Sunday, January 1, 2023

କଲେଜିଏଟ୍ ସ୍କୁଲ୍‌ରେ ବିଦ୍ୟାଧର

ଶୈଲେନ ରାଉତରାୟ


୨୦୧୩ ମସିହାରେ ଉତ୍ତୋଳିତ କଲେଜିଏଟ୍ ସ୍କୁଲର ଚିତ୍ର
ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍/ କମଳାକାନ୍ତ୭୭୭

୧୯୩୦ ଡିସେମ୍ବର ମାସରେ ପର ସମୟର ପ୍ରସିଦ୍ଧ ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ର ପ୍ରଥମେ କଟକ ଆସିଲେ ମାଇନର ବୃତ୍ତି ପରୀକ୍ଷା ଦେବା ପାଇଁ । ସେ ବୃତ୍ତି ପାଇଲେ ନାହିଁ । ଏଣେ ଆଗକୁ କିପରି ପଢ଼ିବେ ସେ ନେଇ ତାଙ୍କର ଭାଳେଣି ପଡ଼ିଲା । ୧୯୩୦ ଦଶକର ଆରମ୍ଭରେ ଅବିଭକ୍ତ କଟକର ଜିଲ୍ଲାରେ ଥାଏ ଛଅଟି ଉଚ୍ଚ ବିଦ୍ୟାଳୟ । ସେଥି ମଧ୍ୟରୁ ପାଞ୍ଚଟି କଟକ ସହର ଭିତରେ । ଷଷ୍ଠଟି ଥାଏ କୁଜଙ୍ଗରେ । 

କଟକରେ ରହି ପଢ଼ିବା ପାଇଁ ମାସକୁ ଆଠରୁ ଦଶ ଟଙ୍କା ଖର୍ଚ୍ଚ ହେଉଥିଲା । ଗୋଟିଏ ସଙ୍ଗତିସମ୍ପନ୍ନ ଶାସନୀ ବ୍ରାହ୍ମଣ ପରିବାରର ସନ୍ତାନ ହୋଇଥିଲେ ହେଁ କେବଳ ଚାଷ ଉପରେ ନିର୍ଭର କରି ଚଳୁଥିବାରୁ ତାଙ୍କର ଗାର୍ଜନମାନେ କଟକରେ ତାଙ୍କ ପାଠ ପଢ଼ା ଖର୍ଚ୍ଚ ତୁଲାଇବା ଅବସ୍ଥାରେ ନଥିଲେ ।  

ସେହି ସମୟରେ ବିଦ୍ୟାଧର ଶୁଣିଲେ ଯେ ତାଙ୍କୁ ସ୍ନେହ କରୁଥିବା ତାଙ୍କ ମାଇନର ସ୍କୁଲର ଜଣେ ପୂର୍ବତନ ହେଡ଼ମାଷ୍ଟର ଗୋଟିଏ ବ୍ରାହ୍ଣଣ ମେସ୍‌ରେ ରହି ପି.ଏଲ୍. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସେଠି ତାଙ୍କରି ଉଦ୍ୟମରେ ରିହାତିରେ ରହି ପଢ଼ିବା ପାଇଁ ଠିକ୍ ହେଲା । ଏହି ମେସ୍‌ଟି କିଛି ଦିନ ଗଙ୍ଗମନ୍ଦିର ଗଳିରେ ବୁଲା ସାହୁଙ୍କ ଘରେ ଓ ତାହା ପରେ କାଜିବଜାର ଛକରେ ଚାଲିଥିଲା । 

୧୯୩୩ ମସିହା ନଭେମ୍ବରରୁ ସେ ରହିଲେ ତାଙ୍କ ବଡ଼ ଭାଇଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ଅକ୍ଷୟ କୁମାର ଦାଶଙ୍କ ଯୋବ୍ରା ସ୍ଥିତ ସରକାରୀ ବାସଭାବନରେ, ତାଙ୍କ ପରିବାର ସହ, ଘରର ଜଣେ ହୋଇ  । ଅକ୍ଷୟ ବାବୁ ମଧ୍ୟ ଜାତିରେ ବ୍ରାହ୍ମଣ । ସେ ସେହି ସମୟରେ କଟକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁ ଥାଆନ୍ତି । ତାଙ୍କର ପରେ କେନ୍ଦ୍ରାପଡ଼ା ବଦଳି ହୋଇଯିବାରୁ ବିଦ୍ୟାଧର ହାଇ ସ୍କୁଲ ପଢ଼ାର ଶେଷ ଚାରି ମାସ ଖଣ୍ଡେ ସମୟ ରହିଲେ କାଠଯୋଡ଼ି ଛାତ୍ରାବାସରେ । 

୧୯୩୨ ମସିହା ଜାନୁଆରୀ ମାସରେ ନିଜ ଦଦେଇଙ୍କ ସହିତ ଯାଇ ସେ କଲେଜିଏଟ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲେ । ସେବେ କଟକ ନଗରର ସବୁଠୁ ଭଲ ସ୍କୁଲ ଥିଲା ଏଇ ସରକାରୀ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟ । କେବଳ କଟକର ନୁହଁ, ପୂରା ଓଡ଼ିଶାର ସବୁଠାରୁ ଭଲ ଉଚ୍ଚ ବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନଟିକୁ ଗଣା ହେଉଥିଲା ।  

କାଠଯୋଡ଼ି ନଈ କୂଳର ଏହି ସ୍କୁଲର କୋଠାରେ ହିଁ ୧୮୬୮ରୁ ୧୯୨୧ ପର୍ଯ୍ୟନ୍ତ ରେଭେନ୍ସା କଲେଜ ଚାଲିଥିଲା । ବିଦ୍ୟାଧର ବାବୁ ଛାତ୍ର ଥିବା ବେଳ ସ୍କୁଲଟିର ପରିବେଶ ଶୃଙ୍ଖଳିତ ଥିଲା । ଶିକ୍ଷକମାନେ ପ୍ରାୟତଃ ଉଚ୍ଚ ଉପାଧିସମ୍ପନ୍ନ, ଦକ୍ଷ ଓ ଶିକ୍ଷାଦାନରେ ଆଗ୍ରହୀ ଥିଲେ । ବିଦ୍ୟାଧର କଲେଜିଏଟ୍‌ରେ ପଢ଼ିବା ସମୟର ଚାରି ବର୍ଷ ଯାକ ବିଶ୍ୱମ୍ଭର ମିଶ୍ର ପ୍ରଧାନ ଶିକ୍ଷକ ଥିଲେ । 

ଅଷ୍ଟମରୁ ଏକାଦଶ ଯାଏଁ ଚାରୋଟି ଯାକ ଶ୍ରେଣୀରେ ଇତିହାସ, ଭୂଗୋଳ, ଗଣିତ, ବୀଜଗଣିତ, ଜ୍ୟାମିତି, ତ୍ରିକୋଣମିତି ଓ ମେନ୍‌ସୁରେସନ୍ ଆଦି ବିଷୟ ପଢ଼ା ହେଉଥିଲା । ପାଠ୍ୟପୁସ୍ତକଗୁଡ଼ିକ ଥିଲା ଇଂରାଜୀରେ ଲିଖିତ । ସେଗୁଡ଼ିକ ପ୍ରାୟତଃ କଲିକତାର ବଙ୍ଗଭାଷୀ ଶିକ୍ଷକ ଓ ଅଧ୍ୟାପକଙ୍କ ଦ୍ୱାରା ଲିଖିତ ଥିଲା । ଆଲଜେବ୍ରା ପାଇଁ ଜେ.ପି. ବସୁ, ଗଣିତ ପାଇଁ ଜେ.ସି. ଚକ୍ରବର୍ତ୍ତୀ, ମେନ୍‌ସୁରେସନ୍ ପାଇଁ ଜି.ବି. ମିତ୍ର, ଟ୍ରିଗୋନୋମେଟ୍ରି ପାଇଁ ଏଲ୍.କେ. ମିତ୍ର, ଜ୍ୟାମିତି ପାଇଁ ଶାରଦା ଗାଙ୍ଗୁଲି, ଭୂଗୋଳ ପାଇଁ ଜେ.ଏନ୍. ଘୋଷ, ଭାରତ ଇତିହାସ ପାଇଁ ଆର୍‌.ଡ଼ି. ବାନାର୍ଜୀ ତଥା ଇଂଲଣ୍ଡ ଇତିହାସ ପାଇଁ ଏଲ୍.କେ. ମୁଖାର୍ଜୀଙ୍କ ବହିମାନ ସେବେ ଓଡ଼ିଶା ଡିଭିଜନର ଉଚ୍ଚ ବିଦ୍ୟାଳୟମାନଙ୍କରେ ଚଳୁଥିଲା । 

ଅର୍ଥାତ୍, ସେହି ସ୍ତରରେ ପାଠ୍ୟପୁସ୍ତକ ଲିଖନର ବ୍ୟବସାୟ ଥିଲା ବଙ୍ଗାଳୀ ଉଚ୍ଚଜାତିର ପୁରୁଷ (ବିଶେଷତଃ ବ୍ରାହ୍ମଣ ଓ କାୟସ୍ଥ ଜାତିର) ମାନଙ୍କର ହସ୍ତମୁଦି ମାହାଲ ।  ଏହା ବ୍ୟତୀତ ଇଂରାଜୀ ସାହିତ୍ୟ ଓ ବ୍ୟାକରଣ ବହି ସବୁର ଲେଖକ ପ୍ରାୟତଃ ସବୁ ଇଂରେଜ ହିଁ ଥିଲେ । ସେବେ ମାନେ ବହିର ପ୍ରଚଳନ ନ ଥିଲା । ଖାଲି ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପଛ ଦଶ ବର୍ଷର ପ୍ରଶ୍ନପତ୍ର ଟେଷ୍ଟପେପର ଆକାରରେ ମିଳୁ ଥିଲା ; କିନ୍ତୁ ସେଥିରେ ଉତ୍ତର ରହୁ ନ ଥିଲା ।

କଲେଜିଏଟ୍‌ ସ୍କୁଲରେ ପଢ଼ିବା ବେଳେ ପର ସମୟର ପ୍ରଖ୍ୟାତ ଅଧ୍ୟାପକ ଶ୍ରୀରାମଚନ୍ଦ୍ର ଦାଶ ବିଦ୍ୟାଧରଙ୍କ ବ୍ୟାଚ୍‌ର ସହପାଠୀ ଥିଲେ ।   ବିଦ୍ୟାଧର ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ଏକାଦଶ ଅର୍ଥାତ୍ ଶେଷ ଶ୍ରେଣୀ ର ଛାତ୍ର ଥିଲେ । ଫୁଟବଲ ଖେଳାଳୀ ଭାବରେ ଓ ଜଣେ ନେତୃତ୍ୱବାନ ପିଲା ବୋଲି ତାଙ୍କର ଖ୍ୟାତି ଥିଲା ।  

ବିଦ୍ୟାଧର ବାବୁଙ୍କ କହିବା ଅନୁସାରେ ବହୁତ କଷ୍ଟ ସହି ସେ କଲେଜିଏଟରେ ପାଠ ପଢ଼ିଥିଲେ । ହେଲେ ମାଟ୍ରିକ ପାସ୍ କରିବା ପୂର୍ବରୁ ସେ ସାଇକେଲଟିଏ କିଣି କଟକରେ ଯାଆସ କରୁଥିଲେ, ଯେତେବେଳେ ଶୂନଗାଡ଼ି ଥିଲା ଯୌତୁକଯୋଗ୍ୟ ଏକ ଲୋଭନୀୟ ଚିଜ଼ । 

ହାଇସ୍କୁଲରେ ବିଦ୍ୟାଧର ନିୟମିତ ରାଙ୍କ୍ ରଖୁଥିଲେ । ବିଦ୍ୟାଳୟର ପତ୍ରିକାରେ ନିୟମିତ ଲେଖାଲେଖି କରି ସେ ନିଜ ଲେଖକୀୟ ଜୀବନର ଏହିଠାରେ ମୂଳଦୁଆ ପକାଇଲେ । ୧୯୩୬ ମସିହା ଫେବୃଆରୀରେ ସେ ମାଟ୍ରିକ ପରୀକ୍ଷାରେ ବସିଲେ । ସେହି ବର୍ଷର ଅପ୍ରେଲରେ ଫଳ ବାହାରିଲା । ବହୁତ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ସେ ଉତ୍ତୀର୍ଣ୍ଣ ହେଲେ ଆଉ ମାସକୁ ପନ୍ଦର ଟଙ୍କିଆ ଓଡ଼ିଶା ଡିଭିଜନାଲ ବୃତ୍ତି ପାଇଲେ । ଉଚ୍ଚ ଶିକ୍ଷା ପାଇଁ ବାଟ ଫିଟିଗଲା ।        

ବି.ଦ୍ର. - ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।

1 comment:

  1. A delightful episode in the life of a gifted economist.Thanks a lot for your excellent effort!

    ReplyDelete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....