Thursday, May 26, 2022

ବିଦ୍ୟାଧର ମିଶ୍ରଙ୍କ ନିମ୍ନ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଭାରତୀୟ ଡାକ ବିଭାଗ
 
ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ରଙ୍କର ଜନ୍ମ ବୋଧ ହୁଏ ୧୯୨୦ ମସିହାରେ ଉପକୁଳବର୍ତ୍ତୀ ଓଡ଼ିଶାର ମାଛଗାଁ କେନାଲ କୂଳର ଏକ ଅନତିବୃହତ ଗାଁରେ । ବାପାଙ୍କ ନାଁ ଅଲେଖ ମିଶ୍ର । ତାଙ୍କ ଗାଁଟି ଜଗତସିଂପୁର ଟାଉନରୁ ମାତ୍ର ଚାରି ମାଇଲି ବାଟ । ଗାଁଟିର ହିଆ ଚିରି ଯାଇଥିଲା କଟକ-ମାଛଗାଁ ରାସ୍ତା । ପଲ୍ଲୀଟିର ଚାଷ ଜମିଗୁଡ଼ିକରେ ମାଛଗାଁ କେନାଲର ଶାଖାଗୁଡ଼ିକ ଦ୍ୱାରା ପାଣି ମାଡ଼ୁଥିଲା । ବିଦ୍ୟାଧର ବାବୁଙ୍କ ଗାଁରେ ହାଟଟିଏ ତ ଥିଲା । ଏହା ସହ ଅନତିଦୂର ଜଗତସିଂପୁରରେ ଥାନା, ଡାକଘର, ବସ୍‌ଷ୍ଟାଣ୍ଡ, ଡାକ୍ତରଖାନା ପ୍ରଭୃତି ସୁବିଧାମାନ ବି ଥିଲା ।
 
ତଳମାଳର ସେଇ ଗାଁଟିରୁ ବାହାରି ବୈଦ୍ୟନାଥ ବାବୁ ୧୯୪୦ ମସିହାରେ ରେଭେନ୍ସା କଲେଜରୁ ଅର୍ଥନୀତି ଅନର୍ସ ରଖି ସ୍ନାତକ ଡିଗ୍ରୀ, ସେହି ବିଷୟରେ ୧୯୪୨ରେ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ (ପ୍ରଥମ ଶ୍ରେଣୀରେ ପ୍ରଥମ) ଓ ୧୯୫୫ରେ ଲଣ୍ଡନ ସ୍କୁଲ ଅଫ୍ ଇକନମିକ୍ସରୁ କୃଷି ଅର୍ଥନୀତିରେ ପିଏଚ୍‌ଡ଼ି ଉପାଧି ଲାଭ କଲେ । 

ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅର୍ଥନୀତି ବିଷୟରେ ମୂଖ୍ୟ ଅଧ୍ୟାପକ ଭାବରେ ସତର ବରଷ କାମ କରି ତା’ ପରେ ତିନି ବର୍ଷ ପାଇଁ କୁଳପତି ମଧ୍ୟ ହେଲେ । ଇଂରାଜୀ ଭାଷାରେ ଏକାଡେମିକ ଲେଖାଲେଖି ଛଡ଼ା, ସେ ଓଡ଼ିଆ ଭାଷାରେ କଲମ ଚାଳନା କରିଯାଇଛନ୍ତି । ତାଙ୍କର ଆତ୍ମଜୀବନୀମୂଳକ ବହି ‘ବିଂଶ ଶତାବ୍ଦୀର ଓଡ଼ିଶା: ମୋ ଅନୁଭୂତି’ ବହିଟି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବି ପାଇଛନ୍ତି; ବଞ୍ଚିଚନ୍ତି ଏକ ଦ୍ୱିଭାଷୀ ବୁଦ୍ଧିଜୀବୀର ଜୀବନ ।
 
ହେଲେ ନିଜର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରେ ସେ ଉଲ୍ଲେଖ କରନ୍ତି, କେବେ ଯେ ତାଙ୍କର ପାଠ ପଢ଼ିବା ଆରମ୍ଭ ହେଲା, ତାହା ତାଙ୍କର ଆଉ ସ୍ମରଣ ନାହିଁ । ଏକ ବ୍ରାହ୍ମଣ ଶାସନରେ ଜନ୍ମ ହୋଇଥିଲେ ମଧ୍ୟ ପରମ୍ପରାଗତ ଭାବରେ ତାଙ୍କର କେବେ ଖଡ଼ିଛୁଆଁ ବା ବିଦ୍ୟାରମ୍ଭ ହୋଇ ନ ଥିଲା କିମ୍ବା ସେଥି ପାଇଁ କୌଣସି ଅନୁଷ୍ଠାନ ପାଳନ କରାଯାଇ ନ ଥିଲା । ଏପରିକି ଗାଁରେ ଥିବା ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଘରୁ କେହି ଯାଇଁ ତାଙ୍କର ନାଁ ବିଧିବଦ୍ଧ ଭାବରେ ଲେଖେଇ ନ ଥିଲେ ।
 
ଏହି ଇସ୍କୁଲୁଟିର ହେଡ଼ପଣ୍ଡିତ ନରହରି ମିଶ୍ର ବିଦ୍ୟାଧର ବାବୁଙ୍କର ପଡ଼ାର ଲୋକ ଥିଲେ । କିଛି ଦିନ ନିଜର ଭଉଣୀମାନଙ୍କ ସହ ଯାଇଁ ସ୍କୁଲଟିରେ ବସିବା ପରେ ସେ ନିଜକୁନିଜେ ସାହିଭାଇଟିର ନାଁ ଲେଖାଇ ଦେଇଥିଲେ ବୋଧ ହୁଏ । ନରହରି ବାବୁଙ୍କର ଜମିବାଡ଼ି ବେଶୀ ନ ଥିଲା । ଏଣେ ତାଙ୍କର ପରିବାରଟି ବହୁ କୁଟୁମ୍ବୀ । ଆଉ ସେ ଏକମାତ୍ର ପୁଅ । 

ତାଙ୍କ ବାପାଙ୍କୁ ସେବେ ବୟସ ଅନେକ । ଇସ୍କୁଲରୁ ମିଳୁଥିବା ଦରମାରେ ଚଳିବା କଷ୍ଟ । ମାଷ୍ଟ୍ରାମୀ ସହ ଚାଷବାସ ମଧ୍ୟ ହାତରେ କରିବାକୁ ହୁଏ । ଏଣୁ ସ୍କୁଲକୁ ହେଡ଼ପଣ୍ଡିତେ ପ୍ରାୟତଃ ଡେରିରେ ଆସନ୍ତି । ସ୍କୁଲରେ ଦ୍ୱିତୀୟ ମାଷ୍ଟ୍ର ଜଣଙ୍କ ହିଁ ବେଶୀ ଭାଗ କାମ ଦେଖନ୍ତି । ହେଲେ ପିଲାଏ ତାଙ୍କୁ ପ୍ରାୟତଃ ମାନନ୍ତି ନାହିଁ ।
 
ସେତେବଳେ ଟିଉସନ ଆଦିର ପ୍ରଚଳନ ନ ଥିଲା । ପିଲାମାନେ ଦୁଇ ଓଳି ଇସ୍କୁଲ ଯାହା ଯାଉଥିଲେ । ଖରାବେଳେ ଘରେ ହସ୍ତାକ୍ଷର ଲେଖୁଥିଲେ । ସ୍କୁଲ ପରେ ସନ୍ଧ୍ୟାବେଳେ ପଢ଼ିବା ପ୍ରଚଳନ ନ ଥିଲା । ପିଲାମାନେ ଏହି ସ୍କୁଲଟିରେ ପ୍ରଥମେ ଅକ୍ଷର ଲେଖିବା ଆଉ ବହିରୁ ଅକ୍ଷର ପଢ଼ିବା ଶିଖୁଥିଲେ । ତାହା ପରେ ବନାନ ଓ ପଣିକିଆ ପ୍ରଭୃତି ଘୋଷନ୍ତି । ଏହା ସହିତ ମିଶାଣ, ଫେଡ଼ାଣ, ଗୁଣନ, ହରଣ, ଅଙ୍କ କଷା ଓ ବହି ପଢ଼ିବା ଆଦି ମଧ୍ୟ ଚାଲେ । 

ସବୁ ଶ୍ରେଣୀର ପିଲାଏ ଗୋଟିଏ ବଖରାରେ ହିଁ ବସନ୍ତି, ହେଲେ ନିଜ କିଲାସ ପାଇଁ ନିର୍ଦ୍ଧାରିତ ସ୍ଥାନରେ, ସ୍ୱସ୍ୱ ତାଳପତ୍ର ଛପଡ଼ାରେ ନିଜର ସିଲଟ ଓ ପାଠ୍ୟପୁସ୍ତକ ଧରି । ସକାଳ ଓଳି ପ୍ରାୟତଃ ବଡ଼ ପାଟିରେ ପଣିକିଆ ଆବୃତ୍ତି ଓ ଲେଖା ତଥା ଅଙ୍କ କଷା ହେଉ ଥିଲା । ଉପର ଓଳି ପାଠ୍ୟପୁସ୍ତକର ବିଷୟଟିମାନ ପିଲାଏ ବଡ଼ ପାଟି କରି ପଢ଼ୁଥିଲେ ।
 
ନରହରି ସାରେ ଥିଲେ ବଡ଼ ବଦରାଗୀ । ସବୁବେଳେ ବିରକତ । ପିଲାମାନଙ୍କୁ ପାଠ ନ ଆସିଲେ କି କେହି କିଛି ନିରୀହ ବାଲ୍ୟସୁଲଭ ଦୁଷ୍ଟାମି କଲେ ବେତ ମାଡ଼, କାନ ମୋଡ଼ା କିମ୍ବା କାନ୍ଥରେ ଚଉକି ବସିବା ଭଳି ଦଣ୍ଡ ମିଳୁଥିଲା । ଏଥି ଯୋଗୁଁ ଅନେକ ପିଲାଏ ସ୍କୁଲ ଆସିବାକୁ ରାଜି ହେଉ ନ ଥିଲେ । 

ଗାର୍ଜନମାନେ ସେଥି ଲାଗି ତାଗିଦ କଲେ ପିଲାମାନେ ଲୁଚୁଥିଲେ କିମ୍ବା ରୋଗବଇରାଗ ହେବାର ଛଳନା କରୁଥିଲେ । ଏଇ ଇସ୍କୁଲଟିରେ ବିଦ୍ୟାଧର ତିନି ବର୍ଷ ପଢ଼ି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଚଢ଼ିଗଲେ । ହେଲେ ପାଠପଢ଼ାରେ ବିଶେଷ କିଛି ପ୍ରଗତି ନ ଦିଶିବାରୁ ସେବେ ରେଭେନ୍ସାରେ ପଢ଼ୁଥିବା ତାଙ୍କର ବଡ଼ ଭାଇ ଘର ପାଖ ଆଉ ଗୋଟିଏ ସ୍କୁଲରେ ତାଙ୍କର ନାମ ଲେଖାଇ ଦେଲେ ।
 
ବି.ଦ୍ର. - ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ । ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....