Friday, December 15, 2023

ମହାବୋଧି ମନ୍ଦିର

ଶୈଲେନ ରାଉତରାୟ


ଜାତୀୟ ହସ୍ତଶିଳ୍ପ ମେଳା ୨୦୧୧ରେ ସାଜସଜ୍ଜା ପାଇଁ ବ୍ୟବହୃତ ଗରମପବନ ବେଲୁନ
 ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ କମଳାକାନ୍ତ୭୭୭

ମୋ’ର ପହଞ୍ଚିବା ପାଇଁ ଠିକ୍ ଏଗାର ମିନିଟି ଡେରି ହେଇଥିଲା । କେମିତି ମନେ ଅଛି ? କହୁଚି ରୁହ । ମୁଁ ମହାବୋଧି ସୋସାଇଟି ଆଗରେ ମୋ’ ଲୁନା ଥୋଇ ଡରଡଗ ହେଇ ଚାଲି କ୍ୟାମ୍ପସ ଭିତରେ ପହଞ୍ଚିଲା ବେଳକୁ ସେ ଆଗରୁ ଠିକ୍ କରିଥିବା ଅନୁସାରେ ବୋଧି ଗଛ ମୂଳେ ବସିଥାଏ ।

ତା’ ମୁହଁଟା ଟିକେ ଅଜବ ଦିଶୁଥାଏ । ଠ‌ାକରା ଗାଲ ରାଗରେ ଜାଣିଶୁଣି ଫ‌ୁଲେଇ ଥିଲେ ଯେମିତି ବିଚିତ୍ର ଦିଶ‌ିବା କଥା, ସେମିତି ।

ମୁଁ ପଚାରିଲି, “କେତେବେଳଠୁଁ ଆସିଲଣି ?”

“କୋଡ଼ିଏ ମିନିଟ ହେଲାଣି ।”

“କୋଡ଼ିଏ ମିନିଟ? ଏବେ ତ ପାଞ୍ଚଟା ଏଗାର ବାଜିଚି ।” 

ସେ ତା’ ଘଣ୍ଟାକୁ ଅନେଇ କହିଲା, ଡେରି ନ ହେବା ପାଇଁ ହାତରେ ଟିକେ ସମୟ ରଖି ପହଞ୍ଚିବି ବୋଲି ଭାବିଲି । ତ ନଅ ମିନିଟି ଶୀଘ୍ର ପହଞ୍ଚିଗଲି ।”

“ହଉ । ମୋ’ର ଏଗାର ମିନିଟ ଡେରି । ନଅ ଯୁକ୍ତ ଏଗାର ସମାନ କୋଡ଼ିଏ । ବଢ଼ିଆ ହିସାବ ।”

“ଯା’ ହେଉ । ଆଉ କିଛି ମେଳ ଖାଉ, ନ ଖାଉ, ତୁମର ଆଉ ମୋ’ର ଘଣ୍ଟାର ସମୟ ବେତାଳିଆ ନୁହେଁ ।”

 ମୁଁ ଆଉ କିଛି ନ କହି, ତା’ ପାଖରେ ବସି ପଡ଼ିଲି । ସେ ପିନ୍ଧିଥାଏ ଗୋଟେ ଧତରା, ହେଲେ ସଫା, ମାଟିଆ ରଙ୍ଗର ଟି-ସାର୍ଟ ।

 “ବ୍ୟାଗ୍ କୁଆଡ଼େ ଗଲା” ବୋଲି ମୁଁ ପଚାରିଲି ।

“ତୁମକୁ ଦେଖା କରିବାକୁ ଖାଲି ଆସିଚି ଶାସ୍ତ୍ରୀ ନଗରରୁ । ବ୍ୟାଗ୍ କାହିଁକି ଆଣିବି?”

ମୁଁ ମୋ ବ୍ୟାଗ୍‌ରୁ ବାବା ଡହରାନନ୍ଦଙ୍କ ପ୍ରବଚନମାଳା ଖଣ୍ଡିଏ ବାହାର କରି ତା’ ହାତକୁ ବଢ଼େଇ ଦେଲି । ସେ ଭୃଲତା ନଚେଇ ଆଖିରେ ପଚାରିଲା, “କଅଣ/କାହିଁକି” ବୋଲି ।

ମୁଁ କହିଲି, “ପ୍ରୀତି ଉପହାର ।”

ସେ କିଛି ନ କହି ପ୍ରଥମେ ମୁରୁକିହସା ଦେଲା । କିଛି ସେକେଣ୍ଡ ପରେ କହିଲା, “ଧନ୍ୟବାଦ ।” “ଥ୍ୟାଙ୍କ ୟୁ” ନୁହେଁ, “ଧନ୍ୟବାଦ” ।

ଠିକ୍ ସେତିକି ବେଳେ କାଉଟିଏ ଆସି ଗଛର ବେଢ଼ା ଚାରିପଚେ ବୁଲିଥିବା ପାଚେରି ଉପରେ ବସି ତିନି ଚାରି ଥର କା’ କା’ ହେଲା ଆଉ ତା’ ପରେ ଉଡ଼ି ବୋଧି ମନ୍ଦିର ଉପରକୁ ଚାଲିଗଲା ।

ସନ୍ଦୀପ କିଛି ସମୟ ପରେ ପଚାରିଲା, “ଏମିତି ଏଠି କାହିଁକି ଭେଟିବାକୁ ଡାକିଲ?”

“ଭଲ ଲାଗୁନି କି?”

“ନା । ବଢ଼ିଆ ଜାଗା ଯେ । ମୁଁ ଆଗରୁ ଦେଖି ନଥିଲି ।”

“ଏଇଟା ବୋଧି ବୃକ୍ଷ ।”

“ମାନେ?”

“ମାନେ ବୌଦ୍ଧ ଗୟାରେ ଯେଉଁ ଓସ୍ତ ଗଛ ତଳେ ବୁଦ୍ଧ ମହାନିର୍ବାଣ ପ୍ରାପ୍ତ ହେଇଥିଲେ, ତା’ର ଗୋଟେ ପୁଅ ଅଛି ଶ୍ରୀଲଙ୍କାର କାଣ୍ଡିରେ । ଏଇଟା ହେଲା ତାହାର ଛୁଆ । ମାନେ ମୂଳ ବୋଧି ଗଛର ନାତି ।”

“ଓଃ” କହି ସେ ଉଠିଗଲା ।

ଆଉ ଗଛକୁ ଛ‌ୁଇଁ ଠିଆ ଠ‌ିଆ ମୁଣ୍ଡିଆ ମାରି ମୋ’ ପାଖରେ ଫେରି ଆସି ବସିଲା । ତା’ ପରେ କଅଣ କଥା ହେଲୁ ମୋ’ର ଏବେ ଆଉ ମନେ ନାଇଁ । ବାହାରିଲା ବେଳକୁ ସେ କହିଲା, “ମତେ ଗୋଟେ ବଢ଼ିଆ ନୂଆ ଜାଗା ଦେଖେଇ ଥିବାରୁ ଧନ୍ୟବାଦ ।”

“ମୋତେ କଅଣ ମିଳିବ?”

ସେ କିଛି ନ କହି ମୋ’ ଦୁଇ ଗାଲରେ ପାଞ୍ଚଟି ଲେଖାଏଁ ବୋକ ଦେଇ ଶେଷକୁ ଓଠରେ ଗେଲ କଲା ଥରେ ।

ତା’ ପରେ ବହି ଧରି ଉଠି ଯାଇ ମୋ’ ପଟକୁ ନ ଅନେଇ ଗେଟ୍ ଆଡ଼େ ଚାଲିବାକୁ ଲାଗିଲା । ମୁଁ କହିଲି, “ରୁହ ।” ସେ ଫେରି, ବୁଲି ମୋ’ ଆଡ଼କୁ ଚାହିଁ ଭୃଲତା ଉଠେଇଲା ।

“ଆଉ ଗୋଟେ ଗେଲ,” ମୁଁ ମାଗିଲି ।

ସେ କହିଲା, “ନା । ଯେତିକିଟା ମିଳିବା କଥା ତା’ ମିଳି ସାରିଚି ।”

“ବୋଇଲେ ।”

“ଏଗାର ମିନିଟ ଡେରି ପାଇଁ ଏଗାରଟା ଗେଲ ।”

ମୁଁ କହିଲି, “ହଉ । ୟା ପର ଥରକ ତା’ହେଲେ ଅଧ ଘଣ୍ଟାଏ ଡେରି କରିବି, ରୁହ । ନା ଘଣ୍ଟାଏ?”

ସେ, “ଛତରା କେଉଁଠିକାର” କହି ବୁଲି ଗେଟ୍ ଆଡ଼କୁ ଚାଲିଗଲା ।

ଏଥରକ ମୁଁ “ରୁହ” ବୋଲି ଆଉ ଥରେ କହିଲେ ବି ସେ ପଛକୁ ଫେରି ଅନେଇଲାନି । ଫାଟକ ଉପରେ କାଉଟିଏ ବସିଥାଏ । ସେ ଗଳାଫାଟକ ଫାନ୍ଦ ଫିଟେଇ, ସେପଟକୁ ଯିବା ଯାଏଁ । 

No comments:

Post a Comment

ବିଶ୍ୱ ଦରବାରରେ ଗୁଡ଼ାଖୁ ଶୈଲେନ ରାଉତରାୟ ଗୁଡ଼ାଖୁର ବିକ୍ରିବଟା ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍/ଶୈଳେଶ ପଟ୍ଟନାୟକ ପରବର୍ତ୍ତି ସମୟର ପ୍ରସିଦ୍ଧ ଅମଲା ଓ ଲେଖକ ...