Thursday, June 16, 2022

ଲେଖକ

ସୁଜାତା ଭଟ୍ଟ

ଅନୁବାଦକ - ଶୈଲେନ ରାଉତରାୟ


ଜର୍ମାନୀର ବନ୍ସବର୍ଗ ଦୁର୍ଗ (ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ନିର୍ମିତ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/ ମାର୍ଟିନ ଫାଲ୍‌ବିଶନର୍

ସବୁଠାରୁ ଭଲ ଗପ
ଅବଶ୍ୟ, ଲେଖିହୁଏ ନାହିଁ ।
କିମ୍ବା ସତ କହିଲେ 
ସେ ଗପଟିକୁ
ତୁମେ ଆଦୌ ଲେଖିବ ନାହିଁ ।

ସେ ଗପଟିର ଘର
ତୁମର ହୃଦୟ କନ୍ଦର 
କାଗଜର ନଅର
ତ କେବେ ହେଲେ ନୁହେଁ ।

କାଗଜ ଶୁଷ୍କ ।
କ୍ଷୀର ଶୁଖିଯାଉଥିବା ନାରୀର
ସ୍ତନ ଭଳି ବିଲକୁଲ୍ ସପାଟ୍ ।

ଚେର ପାଇଁ ମାଟି କାହିଁ ?
ହଁସାର ଭୂଇଁକୁ କେମିତି ଟେକିବି କୁହ,
ମାଇଲିଏ ଛନଛନିଆ ଜଙ୍ଗଲର 
ଗଛଗୁଡ଼ିକ ଉପରେ ଢୁଳଉଥିବା ପକ୍ଷୀମାନଙ୍କର 
ଅର୍ବୁଦ ଲିଟର ସ୍ୱପ୍ନର 
ସରର ତାରଲ୍ୟରେ ଗାର ନ ପକାଇ ?
ଆଉ ଜଙ୍ଗଲ ତଳର ପର୍ବତ ?
ପ୍ରପାତ ମାନଙ୍କର ନଦୀ ?
ନଦୀମାନଙ୍କରେ ମାଛମାନଙ୍କର ପଟୁଆରର ହାଲ୍ଲୋଳ ଦେଖିବା ପାଇଁ 
ଧସ୍ତାଧସ୍ତି ହେଉଥିବା ଗଛମାନେ ?

ମାଛମାନଙ୍କର ତଳେ
ବଉଦ ।
ଏଠି ଆକାଶରେ ଢେଉ ଉଠେ,
ଆଉ ନଇ ଗୁମୁରେ ।  
ଏ ସବୁ
କାଗଜ ଉପରେ କେମିତି ଚାଲିବେ ?
ବର୍ତ୍ତମାନ ଦେଖ !
କାଗଜସବୁ କେମିତି 
ଗୁଣ୍ଡ ହୋଇ ଉଡ଼େ,
ବାଘର ଚାଲିର ଧର୍ଷଣରେ । 

ଟୀକା ଏହି ଅନୁବାଦଟି ପ୍ରଥମେ ୨୦୧୪ ମସିହାରେ 'ଅନ୍ୟା' ପତ୍ରିକାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟିର ଲେଖିକା ସୁଜାତା ଭଟ୍ଟ ୧୯୫୬ ମସିହାରେ ଅହମେଦାବାଦରେ ଜନ୍ମିତ ଜଣେ ଇଂରାଜୀ ଭାଷାରେ ଲେଖୁଥିବା କବି । ତାଙ୍କର ପିଲାଦିନ ପୁନେ ସହରରେ ବିତିଥିଲା । ୧୯୬୮ ମସିହାରେ ନିଜ ପରିବାର ସହ ସେ ଯୁକ୍ତରାଜ୍ୟ ଆମେରିକାକୁ ଚାଲିଗଲେ । କମନ୍‌ୱେଲ୍‌ଥ୍ କବିତା ପୁରସ୍କାର ପ୍ରାପ୍ତ ଏହି କବିଙ୍କର 'ବ୍ରୁନିଜେମ୍,' 'ପଏଣ୍ଟ୍ ନୋ ପଏଣ୍ଟ୍,' 'ଏ ଡିଫରେଣ୍ଟ୍ ହିଷ୍ଟ୍ରି' ଆଦି କାବ୍ୟ ଗ୍ରନ୍ଥ ଲୋକାଦୃତ ହୋଇଛି । 

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....