Tuesday, June 30, 2020

ସମ୍ବଲପୁରରେ ୱାଲଡେନ୍ - ୨

 ଜୟନ୍ତ ମହାପାତ୍ରଙ୍କ ସହ ଶୈଲେନ ରାଉତରାୟଙ୍କର ଏକ ବାର୍ତ୍ତାଳାପ


କଟକର ଏକ ଦହିବରା ଆଳୁଦମ ଦୋକାନ (ୱିକିମିଡିଆ କମନ୍ସ୍)

ପ୍ରଶ୍ନ – ମୋର ଏହା ପର ପ୍ରଶ୍ନଟି ଯେତେଟା କବିତା ବିଷୟରେ ନୁହେଁ, ତାହାଠୁ ବେଶି କବିତାର ରାଜନୀତି ବିଷୟରେ । ଭାରତୀୟ ଇଂରାଜୀ କବିତାର ବମ୍ବେ ଘରାନାର କବିତାଗୁଡ଼ିକ (ଧରନ୍ତୁ କୋଲଟକର, ଏଜେକିଏଲ ଆଦି କବିମାନଙ୍କର କବିତାସବୁ) ଅନେକଟା ଚିତ୍ରବଦ୍ଧ, ଆତ୍ମସଚେତନ ଭାବରେ । ହେଲେ ଠିକ୍ ସେହି ସମୟରେ ସେଗୁଡ଼ିକ ବାସ୍ତବବାଦୀ ମଧ୍ୟ । ହେଲେ ଆପଣଙ୍କ ଇଂରାଜୀ କବିତାଗୁଡ଼ିକ ଅତିବାସ୍ତବବାଦୀ । ଧରନ୍ତୁ ଆପଣଙ୍କ ‘ଏ ଟେଷ୍ଟ୍ ଫର୍ ଟୁମରୋ’ ଯେପରି ଶେଷ ହୁଏ..

ଜୟନ୍ତ ମହାପାତ୍ର – ଏଇଟି ଗୋଟେ ଛୋଟ କବିତା । ଏହାକୁ ଧରି ଆଲୋଚନା ବିଶେଷ କିଛି ହେଇନି । କିନ୍ତୁ ମୋତେ ବହୁତ ଭଲ ଲାଗେ କବିତାଟି କାରଣ ତା’ ମୋ ଭୂଇଁର କଥା କୁହେ, ମୋ ଜାଗାର କଥା । ଓଡ଼ିଶା ମୋର ଭୂଇଁ, ଭାରତ ନୁହେଁ । ଏଇଠି କଅଣ ହେଉଚି ଶୈଲେନ, ଦେଖ । ମୁଁ ପଛକୁ ଫେରି ଚାହୁଁଚି । ମୁଁ ମନ୍ଦିର ଦୁଆରରେ ଭିତରକୁ ଯିବାକୁ ଇଚ୍ଛୁକ ଭିଡ଼କୁ ତ ଦେଖୁଚି, ହେଲେ ନିଜକୁ ମଧ୍ୟ ନିରେଖେଇକି ଅନଉଚି । ଆଉ ଭିଡ଼ଟି ମୋର ଅଜଣା ଗୋଟେ ତାଳରେ ଥରୁଥିବା, ଏକ ବଡ଼ ଫୁଟିଥିବା ଫୁଲର ପାଖୁଡ଼ାମାନ ପରି । ଓଡ଼ିଶାର ଜନଜୀବନର ମୂଳଭୂତ ପବିତ୍ରତା ବିଷୟରେ ବମ୍ବେର ଇଂରାଜୀ କବିଙ୍କର ବିଶେଷ କିଛି ଧାରଣା ନ ଥିଲା । ଆମର ଭୂଇଁ ଓ ତାହାର ସଂସ୍କୃତି ସମ୍ପୂର୍ଣ୍ଣ ଭାବରେ ଭିନ୍ନ ।  

ପ୍ରଶ୍ନ – ଆପଣଙ୍କ କାବ୍ୟଜଗତ ବର୍ଷାରେ ସିକ୍ତ, ଉଭୟ ଜଳବାୟୁର ଏକ ବିଷୟ ଭାବେ ଏବଂ ଗୋଟେ ରୂପକ ଭାବରେ ମଧ୍ୟ । କିନ୍ତୁ ଆପଣ ଏବେ ଏପରି ଗୋଟେ ସମୟରେ ବଞ୍ଚୁଚନ୍ତି ଯେବେ ଜଳବାୟୁରେ ବର୍ଷାର ପରିମାଣ ଓ ପ୍ରାବଲ୍ୟ କମିକମି ଚାଲିଚି । ଶ୍ରାବଣରେ ବି ଆଉ ବର୍ଷା ହେଉନି । ଏଇ ପରିବର୍ତ୍ତନ ସହିତ ଆପଣ କିପରି ଖାପ ଖୁଆଇ ପାରିଚନ୍ତି ନିଜକୁ ।

ଜୟନ୍ତ ମହାପାତ୍ର – ବର୍ଷା ମୋର ଅନ୍ତରର ଅଭିଳାଷା, ଉତ୍କଣ୍ଠା ସହିତ ଜଡ଼ିତ । ଯାହା ସବୁବେଳେ ରହି ଆସିଚି । ମୋର ବର୍ଷବର୍ଷର କବିତା ଲେଖା ବି ତାହାକୁ ଦୂର କରି ପାରିନି । ବର୍ଷା ଗୋଟେ ରୂପକ, ମୁଁ ମୋ ନିଜ ଭିତରେ ଯେଉଁ ଜୀବନ ବଞ୍ଚେ, ତାହା ପାଇଁ ।

ପ୍ରଶ୍ନ – ଆପଣଙ୍କ ଇଂରାଜୀ କବିତାଗୁଡ଼ିକର ଧାଡ଼ିଗୁଡ଼ିକ ଅନେକ ଯତ୍ନ ସହିତ ନିର୍ମିତ । ହେଲେ ଓଡ଼ିଆ କବିତାର ଧାଡ଼ିଗୁଡ଼ିକ ଅତି ସରଳ । ଏପରି କାହିଁକି  ?

ଜୟନ୍ତ ମହାପାତ୍ର –  ମୁଁ ସିଧା କଥା କହିବି ? ମୁଁ ଓଡ଼ିଆ ଏତେ ଭଲକି ଜାଣିନି । ଇଂରାଜୀରେ କବିତା ଲେଖିବା ଆରମ୍ଭ କରିବାର ଅନେକ ବର୍ଷ ପରେ ମୁଁ ଓଡ଼ିଆରେ କବିତା ଲେଖିବାକୁ ଚାହିଁଲି । କାରଣ ମୁଁ ମୋର ଭାଇବନ୍ଧୁ, ମୋର ପାଖପଡ଼ିଶାର ଲୋକଙ୍କର ନିକଟବର୍ତ୍ତୀ ହେବାକୁ ଚାହୁଁଥିଲି । ସେମାନେ ଜାଣି ନ ଥିଲେ ଯେ, ମୁଁ କବିଟିଏ କି ମୁଁ କବିତା ଲେଖେ । କିନ୍ତୁ ଓଡ଼ିଆରେ ଲେଖିକି ଯେତେବେଳେ ମୁଁ ଓଡ଼ିଆ ବହି ଖଣ୍ଡିଏ ହାତରେ ଧରି ଆସିଲି, ସେମାନେ ଭାବିଲେ କି ହଁ ଇଏ ବି ଓଡ଼ିଆ କବିଟିଏ । 

ସମାଜ ପ୍ରେସ୍‌ଠାରେ ଥିବା ଲେଟର୍‌ପ୍ରେସ୍ (ୱିକିମିଡିଆ କମନ୍ସ୍)

ଓଡ଼ିଆରେ କବିତା ଲେଖିବା ମୋର ଇଂରାଜୀ କାବ୍ୟକର୍ମର ଅନୁପୂରକ । ମୁଁ ନିଜର ଇଂରାଜୀ କବିତାରେ ଯେପରି ମାନସର ଗଭୀରତାକୁ ଯାଇ ନିଭୃତତମ ବିଚାରଗୁଡ଼ିକର ଅନ୍ୱେଷଣ କରିପାରିଚି, ଓଡ଼ିଆରେ ସେମିତି ବୋଧେ ପାରିନି । ବରଂ ଏଇଆ କହିଲେ ବୋଧ ହୁଏ ବେଶି ସତ ହବ, କି ଓଡ଼ିଆରେ ସେମିତି କରିବାକୁ ମୁଁ ଚେଷ୍ଟା କରିନି । ମୁଁ ଜାଣିଶୁଣି ଓଡି଼ଆରେ କବିତା ଲେଖିଲା ବେଳେ ସରଳ ହେବାକୁ ଚେଷ୍ଟା କରିଚି । ଯେପରି ମୋତେ ସମସ୍ତେ ବୁଝି ପାରିବେ, ଖାଲି ଖବରକାଗଜ ପଢ଼ୁଥିବା ଜଣେ ସାଧାରଣ ଲୋକ ବି ।

ପ୍ରଶ୍ନ - ରାଜନୈତିକ ଦୃଷ୍ଟିକୋଣରୁ ଆପଣଙ୍କର ଓଡ଼ିଆ କବିତାଗୁଡ଼ିକ ଅଧିକ ପାକଳ । ମୁଁ କହୁନି ଆପଣଙ୍କର ଇଂରାଜୀ କବିତା ସେପରି ନୁହେଁ ବୋଲି । ସେଗୁଡ଼ିକର ରାଜନୈତିକ ଧାର ଅଛି, ହେଲେ ଆତ୍ମସଚେତନ ଭାବରେ ନୁହେଁ ବୋଧ ହୁଏ । ହେଲେ ଆପଣଙ୍କ ଓଡ଼ିଆ କବିତା ସ୍ପଷ୍ଟ ଭାବରେ ପକ୍ଷଭୁକ୍ତ ଓ ଜନବାଦୀ । ନା ମୁଁ ଭୁଲ କହୁଚି ?

ଜୟନ୍ତ ମହାପାତ୍ର – ନା । ତୁମେ ଠିକ୍ ହିଁ କହୁଚ । ଶୈଲେନ ଏବେ ମୋର ଧାରଣା ଏଇଆ କି, ଅସଲ କବିତା କହିଲେ ଯାହା ବୁଝାଯାଏ, ତାହାକୁ କେବଳ ନିଜର ମାତୃଭାଷାରେ ହିଁ ଲେଖାଯାଏ । ଯଦି ଲେଖୁଥିବା କବିତାର ଭାଷା ନିଜେ ବଡ଼ ହେଇଥିବା ସମୟର ନିଜ ପରିବେଶର ଭାଷା ନୁହେଁ, ତାହା ହେଲେ ତାହାକୁ କବିତା କହି ହେବନି । ଭାଷାର ଜୀବନରେ ଏକ ବଡ଼ ଭୂମିକା ରହିଚି । ମୁଁ ଯେତେବେଳେ ପିଲାଟିଏ ଥିଲି, ଏଇଠି ଗୋଟେ ମିଶନାରି ସ୍କୁଲରେ ପଢ଼ୁଥିଲି । ଆମକୁ ସ୍କୁଲରେ ଓଡ଼ିଆରେ କହିବାକୁ ବାରଣ ଥିଲା ।

ପ୍ରଶ୍ନ - ଆପଣଙ୍କର ଇଂରାଜୀ କବିତାର ବାକ୍‌ଛନ୍ଦ ଓ ଧାଡ଼ିର ବସାଣ ଓଡ଼ିଆ ଭାଷାର । ଓଡ଼ିଆ ଭାଷାର ଗୋଟେ ବାକ୍‌ଛନ୍ଦ ଧରନ୍ତୁ ‘ଚତୁର ବିନୋଦ’ର – ‘ଚତୁର ବିନୋଦ’ ଗୋଟେ ଶୈଳୀର, ‘ରୁଦ୍ର ସୁଧାନିଧି’ ଆଉ ଗୋଟେ ଶୈଳୀର । ‘ଚତୁର ବିନୋଦ’ର ବାକ୍‌ଛନ୍ଦ ଟିକେ ସିଧା । କିନ୍ତୁ ‘ରୁଦ୍ର ସୁଧାନିଧି’ରେ ଟିକେ ତୀର୍ଯ୍ୟକତା ଅଛି । ଆପଣ ଇଂରାଜୀ କବିତାରେ ଯେଉଁ ବାକ୍‌ଛନ୍ଦର ପ୍ରୟୋଗ କରନ୍ତି, ତାହା ‘ରୁଦ୍ର ସୁଧାନିଧି’ର – ପୂରା ସେଇଆ ନୁହେଁ, କିନ୍ତୁ ମୂଳତଃ ତାହା ହିଁ । କିନ୍ତୁ ଓଡ଼ିଆରେ ଯେତେବେଳେ ଆପଣ ଲେଖୁଚନ୍ତି, ସେତେବେଳେ ସେହି ବାକ୍‌ଛନ୍ଦଟି ପୂରା ସିଧା, ଟିକେ ଚତୁର ବିନୋଦ ଭଳି । ଏପରି କାହିଁକି ? ନା ଆପଣ ମୋର ବକ୍ତବ୍ୟରେ ଅରାଜି ?

ଜୟନ୍ତ ମହାପାତ୍ର – ମୁଁ ତୁମ କଥାରେ ଅରାଜି ନୁହେଁ । କିନ୍ତୁ ମୁଁ ଯେବେ ଇଂରାଜୀରେ କବିତା ଲେଖା ଆରମ୍ଭ କଲି, ସେବର ଭାରତୀୟ ଇଂରାଜୀ କବିତା ଜଗତ ବସ୍ତୁତଃ ବମ୍ବେର କବିମାନଙ୍କ ହସ୍ତମୁଦିମାହାଲ ଥିଲା । ସେମାନେ ନିଜର ଏକ ବୋଲି ତିଆରି କରିଥିଲେ । ଭାଷାର ବିନୋଦପ୍ରିୟତା, ଗୋଟେ ରହସ୍ୟ ଯାହା କବିତାରେ ସଦା ଅନ୍ତର୍ନିହିତ ଥାଏ, ଯାହା ପ୍ରତି ପାଠକକୁ ଭିନ୍ନ ଏକ ଅର୍ଥ ପ୍ରଦାନ କରେ, ସେସବୁ ସେମାନଙ୍କ କବିତାରେ ସେତେଟା ନ ଥିଲା । କିନ୍ତୁ ରହସ୍ୟ ସବୁବେଳେ ମୋତେ ଆକର୍ଷିତ କରିଚି ।...

ବି.ଦ୍ର. - ଏହି ସାକ୍ଷାତକାରଟି ୨୦୧୯ ମସିହାର ମଧ୍ୟ ଭାଗରେ ନିଆଯାଇଥିଲା । ଇଂରାଜୀରେ ଏହାର କିୟଦଂଶ 'ଦି ହିନ୍ଦୁ' ଖବରକାଗଜର ଏକ ରବିବାସରୀୟ ଅଙ୍କରେ ତଥା ସମ୍ପୂର୍ଣ୍ଣ ଓଡ଼ିଆ ରୂପଟି ସାହିତ୍ୟ ପତ୍ରିକା 'ପଶ୍ଚିମା'ର ୨୦୧୯ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇସାରିଚି । ସାକ୍ଷାତକାରଟିର ସର୍ବସତ୍ତ୍ୱ ଜୟନ୍ତ ମହାପାତ୍ର ଓ ଶୈଲେନ ରାଉତରାୟଙ୍କ ପାଖରେ ସଂରକ୍ଷିତ ।

No comments:

Post a Comment

ବିଶ୍ୱ ଦରବାରରେ ଗୁଡ଼ାଖୁ ଶୈଲେନ ରାଉତରାୟ ଗୁଡ଼ାଖୁର ବିକ୍ରିବଟା ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍/ଶୈଳେଶ ପଟ୍ଟନାୟକ ପରବର୍ତ୍ତି ସମୟର ପ୍ରସିଦ୍ଧ ଅମଲା ଓ ଲେଖକ ...