Friday, November 22, 2024

ଜଣେ ବାପା ଓ ତାଙ୍କ ପୁଅମାନେ

ଶୈଲେନ ରାଉତରାୟ


ଚୈନିକ ଚିତ୍ର 'ଖେଳୁଥିବା ପିଲେ'-୧୧୫୦ ମସିହା
ରେଶମ ଉପରେ କାଳି ଓ ରଙ୍ଗ
ଚୈନିକ ଜାତୀୟ ସରକାରର ସଙ୍ଗ୍ରହ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ମନ୍ମଥନାଥ କୁଣ୍ଡୁଙ୍କ ଜନ୍ମ ୧୯୪୫ ମସିହାର ଡିସେମ୍ବର ମାସରେ, ଗଡ଼ଜାତିଆ ମୟୁରଭଞ୍ଜରେ । ଓଡ଼ିଶାରେ ଉତ୍ତର-ସ୍ୱାଧୀନତାର ଶିକ୍ଷାର ଇତିହାସ କେବେ ଲେଖାଗଲେ ତାହା ତାଙ୍କ ବିନା ଅପୂର୍ଣ୍ଣ ରହିବ । ଓଡ଼ିଶାରେ ପଛୁଆ ବର୍ଗର ଶିକ୍ଷା ଓ ଇଂରାଜୀ ଶିକ୍ଷା ପାଇଁ ତାଙ୍କର ଅବଦାନ ନିମନ୍ତେ ସେ ଜଣାଶୁଣା । 

ସବୁ ଭଲ ଗବେଷକଙ୍କ ଭଳି ତାଙ୍କର ଜୀବନ ଓ ଜୀବିକା ଭିତରେ ଅନେକ ସମୟରେ କିଛି ବିଶେଷ ତଫାତ ନାହିଁ । ୧୯୮୬ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ନିଜ ସାନପୁଅ କିଟି ଉପରେ ଗବେଷଣା କରୁଥିଲେ । ସେଥି ଉପରେ ଆଧିରିତ ଏକ ପ୍ରବନ୍ଧ ବ୍ରିଟିଶ କାଉନସିଲ ଜର୍ଣ୍ଣାଲରେ ୧୯୯୦ ମସିହାରେ ପ୍ରକାଶିତ ମଧ୍ୟ ହୋଇଥିଲା । ଏବେ ସେହି ଅନୁଭୂତି ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ବୃହତ୍ତର କାମକୁ ନେଇ ଓଡ଼ିଆରେ ଗୋଟେ ବହି ‘ଆମ ଛାତ୍ରଛାତ୍ରୀ ବନାମ ଆମେ ଓ ଆମ ସ୍କୁଲ’ ଶୀର୍ଷକରେ ଶିକ୍ଷାସନ୍ଧାନ ଦ୍ୱାରା ଛପାଯାଇଅଛି ।

ଥରେ କିଟିକୁ ଅଢ଼େଇ ବର୍ଷ ଖଣ୍ଡେ ହୋଇଥିବ । ପିଲାଟିକୁ ଥଣ୍ଡାକାଶ ହୋଇଥିଲା । ଇଆଡ଼େ ବାପା ଘିନିଆସିଲେ କଦଳୀ ଫେଣା । କିଟି କଦଳୀ ଖାଇବା ଆରମ୍ଭ କଲା । ତ ମନ୍ମଥ ବାବୁ କଦଳୀ ଫେଣାକୁ ନେଲେ । ଉଚ୍ଚା ଗୋଟିଏ ଥାକରେ ରଖି ଦେଲେ । ଏଣେ କିଟୁ ବାବୁ କଦଳୀ ଖାଇ, ଡିଆଁଡିଇଁ କରି ଆସିଲେ । କଦଳୀ ଖୋଜି ନ ପାଇଲେ । 

ପୁଅକୁ ବୁଝାଇବା ପାଇଁ ମନ୍ମଥ ବାବୁ କହିଲେ ଯେ କଦଳୀଗୁଡ଼ିକୁ ମୂଷା ନେଇଯାଇଛି । ଏହି ବ୍ୟାଖ୍ୟାନରେ ରାଜି ହୋଇ କିଟି ବାବୁ ଅଭିନୟ କରି କଦଳୀ ରଖାହୋଇଥିବା ଥାକକୁ ଦେଖାଇ କହିଲେ ଯେ ହଁ ସେ ମୂଷା କଦଳୀକୁ ନେଇ ସେଇ ଥାକରେ ରଖି ଦେଇଛି । 

କିଟି ତ ବାହାରେ ଖେଳୁଥିଲା । ଜାଣିଲା କେମିତି ? ଅନ୍ୟାନ୍ୟ ଅନେକ ନିଷିଦ୍ଧ ଜିନିଷ ମଧ୍ୟ ସେଇ ଥାକରୁ କଢ଼ା ହୋଇଥିବ । କିଟି ବାବୁ ଲକ୍ଷ୍ୟ କରିଥିବେ । ବାପାଙ୍କ ମିଛ ଧରାପଡ଼ିଲାଠୁଁ ବାପା ଏଥରକ ମୂଷା ବନିଲେ ।

ଥରେ କୁଣ୍ଡୁ ବାବୁ ସପରିବାର ନିଜ ସାନ ଭାଇଙ୍କର ପିଲାପିଚିକାଙ୍କ ସହିତ ନିଜ ଗାଁ ମଙ୍ଗଳପୁର ଯାଉଥାଆନ୍ତି ଗୋଟିଏ ମୂର୍ତିଖିଆରେ । ଆଉ କିଛି ବାହନ ନ ପାଇ ଗୋଟିଏ ଟ୍ରଲି ରେକେସାରେ ଯାଉଥାନ୍ତି ସମସ୍ତେ । ରେକେସାରେ ଲଟକିଥିବା ପାଣି ବୋତଲ ଦୁଇଟି ପରସ୍ପର ସହିତ ବାଜି ଶବଦ ବାହାରୁଥାଏ । 

କିଟି ବାବୁ ବାଟରେ କହିଲେ ଯେ, "ବାବା ଦେଖ ପାଣି ବୋତଲ ଦୁଇଟି ପରସ୍ପର ସହିତ କଥାବାର୍ତ୍ତା ହେଉଛନ୍ତି ‌।" କୁଣ୍ଡୁ ବାବୁ ତହିଁକି ପଚାରିଲେ, "ତ ସେମାନେ କଅଣ କଥା କହୁଛନ୍ତି କହ ।" କିଟି ନିରିଖେଇକରି ଶୁଣି କହିଲା ଯେ, "ଜଣେ ଆରଜଣଙ୍କ ପାଖରେ କେତେ ପାଣି ଅଛି ସେ ବିଷୟରେ ପଚାରୁଛି ।"

କୁଣ୍ଡୁ ବାବୁ କୁହନ୍ତି ଯେ ଇଂଲଣ୍ଡ ଆମେରିକାର ପିଲାଙ୍କ ତୁଳନାରେ ଆମ ଦେଶର ପିଲାମାନେ ଅତ୍ୟନ୍ତ ଚତୁର ଓ ତାଙ୍କର ବୟସ ଅନୁସାରେ ଅଧିକ ପ୍ରାଜ୍ଞ । କାରଣ ହେଲା କି ଆମର ପିଲାମାନେ ବଡ଼ ବଡ଼ ପରିବାରମାନଙ୍କରେ ବଢ଼ନ୍ତି । ତାଙ୍କୁ ବିଭିନ୍ନ ପ୍ରକାରର ଲୋକମାନଙ୍କ ସହିତ କଥା ହେବାର, ଶୁଣିବାର ସୁଯୋଗ ମିଳେ । ଗରମ ଦେଶ ହୋଇଥିବାରୁ ବାହାରେ ସମୟ ବିତାଇବାର ଅନେକ ସୁବିଧା ମଧ୍ୟ ଅଛି । ଏହି ସବୁ ଫଳରେ ପିଲାମାନଙ୍କର ଶୈଶବରେ ଅନେକ ବୌଦ୍ଧିକ ବିକାଶ ଘଟିଥାଏ । 

ମାତ୍ର ପରେ ଭାରତୀୟ ବିଦ୍ୟାଳୟଗୁଡ଼ିକରେ ଘଟୁଥିବା ନାନା ଛାତ୍ରବିରୋଧି ଓ ଶିକ୍ଷାବିରୋଧି କାଣ୍ଡ କାରଖାନା ଯୋଗୁଁ ପିଲାମାନେ କାଉନ୍ଦା ହେବା ଆରମ୍ଭ କରନ୍ତି । ଏହା ପାଶ୍ଚାତ୍ୟ ପିଲାମାନଙ୍କର ଅନୁଭୂତିର ପୂରା ଓଲଟା । ସେଠାରେ ଘରେ ପିଲାଙ୍କ ପାଖରେ କେବଳ ବାପା ଓ ମାଆ । ସେମାନେ ପୁଣି ଘରେ ପ୍ରାୟ ନଥାଆନ୍ତି । ପିଲା ଘରେ ଓ ପଡ଼ିଶାରେ ବହୁତ ଅଳ୍ପ ଲୋକଙ୍କ ସଂସ୍ପର୍ଶରେ ଆସେ । 

ଏଣୁ ଶୈଶବରେ ତାହାର ବୌଦ୍ଧିକ ବିକାଶ ସେତେ ବେଶି ହୋଇପାରେ ନାହିଁ । ମାତ୍ର ଥରେ ଇସ୍କୁଲ ଯିବା ଆରମ୍ଭ କଲେ, ସେ ବିଦ୍ୟାଳୟର ଶିଶୁକୈନ୍ଦ୍ରିକ ବୈଜ୍ଞାନିକ ଶିକ୍ଷା ପ୍ରଣାଳୀରୁ ଅନେକ କିଛି ଶିକ୍ଷାଲାଭ କରି ତାହାର ତଡ଼ିତ ମାନସିକ ବିକାଶ ଘଟେ । ହେଲେ ଆମ ପିଲାଏ ଇସ୍କୁଲରେ ହିଁ ମାଡ଼ ଖାଇ ଯାଆନ୍ତି ।

ଥରେ କିଟିକୁ କୁଣ୍ଡୁ ସାରେ ଭୂଗୋଳ ପଢ଼ାଉ ଥାଆନ୍ତି । ପାଠଟି ଥାଏ ଚଣ୍ଡିଗଡ଼ଠାରେ ନେକଚନ୍ଦ ବର୍ଯ୍ୟବସ୍ତୁରୁ ତିଆରି କରିଥିବା ପ୍ରସ୍ତର ଉଦ୍ୟାନ ବିଷୟରେ । ପାଠ ପଢୁଥିଲା ବେଳେ ମନ୍ମଥବାବୁଙ୍କର ମନେ ପଡ଼ିଲା ଯେ କିଛି ଦିନ ତଳେ ଟେଲିଗ୍ରାଫ ଖବର କାଗଜରେ ନେକଚନ୍ଦଙ୍କର ଆଲୋକଚିତ୍ର ସହ ଏକ ଛୋଟ ଆଲେଖ୍ୟ ପ୍ରକାଶିତ ହୋଇଥିଲା । 

ତ ଲେ ବାପପୁଅ ଲାଗିଗଲେ ଲେଖା ଖୋଜାରେ । ଲେଖାଟି ଖୋଜା ହୋଇ ପେନସିଲ ବାକୁସରେ ସାଇତା ହେଲା । କିଟି ଯୋଜନା କରିଥାଏ ଯେ ଭୂଗୋଳ କିଲାସରେ କାଲି ସିଏ ନେକଚନ୍ଦଙ୍କର ଫଟୋ ଦେଖାଇବ । ଓ ସମସ୍ତେ ସେ ଫଟୋ ଓ ଲେଖା ଦେଖିବେ । ତାହା ପର ଦିନ ଯେତେବେଳେ କିଟି ମ୍ୟାଡମଙ୍କୁ ଫଟୋ ଦେଖାଏ, ତା'କୁ ଧମକାଣ ମିଳିଲା । ପାଟି ନ କରିବା ପାଇଁ । ପିଲାଟିର ସବୁ ଉତ୍ସାହ ତରଳି ବହିଗଲା ।

କୁଣ୍ଡୁ ବାବୁ ପିଲାଙ୍କର ଶିକ୍ଷା ପାଇଁ ଗୁରୁତ୍ୱ ଦିଅନ୍ତି । ମାତ୍ର ତା'ଙ୍କୁ ମେଣ୍ଢା ବନାଇ ତଥାକଥିତ ଘୋଷାବଳଦିଆ ଭଲ ଛାତ୍ର ବନାଇବା ପାଇଁ ନୁହେଁ । ଆଜିକାଲି ଯେପରି ମାଆ ପେଟରୁ ବାହାରିବା କ୍ଷଣି ବାପା ମାଆଙ୍କୁ ପିଲା କାନ୍ଧରେ ବେଗେ ଝୁଲେଇ ଇସ୍କୁଲୁ ପଠେଇବା ପାଇଁ ତର ସହୁନି, କୁଣ୍ଡୁ ବାବୁ ନିଜ ପିଲାଙ୍କୁ ସେପରି ପାଳିନଥିଲେ । 

ହେଲେ ଅନେକ ସମୟରେ ଅଭାବେ ସ୍ୱଭାବ ନଷ୍ଟ ହୁଏ । ତାଙ୍କ ବଡ଼ ପୁଅ ପୁପୁକୁ ଇଚ୍ଛା ବିରୁଦ୍ଧରେ ମାତ୍ର ତିନି ବରଷ ବୟସରେ ଇସ୍କୁଲୁରେ ଛାଡ଼ିବାକୁ ପଡ଼ିଲା । କନଭେଣ୍ଟେ ଇସ୍କୁଲୁରେ, ପୁଣି ବୟସ ବଢ଼ାଇ ।

କାରଣ ସରଳ । କୁଣ୍ଡୁ ବାବୁ ଓ ତାଙ୍କର ଧର୍ମପତ୍ନୀ, ଉଭୟ ସେତେବେଳେ ଚାକିରୀ କରୁଥାଆନ୍ତି । ପୁଅକୁ ସାତ ମାସ ହେଲା ବେଳକୁ ଶ୍ରୀମତି କୁଣ୍ଡୁ ଚାକିରୀ କରିବାକୁ ଆରମ୍ଭ କଲେ । ତାହା ପୁଣି କୁଣ୍ଡୁବାବୁଙ୍କ ଠାରୁ ଦେଢ଼ଶ କିଲୋମିଟର ବାଟ । 

ପୁପୁ ବାବୁ ବଢ଼ୁଥାଆନ୍ତି ଚାକରମାନଙ୍କ କୋଳରେ । ଅଧିକାଂଶ ଦିନ ଘରକୁ ଫେରିଲା ବେଳକୁ କେତେବେଳେ ମୁଣ୍ଡ ଫାଟିଥାଏ, ଗୋଡ଼ ଛିଣ୍ଡିଥାଏ, କି ଖିର ବୋତଲ ଭାଙ୍ଗିଯାଇଥିବାରୁ ଶ୍ରୀମାନ କୁଣ୍ଡୁ ରହିଯାଇଥାନ୍ତି ଖାଡ଼ାଖାଡ଼ା ଉପାସ । 

ସରକାରୀ ଇସ୍କୁଲୁରେ ତ ଆଉ ତିନି ଚାରି ବରଷର ପିଲାମାନଙ୍କର ନାଁ ଲେଖାଇ ହବନି । କାହିଁକି ଲେଖେଇ ହବନି, ସରକାରୀ ଇସ୍କୁଲୁରେ ଯେ କାହିଁକି ଆଉ ଶିଶୁ ଶ୍ରେଣୀ ନାହିଁ, ତାହା ଅବଶ୍ୟ ମାଆ ବ୍ରାହ୍ମଣୀ ଜାଣନ୍ତି । ତ ବାଲେଶ୍ୱରର କନଭେଣ୍ଟ ଇସ୍କୁଲୁରେ ପଚରାଉଚରା କରାଗଲା । 

ସେତେବେଳେ ନର୍ସରୀ ନ ଥାଏ । ଆଜିକାଲି ଯାହାକୁ ଏଲ୍.କେ.ଜି. କହୁଛନ୍ତି, ତାହା ମଧ୍ୟ ନଥାଏ । କେଜି କହିଲେ ମାତର ଗୋଟାଏ କିଲାସ । ଏଣୁ ପୁଅର ବୟସ ବଢ଼ାଇ ତା'କୁ ଇସ୍କୁଲୁରେ ଭରତି କରାଗଲା ।

ପ୍ରଥମ ଦିନ ପୁପୁବାବୁଙ୍କୁ ସେ ଗୋଟାଏ ଭଲ ଜାଗାକୁ ଯାଉଚନ୍ତି କହି ଭଣ୍ଡାଇ ଇସ୍କୁଲୁକୁ ନିଆଗଲା । ସବୁ ପିଲାଏ କାନ୍ଦର ପ୍ରତିଯୋଗିତା ଚଲାଇଥାଆନ୍ତି । କୁଣ୍ଡୁ ବାବୁ କାନ୍ଦର ପୁଣି ସଙ୍କ୍ରମଣ ହେବ ବୋଲି ଭାବି ପୁଅକୁ ଝଅଟି ନେଇ ଇସ୍କୁଲୁର ବାରଣ୍ଡାରେ ଥିବା ଗୋଟାଏ ତିନିଚକିଆ ସାଇକେଲରେ ବସାଇ, ସାଇକେଲକୁ ଜଣେ ନନ୍‌ଙ୍କର ଦାୟିତ୍ତ୍ୱରେ ଦେଇ, ଛଅରେ ହରସଉକାର ମାରିଲେ । 

ଚାରି ଘଣ୍ଟାପରେ ଫେରି ପୁଅକୁ ନବାକୁ ଆସିଲା ବେଳକୁ ଦେଖିଲେ ସେ ସାଇକେଲ ଉପରେ କାଷ୍ଠପ୍ରତିମା ସମ ବସିଛି । ବାଆକୁ ଦେଖି ପୁଅ କାନ୍ଦି କାନ୍ଦି ଫେରାଦ ହେଲା ଯେ କାହିଁକି ତା'କୁ ଏପରି ନିର୍ମମ ଜେଗାରେ ଛାଡ଼ି ଯାଇଥିଲେ ବୋଲି, ଯେଉଁଠି ସେ କାନ୍ଦି କାନ୍ଦି ସିଙ୍ଗାଣି ବୁହାଇଦେଲେ ବି ତା'ର ଲୁହ ପୋଛିବା ପାଇଁ କେହି ନାହାନ୍ତି ।

ଏ କେବଳ ପୁପୁର ଅନୁଭୂତି ନୁହେଁ । କାହିଁକି ଆମର ପିଲାମାନେ ଇସ୍କୁଲୁ ଯିବାକୁ ଏତେ ଅମଙ୍ଗ? କେବେ ବିଦ୍ୟାଳୟ ଗୁଡ଼ିକ ଡରଭୟର ଜେଗା ନ ହୋଇ ଆନନ୍ଦର, ଶିକ୍ଷାର ସ୍ଥାନ ବନିବ? କେବେ ଶିକ୍ଷକମାନେ ପିଲାଙ୍କର ଲୁହ ଓ ସିଙ୍ଗାଣି ନିଜର ପିଲା ଭାବି ପୋଛିଦେବେ? 

ଟୀକା: ଏହି ଲେଖାଟିର ଉପାଦନ ମନ୍ମଥନାଥ କୁଣ୍ଡୁଙ୍କ ଦ୍ୱାରା ଲିଖିତ ବହି ‘ଆମ ଛାତ୍ରଛାତ୍ରୀ ବନାମ ଆମେ ଓ ଆମ ସ୍କୁଲ’ରୁ ସଙ୍ଗୃହିତ । ପୁସ୍ତକଟି ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନଙ୍କ ଦ୍ୱାରା ପ୍ରକାଶିତ । ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟିରେ ଛପିଥିଲା । 

No comments:

Post a Comment

Whose purpose is it anyway? Sailen Routray  (This essay reflects on the idea of purpose—whether it is shaped by the self, by society, or by ...