ପ୍ରାନ୍ତରେ ଜୀବନ
ଶୈଲେନ ରାଉତରାୟ
ଆମର ଅଧିକାଂଶ ଲେଖକ ଶୋଷକ ଜାତିର ଲୋକ । ପ୍ରାୟତଃ ଗପ ଓ ଉପନ୍ୟାସର ବିଷୟବସ୍ତୁର ଆଧାର ମଧ୍ୟବିତ୍ତୀୟ ପାଣିଚିଆ ଜୀବନଚର୍ଚ୍ଚା । ଏଣୁ ‘ଓଡ଼ିଆ’ ସାହିତ୍ୟ ବସ୍ତୁତଃ ଓଡ଼ିଆ ଜନସମାଜର ଏକ କ୍ଷୁଦ୍ରାତିକ୍ଷୁଦ୍ର ଶ୍ରେଣୀର ସାହିତ୍ୟ । ଏହି ପରିସ୍ଥିତିରେ ଯଦି ଅଧିକାଂଶ ସମ୍ଭାବ୍ୟ ପାଠକ ଓଡ଼ିଆ ସାହିତ୍ୟ ପ୍ରତି ବିମୁଖ, ତା’ହେଲେ ଦୋଷ ଦେବା କାହାକୁ? ଆପଣା ସୁନା ତ ଭେଣ୍ଡି!
ଏହି ପରିସ୍ଥିତିରେ ଆଲୋଚ୍ୟ ପୁସ୍ତକର ପ୍ରକାଶନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ଆତ୍ମଜୀବନୀର ନାୟକ ହେଲେ କୋରାପୁଟ ଜିଲ୍ଲାର ଜଣେ ଅନତିପ୍ରସିଦ୍ଧ ସର୍ବୋଦୟ କର୍ମୀ ଶ୍ରୀ ନିଶାକର ଦାସ । ନିଶାକର ବାବୁଙ୍କର ଜନ୍ମ ଖରସୁଆଁ ନଈ କୂଳର ସିଂହପୁର ଗାଆଁରେ । ଜାତିରେ ପାଣ ବୈଷ୍ଣବ, ଜନ୍ମ ଗୋଟିଏ ନାମମାତ୍ର ଚାଷୀ ପରିବାରରେ ।
ପିଲାବେଳେ ଦାସ ମହାଶୟ ବହୁତ ଶୀଘ୍ର ଚାଟଶାଳୀ ପାଠ ସହିତ ବିଜାର ହୋଇଗଲେ । ଏହା ନିଶାକର ବାବୁଙ୍କର ଏକୁଟିଆ ବ୍ୟକ୍ତିଗତ ଅନୁଭୂତି ନୁହେଁ । ଆଜି ମଧ୍ୟ ବିଦ୍ୟାଳୟ ଶିକ୍ଷା ଆଦିବାସୀ ଓ ଦଳିତ, ବହୁଜନ ପିଲାଙ୍କୁ ସଂସ୍କୃତିଛଡ଼ା କରେ ।
ନିଶାକର ବାବୁଙ୍କର ନିଜର ଇସ୍କୁଲ ମାଷ୍ଟରଙ୍କ ଠାରୁ ଛାଟ ଖାଇବାର ମଧ୍ୟ ‘ସୌଭାଗ୍ୟ’ ହୋଇ ନଥିଲା । ଜାତିରେ ପାଣ ବୈଷ୍ଣବ ହୋଇଥିବାରୁ ଅବଧାନେ ମାଡ଼ ମାରିବାର ଥିଲେ ଛାଟ ଫୋପାଡ଼ିବେ । ହାତରେ ଛାଟ ଧରି ମାରିଲେ ଅଛୁଆଁ ହୋଇଯିବେ ସେ ।
ଏପରି ଭେଦଭାବର ସମ୍ମୁଖୀନ ହୋଇ କେତେଟା ପିଲା ଇସ୍କୁଲରେ ତିଷ୍ଠନ୍ତେ ବା କିଛିଟା ଶିଖନ୍ତେ? ଏଣୁ ସାତ ବରଷରେ ତିନି ଶ୍ରେଣୀ ଉଠିସାରି ନିଶାକର ବାବୁଙ୍କର ବସ୍ତାନିରେ ଚିରକାଳ ଲାଗି ଗଣ୍ଠି ପଡ଼ିଲା ।
ଏହାପରେ କିଛି ସମୟ ଯାତ୍ରା ଦଳରେ କାମ, ପୁରୋହିତଗିରି ଇତ୍ୟାଦି କରିସାରିଲା ପରେ ସେ ଯୋଗଦେଲେ ଭାରତଛାଡ଼ ଆନ୍ଦୋଳନ ତଥା ଗାନ୍ଧୀଙ୍କର ସୃଜନାତ୍ମକ କର୍ମରେ । ସ୍ୱାଧୀନତା ପରେ ଯେଉଁ ଅଳ୍ପ କେତେଜଣ କଙ୍ଗ୍ରେସ କର୍ମୀ କ୍ଷମତା ରାଜନୀତିରୁ ଦୂରରେ ରହି ତୃଣମୂଳ ସ୍ତରରେ ପରିବର୍ତ୍ତନ ପାଇଁ ଚେଷ୍ଟା ଜାରି ରଖିଥିଲେ ସେଥିମଧ୍ୟରେ ସେ ଥିଲେ ଅନ୍ୟତମ ।
ଉପକୂଳବର୍ତ୍ତୀ ଅଞ୍ଚଳରେ କିଛିବର୍ଷ କାମ କରିସାରିଲା ପରେ ଦାସ ମହାଶୟ କୋରାପୁଟ ଜିଲ୍ଲାରେ ଭୂଦାନ ଓ ସର୍ବୋଦୟ କାମ ମାଧ୍ୟମରେ ଆଦିବାସୀ ଓ ଦଳିତମାନଙ୍କର ଉତ୍ଥାନ ପାଇଁ ଏପର୍ଯ୍ୟନ୍ତ ଚେଷ୍ଟା କରିଆସିଛନ୍ତି । ଏହି କାମ ପାଇଁ ମାଡ଼, ଗାଳି ଖାଇଛନ୍ତି । ନିଜ ଉପରେ ହୋଇଥିବା କେଇ ଡଜନ ମିଛ ମୋକଦ୍ଦମା ଲଢ଼ିଅଛନ୍ତି । ଆଉ ଜୀଇଁଛନ୍ତି ଜଣେ ଦରିଦ୍ର ଜନସେବକର ଜୀବନ ।
ହେଲେ ଏ ସବୁ ଭିତରେ ଜଣେ ଦଳିତ ଭାବରେ ତାଙ୍କର ଚେତନା ସ୍ପଷ୍ଟ ଦୃଶ୍ୟମାନ । ଆଜିକାଲି ଅନେକ ସମୀକ୍ଷକ (ଓଡ଼ିଆ ଭାଷାରେ) ଏହା କହି ବୁଲୁଅଛନ୍ତି ଯେ ଜାତିଗତ ରାଜନୀତି ଦୃଷ୍ଟିରୁ ଓଡ଼ିଶା ଏକ ବ୍ୟତିକ୍ରମ । କାରଣ ଓଡ଼ିଶାରେ ଜାତିଗତ ବୈଷମ୍ୟ କୁଆଡ଼େ ଏତେ ଉତ୍କଟ ନୁହେଁ । କିନ୍ତୁ ନିଶାକର ବାବୁଙ୍କର ଆତ୍ମଚରିତରୁ ଏହା ସ୍ପଷ୍ଟ ଯେ, ଜାତିଗତ ଭେଦଭାବ ଓଡ଼ିଆ ସମାଜର ଶିରା ପ୍ରଶିରାରେ ଭେଦି ହୋଇ ରହିଛି ।
ନିଶାକର ବାବୁଙ୍କର ପିଲାଦିନେ କଟକ ଜିଲ୍ଲାର ମୋଗଲବନ୍ଦୀ ଗାଁ ଦାଣ୍ଡରେ (କେଉଁ ‘ଅନ୍ଧାରି’ ମୂଲକରେ ନୁହେଁ) ଜଣେ ପାଣ କିମ୍ବା କଣ୍ଡରା ଜାତିର ପିଲା ଧୋତି ଚାଦର ପିନ୍ଧି, ଛତା ଖଣ୍ଡିଏ ଧରି ଚାଲିଯିବା ପାଖାପାଖି ଅସମ୍ଭବ ଥିଲା । ଏହିପରି ଧୃଷ୍ଟତା କଲେ ଉତ୍ତମ ମଧ୍ୟମ ବସିବାରେ ଯଥେଷ୍ଟ ସମ୍ଭାବନା ଥିଲା ।
ଏବେର ପରିସ୍ଥିତି କିଛି ବିଶେଷ ଭିନ୍ନ ନୁହେଁ । ରାଜଧାନୀର ଉପକଣ୍ଠର ଗାଆଁଦାଣ୍ଡରେ ଦଳିତ ଜାତିର ପିଲାଟିଏ ସାଇକେଲଟିଏ ଚଢ଼ି ଚାଲିଯିବା ଏକ ଧୃଷ୍ଟତା । ଏବଂ ତାଙ୍କୁ ଶାସନ କରିବା ପାଇଁ ଏବେ ମଧ୍ୟ ଗାଆଁ (ଓ ସହର) ମାନଙ୍କରେ ଅନେକ ଲୋକ ଅଛନ୍ତି ।
ଜୀବନସାରା ଅନେକ ଭେଦଭାବ ତଥା ହିଂସା ଭୋଗି ମଧ୍ୟ ଶ୍ରୀ ନିଶାକର ଦାସ ମାଳ ଅଞ୍ଚଳର ଲୋକଙ୍କ ସହିତ ଜୀବନ ବିତାଇଛନ୍ତି । ସେହି ଅଞ୍ଚଳର କନ୍ୟା ସହିତ ବିଭା ହୋଇ ସଂସାର କରିଛନ୍ତି । ଏବଂ ସେବାର ଏକ ଆଦର୍ଶ ଆମ ସମସ୍ତଙ୍କ ଆଗରେ ଗଢ଼ିଚନ୍ତି । ଆଜିର ପରିବର୍ତ୍ତିତ ସାମାଜିକ ପରିପ୍ରେକ୍ଷୀରେ ହୁଏତ ଏହି ଦୁଆ ଉଠିପାରେ ଯେ ସେ ଭେଦଭାବ କିମ୍ବା ହିଂସା ଗୋଟିଏ ଜାତିର ଅନୁଭୂତି ନୁହେଁ, ଜଣେ ବ୍ୟକ୍ତିର ଅନୁଭୂତି ମାତ୍ର ।
ତେଣୁକରି ଏହିପରି ଆହୁରି ଅନେକ ଆତ୍ମଜୀବନୀ ଓଡ଼ିଆ ଭାଷାରେ ପ୍ରକାଶିତ ହେବାର ଆବଶ୍ୟକତା ରହିଅଛି । ଏହି ପୁସ୍ତକର ପ୍ରକାଶନ ପାଇଁ ଶ୍ରୀଯୁକ୍ତ ନୀଳକଣ୍ଠ ରଥ ମହାଶୟ ଓ ବିତରକ ସଂସ୍ଥା ଶିକ୍ଷାସନ୍ଧାନ ଆମର ଧନ୍ୟବାଦର ପାତ୍ର । ଯେକୌଣସି ନୀରବତାର ଅନ୍ତ ପାଇଁ ଗୋଟିଏ କଅଁଳ ଉଚ୍ଚାରଣ ହିଁ ଯଥେଷ୍ଟ । ଆଶା କରିବା ଯେ ଏହି ବହିର କଅଁଳ ଉଚ୍ଚାରଣଟି ଅନେକ ସମ୍ବାଦର ସୂତ୍ରପାତ କରିବ ।
ବହି ବିଷୟରେ ବିବରଣୀ: ନିଶାକର ଦାସ । ୨୦୦୫ । ଖରସୁଆଁରୁ କୁଲାବିରି । ପ୍ରକାଶକ - ନୀଳକଣ୍ଠ ରଥ । ବିତରକ - ଶିକ୍ଷାସନ୍ଧାନ, ଭୁବନେଶ୍ୱର ।
ଟୀକା: ଏହି ସମୀକ୍ଷାଟି ପ୍ରଥମେ ଗୋଟିଏ ଅଲଗା ଶୀର୍ଷକରେ ପାକ୍ଷିକ ପତ୍ରିକା ସମଦୃଷ୍ଟି ୩(୧୨) ରେ ୨୦୦୮ ସାଲରେ ପ୍ରକାଶିତ ହୋଇଥିଲା ।
No comments:
Post a Comment