Wednesday, May 8, 2024

ତେଲ, ଅଫିମ ତଥା ଔପନିବେଶବାଦ: ଏକ ଭିନ୍ନ ପଠନ

ଶୈଲେନ ରାଉତରାୟ


ଏହି ପ୍ରବନ୍ଧଟି ଦୁଇଟି ବହିର ଆଲୋଚନା ଉପରେ ପର୍ଯ୍ୟବେଶିତ । ପୁସ୍ତକ ଦୁଇଟି ମଧ୍ୟରୁ ଗୋଟିଏ ନନ୍-ଫିକ୍ସନ୍ ଏବଂ ଦ୍ୱିତୀୟଟି ଏକ ଉପନ୍ୟାସ ଅର୍ଥାତ ଫିକ୍ସନ୍ । ପୁସ୍ତକ ସମୀକ୍ଷା ପ୍ରବନ୍ଧ ଲେଖାଯିବା ସମୟରେ ସାଧାରଣତଃ ଗୋଟିଏ ପ୍ରକାରର ବହିମାନଙ୍କର ଏକ ସାଙ୍ଗରେ ସମୀକ୍ଷା କରାଯାଏ । ଧରନ୍ତୁ ୧୮୫୭ ବିଦ୍ରୋହ ସମ୍ବନ୍ଧରେ ଲିଖିତ ଇତିହାସ ବହିମାନଙ୍କର ଏକ ସମ୍ମିଳିତ ସମୀକ୍ଷା, କିମ୍ବା ଜଣେ କବିଙ୍କର ରଚିତ ସମସ୍ତ କାବ୍ୟ ଏବଂ କବିତା ବହିମାନଙ୍କର ଏକ ସମୀକ୍ଷାୟନ । 

ଫିକ୍ସନ୍ ଏବଂ ଅଣ-ଫିକ୍ସନ୍ ବହିର ଏକତ୍ର ସମୀକ୍ଷା କରିବା ଏକ ପ୍ରକାରର ଅଧର୍ତ୍ତବ୍ୟ ଅପରାଧ । ତେବେ ଏହି ଅଧମ ସମୀକ୍ଷକ ଏପରି ଅପରାଧ କରିବାକୁ କାହିଁକି ଉଦ୍ୟତଏହି ପ୍ରଶ୍ନର ଉତ୍ତର ଆମେ ସିଧାସଳଖ ନଦେଇ ସମୀକ୍ଷାଭୁକ୍ତ ଦୁଇଟି ବହିର ପର୍ଯ୍ୟାଲୋଚନା ଦେଇ ଦର୍ଶାଇବାକୁ ଏକ ଦୁର୍ବଳ ଚେଷ୍ଟା କରିବା । ଉଭୟ ବହିର ବିଷୟବସ୍ତୁ ଔପନିବେଶବାଦ ଉପରେ ପର୍ଯ୍ୟବସିତ । 

ପ୍ରଥମ ଅଣ-ଫିକ୍ସନ୍ ବହିଟି - ଆଣ୍ଡି ରୋୱେଲ, ଜେମସ୍ ମାରିଅଟ୍ ଏବଂ ଲର୍ଣ୍ଣ ଷ୍ଟକମ୍ୟାନ୍ ଆଦିଙ୍କ ଦ୍ୱାରା ଲିଖିତ "ଦି ନେକ୍‌ଷ୍ଟ୍ ଗଲ୍ଫ୍" - ନାଇଜେରିଆର ଖଣିଜତୈଳ ଶିଳ୍ପ ଉପରେ ଆଧାରିତ । ବହିଟିର ଲେଖକମାନଙ୍କର ମୂଳ ଲକ୍ଷ୍ୟ ହେଲା ଯେ, ଏହି ଶିଳ୍ପ ନାଇଜେରିଆ ଦେଶର ନାଇଜର୍ ନଦୀର ଡେଲ୍‌ଟା ଅଞ୍ଚଳର ସଙ୍ଖ୍ୟାଲଘୁ ଲୋକଙ୍କର ଶୋଷଣ ଉପରେ ପର୍ଯ୍ୟବସିତ, ତାହା ଦର୍ଶାଇବା । 

ବହିଟି ଏହି ପ୍ରତିପାଦ୍ୟ ପ୍ରମାଣ କରିବାରେ ବହୁଳାଂଶରେ ସଫଳ ଅଟେ । ଏହି ଖଣିଜତୈଳ ଶିଳ୍ପରୁ ବାହାରୁଥିବା ଲାଭର ସିଂହଭାଗ ଯାଏ ପାଶ୍ଚାତ୍ୟ କମ୍ପାନୀମାନଙ୍କର ସେଆର୍ କିଣିଥିବା ଲୋକେ ଏବଂ ନାଇଜେରିଆର ଶାସକ ଶ୍ରେଣୀ ପାଖକୁ । ଶିଳ୍ପଜନିତ ପ୍ରଦୂଷଣ ଏବଂ ସାମାଜିକ ଓ ଭୌତିକ ବିସ୍ଥାପନଜନିତ ଅସୁବିଧା ଭୋଗନ୍ତି ନାଇଜର ନଦୀର ଡେଲ୍‌ଟା ଅଞ୍ଚଳର ସାଧାରଣ ଲୋକେ । ଏମାନଙ୍କ ଭିତରୁ ଅଧିକାଂଶ ହେଲେ ସଙ୍ଖ୍ୟାଲଘୁ ଜନଗୋଷ୍ଠୀର ।

ମାତ୍ର ବହିଟି ଅନ୍ୟ ଗୋଟିଏ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବହିର ଲେଖକମାନେ ନାଇଜେରିଆର ।  ଭାରତଭଳି ନାଇଜେରିଆ ମଧ୍ୟ ଗତ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଏକ ବ୍ରିଟିଶ ଉପନିବେଶ ଥିଲା । ମାତ୍ର ସେ ଦେଶରେ ବ୍ରିଟିଶ ଏବଂ ତାହା ପୂର୍ବରୁ ଅନ୍ୟ ଔପନିବେଶିକ ଶକ୍ତିମାନଙ୍କର ଶାସନ ଥିଲା ବର୍ବର ଏବଂ ତାହାର ପ୍ରଭାବ ଅଧିକ ଶକ୍ତିଶାଳୀ ଥିଲା । 

ଏହାର ଏକ ବଡ଼ କାରଣ ଥିଲା ଯେ ନାଇଜେରିଆ ଏବଂ ତାଆଖପାଖର ପଶ୍ଚିମ ଆଫ୍ରିକାର ଅନ୍ୟ ଦେଶଗୁଡ଼ିକ ଘୃଣ୍ୟ ଦାସପ୍ରଥାର ପେଣ୍ଠ ଥିଲେ । ଦାସପ୍ରଥା ଏବଂ ଦାସମାନଙ୍କର ଉପରେ ଆଧାରିତ ବାଣିଜ୍ୟ ବ୍ୟବସ୍ଥା ଦ୍ୱାରା ପଶ୍ଚିମ ୟୁରୋପ, ଆମେରିକା ଏବଂ ପଶ୍ଚିମ ଆଫ୍ରିକା ମଧ୍ୟରେ ଏକ ଘୃଣ୍ୟ ବିଷ ତ୍ରିଭୁଜର ସଂରଚନା ହୋଇଥିଲା । କଳେବଳେ କୌଶଳେ ପଶ୍ଚିମ ଆଫ୍ରିକାର ଲୋକଙ୍କୁ ଦାସଭାବରେ କବଳିତ କରାଯାଇ ଉତ୍ତର ଆମେରିକା ମହାଦେଶ ତଥା ତତ୍‌ସଂଲଗ୍ନ କାରିବୀୟ ଦ୍ୱୀପପୁଞ୍ଜକୁ ପଠାଯାଉଥିଲା । ଏହାଫଳରେ ପଶ୍ଚିମ ଆଫ୍ରିକାର ସ୍ଥାନୀୟ ସାମାଜିକ ଢାଞ୍ଚା ଭୁଷୁଡ଼ିବାକୁ ଲାଗିଲା । 

ଆମେରିକା ମହାଦେଶ ତଥା କାରିବୀୟ ଦ୍ୱୀପପୁଞ୍ଜରେ ଏହି କୃଷ୍ଣକାୟ ଦାସମାନଙ୍କୁ ମୂଳତଃ ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲର ଚାଷ ନିମନ୍ତେ (ବିଶେଷତଃ କପା ତଥା ଆଖୁ) ବ୍ୟବହାର କରାଯାଉଥିଲା । ଏଥିରୁ ପ୍ରସ୍ତୁତ କପା ତଥା ଶର୍କରା ଇତ୍ୟାଦି ପଶ୍ଚିମ ୟୁରୋପକୁ ପଠାଯାଉଥିଲା । ପଶ୍ଚିମ ୟୁରୋପରୁ ଆଫ୍ରିକାକୁ ପ୍ରାୟତଃ ବନ୍ଧୁକ ତଥା ଯୁଦ୍ଧ ସାମଗ୍ରୀ ତଥା ଅନ୍ୟ କେତେକ ଇତର ବସ୍ତୁ, ଯଥା ଲୁଗାପଟା ଇତ୍ୟାଦି ରପ୍ତାନୀ ହେଉଥିଲା । ଏହି ବାଣିଜ୍ୟ ବ୍ୟବସ୍ଥା ପଶ୍ଚିମଆଫ୍ରିକାକୁ ଉଚ୍ଛନ୍ନ କରିଦେଲା । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଦାସ ବ୍ୟବସ୍ଥାର ବିଲୋପ ବେଳକୁ ବହୁତ ଉଛୁର ହୋଇଯାଇଥିଲା ।

ଦି ନେକ୍ସ୍‌ଟ୍ ଗଲ୍ଫ୍ବହିଟିର ଲେଖକଙ୍କର କହିବା ଅନୁଯାୟୀ ନାଇଜେରିଆର ବର୍ତ୍ତମାନର ଖଣିଜତୈଳ ଶିଳ୍ପ ବର୍ତ୍ତମାନ ଆଉ ଥରେ ପଶ୍ଚିମ ଆଫ୍ରିକା, ଆମେରିକା ତଥା ପଶ୍ଚିମ ୟୁରୋପ ମଧ୍ୟରେ ଏକ ନୂତନ ବିଷ ତ୍ରିଭୁଜର ସର୍ଜନା କରୁଅଛି । ଏହି ତୁଳନା ସମ୍ପୂର୍ଣ୍ଣ ଭାବରେ ସ୍ଫୃହଣୀୟ । ମାତ୍ର ବହିର ପଛରେ ଥିବା ତାତ୍ତ୍ୱିକ ଅବବୋଧରେ ଅନେକ ସମସ୍ୟା ରହିଛି । ପ୍ରଥମ ତଥା ବଡ଼ ସମସ୍ୟାଟି ହେଲା ଏହିକି ଯେ, ଏହି ଯାତ୍ରାର ମୁଖ୍ୟ ଚରିତ୍ରମାନେ ହେଲେ ଗୋରାଲୋକେ ଏବଂ ତାଙ୍କର ସାମାଜିକ ଅନୁଷ୍ଠାନଗୁଡ଼ିକ । 

ଅର୍ଥାତ୍, ବହିରେ ପ୍ରଦତ୍ତ ଚିତ୍ର ଅନୁସାରେ ପଶ୍ଚିମ ଆଫ୍ରିକାର ସମାଜ ଲୋକେ ହେଲେ ମୃଗୀତଥା ଗୋରା ଲୋକେ ଏବଂ ତାଙ୍କର ସମାଜ ହେଲେ ନରହରି’ (ତ୍ରିଗୁଣ ରଜ୍ଜୁ ହସ୍ତେ ଧରି/ ମୃଗୀ ନଚାଏ ନରହରି//, ସେହି ଅର୍ଥରେ) । ଦ୍ୱିତୀୟ ସମସ୍ୟାଟି ହେଲା ଏହିକି ଯେ, ପୁରୁଣା ଏବଂ ନୂଆ ସାମ୍ରାଜ୍ୟବାଦ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଭେଦଗୁଡ଼ିକ ଅଛି, ତାହା ଏ ବହିଟିରେ ଆଲୋଚିତ ହୋଇନାହିଁ । ତୃତୀୟ ସମସ୍ୟାଟି ହେଲା ଯେ, ନବ୍ୟ ସାମ୍ରାଜ୍ୟବାଦର ସମାଲୋଚନା କରିବାକୁ ଯାଇ ସେମାନେ କେତେକ ଲୋକପ୍ରିୟ ଶବ୍ଦାବଳୀ ଯଥା ପପୁଲାର୍ ପାର୍ଟିସିପେସନ୍’ (ଜନ ସହଭାଗିତା) ଇତ୍ୟାଦିର ବ୍ୟବହାର କରିଛନ୍ତି । 

ଏହି ସମସ୍ୟାଗୁଡ଼ିକ କେବଳ ଏହି ପୁସ୍ତକଟିର ନୁହେଁ । ଉପନିବେଶବାଦ ଏବଂ ନବ୍ୟ-ଉପନିବେଶବାଦ ଉପରେ ଲିଖିତ ଅନେକ ବହିରେ ଆମେ ଏହି ସମସ୍ୟାଗୁଡ଼ିକୁ ଦେଖିବାକୁ ପାଇବା । ଏହି ପରିପ୍ରେକ୍ଷୀରେ ଅମିତାଭ ଘୋଷଙ୍କର ୨୦୦୮ ମସିହାରେ ପ୍ରକାଶିତ ଉପନ୍ୟାସ "ସି ଅଫ୍ ପପିଜ୍" ଔପନିବେଶବାଦକୁ ବୁଝିବା ପାଇଁ ଆମ ଆଗରେ ନୂଆ ବାଟ ଖୋଲିଦିଏ । ଏହା ସେ ଉପନ୍ୟାସଟି କିପରି କରେ, ତାହା ଆଲୋଚନା କରିବା ଆଗରୁ ଆମେ ଏକ ଛୋଟ, ମାତ୍ର ଦରକାରୀ, ତାତ୍ତ୍ୱିକ ଆଲୋଚନାଟିଏ କରିବା ।

ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ, ଯେତେବେଳେ ପ୍ରକୃତ ଅର୍ଥରେ ପାଶ୍ଚାତ୍ୟ ଦେଶମାନଙ୍କରେ ବିଜ୍ଞାନ ଭାବରେ ସମାଜଚର୍ଚ୍ଚା ଆରମ୍ଭ ହେଲା, ଏବଂ ନୃତତ୍ତ୍ୱବିଦ୍ୟା, ସମାଜବିଜ୍ଞାନ, ଅର୍ଥନୀତି ଆଦି ସମାଜବିଜ୍ଞାନଗୁଡ଼ିକ ଗର୍ଭସ୍ଥ ହେଲେ, ସେତେବେଳେ ସେମାନେ ଶାସ୍ତ୍ରଲେଖାର ସୂତ୍ର ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ ଆଦିଠାରୁ ଧାର ଆଣିଲେ । ସେ ସମୟରେ ବିଜ୍ଞାନଚର୍ଚ୍ଚାରେ ପଜିଟିଭିଜିମ୍ ନାମକ ଆଦର୍ଶ ରାଜୁତି କରୁଥାଏ । ଏହାର ମୂଳଭିତ୍ତି ହେଲା ଏହି ଅବଧାରଣା ଯେ, ପ୍ରକୃତିରେ ଥିବା ବସ୍ତୁମାନଙ୍କର ମାନବୀୟ ଅବଧାରଣା ସହିତ କିଛି ସମ୍ପର୍କ ନାହିଁ ଏବଂ ବିଜ୍ଞାନ କରିବାର ଅର୍ଥ ହେଲା ପ୍ରାକୃତିକ ବସ୍ତୁମାନଙ୍କର ନିରୀକ୍ଷଣ କରି ତହିଁ ମଧ୍ୟରୁ ନିୟମ ଉଦ୍ଧାର କରିବା ।

ଏହାର ଫଳସ୍ୱରୂପ ସମାଜଶାସ୍ତ୍ରଗୁଡ଼ିକୁ ଭାଷାକୁ ଏବଂ ସାହିତ୍ୟକୁ ଆଡ଼ ଆଖିରେ ଦେଖିବାକୁ ଆରମ୍ଭ କଲେ । କାରଣ ପଜିଟିଭିଜିମ୍‌ର ଏକ ଫଳଶ୍ରୁତି ହେଲା ଏହି ଅବଧାରଣା ଯେ, ଭାଷା ଆମର ବାସ୍ତବିକତାକୁ (ସେ ସାମାଜିକ ହେଉ ବା ଭୌତିକ) ପ୍ରତିଫଳିତ କରେ । ତେଣୁ କରି ସମାଜଶାସ୍ତ୍ର ଲିଖନର ଏକ ବଡ଼ ଉପଲକ୍ଷ୍ୟ ଭାଷାକୁ ବୈଜ୍ଞାନିକକରିବା ବନିଗଲା । ଭାଷାର ଏ ପ୍ରକାରର ଅବଧାରଣା ଆମେ ଦେଢ଼ ଶହ ବର୍ଷ ପରେ ମଧ୍ୟ ଆମ ସମାଜରେ ଦେଖିବାକୁ ପାଇବା । 

ଭାଷାକୁ ଆମେ ପ୍ରତିଫଳନ ମାତ୍ର ବୋଲି ଭାବୁ ନଥିଲେ, ‘ସଚ୍ଚି ରାଉତରାୟଙ୍କ କାବ୍ୟ ଜଗତରେ ପଲ୍ଲୀ ଚିତ୍ରକିମ୍ବା ମାୟାଧରୀୟ କାବ୍ୟ ମାନସରେ ନାରୀ ଚରିତ୍ରଚିତ୍ରଣଆଦି ସନ୍ଦର୍ଭ ଆମେ ଲେଖୁ ନଥାଆନ୍ତେ । ଆଉ ଅଧିକ ତତ୍ତ୍ୱଜଗତରେ ବିଚରଣ ନକରି ଆମେ କେବଳ ଏତିକି ମାତ୍ର କହିରଖିବା ଯେ, ସମାଜବିଜ୍ଞାନର ମାନବ ସାମାଜିକତା ସହିତ ଯେତିକି ନିବିଡ଼ ସମ୍ପର୍କ ରହିଅଛି, ଫିକ୍ସନ୍ (ଗଳ୍ପ ଏବଂ ଉପନ୍ୟାସ)ର ମଧ୍ୟ ମାନବ ସାମାଜିକତା ସହିତ ସମ୍ପର୍କ ସେତିକି ନିବିଡ଼ ଅଟେ । 

ମାତ୍ର ଏ ସମ୍ପର୍କ ବାସ୍ତବତା ଏବଂ ତାହାର ପ୍ରତିଫଳନରେ ନୁହେଁ । ଫିକ୍ସନ୍ ମଧ୍ୟ ନିଜସ୍ୱ ଆଙ୍ଗିକତା ବ୍ୟବହାର କରି ନିଜସ୍ୱ ଭଙ୍ଗୀରେ ଆମର ସାମାଜିକତା ଉପରେ ତାତ୍ତ୍ୱିକ ଆଲୋଚନା କରିପାରେ । ଏହିଠାରେ ଆହୁରି କହିରଖିବା ଯେ, ଏପରି ତାତ୍ତ୍ୱିକତା ତଥା ଫିକ୍ସନ୍‌ରେ ତତ୍ତ୍ୱର ବ୍ୟବହାର ଏକା କଥା ନୁହେଁ, କିମ୍ବା ଏକା ଧରଣର କଥା ଆଦୌ ନୁହେଁ । ଉଦାହରଣସ୍ୱରୂପ ଓଡ଼ିଆ ସାହିତ୍ୟରେ ଫ୍ରଏଡ଼ୀୟ ମନସ୍ତତ୍ତ୍ୱ କିମ୍ବା ଅସ୍ତିତ୍ୱବାଦର ବ୍ୟବହାର କରି କେଇଜଣ ଫିକ୍ସନ୍ ଲେଖିବା ପାଇଁ ଚେଷ୍ଟା କରିଅଛନ୍ତି । 

ଆମେ ଫିକ୍ସନ୍‌ରେ ତତ୍ତ୍ୱର ବ୍ୟବହାର କଥା କହୁନାହୁଁ । ଏପରି ବ୍ୟବହାର ଶସ୍ତା ଏବଂ ଅନେକ ଦୃଷ୍ଟିରୁ ଗୁରୁତ୍ୱହୀନ । ଆମେ ଏହା କହୁଅଛୁ ଯେ, ଫିକ୍ସନ୍ ଲେଖା ନିଜେ କିପରି ତାତ୍ତ୍ୱିକ ବିରୋଧାଭାଷଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରି ଆମର ବୁଝାମଣା ବଢ଼ାଇବାରେ ସାହାଯ୍ୟ କରିପାରିବ । ଉଦାହରଣଭାବରେ ଆମେ ସମୀକ୍ଷାଧୀନ ଉପନ୍ୟାସ ସି ଅଫ୍ ପପିଜ୍’ରୁ ମାତ୍ର ଗୋଟିଏ ଭାତ ଚିପିବା ।

ପ୍ରଥମ ଉପନିବେଶବାଦ ଉପରେ ଲେଖା ଉପନ୍ୟାସମାନଙ୍କ ଭିତରେ ଆମେ ଏକ ଶ୍ରେଣୀବିଭାଗ କରିପାରିବା । ଗୋଟିଏ ଶ୍ରେଣୀ ହେଲା ରୁଡ଼୍ୟାଡ଼୍ କିପ୍ଲିଂଙ୍କର କିମ୍ଭଳି ଉପନ୍ୟାସ ଯାହା ଉପନିବେଶବାଦର ଅପେକ୍ଷାକୃତ ଭଲ ପ୍ରଭାବମାନଙ୍କ ବିଷୟରେ ଆଲୋଚନା କରେ ଏବଂ ଉପନିବେଶବାଦ କିପରି ଏକ ନୂଆ ପ୍ରକାରର ମଣିଷ ତିଆରି କରେ, ତାହା ଦର୍ଶାଏ । ଏହାର ପ୍ରତିପକ୍ଷ ଭାବରେ ଆମେ କନ୍‌ରାଡ଼୍‌ଙ୍କର ଉପନ୍ୟାସ ଦ ହାର୍ଟ୍ ଅଫ୍ ଡାର୍କ୍‌ନେସ୍କୁର୍ଜ୍ ଚରିତ୍ର ଦ୍ୱାରା ଏହି ନୂଆ ମଣିଷ ତିଆରିର ଭିନ୍ନ ଦିଗ ଆମକୁ ଦେଖାଇ ଔପନିବେଶବାଦର ଭୟାବହତା ଦିଗରେ ସତର୍କ କରେ । 

ଔପନିବେଶବାଦ ତଥା ଉତ୍ତର-ଔପନିବେଶବାଦର ବିଷୟରେ ଲିଖିତ ସମାଜତାତ୍ତ୍ୱିକ ଶାସ୍ତ୍ରମାନଙ୍କରେ ଆମେ ଏହି ଦୁଇପ୍ରକାରର ଚରିତ୍ରମାନଙ୍କୁ ବାରମ୍ବାର ଭେଟିବା । ମାତ୍ର ଏମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ କେବେ ମେଣ୍ଟେ ନାହିଁ । ଆମେ ଏହା ଦାବୀ କରିପାରିବା ଯେ ପ୍ରଥମଥର ପାଇଁ ଆମେ ସି ଅଫ୍ ପପିଜ୍ରେ ଏହି ଦ୍ୱନ୍ଦ୍ୱର ସମାଧାନ ଅନେକ ଚରିତ୍ର (ଉଦାହରଣସ୍ୱରୂପ ବାବୁ ନବ୍ କିସିନ୍ ଏବଂ ଆହ୍ ଫାତ୍) ମାନଙ୍କ ଭିତରେ ଦେଖିବାକୁ ପାଇବା

ଦ୍ୱିତୀୟତଃ, ଔପନିବେଶବାଦର କାରଣସ୍ୱରୂପ ଅନେକ ସମୟରେ ଭାରତର ତତ୍କାଳୀନ ରାଜନୈତିକ ବ୍ୟବସ୍ଥାକୁ ଦାୟୀ କରାଯାଏ । ମାତ୍ର ଯେଉଁସବୁ ବହି ଏବଂ ଦସ୍ତାବେଜ୍‌ମାନଙ୍କୁ ନେଇ ଏପରି ଶାସ୍ତ୍ର ଲେଖାଯାଏ, ତାହା ସାଧାରଣତଃ ଗୋରା ଲୋକ (କିମ୍ବା ତାଙ୍କର ଦେଶି ଅନୁଗାମୀ) ମାନଙ୍କ ଦ୍ୱାରା ଲିଖିତ କିମ୍ବା ସଙ୍ଗୃହିତ । ତେଣୁକରି କେବଳ ତଥାକଥିତ ଐତିହାସିକ ଦସ୍ତାବେଜ୍ ବ୍ୟବହାର କରି ପ୍ରାକ୍-ଔପନିବେଶୀୟ ଭାରତର ରାଜନୈତିକ ବ୍ୟବସ୍ଥା ବିଷୟରେ ନିରପେକ୍ଷ ଆଲୋଚନା କରିବା କଷ୍ଟକର ବ୍ୟାପାର ଅଟେ । 

ଆଲୋଚ୍ୟ ଉପନ୍ୟାସର ଚରିତ୍ର ଏବଂ ତାଙ୍କର ବ୍ରିଟିଶ ସାମ୍ରାଜ୍ୟ ସହିତ ସମ୍ପର୍କର ବର୍ଣ୍ଣନା ଦ୍ୱାରା ଅମିତାଭ ଘୋଷ୍ ଆମ ଆଖି ଆଗରେ ସେ ସମୟର (ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର) ରାଜନୈତିକ ଜୀବନର ଏକ ଉଜ୍ଜ୍ୱଳ ଜଳଛବି ଆଙ୍କନ୍ତି । ଏ ପ୍ରକାରର ଚିତ୍ର ନିର୍ମାଣ ବୋଧହୁଏ ଏହିପରି ଉପନ୍ୟାସ ମାଧ୍ୟମରେ ଏବଂ ଏହିପରି ଉପନ୍ୟାସ ମାନଙ୍କର ତାତ୍ତ୍ୱିକ ଆଲୋଚନା ମାଧ୍ୟମରେ ସମ୍ଭବ । 

ଓଡ଼ିଆଭାଷାରେ ଲିଖିତ ଉପନ୍ୟାସମାନଙ୍କରେ ଇତିହାସ ଚେତନାଦେଖିବାକୁ ମିଳେ ସତ । ହେଲେ ସତ ଅର୍ଥରେ କହିବାକୁ ଗଲେ ସି ଅଫ୍ ପପିଜ୍’ ପରି ନୂଆ ଏବଂ ନୂଆ ପ୍ରକାରର ଇତିହାସ ରଚନାର ଦୁଃସାହସ ଦେଖିବାକୁ ମିଳେନାହିଁ । ଏପରି ଦୁଃସାହସ ଆମେ ଯେତେ ଶିଘ୍ର ଏବଂ ଯେତେ ପରିମାଣରେ ଦେଖିବାକୁ ପାଇବା ଆମର ଭାଷା ଓ ରାଜ୍ୟ ପାଇଁ ସେତେ ମଙ୍ଗଳ ।

ଆଲୋଚିତ ବହିଗୁଡ଼ିକ ବିଷୟରେ ସୂଚନା

ଆଣ୍ଡି ରୋୱେଲ, ଜେମସ୍ ମାରିଅଟ୍ ଏବଂ ଲର୍ଣ୍ଣ ଷ୍ଟକମ୍ୟାନ୍ । ୨୦୦୫ । ଦି ନେକ୍‌ଷ୍ଟ୍ ଗଲ୍ଫ୍: ଲଣ୍ଡନ୍, ୱାଶିଂଟନ୍ ଏଣ୍ଡ୍ ଅଏଲ କନ୍‌ଫ୍ଲିକ୍ଟ୍ ଇନ୍ ନାଇଜେରିଆ । ଲଣ୍ଡନ: କନ୍‌‌ଷ୍ଟେବଲ୍ ଏବଂ ରବିନ୍ସନ୍ ଲିମିଟେଡ଼୍ ।

ଅମିତାଭ ଘୋଷ । ୨୦୦୮ । ସି ଅଫ୍ ପପିଜ୍ । ନିଉ ଦିଲ୍ଲୀ: ପେଙ୍ଗୁଇନ୍ ବୁକସ୍ ।

ଟୀକା: ଏହି ଲେଖାଟିର ଏକ ସାମାନ୍ୟ ଭାବରେ ପରିବର୍ତ୍ତିତ ରୂପ ଓଡ଼ିଆ ପାକ୍ଷିକ ପତ୍ରିକା ସମଦୃଷ୍ଟିର ୧୬-୩୧ ଜୁନ୍ ୨୦୧୨ ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । 

No comments:

Post a Comment

The world Ramakanta Samantaray Translated by Sailen Routray Photo credit: A. R. Vasavi I have cut you into tiny pieces with the sharp sword ...