Thursday, February 29, 2024

ପ୍ରିୟା

ଶୈଲେନ ରାଉତରାୟ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଭାସ୍କର ନାଇଡ଼ୁ

ତମର ମୋ’ର ପ୍ରଥମ ଥର ପାଇଁ ପ୍ରିୟା ଆସିଚେ । ବାପା ଚାଲିଯିବାର କିଛି ମାସ ହେଇଚି । ମୁଁ ଧିରେଧିରେ ନିଜ ଜୀବନର ଖଣ୍ଡଗୁଡ଼ିକ ଉଠେଇ କିଛି ଫିଙ୍ଗୁଚି, କିଛି ଯୋଡ଼ିବାକୁ ଚେଷ୍ଟା କରୁଚି । 

ଏକୁଟିଆ ବିନା କାମରେ ବୁଲି ବାହାରିବା ଏଇଟା ଆମର ପ୍ରଥମ । ତୁମେ କୁନ୍ଥୁକୁନ୍ଥୁ ହେଉଥିଲ ବାହାରିବାକୁ । 

“ଆସି ଭଲ ଲାଗୁଚି କି ନାଇଁ?” 

ମୁଁ ତୁମକୁ ପଚାରି ଆଉ ଥରେ ଆଖି ବୁଲଉଚି । ଖରା ବେଳ ଲଞ୍ଚ ଭିଡ଼ ସରିଯାଇଚି । ସନ୍ଧ୍ୟାବେଳର କ୍ରାଉଡ଼୍ ଆସିନି । 

“କିଛି କାମ ନଥାଇ ଖାଲିଟାରେ ଏମିତି ବୁଲିବାକୁ ବାହାରିଲେ ମାଆ କଅଣ ଭାବିବେ କହିଲ?”
“ତମେ ମତେ ବାହା ହେଇଚ ନା ମାଆକୁ?”

ତୁମେ ଉତ୍ତରରେ କିଛି ନକହି ଡବଡବ ଅନଉଚ । ବେଶି ଗରମ ନାଇଁ । ହେଲେ ତୁମ ନାକ ତଳେ ଝାଳର ଏକ ପରସ୍ତ ନିଶ । ବେଶ୍ ମାନୁଚି ତମକୁ ।

“କଅଣ ଖାଇବ?”
“ଯାହା ଖୁଆଇବେ ବାବୁ ।”
“ହଉ । ମିଶିକି ଖାଇବା । ମୋ ଆଡ଼କୁ ବେଶି ପେଲି ଦେବନି ।”

ମୁଁ ଗୋଟେ ଥାଳି ଛୋଲେ ଭଟୁରେ ଆଉ ଗୋଟେ ପେପର ମସଲା ଦୋସା ଅର୍ଡ଼ର କରୁଚି । ପାଞ୍ଚ ମିନିଟରେ ଅର୍ଡ଼ର ଟେବୁଲରେ । ଏବେ ଚାରିପଟେ ଟିକେ ଭିଡ଼ ହେବାକୁ ଆରମ୍ଭ କଲାଣ‌ି ।

“ତୁମ ବାଁ ପଟକୁ ଟିକେ କଡ଼େଇକି ଚାହଁ ।”
“କଅଣ ହେଲା କି?”
“ଦେଖୁନ!”
“ବସିଚନ୍ତି ତ ସେମାନେ । କଅଣ ଦେଖିବି?”
“କଅଣ କରୁଚନ୍ତି?
“ଫୋନରେ ଦେଖୁଚନ୍ତି କ’ଣପା’?”
“ହଁ । ସେୟାତ ।”
“ମାନେ?”
“ଆମେ ତ ତା’ କରୁନେ ।”
“ହଉ ଖାଅ । ଥଣ୍ଡା ହେଇଯିବ ।” 

କିନ୍ତୁ ଭଟୁରେ ଗରମ ଅଛି । ବହୁତ ଗରମ । ମୁଁ ସବୁ ଭାଗ କରିସାରିଲା ବେଳକୁ ଅବଶ୍ୟ ଭଟୁରେ ଆଉ ସେତେଟା ତାତିନି । ତଥାପି ଭଲ ଲାଗୁଚି ।

“ଚାହା କଫି କିଛି ପିଇବ?”
“ନା । ତମେ ପିଉନ?”
“ନା । ମତେ ଏବେ କିଛି ବି ପିଇଲେ ଝାଡ଼ା ମଡ଼େଇପାରେ । ମିଠା କିଛି ଖାଇବ କି?”
“ନା।”
“ବାହାରିବା ତା’ହେଲେ?”

ତୁମେ ଉଠୁଚ । ତୁମ ସହ ମୁଁ ।

କାଉଣ୍ଟର ପାଖରେ ପେମେଣ୍ଟ କଲା ବେଳେ ମୁଁ ତୁମକୁ ଫୁସଫୁସ କହୁଚି, “ସେମାନେ ଏ ପର୍ଯ୍ୟନ୍ତ ତାଙ୍କ ଫୋନକୁ ଅନେଇଚନ୍ତି ଦେଖ ।”
“ଆରେ ମୋ’ ମୋବାଇଲ କେଉଁଠି ଅଛି? ଛାଡ଼ି ଦେଲି କି ଟେବୁଲରେ?” ବୋଲି ତୁମେ ହାଉଳି ଖାଉଚ ।
“ଆରେ ମୋ ବ୍ୟାଗ ଭ‌ିତରେ ଅଛି ପରା ।”

ପାର୍କିଂ ଜାଗାକୁ ଆସି ସ୍କୁଟର ଷ୍ଟାର୍ଟ୍ କରି ମୁଁ ତୁମକୁ ପଚାରୁଚି, “ତୁମ ଓଠ ପ୍ରିୟାର ପେପର ମସଲା ଦୋସା ଭଳି ଲାଗେ ବୋଲି ମୁଁ କହିବାର ଅର୍ଥ ଏବେ ବୁଝିଲ?”
“ହଁ । ତୁମ ହାତର ଛୁଆଁ ଠିକ୍ ଏଠିକାର ଭଟୁରେ ପରି ।”

ମୁଁ ତୁମକୁ ଆଶ୍ଚର୍ଯ୍ୟର ସହ ଅନଉଚି । ତୁମ ଆଖିରେ ଦୁଷ୍ଟାମିର ହସ । ସେବେ ସେଇ ଫୋନକୁ ବିଭା ହେଇଥିବା ଝିଅ ଗୋଟେ ହାତରେ ପର୍ସ ଆଉ ଆର ହାତରେ ଫୋନକୁ ଡାହାଣ କାନରେ ଗେଞ୍ଜି ଆମ ମଝି ଦେଇ ଚାଲିଯାଉଚି । ଠିକ୍ ସେତିକି ବେଳେ ଆମ ଆଖିରେ ଆଖି ମିଶୁଚି । ମୁଁ ଯାହା ଭାବୁଚି, ତୁମେ ବି ଠିକ୍ ସେୟା ହିଁ ଭାବୁଚ ।

2 comments:

  1. Beautiful narrative in the shape of a snapshot.Thanks a lot!

    ReplyDelete
  2. ସାର୍, ନମସ୍କାର । ପଢ଼ିବା ପାଇଁ ତଥା ମତାମତ ନିମନ୍ତେ ଧନ୍ୟବାଦ ।

    ReplyDelete

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...