Saturday, June 22, 2024

ଗରିବୀର ମୂଳମଞ୍ଜି

ଶୈଲେନ ରାଉତରାୟ



ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳ, ଯାହାକି ବର୍ତ୍ତମାନ କେବିକେ କ୍ଷେତ୍ର ଭାବରେ ପ୍ରସିଦ୍ଧ, ଅଧୁନା ବିକାଶର ତୀର୍ଥକ୍ଷେତ୍ର ଭାବରେ ଲୋକପ୍ରିୟତା ହାସଲ କରିଛି । ସମାଜଶାସ୍ତ୍ରର ଗବେଷକ ଭାବରେ ହାତ ସଳଖ କରିବା ପାଇଁ ହେଉ କିମ୍ବା ଡେଭେଲପ୍‌ମେଣ୍ଟ୍ ଜର୍ନାଲିଜିମ୍ କ୍ଷେତ୍ରରେ ନିଜର ପତାକା ପୋତିବା ପାଇଁ ହେଉ, ଏସବୁ ନିମନ୍ତେ ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳ, ବିଶେଷତଃ ଅବିଭକ୍ତ କଳାହାଣ୍ଡି ଜିଲ୍ଲା, ଏକ ପ୍ରଶସ୍ତ ଭୂମି । 

ବିଶେଷତଃ ଇଂରାଜୀ ଭାଷାରେ ହେଉଥିବା ସାମ୍ବାଦିକତା ଓ ଗବେଷଣାତ୍ମକ ଲେଖାରେ କଳାହାଣ୍ଡିର ପରିଚିତି ହେଲା ଭୋକ ଓ ଅନାହାରର ଭୂମି ଭାବରେ । ଏହି ପ୍ରକାରର ଅଧିକାଂଶ ଲେଖାଲେଖି କଳାହାଣ୍ଡି ଓ କେବିକେ କ୍ଷେତ୍ରରେ ଜନଜୀବନ ଓ ଜନସଂସ୍କୃତିର ବିବିଧତା ଓ ବୈଚିତ୍ର୍ୟକୁ ଏଡେ଼ଇ ଯାଆନ୍ତି । ବର୍ତ୍ତମାନର ଅଣ-ବିକାଶର ଚେର ଖୋଜିଯାଇ ଏହି ଆଲୋଚନାମାନ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ଭାରତୀୟ ରାଷ୍ଟ୍ର ବ୍ୟବସ୍ଥାର ବିଫଳତା ପାଖରେ ହିଁ ଅଟକି ଯାଆନ୍ତି ।

ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଫଣିନ୍ଦମ୍ ଦେଓଙ୍କର ବହି ‘ରୁଟସ୍ ଅଫ୍ ପଭର୍ଟି’ ଏକ ଉପାଦେୟ ଅବଦାନ । ଲେଖକ କଳାହାଣ୍ଡି ଓ ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳର ବର୍ତ୍ତମାନର ସାମାଜିକ ଅବସ୍ଥା ଓ ବ୍ୟବସ୍ଥାକୁ ଏକ ସାମାଜିକ ପରିପ୍ରେକ୍ଷୀରେ ଦେଖିବାକୁ ଚେଷ୍ଟା କରନ୍ତି । ଓଡ଼ିଶାର ଏହି ଅଞ୍ଚଳର ଜିଲ୍ଲାଗୁଡ଼ିକ ଆଦିବାସୀ ବହୁଳ । ତେଣୁକରି ସେ ଏହି ଅଞ୍ଚଳର ସାମାଜିକ ସୂତ୍ରରେ ଆଦିବାସୀ ସମାଜର ବାହ୍ୟ ସମାଜ ସହିତ ସମ୍ପର୍କ, ବାହ୍ୟ ସମାଜ ବ୍ୟବସ୍ଥାର ଆଦିବାସୀ ସମାଜ ମଧ୍ୟରେ ଅନୁପ୍ରବେଶ ତଥା ବିଭିନ୍ନ ଆଦିବାସୀ ଗୋଷ୍ଠୀର ଏହି ଅନୁପ୍ରବେଶ ପ୍ରତି ଭିନ୍ନ ଭିନ୍ନ ପ୍ରକ୍ରିୟାର ପ୍ରତିକ୍ରିୟାରେ ଦେଖନ୍ତି ଏବଂ ଏହି ଜଟିଳ ପ୍ରକ୍ରିୟାର ଏକ ମାନଚିତ୍ର ଆମ ପାଇଁ ଆଙ୍କନ୍ତି ।

ଲେଖକଙ୍କ ମତ ଅନୁସାରେ ଏହି ଅଞ୍ଚଳ, ବ୍ରିଟିଶ ଔପନିବେଶବାଦର ଅନୁପ୍ରବେଶ ପର୍ଯ୍ୟନ୍ତ ଆଦିବାସୀ ବହୁଳ ଥିଲା । ଏହି ଆଦିବାସୀ ସମାଜମାନଙ୍କର ସମାଜବ୍ୟବସ୍ଥା ସାଧାରଣଭାବରେ ଦେଖିବାକୁ ଗଲେ ଲୋକଧର୍ମୀ ଥିଲା । ମାତ୍ର ଖ୍ରୀଷ୍ଟାବ୍ଦ ଏକାଦଶ ଶତାବ୍ଦୀ ବେଳକୁ ଏହି ଅଞ୍ଚଳରେ ରାଷ୍ଟ୍ର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଆଞ୍ଚଳିକ ସ୍ତରରେ ଭଞ୍ଜ, ନାଗ, ଚୋଡ଼, କାଳଚୁରୀ, ସୋମବଂଶୀ ଇତ୍ୟାଦି ବଂଶର ରାଜାମାନେ ଶାସନ କରୁଥିଲେ ହେଁ ସ୍ଥାନୀୟ ସ୍ତରରେ ଆଦିବାସୀ ବର୍ଚ୍ଚସ୍ୱ ଅକ୍ଷୁର୍ଣ୍ଣ ଥିଲା । ଉପକୂଳବର୍ତ୍ତୀ ଓଡ଼ିଶା ଆଫଗାନ୍ ଶାସନାଧିନ ହେବାଠାରୁ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ସ୍ଥାନୀୟ ଶାସକମାନେ ସ୍ୱାଧୀନ ହେବାର ଚେଷ୍ଟା କରିବାକୁ ଲାଗିଲେ ଏବଂ କେତେକାଂଶରେ ସଫଳ ମଧ୍ୟ ହେଲେ । 

ନାନା ପ୍ରକାରର ବଂଶାବଳୀ ତଥା ଅନ୍ୟ ପ୍ରକାରର ପୋଥିମାନଙ୍କରୁ ଆହୂତ ତଥ୍ୟର ଭିତ୍ତିରେ ଶ୍ରୀ ଦେଓ ଯୁକ୍ତି କରନ୍ତି ଯେ ଏହି ରାଜବଂଶମାନେ ନିଜକୁ ଚୌହାନ ଓ ନାଗବଂଶଜ ଇତ୍ୟାଦି ଦାବୀ କରୁଥିଲେ ମଧ୍ୟ ଏମାନଙ୍କର ଉତ୍ପତ୍ତି ମୂଳତଃ ସ୍ଥାନୀୟ । ମାତ୍ର ସପ୍ତଦଶ ଶତାବ୍ଦୀରେ ଯେତେବେଳେ ଏହି ରାଜ ପରିବାରମାନେ ନିଜର କ୍ଷମତାବୃଦ୍ଧି ପାଇଁ ଯୋଡ଼ତୋଡ଼ ଆରମ୍ଭ କଲେ, ସେତେବେଳେ ସେମାନେ ନିଜର ଶାସନକୁ ତତ୍କାଳୀନ ବ୍ୟବସ୍ଥା ଅନୁସାରେ ନ୍ୟାୟସଙ୍ଗତ କରିବା ପାଇଁ ବ୍ରାହ୍ମଣ ଆବାହନ ଓ ବ୍ରାହ୍ମଣ ପୋଷଣର କାର୍ଯ୍ୟକ୍ରମ ଆରମ୍ଭ କଲେ । ଏହା ସହିତ ଶାସନ କାର୍ଯ୍ୟରେ ସହଯୋଗ କରିବାପାଇଁ କରଣ ଜାତିର ଲୋକେ, ପୁଲିସ ପ୍ରଶାସନର ସାହାଯ୍ୟ କରିବା ପାଇଁ ମୁସଲମାନ, ଉନ୍ନତ ଚାଷ କରିବାପାଇଁ କୁଲଥା ଇତ୍ୟାଦି ଜାତିର ଲୋକମାନଙ୍କର ଆମଦାନୀ ମଧ୍ୟ ରାଜାମାନେ କରିବାକୁ ଲାଗିଲେ । 

ଊନବିଂଶ ଶତାବ୍ଦୀରେ ଏହି ରାଜାମାନେ ବ୍ରିଟିଶସାମ୍ରାଜ୍ୟର ସାର୍ବଭୌମତା ଅଧିନରେ ଆସିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ବିଶେଷ ଜୋର ଧରିନଥିଲା । ମାତ୍ର ଏହି ରାଜାମାନଙ୍କ ଉପରେ ଥରେ ବ୍ରିଟିଶ ସାର୍ବଭୌମତ୍ୱ ପ୍ରତିଷ୍ଠା ହେଲା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲା । ଏହି ସମୟ ପର୍ଯ୍ୟନ୍ତ ରାଜାମାନଙ୍କର ରାଜନୈତିକ କ୍ଷମତା ବହୁଳାଂଶରେ ସ୍ଥାନୀୟ ଆଦିବାସୀସମାଜର ରାଜନୈତିକ ଓ ସାମାଜିକ ଢାଞ୍ଚା ଉପରେ ଆଧାରିତ ଥିଲା । ତେଣୁ ଆଦିବାସୀମାନଙ୍କର ଅଧିକାର ଓ ଦାବୀ ପ୍ରତି ବୋଧହୁଏ ସ୍ଥାନୀୟ ରାଜାମାନଙ୍କୁ ଧ୍ୟାନ ଦେବାକୁ ପଡ଼ୁଥିଲା । 

ମାତ୍ର ଭାରତରେ ବ୍ରିଟିଶ ସାର୍ବଭୌମତ୍ୱ ପ୍ରତିଷ୍ଠିତ ହେଲା ପରେ ରାଜାମାନଙ୍କୁ କ୍ଷମତାର ଆଉ ଏକ ଅସରନ୍ତି ଉତ୍ସ ମିଳିଗଲା, ତାହା ହେଲେ ବ୍ରିଟିଶ ବନ୍ଧୁକ ଓ ତୋପ । ତେଣୁକରି ରାଜାମାନଙ୍କର ସ୍ୱେଚ୍ଛାଚାର ଓ ଅଞ୍ଚଳ ବାହାରର ଜାତିମାନଙ୍କର ବହୁସଙ୍ଖ୍ୟାରେ ଆଗମନ ଓ ଆଦିବାସୀ ସମାଜ ଉପରେ ତାହାର ଚାପ ବଢ଼ିବାରେ ଲାଗିଲା । ୧୮୮୨ ମସିହାର କନ୍ଧ ମେଳିକୁ ଆମେ ଏହି ପ୍ରକ୍ରିୟା ବିରୁଦ୍ଧରେ ଏକ ପ୍ରତିକ୍ରିୟା ଭାବରେ ନେଇପାରିବା । କନ୍ଧମାନଙ୍କ ଛଡ଼ା ଗଣ୍ଡ ଓ ବିନ୍‌ଝାର ମାନେ ମଧ୍ୟ ଠାଆକୁ ଠାଆ ଏହି ସମୟରେ ମେଳି ବାନ୍ଧିଲେ । ମାତ୍ର ସଙ୍ଖ୍ୟାରେ କମ୍ ହୋଇଥିବାରୁ ଭୁଞ୍ଜିଆ ଓ ପହରିଆମାନେ ଧିରେ ଧିରେ ବାହ୍ୟ ସମାଜଠାରୁ ଦୂରେଇ ଯାଇ ନିଜର ସମାଜ ଓ ଜୀବନଶୈଳୀକୁ ରକ୍ଷା କରିବା ପାଇଁ ଚେଷ୍ଟା କଲେ । 

ତେଣୁକରି ଶ୍ରୀ ଦେଓ ଏହି ଅଞ୍ଚଳର ଦାରିଦ୍ର୍ୟକୁ ଆଦିବାସୀ ସମାଜ, ସଂସ୍କୃତି ତଥା ରାଜନୈତିକ ବ୍ୟବସ୍ଥାର ବଞ୍ଚିତକରଣକୁ ହିଁ ଦାରିଦ୍ର୍ୟର ଚେର ବୋଲି ଦେଖନ୍ତି । ଶିକ୍ଷା, ଜଳସେଚନ ଇତ୍ୟାଦି କିଛି ମାତ୍ରାରେ ସାହାଯ୍ୟ କରିପାରେ, ମାତ୍ର ଏହି ବହିର ଲେଖକଙ୍କ ମତରେ ଏସବୁ ବ୍ୟାଣ୍ଡ୍ଏଡ଼୍ ମାତ୍ର । ସମସ୍ୟାର ଅସଲ ଓ ଢାଞ୍ଚାଗତ ଚେର ଯାଇ ଇତିହାସର ସାମାଜିକ ଓ ରାଜନୈତିକ ପ୍ରକ୍ରିୟାଗୁଡ଼ିକରେ ।  ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଦାରିଦ୍ର୍ୟ ଓ କ୍ଷୁଧାକୁ ନେଇ ହେଉଥିବା ଆଲୋଚନାରେ ଏହି ବହିଟି ଏକ ଆବଶ୍ୟକୀୟ ଐତିହାସିକ ଆଙ୍ଗିକ ଯୋଡ଼ିଦିଏ । ଏଥିଲାଗି ଶ୍ରୀଯୁକ୍ତ ଦେଓ ଆମର ଧନ୍ୟବାଦର ପାତ୍ର । 

ବହି ବିଷୟରେ ସୂଚନା: ଫଣିନ୍ଦମ ଦେଓ । ୨୦୦୯ । ରୁଟ୍ସ୍ ଅଫ୍ ପଭର୍ଟି: ଏ ସୋସିଆଲ୍ ହିଷ୍ଟ୍ରି । ଭୁବନେଶ୍ୱର: ଆମାଦିଉସ୍ ପ୍ରେସ୍ ।

ଟୀକା: ଏହି ସମୀକ୍ଷାଟି ପ୍ରଥମେ ଏକ ସାମାନ୍ୟ ଭ‌ିନ୍ନ ରୂପରେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା ।

No comments:

Post a Comment

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...