କୁଣ୍ଡ
ଶୈଲେନ ରାଉତରାୟ
ପର୍ଶୁରାମେଶ୍ୱର ମନ୍ଦିର, ପୁରୁଣା ଭୁବନେଶ୍ୱର ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/କୃଷ୍ଣ ଜେନାମଣି |
କେଦାରଗୌରୀ ଆଡ଼କୁ ଗଲା ବେଳେ ମନ୍ଦିର ଆଗରୁ ଡାହାଣ ପଟେ ଗୋଟେ ଜଳଖିଆ ଦୋକାନ । ପର୍ଶୁରାମେଶ୍ୱର ଆଗରୁ, ନା ପରେ ପରେ ?
ତୁମେ ଆଉ ମୁଁ ସେଠି ଠିଆ ହେଇଚେ । ମୁଁ ଯାଇଚି ସେଠିକି ଅନେକ ଦିନ ପରେ । ନା । ଅନେକ ମାସ ପରେ । ଭାଙ୍ଗ ଛାଡ଼ିବା ପରେ ଓଲ୍ଡ଼୍ ଟାଉନକୁ ଯିବା ମୋ’ର କମି ଯାଇଛି ।
“ମାଲପୁଆ ଡାଲମା ଅଛି?”
ପୁରୁଣା ମାଲିକର ନାତି ହେବ ବୋଧେ, ଧେଡ଼ିଆ ହେଇକି ପିଲାଟା ଏବେ ଦୋକାନ ସମ୍ଭାଳୁଚି । ମୁଁ ଆଗରୁ ଭାବୁଥିଲି ଯେ, ସେ ଗୋଟେ ବୋଲକରା ପିଲା ବୋଲି । ହେଲେ ତା’ ଜେଜେ ବାଧିକିରେ ପଡ଼ି ଦୋକାନକୁ ଆସିବା ବନ୍ଦ କଲାରୁ ସେ ହିଁ କାଉଣ୍ଟରରେ ବସୁଚି । ମୁଁ ଦିନେ ପଚାରିଲାରୁ କହିଲା, “ଜେଜେବାପାଙ୍କୁ ପାରାଲିସି ।” ତା’ ଜେଜେବାପା ଯେତିକି କୁହାଳିଆ, ଏ ପିଲା ପୁରା ତା’ର ଓଲଟା । ତିନି ପଦ ପଚାରିଲେ ପଦେ ଉତ୍ତର ।
“ମାଲପୁଆ?”
“ଅଛି ।”
“ତରକାରି କଅଣ ଅଛି?”
“ଘୁଘୁନି ।”
“ଆଳୁଦମ ହବ କି?”
“ନା ।”
“ହଉ,” କହି ମୁଁ ମୋ’ ସ୍କୁଟର ଆଡ଼କୁ ଚାଲୁଚି । ତୁମେ ମୋ’ ପଛେ ପଛେ । ଠିକ୍ ଗୋଟେ ପାଦ ପଛକୁ । ଆଳୁଦମ ହେଲେ ବି ଚଳିଥାଆନ୍ତା । ଡାଲମା ନ ହେଲେ ନାହିଁ । ହେଲେ ଘୁଗୁନି ସହିତ ମାଲପୁଆ ମଣିଷ କେମିତି ଖାଇବ?
“ନା । ତୁମେ ମାଲପୁଆ ଖାଇଥାଆନ୍ତ କି ବିନା ଡାଲମାରେ?”
“ତୁମେ ଖାଇଥିଲେ ଖାଇଥାଆନ୍ତି । ଏକୁଟିଆ ଖାଇବାର ଇଚ୍ଛା ନାହିଁ ।”
“ହଉ । କଅଣ କରିବା ଏବେ?”
“ତୁମକୁ ବେଶି ଭୋକ କରୁଛି କି?”
“ନା । ତୁମକୁ?”
“ଆଦୌ ନୁହେଁ ।”
ଚଇତି ପୁନେଇ ଆଜି । ଅନେକ ବର୍ଷ ପରେ ଭୁବନେଶ୍ୱରରେ ଚଇତି ପୁନେଇରେ ଚଇତି ବାଆ । ପବନ ଥଣ୍ଡା ତ ନୁହେଁ । କି ଉଷୁମ ବି ନୁହେଁ । ହେଲେ ଉତ୍ତୀର୍ଣ୍ଣ ମାର୍ଚ୍ଚରେ ବି ଦିହରେ ବାଜିଲେ ଆରାମ ଲାଗୁଚି । ନିଜ ଭାଇ କି ଭଉଣୀ ସଲସଲ କଲା ପରି ।
“ହଉ । ହେଲେ ପହିଲେ ଦେଉଳ କୁଣ୍ଡ ଆଡ଼େ ଟିକେ ବସିବା ।”
ଆମେ ମୁକ୍ତେଶ୍ୱର ମନ୍ଦିର ଚଟି ରଖିବା ଜାଗାରେ ଚପଲ ଥୋଇ ବାଁକୁ ନଯାଇ ଯାଉଚୁ ଡାହାଣକୁ । ଦିଅଁଙ୍କୁ ତୁମେ ଦେଉଳ ବାହାରୁ ଆଣ୍ଠେଇ, ନଇଁ, ମୁଣ୍ଡିଆ ମାରୁଚ । ମୁଁ ଠିଆ ଠିଆ । ଆଖି ଖାଲି ବନ୍ଦ କରି, ମନରେ ।
ଆମେ କେହି ଭିତରକୁ ପଶୁନୁ । ବସୁଚୁ ମନ୍ଦିର ବାଁ ପଟେ । କୁଣ୍ଡବନ୍ଧର ପାହାଚରେ, ପାଣି ଭିତରେ ଗୋଡ଼ ବୁଡ଼େଇ ।
ପବନ ଯୋଗୁଁ କୁଣ୍ଡରେ ପାଣିର ଢେଉ । କୁନି କୁନି । କିଏ ହାତରେ ଧରି ଗଢ଼ିଥିବା ପରି । ନହେଲେ ଚାଇନିଜ୍ ରାଇସ୍ ପେଣ୍ଟିଂରେ ଆକାଶ ଆଉ ବାଦଲ ପରି । ସେ ଢେଉର ଛଇ ଅଛି । ଛଟକ ନାହିଁ । ଠିକ୍ ତୁମ ପରି ।
“ହଁ । କେତେ ବର୍ଷ ହେଲାଣି? ଦୁଇ? ତିନି?”
“ଆଉ କିଛି ମାସରେ ଚାରି ହେବ ।”
“ହଁ । ଆମ ପ୍ରଥମ ଆନିଭର୍ସରି ପରେପରେ ।”
“ବାପା ଚାଲିଯିବାର ଠିକ୍ ଦୁଇ ମାସ ପରେ ।”
ମୋ’ ପାଦକୁ ଆସି ମାଛ ଯୋଡ଼େ ଖୁମ୍ପୁଚନ୍ତି । ତୁମ ପାଦକୁ ଆହୁରି ବେଶି, ହେଲେ ମିନିମିନି । ତୁମେ ମୋ’ ଡାହାଣ ପାପୁଲିର ଉପରକୁ ତୁମ ବାଁ ତର୍ଜନୀ ଆଉ ମଝି ଆଙ୍ଗୁଠିରେ ସଲସଲ କରୁଚ ।
“ମୋର କିଛି ଦୋଷ ନାହିଁ । ଏଇଟା ଚଇତି ବାଆର କାମ,” ତୁମେ କହୁଚ ।
“ଯାଆ ।”
ତୁମେ ଠିଆ ହେଉଚ । ମୁଁ ବି ।
ଆମେ ଦୁଇ ଜଣ ମୁକ୍ତେଶ୍ୱର ଆଉ ପର୍ଶୁରାମେଶ୍ୱର ମଝିରେ ଥିବା ପାର୍କରେ ଚାଲୁଚୁ । ଆଜି ଚାଲିବା ଲୋକଙ୍କର ଗହଳି କମ୍ । ମଝିରେ ମଝିରେ ଏଠି ସେଠି ଟୋକାଟୋକିଙ୍କ ଯୋଡ଼ି । ପ୍ରାୟତଃ ଚୁପଚାପ ବସିଚନ୍ତି । ମୋବାଇଲିରେ ମୁହଁ ଗେଞ୍ଜା ହେଇଚି ।
ତିନି ଘେରା ମାରିସାରିଲା ପରେ ତୁମେ କହୁଚ, “ପାଦ କାଟିଲାଣି ।”
“ହଉ ଚାଲ ଯିବା ।”
ଫେରିଲା ବେଳକୁ ଆକ୍ସେସ୍ର ତିନି ଆଡ଼େ ତିନିଟା ମଟରସାଇକଲ । ବାଁ ପଟେ ଗୋଟେ ରିମଡେଲ୍ଡ଼୍ ସ୍ପ୍ଲେଣ୍ଡର । ଡାହାଣ ପଟେ ଗୋଟେ ଧତରା କଳା କାଲିବର । ଆଉ ପଛକୁ ସତୁରି ଡିଗ୍ରି କରି ଗୋଟେ ଅରଖ ନୂଆ ତିନିଶହ ପଚାଶ ସିସି ବୁଲେଟେ, ପାଉଁଶିଆ ରଙ୍ଗର ।
ଆମେ ଦୁଇ ମିନିଟ ଅପେକ୍ଷା କଲା ପରେ ଗୁଆଝର ଭିତରୁ ଗୋଟେ ଛଅଫୁଟିଆ, ମାଲ ଭଳିଆ ଦିଶୁଥିବା ଟୋକାଟେ ବାହାରୁଚି । ଆଗେ ତମକୁ ଅନଉଚି । ତା’ ପରେ ମତେ । ସେ ବୁଲେଟ କାଢ଼ିଲା ବେଳକୁ ତା’ ବାଁ ବାହୁ ଉପରେ ପଛ ପଟୁ ଦିଶୁଚି ଗୋଟେ ଚାରି ଆଙ୍ଗୁଳ ଲମ୍ବା ତ୍ରିଶୁଳର ଚିତା ।
ସେ ଗାଡ଼ି ଷ୍ଟାର୍ଟ୍ କଲା ପରେ ତା’ ସାଇଲେନ୍ସରରୁ ବାହାରୁଚି ପୁରୁଣା ଧତଡ଼ା ବୁଲେଟର ଆୱାଜ । ଠିକ୍ ସେତିକି ବେଳେ ପର୍ଶୁରାମେଶ୍ୱର ଆଗ ବରଗଛରୁ ପୁଳେ ପକ୍ଷୀ ଉଡ଼ିଯାଉଚନ୍ତି କେଚେରେମେଚେରେ ହେଇ, ଡରକୁରା ପୁନେଇ ଜହ୍ନକୁ ଚମକେଇ ଦେଇ ।
ମୁଁ ମୁଣ୍ଡ ଟେକି ଅନଉଚି । ମୋ’ ହାତରୁ ଗଳି ପଡ଼ିଥିବା ଚାବି ତୁମେ ଉଠେଇ ମୋ’ ବାଁ ହାତରେ ଦେଇ କହୁଚ, “ଚାଲ ଯିବା । ଭୋକ କଲାଣି । ନିକୋ ପାର୍କ ପାଖବାଲା ଚାଟ୍ ବହୁତ ଦିନ ହେଲା ଖାଇନେ ।”
ମୁଁ ଗାଡ଼ି ଷ୍ଟାର୍ଟ୍ କରୁଚି ।
“ହଁ ।”
ରାସ୍ତା ଫାଙ୍କା । ଦେହ ଉପରେ ଚଇତି ବାଆର ଛୁଆଁ ମୁକ୍ତେଶ୍ୱର କୁଣ୍ଡର ମାଛଙ୍କ ଖୁମ୍ପା ପରି, ହେଇ ଅଛି, ହେଇ ନାଇଁ । କିନ୍ତୁ ଆଖି ବୁଜିଦେଲେ, ଖାଲି ସେଇ ବାଆ ହିଁ ।
No comments:
Post a Comment