Monday, April 1, 2024

କଳିଙ୍ଗ ଯୋଦ୍ଧା

ଶୈଲେନ ରାଉତରାୟ


ଭୁବନେଶ୍ୱରରେ ନିର୍ମାଣାଧିନ ବହୁତଳ କୋଠା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଅମର୍ତ୍ତ୍ୟ ବାଗ୍

ମୁଁ ତୁମ ସହିତ କଥା ହଉଚି । ତୁମେ ମୋ ସହିତ କଥା ହଉନ । ଅଭିମାନ କରିଚ ? ନା ରୁଷିଚ ? ନା ଦିଇଟାଯାକ ?

ମୁଁ ତୁମକୁ କହୁଚି ଯେ “ତୁମେ ଏଇ ଜାମାରେ ଆଜି ବହୁତ ଭଲ ଦେଖାଯାଉଚ” । ତୁମେ କହୁଚ “ହୁଁ” । ତୁମେ ପିନ୍ଧିଚ ଧଳା ରଙ୍ଗର ଲେଗିନ୍ସ୍ । ଉପର କୁର୍ତ୍ତାର ରଙ୍ଗ ହାଲୁକା ନୀଳ – ଦଶରା ଆକାଶକୁ ଟିକେ ପାଣିଆ ଦୁଧରେ ଫେଣ୍ଟିଦେଲେ ଯେଉଁ ବରନ ହେବ, ସେଇ କାଟର । ତମେ ଜଳୁଚ । ଉପର ଖରା ଜଳିବା ଏଇ ଏଇ ବନ୍ଦ  ହେଇଚି । କାର୍ତ୍ତିକ ମାସ ଆରମ୍ଭରେ ଏମିତି ଖରା !

ଦିଲୁ ଭାଇଙ୍କ ଘରେ ଆଜି ଭୋଜି । ମୋ’ ସାଙ୍ଗମହଲରୁ ଆମ ପାଇଁ ପ୍ରଥମ ଡାକରା । ତମର ଆସିବାର ଇଚ୍ଛା ନଥ‌ିଲା । ମୋ ସହିତ ବାହାରିଚ ବାଧ୍ୟବାଧକତାରେ । ହେଲେ ଦିଲୁ ଭାଇଙ୍କ ଘରେ ପହଞ୍ଚିଲା ପରେ ତୁମ ମୁଡ଼୍ ଭିନ୍ନ । ମୁଁ ତୁମକୁ ଏତେ ଖୁସି ଆଜି ପର୍ଯ୍ୟନ୍ତ କେବେ ଦେଖିନଥିଲି । 

ଅନେକ ଲୋକଙ୍କୁ ଆଜି ଆମେ ଭେଟିଲେ ଚତୁର୍ଥୀ ଭୋଜି ପରେ ପ୍ରଥମ ଥର ପାଇଁ । ତୁମେ ପ୍ରାୟତଃ କାହାକୁ ମନେ ରଖ‌ି  ନଥିଲ । ତମର ଆଉ ଦିଲୁ ଭାଇଙ୍କର ଏପରି ଜମିବ ବୋଲି ମୁଁ ଜାଣିନଥିଲି । ତମ ଖାଇବାରୁ ଜାଣିଲି ତୁମକୁ ମାଉସୀଙ୍କର ହାତରନ୍ଧା ଭଲ ଲାଗିଲା ବୋଲି ।

ତମେ ମାଉସୀଙ୍କ ଠାରୁ ଛେନା ଭରତାର ରେସିପିଟା ନେଲ । ମାଉସୀ ବି ତମ ଫ୍ୟାନ୍ ବନିଲେ । ସବୁ ବିଗିଡ଼ିଗଲା ତୁମେ ମାଉସୀ ଓ ଦିଲୁ ଭାଇଙ୍କ ସହ ସେଲ୍ଫି ନେଇସାରିଲା ପରେ । ମାଉସୀ ଫ୍ରିଜିରୁ ଖିରି କାଢ଼ିବା ପାଇଁ ଉଠି ଚାଲିଗଲେ । ତୁମେ ମୋତେ କହିଲ, “ଆସ ତୁମ ଆଉ ଦିଲୁ ଭାଇଙ୍କ ସହ ଗୋଟେ ଫଟୋ” ।

ମୁଁ “ଟଏଲେଟରୁ ଆସୁଚି” ବୋଲି କହି ଚାଲିଗଲି ଯେ ଆଉ ତୁମ ପାଖ ମାଡ଼ିଲିନି । ସିପୁ ତା’ର ଗୋଟେ ସ୍କ୍ରିପ୍ଟ୍ ଦେଖିବା ପାଇଁ ମୋତେ ଡାକିଲା । ସେଇଠୁ ତା’ ନୂଆ ବଏଫ୍ରେଣ୍ଡ୍ ବିଷୟରେ କଥା ଉଠିଲା । ସେ ମୋତେ ଛାଡ଼ିଲାନି । କି ମୁଁ ବି ଆଉ ଉଠିଲିନି ।

ମୋ’ ଗାଲୁଆମିକୁ ତୁମେ ଧରିଚ, ମୁଁ ଜାଣିଲି ଆମେ ମେଘେଶ୍ୱର ପାଖରେ ପାର୍କ କରିଥିବା ଗାଡ଼ିକୁ ନେଇ ରାଜାରାଣୀ ପାର ହେବା ସମୟରେ । ମନ୍ଦିରକୁ ବାଁ ପାଖରେ ରଖି ପାର ହୋଇ ଫର୍ଲଙ୍ଗେ ଖଣ୍ଡେ ଗଲା ପରେ ଯାଇ ମୋ’ର ମନେ ପଡ଼ିଲା ଯେ ଆମର ରାଜରାଣୀ ବୁଲି ଯିବାର ଥିଲା ବୋଲି ।

“ଆରେ ମନ୍ଦିର ଦେଖିବାର ଥିଲା ଯେ” ।
“ଥାଉ” ।
“ଆରେ! ଥାଉ କଅଣ ? ପୁଣି କେବେ ଆସିବା ଏ ପଟକୁ ?”
“ଇଚ୍ଛା ନାହିଁ” ।

ମୁଁ ଜାଣିଲି, ତୁମେ ରୁଷିଚ ।

ମୁଁ ସେ ପର୍ଯ୍ୟନ୍ତ ଟିକେ ରାଗିକି ଥିଲି । ସିପୁ ଉପରେ । ଶଳା ଚୋର ମୋ’ର ଗୋଟେ ଲମ୍ବା କବିତାକୁ ଧରି, ତା’ ଉପରେ ଗୋଟେ ୱେବ୍ ସିରିଜ୍‌ର ପ୍ରଥମ ଅଧ୍ୟାୟ କରିଚି । ମାଡ଼ିମକଚି ପୁଣି ମୋତେ ଭୋଜିର ଗହଳି ଭିତରେ ପଢ଼ି ଶୁଣେଇ ପଚାରୁଚି, “ଭାଇ କେମିତି ଲାଗିଲା?”

ରାଗଟା ସେଥି ପାଇଁ ନା ମୋର ଏକ୍ସ୍ ଏବେ ତା’ର ବୟଫ୍ରେଣ୍ଡ ସେଥି ଲାଗି, ନା ମୋର ଏକ୍ସ୍ ଯେ ତାକୁ ଆମ ବିଷୟରେ କିଛି କହିନି, ତାର୍ କାଜି, ମୋ’ର ଜାଣିବାର କିଛି ଉପାୟ ନାଇଁ ।

ଆମେ ଏବେ ମ୍ୟୁଜିଅମ୍ ପାଖରେ । ରବି ଟକିଜ୍ ଛକ ପରେପରେ ବିଜେବି କଲେଜ ଆଗରେ । 

“ମ୍ୟୁଜିଅମ୍ ଯିବା?”
“ନା” ।
“ଚାଲୁନ” ।
“ଇଚ୍ଛା ନାଇଁ” ।

ମୁଁ ଡାହାଣ ପଟ ଦର୍ପଣରେ ତୁମକୁ ଅନଉଚି । ତୁମ ଗାଲ ଲାଲ । ଖରାରେ ନା ରାଗରେ ? ନା ଦିଇଟାଯାକରୁ ? କାହାର ଅନୁପାତ କେତେ ? ଜାଣିବାର କିଛି ଉପାୟ ନାହିଁ । ତମେ ମୁହଁ ବୁଲେଇ ଦଉଚ ।

ସ୍କୁଟର ମ୍ୟୁଜିଅମ୍ ଛକ ଟପୁଚି । ଆଜି ଗହଳି ମୋଟେ ନାହିଁ ମ୍ୟୁଜିଅମ୍ ଆଗରେ । ହେଲେ କଳ୍ପନା ଛକରେ ଟିକେ ଭିଡ଼ । ବାଁ ପଟକୁ ବୁଲି ସାରିଲା ପରେ ସିସ୍ମୋ ଠାରୁ ବାପୁଜୀ ନଗର ପ୍ରଥମ ଗଳି ପର୍ଯ୍ୟନ୍ତ ଚାରିଟା ଖଣ୍ଡେ ଡିଜେ ଗାଡ଼ି ଠିଆ ହେଇଚି । କେମିତି ? ଏଇ ରାସ୍ତାରେ ତ ପାର୍କିଂ ମନା । ବାହାଘର ୠତୁ କଅଣ ଆରମ୍ଭ ହେଇଗଲାଣି ?

ମୁଁ ଆଉ ଥରେ ପଛକୁ ଅନଉଚି । ବାଁ ପଟ ଦର୍ପଣ । ତୁମେ ବି ଡିଜେ ଗାଡ଼ିଗୁଡ଼ାକୁ ଅନେଇଚ । ତୁମ ଓଠ ଏ ପର୍ଯ୍ୟନ୍ତ ଚାପି ହେଇ ଅଛି । ଲିପଷ୍ଟିକ ନ ନାଇକି , ଲଗେଇଥିଲା ପରି ଦିଶୁଚି । ଆଖିରେ କ୍ରୋଧର ସେଇ ପତଳା ପରଦା ଆଉ ନାଇଁ ।

ମୁଁ ତୁମକୁ କହୁଚି, “ଜଳୁଚ” ।
ତୁମେ କହୁଚ, “ହୁଁ” ।
ମୁଁ ପଚାରୁଚି, “ତୁମେ ମଣିଷ ନା ଭୁତ?”
ଦିଲୁ ଭାଇଙ୍କ ଘର ଛାଡ଼ିଲା ପରେ ତୁମ ମୁହଁରୁ ପ୍ରଥମ ପୁରା ବାକ୍ୟ, “ମଣ‌ିଷ ହେଇ ପାରେ, ଭୁତ ବି ହେବା ସମ୍ଭବ, ତୁମେ ଯାହା ଭାବିପାର” ।
“ଆମ ଆଡ଼େ ସବୁ ପ୍ରଶ୍ନର ଉତ୍ତରରେ ହୁଁ କେବଳ ଭୁତମାନେ ମାରନ୍ତି ବୋଲି କୁହନ୍ତି” ।
ଉତ୍ତରରେ ତୁମେ କହୁଚ “ହୁଁ” ।

ସ୍କୁଟର ରାଜମହଲ ଫ୍ଲାଏଓଭର ତଳ ଦେଇ ଜନପଥରେ ପଶୁଚି । ମୁଁ ପଛକୁ ମୁହଁ ବୁଲେଇ ପଚାରୁଚି, “ହୁଁ?”

ତୁମ ଓଠରେ ଧାରେ ହସ । ତୁମେ ଚାପିବାକୁ ଚେଷ୍ଟା କରି ବି ପାରୁନ ।

ମୁଁ ତୁମ ମୁହଁକୁ ଅନେଇ ପଚାରୁଚି, “ଭୁତ ତା’ହେଲେ?”
“ତୁମେ ଯାହା, ମୁଁ ସେଇଆ” ।
ମୁଁ କହୁଚି, “ପକ୍କା ଭୁତ ତା’ହେଲେ” ।
ତୁମେ ପୁରା ମୁରୁକିହସା ଦେଇ କହୁଚ, “ହଉ ଭୁତ ବାବୁ ଆଗକୁ ଅନାନ୍ତୁ । ନହେଲେ ସତସତିକା ଭୁତ ହେଇଯିବା” ।

ମୁଁ ମୁହଁ ବୁଲଉଚି । ହଠାତ୍ ଛୁରିଆନା ଫୁଲର ବାସ୍ନା । ଏଇ ୠତୁରେ ? ଫୁଟେକି ? କେଜାଣି । ମୁଁ ଆଖି ବନ୍ଦ କରୁଚି । ବାସ୍ନାରେ ମୋ ଅଣ୍ଟା ମନକୁ ମନ ସିଧା ଆଉ ମୁଁ ମୁଣ୍ଡ ଟିକି ପଛକୁ ହେଇଯାଉଚି । ମୋ ପିଠି ଉପରେ ଏବେ ତୁମ ଛାତିର ହାଲୁକା ଚାପ ।

ତୁମେ ଆଉ ରାଗିନ । ଆମ ଆଗକୁ ଷ୍ଟେସନ ଛକର କଳିଙ୍ଗ ଯୋଦ୍ଧା । ସେ କିନ୍ତୁ ରାଗିଚି । କାହିଁକି?

No comments:

Post a Comment

That effulgent radiance Bhima Bhoi Translated by Sailen Routray Photo credit: commons.wikimedia.org/Mayooranathan  That effulgent radiance d...