ତେଲ,
ଅଫିମ ତଥା ଔପନିବେଶବାଦ: ଏକ ଭିନ୍ନ ପଠନ
ଶୈଲେନ ରାଉତରାୟ
ଏହି ପ୍ରବନ୍ଧଟି ଦୁଇଟି ବହିର ଆଲୋଚନା ଉପରେ ପର୍ଯ୍ୟବେଶିତ । ପୁସ୍ତକ ଦୁଇଟି ମଧ୍ୟରୁ ଗୋଟିଏ ନନ୍-ଫିକ୍ସନ୍ ଏବଂ
ଦ୍ୱିତୀୟଟି ଏକ ଉପନ୍ୟାସ ଅର୍ଥାତ ଫିକ୍ସନ୍ । ପୁସ୍ତକ ସମୀକ୍ଷା ପ୍ରବନ୍ଧ ଲେଖାଯିବା ସମୟରେ
ସାଧାରଣତଃ ଗୋଟିଏ ପ୍ରକାରର ବହିମାନଙ୍କର ଏକ ସାଙ୍ଗରେ ସମୀକ୍ଷା କରାଯାଏ । ଧରନ୍ତୁ ୧୮୫୭
ବିଦ୍ରୋହ ସମ୍ବନ୍ଧରେ ଲିଖିତ ଇତିହାସ ବହିମାନଙ୍କର ଏକ ସମ୍ମିଳିତ ସମୀକ୍ଷା, କିମ୍ବା ଜଣେ
କବିଙ୍କର ରଚିତ ସମସ୍ତ କାବ୍ୟ ଏବଂ କବିତା ବହିମାନଙ୍କର ଏକ ସମୀକ୍ଷାୟନ ।
ଫିକ୍ସନ୍ ଏବଂ
ଅଣ-ଫିକ୍ସନ୍ ବହିର ଏକତ୍ର ସମୀକ୍ଷା କରିବା ଏକ ପ୍ରକାରର ଅଧର୍ତ୍ତବ୍ୟ ଅପରାଧ । ତେବେ ଏହି ଅଧମ
ସମୀକ୍ଷକ ଏପରି ଅପରାଧ କରିବାକୁ କାହିଁକି ଉଦ୍ୟତ? ଏହି ପ୍ରଶ୍ନର ଉତ୍ତର ଆମେ ସିଧାସଳଖ ନଦେଇ ସମୀକ୍ଷାଭୁକ୍ତ ଦୁଇଟି
ବହିର ପର୍ଯ୍ୟାଲୋଚନା ଦେଇ ଦର୍ଶାଇବାକୁ ଏକ ଦୁର୍ବଳ ଚେଷ୍ଟା କରିବା । ଉଭୟ ବହିର ବିଷୟବସ୍ତୁ
ଔପନିବେଶବାଦ ଉପରେ ପର୍ଯ୍ୟବସିତ ।
ପ୍ରଥମ ଅଣ-ଫିକ୍ସନ୍ ବହିଟି - ଆଣ୍ଡି ରୋୱେଲ, ଜେମସ୍ ମାରିଅଟ୍ ଏବଂ ଲର୍ଣ୍ଣ ଷ୍ଟକମ୍ୟାନ୍ ଆଦିଙ୍କ ଦ୍ୱାରା ଲିଖିତ "ଦି ନେକ୍ଷ୍ଟ୍ ଗଲ୍ଫ୍" - ନାଇଜେରିଆର ଖଣିଜତୈଳ ଶିଳ୍ପ
ଉପରେ ଆଧାରିତ । ବହିଟିର ଲେଖକମାନଙ୍କର ମୂଳ ଲକ୍ଷ୍ୟ ହେଲା ଯେ, ଏହି ଶିଳ୍ପ ନାଇଜେରିଆ ଦେଶର
ନାଇଜର୍ ନଦୀର ଡେଲ୍ଟା ଅଞ୍ଚଳର ସଙ୍ଖ୍ୟାଲଘୁ ଲୋକଙ୍କର ଶୋଷଣ ଉପରେ ପର୍ଯ୍ୟବସିତ, ତାହା ଦର୍ଶାଇବା ।
ବହିଟି ଏହି ପ୍ରତିପାଦ୍ୟ ପ୍ରମାଣ କରିବାରେ ବହୁଳାଂଶରେ ସଫଳ ଅଟେ । ଏହି ଖଣିଜତୈଳ ଶିଳ୍ପରୁ
ବାହାରୁଥିବା ଲାଭର ସିଂହଭାଗ ଯାଏ ପାଶ୍ଚାତ୍ୟ କମ୍ପାନୀମାନଙ୍କର ସେଆର୍ କିଣିଥିବା ଲୋକେ ଏବଂ
ନାଇଜେରିଆର ଶାସକ ଶ୍ରେଣୀ ପାଖକୁ । ଶିଳ୍ପଜନିତ ପ୍ରଦୂଷଣ ଏବଂ ସାମାଜିକ ଓ ଭୌତିକ ବିସ୍ଥାପନଜନିତ ଅସୁବିଧା ଭୋଗନ୍ତି ନାଇଜର
ନଦୀର ଡେଲ୍ଟା ଅଞ୍ଚଳର ସାଧାରଣ ଲୋକେ । ଏମାନଙ୍କ ଭିତରୁ ଅଧିକାଂଶ ହେଲେ ସଙ୍ଖ୍ୟାଲଘୁ ଜନଗୋଷ୍ଠୀର ।
ମାତ୍ର ବହିଟି ଅନ୍ୟ ଗୋଟିଏ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ବହିର ଲେଖକମାନେ ନାଇଜେରିଆର । ଭାରତଭଳି ନାଇଜେରିଆ ମଧ୍ୟ ଗତ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଏକ ବ୍ରିଟିଶ ଉପନିବେଶ ଥିଲା ।
ମାତ୍ର ସେ ଦେଶରେ ବ୍ରିଟିଶ ଏବଂ ତାହା ପୂର୍ବରୁ ଅନ୍ୟ ଔପନିବେଶିକ ଶକ୍ତିମାନଙ୍କର ଶାସନ ଥିଲା
ବର୍ବର ଏବଂ ତାହାର ପ୍ରଭାବ ଅଧିକ ଶକ୍ତିଶାଳୀ ଥିଲା ।
ଏହାର ଏକ ବଡ଼ କାରଣ ଥିଲା ଯେ ନାଇଜେରିଆ
ଏବଂ ତା’ ଆଖପାଖର
ପଶ୍ଚିମ ଆଫ୍ରିକାର ଅନ୍ୟ ଦେଶଗୁଡ଼ିକ ଘୃଣ୍ୟ ଦାସପ୍ରଥାର ପେଣ୍ଠ ଥିଲେ । ଦାସପ୍ରଥା ଏବଂ
ଦାସମାନଙ୍କର ଉପରେ ଆଧାରିତ ବାଣିଜ୍ୟ ବ୍ୟବସ୍ଥା ଦ୍ୱାରା ପଶ୍ଚିମ ୟୁରୋପ, ଆମେରିକା ଏବଂ
ପଶ୍ଚିମ ଆଫ୍ରିକା ମଧ୍ୟରେ ଏକ ଘୃଣ୍ୟ ବିଷ ତ୍ରିଭୁଜର ସଂରଚନା ହୋଇଥିଲା । କଳେବଳେ କୌଶଳେ ପଶ୍ଚିମ
ଆଫ୍ରିକାର ଲୋକଙ୍କୁ ଦାସଭାବରେ କବଳିତ କରାଯାଇ ଉତ୍ତର ଆମେରିକା ମହାଦେଶ ତଥା ତତ୍ସଂଲଗ୍ନ କାରିବୀୟ
ଦ୍ୱୀପପୁଞ୍ଜକୁ ପଠାଯାଉଥିଲା । ଏହାଫଳରେ ପଶ୍ଚିମ ଆଫ୍ରିକାର ସ୍ଥାନୀୟ ସାମାଜିକ ଢାଞ୍ଚା ଭୁଷୁଡ଼ିବାକୁ
ଲାଗିଲା ।
ଆମେରିକା ମହାଦେଶ ତଥା କାରିବୀୟ ଦ୍ୱୀପପୁଞ୍ଜରେ ଏହି କୃଷ୍ଣକାୟ ଦାସମାନଙ୍କୁ ମୂଳତଃ
ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲର ଚାଷ ନିମନ୍ତେ (ବିଶେଷତଃ କପା ତଥା ଆଖୁ) ବ୍ୟବହାର
କରାଯାଉଥିଲା । ଏଥିରୁ ପ୍ରସ୍ତୁତ କପା ତଥା ଶର୍କରା ଇତ୍ୟାଦି ପଶ୍ଚିମ ୟୁରୋପକୁ ପଠାଯାଉଥିଲା ।
ପଶ୍ଚିମ ୟୁରୋପରୁ ଆଫ୍ରିକାକୁ ପ୍ରାୟତଃ ବନ୍ଧୁକ ତଥା ଯୁଦ୍ଧ ସାମଗ୍ରୀ ତଥା ଅନ୍ୟ କେତେକ ଇତର
ବସ୍ତୁ, ଯଥା
ଲୁଗାପଟା ଇତ୍ୟାଦି ରପ୍ତାନୀ ହେଉଥିଲା । ଏହି ବାଣିଜ୍ୟ ବ୍ୟବସ୍ଥା ପଶ୍ଚିମଆଫ୍ରିକାକୁ ଉଚ୍ଛନ୍ନ
କରିଦେଲା । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଦାସ ବ୍ୟବସ୍ଥାର ବିଲୋପ ବେଳକୁ ବହୁତ ଉଛୁର
ହୋଇଯାଇଥିଲା ।
‘ଦି
ନେକ୍ସ୍ଟ୍ ଗଲ୍ଫ୍’ ବହିଟିର
ଲେଖକଙ୍କର କହିବା ଅନୁଯାୟୀ ନାଇଜେରିଆର ବର୍ତ୍ତମାନର ଖଣିଜତୈଳ ଶିଳ୍ପ ବର୍ତ୍ତମାନ ଆଉ ଥରେ
ପଶ୍ଚିମ ଆଫ୍ରିକା, ଆମେରିକା
ତଥା ପଶ୍ଚିମ ୟୁରୋପ ମଧ୍ୟରେ ଏକ ନୂତନ ବିଷ ତ୍ରିଭୁଜର ସର୍ଜନା କରୁଅଛି । ଏହି ତୁଳନା
ସମ୍ପୂର୍ଣ୍ଣ ଭାବରେ ସ୍ଫୃହଣୀୟ । ମାତ୍ର ବହିର ପଛରେ ଥିବା ତାତ୍ତ୍ୱିକ ଅବବୋଧରେ ଅନେକ ସମସ୍ୟା
ରହିଛି । ପ୍ରଥମ ତଥା ବଡ଼ ସମସ୍ୟାଟି ହେଲା ଏହିକି ଯେ,
ଏହି ଯାତ୍ରାର ମୁଖ୍ୟ ଚରିତ୍ରମାନେ ହେଲେ ଗୋରାଲୋକେ ଏବଂ ତାଙ୍କର ସାମାଜିକ ଅନୁଷ୍ଠାନଗୁଡ଼ିକ ।
ଅର୍ଥାତ୍, ବହିରେ ପ୍ରଦତ୍ତ ଚିତ୍ର ଅନୁସାରେ ପଶ୍ଚିମ ଆଫ୍ରିକାର ସମାଜ ଲୋକେ ହେଲେ ‘ମୃଗୀ’ ତଥା ଗୋରା ଲୋକେ
ଏବଂ ତାଙ୍କର ସମାଜ ହେଲେ ‘ନରହରି’ (ତ୍ରିଗୁଣ ରଜ୍ଜୁ
ହସ୍ତେ ଧରି/ ମୃଗୀ ନଚାଏ ନରହରି//, ସେହି ଅର୍ଥରେ) । ଦ୍ୱିତୀୟ ସମସ୍ୟାଟି ହେଲା ଏହିକି ଯେ, ପୁରୁଣା ଏବଂ
ନୂଆ ସାମ୍ରାଜ୍ୟବାଦ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଭେଦଗୁଡ଼ିକ ଅଛି, ତାହା ଏ ବହିଟିରେ
ଆଲୋଚିତ ହୋଇନାହିଁ । ତୃତୀୟ ସମସ୍ୟାଟି ହେଲା ଯେ,
ନବ୍ୟ ସାମ୍ରାଜ୍ୟବାଦର ସମାଲୋଚନା କରିବାକୁ ଯାଇ ସେମାନେ କେତେକ ଲୋକପ୍ରିୟ ଶବ୍ଦାବଳୀ ଯଥା ‘ପପୁଲାର୍ ପାର୍ଟିସିପେସନ୍’ (ଜନ
ସହଭାଗିତା) ଇତ୍ୟାଦିର ବ୍ୟବହାର କରିଛନ୍ତି ।
ଏହି ସମସ୍ୟାଗୁଡ଼ିକ କେବଳ ଏହି ପୁସ୍ତକଟିର ନୁହେଁ । ଉପନିବେଶବାଦ ଏବଂ
ନବ୍ୟ-ଉପନିବେଶବାଦ ଉପରେ ଲିଖିତ ଅନେକ ବହିରେ ଆମେ ଏହି ସମସ୍ୟାଗୁଡ଼ିକୁ ଦେଖିବାକୁ ପାଇବା ।
ଏହି ପରିପ୍ରେକ୍ଷୀରେ ଅମିତାଭ ଘୋଷଙ୍କର ୨୦୦୮ ମସିହାରେ ପ୍ରକାଶିତ ଉପନ୍ୟାସ "ସି ଅଫ୍ ପପିଜ୍" ଔପନିବେଶବାଦକୁ ବୁଝିବା
ପାଇଁ ଆମ ଆଗରେ ନୂଆ ବାଟ ଖୋଲିଦିଏ । ଏହା ସେ ଉପନ୍ୟାସଟି କିପରି କରେ, ତାହା ଆଲୋଚନା
କରିବା ଆଗରୁ ଆମେ ଏକ ଛୋଟ, ମାତ୍ର ଦରକାରୀ, ତାତ୍ତ୍ୱିକ ଆଲୋଚନାଟିଏ କରିବା ।
ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ, ଯେତେବେଳେ ପ୍ରକୃତ ଅର୍ଥରେ ପାଶ୍ଚାତ୍ୟ ଦେଶମାନଙ୍କରେ ବିଜ୍ଞାନ
ଭାବରେ ସମାଜଚର୍ଚ୍ଚା ଆରମ୍ଭ ହେଲା, ଏବଂ ନୃତତ୍ତ୍ୱବିଦ୍ୟା, ସମାଜବିଜ୍ଞାନ,
ଅର୍ଥନୀତି ଆଦି ସମାଜବିଜ୍ଞାନଗୁଡ଼ିକ ଗର୍ଭସ୍ଥ ହେଲେ, ସେତେବେଳେ ସେମାନେ ଶାସ୍ତ୍ରଲେଖାର ସୂତ୍ର ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ
ଆଦିଠାରୁ ଧାର ଆଣିଲେ । ସେ ସମୟରେ ବିଜ୍ଞାନଚର୍ଚ୍ଚାରେ ପଜିଟିଭିଜିମ୍ ନାମକ ଆଦର୍ଶ
ରାଜୁତି କରୁଥାଏ । ଏହାର
ମୂଳଭିତ୍ତି ହେଲା ଏହି ଅବଧାରଣା ଯେ,
ପ୍ରକୃତିରେ ଥିବା ବସ୍ତୁମାନଙ୍କର ମାନବୀୟ ଅବଧାରଣା ସହିତ କିଛି ସମ୍ପର୍କ ନାହିଁ ଏବଂ
ବିଜ୍ଞାନ କରିବାର ଅର୍ଥ ହେଲା ପ୍ରାକୃତିକ ବସ୍ତୁମାନଙ୍କର ନିରୀକ୍ଷଣ କରି ତହିଁ ମଧ୍ୟରୁ
ନିୟମ ଉଦ୍ଧାର କରିବା ।
ଏହାର ଫଳସ୍ୱରୂପ ସମାଜଶାସ୍ତ୍ରଗୁଡ଼ିକୁ ଭାଷାକୁ ଏବଂ ସାହିତ୍ୟକୁ ଆଡ଼
ଆଖିରେ ଦେଖିବାକୁ ଆରମ୍ଭ କଲେ । କାରଣ ପଜିଟିଭିଜିମ୍ର ଏକ ଫଳଶ୍ରୁତି ହେଲା ଏହି ଅବଧାରଣା ଯେ, ଭାଷା ଆମର ବାସ୍ତବିକତାକୁ (ସେ ସାମାଜିକ ହେଉ ବା ଭୌତିକ) ପ୍ରତିଫଳିତ କରେ । ତେଣୁ କରି
ସମାଜଶାସ୍ତ୍ର ଲିଖନର ଏକ ବଡ଼ ଉପଲକ୍ଷ୍ୟ ଭାଷାକୁ ‘ବୈଜ୍ଞାନିକ’କରିବା ବନିଗଲା ।
ଭାଷାର ଏ ପ୍ରକାରର ଅବଧାରଣା ଆମେ ଦେଢ଼ ଶହ ବର୍ଷ ପରେ ମଧ୍ୟ ଆମ ସମାଜରେ ଦେଖିବାକୁ ପାଇବା ।
ଭାଷାକୁ ଆମେ ପ୍ରତିଫଳନ ମାତ୍ର ବୋଲି ଭାବୁ ନଥିଲେ,
‘ସଚ୍ଚି ରାଉତରାୟଙ୍କ କାବ୍ୟ ଜଗତରେ ପଲ୍ଲୀ ଚିତ୍ର’ କିମ୍ବା ‘ମାୟାଧରୀୟ କାବ୍ୟ ମାନସରେ ନାରୀ ଚରିତ୍ରଚିତ୍ରଣ’
ଆଦି ସନ୍ଦର୍ଭ ଆମେ ଲେଖୁ ନଥାଆନ୍ତେ । ଆଉ ଅଧିକ ତତ୍ତ୍ୱଜଗତରେ ବିଚରଣ ନକରି ଆମେ କେବଳ
ଏତିକି ମାତ୍ର କହିରଖିବା ଯେ, ସମାଜବିଜ୍ଞାନର ମାନବ ସାମାଜିକତା ସହିତ ଯେତିକି ନିବିଡ଼ ସମ୍ପର୍କ
ରହିଅଛି, ଫିକ୍ସନ୍
(ଗଳ୍ପ ଏବଂ ଉପନ୍ୟାସ)ର ମଧ୍ୟ ମାନବ ସାମାଜିକତା ସହିତ ସମ୍ପର୍କ ସେତିକି ନିବିଡ଼ ଅଟେ ।
ମାତ୍ର
ଏ ସମ୍ପର୍କ ବାସ୍ତବତା ଏବଂ ତାହାର
ପ୍ରତିଫଳନରେ ନୁହେଁ । ଫିକ୍ସନ୍ ମଧ୍ୟ ନିଜସ୍ୱ ଆଙ୍ଗିକତା
ବ୍ୟବହାର କରି ନିଜସ୍ୱ ଭଙ୍ଗୀରେ ଆମର ସାମାଜିକତା ଉପରେ ତାତ୍ତ୍ୱିକ ଆଲୋଚନା କରିପାରେ । ଏହିଠାରେ
ଆହୁରି କହିରଖିବା ଯେ, ଏପରି ତାତ୍ତ୍ୱିକତା ତଥା ଫିକ୍ସନ୍ରେ ତତ୍ତ୍ୱର ବ୍ୟବହାର ଏକା କଥା ନୁହେଁ, କିମ୍ବା ଏକା ଧରଣର
କଥା ଆଦୌ ନୁହେଁ । ଉଦାହରଣସ୍ୱରୂପ ଓଡ଼ିଆ ସାହିତ୍ୟରେ ଫ୍ରଏଡ଼ୀୟ ମନସ୍ତତ୍ତ୍ୱ କିମ୍ବା
ଅସ୍ତିତ୍ୱବାଦର ବ୍ୟବହାର କରି କେଇଜଣ ଫିକ୍ସନ୍ ଲେଖିବା ପାଇଁ ଚେଷ୍ଟା କରିଅଛନ୍ତି ।
ଆମେ ଫିକ୍ସନ୍ରେ ତତ୍ତ୍ୱର ବ୍ୟବହାର କଥା କହୁନାହୁଁ । ଏପରି ବ୍ୟବହାର ଶସ୍ତା ଏବଂ ଅନେକ ଦୃଷ୍ଟିରୁ ଗୁରୁତ୍ୱହୀନ
। ଆମେ ଏହା କହୁଅଛୁ ଯେ, ଫିକ୍ସନ୍ ଲେଖା ନିଜେ କିପରି ତାତ୍ତ୍ୱିକ ବିରୋଧାଭାଷଗୁଡ଼ିକୁ ଦୂର
କରିବାରେ ସାହାଯ୍ୟ କରି ଆମର ବୁଝାମଣା ବଢ଼ାଇବାରେ ସାହାଯ୍ୟ କରିପାରିବ । ଉଦାହରଣଭାବରେ ଆମେ
ସମୀକ୍ଷାଧୀନ ଉପନ୍ୟାସ ‘ସି ଅଫ୍ ପପିଜ୍’ରୁ ମାତ୍ର
ଗୋଟିଏ ଭାତ ଚିପିବା ।
ପ୍ରଥମ ଉପନିବେଶବାଦ ଉପରେ ଲେଖା ଉପନ୍ୟାସମାନଙ୍କ ଭିତରେ ଆମେ ଏକ
ଶ୍ରେଣୀବିଭାଗ କରିପାରିବା । ଗୋଟିଏ ଶ୍ରେଣୀ
ହେଲା ରୁଡ଼୍ୟାଡ଼୍ କିପ୍ଲିଂଙ୍କର ‘କିମ୍’ ଭଳି ଉପନ୍ୟାସ
ଯାହା ଉପନିବେଶବାଦର ଅପେକ୍ଷାକୃତ ଭଲ ପ୍ରଭାବମାନଙ୍କ ବିଷୟରେ ଆଲୋଚନା କରେ ଏବଂ ଉପନିବେଶବାଦ କିପରି
ଏକ ନୂଆ ପ୍ରକାରର ମଣିଷ ତିଆରି କରେ,
ତାହା ଦର୍ଶାଏ । ଏହାର ପ୍ରତିପକ୍ଷ ଭାବରେ ଆମେ କନ୍ରାଡ଼୍ଙ୍କର ଉପନ୍ୟାସ ‘ଦ ହାର୍ଟ୍ ଅଫ୍
ଡାର୍କ୍ନେସ୍’ କୁର୍ଜ୍ ଚରିତ୍ର ଦ୍ୱାରା ଏହି ନୂଆ ମଣିଷ ତିଆରିର ଭିନ୍ନ ଦିଗ ଆମକୁ ଦେଖାଇ ଔପନିବେଶବାଦର ଭୟାବହତା ଦିଗରେ ସତର୍କ କରେ ।
ଔପନିବେଶବାଦ ତଥା ଉତ୍ତର-ଔପନିବେଶବାଦର ବିଷୟରେ ଲିଖିତ ସମାଜତାତ୍ତ୍ୱିକ
ଶାସ୍ତ୍ରମାନଙ୍କରେ ଆମେ ଏହି ଦୁଇପ୍ରକାରର ଚରିତ୍ରମାନଙ୍କୁ ବାରମ୍ବାର ଭେଟିବା । ମାତ୍ର
ଏମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ କେବେ ମେଣ୍ଟେ ନାହିଁ । ଆମେ ଏହା ଦାବୀ କରିପାରିବା ଯେ
ପ୍ରଥମଥର ପାଇଁ ଆମେ ‘ସି ଅଫ୍
ପପିଜ୍’ରେ ଏହି
ଦ୍ୱନ୍ଦ୍ୱର ସମାଧାନ ଅନେକ ଚରିତ୍ର (ଉଦାହରଣସ୍ୱରୂପ ବାବୁ ନବ୍ କିସିନ୍ ଏବଂ ଆହ୍ ଫାତ୍) ମାନଙ୍କ
ଭିତରେ ଦେଖିବାକୁ ପାଇବା ।
ଦ୍ୱିତୀୟତଃ, ଔପନିବେଶବାଦର କାରଣସ୍ୱରୂପ ଅନେକ ସମୟରେ ଭାରତର
ତତ୍କାଳୀନ ରାଜନୈତିକ ବ୍ୟବସ୍ଥାକୁ ଦାୟୀ କରାଯାଏ । ମାତ୍ର ଯେଉଁସବୁ ବହି ଏବଂ
ଦସ୍ତାବେଜ୍ମାନଙ୍କୁ ନେଇ ଏପରି ଶାସ୍ତ୍ର ଲେଖାଯାଏ,
ତାହା ସାଧାରଣତଃ ଗୋରା ଲୋକ (କିମ୍ବା ତାଙ୍କର ଦେଶି ଅନୁଗାମୀ) ମାନଙ୍କ ଦ୍ୱାରା ଲିଖିତ
କିମ୍ବା ସଙ୍ଗୃହିତ । ତେଣୁକରି କେବଳ ତଥାକଥିତ ଐତିହାସିକ ଦସ୍ତାବେଜ୍ ବ୍ୟବହାର କରି
ପ୍ରାକ୍-ଔପନିବେଶୀୟ ଭାରତର ରାଜନୈତିକ ବ୍ୟବସ୍ଥା ବିଷୟରେ ନିରପେକ୍ଷ ଆଲୋଚନା କରିବା କଷ୍ଟକର
ବ୍ୟାପାର ଅଟେ ।
ଆଲୋଚ୍ୟ ଉପନ୍ୟାସର ଚରିତ୍ର ଏବଂ ତାଙ୍କର ବ୍ରିଟିଶ ସାମ୍ରାଜ୍ୟ ସହିତ ସମ୍ପର୍କର
ବର୍ଣ୍ଣନା ଦ୍ୱାରା ଅମିତାଭ ଘୋଷ୍ ଆମ ଆଖି ଆଗରେ ସେ ସମୟର (ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର)
ରାଜନୈତିକ ଜୀବନର ଏକ ଉଜ୍ଜ୍ୱଳ ଜଳଛବି ଆଙ୍କନ୍ତି । ଏ ପ୍ରକାରର ଚିତ୍ର ନିର୍ମାଣ ବୋଧହୁଏ ଏହିପରି ଉପନ୍ୟାସ ମାଧ୍ୟମରେ
ଏବଂ ଏହିପରି ଉପନ୍ୟାସ ମାନଙ୍କର ତାତ୍ତ୍ୱିକ ଆଲୋଚନା ମାଧ୍ୟମରେ ସମ୍ଭବ ।
ଓଡ଼ିଆଭାଷାରେ ଲିଖିତ
ଉପନ୍ୟାସମାନଙ୍କରେ ‘ଇତିହାସ
ଚେତନା’ ଦେଖିବାକୁ
ମିଳେ ସତ । ହେଲେ ସତ
ଅର୍ଥରେ କହିବାକୁ ଗଲେ ‘ସି ଅଫ୍
ପପିଜ୍’ ପରି ନୂଆ
ଏବଂ ନୂଆ ପ୍ରକାରର ଇତିହାସ ରଚନାର ଦୁଃସାହସ ଦେଖିବାକୁ ମିଳେନାହିଁ । ଏପରି ଦୁଃସାହସ ଆମେ
ଯେତେ ଶିଘ୍ର ଏବଂ ଯେତେ ପରିମାଣରେ ଦେଖିବାକୁ ପାଇବା ଆମର ଭାଷା ଓ ରାଜ୍ୟ ପାଇଁ ସେତେ ମଙ୍ଗଳ ।
ଆଲୋଚିତ ବହିଗୁଡ଼ିକ ବିଷୟରେ ସୂଚନା
ଆଣ୍ଡି ରୋୱେଲ, ଜେମସ୍ ମାରିଅଟ୍ ଏବଂ ଲର୍ଣ୍ଣ ଷ୍ଟକମ୍ୟାନ୍ । ୨୦୦୫ । ଦି ନେକ୍ଷ୍ଟ୍ ଗଲ୍ଫ୍: ଲଣ୍ଡନ୍, ୱାଶିଂଟନ୍ ଏଣ୍ଡ୍ ଅଏଲ କନ୍ଫ୍ଲିକ୍ଟ୍ ଇନ୍ ନାଇଜେରିଆ । ଲଣ୍ଡନ: କନ୍ଷ୍ଟେବଲ୍ ଏବଂ ରବିନ୍ସନ୍ ଲିମିଟେଡ଼୍ ।
ଅମିତାଭ ଘୋଷ । ୨୦୦୮ । ସି ଅଫ୍ ପପିଜ୍ । ନିଉ ଦିଲ୍ଲୀ: ପେଙ୍ଗୁଇନ୍ ବୁକସ୍ ।
ଟୀକା: ଏହି ଲେଖାଟିର ଏକ ସାମାନ୍ୟ ଭାବରେ ପରିବର୍ତ୍ତିତ ରୂପ ଓଡ଼ିଆ ପାକ୍ଷିକ ପତ୍ରିକା ସମଦୃଷ୍ଟିର ୧୬-୩୧ ଜୁନ୍ ୨୦୧୨ ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା ।