଣୀର ‘ସାହିତ୍ୟ ଚତୁର୍ଥ ପାଠ’ ର ଅନ୍ତର୍ଭୁକ୍ତ ଥିଲା । ଏହା ଛଡ଼ା ଏହି ଦୁଇଟି ଶ୍ରେଣୀରେ କିଛି ଉଚ୍ଚତର ଗଣିତ ଶିକ୍ଷାର ପ୍ରଚଳନ ଥିଲା । ଚତୁର୍ଥ ଶ୍ରେଣୀରେ ମଧ୍ୟପ୍ରଦେଶର ଭୂଗୋଳ, ଭାରତର ଭୂଗୋଳ ବିଷୟକ କିଛି ପାଠ ଓ ସ୍ୱାସ୍ଥ୍ୟରକ୍ଷା ପଢ଼ା ହେଉ ଥିଲା ।

ସେ ସମୟରେ ଶିକ୍ଷକମାନଙ୍କୁ ଶିକ୍ଷକତା ବିଷୟରେ ପ୍ରଶିକ୍ଷିତ କରାଇବା ପାଇଁ ପାଟଣା ରାଜ୍ୟରେ କୌଣସି ବ୍ୟବସ୍ଥା ନଥିଲା । ଉ.ପ୍ରା. ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ସାରିବା ପରେ ଦୁଇ ବର୍ଷ ମଧ୍ୟ ଓଡ଼ିଆ ବିଦ୍ୟାଳୟରେ ପଢ଼ା ସାରି ଜଣେ ଶିକ୍ଷକ ଭାବରେ କାମରେ ବାହାଲ ହୋଇ ପାରୁ ଥିଲେ । ପ୍ରଧାନ ଶିକ୍ଷକଙ୍କର ଦରମା ଥିଲା ୮-୯ ଟଙ୍କା । ସହକାରୀ ଶିକ୍ଷକ ବିଚରା ପାଉଥିଲେ ପାଞ୍ଚଟି ଟଙ୍କା ମାତ୍ର । ଉ.ପ୍ରା. ଉତ୍ତୀର୍ଣ୍ଣ ମନିଟର ବାପୁଡ଼ା ପାଉଥିଲେ ଦୁଇ ଟଙ୍କା, ପିଲାଙ୍କୁ ଇସ୍କୁଲକୁ ଆଣିବା ପାଇଁ ଆଉ ନିମ୍ନ ଶ୍ରେଣୀମାନଙ୍କରେ ଶିକ୍ଷାଦାନରେ କିଛି ସହଯୋଗ ନିମନ୍ତେ । ଶିକ୍ଷକମାନଙ୍କର ଦରମା ନିଜ ବିଦ୍ୟାଳୟର ପାସ-ଫେଲ ହାର ଉପରେ ନିର୍ଭର କରୁଥିଲା ।

ପ୍ରାଥମିକ ପିଲାମାନଙ୍କ ପାଇଁ ଶିକ୍ଷା ସମ୍ପୂର୍ଣ୍ଣ ଅବୈତନିକ ଥିଲା । ଥରେ ନାମ ଲେଖାଇଲେ ସ୍କୁଲରେ ଉପସ୍ଥାନ ଥିଲା ବାଧ୍ୟତାମୂଳକ । ଯେଉଁ ଗାଁରେ ଇସ୍କୁଲ ଥିଲା, ସେଠାର ସବୁ ପିଲାଙ୍କୁ ବିଦ୍ୟାଳୟକୁ ନିୟମିତ ଆସିବାକୁ ଏକ ରକମ ବାଧ୍ୟ କରା ଯାଉଥିଲା । ଖରାଛୁଟିର ପ୍ରଚଳନ ସେ ସମୟରେ ନ ଥିଲା । ପାଟଣା ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଜୁଲାଇ ମାସରେ ଛୁଟି ହେଉ ଥିଲା । କାରଣ ସେ ସମୟରେ ପିଲାମାନେ ନିଜର ପରିବାରର ପାଇଁ କିଛି ଆବଶ଼୍ୟକୀୟ କୃଷିକର୍ମ କରି ପାରିବେ । 

ବଲାଙ୍ଗୀର ସହରରେ ଏହି ସମୟରେ ‘ଜୁଲାଇ ସଭା’ ବସୁଥିଲା । ଏଥିରେ ଶିକ୍ଷକମାନେ ପାଠ୍ୟକ୍ରମ, ଶିକ୍ଷାଦାନ ଓ ବିଦ୍ୟାଳୟର ସୁପରିଚାଳନା ବିଷୟରେ କିଛି ଉପଦେଶ ପାଉଥିଲେ । ଏହିପରି ଥିଲା ସେଇ ସମୟରେ ପାଟଣା ଗଡ଼ଜାତରେ ପ୍ରାଥମିକ ଶିକ୍ଷାର ଢାଞ୍ଚା । 

ଲେଖକୀୟ ଟୀକାଏହି କ୍ଷୁଦ୍ର ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପିଥିଲା । ଲେଖାଟିର ଉପାଦାନ ଭାରତଚନ୍ଦ୍ର ନାୟକଙ୍କର ଆତ୍ମଜୀବନୀର ୨୦୧୪ରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି; ‘ମୋର ପୂର୍ବସ୍ମୃତି କଥା ଶୀର୍ଷକର ଏହି ବହିଟିର ପ୍ରକାଶକ ହେଲେ କଟକସ୍ଥ ସଂସ୍ଥା ଅଗ୍ରଦୂତ । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୬୬ ମସିହାରେ ଛପାଯାଇଥିଲାଅଗ୍ରଦୂତ ଛାପିଥିବା ଦ୍ୱିତୀୟ ସଂସ୍କରଣର କପିରାଇଟ ପୃଷ୍ଠାରୁ ବହିର ପ୍ରଥମ ସଂସ୍କରଣ ବିଷୟରେ ବାକି କିଛି ପ୍ରକାଶକୀୟ ବିବରଣୀ ମିଳେନାହିଁ । ବହିରେ ଲେଖକ ଦେଇଥିବା ସୂଚନାରୁ ଜଣାପଡ଼େ ଯେ, ଏହାର ବହୁଳାଂଶ ପ୍ରଥମେ ମାସିକ ପତ୍ରିକା ନବଜୀବନରେ ପ୍ରାୟ ପାଞ୍ଚ ବର୍ଷ କାଳ ଧରି ଧାରାବାହିକ ଭାବରେ ସ୍ଥାନିତ ହୋଇଥିଲା ।     

5 comments:

  1. Very nice sir, keep it on.God bless you.

    ReplyDelete
    Replies
    1. ପ୍ରଣାମ । ପଢ଼ିବା ପାଇଁ ଏବଂ ଆପଣଙ୍କ ଶୁଭେଚ୍ଛା ନିମନ୍ତେ ଧନ୍ୟବାଦ ।

      Delete
    2. ମୋ ପାଇଁ ଏହା ଏକ ମୂଲ୍ୟବାନ ଆଲୋକପାତ। ବହୁ ଲୋକେ ଏ ବିଷୟରେ ଅଚେତନ। ଜାଣି ଶୁଣି ଶୋଇଲେ କିଏ ଉଠେଇବ? ଏକ ଧାରାବାହିକ ର ଉପାଦାନ ରହିଛି। ଅଭିନନ୍ଦନ ଶୈଲେନ ଙ୍କୁ e ପ୍ରୟାସ ପାଇଁ।

      Delete
  2. ଖୁବ ସୁନ୍ଦର
    ଯଦି ସମ୍ଭବ ପାଟଣାଗଡ଼ ସ୍ଥାନରେ ପାଟଣା ରାଜ୍ୟ କରି ଦିଅନ୍ତୁ

    ReplyDelete
  3. Bharat ch. Naik nka bisaya re shuni thili, tanka biography ru kichhi andha padhiba pare tatkaalina patna state sampark re janiba ku agraha laguchhi. Padhiba pain bhoka anithiba ru ases dhanyabad Sailen bhai.

    ReplyDelete

କଟକରେ ଘର ଶୈଲେନ ରାଉତରାୟ କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକର...