Monday, April 15, 2024

ୟୁଟୋପିଆ

ଶୈଲେନ ରାଉତରାୟ


ଭୁବନେଶ୍ୱରସ୍ଥ ପ୍ରକୃତି ବିଜ୍ଞାନ ସଙ୍ଗ୍ରହାଳୟରେ ରଖା ଏକ ହାତୀର କଙ୍କାଳ
ଫଟୋ କ୍ରେଡ଼ିଟ୍ - ରାମଜିତ ଟୁଡୁ 

ଗୌତମ ଚାଲିଗଲା ପରେ ପ୍ରଥମ ଥର ପାଇଁ ମୁଁ ଆସିଚି ଭାଇଭାଇକୁ । ବୈଶାଖ ମାସର ଆରମ୍ଭ । ସନ୍ଧ୍ୟା ବେଳ । ଅସରାଏ ବର୍ଷା ହେଇ ଛାଡ଼ି ଯାଇଚି । ଗରମ ସେତେ ବେଶି ଆଉ ନାଇଁ । ପୁରା ବିଅର୍ ପାଗ । ମୁଁ ଆଉ ପିଉନି । ହେଲେ ହାରାମଜାଦା କାମଟା ବି ଆଜି ଶୀଘ୍ର ସରିଗଲା । ଆଉ ଗୌତମ ବି ମୋତେ ହଠାତ ବହୁତ ମନେ ପଡ଼ିଲା ।

ତ ମୁଁ ସ୍କୁଟର ଧରି କାନନ ବିହାରରୁ ସୈନିକ ସ୍କୁଲ, ଆଚାର୍ଯ୍ୟ ବିହାର, ପୁରୁଣା ବସଷ୍ଟାଣ୍ଡ ଦେଇ ଗଲି ଡେଲଟା ଛକ । ପୁରୁଣା ବସଷ୍ଟାଣ୍ଡରେ ଆଜି କେହି ନାହାନ୍ତି । ଦୋକାନ ସବୁ ଅଧାଅଧି ବନ୍ଦ । ନାରାୟଣୀ ବି ଖୋଲା ନାହିଁ । ମୁଁ ଅନ୍ୟ ପତ୍ରିକା ଦୋକାନରେ ଦୁଇ ମିନିଟରେ ମୁହଁ ମାରି କାହା ସହ ଲାଖିବା ଆଗରୁ ଡେଲଟା ଛକ ବାହାରିଗଲି ।

ଡେଲଟା ଛକ । ଡାହାଣ ପାଖେ ‘ୟୁଟୋପିଆ’। ଆଗରେ ୟୁଟର୍ଣ୍ଣ ନେଇ ଗାଡ଼ି ରଖିଲି ମୁଁ । ସବୁ ଥର ଏଣ୍ଟ୍ରାନ୍ସ୍‌କୁ ପିଠି କରି ବସେ । ଆଜି ମୁହଁ କରି ବସିଚି । ଗହଳି ଆରମ୍ଭ ହେଇନି । ସାତଟା ଛୋଟ ଛୋଟ ଟେବୁଲ । କାନ୍ଥକୁ ଲାଗି ଚାରିଟା । ଡାହାଣ ପଟର କିଚେନ ଆଡ଼କୁ ତିନିଟା । ମୁଁ ବସିଚି କାନ୍ଥଠୁଁ ଦୂର ଧାଡ଼ିର ମଝି ଟେବୁଲରେ । ମ‌ୋ ଆଗରେ ଆଉ ପଛରେ କେହି ନାହାନ୍ତି । କାନ୍ଥ ଆଡ଼କୁ ମୋ ବାଁ ପଟ ଟେବୁଲଟା ଯାହା ଖାଲି ।

ପିଲା ଆସିଲା । ବୟସ କୋଡ଼ିଏ ଖଣ୍ଡେ ହେବ । “କଣ ଲାଗିବ?” “କେଏଫ୍ ପ୍ରିମିଅମ୍ ।” “ଆଜ୍ଞା କେଏଫ୍ ଷ୍ଟ୍ରଙ୍ଗ୍ ହେବ ।” “ମାଇଲ୍ଡ଼୍ କଅଣ ଅଛି?” “ନା ଆଜ୍ଞା” । “ସବୁ ଖାଲି ଷ୍ଟ୍ରଙ୍ଗ୍ ।” “ହଉ । ଟ୍ୟୁବର୍ଗ ଆଣ ତା’ହେଲେ ।” “ଆଉ ତା’ ସହ?” “ମସୃମ୍ ପେପର ଫ୍ରାଏ ଗୋଟେ । ଉପରେ ରଙ୍ଗ ପକେଇବନି ।” “ଆଜ୍ଞା ।” “ମନେ ପକେଇକି ।” “ଆଜ୍ଞା ।” ଦ୍ୱିତୀୟ ଆଜ୍ଞାଟା ମୋତେ ଟିକେ ଟାହୁଲି କଲା ପରି ଲାଗିଲା । ତ ମୁଁ ତା’କୁ ଭୃଲତା ଟେକି ମୁରୁକିହସାଟାଏ ଦେଲି । ସେ ବି ଫିକ୍ କିନା ହସି ଦେଲା ଆଉ କହିଲା, “ଉପରେ ରଙ୍ଗ ନାହିଁ ।”

ମୁଁ ମୋ’ ସ୍ଲିଙ୍ଗ୍‌ବ୍ୟାଗ୍‌ରୁ ଜେଜୁରି ବାହାର କରି ପଢ଼ୁଚି । ବହିଟିର ଶେଷ କବିତାଟି ଲାଗଲାଗ ଅଷ୍ଟମ ଥର ପଢ଼ିସାରିଲା ବେଳକୁ ପିଲାଟି ମୋ’ ଆଗରେ ଛତୁ ଥାଳିଟି ଥୋଇ ଦେଇ ବୋତଲ ଖୋଲି ଗିଲାସରେ ଢାଳିବାକୁ ଯାଉଚି । 

“ଥାଉ ମୁଁ ନିଜେ ଢାଳିବି ।” ମୁଁ ଢାଳିଲି । ଗିଲାସ ଷାଠିଏ ଡିଗ୍ରି, ବାଁ ହାତରେ । ଡାହାଣ ହାତର ବୋତଲରୁ ଧିରେ ଧିରେ ଢଳା । ପୁରା ଧିରେ । ଗିଲାସ ଭରି ହେବା ସହ ଗିଲାସର କୋଣ ଷାଠିଏରୁ ବଢ଼ି ବଢ଼ି ନବେ । ପର୍ଫେକ୍ଟ୍ । ନୋ ହେଡ଼୍ ।

ପିଲାଟି ସେ ପର୍ଯ୍ୟନ୍ତ ଠିଆ ହେଇଚି । ମୁଁ ମୁହଁ ଟେକି ଅନାଇଲା ବେଳକୁ ମୋତେ କହୁଚି, “ସାର୍ ଶିଖିଗଲି ।” ଆଉ ହସୁଚି । “ନାଁ କଅଣ?” । “ଅସିତ ।” ମୁଁ କହୁଚି, “ମୋ’ ନା ରତିକାନ୍ତ ।”

ବହୁତ ଦିନ ପରେ ପିଉଚି । ଧିରେ ଧିରେ ପିଉଚି । ଗିଲାସଟି ଯାକ ବିଅର ସରିଲା ବେଳକୁ ଜେଜୁରିର ମୁଁ ମଝିରେ ଛାଡ଼ିଯାଇଥିବା କବିତାତକ ସରିଲାଣି । ବହିର ପେଟ ମାଡ଼ି ଟେବୁଲ ଉପରେ ଥୋଇଲି ପ୍ରଥମେ । ତା’ ପରେ ପାଖରେ ଗିଲାସ । ଖାଲି ।

ଏକ କରିବା ପାଇଁ ଉଠିଲା ବେଳକୁ ବାକି ସବୁ ଟେବୁଲ ଭର୍ତ୍ତି । ପ୍ରାୟତଃ ଟେବୁଲରେ ଏବେ ଓୟୁଏଟି ଛୁଆ, ନହେଲେ ଅଟୋ ଡ୍ରାଇଭର ଗୋଷ୍ଠୀ ।  ଅଫିସ ପରେ ପରେ ବିଅର ଗୋଟେ ଲେଖାଏଁ ମାରି ସାରି ପାନ ଖାଇ ଘରକୁ ଫେରିବା ଲୋକେ କେବେରୁ ଫିଟି ସାରିଲେଣି । 

ମୋ ଆଗ ଟେବୁଲରେ ଟୋକାଟେ ବସିଚି । ବୟସ କୋଡ଼ିଏରୁ ପଚିଶ ଭିତରେ କିଛି ବି ହେଇପାରେ । ଅଟୋବାଲା ନୁହଁ । ଓୟୁଏଟି ଟୋକା ତ ଆଦୌ ନୁହେଁ । ଅଣ୍ଟାରେ କାପ୍ରି । ଉପରେ ପୁରାହାତ ବାଲା କଲମକାରି ପ୍ରିଣ୍ଟ୍‌ର କୁର୍ତ୍ତି । ଦୁଇ କାନରେ କସ କରି ଲାଗିଥିବା ବଳା । ଡାହାଣ କାନରେ ଆହୁରି ତିନିଟା ଫୁଲ – ଗୋଟେ ଗୋଜିଆ ମୁନ ବାଲା ତେଣ୍ଟା, କାନ ମଝିରେ ଗୋଟେ ମଝିଆଳିଆ ବଳା । ତା’ ଉପରେ ଗୋଟେ ରୂପାରେ ବସା ଛୋଟ ମୋତି । ବାଁ ପଟେ ଭୃଲତା କାନଆଡ଼କୁ ଫୋଡ଼ା ହେଇଚି । ସେଥିରେ ଗୋଟେ ଛୋଟ ବଳା । ହାତରେ କିଛି ନାହିଁ । ମୁହଁ ଚିକ୍କଣ, ଖାଲି ଗୋଟେ କୁନି ଛେଳିଦାଢ଼ିକୁ ଛାଡ଼ି ଦେଲେ । ସେ ମୁହଁ ଓଡ଼ିଆ, ବଙ୍ଗାଳି, ତେଲୁଗୁ, କିଛି ବି ହେଇପାରେ । ଉତ୍ତର ଭାରତୀୟ ନୁହଁ କିନ୍ତୁ । ହେଲେ ସୁନ୍ଦର । ମୁଣ୍ଡ ଘୁରାଇ ଦେଲା ପରି ସୁନ୍ଦର ।  

ମୋ ମୁହଁ କିନ୍ତୁ ଘ‌ୁରିଲା ନାହିଁ । ଲାଖ‌ି ରହିଲା । ସେ ଉଠି ତା’ କ୍ୟାନ୍ ଧରି ଆସିଲା ମୋ’ ଟେବୁଲ ପାଖକୁ ଆଉ କହିଲା, “ମେ ଆଇ ଜଏନ୍ ୟୁ ପ୍ଲିଜ୍ ?” “ୟେସ୍ ପ୍ଲିଜ୍ ।” “ଜେଜୁରି କଅଣ ଆଉ ଥରେ ପ୍ରିଣ୍ଟ୍ ହେଲାଣି,” ବୋଲି ସେ ପଚାରିଲା । “ହଁ, ଏନ୍‌ୱାଇଆର୍‌ବି ଛପେଇଚି । ଅମିତ ଚୌଧୁରୀ ଲାଗି ଲାଗି ।” 

“ମୁଁ ହାର୍ଡ଼୍ କପି ପ୍ରଥମ ଥର ଦେଖ‌ୁଚି ।”

ମୁଁ ତା’ ହାତକୁ ବହିଟି ବଢ଼େଇ ଦେଇ ଆଉ ଗୋଟେ ଗିଲାସ ଢାଳିଲି । ତା’ ପଛ ଦେଇ, ତା’ ଟେବୁଲକୁ ଅନେଇଲି । ସେଠି କିଛି ବି ନଥିଲା । ସେ ବହି ଖେଳାଉ ଥାଏ । ମୋ’ ଗିଲାସ ତିନି ଚଉଠେରୁ ଟିକେ କମ୍ ଭର୍ତ୍ତି । ଗଏଣ୍ଠେ ଆଙ୍ଗୁଳି ହେଡ଼୍ । ବାଁ ହାତର ବିଶି ଆଙ୍ଗୁଳ‌ି ବିଅର‌୍‌ରେ ବୁଡ଼େଇ ଦେଇ ମୁଁ ବାକି ତକ ବୋତଲରୁ ଢାଳିଲି । ହେଡ଼୍ ଚାଲିଗଲା । ହେଲେ ସବୁତକ ନୁହେଁ । ପାଏ ହେଡ଼୍ ବାକି । ଠ‌ିକ୍ ଅଛି ।

ମୁଁ ଗିଲାସ ତଳେ ଥୋଇଲି । ସେ ବହି ଟେବୁଲ ଉପରେ ରଖିଲା । 

“ଭୁବନେଶ୍ୱର ଘର ନା ବୁଲି ଆସିଚନ୍ତି?”

“ଘର ଏଇଠି । ଜଗନ୍ନାଥ ବିହାର । ଏବେ କଲିକତାରେ ପିଜି କରୁଚି । ଆପଣ?”

“ଚନ୍ଦ୍ରଶେଖରପୁର ।”

“କଅଣ କରନ୍ତି?”

“ସରଳ ପ୍ରଶ୍ନ । ହେଲେ ଉତ୍ତର ଜଟିଳ । ମୂଳତଃ ଫ୍ରିଲାନ୍ସ୍ ଡିଜାଇନ୍ କନ୍ସଲଟାଣ୍ଟ୍ ଭାବରେ କାମ କରେ । ତା’ ଛଡ଼ା ଆହୁରି ଅନେକ କାମ ମଧ୍ୟ । ଲମ୍ବେଇକି କହିଲେ ଆପଣଙ୍କ ପାଇଁ ବୋରିଂ ହେଇପାରେ ।”

“ହଉ । ମୋତେ ପ୍ଲିଜ୍ ତୁମେ କୁହନ୍ତୁ । କବିତା?”

“ସେମିତି ଆଗ୍ରହ ଟିକେ ଟିକେ । ବାଏ ଦି ୱେ ତୁମେ ବହୁତ ସୁନ୍ଦର ।”

“ଥ୍ୟାଙ୍କ୍ସ୍ ।”

ଅସିତ ଆସି ପଚାରିଲା, “ସାର୍ ଆଉ କିଛି?”

“ଗୋଟେ ମସଲା ପିନଟ୍ । ଧନିଆ ପକେଇବନି । ଆଉ ବିଲାତି ପୁରା ଚୁନ୍‌ଚୁନ୍ କରି କାଟି ।” 

ତା’କୁ ଅନେଇ ପିଲା ପଚାରିଲା, “ଆପଣଙ୍କର?” 

ସେ କହିଲା, “ପରେ ।” 

ମୁଁ ପଚାରିଲି, “କୋଲଟ୍‌କର୍ ଭଲ ଲାଗେ?”

ସେ କହିଲା, “ମୁଁ  ଖାଲି କାଲାଘୋଡ଼ା ପୋଏମ୍ସ୍ ପଢ଼ିଚି । ବାକି ସବୁର ସଫ୍ଟକପି ଅଛି । ପଢ଼ିନି । ଯେତିକି କବିତା ପଢ଼ିଚି, ଭଲ ଲାଗନ୍ତି । ଏଠିକି ନିୟମିତ ଆସନ୍ତି?”

“ଆଗରୁ ଆସୁଥିଲି । ଗୋଟେ ସାଙ୍ଗ ସହିତ । ସେ ଆଉ ନାହିଁ । ତ ଆସୁନି ।”

“ମାନେ?”

“ସେ ଦୁଇ ବର୍ଷ ତଳେ ଚାଲିଗଲା, ସମୁଦ୍ରରେ ବୁଡ଼ିକି ।”

ତା’ ଡାହାଣ ପାଦ ମୋ’ ପେଣ୍ଡାରେ ବାଜୁଚି । ଅଜାଣତରେ ? ନା ।

“ଓଃ! ଆଇ ଆମ୍ ସରି” ।

ତା’ ନିଶର ମଝ‌ିରେ ଗୋଟେ ଇଞ୍ଚିକିଆ ଦାଗ । ଗ୍ରହଣ ଖଣ୍ଡିଆ ଅପରେସନ୍‌ର ବୋଧହୁଏ । ସେଇ ଦାଗ ତା’ ଜଳୁଥିବା ମୁହଁର ମଝିର ଶିଖା । ଇଚ୍ଛା ହେଉଚି, ଛ‌ୁଇଁବି ।

ତା’ ଗୋଡ଼ ଆଉ ଥରେ ମୋ’ ଦେହରେ ବାଜିଲା । ଏଥର ପାଦରେ ।

“ନୋ ନିଡ଼୍ ଟୁ ବି । ତୁମେ ଏଠିକି ନିୟମିତ ଆସ?”

“ନା । ଗୋଟେ ସ୍କୁଲ ସାଙ୍ଗ ସହିତ ଗତ ଖରା ଛୁଟିରେ ତିନି ଥର ଖଣ୍ଡେ ଆସିଥିବି । ଆଉ ଆଜି । ଏବେ ସେ ସାଙ୍ଗ ବାଙ୍ଗାଲୋରରେ” ।

ମତେ ଆଉ ଥରେ ପରିସ୍ରା ଲାଗିଲା । ମୁଁ ତା’କୁ ଚାପୁଚି ।

ପିଲାଟି ଆସି ମସଲା ପିନଟ୍ ଲଗଉଚି । 

“ଭୁବନେଶ୍ୱରରେ ଆଉ କେଉଁ ଜାଗାକୁ ଯାଅ?”

“ମୋର ସାଙ୍ଗ ଏଠି ଆଉ ପ୍ରାୟତଃ କେହି ନାହାନ୍ତି । କଲିକତାରୁ ଫେରିଲେ, ପ୍ରାୟତଃ ଘରେ ।”

“ଏଠି ସରିଲା ପରେ ଗୋଟେ ରାଇଡ଼୍‌ରେ ଯିବାକୁ ଚାହିଁବ?” ମୁଁ ଭାବୁଚି ଆଉ ଗୋଟେ ବିଅର ମଗେଇବି । ସେ ମୋତେ ସିଧା ଆଖିରେ ଆଖି ମିଶାଇ ଚାହୁଁଚି ଆଉ କହୁଚି, “ଆଇ ଚାର୍ଜ୍ ।” 

ମୋତେ ଭାରି ଜୋରରେ ପରିସ୍ରା ମାଡ଼ୁଚି । ରୋକି ହେବନି । ମୁଁ କୋଲଟକର୍‌କୁ ବ୍ୟାଗ୍‌ରେ ପଶଉଚି । କାଉଣ୍ଟରରେ ପେମେଣ୍ଟ କରି, ସିଧା ଟଏଲେଟ୍ । ଗାଡ଼ି ଷ୍ଟାର୍ଟ୍ କରି ପୁରୁଣା ବସଷ୍ଟାଣ୍ଡ ଆଡ଼େ ଆଉ ଥରେ ବାହାରିଲା ବେଳକୁ ମନେ ପଡ଼ୁଚି, ଟେବୁଲ ଉପରେ ମୁଁ ଛାଡ଼ି ଆସିଚି ଅଖିଆ ପୁରା ପ୍ଲେଟ୍ ମସଲା ପିନଟ୍ ।

ଥାଉ ।

ନୋଟ୍: ଏହି ଗପଟି ପ୍ରଥମେ ଦୈନିକ ଖବରକାଗଜ "ପ୍ରମେୟ"ର ରବିବାସରୀୟ ସାହିତ୍ୟ ପୃଷ୍ଠାରେ ଛପିଥିଲା । 

No comments:

Post a Comment

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...