Thursday, May 29, 2025

 ନୀଳକଣ୍ଠଙ୍କର ପୁରୀ ଓ କଟକ ସହରରେ ପାଠପଢ଼ା

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ନୀଳକଣ୍ଠ ଦାସ ୧୮୯୯ ମସିହାରେ ଶ୍ରୀରାମଚନ୍ଦ୍ରପୁରର ମଧ୍ୟ-ଓଡ଼ିଆ ବିଦ୍ୟାଳୟରୁ ପାସ୍ କଲେ । ତାହ ପରେ ସେ ପୁରୀ ଜିଲ୍ଲା ସ୍କୁଲର ସବା ତଳ ଶ୍ରେଣୀରେ ନାମ ଲେଖାଇଲେ । ଦୁଇ ବର୍ଷର ଶେଷ ବେଳକୁ ସେହି ସ୍କୁଲରେ ସେ ସେତେବେଳର ଚତୁର୍ଥ ଶ୍ରେଣୀ ଅର୍ଥାତ୍ ଏବର ଅଷ୍ଟମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ । 

ତାଙ୍କ ପୂର୍ବରୁ ଯେଉଁମାନେ ଜିଲ୍ଲା ସ୍କୁଲରେ ପାଠ ପଢ଼ି ଆସୁଥିଲେ, ସେମାନେ ସେତେବେଳକୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ‘ଉପକ୍ରମଣିକା’ ଶୀର୍ଷକର ସଂସ୍କୃତ ବ୍ୟାକରଣ ବହିଟିର ଓଡ଼ିଆ ଅନୁବାଦକୁ ଧରି ସେହି ଭାଷା ଶିକ୍ଷା ଆରମ୍ଭ କରିସାରିଥିଲେ । ବଙ୍ଗଳା ଅକ୍ଷରରେ ଲେଖା ସଂସ୍କୃତ ବହିସବୁ ପଢ଼ିବା ପାଇଁ ନୀଳକଣ୍ଠ ବଙ୍ଗାକ୍ଷର ଆୟତ୍ତ କରିବାକୁ ମନସ୍ତ କଲେ । ସେଥିଲାଗି ସେ ମାଇକେଲ୍ ମଧୁସୂଦନ ଗ୍ରନ୍ଥାବଳୀ, ବଙ୍କିମ୍‌ଚନ୍ଦ୍ରଙ୍କର ଉପନ୍ୟାସ ତଥା ବସୁମତୀ ପ୍ରେସ୍‌ର ମାସିକ ଉପନ୍ୟାସ ପଢ଼ିବାକୁ ଲାଗିଲେ । 

ଏହା ଫଳରେ ସେ ଶୀଘ୍ର ବଙ୍ଗଳା ପଢ଼ିବା ଆୟତ୍ତ କଲେ । ସେ ମାସକ ଭିତରେ ବ୍ୟାକରଣ କୌମୁଦି (ବିଦ୍ୟାସାଗର ବିରଚିତ) ସାରି ସଂସ୍କୃତ ବ୍ୟାକରଣରେ ପ୍ରବେଶ କଲେ । ହେଲେ ନବମ ଶ୍ରେଣୀକୁ ଉଠିଲା ବେଳକୁ ତାଙ୍କୁ ପ୍ରବଳ ମ୍ୟାଲେରିଆ ହେଲା । ସ୍ୱାସ୍ଥ୍ୟ ଲାଭ ପାଇଁ ନୀଳକଣ୍ଠ ନବମ ଶ୍ରେଣୀରେ କଟକର କଲିଜିଏଟ୍ ସ୍କୁଲରେ ନାମ ଲେଖାଇଲେ । 

ସେତେବେଳେ ରେଭେନ୍ସା କଲେଜ, କଲିଜିଏଟ୍ ସ୍କୁଲ ତଥା ସର୍ଭେ ସ୍କୁଲ୍, ସବୁରି ପାଇଁ ଥିଲା ଗୋଟିଏ ବୋର୍ଡ଼ିଂ । ସେଥିରେ ସେତେବେଳେ ରହୁଥାଆନ୍ତି ଗୋପବନ୍ଧୁ ଦାସ୍, ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଭାବରେ । ସେତେବେଳେ ସେଇ ବୋର୍ଡ଼ିଂର ବହୁଳାଂଶ ଅନ୍ତେବାସୀ ଥିଲେ ବଙ୍ଗଭାଷୀ ଛାତ୍ର । ନୀଳକଣ୍ଠ ଏହି ଛାତ୍ରାବାସରେ ତିଷ୍ଠି ରହନ୍ତି କେବଳ ଦାସେ ଆପଣଙ୍କର ସୌହାର୍ଦ୍ଦ୍ୟ ଓ ସାହଚର୍ଯ୍ୟ ଯୋଗୁଁ । 

ରେଭେନ୍ସା କଲିଜିଏଟ୍ ସ୍କୁଲର ପ୍ରିନ୍ସିପାଲ୍ ଥିଲେ ବି. ଭି. ଗୁପ୍ତା ଓ ସହକାରୀ ପ୍ରଧାନଶିକ୍ଷକ ଥିଲେ ସୁରେଶଚନ୍ଦ୍ର ଗୁପ୍ତା । ଏହା ଛଡ଼ା ମୋହିନୀମୋହନ ଚୌଧୁରୀ ତଥା ଅରବିନ୍ଦ ପ୍ରକାଶ ଘୋଷ ଆଦି ଶିକ୍ଷକମାନେ ସେ ସମୟରେ କଲିଜିଏଟ୍ ସ୍କୁଲରେ ଶିକ୍ଷକତା କରୁଥାନ୍ତି । ଚିତ୍ରାଙ୍କନ ଶିଖାଉଥା’ନ୍ତି ସୁନ୍ଦର ଡ୍ରଇଁ ହାତ ଥିବା ମନ୍ମଥ ବାବୁ ।

ପ୍ରଥମେ ପ୍ରଥମେ ନୀଳକଣ୍ଠଙ୍କ ଦ୍ୱାରା ଇତିହାସ ପାଠ ହେଉନଥିଲା । ମାତ୍ର ଶେଷକୁ ଘୋଷି ଘୋଷି ବାଳକ ନୀଳକଣ୍ଠ ଇତିହାସର ନାନାଦି ଘଟଣାର ସନ ଓ ତାରିଖ ଇତ୍ୟାଦି ଆୟତ୍ତ କଲେ । ସେହିପରି ତାଙ୍କର ଡ୍ରଇଁ ହେଉନଥିଲା । ଅଭ୍ୟାସ କରି ଚିତ୍ରାଙ୍କନ ମଧ୍ୟ ଆୟତ୍ତ କଲେ । ଏହି ସମୟରେ ତାଙ୍କର କଲେରା ରୋଗ ହେଲା । ଗୋପବନ୍ଧୁ ଓ ହରିହର ଦାସଙ୍କର ଶୁଶ୍ରୁଷାରେ ସେ ସ୍ୱାସ୍ଥ୍ୟଲାଭ କଲେ । 

୧୯୦୩ ମସିହାରେ କଟକରେ ଆୟୋଜିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ନୀଳକଣ୍ଠ ଯୋଗଦାନ କଲେ । ଗୋପବନ୍ଧୁ ଦାସ, ହରିହର ଦାସ ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କ ସହିତ ମିଶି ନୀଳକଣ୍ଠ ଏହି କଟକ ରହଣୀ ସମୟରେ ପୁଝାରୀମାନଙ୍କ ଭିତରେ ରୋଗୀ ସେବା କାମ କରନ୍ତି ।

କଟକରେ ବର୍ଷେ କାଳ ରହିସାରି, ମ୍ୟାଲେରିଆ ଭଲ ହୋଇ ସାରିବା ପରେ ନୀଳକଣ୍ଠ ପୁରୀ ଫେରନ୍ତି । ତାଙ୍କର ପୁରୀ ଫେରିବାର କିଛି କାଳ ପରେ ଚନ୍ଦ୍ରମୋହନ ମହାରଣା ଜିଲ୍ଲା ସ୍କୁଲରେ ହେଡ଼ମାଷ୍ଟର  ହୋଇ ଯୋଗଦେଲେ । 

ସେହି ସମୟରେ ପ୍ରାୟ କେହି ଓଡ଼ିଆ ପ୍ରଧାନଶିକ୍ଷକ ଭାବରେ ନିଯୁକ୍ତି ପାଉନଥିଲେ । ଏଣୁ ଚନ୍ଦ୍ରମୋହନ ବାବୁ ପୁରୀ ଜିଲ୍ଲାସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେବାରୁ ଅନେକ ବଙ୍ଗାଳୀଙ୍କର ଗାତ୍ରଦାହ ହେଲା । ହେଲେ ନିଜର ପ୍ରଶାସନିକ ଦକ୍ଷତା, ପାଣ୍ଡିତ୍ୟ ତଥା ଛାତ୍ରବାତ୍ସଲ୍ୟ ଯୋଗୁଁ ସେ ଖୁବ୍ ଶୀଘ୍ର ନିଜର ସମାଲୋଚକମାନଙ୍କୁ ଚୁପ୍ କରାଇ ଦେଇପାରିଲେ ।

୧୯୦୪ ମସିହାର ଆରମ୍ଭରେ ପୁରୀ ଜିଲ୍ଲା ସ୍କୁଲକୁ ଫେରିଆସିଲା ପରେ ବାଳକ ନୀଳକଣ୍ଠ ‘ବ୍ରାହ୍ମଣ ସମିତି’ ଛାତ୍ରାବାସରେ ରହନ୍ତି । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେହି ବୋର୍ଡ଼ିଂରେ ରହିବା ଓ ଖାଇବାପିଇବାରେ ମାସକୁ ଚାଉଳ ସହିତ ଦେଢ଼ ଟଙ୍କା ଖର୍ଚ୍ଚ ହେଉଥିଲା । ପିଲାଏ ପାଳି କରି ମାସକୁ ମାସ ମେସ୍ କଥା ବୁଝୁଥିଲେ । 

ଯେତେ ଦୂର ସମ୍ଭବ ଗୋଟିଏ ଉଚ୍ଚ ଜାତିର ବ୍ରାହ୍ମଣ ପୁଝାରୀ ଭାବରେ ନିଯୁକ୍ତ ଥା’ନ୍ତି । କିନ୍ତୁ ପୁଝାରୀ ମିଳିବାରେ ବେଳେବେଳେ ଅସୁବିଧା ହୁଏ । କାରଣ, ସେତେବେଳେ ଓଡ଼ିଶାର ବ୍ରାହ୍ମଣମାନେ ନାନାଦି ଉପଜାତିରେ ବିଭକ୍ତ ଥାଆନ୍ତି । ଉଚ୍ଚ ଉପଜାତିର ବ୍ରାହ୍ମଣ ଯେତେଦୂର ସମ୍ଭବ ତଳ ଉପଜାତି ବ୍ରାହ୍ମଣଙ୍କଠାରୁ ଅନ୍ନଗ୍ରହଣ କରିବାକୁ ବାରୁଥାଆନ୍ତି । ଉଚ୍ଚ ଉପଜାତିର ବ୍ରାହ୍ମଣ ପୁଝାରୀ ନମିଳିଲେ ପିଲାଏ ନିଜେ ପାଳି କରି ରନ୍ଧାବଢ଼ା କରନ୍ତି । 

ସେତେବେଳେ ଚାଉଳ ଥାଏ ଟଙ୍କାକୁ କଟକି ଷୋହଳ ସେର । ବଜାରରେ ଚିଙ୍ଗୁଡ଼ି ମିଳେ, ପଇସାକୁ ଦଶ ପନ୍ଦରଟା । ବାଇଗଣ ଭାଗ ହୋଇ ବିକ୍ରି ହୁଏ, ଓଜନଦାରିଆ ନୁହେଁ । ଅଧ ସେର ମାଫିକ୍ ଭାଗେ ବାଇଗଣର ଦାମ୍ ଥିଲା ପଇସାଏ । ପିଲାଏ ମେସ୍‌ରେ ନିତିଦିନ ଖାଆନ୍ତି କେବଳ ଭାତ ଓ ଡାଲି । ବେଳେବେଳ ଡାଲିରେ ବାଇଗଣ ଖଣ୍ଡିଏ ପଡ଼ିଥାଏ । ମାଛ ଅଣାଯାଇଥିବା ଦିନ ଡାଲି କିମ୍ବା ବାଇଗଣ ଲୋଡ଼ା ପଡ଼େ ନାହିଁ ।

ସ୍କୁଲ ଛାତ୍ର ଥିବା ଅବସ୍ଥାରେ ନୀଳକଣ୍ଠ ବାବୁ ପୁରୀ ଓ କଟକରେ ନାନାଦି ସ୍ଥାନରେ ଅନ୍ୟ ବିଦ୍ୟାର୍ଥୀମାନଙ୍କୁ ଘେନି ସଭାସମିତି କରୁଥାଆନ୍ତି । ପ୍ରାୟତଃ ସଭାରେ ସେ ଥାଆନ୍ତି ସଭାପତି ନହେଲେ ସମ୍ପାଦକ । 

ପୁରୀ ଜିଲ୍ଲା ସ୍କୁଲରେ ନୀଳକଣ୍ଠ ଛାତ୍ର ଥିବା ସମୟରେ ସାମନ୍ତ ଚନ୍ଦ୍ରଶେଖର ପ୍ରାଣତ୍ୟାଗ କରନ୍ତି । ତାଙ୍କର ଦଶାହ ସଭାରେ ପଢ଼ିବା ପାଇଁ ନୀଳକଣ୍ଠ ‘ସିଦ୍ଧାନ୍ତ ଦର୍ପଣ’ର ଇଂରାଜୀ ମୁଖବନ୍ଧକୁ ଆଧାର କରି ସାମନ୍ତଙ୍କର ଏକ କ୍ଷୁଦ୍ର ଜୀବନୀ ଲେଖନ୍ତି । ଦୁଇ ବର୍ଷ ପରେ ‘ଉତ୍କଳ ସାହିତ୍ୟ’ରେ ଏହା ପ୍ରବନ୍ଧ ଭାବରେ ପ୍ରକାଶିତ ହୁଏ । ଏହା ହିଁ ନୀଳକଣ୍ଠଙ୍କର ପ୍ରଥମ ପ୍ରକାଶିତ ଲେଖା । 

୧୯୦୫ ମସିହାର ଆରମ୍ଭରେ ବଛାବଛି ପରୀକ୍ଷା ଦେଇସାରି ନୀଳକଣ୍ଠ କଟକ ଗଲେ । ସେଠି କଲିଜିଏଟ୍ ବୋର୍ଡ଼ିଂରେ ରହି ଏଣ୍ଟ୍ରାନ୍ସ୍ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଲେ । 

ସେଇ ସମୟରେ ସେ ନିଜ ବାହାଘର ସ୍ଥିର ହୋଇଥିବାର ବାର୍ତ୍ତା ପାଆନ୍ତି । ବାହାଘର ଠିକ୍ ହୋଇଥିଲା ଫେବୃଆରି ପାଞ୍ଚ ତାରିଖରେ । ସେତେବେଳକୁ ତାଙ୍କ ବୟସ କୋଡ଼ିଏ ବର୍ଷ ମାତ୍ର । ସେ କଟକରୁ ଶ୍ରୀରାମଚନ୍ଦ୍ରପୁର ଫେରି ବାହା ହୋଇ ସାତମଙ୍ଗଳା କଟାନ୍ତି । ଆଠମଙ୍ଗଳା ଦିନ ଯାଇ ପୁଣି କଟକରେ କଲିଜିଏଟ୍ ବୋର୍ଡ଼ିଂରେ ପହଞ୍ଚନ୍ତି ।  

ଟୀକା: ଏହି ଲେଖାଟି ପ୍ରଥମେ ୨୦୧୮ ମସିହାରେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ଛପିଥିଲା । ଆଲେଖଟିରେ ବ୍ୟବହୃତ ତଥ୍ୟ ନୀଳକଣ୍ଠ ଦାସଙ୍କର ଆତ୍ମଜୀବନୀରୁ ସଙ୍ଗୃହିତ ।

ଗ୍ରନ୍ଥସୂଚୀ

ନୀଳକଣ୍ଠ ଦାସ । ‘ଆତ୍ମଜୀବନୀ’ । ତୃତୀୟ ସଂସ୍କରଣ, ଅଗଷ୍ଟ ୨୦୦୩ (ପ୍ରଥମ ସଂସ୍କରଣ ବିଷୟରେ ସୂଚନା ଦିଆ ଯାଇ ନାହିଁ) । କଟକ: କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର ।

Thursday, May 22, 2025

The empty temple is its abode

Bhima Bhoi

Translated by Sailen Routray


A palm leaf umbrella traditionally carried by the monks of Mahima religion
Photo credit: commons.wikimedia.org/Swetapadma07

Without form or shape,
the empty temple is its abode.
The two feet do not mix,
hold on to the lone foot. [0]

Its home is
the unmarked harbour.
There, it is neither pleasant
nor is it hot.
Oh wise ones, reflect on this. [1]

It’s sweet to drink stuff
that does not have flesh and
is not touched by another mouth.
Its taste is unseen, unnamed;
such is this, the essence of nectar. [2]

Seeing the grace of its moves
the learned are distracted to death.
It is faster than a blink,
far swifter than lightening. [3]

When one sees it in unknowing,
one goes beyond birth and death,
dissolving in its wholeness. [4]

It’s not gotten by any actions,
neither mundane nor spiritual.
One gets it in the company of the wise.
Its initiation is action without desire,
following ones nature.
It only entails chanting the singular letter. [5]

There is no arising or setting
where it resides.
This secret is beyond the alphabet,
says Bhima, the unprotected one. [6]

Note: Bhima Bhoi (1850-1895) was an 19th century Odia saint poet. His compositions were instrumental in the spread of Mahima religion in peninsular India, especially in the Odia speaking regions. His bhajans remain popular even today, and are performed widely. Although he was ignored by the literary establishment of his times, he is a major figure in the history of Odia literature now, with texts like "Stuti Chintamani" and "Bramha Nirupana Gita" considered as classics. 

Thursday, May 15, 2025

ବାଳ ବର୍ଗ ୩

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ବୋଧିସତ୍ତ୍ୱମାନଙ୍କ ଦ୍ୱାରା ପରିବେଷ୍ଟିତ ବୁଦ୍ଧ (ଅଜନ୍ତାର ଗୁମ୍ଫା, ମହାରାଷ୍ଚ୍ର)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଏହା ମୋର ପୁତ୍ର ଅଟେ ଏହା ମୋର ଧନ
ଏହି ପରି ଭାବି ନଷ୍ଟ ହୁଏ ମୂର୍ଖ ଜନ ।
ନିଜେ ହିଁ ତ ନୁହଁଇ ନିଜର ଏହା ଜାଣ
କେଉଁଠାରୁ ଆସିବେ ଏ ପୁତ୍ର ଏବଂ ଧନ ।୩।

ମୂଳ ପାଲି ପଦ

ପୁତ୍ତା ମ'ତ୍ଥି ଧନମ୍ମ'ତ୍ଥି ଇତି ବାଳୋ ବିହଞ୍ଞତି
ଅତ୍ତା ହି ଅତ୍ତନୋ ନତ୍ଥି କୁତୋ ପୁତ୍ତା କୁତୋ ଧନଂ ।
ପୁତ୍ରା ମେ ସନ୍ତି ଧନଂ ମେଽସ୍ତି ଇତି ବାଳୋ ବିହନ୍ୟତେ ।
ଆତ୍ମା ହି ଆତ୍ମନୋ ନାସ୍ତି କୁତଃ ପୁତ୍ରାଃ କୁତୋ ଧନମ୍ ।୩। 

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Thursday, May 8, 2025

Belief

Ramakanta Samantaray

Translated by Sailen Routray


 Doorway and wall on Latsakhanai Road, Savannakhet, Laos
Photo credit - commons.wikimedia.org/Dominic Nelson

We walked together for so long.
But we lost our feet
somewhere halfway through the path.

We talked so much
about home, about stars, about dreams.
But we lost our words
somewhere halfway through the path.

Despite all the camaraderie
you thought I am hiding 
a sharp knife tucked somewhere on the waist.
Despite all our acquaintance
I could not know you. 

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Thursday, May 1, 2025

ଶରତ ପୂଜାରୀଙ୍କ କୋରାପୁଟ

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍: ପ୍ରଗତି କୋରାପୁଟ


ପ୍ରଖ୍ୟାତ ଶିକ୍ଷାବିତ୍, ଅଭିନେତା ଓ ପ୍ରଶାସକ ଶରତ ପୂଜାରୀଙ୍କର ପିତା ସଚ୍ଚିଦାନନ୍ଦ ପୂଜାରୀ (୧୯୦୧-୧୯୫୭) ବ୍ରିଟିଶ୍ ସରକାରଙ୍କର ଜଣେ ଅମଲା ଥିଲେ । ସେ ଜଣେ ରାଜସ୍ୱ ନୀରିକ୍ଷକ (ରେଭେନ୍ୟୁ ଇନିସପେକ୍ଟର ବା ଆର୍. ଆଇ.) ଭାବରେ ଚାକିରୀ କାମ ଆରମ୍ଭ କରିଥିଲେ । ଶରତ ବାବୁ ୧୯୩୩ ମସିହାରେ ଜନ୍ମ ହେଲାବେଳକୁ ସେ ନୂଆଗଡ଼ ରାଜ୍ୟ କୋର୍ଟ୍ ଅଫ୍ ୱାର୍ଡ୍ସ୍ ଅଧିନରେ ଥିବାରୁ ସେଠାରେ ସୁପରିଟେଣ୍ଡେଣ୍ଟ୍ ଭାବରେ ଅବସ୍ଥାପିତ ଥିଲେ । 

ଦେଢ଼ ବର୍ଷ ନୂଆଗଡ଼ରେ କାର୍ଯ୍ୟନିର୍ବାହ କରି, ସେ ପୁଣି ଖୋର୍ଦ୍ଧାକୁ ଫେରି ଆସିଲେ । ସେଠି ସେ ପ୍ରଥମେ ସବ୍‌ଡେପୁଟି ହେଲେ ଓ ତାହା ପରେ ଟ୍ରେଜେରି ଅଫିସର । ୧୯୩୯ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ଏଥିକୁ ଛଅ ମାସ ନିମନ୍ତେ ପରିବାରକୁ ସମ୍ବଲପୁର ଓ ମାନବପୁରକୁ ପଠାଇ ଦେଇ, ସିଭିଲ୍ ଡ଼ିଫେନ୍ସ୍ ପ୍ରଶିକ୍ଷଣ ପାଇଁ ସଚ୍ଚି ବାବୁ ଲାହୋର ନଗର ନିମନ୍ତେ ପ୍ରସ୍ଥାନ କଲେ ।  ଏହାପରେ ୧୯୪୨ ମସିହାରେ ତାଙ୍କର ବଦଳି କଟକକୁ ହେଲା - ଡେପୁଟି ମାଜିଷ୍ଟ୍ରେଟ୍ ତଥା ସିଭିଲ୍ ଡ଼ିଫେନ୍ସ୍ ଅଫିସର ଭାବରେ ।

ଶେଷକୁ ଉପନୀତ ହେଲା ଘଟଣାବହୁଳ ୧୯୪୫ ମସିହା । ମହାସମରର ଶେଷ ଅଧ୍ୟାୟ । ବିଶ୍ୱଯୁଦ୍ଧ ଅନ୍ତ ହେବାର ପାଖାପାଖି ପାଞ୍ଚ ମାସ ପୂର୍ବରୁ ସଚ୍ଚିଦାନନ୍ଦଙ୍କର କୋରାପୁଟ ଜିଲ୍ଲାକୁ ବଦଳି ହେଲା, ଏସ୍.ଡ଼ି.ଓ. ପଦରେ । ସେତେବେଳେ କୋରାପୁଟରେ ଏସ୍.ଡ଼ି.ଓ.ଙ୍କୁ ଏଜେଣ୍ଟ୍ କହୁଥିଲେ, କାରଣ କୋରାପୁଟ ଜିଲ୍ଲା ଥିଲା ଏକ ‘ଏଜେନ୍ସୀ’ । 

ହୁଡ଼୍ ଲଗା ଶେଭ୍ରୋଲେ ଗାଡ଼ିରେ ପୁରା ପରିବାରକୁ ଧରି ସେ ପହଞ୍ଚିଲେ କୋରାପୁଟରେ । ଜଙ୍ଗଲ ଓ ପୁଲିସି ବିଭାଗକୁ ଛାଡ଼ିଦେଲେ ଶିକ୍ଷା, ସ୍ୱାସ୍ଥ୍ୟ, ବିଚାର, ରାଜସ୍ୱ, ସ୍ୱାୟତ୍ତ ଶାସନ, ବିତ୍ତ, ପୂର୍ତ୍ତ ଇତ୍ୟାଦି ସମସ୍ତ ବିଭାଗର ଭାର କୋରାପୁଟରେ ଏସ୍.ଡ଼ି.ଓ. ହିଁ  ତୁଲାଉଥିଲେ । 

କୋରାପୁଟ ସହରଟି ସେତେବେଳେ ଅତୀବ ଛୋଟ ଥିଲା । ଜିଲ୍ଲାର ବଡ଼ ସହର ବା ବଜାର କହିଲେ ବୁଝାଉଥିଲା ଜୟପୁରକୁ, ଯେଉଁଥିରେ ଶାସନ ଚାଲୁଥିଲା ଜୟପୁରର ମହାରାଜାଙ୍କର । ଜୟପୁର ତୁଳନାରେ ସେତେବେଳେ କୋରାପୁଟ ଥିଲା ଏକ ବଡ଼ ଗାଁ ମାତ୍ର । 

ସେବେ ସହରଟିକୁ ଘେରି ରହିଥିଲା କେତୋଟି ଲଣ୍ଡା ପାହାଡ଼ । ପିଇବା ପାଇଁ ଲୋକେ ଝରଣା ଓ ନାଳ ପାଣି ବ୍ୟବହାର କରୁଥିଲେ । ଆଦିବାସୀଙ୍କ କୁଡ଼ିଆ, ତାଙ୍କର ଆମ୍ବ ଓ ସଲପ ଗଛ, ତଥା କାନ୍ଦୁଲ, ମାଣ୍ଡିଆ, ଧାନ, ଅଳସି ଓ ପନିପରିବା ବିଲରେ ଚାରିଆଡ଼, ଆଖପାଖ ଛାଇ ହୋଇଥିଲା । 

ସହରର ଶେଷ ଆଡ଼କୁ, ପାହାଡ଼ ଉପରେ, ଗୀର୍ଜାଘର ପାଖରେ ଏହି ଅଭ୍ୟାଗତ ପରିବାରକୁ ରହିବା ପାଇଁ ମିଳିଥିଲା ଏକ ପ୍ରକାଣ୍ଡ ଓ ସୁନ୍ଦର ବଙ୍ଗଳା । ସଚ୍ଚିବାବୁ ମାସକୁ ୧୫-୨୦ଦିନ ଯାଉଥିଲେ ଦଉଡ଼ାରେ । ପ୍ରାୟତଃ ଗସ୍ତ ଥିଲା ଅପ୍ରତ୍ୟାଶିତ ।

ଛଅ ମାସ କୋରାପୁଟରେ ରହିବା ପରେ ନୂଆ ସବ୍‌ଡ଼ିଭିଜନ୍ ନବରଙ୍ଗପୁରକୁ ବଦଳି ହେଲା ସଚ୍ଚିଦାନନ୍ଦଙ୍କର । ନବରଙ୍ଗପୁର ନୂଆ ସବ୍‌ଡ଼ିଭିଜନ୍ ଭାବରେ ତିଆରି ହେବାରୁ ସେ ସେଠାକାର ଏସ୍.ଡ଼ି.ଓ ଭାବରେ ଯୋଗଦେଲେ । ସେତେବେଳେକୁ ଶରତବାବୁ ନବମ ଶ୍ରେଣୀରେ । ନବରଙ୍ଗପୁର ବୋର୍ଡ୍ ହାଇସ୍କୁଲ୍‌ରେ ନାମ ଲେଖାଇଲେ । 

ଶିକ୍ଷକମାନେ ସେତେବେଳେ ଆଦିବାସୀ, ଓଡ଼ିଆ ଓ ତେଲୁଗୁ ଭାଷା ଜାଣୁଥିଲେ । ମାତ୍ର ଇଂରାଜୀ ଥିଲା ସେମାନଙ୍କ ପାଇଁ ସବୁଠାରୁ ସୁବିଧାଜନକ ଭାଷା । ସବୁଠାରୁ ବଡ଼ କାରଣ ଥିଲା ଏହିକି ଯେ, ଅଧାଅଧି ପିଲା ତେଲୁଗୁ ଭାଷୀ ଥିଲେ । 

ଓଡ଼ିଆ ପାଠ୍ୟପୁସ୍ତକ ପ୍ରାୟ ବଜାରରେ ମିଳୁନଥିଲା । ସେତେବେଳେ ନବରଙ୍ଗପୁର କୋରାପୁଟ ଜିଲ୍ଲାର ଏକ ସାଂସ୍କୃତିକ ଓ ବ୍ୟବସାୟିକ କେନ୍ଦ୍ର ଥିଲା । ସହରର ସବୁଠାରୁ ପ୍ରତ୍ୟକ୍ଷ ଦେବତା ଥିଲେ ଭଣ୍ଡାରଘରଣୀ ଠାକୁରାଣୀ ଓ ଜଗନ୍ନାଥ । 

ଜିଲ୍ଲାର ସବୁଠାରୁ ବଡ଼ ହାଟ ସହରର ଠିକ୍ ମଝିରେ ଏକ ବିରାଟ ବଡ଼ ଆମ୍ବ ତୋଟାରେ ବସୁଥିଲା । ସେତେବେଳେ କୋରାପୁଟ ଜିଲ୍ଲା ଭର୍ତ୍ତିଥିଲା ଜୀବଜନ୍ତୁମାନଙ୍କରେ । ମଣିଷମାନଙ୍କ ଅପେକ୍ଷା ପଶୁପକ୍ଷୀମାନଙ୍କର ସଙ୍ଖ୍ୟା ବେଶି ଥିଲା । ହାତୀ, ବାଘ, ଭାଲୁ, ଚିତା, କଲରାପତରିଆ, ସମ୍ବର, ଚିତ୍ତଳ, ହରିଣ, ଗୟଳ, ଅରଣା ମଇଁଷି, ବାରହା, ମୟୂର, ବଣ କୁକୁଡ଼ା ଆଦି ପଶୁପକ୍ଷୀମାନଙ୍କରେ ଜିଲ୍ଲାର ଜଙ୍ଗଲ ଭରପୁର ଥିଲା ।

୧୯୪୬ ପୂଜାଛୁଟିରେ ପୂଜାରୀ ପରିବାର ଅବକାଶ ପାଇଁ ସମ୍ବଲପୁର ଫେରିଲେ । ନବରଙ୍ଗପୁରରୁ ଆମ୍-ପାଏନ୍ ଘାଟି ଦେଇ ଭବାନୀପାଟଣା, ଭବାନୀପାଟଣାରୁ ତେଲ ନଦୀର ଖରାଦିନିଆ ରାସ୍ତା ଦେଇ ଟିଟିଲାଗଡ଼ । ତାହାପରେ ବଲାଙ୍ଗୀର ଓ ବରଗଡ଼ ଦେଇ ସମ୍ବଲପୁର । 

ସେତେବେଳେ ସମ୍ବଲପୁରରେ ପହଞ୍ଚିବା ପାଇଁ ମହାନଦୀ ଉପରେ ଥିଲା ପନ୍‌ଟୁନ୍ ପୋଲ । ଲୁହାପିମ୍ପାର ବଡ଼ ବଡ଼ ଢୋଲଗୁଡ଼ିଏ ନଈର ପାଣିରେ ଫିଙ୍ଗା ହେଉଥିଲା । ତାହା ଉପରେ କାଠପଟା ପକାଇ, ବନ୍ଧା ହୋଇ, ପୋଲ ସଜିଲ ହେଉଥିଲା । ମାତ୍ର ଏହି ପୋଲ ବର୍ଷା ଦିନରେ କୌଣସି କାମର ନଥିଲା । 

ସମ୍ବଲପୁର ଫେରିଲାବେଳେ ପୂଜାରୀ ପରିବାର ଦେଖିଲେ ଚିତଳ, ସମ୍ବର, କୁଟୁରା, କୃଷ୍ଣସାର ଇତ୍ୟାଦିଙ୍କର ଶହ ଶହ ସଙ୍ଖ୍ୟାର ଏକ ବିରାଟ ଦଳ । ତାଙ୍କ ଖୁରାରେ ମାଟି ଉଠି ଏକ ଧୂଳିଝଡ଼ ଘୋଟିଥିଲା । କୋରାପୁଟ ଜିଲ୍ଲାର ଜଙ୍ଗଲରେ ସେତେବେଳେ ଥିଲା ଲତା ଗୋଲାପର ବନ୍ୟା । ଶୀତ ସକାଳରେ ରାସ୍ତାକଡ଼ରେ ଜଙ୍ଗଲରେ ଛାଇ ଯାଉଥିଲା ଫିକା ହଳଦିଆ ରଙ୍ଗର ଫୁଲର ଗାଲିଚା । 

ଟଙ୍କାଟିଏରେ ଟୋକେଇଟିଏ ବାଇଗଣ, ଷାଠିଏଟି କୁକୁଡ଼ା ଅଣ୍ଡା, କି ଶହେଟି ମକା ମିଳୁଥିଲା । ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟ ସ୍ୱତନ୍ତ୍ର ଓ ବିଚ୍ଛିନ୍ନ ଥିଲେ । ପରଜାମାନେ କେବଳ ଯାହ ଶିକ୍ଷିତ ଓଡ଼ିଆ ଓ ତେଲୁଗୁ ଲୋକଙ୍କ ସଂସ୍ପର୍ଶରେ ଆସୁଥିଲେ । 

ଖ୍ରୀଷ୍ଟଧର୍ମୀ ଆଦିବାସୀମାନେ ହିଁ ପ୍ରାୟ ଶିକ୍ଷିତ ଥିଲେ । ଆଦିବାସୀମାନଙ୍କ ମଧ୍ୟରେ ସେହିମାନେ ହିଁ ଓଡ଼ିଆ ଭାଷାରେ ପଢ଼ାଶୁଣା କରି ଚାକିରିବାକିରି କରୁଥିଲେ । ଆଦିବାସୀ ଝିଅପିଲାମାନେ ଶିକ୍ଷୟିତ୍ରୀ ଓ ସେବିକା ଚାକିରୀ ପାଇଁ ଆକୃଷ୍ଟ ହେଉଥିଲେ । କଥିତ ଭାଷା ଭାବରେ ଦେଶିଆ ଭାଷାର ପ୍ରଚଳନ ସେତେ ବେଶି ନଥିଲା । ଲିଖିତ ଭାବରେ ଏହାର ବ୍ୟବହାର ଆଦୌ ନଥିଲା କହିଲେ ଚଳେ । 

ସୁଙ୍କିରୁ କୋରାପୁଟ ଓ ଜୟପୁର, ଓ ଜୟପୁରଠାରୁ ନବରଙ୍ଗପୁର ଓ ରାୟଗଡ଼ା ପର୍ଯ୍ୟନ୍ତ କିଛି ପେଟ୍ରୋଲ୍ ଓ ବାଷ୍ପଚାଳିତ ବସ୍ ଚାଲୁଥିଲା । ଏହି ବସ୍‌ଗୁଡ଼ିକର ସମୟ ଜ୍ଞାନ କିଛି ନଥିଲା । ଧୀର, ମନ୍ଥର ଗତିରେ ଏହି ବସ୍‌ଗୁଡ଼ିକ ଜିଲ୍ଲାର ମୋରମ୍, ଘାଟି ରାସ୍ତାଗୁଡ଼ିକ ଉପରେ ଗଡ଼ୁଥିଲେ, ଆନମନା ଶିଶୁ ପରି । 

୧୯୪୭ ମସିହାରେ, ସ୍ୱାଧୀନତା ସମୟରେ, ପୂଜାରୀ ସିନିଅର‌୍‌ଙ୍କର ପଦୋନ୍ନତି ସହିତ ଏ.ଡ଼ି.ଏମ୍. ଭାବରେ ଢେଙ୍କାନାଳ ଜିଲ୍ଲାକୁ ବଦଳି ହେଲା । ଶରତବାବୁଙ୍କୁ କୋରାପୁଟ ଜିଲ୍ଲା ଛାଡ଼ିବାକୁ ପଡ଼ିଲା । ହେଲେ ଏହି ଜିଲ୍ଲାର ପ୍ରକୃତି ଓ ବାସିନ୍ଦାମାନଙ୍କ ପଇଁ ତାଙ୍କ ମରମ ତଳେ ରହିଗଲା ଅପାସୋରା ଶରଧା ।

ଟୀକା: ଏହି ଲେଖାଟିର ମାଲସମଲା ଶରତ ପୂଜାରୀଙ୍କର ଆତ୍ମଜୀବନୀ ‘ସ୍ମୃତି ପଥ’ରୁ ସଙ୍ଗୃହିତ । ବହିଟି ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ଛାପି ଅଛନ୍ତି । ଏହି ଆଲେଖଟି ପ୍ରଥମେ ୨୦୧୬ ମସିହାରେ, ପାକ୍ଷିକ ପତ୍ରିକା "ସମଦୃଷ୍ଟି"ର ୧-୧୫ ଜୁନ ସଙ୍ଖ୍ୟାରେ, ପ୍ରକାଶିତ ହୋଇଥିଲା ।

 ନୀଳକଣ୍ଠଙ୍କର ପୁରୀ ଓ କଟକ ସହରରେ ପାଠପଢ଼ା ଶୈଲେନ ରାଉତରାୟ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ ନୀଳକଣ୍ଠ ଦାସ ୧୮୯୯ ମସିହାରେ ଶ୍ରୀରାମଚନ୍ଦ୍ରପୁରର ମଧ୍ୟ-ଓଡ଼ିଆ ବ...