Friday, December 15, 2023

ମହାବୋଧି ମନ୍ଦିର

ଶୈଲେନ ରାଉତରାୟ


ଜାତୀୟ ହସ୍ତଶିଳ୍ପ ମେଳା ୨୦୧୧ରେ ସାଜସଜ୍ଜା ପାଇଁ ବ୍ୟବହୃତ ଗରମପବନ ବେଲୁନ
 ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ କମଳାକାନ୍ତ୭୭୭

ମୋର ପହଞ୍ଚିବା ପାଇଁ ଠିକ୍ ଏଗାର ମିନିଟି ଡେରି ହେଇଥିଲା । କେମିତି ମନେ ଅଛି ? କହୁଚି ରୁହ । ମୁଁ ମହାବୋଧି ସୋସାଇଟି ଆଗରେ ମୋ ଲୁନା ଥୋଇ ଡରଡଗ ହେଇ ଚାଲି କ୍ୟାମ୍ପସ ଭିତରେ ପହଞ୍ଚିଲା ବେଳକୁ ସେ ଆଗରୁ ଠିକ୍ କରିଥିବା ଅନୁସାରେ ବୋଧି ଗଛ ମୂଳେ ବସିଥାଏ ।

ତା ମୁହଁଟା ଟିକେ ଅଜବ ଦିଶୁଥାଏ । ଠ‌ାକରା ଗାଲ ରାଗରେ ଜାଣିଶୁଣି ଫ‌ୁଲେଇ ଥିଲେ ଯେମିତି ବିଚିତ୍ର ଦିଶ‌ିବା କଥା, ସେମିତି ।

ମୁଁ ପଚାରିଲି, କେତେବେଳଠୁଁ ଆସିଲଣି ?”

କୋଡ଼ିଏ ମିନିଟ ହେଲାଣି

କୋଡ଼ିଏ ମିନିଟ? ଏବେ ତ ପାଞ୍ଚଟା ଏଗାର ବାଜିଚି  

ସେ ତା ଘଣ୍ଟାକୁ ଅନେଇ କହିଲା, ଡେରି ନ ହେବା ପାଇଁ ହାତରେ ଟିକେ ସମୟ ରଖି ପହଞ୍ଚିବି ବୋଲି ଭାବିଲି । ତ ନଅ ମିନିଟି ଶୀଘ୍ର ପହଞ୍ଚିଗଲି

ହଉ । ମୋର ଏଗାର ମିନିଟ ଡେରି । ନଅ ଯୁକ୍ତ ଏଗାର ସମାନ କୋଡ଼ିଏ । ବଢ଼ିଆ ହିସାବ

ଯା ହେଉ । ଆଉ କିଛି ମେଳ ଖାଉ, ନ ଖାଉ, ତୁମର ଆଉ ମୋର ଘଣ୍ଟାର ସମୟ ବେତାଳିଆ ନୁହେଁ

 ମୁଁ ଆଉ କିଛି ନ କହି, ତା ପାଖରେ ବସି ପଡ଼ିଲି । ସେ ପିନ୍ଧିଥାଏ ଗୋଟେ ଧତରା, ହେଲେ ସଫା, ମାଟିଆ ରଙ୍ଗର ଟି-ସାର୍ଟ ।

 ବ୍ୟାଗ୍ କୁଆଡ଼େ ଗଲା ବୋଲି ମୁଁ ପଚାରିଲି ।

ତୁମକୁ ଦେଖା କରିବାକୁ ଖାଲି ଆସିଚି ଶାସ୍ତ୍ରୀ ନଗରରୁ । ବ୍ୟାଗ୍ କାହିଁକି ଆଣିବି?”

ମୁଁ ମୋ ବ୍ୟାଗ୍‌ରୁ ବାବା ଡହରାନନ୍ଦଙ୍କ ପ୍ରବଚନମାଳା ଖଣ୍ଡିଏ ବାହାର କରି ତା ହାତକୁ ବଢ଼େଇ ଦେଲି । ସେ ଭୃଲତା ନଚେଇ ଆଖିରେ ପଚାରିଲା, କଅଣ/କାହିଁକି ବୋଲି ।

ମୁଁ କହିଲି, ପ୍ରୀତି ଉପହାର

ସେ କିଛି ନ କହି ପ୍ରଥମେ ମୁରୁକିହସା ଦେଲା । କିଛି ସେକେଣ୍ଡ ପରେ କହିଲା, ଧନ୍ୟବାଦ ଥ୍ୟାଙ୍କ ୟୁ ନୁହେଁ, “ଧନ୍ୟବାଦ

ଠିକ୍ ସେତିକି ବେଳେ କାଉଟିଏ ଆସି ଗଛର ବେଢ଼ା ଚାରିପଚେ ବୁଲିଥିବା ପାଚେରି ଉପରେ ବସି ତିନି ଚାରି ଥର କା କା ହେଲା ଆଉ ତା ପରେ ଉଡ଼ି ବୋଧି ମନ୍ଦିର ଉପରକୁ ଚାଲିଗଲା ।

ସନ୍ଦୀପ କିଛି ସମୟ ପରେ ପଚାରିଲା, ଏମିତି ଏଠି କାହିଁକି ଭେଟିବାକୁ ଡାକିଲ?”

ଭଲ ଲାଗୁନି କି?”

ନା । ବଢ଼ିଆ ଜାଗା ଯେ । ମୁଁ ଆଗରୁ ଦେଖି ନଥିଲି ।

ଏଇଟା ବୋଧି ବୃକ୍ଷ ।

ମାନେ?”

ମାନେ ବୌଦ୍ଧ ଗୟାରେ ଯେଉଁ ଓସ୍ତ ଗଛ ତଳେ ବୁଦ୍ଧ ମହାନିର୍ବାଣ ପ୍ରାପ୍ତ ହେଇଥିଲେ, ତାର ଗୋଟେ ପୁଅ ଅଛି ଶ୍ରୀଲଙ୍କାର କାଣ୍ଡିରେ । ଏଇଟା ହେଲା ତାହାର ଛୁଆ । ମାନେ ମୂଳ ବୋଧି ଗଛର ନାତି

ଓଃ କହି ସେ ଉଠିଗଲା ।

ଆଉ ଗଛକୁ ଛ‌ୁଇଁ ଠିଆ ଠ‌ିଆ ମୁଣ୍ଡିଆ ମାରି ମୋ ପାଖରେ ଫେରି ଆସି ବସିଲା । ତା ପରେ କଅଣ କଥା ହେଲୁ ମୋର ଏବେ ଆଉ ମନେ ନାଇଁ । ବାହାରିଲା ବେଳକୁ ସେ କହିଲା, ମତେ ଗୋଟେ ବଢ଼ିଆ ନୂଆ ଜାଗା ଦେଖେଇ ଥିବାରୁ ଧନ୍ୟବାଦ

ମୋତେ କଅଣ ମିଳିବ?”

ସେ କିଛି ନ କହି ମୋ ଦୁଇ ଗାଲରେ ପାଞ୍ଚଟି ଲେଖାଏଁ ବୋକ ଦେଇ ଶେଷକୁ ଓଠରେ ଗେଲ କଲା ଥରେ ।

ତା ପରେ ବହି ଧରି ଉଠି ଯାଇ ମୋ ପଟକୁ ନ ଅନେଇ ଗେଟ୍ ଆଡ଼େ ଚାଲିବାକୁ ଲାଗିଲା । ମୁଁ କହିଲି, ରୁହ । ସେ ଫେରି, ବୁଲି ମୋ ଆଡ଼କୁ ଚାହିଁ ଭୃଲତା ଉଠେଇଲା ।

ଆଉ ଗୋଟେ ଗେଲ, ମୁଁ ମାଗିଲି ।

ସେ କହିଲା, ନା । ଯେତିକିଟା ମିଳିବା କଥା ତା ମିଳି ସାରିଚି ।

ବୋଇଲେ ।

ଏଗାର ମିନିଟ ଡେରି ପାଇଁ ଏଗାରଟା ଗେଲ ।

ମୁଁ କହିଲି, ହଉ । ୟା ପର ଥରକ ତାହେଲେ ଅଧ ଘଣ୍ଟାଏ ଡେରି କରିବି, ରୁହ । ନା ଘଣ୍ଟାଏ?”

ସେ, ଛତରା କେଉଁଠିକାର କହି ବୁଲି ଗେଟ୍ ଆଡ଼କୁ ଚାଲିଗଲା ।

ଏଥରକ ମୁଁ ରୁହ ବୋଲି ଆଉ ଥରେ କହିଲେ ବି ସେ ପଛକୁ ଫେରି ଅନେଇଲାନି । ଫାଟକ ଉପରେ କାଉଟିଏ ବସିଥାଏ । ସେ ଗଳାଫାଟକ ଫାନ୍ଦ ଫିଟେଇ, ସେପଟକୁ ଯିବା ଯାଏଁ । 

No comments:

Post a Comment

The world Ramakanta Samantaray Translated by Sailen Routray Photo credit: A. R. Vasavi I have cut you into tiny pieces with the sharp sword ...