ପ୍ରେମଲତାଙ୍କ ଆଖିରେ ଭାରତଛାଡ଼ ଆନ୍ଦୋଳନ
ଶୈଲେନ ରାଉତରାୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଦୀପକ ଦାସ |
ପ୍ରେମଲତାଙ୍କୁ ପାଞ୍ଚ ଛଅ ବରଷ ହେଲା ବେଳକୁ ତାଙ୍କ ବାପା ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ସାରିଥିଲେ । ତାହା ସହିତ ସେ ସ୍ୱଦେଶୀ ଆନ୍ଦୋଳନ, ଖଦିର ପ୍ରସାର, ସୂତା କାଟିବା, ଅସ୍ପୃଶ୍ୟତା ନିବାରଣ, ନିଶାବନ୍ଦି, ଆଦି କାମରେ ସମ୍ପୃକ୍ତ ଥାଆନ୍ତି । ଅସ୍ପୃଶ୍ୟତା ନିବାରଣ କାମରେ ୧୯୩୪ ମସିହାର ସିନାନ ପୁନେଇଁ ଦିନ ଅନୁଷ୍ଠିତ ଏକ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଓ ତହିଁ ପରର ପଂକ୍ତି ଭୋଜନରେ ଯୋଗ ଦେଇ ଆର୍ତ୍ତ ବାବୁ ଓ ତାଙ୍କ ପରିବାର ସାମାଜିକ ବାସନ୍ଦର ସମ୍ମୁଖୀନ ହେଲେ । ପରିବାରଟିକୁ ନିଆଁପାଣି ବାସନ୍ଦ କରାଗଲା । ଗାଁର ଧୋବା, ବାରିକ ମନା ହେଲେ । ସାହିର କେହି ପରିବାରର ଲୋକଙ୍କ ସହ କଥା ହୁଅନ୍ତି ନାହିଁ ।
ଏମିତି ସବୁ କଟକଣା ଭିତରେ ଥାଇ ମଧ୍ୟ ପରିବାରର ସଭିଏଁ ଖୁସି ଥାଆନ୍ତି । ପ୍ରଥମେ ଦେଶକାମ କରୁଥିବାର ସନ୍ତୋଷ । ତାହା ସହ ରମାଦେବୀ ଓ ଗୋପବାବୁ ଚଳାଉଥିବା ସେବାଘର, ପ୍ରକୃତ ଅର୍ଥରେ ପିଲାଙ୍କ ପାଇଁ ଏକ ‘ଆଶ୍ରମ’ର କାମ କରୁଥାଏ । ନିହାତି ପିଲାବେଳୁ ପ୍ରେମଲତା ସେଠି ସୂତାକଟା ଶିଖନ୍ତି । ଆଶ୍ରମରେ ନିୟମ ଅନୁସାରେ ସବୁ କାମ ହୁଏ । ସମୟାନୁବର୍ତ୍ତିତା ଥାଏ ଆଶ୍ରମର କାମକରିବାର ଢାଞ୍ଚାର ଏକ ବଡ଼ ବିଭାବ । ଖରାବେଳେ ଗାନ୍ଧିଙ୍କର ‘ହରିଜନ’ ପତ୍ରିକାଟିର ସାମୂହିକ ପାଠ ହୁଏ । ଅସ୍ପୃଶ୍ୟତା ନିବାରଣ ସମ୍ପର୍କିତ ଲେଖା ସବୁ ପଢ଼ିଶୁଣି ପିଲାମନରେ ପ୍ରତ୍ୟୟ ଜନ୍ମେ ଯେ, ଅସ୍ପୃଶ୍ୟତା ହଟିବା ଚାହି - ସେଥି ପାଇଁ ଲଢ଼ି ଦୁଃଖ ସହିଲେ ମଧ୍ୟ ତହିଁରେ ମର୍ଯ୍ୟାଦା ଅଛି ।
ଏହି ପରି ସାମାଜିକ କାମ ଚାଲୁ ରହିଥିବା ସମୟରେ ଗାନ୍ଧିଜୀ ୧୯୪୨ ମସିହାର ଅଗଷ୍ଟ ମାସରେ ଭାରତଛାଡ଼ର ଡାକରା ଦିଅନ୍ତି । ଦେଶର ସମସ୍ତ ବଡ଼ ବଡ଼ ନେତାଙ୍କୁ ପୋଲିସ ଅଗଷ୍ଟ ନଅ ତାରିଖ ବେଳକୁ ଗିରଫ କରି ନେଇ ଥାଏ । ବରିର ସେବାଘର ଆଶ୍ରମକୁ ପୋଲିସ ଭାଙ୍ଗି ଦେଇ ଥାଏ । ବିଞ୍ଝାରପୁର ପୋଲିସ ଅଗଷ୍ଟ ନଅ ତାରିଖ ଉପର ଓଳି ହିଁ ଆସି ଗୁଣନିଧି ମହାନ୍ତି ଓ ମଙ୍ଗଳ ସେନଗୁପ୍ତା ଆଦି ନେତାଙ୍କୁ ଗିରଫ କରି ଜେଲରେ ଭରିଦିଏ ।
ଆନ୍ଦୋଳନର ଭାର ପଡ଼େ ଏକ ନୂଆ ପ୍ରଜନ୍ମର କର୍ମୀମାନଙ୍କ ଉପରେ । କେତେକ ନେତା ଆତ୍ମଗୋପନ କରି ଥାଆନ୍ତି । ସେମାନଙ୍କ ମଧ୍ୟରେ ଥାଆନ୍ତି ଆର୍ତ୍ତବନ୍ଧୁ ମହାନ୍ତି । ଅଗଷ୍ଟ ୧୬ ତାରିଖରେ ସବୁ ବେସରକାରୀ ମୌଳିକ ବିଦ୍ୟାଳୟର ଶିକ୍ଷକମାନେ ସ୍କୁଲଗୁଡ଼ିକୁ ବନ୍ଦ କରି ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେବାର ସ୍ଥିର କରନ୍ତି ।
ଆନ୍ଦୋଳନ ବ୍ୟାପିବା ସହିତ ଗଞ୍ଜେଇ ଓ ଅଫିମ ଦୋକାନଗୁଡ଼ିକ ବନ୍ଦ କରିବାର ଉପକ୍ରମ ହେଲା । ପ୍ରତି ଗାଁରେ ପଞ୍ଚାୟତ ଗଢ଼ି ସ୍ଥାନୀୟ କଳିକଜିଆଗୁଡ଼ିକୁ ଗ୍ରାମ୍ୟସ୍ତରରେ ହିଁ ମେଣ୍ଟାଇବାର ଚେଷ୍ଟା ଆରମ୍ଭ ହେଲା । ଗାଁଗାଁରେ ସଭା କରି ଜାତୀୟ ସଙ୍ଗୀତ ଗାନ କରାଗଲା । ଲୋକେ ଅନେକ ଜାଗାରେ ଚୌକିଦାର ଓ ଦଫାଦାରଙ୍କ ହୋଦା ବାହାର କରି ପୋଡ଼ି ନଷ୍ଟ କଲେ ।
ହେଲେ ଆନ୍ଦୋଳନ ଚଳାଇବା ପାଇଁ ଗାନ୍ଧିଜୀ ମନ୍ତ୍ର ଦେଇ ଥାଆନ୍ତି ଯେ, ସମସ୍ତେ ନିଜେ ନେତା - ସତ୍ୟ ଓ ଅହିଂସାକୁ ମନ୍ତ୍ର ରୂପେ ଧରି କର୍ମୀମାନେ ନିଜେ ନିଜର କାର୍ଯ୍ୟପନ୍ଥା ସ୍ଥିର କରି ନେବା ଉଚିତ । ଅନେକ ବିପ୍ଳବୀ ବ୍ରିଟିଶ ଶାସନର ପ୍ରତୀକ, ଯଥା ରେଳସେବା, ଡାକସେବା ଓ ଥାନା ଇତ୍ୟାଦିକୁ ଆକ୍ରମଣ କରି ନଷ୍ଟ କରିବା କଥା ଭାବୁ ଥାଆନ୍ତି । ଏପରି ପରିବେଶରେ ଆର୍ତ୍ତ ବାବୁ ଏବଂ ତାଙ୍କର ସହକର୍ମୀ ଛୁକୁ ମିଆଁ ଡାକପିଅନଙ୍କୁ ଧରି ପକାଇ ସମନ୍ଗୁଡ଼ିକ ଆଣି ପୋଡ଼ି ପକାଇଲେ ଓ ଗ୍ରାମତ୍ୟାଗ କରି ନିରୁଦ୍ଦିଷ୍ଟ ହୋଇଗଲେ । ସେତେବେଳକୁ ପ୍ରେମଙ୍କୁ ବୟସ ତେର ଖଣ୍ଡେ ହେବ ।
ସେତେବେଳେ ପ୍ରେମଲତାଙ୍କ ବାପା ଥିଲେ ପରିବାରର ଏକମାତ୍ର ରୋଜଗାରିଆ । ଚାଷ ଜମି ପ୍ରାୟ ନ ଥିଲା - ଯାହା ବାଡ଼ିଗୋବରେ ଗୋବେ ଖଣ୍ଡେ ଥିଲା, ସେଥିରେ ତିନିପୁରୁଷର ପେଟ ପୁରିବା ଥିଲା ବହୁତ କଷ୍ଟିଆ । ପ୍ରେମଙ୍କ ଜେଜେବାବା ଥିଲେ ଜଣେ ଅବସରପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ – ହେଲେ ପେନସନ ନ ଥିଲା । ଜେଜେବାପା ଜଣଙ୍କ ପ୍ରକୃତିରେ ନିର୍ଘାତ ଛେରୁକୁରା । ଘରକୁ ପୋଲିସ ଆସିବ ଯଦି ଠିଆଠିଆ ମୁତି ପକାଇବେ । ହେଲେ ତାଙ୍କ ସ୍ତ୍ରୀ, ପ୍ରେମଙ୍କ ଶ୍ରୀଅକ୍ଷର ବିବର୍ଜିତା ଜେଜେମାଆ, ଥିଲେ ଭାରି ସାହସୀ, ଆଧୁନିକା ଓ ରାଜନୀତିମନସ୍କା ।
ଡାକପିଅନ ଉପରେ ଆକ୍ରମଣ ଘଟଣାର କିଛି ଦିନ ପରେ ଆର୍ତ୍ତବନ୍ଧୁ ଏକ ଅନ୍ଧାର ରାତିରେ ଘରକୁ ଆସିଲେ । ଦୁଇ ପଦ କଥା ହୋଇ ପୁଣି ଚାଲିଗଲେ - ରାମଚନ୍ଦ୍ରପୁର ବାଟ ଦେଇ ସେଠୁ କଟକ ଓ ତହିଁରୁ ଭଦ୍ରକ । ସେଠାରେ ସେ ‘ଅନାମ ଦାସ, ପିତା ଗୋଲକ ଦାସ’ ବନି ଆତ୍ମଗୋପନ କଲେ । ସେଇ ଦିନ ସକାଳେ ତାଙ୍କ ଜଣେ ସହକର୍ମୀ ଅକ୍ରୁରଙ୍କୁ ପୋଲିସ ଧରି ନେଲା ଓ ମାଡ଼ ମାରିମାରି ଅଚେତ କରିଦେଲା । ଆର୍ତ୍ତବାବୁ ଥିଲେ ତାଙ୍କର ମଧ୍ୟ ସେଇ ଅବସ୍ଥା ହୋଇ ଥାଆନ୍ତା ।
ଏହି ଘଟଣାର ମାସକ ପରେ ‘ଅନାମ ଦାସ ପିତା ଗୋଲକ ଦାସ’ ବରିର ଘରକୁ ପୁଣି ଆଉ ଥରେ ଅଧରାତିରେ ଆସି, ସିନ୍ଦୁରା ଫାଟିବାର ଯଥେଷ୍ଟ ଆଗରୁ ଅଦୃଶ୍ୟ ହୋଇଗଲେ । ହେଲେ ଭଗାରୀ ତ ପରିବାର ପଟରେ ନ ଥାଆନ୍ତି । ସେମାନେ ପୋଲିସକୁ ଭାଷା ଦେଲେ ଯେ, ଫେରାର ଆର୍ତ୍ତବାବୁ ଗାଁରେ ଅଛନ୍ତି । ସକାଳୁ ସକାଳୁ ସେତେବେଳର କୁଖ୍ୟାତ ଦାରୋଗା ନବାବ ଖାଁ ତିନି ଜଣ କନେଷ୍ଟବଳଙ୍କ ସହ ଆସି ଆର୍ତ୍ତବାବୁଙ୍କ ଦୁଆରେ ହାଜର । ପୋଲିସକୁ ଦେଖି ପରିବାରଟିକୁ ବାସନ୍ଦ କରିଥିବା ଶହଶହ ଲୋକଙ୍କ ସୁଅ ଛୁଟିଲା ପୋଲିସ ଜୁଲୁମର ମଜା ଦେଖିବା ପାଇଁ ।
ପ୍ରେମଙ୍କ ଜେଜେବାପା ତ ମହାଛାନିଆ ଲୋକ । ପୋଲିସକୁ ଦେଖି ତାଙ୍କ ପାଟି ଖନି ମାରିଗଲା । ସେ ଦୁଲ କିନା ତଳ ଖଞ୍ଜାରେ ବସି ପଡ଼ିଲେ - ଝାଡ଼ା ପରିସ୍ରା କରି ତାଙ୍କ ଅବସ୍ଥା ବାରଣ୍ଡା ଦି’କଡ଼ା । ଏ ଅବସ୍ଥାରେ ତାଙ୍କ ସ୍ତ୍ରୀ - ପ୍ରେମଙ୍କ ଜେଜେମା - ନାତୁଣିକୁ ଧରି କବାଟ ଖୋଲି ପୋଲିସର ସମ୍ମୁଖୀନ ହେଲେ । ପଚାରିଲେ, ‘କାହିଁକି ତୁମେ ମାନେ ଆସିଛ ?’ ଏଥିକୁ ନବାବ ଖାଁ ଜବାବ ଦେଲା କି ସେ ତାଙ୍କ ପୁଅକୁ ଗିରଫ କରିବାକୁ ଆସିଛି । ପ୍ରେମ ଜେଜେମାଙ୍କ ପଛରେ ଥାଇ ଡରରେ କମ୍ପୁ ଥାଆନ୍ତି ।
ବୁଢ଼ୀ ଯେବେ କଥା ଫେରାଇଲେ ଯେ, ତାଙ୍କ ପୁଅ ଘରେ ନାହିଁ, ଦାରୋଗା ଘର ତଲାସି କଥା କହିଲା । ସେଥିକୁ ବୁଢ଼ୀ ବୋହୁ ତଳ ଖଞ୍ଜାକୁ ଗଲା ପରେ ଯାଇ, ମାତ୍ର ଦୁଇ ଜଣ ଲୋକ ଘର ତଲାସି କରି ପାରିବେ ବୋଲି ପୋଲିସକୁ କହିଲେ । ଦାରୋଗା ଜଣେ କନେଷ୍ଟବଳକୁ ଧରି ଘର ସାରା ତନ୍ନତନ୍ନ କରି ଖୋଜିଲା । ହେଲେ କାହାକୁ ପାଇଲା ନାହିଁ । ଏହାର କିଛି ଦିନ ପରେ ଆର୍ତ୍ତବାବୁ ଧରା ପଡ଼ି, ବ୍ରହ୍ମପୁର ଜେଲରେ ବରଷକ କାଳ ଜେଲ ଦଣ୍ଡ ଭୋଗିଲେ । ୧୯୪୩ ମସିହାର ଅଗଷ୍ଟ ମାସରେ ଯାଇ ଛାଡ଼ ପାଇ ଖଲାସ ହେଲେ ।
ବି. ଦ୍ର.: ଏହି ଲେଖାଟିର ଉପାଦାନଗୁଡ଼ିକ ‘ସ୍ମୃତିର ପାଖୁଡ଼ା: ପ୍ରେମଲତା ଦେବୀଙ୍କ ଆତ୍ମଜୀବନୀ’ରୁ ନିଆ ଯାଇଛି । ବହିଟିର ସମ୍ପାଦନା କରିଛନ୍ତି ପ୍ରିୟଲତା ଜେନା । ପୁସ୍ତକଟି ୨୦୧୫ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନଙ୍କ ଦ୍ୱାରା ପ୍ରକାଶିତ ।
No comments:
Post a Comment