Thursday, June 8, 2023

କଙ୍କି

ଶୈଲେନ ରାଉତରାୟ


୧୮୫୦ରେ ପ୍ରକାଶିତ ଭୁବନେଶ୍ୱରର ଏକ ଚିତ୍ର
ଉତ୍ସ - ଆମୋସ ସଟନଙ୍କର ବହି 'ଓଡ଼ିଶା ଆଣ୍ଡ ଇଟ୍ସ୍ ଏଭାଞ୍ଜେଲାଇଜେସନ୍'
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କଲେଜରୁ ଫେରିଲା ବେଳକୁ ଆମ ଗାଡ଼ି – ମୋ ସ୍ପେକ୍ଟ୍ରା ଆଉ ତା’ ସ୍କୁଟି – ମନକୁମନ ମୋଡ଼ି ହେଇଗଲା ଭିନସ୍ ଇନ୍ ଗଳିକୁ । ଆମର ଯିବାର ଥିଲା ପୁରୁଣା ବସ ଷ୍ଟାଣ୍ଡ ପତ୍ରିକା ପାଇଁ । ଗାଡ଼ି ବାପୁଜି ନଗରରେ କେମିତି ପହଞ୍ଚିଲା କେଜାଣି !

ଦୁଇଜଣଯାକ ଏ. କେ. ମିଶ୍ର ଆଗରେ ଗାଡ଼ି ରଖିଲୁ । ଉପସ୍ଥାନ ପକାଇବା ପାଇଁ ପାଞ୍ଚ ମିନିଟ ବହି ଦୋକାନରେ ମୁହଁ ମାରିଲୁ । ସେ ଅର୍ଡ଼ର ଦେଇଥିବା ଲେଗୁଇ କାଜାମିଆ ଆସି ନଥିଲା, ଆସି ବି ନଥିଲା ମୁଁ ମଗେଇଥିବା ‘ରେଜ୍ ହାଏ ଦି ରୁଫ୍‌ବିମ୍ସ୍ କାର୍ପେଣ୍ଟର୍ସ୍’ ।

ମୁଁ ଭିନସ୍ ଇନ୍ ଆଡ଼କୁ ମୁହେଇଁବାରୁ ସେ କହିଲା ଯେ, “ମୁଁ ପନିର ଦୋସା ଖାଇପାରିବିନି ଆଉ” । ତହିଁକି ମୋର ଉତ୍ତର ହେଲା, “ମୋର ଖଟ୍ଟାମିଠାର ଛୋଲେ ଭଟୁରେ ପାଇଁ ମୁଡ଼ ନାହିଁ” ।

ଡିସେମ୍ବର ସନ୍ଧ୍ୟା । ସୂର୍ଯ୍ୟ ଦିଗ୍‌ବଳୟ ଉପରେ । ସେ ପର୍ଯ୍ୟନ୍ତ ଜଗନ୍ନାଥର ବିନା ପିଆଜ ରସୁଣ ଅବତାର ଆରମ୍ଭ ହୋଇନଥାଏ । ଠିକ୍ ସେଇ ସମୟରେ ରଞ୍ଜନ ବୋଧହୁଏ ସିଙ୍ଗଡ଼ା କାଢ଼ି ପ୍ରଥମ ଭାରି ବରା ତେଲରେ ପକାଇଲା ।

ଯେମିତି ଆମ ଗାଡ଼ି ମନକୁ ମନ ମୋଡ଼ି ହେଇଯାଇଥିଲା ବାପୁଜି ନଗରକୁ, ସେମିତି ଆମ ପାଦ ଆପେ ଆପେ ଚାଲିଲା ଜଗନ୍ନାଥ ଆଡ଼କୁ । ଆମକୁ ଦେଖି ରଞ୍ଜନ କିଛି ନ ପଚାରି ଗୋଟିଏ ଦନାରେ ଚାରୋଟି ଟଙ୍କିକିଆ ସିଙ୍ଗଡ଼ା ଦେଇଦେଲା । ଆମେ ସୁସା ହୋଇ ଡହଡହ ତତଲା ସିଙ୍ଗଡ଼ା ଖାଇ ସାରୁସାରୁ ଦୁଇ ଦୁଇଟା ଟଙ୍କିକିଆ ବରା ମୋ’ ପାଇଁ ସିଙ୍ଗଡ଼ା ଦନାରେ ଦେଲା, ଆଉ ତା’ ପାଇଁ ନୂଆଟାଏରେ ।

ଖାଇ ସାରି, ଟଙ୍କା ଦେଇ ଫେରି ଗାଡ଼ି ଷ୍ଟାର୍ଟ କଲାବେଳକୁ ସେ ମୋତେ ଆମର ଚିରାଚରିତ ପ୍ରଶ୍ନ ପଚାରିଲା, “ଆଜି ବରା ଭଲ ଲାଗିଲା ନା ସିଙ୍ଗଡ଼ା” । ମୁଁ ମୋ’ ସାର୍ଟ୍‌ର ହାତର ଫୋଲ୍ଡ଼କୁ ଆଉ ଥରେ ଭଲକରି ମୋଡ଼ି ଦେଇ କହିଲି, “ତୁ” । 

ସେ, “ତୋ’ ଭଳିଆ ଛତରା ଆଉ କେହି ନାହିଁ” ବୋଲି କହି ଗାଡ଼ି ଷ୍ଟାର୍ଟ କଲା ଆଉ ଉଡ଼ିଗଲା ଭୁବନେଶ୍ୱରର ଅଦିନିଆ ଝଡ଼ର କଙ୍କି ଭଳି । ପଛରେ ଓନିର ଦୁଇ କାନି ଥିଲା ସେଇ କଙ୍କିର ଡେଣା । 

1 comment:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....