ପୁରୁଣା ବସ୍ଷ୍ଟାଣ୍ଡ୍
ଶୈଲେନ ରାଉତରାୟ
“ଏଇଟା ବୋଧେ ଛୁରିଆନା ।“
ସାଇକେଲ ମାର୍କା ବିଡ଼ିରୁ ଶେଷ ଦମ୍ ନେଇ, ତଳେ ଫୋପାଡ଼ି, ଦଳିଲା ବେଳେ ଶଶି ଭାଇ କହୁଚନ୍ତି ।
ରାତି ନଅଟା ? ନା ସାଢ଼େ ନଅଟା ? ଆଜି ପୁରୁଣା ବସ୍ଷ୍ଟାଣ୍ଡ୍ ଖଟିରେ ଗହଳି ନାହିଁ । ଗହଳି ନାହିଁ କଅଣ, କେହି ବି ନାହାନ୍ତି ।
କଲ୍ୟାଣ ଭାଇ, ଯିଏ ଖଟିକୁ ସନ୍ଧ୍ୟାରେ ନ ଆସିଲେ ଲାଗେ କାଲି ଭୋରରେ ସୂର୍ଯ୍ୟ ଉଇଁବ ନାହିଁ, ସେ ବି ଆସି ନାହାନ୍ତି । ହେଲେ ସୂର୍ଯ୍ୟ ତ କାଲି ସକାଳେ ପୁଣି ଉଇଁବ । ମୁଁ ଜାଣିବାରେ ତ ତାଙ୍କର କୁଆଡ଼େ ଆଉ ବାହାରକୁ ଯିବାର ନଥିଲା । ସେ ବୋଧହୁଏ ଆଗୁଆ ଆସି ଚାଲିଯାଇଥିବେ । କେଉଁଠି ବାହାଘରିଆ କି ବହି ଉନ୍ମୋଚନ ଭୋଜି ଥିବ ।
“ବନ୍ଧୁ କୁଆଡ଼େ ହଜିଗଲ ?” କହି ଶଶି ଭାଇ ମୋତେ ହଲେଇ ଦେଉଚନ୍ତି । ତାଙ୍କ ଡାହାଣ ହାତ ତର୍ଜନୀ ଆଙ୍ଗୁଠିରେ ପିନ୍ଧିଚନ୍ତି ଗୋଟେ ମୋଟା ବଳା ଭଳିଆ ମୁଦି । ତା’ ମୁଣ୍ଡରେ ଗୋଟେ ଚକଚକ କରୁଥିବା କଳା ପଥର । ତାଙ୍କ ଦେହରେ ଖାଲି ଏଇ ଗୋଟିଏ ବୋଲି ଅଳଙ୍କାର । ଆଉ କେବେ କିଛି ପିନ୍ଧିବାର ମୁଁ ଦେଖିନି ।
ମୁଁ ମୁଣ୍ଡ ଟେକି ଗଛକୁ ଅନଉଚି । ବିଶାଳ ଦୃମ । ପତ୍ର ଗହଳ । ଫୁଲରେ ନାଛି ହେଇଚି । ମଳିଆସିଆ ଧଳା ରଙ୍ଗର ଫୁଲ ।
“ଭୁବନେଶ୍ୱରରେ ଏଇ ଗଛ ଆଗରୁ ଅନେକ ଆଡ଼େ ଥିଲାନା ?”
“ହଁ ।“
“ଆଜି ଫୁଲ ଫୁଟିଚି । ଆଉ ଏତେ ସମୟ ମୁଁ ୟା ତଳେ ଠିଆ ହେଇଚି ।“
“ଆଉ ତମ ନାକ ବି ବିନା ଥଣ୍ଡାରେ ଖୋଲା ଅଛି ।“ ମୁଁ ଗଭୀର ନିଶ୍ୱାସ ଫଁଫଁ ନେବାର ଦେଖି ସେ କହୁଚନ୍ତି ।
ମୁଁ ହସି ଦଉଚି । ସତ କଥା । ଏଇ ସପ୍ତାହଟା ସାରା ମୋ’ ନାକ ଖୋଲା ଅଛି ।
ଆଉ ଖୋଲା ଅଛି ଶଶି ଭାଇଙ୍କ ପୁରା ହାତ ଚାଇନିଜ୍ କଲାର ସାର୍ଟ୍ର ଉପରଆଡ଼ୁ ପ୍ରଥମ ଚାରିଟାଯାକ ବୋତାମ । ତଳଆଡ଼ୁ ପ୍ରଥମ ଖୋଲା ବୋତାମଟାକୁ ବନ୍ଦ କରିଦେଇ ମୁଁ କହୁଚି, “ଆପଣ ସମସ୍ତଙ୍କ ନାଁରେ କବିତା ଲେଖି ସାରିଲେଣି । ମୁଁ କେବେ ଅମର ହେବି ?”
“ରୁହ । ତୁମ ଉପରେ କାବ୍ୟ ଲେଖିବି ।“
“ବଦ୍ଧ ଗାଲୁଆ ଆପଣ । ଆଠ ଧାଡ଼ିର କବିତା ଲେଖୁନାହାନ୍ତି ମୋ’ ଉପରେ । କଅଣ ନା କାବ୍ୟ ଲେଖା ହେବ ।“
“ଆରେ ସତରେ ।“
“ହଉ ।“
ବୋତାମ ବନ୍ଦ କଲାବେଳେ ମୋ ବାଁ ହାତର ବୁଢ଼ା ଆଙ୍ଗୁଠି ବାଜୁଚି ତାଙ୍କ ସବା ତଳ ପିଞ୍ଜରା ହାଡ଼ରେ ଗଢ଼ା ଇଂରାଜୀ “ଏ”ରେ । ଯେଉଁଠି ଛାତିର ଫୁଲା ଆଉ ପେଟର ସପାଟ୍ ଗାଡ଼ ଆରମ୍ଭ ।
ଶଶି ଭାଇ କବି କି ସ୍ଥପତି ହୋଇନଥିଲେ ସହଜରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ହିରୋ ହେଇପାରିଥାଆନ୍ତେ ।
ମୋ’ ବୁଢ଼ା ଆଙ୍ଗୁଠି ଯେତିକି ସମୟ ଛାତିରେ ଲାଗିବା କଥା, ତା’ଠୁଁ ଟିକେ ବେଶି, କ୍ଷଣକର ଭଗ୍ନାଂଶଟିଏ ବୋଧେ, ଲାଗି ରହୁଚି । ବାଁ ପଟରେ ଖାଲି ପ୍ରଭାତର ରୋଲ୍ ଆଉ ଚାଇନିଜ୍ ଦୋକାନ ଖୋଲା ଅଛି ।
ସେଠୁ କାଉଣ୍ଟରରେ ସଲିମ୍ ଆମକୁ ଚାହିଁଚି । ଚାହୁଁ । ସେ ଶଶି ଭାଇଙ୍କୁ ଲାଇନ୍ ମାରେ । ଏବେ ଜଳୁଥିବ । ଜଳୁ ।
ଆଜି ଖାଲି ପ୍ରଭାତ ରୋଲ୍ ଦୋକାନ ଖୋଲା, ଆଉ ମୋ’ ଡାହାଣ ପଟେ ଆଫ୍ତାବ୍ର ବ୍ୟାଗ୍ ତିଆରି ଓ ମରାମତି ଦୋକାନ । ଆଫ୍ତାବ୍ ବି ଦୋକାନ ବନ୍ଦ କରି ଏବେ ତା’ ଗାଡ଼ି ପାଖରେ । ସେ ମୋ ଆଡ଼କୁ ଅନେଇଚି ।
ମୁଁ ଅନଉଚି ଆଉ ଥରେ ଉପରକୁ । ଜହ୍ନ ଆହୁରି ଟିକିଏ ଆକାଶକୁ ଉଠିଲାଣି । ଦୁଇଟା ଡାଳର ଫାଙ୍କରେ ଏବେ ଟିକେ ସ୍ପଷ୍ଟ ଦିଶୁଚି । ମୁଁ ଆଖି ବନ୍ଦ କରୁଚି ।
“ରତି” - ଖାଲି ଶଶି ଭାଇ ହିଁ ମୋତେ ରତି ଡାକନ୍ତି, “ତମେ ଝିଅଟିଏ ହୋଇଥିଲେ ମୁଁ ତମକୁ ବାହା ହେଇଯାଇ ଥାଆନ୍ତି ।“
ଛୁରିଆନା ଖୁବ୍ ଜୋରରେ ବାସୁଚି । ନା ଏଇଟା ଜହ୍ନର ବାସ୍ନା ? ଯାହାର ହେଉ । ବାସୁ ।
ଟୀକା: ଏହି ମିନିଗପଟି ପ୍ରଥମେ ଦୈନିକ ପ୍ରମେୟ ଖବରକାଗଜର ୧ ସେପ୍ଟେମ୍ବର, ୨୦୨୪ରେ ପ୍ରକାଶିତ ରବିବାସରୀୟ ସାହିତ୍ୟ ପୃଷ୍ଠାରେ ଛପା ହୋଇଥିଲା ।
No comments:
Post a Comment