Thursday, May 29, 2025

 ନୀଳକଣ୍ଠଙ୍କର ପୁରୀ ଓ କଟକ ସହରରେ ପାଠପଢ଼ା

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ନୀଳକଣ୍ଠ ଦାସ ୧୮୯୯ ମସିହାରେ ଶ୍ରୀରାମଚନ୍ଦ୍ରପୁରର ମଧ୍ୟ-ଓଡ଼ିଆ ବିଦ୍ୟାଳୟରୁ ପାସ୍ କଲେ । ତାହ ପରେ ସେ ପୁରୀ ଜିଲ୍ଲା ସ୍କୁଲର ସବା ତଳ ଶ୍ରେଣୀରେ ନାମ ଲେଖାଇଲେ । ଦୁଇ ବର୍ଷର ଶେଷ ବେଳକୁ ସେହି ସ୍କୁଲରେ ସେ ସେତେବେଳର ଚତୁର୍ଥ ଶ୍ରେଣୀ ଅର୍ଥାତ୍ ଏବର ଅଷ୍ଟମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ । 

ତାଙ୍କ ପୂର୍ବରୁ ଯେଉଁମାନେ ଜିଲ୍ଲା ସ୍କୁଲରେ ପାଠ ପଢ଼ି ଆସୁଥିଲେ, ସେମାନେ ସେତେବେଳକୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ‘ଉପକ୍ରମଣିକା’ ଶୀର୍ଷକର ସଂସ୍କୃତ ବ୍ୟାକରଣ ବହିଟିର ଓଡ଼ିଆ ଅନୁବାଦକୁ ଧରି ସେହି ଭାଷା ଶିକ୍ଷା ଆରମ୍ଭ କରିସାରିଥିଲେ । ବଙ୍ଗଳା ଅକ୍ଷରରେ ଲେଖା ସଂସ୍କୃତ ବହିସବୁ ପଢ଼ିବା ପାଇଁ ନୀଳକଣ୍ଠ ବଙ୍ଗାକ୍ଷର ଆୟତ୍ତ କରିବାକୁ ମନସ୍ତ କଲେ । ସେଥିଲାଗି ସେ ମାଇକେଲ୍ ମଧୁସୂଦନ ଗ୍ରନ୍ଥାବଳୀ, ବଙ୍କିମ୍‌ଚନ୍ଦ୍ରଙ୍କର ଉପନ୍ୟାସ ତଥା ବସୁମତୀ ପ୍ରେସ୍‌ର ମାସିକ ଉପନ୍ୟାସ ପଢ଼ିବାକୁ ଲାଗିଲେ । 

ଏହା ଫଳରେ ସେ ଶୀଘ୍ର ବଙ୍ଗଳା ପଢ଼ିବା ଆୟତ୍ତ କଲେ । ସେ ମାସକ ଭିତରେ ବ୍ୟାକରଣ କୌମୁଦି (ବିଦ୍ୟାସାଗର ବିରଚିତ) ସାରି ସଂସ୍କୃତ ବ୍ୟାକରଣରେ ପ୍ରବେଶ କଲେ । ହେଲେ ନବମ ଶ୍ରେଣୀକୁ ଉଠିଲା ବେଳକୁ ତାଙ୍କୁ ପ୍ରବଳ ମ୍ୟାଲେରିଆ ହେଲା । ସ୍ୱାସ୍ଥ୍ୟ ଲାଭ ପାଇଁ ନୀଳକଣ୍ଠ ନବମ ଶ୍ରେଣୀରେ କଟକର କଲିଜିଏଟ୍ ସ୍କୁଲରେ ନାମ ଲେଖାଇଲେ । 

ସେତେବେଳେ ରେଭେନ୍ସା କଲେଜ, କଲିଜିଏଟ୍ ସ୍କୁଲ ତଥା ସର୍ଭେ ସ୍କୁଲ୍, ସବୁରି ପାଇଁ ଥିଲା ଗୋଟିଏ ବୋର୍ଡ଼ିଂ । ସେଥିରେ ସେତେବେଳେ ରହୁଥାଆନ୍ତି ଗୋପବନ୍ଧୁ ଦାସ୍, ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଭାବରେ । ସେତେବେଳେ ସେଇ ବୋର୍ଡ଼ିଂର ବହୁଳାଂଶ ଅନ୍ତେବାସୀ ଥିଲେ ବଙ୍ଗଭାଷୀ ଛାତ୍ର । ନୀଳକଣ୍ଠ ଏହି ଛାତ୍ରାବାସରେ ତିଷ୍ଠି ରହନ୍ତି କେବଳ ଦାସେ ଆପଣଙ୍କର ସୌହାର୍ଦ୍ଦ୍ୟ ଓ ସାହଚର୍ଯ୍ୟ ଯୋଗୁଁ । 

ରେଭେନ୍ସା କଲିଜିଏଟ୍ ସ୍କୁଲର ପ୍ରିନ୍ସିପାଲ୍ ଥିଲେ ବି. ଭି. ଗୁପ୍ତା ଓ ସହକାରୀ ପ୍ରଧାନଶିକ୍ଷକ ଥିଲେ ସୁରେଶଚନ୍ଦ୍ର ଗୁପ୍ତା । ଏହା ଛଡ଼ା ମୋହିନୀମୋହନ ଚୌଧୁରୀ ତଥା ଅରବିନ୍ଦ ପ୍ରକାଶ ଘୋଷ ଆଦି ଶିକ୍ଷକମାନେ ସେ ସମୟରେ କଲିଜିଏଟ୍ ସ୍କୁଲରେ ଶିକ୍ଷକତା କରୁଥାନ୍ତି । ଚିତ୍ରାଙ୍କନ ଶିଖାଉଥା’ନ୍ତି ସୁନ୍ଦର ଡ୍ରଇଁ ହାତ ଥିବା ମନ୍ମଥ ବାବୁ ।

ପ୍ରଥମେ ପ୍ରଥମେ ନୀଳକଣ୍ଠଙ୍କ ଦ୍ୱାରା ଇତିହାସ ପାଠ ହେଉନଥିଲା । ମାତ୍ର ଶେଷକୁ ଘୋଷି ଘୋଷି ବାଳକ ନୀଳକଣ୍ଠ ଇତିହାସର ନାନାଦି ଘଟଣାର ସନ ଓ ତାରିଖ ଇତ୍ୟାଦି ଆୟତ୍ତ କଲେ । ସେହିପରି ତାଙ୍କର ଡ୍ରଇଁ ହେଉନଥିଲା । ଅଭ୍ୟାସ କରି ଚିତ୍ରାଙ୍କନ ମଧ୍ୟ ଆୟତ୍ତ କଲେ । ଏହି ସମୟରେ ତାଙ୍କର କଲେରା ରୋଗ ହେଲା । ଗୋପବନ୍ଧୁ ଓ ହରିହର ଦାସଙ୍କର ଶୁଶ୍ରୁଷାରେ ସେ ସ୍ୱାସ୍ଥ୍ୟଲାଭ କଲେ । 

୧୯୦୩ ମସିହାରେ କଟକରେ ଆୟୋଜିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ନୀଳକଣ୍ଠ ଯୋଗଦାନ କଲେ । ଗୋପବନ୍ଧୁ ଦାସ, ହରିହର ଦାସ ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କ ସହିତ ମିଶି ନୀଳକଣ୍ଠ ଏହି କଟକ ରହଣୀ ସମୟରେ ପୁଝାରୀମାନଙ୍କ ଭିତରେ ରୋଗୀ ସେବା କାମ କରନ୍ତି ।

କଟକରେ ବର୍ଷେ କାଳ ରହିସାରି, ମ୍ୟାଲେରିଆ ଭଲ ହୋଇ ସାରିବା ପରେ ନୀଳକଣ୍ଠ ପୁରୀ ଫେରନ୍ତି । ତାଙ୍କର ପୁରୀ ଫେରିବାର କିଛି କାଳ ପରେ ଚନ୍ଦ୍ରମୋହନ ମହାରଣା ଜିଲ୍ଲା ସ୍କୁଲରେ ହେଡ଼ମାଷ୍ଟର  ହୋଇ ଯୋଗଦେଲେ । 

ସେହି ସମୟରେ ପ୍ରାୟ କେହି ଓଡ଼ିଆ ପ୍ରଧାନଶିକ୍ଷକ ଭାବରେ ନିଯୁକ୍ତି ପାଉନଥିଲେ । ଏଣୁ ଚନ୍ଦ୍ରମୋହନ ବାବୁ ପୁରୀ ଜିଲ୍ଲାସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେବାରୁ ଅନେକ ବଙ୍ଗାଳୀଙ୍କର ଗାତ୍ରଦାହ ହେଲା । ହେଲେ ନିଜର ପ୍ରଶାସନିକ ଦକ୍ଷତା, ପାଣ୍ଡିତ୍ୟ ତଥା ଛାତ୍ରବାତ୍ସଲ୍ୟ ଯୋଗୁଁ ସେ ଖୁବ୍ ଶୀଘ୍ର ନିଜର ସମାଲୋଚକମାନଙ୍କୁ ଚୁପ୍ କରାଇ ଦେଇପାରିଲେ ।

୧୯୦୪ ମସିହାର ଆରମ୍ଭରେ ପୁରୀ ଜିଲ୍ଲା ସ୍କୁଲକୁ ଫେରିଆସିଲା ପରେ ବାଳକ ନୀଳକଣ୍ଠ ‘ବ୍ରାହ୍ମଣ ସମିତି’ ଛାତ୍ରାବାସରେ ରହନ୍ତି । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେହି ବୋର୍ଡ଼ିଂରେ ରହିବା ଓ ଖାଇବାପିଇବାରେ ମାସକୁ ଚାଉଳ ସହିତ ଦେଢ଼ ଟଙ୍କା ଖର୍ଚ୍ଚ ହେଉଥିଲା । ପିଲାଏ ପାଳି କରି ମାସକୁ ମାସ ମେସ୍ କଥା ବୁଝୁଥିଲେ । 

ଯେତେ ଦୂର ସମ୍ଭବ ଗୋଟିଏ ଉଚ୍ଚ ଜାତିର ବ୍ରାହ୍ମଣ ପୁଝାରୀ ଭାବରେ ନିଯୁକ୍ତ ଥା’ନ୍ତି । କିନ୍ତୁ ପୁଝାରୀ ମିଳିବାରେ ବେଳେବେଳେ ଅସୁବିଧା ହୁଏ । କାରଣ, ସେତେବେଳେ ଓଡ଼ିଶାର ବ୍ରାହ୍ମଣମାନେ ନାନାଦି ଉପଜାତିରେ ବିଭକ୍ତ ଥାଆନ୍ତି । ଉଚ୍ଚ ଉପଜାତିର ବ୍ରାହ୍ମଣ ଯେତେଦୂର ସମ୍ଭବ ତଳ ଉପଜାତି ବ୍ରାହ୍ମଣଙ୍କଠାରୁ ଅନ୍ନଗ୍ରହଣ କରିବାକୁ ବାରୁଥାଆନ୍ତି । ଉଚ୍ଚ ଉପଜାତିର ବ୍ରାହ୍ମଣ ପୁଝାରୀ ନମିଳିଲେ ପିଲାଏ ନିଜେ ପାଳି କରି ରନ୍ଧାବଢ଼ା କରନ୍ତି । 

ସେତେବେଳେ ଚାଉଳ ଥାଏ ଟଙ୍କାକୁ କଟକି ଷୋହଳ ସେର । ବଜାରରେ ଚିଙ୍ଗୁଡ଼ି ମିଳେ, ପଇସାକୁ ଦଶ ପନ୍ଦରଟା । ବାଇଗଣ ଭାଗ ହୋଇ ବିକ୍ରି ହୁଏ, ଓଜନଦାରିଆ ନୁହେଁ । ଅଧ ସେର ମାଫିକ୍ ଭାଗେ ବାଇଗଣର ଦାମ୍ ଥିଲା ପଇସାଏ । ପିଲାଏ ମେସ୍‌ରେ ନିତିଦିନ ଖାଆନ୍ତି କେବଳ ଭାତ ଓ ଡାଲି । ବେଳେବେଳ ଡାଲିରେ ବାଇଗଣ ଖଣ୍ଡିଏ ପଡ଼ିଥାଏ । ମାଛ ଅଣାଯାଇଥିବା ଦିନ ଡାଲି କିମ୍ବା ବାଇଗଣ ଲୋଡ଼ା ପଡ଼େ ନାହିଁ ।

ସ୍କୁଲ ଛାତ୍ର ଥିବା ଅବସ୍ଥାରେ ନୀଳକଣ୍ଠ ବାବୁ ପୁରୀ ଓ କଟକରେ ନାନାଦି ସ୍ଥାନରେ ଅନ୍ୟ ବିଦ୍ୟାର୍ଥୀମାନଙ୍କୁ ଘେନି ସଭାସମିତି କରୁଥାଆନ୍ତି । ପ୍ରାୟତଃ ସଭାରେ ସେ ଥାଆନ୍ତି ସଭାପତି ନହେଲେ ସମ୍ପାଦକ । 

ପୁରୀ ଜିଲ୍ଲା ସ୍କୁଲରେ ନୀଳକଣ୍ଠ ଛାତ୍ର ଥିବା ସମୟରେ ସାମନ୍ତ ଚନ୍ଦ୍ରଶେଖର ପ୍ରାଣତ୍ୟାଗ କରନ୍ତି । ତାଙ୍କର ଦଶାହ ସଭାରେ ପଢ଼ିବା ପାଇଁ ନୀଳକଣ୍ଠ ‘ସିଦ୍ଧାନ୍ତ ଦର୍ପଣ’ର ଇଂରାଜୀ ମୁଖବନ୍ଧକୁ ଆଧାର କରି ସାମନ୍ତଙ୍କର ଏକ କ୍ଷୁଦ୍ର ଜୀବନୀ ଲେଖନ୍ତି । ଦୁଇ ବର୍ଷ ପରେ ‘ଉତ୍କଳ ସାହିତ୍ୟ’ରେ ଏହା ପ୍ରବନ୍ଧ ଭାବରେ ପ୍ରକାଶିତ ହୁଏ । ଏହା ହିଁ ନୀଳକଣ୍ଠଙ୍କର ପ୍ରଥମ ପ୍ରକାଶିତ ଲେଖା । 

୧୯୦୫ ମସିହାର ଆରମ୍ଭରେ ବଛାବଛି ପରୀକ୍ଷା ଦେଇସାରି ନୀଳକଣ୍ଠ କଟକ ଗଲେ । ସେଠି କଲିଜିଏଟ୍ ବୋର୍ଡ଼ିଂରେ ରହି ଏଣ୍ଟ୍ରାନ୍ସ୍ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଲେ । 

ସେଇ ସମୟରେ ସେ ନିଜ ବାହାଘର ସ୍ଥିର ହୋଇଥିବାର ବାର୍ତ୍ତା ପାଆନ୍ତି । ବାହାଘର ଠିକ୍ ହୋଇଥିଲା ଫେବୃଆରି ପାଞ୍ଚ ତାରିଖରେ । ସେତେବେଳକୁ ତାଙ୍କ ବୟସ କୋଡ଼ିଏ ବର୍ଷ ମାତ୍ର । ସେ କଟକରୁ ଶ୍ରୀରାମଚନ୍ଦ୍ରପୁର ଫେରି ବାହା ହୋଇ ସାତମଙ୍ଗଳା କଟାନ୍ତି । ଆଠମଙ୍ଗଳା ଦିନ ଯାଇ ପୁଣି କଟକରେ କଲିଜିଏଟ୍ ବୋର୍ଡ଼ିଂରେ ପହଞ୍ଚନ୍ତି ।  

ଟୀକା: ଏହି ଲେଖାଟି ପ୍ରଥମେ ୨୦୧୮ ମସିହାରେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ଛପିଥିଲା । ଆଲେଖଟିରେ ବ୍ୟବହୃତ ତଥ୍ୟ ନୀଳକଣ୍ଠ ଦାସଙ୍କର ଆତ୍ମଜୀବନୀରୁ ସଙ୍ଗୃହିତ ।

ଗ୍ରନ୍ଥସୂଚୀ

ନୀଳକଣ୍ଠ ଦାସ । ‘ଆତ୍ମଜୀବନୀ’ । ତୃତୀୟ ସଂସ୍କରଣ, ଅଗଷ୍ଟ ୨୦୦୩ (ପ୍ରଥମ ସଂସ୍କରଣ ବିଷୟରେ ସୂଚନା ଦିଆ ଯାଇ ନାହିଁ) । କଟକ: କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର ।

No comments:

Post a Comment

 ନୀଳକଣ୍ଠଙ୍କର ପୁରୀ ଓ କଟକ ସହରରେ ପାଠପଢ଼ା ଶୈଲେନ ରାଉତରାୟ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ ନୀଳକଣ୍ଠ ଦାସ ୧୮୯୯ ମସିହାରେ ଶ୍ରୀରାମଚନ୍ଦ୍ରପୁରର ମଧ୍ୟ-ଓଡ଼ିଆ ବ...